17.11.25          Morning Odia Murli         Om Shanti         BapDada       Madhuban


“ମିଠେ ବଚ୍ଚେ:- ଏହା ହେଉଛି ପୁରୁଷୋତ୍ତମ ସଂଗମଯୁଗ, ପୁରୁଣା ଦୁନିଆ ପରିବର୍ତ୍ତନ ହୋଇ ଏବେ ନୂଆ ହେବାକୁ ଯାଉଛି, ତୁମମାନଙ୍କୁ ଏବେ ପୁରୁଷାର୍ଥ କରି ଉତ୍ତମ ଦେବ ପଦ ପାଇବାକୁ ହେବ’’ ।

ପ୍ରଶ୍ନ:-
ଯୋଗ୍ୟ ସେବାଧାରୀ ସନ୍ତାନମାନଙ୍କ ବୁଦ୍ଧିରେ କେଉଁ କଥା ସର୍ବଦା ମନେ ରହିଥାଏ?

ଉତ୍ତର:-
ସେମାନଙ୍କ ବୁଦ୍ଧିରେ ରହିଥାଏ ଯେ ଧନ ଦେଲେ ଧନ ସରିବ ନାହିଁ... ସେଥିପାଇଁ ସେମାନେ ରାତି-ଦିନ ନିଦ୍ରାର ମଧ୍ୟ ତ୍ୟାଗ କରି ଜ୍ଞାନ ଧନକୁ ଦାନ କରିଥା’ନ୍ତି, ଥକି ନ ଥାନ୍ତି । କିନ୍ତୁ ନିଜ ଭିତରେ ଯଦି କୌଣସି ଅବଗୁଣ ଥିବ ତେବେ ସେବା କରିବାର ଉତ୍ସାହ ମଧ୍ୟ ଆସିବ ନାହିଁ ।

ଓମ୍ ଶାନ୍ତି ।
ମଧୁର ସନ୍ତାନମାନଙ୍କୁ ବାବା ବସି ବୁଝାଉଛନ୍ତି । ପିଲାମାନେ ଜାଣିଛନ୍ତି ପରମପିତା ପରମାତ୍ମା ପ୍ରତିଦିନ ବୁଝାଉଛନ୍ତି । ଯେପରି ବିଦ୍ୟାଳୟମାନଙ୍କରେ ଶିକ୍ଷକମାନେ ପ୍ରତିଦିନ ପାଠ ପଢାଇଥା’ନ୍ତି । ପିତା ତ କେବଳ ଶିକ୍ଷା ଦେବେ, ପିଲାମାନଙ୍କର ଦାୟିତ୍ୱ ନେବେ କାରଣ ସେମାନେ ମାତା-ପିତାଙ୍କ ସାଥିରେ ଘରେ ରହିଥା’ନ୍ତି । କିନ୍ତୁ ଏଠାରେ ତ ବହୁତ ଆଶ୍ଚର୍ଯ୍ୟର କଥା । ଆତ୍ମାର ପିତା ପରମାତ୍ମାଙ୍କ ସାଥିରେ ତୁମେମାନେ ରହୁଛ । ପ୍ରଥମ କଥା ହେଲା ତୁମେମାନେ ଆତ୍ମିକ ପିତାଙ୍କ ସହିତ ବ୍ରହ୍ମଲୋକରେ ରହୁଛ । ବାବା ପିଲାମାନଙ୍କୁ ବର୍ସା ଦେବା ପାଇଁ ଅଥବା ପବିତ୍ର କରିବା ପାଇଁ, ସୁଖ ଅଥବା ଶାନ୍ତି ଦେବା ପାଇଁ କଳ୍ପରେ ଥରେ ମାତ୍ର ଆସିଥା’ନ୍ତି । ତେଣୁ ନିଶ୍ଚୟ ଏଠାରେ ଆସି ସ୍ଥୁଳ ବତନରେ ରହୁଥିବେ । ଏହି କଥାରେ ହିଁ ମନୁଷ୍ୟମାନେ ଦ୍ୱନ୍ଦରେ ପଡୁଛନ୍ତି । ଗାୟନ ମଧ୍ୟ ରହିଛି - ସିଏ ସାଧାରଣ ଶରୀରରେ ପ୍ରବେଶ କରିଥା’ନ୍ତି । ତେବେ ସାଧାରଣ ଶରୀର କେଉଁଠାରୁ ଉଡିକରି ତ ଆସୁ ନାହିଁ । ତେଣୁ ନିଶ୍ଚିତ ମନୁଷ୍ୟ ଶରୀରରେ ହିଁ ଆସୁଛନ୍ତି ଏବଂ ସିଏ ଏକଥା ମଧ୍ୟ କହୁଛନ୍ତି ଯେ, ମୁଁ ଏହି ଶରୀରରେ ପ୍ରବେଶ କରୁଛି । ତୁମେ ସନ୍ତାନମାନେ ମଧ୍ୟ ଏବେ ବୁଝିପାରୁଛ - ବାବା ଆମକୁ ସ୍ୱର୍ଗର ବର୍ସା ଦେବାକୁ ଆସିଛନ୍ତି । ନିଶ୍ଚିତ ଭାବେ ଏବେ ଆମେ ଯୋଗ୍ୟ ନାହୁଁ, ପତିତ ହୋଇଯାଇଛୁ । ସେଥିପାଇଁ ସମସ୍ତେ କହୁଛନ୍ତି, ହେ ପତିତ-ପାବନ ଆସ, ଏଠାକୁ ଆସି ଆମ ପତିତମାନଙ୍କୁ ପବିତ୍ର କର । ବାବା କହୁଛନ୍ତି ମୋତେ କଳ୍ପ-କଳ୍ପ ପତିତମାନଙ୍କୁ ପବିତ୍ର କରିବାର କାର୍ଯ୍ୟ ମିଳିଛି । କହୁଛନ୍ତି ହେ ପିଲାମାନେ, ବର୍ତ୍ତମାନ ଏହି ପତିତ ଦୁନିଆକୁ ପବିତ୍ର କରିବାକୁ ହେବ । ପୁରୁଣା ଦୁନିଆକୁ ପତିତ, ନୂଆ ଦୁନିଆକୁ ପବିତ୍ର ବୋଲି କୁହାଯିବ ଅର୍ଥାତ୍ ପୁରୁଣା ଦୁନିଆକୁ ନୂଆ କରିବା ପାଇଁ ବାବା ଆସିଛନ୍ତି । କଳିଯୁଗକୁ ତ କେହି ବି ନୂଆ ଦୁନିଆ କହିବେ ନାହିଁ । ଏହା ତ ବୁଝିବାର କଥା ନା । କଳିଯୁଗ ହେଲା ପୁରୁଣା ଦୁନିଆ । ବାବା ମଧ୍ୟ ନିଶ୍ଚିତ - ପୁରୁଣା ଏବଂ ନୂଆ ଦୁନିଆର ସଂଗମରେ ହିଁ ଆସିବେ । ଯେତେବେଳେ କେଉଁଠି ବି ତୁମେମାନେ ବୁଝାଉଛ ତେବେ କୁହ ଯେ, ଏହା ପୁରୁଷୋତ୍ତମ ସଂଗମଯୁଗ ଅଟେ, ଏହି ସମୟରେ ବାବା ଆସିଛନ୍ତି । ସାରା ଦୁନିଆରେ ଏପରି କେହି ମନୁଷ୍ୟ ନ ଥିବେ ଯାହାଙ୍କୁ ଜଣାଥିବ ଯେ ଏହା ହେଉଛି ପୁରୁଷୋତ୍ତମ ସଂଗମଯୁଗ । ତୁମେମାନେ ସଂଗମଯୁଗରେ ଅଛ ସେଥିପାଇଁ ତ ଅନ୍ୟମାନଙ୍କୁ ବୁଝାଉଛ । ମୁଖ୍ୟ କଥା ହେଉଛି ସଂଗମଯୁଗର । ତେଣୁ ପଏଣ୍ଟସ୍ ଗୁଡିକ ମଧ୍ୟ ବହୁତ ଜରୁରୀ ଅଟେ । ଯେଉଁ କଥା କେହି ଜାଣି ନାହାଁନ୍ତି ସେ ସମ୍ବନ୍ଧରେ ବୁଝାଇବାକୁ ହେବ, ସେଥିପାଇଁ ବାବା କହୁଛନ୍ତି ଏ କଥା ନିଶ୍ଚିତ ଲେଖିବାକୁ ହେବ ଯେ ବର୍ତ୍ତମାନ ପୁରୁଷୋତ୍ତମ ସଂଗମଯୁଗ ଅଟେ । ନୂଆଯୁଗ ଅର୍ଥାତ୍ ସତ୍ୟଯୁଗର ଚିତ୍ର ମଧ୍ୟ ରହିଛି । ମନୁଷ୍ୟମାନେ କିପରି ଜାଣିବେ ଯେ, ଏହି ଲକ୍ଷ୍ମୀ-ନାରାୟଣ ସତ୍ୟଯୁଗ ନୂଆ ଦୁନିଆର ମାଲିକ ଅଟନ୍ତି । ତେଣୁ ତାଙ୍କ ଚିତ୍ର ଉପରେ ପୁରୁଷୋତ୍ତମ ସଂଗମଯୁଗ ଶବ୍ଦ ନିଶ୍ଚିତ ଲେଖା ହେବା ଦରକାର । ଏହି ଶବ୍ଦ ନିଶ୍ଚିତ ଲେଖିବାକୁ ହେବ କାହିଁକି ନା ଏହା ହିଁ ହେଉଛି ମୁଖ୍ୟ କଥା । ମନୁଷ୍ୟମାନେ ଭାବୁଛନ୍ତି କଳିଯୁଗ ଆହୁରି ବହୁତ ବର୍ଷ ଚାଲିବ । କାରଣ ସେମାନେ ବିଲ୍‌କୁଲ୍ ଘୋର ଅନ୍ଧକାରରେ ଅଛନ୍ତି । ତେଣୁ ସେମାନଙ୍କୁ ବୁଝାଇବାକୁ ହେବ ଯେ, ନୂଆ ଦୁନିଆର ମାଲିକ ଏହି ଲକ୍ଷ୍ମୀ ନାରାୟଣ ଅଟନ୍ତି । ଇଏ ହେଉଛନ୍ତି ସମ୍ପୂର୍ଣ୍ଣତାର ଚିହ୍ନ । ତାହା ହିଁ ତୁମମାନଙ୍କର ଲକ୍ଷ୍ୟ । ତୁମେମାନେ କହୁଛ ଏବେ ସେହି ରାଜ୍ୟର ସ୍ଥାପନା ହେଉଛି । ଗୀତ ମଧ୍ୟ ଅଛି ନବଯୁଗ ଆସିଲା, ଅଜ୍ଞାନ ନିଦ୍ରାରୁ ଜାଗ୍ରତ ହୁଅ । ଏକଥା ତୁମେ ଜାଣିଛ ବର୍ତ୍ତମାନ ହେଉଛି ସଂଗମଯୁଗ, ଏହାକୁ ନବଯୁଗ କୁହାଯିବ ନାହିଁ । ସଂଗମକୁ ସଂଗମଯୁଗ ହିଁ କୁହାଯାଏ । ଏହା ହେଉଛି ପୁରୁଷୋତ୍ତମ ସଂଗମଯୁଗ, ଯେତେବେଳେ କି ପୁରୁଣା ଦୁନିଆ ସମାପ୍ତ ହୋଇ ନୂଆ ଦୁନିଆର ସ୍ଥାପନା ହେଉଛି । ମନୁଷ୍ୟରୁ ଦେବତା ହେବା ପାଇଁ, ରାଜଯୋଗ ଶିଖୁଛନ୍ତି । ଦେବତାମାନଙ୍କ ମଧ୍ୟରେ ଉତ୍ତମ ପଦ ହେଉଛି ଏହି ଲକ୍ଷ୍ମୀ-ନାରାୟଣଙ୍କର । ଏମାନେ ମଧ୍ୟ ମନୁଷ୍ୟ ହିଁ ଅଟନ୍ତି । କିନ୍ତୁ ଏମାନଙ୍କ ଭିତରେ ଦୈବୀଗୁଣ ରହିଛି, ତେଣୁ ସେମାନଙ୍କୁ ଦେବୀ-ଦେବତା କୁହାଯାଉଛି । ପବିତ୍ରତା ହେଉଛି ସବୁଠାରୁ ଉତ୍ତମ ଗୁଣ ସେଥିପାଇଁ ତ ମନୁଷ୍ୟମାନେ ଦେବତାମାନଙ୍କ ଆଗରେ ମୁଣ୍ଡ ନୁଆଁଉଛନ୍ତି । ଏହି ସବୁ ପଏଣ୍ଟସ୍ ସେହିମାନଙ୍କ ବୁଦ୍ଧିରେ ଧାରଣ ହେବ ଯେଉଁମାନେ ସେବା କରୁଛନ୍ତି । କୁହାଯାଏ ଧନ ଦେଲେ ଧନ ସରିବ ନାହିଁ । ତୁମମାନଙ୍କୁ ବହୁତ କଥା ବୁଝାଯାଉଛି । ଜ୍ଞାନ ତ ବହୁତ ସହଜ । କିନ୍ତୁ କିଏ ଭଲ ଭାବରେ ଧାରଣା କରୁଛନ୍ତି, କିଏ କରୁ ନାହାଁନ୍ତି । ଯେଉଁମାନଙ୍କ ପାଖରେ ଅବଗୁଣ ଅଛି, ସେମାନେ ସେଣ୍ଟରର ଦାୟିତ୍ୱ ସମ୍ଭାଳି ପାରିବେ ନାହିଁ । ତେଣୁ ବାବା ସନ୍ତାନମାନଙ୍କୁ ବୁଝାଉଛନ୍ତି, ପ୍ରଦର୍ଶନୀରେ ମଧ୍ୟ ସିଧା-ସିଧା ଶବ୍ଦ ଲେଖି ଦେବା ଦରକାର । ମୁଖ୍ୟତଃ ପୁରୁଷୋତ୍ତମ ସଂଗମଯୁଗ ସମ୍ବନ୍ଧରେ ବୁଝାଇବାକୁ ହେବ । ଏହି ସଂଗମଯୁଗରେ ଆଦି ସନାତନ ଦେବୀ-ଦେବତା ଧର୍ମର ସ୍ଥାପନା ହେଉଛି । ଯେତେବେଳେ ଏହି ଧର୍ମ ଥିଲା ସେତେବେଳେ ଅନ୍ୟ କୌଣସି ଧର୍ମ ନ ଥିଲା । ମହାଭାରତ ଲଢେଇ ମଧ୍ୟ ଡ୍ରାମାରେ ନିଧାର୍ଯ୍ୟ ରହିଛି । ଏ ସବୁ ବିଜ୍ଞାନର ସାଧନ ମଧ୍ୟ ଏବେ ବାହାରିଛି, ଆଗରୁ ଏ ସବୁ ନ ଥିଲା । ପୁଣି ୧୦୦ ବର୍ଷ ଭିତରେ ସବୁ ଖଲାସ ହୋଇଯିବ । ସଂଗମଯୁଗକୁ ଅତି କମ୍‌ରେ ୧୦୦ ବର୍ଷ ତ ହେବା ଦରକାର ନା । ସମଗ୍ର ଦୁନିଆକୁ ନୂଆ କରିବାକୁ ହେବ । ନୂଆ ଦିଲ୍ଲୀ ତିଆରି କରିବାରେ କେତେ ବର୍ଷ ଲାଗିଲା ।

ତୁମେ ଜାଣିଛ ଭାରତରେ ହିଁ ନୂଆ ଦୁନିଆ ହେବ, ତେଣୁ ଏହି ପୁରୁଣା ଖଲାସ ହୋଇଯିବ । କିନ୍ତୁ କିଛି ତ ରହିବ ନା । ସମ୍ପୂର୍ଣ୍ଣ ପ୍ରଳୟ ତ ହେବ ନାହିଁ । ଏହି ସବୁ କଥା ତୁମମାନଙ୍କ ବୁଦ୍ଧିରେ ଅଛି । ବର୍ତ୍ତମାନ ହେଉଛି ସଂଗମଯୁଗ । ନୂଆ ଦୁନିଆରେ ନିଶ୍ଚୟ ଏହି ଦେବୀ ଦେବତାମାନେ ଥିଲେ, ପୁଣି ଏହିମାନେ ହିଁ ରହିବେ । ଏହା ହେଉଛି ରାଜଯୋଗର ପାଠପଢା । ଯଦି କେହି ବିସ୍ତାର ଭାବରେ ବୁଝାଇପାରୁ ନାହାଁନ୍ତି ତେବେ କେବଳ ଗୋଟିଏ କଥା କୁହ - ପରମପିତା ପରମାତ୍ମା ଯିଏକି ସମସ୍ତଙ୍କର ପିତା ଅଟନ୍ତି, ତାଙ୍କୁ ତ ସମସ୍ତେ ସ୍ମରଣ କରୁଛନ୍ତି । ସିଏ ଆମ ସମସ୍ତଙ୍କୁ କହୁଛନ୍ତି - ତୁମେମାନେ ଏବେ ପତିତ ହୋଇଯାଇଛ । ସେଥିପାଇଁ ଡାକୁଛ, ହେ ପତିତ-ପାବନ ଆସ, ବାସ୍ତବରେ ଏହି କଳିଯୁଗରେ ସମସ୍ତେ ପତିତ ଏବଂ ସତ୍ୟଯୁଗରେ ସମସ୍ତେ ପବିତ୍ର ଆତ୍ମାମାନେ ରହିଥା’ନ୍ତି । ବର୍ତ୍ତମାନ ପରମପିତା ପରମାତ୍ମା କହୁଛନ୍ତି ନିଜର ଦେହ ସହିତ ଏହି ସବୁ ପତିତ ସମ୍ବନ୍ଧକୁ ଛାଡି କେବଳ ମୋତେ ମନେ ପକାଅ ତେବେ ପବିତ୍ର ହୋଇଯିବ । ଏହା ଗୀତାର ହିଁ ଶବ୍ଦ ଅଟେ । ଏବେ ସେହି ଗୀତାର ଯୁଗ ଚାଲିଛି । ଗୀତା ଏହି ସଂଗମଯୁଗରେ ହିଁ ଗାୟନ କରାଯାଇଥିଲା ଯେତେବେଳେ କି ବିନାଶ ହୋଇଥିଲା ଏବଂ ବାବା ଆସି ରାଜଯୋଗ ଶିଖାଇଥିଲେ । ରାଜତ୍ୱ ସ୍ଥାପନ ହୋଇଥିଲା ପୁଣି ନିଶ୍ଚିତ ସ୍ଥାପନ ହେବ । ଏ ସବୁ କଥା ଆତ୍ମାର ପିତା ପରମାତ୍ମା ଆସି ବୁଝାଉଛନ୍ତି ନା । ଧରିନିଅ ଏହି ଶରୀରରେ ନ ଆସି ଅନ୍ୟ କାହା ଶରୀରରେ ତ ଆସିଲେ । କିନ୍ତୁ ଜ୍ଞାନ ତ ବାବାଙ୍କର ନା । ମୁଁ ଏହାଙ୍କର (ବ୍ରହ୍ମାଙ୍କର) ନାମ ତ ନେଉନାହିଁ । ମୁଁ ତ କେବଳ ଏତିକି କହୁଛି - ବାବା କହୁଛନ୍ତି ମୋତେ ମନେ ପକାଅ, ତେବେ ତୁମେମାନେ ପବିତ୍ର ହୋଇଯିବ ଏବଂ ମୋ ପାଖକୁ ଆସିଯିବ । ଏହା କେତେ ସହଜ । କେବଳ ମୋତେ ମନେ ପକାଅ ଏବଂ ୮୪ ଜନ୍ମର ଚକ୍ରର ଜ୍ଞାନ ବୁଦ୍ଧିରେ ରହୁ । ଯିଏ ଧାରଣା କରିବ ସିଏ ଚକ୍ରବର୍ତ୍ତୀ ରାଜା ହେବ । ଏହି ସନ୍ଦେଶ ତ ସବୁ ଧର୍ମାବଲମ୍ବୀମାନଙ୍କ ପାଇଁ ଉଦ୍ଧିଷ୍ଟ । ସମସ୍ତଙ୍କୁ ତ ଘରକୁ ଯିବାକୁ ହେବ । ମୁଁ ମଧ୍ୟ ଘରର ହିଁ ରାସ୍ତା ବତାଉଛି । ପାଦ୍ରୀମାନଙ୍କୁ ଅଥବା ଆଉ କେହି ବି ହୁଅନ୍ତୁ ତୁମେ ସେମାନଙ୍କୁ ବାବାଙ୍କର ସନ୍ଦେଶ ଦେଇପାରିବ । ତୁମମାନଙ୍କୁ ଖୁସିର ବହୁତ ନିଶା ଚଢିବା ଦରକାର । ପରମପିତା ପରମାତ୍ମା କହୁଛନ୍ତି ମୋତେ ମନେ ପକାଅ ତେବେ ତୁମର ବିକର୍ମ ବିନାଶ ହୋଇଯିବ ଏବଂ ସମସ୍ତଙ୍କୁ ଏହି କଥା ମନେ ପକାଇଦିଅ । ବାବାଙ୍କର ସନ୍ଦେଶ ଶୁଣାଇବା ହିଁ ପ୍ରଥମ ନମ୍ବରର ସେବା ଅଟେ । ବର୍ତ୍ତମାନ ହେଉଛି ଗୀତାର ଯୁଗ । ବାବା ଆସିଛନ୍ତି ସେଥିପାଇଁ ଏହି ଚିତ୍ର ଆରମ୍ଭରୁ ରଖିବା ଉଚିତ୍ । ଯିଏ ଭାବୁଛନ୍ତି - ଆମେ ବାବାଙ୍କ ସନ୍ଦେଶ ଦେଇପାରିବୁ ସେମାନେ ପ୍ରସ୍ତୁତ ରହିବା ଉଚିତ୍ । ମନରେ ଆସିବା ଉଚିତ୍ ଯେ, ମୁଁ ମଧ୍ୟ ଅନ୍ଧମାନଙ୍କର ବାଡି ହେବି । ଏହି ସନ୍ଦେଶ ତ କାହାକୁ ବି ଦେଇପାରିବ । ବି.କେ.ଙ୍କ ନାମ ଶୁଣି ଡରୁଛନ୍ତି । କୁହ ଆମେ କେବଳ ବାବାଙ୍କର ସନ୍ଦେଶ ଦେଉଛୁ । ପରମପିତା ପରମାତ୍ମା କହୁଛନ୍ତି - ମୋତେ ମନେ ପକାଅ ବାସ୍ । ଆମେ କାହାର ଗ୍ଲାନି କରୁ ନାହୁଁ । ବାବା କହୁଛନ୍ତି ମୋତେ ମନେ ପକାଅ, ମୁଁ ହେଉଛି ଉଚ୍ଚରୁ ଉଚ୍ଚ ପତିତ-ପାବନ । ମୋତେ ମନେ ପକାଇଲେ ତୁମର ବିକର୍ମ ବିନାଶ ହେବ । ଏହି କଥାକୁ ନୋଟ୍ କର । ଏହା ବହୁତ କାମର ଜିନିଷ ଅଟେ । କେହି କେହି ନିଜ ହାତରେ ଅଥବା ବାହୁରେ ଅକ୍ଷର ଲେଖାଇଥା’ନ୍ତି ନା, ତୁମେ ମଧ୍ୟ ଏହାକୁ ଲେଖାଇ ଦିଅ । ଯଦି କେବଳ ଏତିକି ବି କଥା କହିଲ ତେବେ ମଧ୍ୟ ଦୟାଶୀଳ, କଲ୍ୟାଣକାରୀ ହୋଇଚାଲ । ନିଜ ସହିତ ପ୍ରତିଜ୍ଞା କରିବା ଉଚିତ୍ । ସେବା ନିଶ୍ଚିତ କରିବାକୁ ହେବ ତେବେ ଅଭ୍ୟାସ ହୋଇଯିବ । ଏ କଥା ମଧ୍ୟ ତୁମେମାନେ ବୁଝାଇପାରିବ, ଚିତ୍ର ମଧ୍ୟ ଦେଇପାରିବ । ଏହା ହେଲା ସନ୍ଦେଶ ଦେବାର ଜିନିଷ । ଲକ୍ଷ ଲକ୍ଷ ବ୍ରାହ୍ମଣ ହୋଇଯିବେ । ତୁମମାନଙ୍କୁ ଘରେ-ଘରେ ଯାଇ ସନ୍ଦେଶ ଦେବାକୁ ହେବ । ପଇସା କେହି ଦିଅନ୍ତୁ ନ ଦିଅନ୍ତୁ, କୁହ - ବାବା ତ ହେଉଛନ୍ତି ଦୀନବନ୍ଧୁ । ଆମର କର୍ତ୍ତବ୍ୟ ହେଉଛି - ଘରେ ଘରେ ସନ୍ଦେଶ ଦେବା । ଇଏ ହେଉଛନ୍ତି ବାପଦାଦା, ତାଙ୍କ ଠାରୁ ଏହି ସମ୍ପତ୍ତି ମିଳୁଛି । ଇଏ ୮୪ ଜନ୍ମ ନେବେ । ୟାଙ୍କର ଏହା ହେଉଛି ବର୍ତ୍ତମାନ ଅନ୍ତିମ ଜନ୍ମ । ଏବେ ଆମେ ବ୍ରାହ୍ମଣ ହୋଇଛୁ ପୁଣି ଦେବତା ହେବୁ । ବ୍ରହ୍ମା ମଧ୍ୟ ବ୍ରାହ୍ମଣ ଅଟନ୍ତି । କେବଳ ପ୍ରଜାପିତା ବ୍ରହ୍ମା ଜଣେ ତ ନ ଥିବେ ନା । ନିଶ୍ଚୟ ବ୍ରାହ୍ମଣ ବଂଶାବଳୀ ମଧ୍ୟ ଥିବେ ନା । ବ୍ରହ୍ମାରୁ ବିଷ୍ଣୁ ଦେବତା, ବ୍ରାହ୍ମଣମାନେ ହେଉଛନ୍ତି ଚୁଟୀ । ସେହିମାନେ ହିଁ ଦେବତା, କ୍ଷତ୍ରିୟ, ବୈଶ୍ୟ, ଶୂଦ୍ର ହେଉଛନ୍ତି । କେହି ତ ନିଶ୍ଚିତ ବାହାରିବେ ଯିଏକି ତୁମମାନଙ୍କ କଥାକୁ ବୁଝିବେ । ପୁରୁଷମାନେ ମଧ୍ୟ ସେବା କରିପାରିବେ । ସକାଳୁ ଉଠି ମନୁଷ୍ୟ ଦୋକାନ ଖୋଲିବା ସମୟରେ କହନ୍ତି ସୁବହକା ସାଇଁ... ତୁମେମାନେ ମଧ୍ୟ ସକାଳୁ-ସକାଳୁ ଯାଇ ବାବାଙ୍କର ସନ୍ଦେଶ ଶୁଣାଅ । ସେମାନଙ୍କୁ କୁହ ତୁମର ଧନ୍ଦା ବା ବ୍ୟବସାୟ ବହୁତ ଭଲ ହେବ । ତୁମେ ସାଇଁଙ୍କୁ ମନେ ପକାଅ ତେବେ ୨୧ ଜନ୍ମର ବର୍ସା ମିଳିବ । ଅମୃତବେଳାର ସମୟ ବହୁତ ଭଲ ହୋଇଥାଏ । ଆଜିକାଲି କାରଖାନାରେ ମାତାମାନେ ମଧ୍ୟ କାମ କରୁଛନ୍ତି । ଏହି ବ୍ୟାଜ ତିଆରି କରିବା ମଧ୍ୟ ବହୁତ ସହଜ ।

ତୁମ ସନ୍ତାନମାନଙ୍କୁ ତ ରାତି-ଦିନ ସେବାରେ ଲାଗିଯିବା ଉଚିତ୍ । ନିଦକୁ ମଧ୍ୟ ତ୍ୟାଗ କରିବା ଉଚିତ୍ । ବାବାଙ୍କର ପରିଚୟ ମିଳିବା ଦ୍ୱାରା ମନୁଷ୍ୟ ସନାଥ ହୋଇ ଯାଇଥାଆନ୍ତି । ତୁମେମାନେ କାହାକୁ ହେଲେ ଏହି ସନ୍ଦେଶ ଦେଇପାରିବ । ତୁମର ଜ୍ଞାନ ବହୁତ ଉଚ୍ଚ । କୁହ, ଆମେ ଜଣଙ୍କୁ ମନେ ପକାଉଛୁ । ଖ୍ରୀଷ୍ଟଙ୍କର ଆତ୍ମା ମଧ୍ୟ ତାଙ୍କର ସନ୍ତାନ ଥିଲେ । ସବୁ ଆତ୍ମାମାନେ ତ ତାଙ୍କର ସନ୍ତାନ ଅଟନ୍ତି । ସେହି ଈଶ୍ୱର ପିତା କହୁଛନ୍ତି ଯେ, ଆଉ କୌଣସି ଦେହଧାରୀଙ୍କୁ ମନେ ପକାଅ ନାହିଁ । ତୁମେ ନିଜକୁ ଆତ୍ମା ନିଶ୍ଚୟ କରି କେବଳ ମୋତେ ମନେ ପକାଇଲେ ବିକର୍ମ ବିନାଶ ହେବ ଏବଂ ତୁମେମାନେ ମୋ ପାଖକୁ ଆସିଯିବ । ମନୁଷ୍ୟ ଘରକୁ ଯିବା ପାଇଁ ହିଁ ପୁରୁଷାର୍ଥ କରିଥାନ୍ତି । କିନ୍ତୁ କେହିହେଲେ ଯାଇ ନ ଥା’ନ୍ତି । କିନ୍ତୁ ଦେଖାଯାଉଛି ପିଲାମାନେ ଏବେ ବହୁତ ଥଣ୍ଡା ଅର୍ଥାତ୍ ମାନ୍ଦା ହୋଇଯାଇଛନ୍ତି, ଏତେ ପରିଶ୍ରମ କରୁ ନାହାଁନ୍ତି । ବାହାନା କରି ଚାଲିଛନ୍ତି, ଏଥିରେ ବହୁତ ସହନ ମଧ୍ୟ କରିବାକୁ ପଡୁଛି । ଧର୍ମସ୍ଥାପକମାନଙ୍କୁ କେତେ ସହନ କରିବାକୁ ପଡିଥାଏ । ଖ୍ରୀଷ୍ଟଙ୍କ ନିମନ୍ତେ ମଧ୍ୟ କହନ୍ତି ତାଙ୍କୁ କ୍ରସ୍ ଉପରେ ଚଢାଇଥିଲେ । ତୁମର କାମ ହେଉଛି ସମସ୍ତଙ୍କୁ ସନ୍ଦେଶ ଦେବା । ସେଥିପାଇଁ ବାବା ଉପାୟମାନ ବତାଉଛନ୍ତି । ଯଦି କେହି ସେବା ନ କରିଲେ ତେବେ ବାବା ବୁଝିଯାଆନ୍ତି ଯେ, ତାଙ୍କର କିଛି ଧାରଣା ହୋଇ ନାହିଁ । ବାବା ରାୟ ଦେଉଛନ୍ତି କିପରି ସନ୍ଦେଶ ଦେବ, ଟ୍ରେନ୍‌ରେ ମଧ୍ୟ ତୁମେମାନେ ଏହି ସନ୍ଦେଶ ଦେଇଚାଲ । ତୁମେ ଜାଣିଛ ଆମେ ସ୍ୱର୍ଗକୁ ଯାଉଛୁ । କେହି କେହି ଶାନ୍ତିଧାମକୁ ମଧ୍ୟ ଯିବେ ନା । ଯାହାର ରାସ୍ତା ତ ତୁମେମାନେ ହିଁ ବତାଇପାରିବ । ତୁମ ବ୍ରାହ୍ମଣମାନଙ୍କୁ ହିଁ ଯିବା ଉଚିତ୍ । ବ୍ରାହ୍ମଣ ତ ବହୁତ ଅଛନ୍ତି । ବ୍ରାହ୍ମଣମାନଙ୍କୁ କେଉଁଠି ତ ରଖିବେ ନା । ବ୍ରାହ୍ମଣ, ଦେବତା, କ୍ଷତ୍ରିୟ । ତେବେ ନିଶ୍ଚିତ ପ୍ରଜାପିତା ବ୍ରହ୍ମାଙ୍କର ସନ୍ତାନ ତ ହୋଇଥିବେ ନା । ଆଦି ସମୟରେ ବ୍ରାହ୍ମଣମାନେ ହିଁ ଥା’ନ୍ତି । ତୁମେ ବ୍ରାହ୍ମଣମାନେ ହେଲ ସବୁଠାରୁ ଉଚ୍ଚ । ସେହି ବ୍ରାହ୍ମଣମାନେ ହେଲେ କୁଖ ବଂଶାବଳୀ ଅର୍ଥାତ୍ କୋଳ ଜାତ । ତେବେ ବ୍ରାହ୍ମଣ ତ ନିଶ୍ଚିତ ଆବଶ୍ୟକ ନା । ନଚେତ୍ ପ୍ରଜାପିତା ବ୍ରହ୍ମାଙ୍କର ସନ୍ତାନ ବ୍ରାହ୍ମଣମାନେ କୁଆଡେ ଗଲେ । ବ୍ରାହ୍ମଣମାନଙ୍କୁ ତୁମେ ବସି ବୁଝାଅ । ତେବେ ସେମାନେ ତୁରନ୍ତ ବୁଝିଯିବେ । କୁହ ତୁମେ ମଧ୍ୟ ବ୍ରାହ୍ମଣ ଅଟ, ଆମେ ମଧ୍ୟ ନିଜକୁ ବ୍ରାହ୍ମଣ କହୁଛୁ । ଏବେ କୁହ, ତୁମର ଧର୍ମସ୍ଥାପକ କିଏ? ତେବେ ସେମାନେ ବ୍ରହ୍ମାଙ୍କ ନାମ ବ୍ୟତୀତ ଅନ୍ୟ କାହାର ନାମ ମଧ୍ୟ ଧରିବେ ନାହିଁ । ତୁମେ ଚେଷ୍ଟା କରି ଦେଖ । ବ୍ରାହ୍ମଣମାନଙ୍କର ମଧ୍ୟ ବହୁତ ବଡ ବଡ କୁଳ ରହିଛି । ପୂଜାରୀ ବ୍ରାହ୍ମଣ ତ ଢେର ଅଛନ୍ତି । ଆଜମେରକୁ ଢେର ସନ୍ତାନ ଯାଉଛନ୍ତି, କିନ୍ତୁ କେବେ କେହି ବି ସମାଚାର ଦେଇ ନାହାଁନ୍ତି ଯେ, ମୁଁ ବ୍ରାହ୍ମଣଙ୍କ ସହିତ ମିଶିଲି, ତାଙ୍କୁ ପଚାରିଲି ତୁମର ଧର୍ମ ସ୍ଥାପକ କିଏ? ବ୍ରାହ୍ମଣ ଧର୍ମ କିଏ ସ୍ଥାପନ କରିଛନ୍ତି? ତୁମେ ତ ଜାଣିଛ ଯେ, ପ୍ରକୃତ ବ୍ରାହ୍ମଣ କିଏ ? ତୁମେମାନେ ଅନେକଙ୍କର କଲ୍ୟାଣ କରିପାରିବ । ଭକ୍ତମାନେ ହିଁ ତ ତୀର୍ଥଯାତ୍ରା କରିଥା’ନ୍ତି । ଲକ୍ଷ୍ମୀ-ନାରାୟଣଙ୍କର ଏହି ଚିତ୍ର ତ ବହୁତ ଭଲ । ତୁମେମାନେ ଜାଣିଛ ଜଗତଅମ୍ବା କିଏ? ଲକ୍ଷ୍ମୀ କିଏ? ଏହିପରି ତୁମେ ଚାକର ବାକରଙ୍କୁ ଏବଂ ଶବରୀମାନଙ୍କୁ ମଧ୍ୟ ବୁଝାଇପାରିବ । ତୁମମାନଙ୍କ ବ୍ୟତୀତ ତ ସେମାନଙ୍କୁ ଶୁଣାଇବା ପାଇଁ ଆଉ କେହି ନାହାଁନ୍ତି । ତୁମମାନଙ୍କୁ ବହୁତ ଦୟାଶୀଳ ହେବାକୁ ପଡିବ । କୁହ, ତୁମେ ମଧ୍ୟ ପବିତ୍ର ହୋଇ ପବିତ୍ର ଦୁନିଆକୁ ଯାଇପାରିବ । ସେଥିପାଇଁ ନିଜକୁ ଆତ୍ମା ନିଶ୍ଚୟ କରି ଶିବବାବାଙ୍କୁ ମନେ ପକାଅ । କାହାକୁ ବି ହେଉ ରାସ୍ତା ବତାଇବାର ବହୁତ ସଉକ ରହିବା ଉଚିତ୍ । ଯିଏ ନିଜେ ବାବାଙ୍କୁ ସ୍ମରଣ କରୁଥିବେ ସିଏ ଅନ୍ୟମାନଙ୍କୁ ମଧ୍ୟ ସ୍ମରଣ କରାଇବାର ପୁରୁଷାର୍ଥ କରିବେ । ବାବା ତ ନିଜେ ଯାଇ କଥା ହେବେ ନାହିଁ । ଏହା ତୁମମାନଙ୍କର କାମ । ଗରିବମାନଙ୍କର ମଧ୍ୟ କଲ୍ୟାଣ କରିବାକୁ ହେବ । ତେବେ ସେମାନେ ମଧ୍ୟ ବହୁତ ସୁଖୀ ହୋଇଯିବେ । ବାବାଙ୍କୁ ଅଳ୍ପ ମନେ ପକାଇଲେ ମଧ୍ୟ ପ୍ରଜାରେ ମଧ୍ୟ ଆସିଯିବେ, ତେବେ ତାହା ମଧ୍ୟ ଭଲ ନା । ଏହି ଧର୍ମ ବହୁତ ସୁଖଦାୟୀ ଅଟେ । ଦିନକୁ ଦିନ ତୁମର ପ୍ରଭାବ ବିସ୍ତାର ହେବ । ସମସ୍ତଙ୍କୁ ଏହି ସନ୍ଦେଶ ଦେଇଚାଲ, ନିଜକୁ ଆତ୍ମା ବୁଝି ବାବାଙ୍କୁ ମନେ ପକାଅ । ତୁମେ ମଧୁର ସନ୍ତାନମାନେ ପଦ୍‌ମାପଦମ ଭାଗ୍ୟଶାଳୀ ଅଟ । ଯେତେବେଳେ କି ମହିମା ଶୁଣୁଛ ଏବଂ ବୁଝୁଛ, ତେବେ କୌଣସି ବି କଥାର ଚିନ୍ତା ରଖିବା ଉଚିତ୍ ନୁହେଁ । ଏହା ଗୁପ୍ତ ଜ୍ଞାନ ଏବଂ ଗୁପ୍ତ ଖୁସି ଅଟେ । ତୁମେ ହେଉଛ ଗୁପ୍ତ ଯୋଦ୍ଧା । ତୁମକୁ ଅଜଣା ସୈନିକ କୁହାଯିବ ଆଉ କେହି ଅଜଣା ସୈନିକ ହୋଇପାରିବେ ନାହିଁ । ଦିଲୱାଡା ମନ୍ଦିର ତୁମର ସମ୍ପୂର୍ଣ୍ଣ ସ୍ମୃତି ଚିହ୍ନ ଅଟେ । ଏହା ଦିଲ୍‌ନେବାବାଲାଙ୍କର ପରିବାର ଅଟେ ନା । ମହାବୀର, ମହାବୀରାଙ୍ଗନା ଏବଂ ତାଙ୍କର ସନ୍ତାନମାନେ ରହିଛନ୍ତି, ଏହା ପୂରା-ପୂରା ତୀର୍ଥ ଅଟେ । ତେଣୁ ଏହା କାଶୀଠାରୁ ମଧ୍ୟ ଶ୍ରେଷ୍ଠସ୍ଥାନ ହୋଇଗଲା । ଆଚ୍ଛା—

ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ ସୁପ୍ରଭାତ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।

ଧାରଣା ପାଇଁ ମୁଖ୍ୟ ସାର :—
(୧) ଘରେ ଘରେ ଯାଇ ବାବାଙ୍କର ସନ୍ଦେଶ ଦେବାକୁ ହେବ । ସେବା କରିବାର ପ୍ରତିଜ୍ଞା କର, ସେବା କରିବାରେ କୌଣସି ବାହାନା କର ନାହିଁ ।

(୨) କୌଣସି କଥାର ଚିନ୍ତନ ନ କରି ଗୁପ୍ତ ଖୁସିରେ ରହିବାର ଅଛି । କୌଣସି ଦେହଧାରୀକୁ ମନେ ପକାଇବା ପରିବର୍ତ୍ତେ ଏକମାତ୍ର ବାବାଙ୍କର ସ୍ମୃତିରେ ରହିବାର ଅଛି ।

ବରଦାନ:-
କଲ୍ୟାଣକାରୀ ପିତା ଏବଂ କଲ୍ୟାଣକାରୀ ସମୟର ପ୍ରତି ମୂହୁର୍ତ୍ତରେ ଲାଭ ଉଠାଉଥିବା ନିଶ୍ଚୟ ବୁଦ୍ଧି, ନିଶ୍ଚିନ୍ତ ଭବ ।

ସୃଷ୍ଟି ନାଟକରେ ଯାହାବି ଦୃଶ୍ୟ ଚାଲୁଛି ତା’କୁ ତ୍ରିକାଳଦର୍ଶୀ ହୋଇ ଦେଖ, ସାହସ ଏବଂ ଉତ୍ସାହରେ ରହି ନିଜେ ମଧ୍ୟ ସମର୍ଥ ଆତ୍ମା ହୁଅ ଏବଂ ବିଶ୍ୱକୁ ମଧ୍ୟ ସମର୍ଥ କର । ନିଜ ପାଖରୁ ଆସୁଥିବା ତୋଫାନରେ ହଲଚଲ୍ ହୁଅ ନାହିଁ, ଅଚଳ ହୁଅ । ତୁମକୁ ଯେଉଁ ସମୟ ମିଳିଛି, ବାବାଙ୍କର ସଂଗ ମିଳୁଛି, ଅନେକ ପ୍ରକାରର ସମ୍ପତ୍ତି ମିଳୁଛି ତାହା ଦ୍ୱାରା ସମ୍ପତ୍ତିବାନ ଏବଂ ସମର୍ଥୀବାନ ହୁଅ । ସାରା କଳ୍ପ ଭିତରେ ଏଭଳି ଦିନ ଆଉ କେବେ ଆସିବ ନାହିଁ, ସେଥିପାଇଁ ନିଜର ସବୁ ଚିନ୍ତା ବାବାଙ୍କୁ ଦେଇ ନିଶ୍ଚୟ ବୁଦ୍ଧି ହୋଇ ସର୍ବଦା ନିଶ୍ଚିନ୍ତ ରୁହ, କଲ୍ୟାଣକାରୀ ବାବା ଏବଂ କଲ୍ୟାଣକାରୀ ସମୟର ପ୍ରତି ମୂହୁର୍ତ୍ତରେ ଲାଭ ଉଠାଅ ।

ସ୍ଲୋଗାନ:-
ଯଦି ବାବାଙ୍କ ସଂଗର ରଂଗ ଲଗାଇ ଦେବ, ତେବେ ସମସ୍ତ ଦୋଷ ଦୁର୍ବଳତା ସ୍ୱତଃ ସମାପ୍ତ ହୋଇଯିବ ।

ଅବ୍ୟକ୍ତ ଈଶାରା:- ଅଶରୀରୀ ଅଥବା ବିଦେହୀ ସ୍ଥିତିର ଅଭ୍ୟାସକୁ ବଢାଅ ।

ବିଦେହୀ ହେବାର ବିଧି ହେଲା ବିନ୍ଦୁ ହେବା । ଅଶରୀରୀ ହେଉଛ ବା କର୍ମାତୀତ ହେଉଛ ଏ ସବୁର ବିଧି ହେଲା ବିନ୍ଦୁ ହେବା । ସେଥିପାଇଁ ବାପଦାଦା କହୁଛନ୍ତି ଅମୃତବେଳାରେ ବାପଦାଦାଙ୍କ ସହିତ ମିଳନ କରିବା ବା ବାର୍ତ୍ତାଳାପ କରି ଯେତେବେଳେ କର୍ମକ୍ଷେତ୍ରକୁ ଆସୁଛ ସେତେବେଳେ ପ୍ରଥମେ ତିନୋଟି ବିନ୍ଦୁର ତିଳକ ମସ୍ତକରେ ଲଗାଅ ଏବଂ ଚେକ୍ କର - କୌଣସି ବି କାରଣରୁ ଏହି ସ୍ମୃତି ରୂପୀ ତିଳକ ଲିଭିଯାଉନାହିଁ ତ? ଅବିନାଶୀ ଏବଂ ଅଲିଭା ତିଳକ ରହୁ?