19.04.26    Avyakt Bapdada     Odia Murli    15.12.2009     Om Shanti     Madhuban


“ପରିବାର ସହିତ ସ୍ନେହ-ପ୍ୟାରରେ ଚାଲିବା ପାଇଁ ଜ୍ଞାନବାନ ଆତ୍ମା ହୋଇ ବାବାଙ୍କ ସମାନ ସାକ୍ଷୀପଣିଆର ସ୍ଥିତିରେ ରହିବାକୁ ହେବ, ବାବା, ସ୍ୱ, ଡ୍ରାମା ଏବଂ ପରିବାର, ଚାରୋଟି ଯାକରେ ନିଶ୍ଚୟବୁଦ୍ଧି ହୋଇ ବିଜୟୀ ହେବାକୁ ପଡିବ”


ଆଜି ସମର୍ଥ ପିତା ନିଜର ସମର୍ଥ ପିଲାମାନଙ୍କୁ ଦେଖୁଛନ୍ତି କାହିଁକିନା ପ୍ରତ୍ୟେକ ସନ୍ତାନ ବାପ ସମାନ ହେବାର ପୁରୁଷାର୍ଥ ବହୁତ ସ୍ନେହ ଏବଂ ଲଗନର ସହିତ କରୁଛନ୍ତି । ବାପଦାଦା ମଧ୍ୟ ପିଲାମାନଙ୍କୁ ଦେଖି ଖୁସି ହେଉଛନ୍ତି ଏବଂ ଦିଲ୍ ଭିତରେ ପିଲାମାନଙ୍କର ଗୀତ ଗାଉଛନ୍ତି ବା ପିଲାମାନେ ବାଃ! କାହିଁକିନା ପିଲାମାନେ ପିତାଙ୍କର ମଧ୍ୟ ମସ୍ତକର ମୁକୁଟ ଅଟନ୍ତି । ଦେଖ ପିଲାମାନଙ୍କର ପୂଜା ଡବଲ ରୂପରେ ହେଉଛି କିନ୍ତୁ ବାବାଙ୍କର ପୂଜା ଗୋଟିଏ ରୂପରେ ହେଉଛି । ତେଣୁ ପିଲାମାନେ ପିତାଙ୍କ ଦ୍ୱାରା ପିତାଙ୍କଠାରୁ ମଧ୍ୟ ଆଗକୁ ଚାଲିଯାଉଛନ୍ତି, ସେଥିପାଇଁ ବାବା ପିଲାମାନଙ୍କର ପୁରୁଷାର୍ଥକୁ ଦେଖି ଖୁସି ହେଉଛନ୍ତି । ଯଦି କ୍ରମାନ୍ୱୟରେ ଅଛନ୍ତି କିନ୍ତୁ ପୁରୁଷାର୍ଥର ଲକ୍ଷ୍ୟ ଆଗକୁ ବଢାଇ ଦେଉଛି ।

ଆଜି ଅମୃତବେଳାରେ ଚାରିଆଡର ପିଲାମାନଙ୍କ ଭିତରେ ଗୋଟିଏ କଥା ଯାହାକି ଜ୍ଞାନର ମୂଳଦୁଆ ଅଟେ ତା’କୁ ଦେଖୁଥିଲୁ । ତାହା ହେଲା ନିଶ୍ଚୟ । ଗାୟନ ମଧ୍ୟ ରହିଛି ନିଶ୍ଚୟ ବୁଦ୍ଧି ବିଜୟୀ । ତେଣୁ ତୁମ ସମସ୍ତଙ୍କର ନିଶ୍ଚୟକୁ ଦେଖୁଥିଲୁ, ସମସ୍ତଙ୍କର କମ୍ ବେଶି ହିସାବରେ ବାବାଙ୍କ ଉପରେ ନିଶ୍ଚୟ ତ ନିଶ୍ଚିତ ରହିଛି, ତା’ର ଚିହ୍ନ ହେଲା ସମସ୍ତେ ବାବାଙ୍କୁ ଜାଣି ବାବାଙ୍କର ସନ୍ତାନ ହୋଇଯାଇଛ ଏବଂ ଏଠାକୁ ମଧ୍ୟ ବାବାଙ୍କ ସହିତ ମିଶିବା ପାଇଁ ଆସିଛ । ତେବେ ବାବାଙ୍କ ପ୍ରତି ପ୍ରତ୍ୟେକ ସନ୍ତାନର ଅତୁଟ ନିଶ୍ଚୟ ରହିଛି କିନ୍ତୁ ବାବାଙ୍କ ସହିତ ଅନ୍ୟ ନିଶ୍ଚୟ ଗୁଡିକ ମଧ୍ୟ ପକ୍କା ହେବା ଦରକାର - ତାହା ହେଲା ସ୍ୱ ଅର୍ଥାତ୍ ନିଜ ଉପରେ ନିଶ୍ଚୟ ତା’ ସହିତ ଡ୍ରାମା ଉପରେ ନିଶ୍ଚୟ ଏବଂ ପରିବାର ଉପରେ ନିଶ୍ଚୟ । ଏହି ଚାରିପ୍ରକାରର ନିଶ୍ଚୟରେ ପକ୍କା ହେବା ଅର୍ଥାତ୍ ନିଶ୍ଚୟବୁଦ୍ଧି ବିଜୟୀ ହେବା । ତେଣୁ ଚେକ୍ କର ଯେ ଏହି ଚାରୋଟି ଯାକ ନିଶ୍ଚୟରେ ମୁଁ ପକ୍କା ଅଟେ ତ? ବାବାଙ୍କ ପାଇଁ ତ ସମସ୍ତେ କହୁଛନ୍ତି ମୋ’ର ବାବା ଏବଂ ମୁଁ ବାବାଙ୍କର । ତେବେ ବାବାଙ୍କୁ ମୋ’ର କହି ତାଙ୍କଠାରୁ ପୂରା ଅଧିକାର ପ୍ରାପ୍ତ କରିନେଇଛ । ସର୍ବଦା ବାବାଙ୍କ ଦ୍ୱାରା ଅଧିକାରୀ ହୋଇ ସର୍ବ ସମ୍ପତ୍ତିର ମଧ୍ୟ ଅଧିକାରୀ ହୋଇଯାଇଛ । ଏହା ସହିତ ନିଜ ଉପରେ ମଧ୍ୟ ନିଶ୍ଚୟ ଜରୁରୀ ଅଟେ । କାହିଁକି ଜାଣିଛ? ଯଦି ନିଜ ଉପରେ ନିଶ୍ଚୟ ନାହିଁ ତେବେ ନିରାଶ ହୋଇଯାଉଛ । ତେଣୁ ନିଜ ଉପରେ ଏହି ନିଶ୍ଚୟ ରହିବା ଦରକାର ଯେ ମୁଁ ବାବାଙ୍କ ଦ୍ୱାରା ସ୍ୱମାନଧାରୀ ଅଟେ, ସ୍ୱରାଜ୍ୟ ଅଧିକାରୀ ଅଟେ । ସ୍ୱୟଂ ବାବା ମୋତେ କେତେ ସବୁ ସ୍ୱମାନ ଦେଇଛନ୍ତି । ଯଦି ଗୋଟିଏ ଗୋଟିଏ ସ୍ୱମାନକୁ ସ୍ମୃତିକୁ ଆଣିବ, ତେବେ କେତେ ନିଶା ଚଢିଯିବ! ଆଜିକାଲି କାହାକୁ ବି ଯଦି କୌଣସି ଉପାଧି ମିଳିଯାଉଛି, ତେବେ ସେ ମଧ୍ୟ ତାକୁ ନିଜର ଭାଗ୍ୟ ମନେ କରୁଛି । କିନ୍ତୁ ତୁମମାନଙ୍କୁ ଏତେ ସବୁ ସ୍ୱମାନ ରୂପୀ ଉପାଧି କିଏ ଦେଇଛନ୍ତି! ସ୍ୱୟଂ ବାପଦାଦା ପ୍ରତ୍ୟେକ ସନ୍ତାନକୁ ସ୍ୱମାନଧାରୀ କରିଛନ୍ତି । ସେଥିପାଇଁ ତୁମେ ଗୋଟିଏ ଗୋଟିଏ ସ୍ୱମାନକୁ ମନେ ପକାଇ ଖୁସିରେ ଉଡୁଛ । ତେଣୁ ନିଜ ପ୍ରତି ମଧ୍ୟ ସର୍ବଦା ନିଶ୍ଚୟର ଏତିକି ନିଶା ରହିବା ଦରକାର ଯେ ମୁଁ ବାବାଙ୍କ ଦ୍ୱାରା ସ୍ୱରାଜ୍ୟ ଅଧିକାରୀ, ସ୍ୱମାନର ଅଧିକାରୀ, କୋଟିକ ଭିତରେ କେହି ଆତ୍ମା ଅଟେ । ଯେପରି ବାବାଙ୍କ ଉପରେ ନିଶ୍ଚୟ ରହିଛି ସେହିପରି ସ୍ୱ ଉପରେ ନିଶ୍ଚୟ ମଧ୍ୟ ଆବଶ୍ୟକ ଅଟେ କାହିଁକିନା ଯଦି ସ୍ୱ ଉପରେ ନିଶ୍ଚୟ ଅଛି ତେବେ ଯେଉଁଠି ନିଶ୍ଚୟ ଅଛି, ସେଠାରେ ପ୍ରତ୍ୟେକ କର୍ମରେ ନିଶ୍ଚୟ ବୁଦ୍ଧି ଅର୍ଥାତ୍ ସ୍ୱମାନଧାରୀ ବିଜୟୀ ଅଟ । ନିଶ୍ଚୟର ଅର୍ଥ ହିଁ ହେଉଛି ସଫଳତା । ଏମିତି ନୁହେଁ ଯେ ମୋ’ର ତ ବାବାଙ୍କ ଉପରେ ନିଶ୍ଚୟ ରହିଛି, ବାବାଙ୍କ ଉପରେ ଅଛି ତାହା ତ ବହୁତ ଭଲ କଥା କିନ୍ତୁ ବାବାଙ୍କ ସହିତ ସ୍ୱର ନିଶା ରହିବା ମଧ୍ୟ ଆବଶ୍ୟକ ଅଟେ, ମୁଁ କିଏ! ଗୋଟିଏ ଗୋଟିଏ ସ୍ୱମାନକୁ ମନେ ପକାଅ, ତେବେ ନିଶ୍ଚୟ ଏବଂ ନିଶା ତୁମର ଚାଲିଚଳନରେ ଏବଂ ଚେହେରାରେ ଦେଖାଯିବ । ଦେଖା ବି ଯାଉଛି ଏବଂ ଦେଖାଯାଉଥିବ । ଏହା ସହିତ ତୃତୀୟ କଥାଟି ହେଲା - ଡ୍ରାମା ଉପରେ ନିଶ୍ଚୟ ରଖିବା ମଧ୍ୟ ବହୁତ ଜରୁରୀ ଅଟେ, କାହିଁକିନା ଡ୍ରାମାରେ ସମସ୍ୟା ମଧ୍ୟ ଆସୁଛି ଏବଂ ସଫଳତା ମଧ୍ୟ ମିଳୁଛି । ଯଦି ଡ୍ରାମା ଉପରେ ପକ୍କା ନିଶ୍ଚୟ ରହିଥିବ, ତେବେ ଡ୍ରାମାର ନିଶ୍ଚୟରେ ଯେଉଁମାନେ ନିଶ୍ଚୟ ବୁଦ୍ଧି ଅଟନ୍ତି ସେମାନେ ସମସ୍ୟାକୁ ସମାଧାନ ରୂପରେ ପରିବର୍ତ୍ତିତ କରିଦିଅନ୍ତି, କାହିଁକିନା ନିଶ୍ଚୟ ଅର୍ଥାତ୍ ବିଜୟ । ତେବେ ସେମାନେ କାହା ଉପରେ ବିଜୟୀ ହୋଇଥାଆନ୍ତି? ପରିବର୍ତ୍ତନ କରିବାରେ । ଗୋଟିଏ ସେକେଣ୍ଡ ଭିତରେ ସମସ୍ୟା ପରିବର୍ତ୍ତନ ହୋଇ ସମାଧାନ ସ୍ୱରୂପ ହୋଇଯାଏ । ସେମାନେ ହଲ୍‌ଚଲ୍‌ରେ ଆସି ନ ଥାଆନ୍ତି ସର୍ବଦା ଅଚଳ ରହିଥାଆନ୍ତି କାହିଁକିନା ଡ୍ରାମାର ଜ୍ଞାନ ଦ୍ୱାରା ଅଟଳ-ଅଚଳ ହୋଇଯାଆନ୍ତି । ତାଙ୍କ ଭିତରେ ଏହି ନିଶ୍ଚୟ ରହିଥାଏ ଯେ ମୁଁ ହିଁ କଳ୍ପ ପୂର୍ବେ ସମାଧାନ ସ୍ୱରୂପ ଅର୍ଥାତ୍ ସଫଳ ଆତ୍ମା ହୋଇଥିଲି, ଏବେ ମଧ୍ୟ ଅଟେ ଏବଂ କଳ୍ପ ପରେ ମଧ୍ୟ ମୁଁ ହିଁ ହେବି । ତେଣୁ ଏହିଭଳି ଡ୍ରାମା ଉପରେ ନିଶ୍ଚୟ ନିଶାକୁ ମଜବୁତ କରିଥାଏ, ଆତ୍ମିକ ନିଶା ରହିଥାଏ ଯେ ମୁଁ ହିଁ ଥିଲି, ମୁଁ ହିଁ ଅଟେ ଏବଂ ମୁଁ ହିଁ ହେବି, ସେଥିପାଇଁ ଏହି ପୁରୁଷାର୍ଥୀ ଜୀବନରେ ଡ୍ରାମା ଉପରେ ନିଶ୍ଚୟ ମଧ୍ୟ ଆବଶ୍ୟକ ଅଟେ ଏବଂ ଏହା ସହିତ ଚତୁର୍ଥ କଥାଟି ହେଲା ପରିବାର ଉପରେ ନିଶ୍ଚୟ କାହିଁକିନା ବାବା ଆସିବା ମାତ୍ରକେ ପରିବାରକୁ ସୃଷ୍ଟି କରିଛନ୍ତି । ସେଥିପାଇଁ ବାବାଙ୍କ ଉପରେ ଯେପରି ନିଶ୍ଚୟ ରହିଛି, ସେହିପରି ପରିବାର ଉପରେ ମଧ୍ୟ ନିଶ୍ଚୟ ରହିବା ଆବଶ୍ୟକ ଅଟେ କାହିଁକିନା ଏହି ପରିବାର କାହାର ଅଟେ? ଏବଂ ଏତେ ବଡ ପରିବାର ଆଉ କାହାର ହୋଇପାରିବ! ତେଣୁ ପରିବାର ଉପରେ ନିଶ୍ଚୟ ମଧ୍ୟ ଅତି ଆବଶ୍ୟକ ଅଟେ କାହିଁକିନା ଏତେ ବଡ ପରିବାର ସାରା ବିଶ୍ୱରେ ଆଉ କାହାର ଅଛି? ତେଣୁ ଚେକ୍ କର ଯେ ତୁମମାନଙ୍କ ଭଳି ପରିବାର ସାରା ବିଶ୍ୱରେ କାହାର ଅଛି କି? କୌଣସି ଧର୍ମ ପିତାଙ୍କର ମଧ୍ୟ ଏଭଳି ପାରିବାରିକ ସମ୍ବନ୍ଧରେ ପରିବାର ନାହିଁ, ସେମାନେ ସେଠାରେ ଅନୁଗାମୀ ହୋଇଥାଆନ୍ତି କିନ୍ତୁ ଏଠାରେ ତୁମେମାନେ ପରିବାର ସମ୍ବନ୍ଧରେ ରହିଛ । ପରିବାର ହିସାବରେ ହିଁ ସେବାରେ ଏବଂ ସମ୍ବନ୍ଧରେ ରହୁଛ । ଏମିତି ନୁହେଁ ଯେ ଆମର ତ ବାବାଙ୍କ ସହିତ ହିଁ ସମ୍ବନ୍ଧ ଅଛି, ପରିବାର ସହିତ ନଥିଲେ କ’ଣ ହେଲା । ତେବେ ପରିବାର ପ୍ରତି ନିଶ୍ଚୟ ତ ତୁମମାନଙ୍କର ୨୧ ଜନ୍ମ ପର୍ଯ୍ୟନ୍ତ ଚାଲୁଛି । ଜାଣିଛ ତ! ପରିବାର ସହିତ ହିଁ ସମ୍ବନ୍ଧରେ ଆସିବା ଦ୍ୱାରା ଜଣାପଡିଥାଏ ଯେ ମୁଁ ଏତେ ବଡ ପରିବାର ଭିତରେ ସମସ୍ତଙ୍କ ସହିତ ନିଶ୍ଚୟ ବୁଦ୍ଧି ହୋଇଚାଲୁଛି, ତେବେ ପରିବାର ଭିତରେ ଚାଲିବା ପାଇଁ ଏହା ଉପରେ ମଧ୍ୟ ଧ୍ୟାନ ଦେବାକୁ ପଡିବ ଯେ ପରିବାର ଭିତରେ ସମସ୍ତଙ୍କର ସଂସ୍କାର ଭିନ୍ନ ଭିନ୍ନ ଅଟେ ଏବଂ ରହିବ ମଧ୍ୟ । କିନ୍ତୁ ତୁମମାନଙ୍କର ସ୍ମାରକୀ ମାଳା ରୂପରେ ରହିଛି । ମାଳରେ ଦେଖ କେଉଁଠି ୧ ନମ୍ବର ଏବଂ କେଉଁ ୧୦୮ ନମ୍ବର କାହିଁକନା ପରିବାର ଭିତରେ ଭିନ୍ନ ଭିନ୍ନ ସଂସ୍କାର ଅଛି । ତେଣୁ ଏତେ ବଡ ଘର ପରିବାର ଭିତରେ ଚାଲିବା ପାଇଁ ସମସ୍ତଙ୍କର ସଂସ୍କାରକୁ ଜାଣି ପରସ୍ପର ସହିତ ଏକ ପରିବାର, ଏକ ପିତା, ଏକ ରାଜ୍ୟ ତେଣୁ ଏକାଠି ମିଶି ଚାଲିବାକୁ ହିଁ ପଡିବ । ପରିବାର ଯେପରି ବଡ ଅଟେ ସେହିପରି ପରସ୍ପର ପ୍ରତି ବଡ ଦିଲ୍‌, ପ୍ରତ୍ୟେକଙ୍କ ପ୍ରତି ଶୁଭଭାବନା, ଶୁଭକାମନାର ସ୍ଥିତିରେ ସ୍ଥିତ ହୋଇ ଚାଲିବାକୁ ହିଁ ହେବ କାହିଁକିନା ପରିବାର ଭିତରେ ହିଁ ସଂସ୍କାର-ସ୍ୱଭାବର ପରୀକ୍ଷା ଆସିବ । କିନ୍ତୁ କେହି ଯଦି ଭାବିବ ଯେ ମୋ’ର ପରିବାର ସହିତ ସମ୍ପର୍କ କ’ଣ, ବାବାଙ୍କ ସହିତ ତ ସମ୍ପର୍କ ଅଛି । କିନ୍ତୁ ଏଠାରେ ଧର୍ମ ଏବଂ ରାଜ୍ୟ ଦୁଇଟିଯାକର ସ୍ଥାପନା ହେଉଛି, କେବଳ ଧର୍ମ ନୁହେଁ, ଅନ୍ୟ ଯେତେ ବି ଧର୍ମପିତାମାନେ ଆସିଛନ୍ତି ସେମାନେ କେବଳ ଧର୍ମ ସ୍ଥାପନ କରିଛନ୍ତି, ରାଜ୍ୟ ସ୍ଥାପନ କରିନାହାଁନ୍ତି, କିନ୍ତୁ ଏଠାରେ ତ ତୁମମାନଙ୍କୁ ରାଜ୍ୟ ମଧ୍ୟ କରିବାର ଅଛି । ତେଣୁ ରାଜ୍ୟ କରିବା ପାଇଁ ପରିବାରର ଆବଶ୍ୟକତା ପଡିଥାଏ ଏବଂ ୨୧ ଜନ୍ମ ଭିନ୍ନ ଭିନ୍ନ ରୂପରେ ପରିବାର ସହିତ ହିଁ ରହିବାକୁ ହେବ, ପରିବାରକୁ ଛାଡି କୁଆଡେ ବି ଯାଇପାରିବ ନାହିଁ । ତେଣୁ ଚେକ୍ କର, ଏମିତି ଭାବ ନାହିଁ ଯେ ବାବା ତ ମୋତେ ଜାଣିଛନ୍ତି, ମୁଁ ମଧ୍ୟ ବାବାଙ୍କୁ ଜାଣିଛି, ମୋ’ର ତ ବାବାଙ୍କ ସାଥୀରେ ହିଁ କାମ ଅଛି କିନ୍ତୁ ଏହି ଚାରୋଟି ଯାକ ନିଶ୍ଚୟ ଭିତରୁ ଯଦି ଗୋଟିଏରେ ମଧ୍ୟ କମୀ ରହିଥିବ, ତେବେ ହଲଚଲ୍‌ରେ ଆସିଯିବ । ସମସ୍ତେ ସେବାରେ ସାଥୀ ଅଟନ୍ତି, ବାବା ତ ଶକ୍ତି ଦେବାବାଲା ଅଟନ୍ତି କିନ୍ତୁ ସେବାରେ ସାଥୀ କିଏ? ସାକାରରେ ତ ପରିବାର ହିଁ ସାଥୀରେ ଅଛି ନା, ତେବେ ବାବା ଦେଖୁଛନ୍ତି ଯେ ଅଧିକାଂଶ ପିଲା ତିନୋଟି ନିଶ୍ଚୟରେ ଠିକ୍ ଚାଲୁଛନ୍ତି କିନ୍ତୁ ପରିବାର ସହିତ ସମ୍ବନ୍ଧ ରଖିବା, ସଂସ୍କାର ମିଶାଇ ଚାଲିବା, ସମସ୍ତଙ୍କୁ କଲ୍ୟାଣର ଭାବନାରେ ଦେଖିବା ଏବଂ ସେହିଭଳି ଚାଲିବା, ଏଥିରେ ଅନେକ ପିଲା ଯଥା ଶକ୍ତି ହୋଇଯାଉଛନ୍ତି ଅର୍ଥାତ୍ ପୂର୍ଣ୍ଣ ରୂପରେ ସଫଳତା ପାଇ ପାରୁନାହାଁନ୍ତି । କିନ୍ତୁ ବାବା ଦେଖୁଛନ୍ତି ଯେ ଯେଉଁମାନେ ପରିବାରର ନିଶ୍ଚୟରେ ଜ୍ଞାନବାନ ହୋଇ ସର୍ବଦା ବାବାଙ୍କ ସମାନ ସାକ୍ଷୀ ପଣିଆର ସ୍ଥିତିରେ ସ୍ଥିତ ରହି ସମସ୍ତଙ୍କ ସହିତ ସମ୍ବନ୍ଧରେ ଆସୁଛନ୍ତି ବା ଚାଲୁଛନ୍ତି ସେହିମାନେ ହିଁ ନମ୍ବରୱାନରେ ବା ଫାଷ୍ଟ ଡିଭିଜନ୍‌ରେ ଆସୁଛନ୍ତି । ତେଣୁ ଚେକ୍ କର ଭିନ୍ନ ଭିନ୍ନ ଭାବ-ସ୍ୱଭାବ ପରିବାର ଭିତରେ ହିଁ ରହିଥାଏ, ଛୋଟ ଛୋଟ ଭୁଲ ମଧ୍ୟ ହୋଇଥାଏ, ତେଣୁ ଯାହା ବି ବିଘ୍ନ ଆସୁଛି, ପରିବାରର ସମ୍ବନ୍ଧ ଭିତରେ ହିଁ ଆସୁଛି । ତେଣୁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା - ପରିବାର ସହିତ ସମ୍ବନ୍ଧ ରଖିବାରେ ପାସ୍ ହେବାକୁ ପଡିବ । ଯଦି ପରିବାର ସହିତ ମିଶି ଚାଲିବାରେ ବା ସମସ୍ତଙ୍କ ସହିତ ସମ୍ବନ୍ଧ ରଖିବାରେ କୌଣସି ବି କମୀ ରହିବ ତେବେ ସେହି ବିଘ୍ନ ଛୋଟ ହେଉ ବା ବଡ ହେଉ କିନ୍ତୁ ବିରକ୍ତ ନିଶ୍ଚିତ କରିଥାଏ । ଏହା କାହିଁକି ହେଲା, ଏହା କିପରି ହେଲା, ଏଭଳି କଥା ପାରିବାରିକ ସମ୍ପର୍କରେ ଆସିଥାଏ । ତେଣୁ କାହିଁକି, କ’ଣ କହିବା ପରିବର୍ତ୍ତେ, ମୋତେ ମିଳିମିଶି ଚାଲିବାର ଅଛି, ପାରିବାରିକ ସ୍ନେହ ମମତା ରଖିବାର ଅଛି, କାହିଁକିନା ଏହା ବାବାଙ୍କର ପରିବାର, ଭଗବାନଙ୍କର ପରିବାର । ଦୁନିଆର ପରିବାର ନୁହେଁ । ତେଣୁ ନିଶା ଚଢିଯିବା ଦରକାର ଯେ ବାଃ ବାବା, ବାଃ ଡ୍ରାମା, ବାଃ ମୁଁ ଏବଂ ବାଃ ମୋ’ର ପରିବାର! ଠିକ୍ ଅଛି ତ! ଚେକ୍ କରୁଛ ତ? କ’ଣ ଚାରୋଟିଯାକରେ ପାସ୍ ଅଟ ତ? ଚାରୋଟିରେ ତ? କୌଣସି ଗୋଟିଏରେ ମଧ୍ୟ କମ୍ ନୁହେଁ । ଚେକ୍ କର । ଏବେ ଏବେ ଚେକ୍ କର କାହିଁକିନା ବିଜୟୀ ହେବାର ଏହା ହିଁ ଉପାୟ ଅଟେ । ପରିବାର ଭିତରେ ହିଁ ସଂସ୍କାର ଗୁଡିକ ବାହାରିଥାଏ, ତେଣୁ ଏହିଭଳି ସଂସ୍କାରଗୁଡିକୁ ମିଶାଇ ଚାଲିବାକୁ ହେବ, ନିଜକୁ ମଧ୍ୟ ପରିବର୍ତ୍ତନ କରିବାକୁ ହେବ ଏବଂ ପରିବାରକୁ ମଧ୍ୟ ସେତିକି ଉଚ୍ଚ ନଜରରେ ଦେଖିବାକୁ ହେବ । ବାପଦାଦା ତ ପୂର୍ବରୁ ମଧ୍ୟ କହିଛନ୍ତି ଯେ ବାପଦାଦା ଶେଷ ନମ୍ବରର ସନ୍ତାନକୁ ମଧ୍ୟ ଅତି ଭାଗ୍ୟବାନ ଭାବୁଛନ୍ତି, କାହିଁକି ଜାଣିଛ? କାହିଁକିନା ଭଗବାନଙ୍କୁ ଚିହ୍ନିପାରିବା ବା ସାଧାରଣ ରୂପରେ ଆସିଥିବା ବାବାଙ୍କୁ ଜାଣିପାରିବା, ଯାହାକି ଏତେ ବଡ ବଡ ମହାତ୍ମା ମଧ୍ୟ ଚିହ୍ନପାରି ନାହାଁନ୍ତି କିନ୍ତୁ ବାପଦାଦାଙ୍କର ଶେଷ ପିଲାଟି ମଧ୍ୟ ମେରା ବାବା ବୋଲି କହୁଛି । ଦିଲ୍‌ର ସହିତ ମେରା ବାବା କହୁଛି । ତେଣୁ ବାପଦାଦା ଯେପରି ଶେଷ ନମ୍ବର ପିଲାର ମଧ୍ୟ ବିଶେଷତାକୁ ଦେଖି, ଅନ୍ୟ ପିଲାମାନଙ୍କୁ ଯେପରି ସ୍ନେହ-ପ୍ୟାର ଏବଂ ସ୍ନେହ ପୂର୍ଣ୍ଣ ଶୁଭେଚ୍ଛା ଦେଉଛନ୍ତି, ସେହିପରି ଶେଷ ନମ୍ବରର ପିଲାଙ୍କୁ ମଧ୍ୟ ଦେଉଛନ୍ତି । ତେଣୁ ଚେକ୍ କର ଯେ ତିନୋଟିରେ ଠିକ୍ ଅଛ ନା ଚାରୋଟି ଯାକରେ ଠିକ୍ ଅଛ, ନା ଦୁଇଟିରେ ନା ଗୋଟିଏରେ ଠିକ୍ ଅଛ? କ’ଣ ଚେକ୍ କରିଲ? କରିଲ? ଯେଉଁମାନେ ଭାବୁଛନ୍ତି ଯେ ଆମେ ଚାରୋଟି ଯାକ ନିଶ୍ଚୟରେ ବାବା, ସ୍ୱ, ଡ୍ରାମା ଏବଂ ପରିବାର, ଚାରୋଟି ଯାକ ନିଶ୍ଚୟରେ ଠିକ୍ ଅଛୁ ସେମାନେ ହାତ ଉଠାଅ । ଠିକ୍ ଅଛି ତ? ଆଚ୍ଚା ଠିକ୍ ଅଛ, ପରୀକ୍ଷା ନିଆଯିବ ତ? ଏଥିରେ ହାତ ଉଠାଅ । ଆଚ୍ଛା ପରିବାରରେ ପାସ୍ ଅଟ ତ? ପରିବାର ସହିତ ସମ୍ବନ୍ଧରେ ଆସିବାକୁ ହିଁ ହେବ, କାହିଁକିନା ପରିବାରକୁ ଛାଡି ତ ଆଉ କେଉଁଆଡେ ଯାଇପାରିବେ ନାହିଁ, ରହିବାକୁ ହିଁ ପଡିବ, ଚାଲିବାକୁ ହିଁ ପଡିବ । ତେଣୁ ଏଥିରେ ପାସ୍ ତ? କେବେ ଏଭଳି ଭାବନା ଆସୁଛି କି ଯେ ଇଏ ନଥିଲେ ଭଲ ହୋଇଆଆନ୍ତା, ଇଏ ଏମିତି କାହିଁକି କରୁଛି, ଏଭଳି କାହିଁକି ହେଉଛି, ଏହିଭଳି ସଂକଳ୍ପ ଆସୁଛି କି?..... ଏକଦମ୍ ପରିବାରର ନିଶା ବା ଚାରୋଟି ଯାକ ନିଶ୍ଚୟବାଲା କେବେ ବି ସଂକଳ୍ପରେ ମଧ୍ୟ ଏମିତି ସେମିତି କରିବ ନାହିଁ । ଯଦିଓ ସଂକଳ୍ପରେ ଆସିଯାଏ ଯେ ଏମିତି କାହିଁକି ହେଉଛି, କିନ୍ତୁ ମୋତେ ସେହି କାହିଁକି ବା କ’ଣ ହଲ୍‌ଚଲ୍ ନକରୁ, ମୋ’ର ମୁଡ୍ ବଦଳି ନଯାଉ, ତେବେ କୁହାଯିବ ଚାରୋଟି ଯାକରେ ପାସ୍ । ହାତ ତ ଉଠାଇଦେଲ, ବାପଦାଦାଙ୍କୁ ଖୁସି କରିଦେଲ କିନ୍ତୁ ବାପଦାଦାଙ୍କୁ ଏହି ପରିବାର ବିଷୟରେ ହିଁ କେବେ କେବେ କିଛି କଥା ଶୁଣିବାକୁ ପଡୁଛି ଏବଂ ଦେଖିବାକୁ ପଡୁଛି । ତେଣୁ ଦିଲ୍ ଏକଦମ୍ ବିଶାଳ ହେବା ଦରକାର, ସମସ୍ତଙ୍କୁ ଶୁଭଭାବନା, ଶୁଭକାମନା ଦ୍ୱାରା ଠିକ୍ କରିବାକୁ ହେବ, କାହିଁକିନା ପରିବାର ଗୋଟିଏ ହିଁ ଅଟେ ନା । ତେଣୁ ଏକମତ ହୋଇ ଚାଲିବାକୁ ହେବ ଏବଂ ଚଲାଇବାକୁ ହେବ । କେବଳ ଚାଲିବାର ନାହିଁ, ଚଲାଇବାକୁ ମଧ୍ୟ ପଡିବ, ସେଥିପାଇଁ ବାପଦାଦା ଏହି କଥା ଉପରେ ଧ୍ୟାନ ଆକର୍ଷଣ କରାଉଛନ୍ତି ଯେ ପରିବାର ଭିତରେ ଯେଉଁମାନେ ଯେକୌଣସି ପ୍ରକାରର ହଲ୍‌ଚଲ୍‌ରେ ପାସ୍ ହୋଇଯାଉଛନ୍ତି, ବ୍ୟର୍ଥ ସଂକଳ୍ପ ଚାଲୁନାହିଁ, ସେମାନଙ୍କୁ ଅନ୍ୟମାନଙ୍କୁ ମଧ୍ୟ ଏହିଭଳି କରିବାକୁ ପଡିବ । ଏବେ ତ ତୁମେ ସବୁ ନିଜ ନିଜ ସେଣ୍ଟରରେ କେତେ ଜଣ ରହୁଛ, ଧରିନିଅ ଅଧିକରୁ ଅଧିକ ୨୫-୫୦ ଜଣ ହେଉ, ଏତେ ଜଣ ତ ନଥାଆନ୍ତି କିନ୍ତୁ ଯଦି ବଡ ସ୍ଥାନ ହୋଇଥିବ, ସେଠାରେ ମଧ୍ୟ ୫୦-୬୦ ଜଣ ବା ଅଧିକରୁ ଅଧିକ ୧୦୦ ଜଣ ମଧ୍ୟ ହୁଅନ୍ତୁ, ଏତେ ତ ନାହାଁନ୍ତି କିନ୍ତୁ ଧରିନିଅ ଅଛନ୍ତି, ତେବେ ବାପଦାଦା ସବୁ ସେଣ୍ଟର ଗୁଡିକର ପିଲାମାନଙ୍କୁ ଏବଂ ଶେଷ ନମ୍ବରର ପିଲାକୁ ମଧ୍ୟ ନିଜର ଗେହ୍ଲା ସନ୍ତାନ କହି ଚଲାଉଛନ୍ତି ଏବଂ ସ୍ନେହର ଚିହ୍ନ ହେଉଛି ପ୍ରତିଦିନ ବାପଦାଦା କ’ଣ ୟାଦପ୍ୟାର ଦେଉଛନ୍ତି? ମିଠା ମିଠା ସନ୍ତାନମାନେ, ଯେବେକି ଜାଣିଛନ୍ତି ଯେ ଖଟା ମଧ୍ୟ ଅଛନ୍ତି କିନ୍ତୁ ୟାଦପ୍ୟାର ଦେବାରେ କେବେ ବି ଖଟା ମିଠା ପିଲାମାନେ ବୋଲି କହିଛନ୍ତି କି? ସେମାନଙ୍କୁ ମଧ୍ୟ ଗେହ୍ଲା ସନ୍ତାନ କହୁଛନ୍ତି, କେବଳ କହୁନାହାଁନ୍ତି କିନ୍ତୁ ମୋର ସନ୍ତାନ ଅଟ, ଏହିଭଳି ମୋ’ର ପଣିଆର ଭାବନା ରଖି ଚଲାଉଛନ୍ତି, କାହିଁକିନା ଡ୍ରାମାରେ ବା ମାଳାରେ ସମସ୍ତେ ଏକ ନମ୍ବର ନୁହଁନ୍ତି, ଫଳାଫଳ ଏହା ହିଁ ଅଟେ । ସଂସ୍କାର ଭିନ୍ନ ଭିନ୍ନ ଅଛି ଏବଂ ରହିବ ନଚେତ୍ ସମସ୍ତେ ରାଜା ହୋଇଯିବେ, ପ୍ରଜା ପୁଣି କିଏ ହେବ! କାହା ଉପରେ ରାଜ୍ୟ କରିବ? ଭଲ ପ୍ରଜା ମଧ୍ୟ ଦରକାର ନା, ରାଜକୀୟ ପ୍ରଜା ଦରକାର ନା ରାଜଧାନୀ ଅଟେ ନା । ଏହିଭଳି ସମସ୍ତେ ନିଜ ନିଜକୁ ଚେକ୍ କର, ପରିବାର ଭିତରେ କୌଣସି ବି କଥାରେ ଯଦି କାହାର ସଂସ୍କାର ଖରାପ ଅଛି, କିନ୍ତୁ ମୋ’ର ସଂସ୍କାର କିପରି ଅଟେ? ଯଦି ଖରାପକୁ ଦେଖି ମୋ’ର ସଂସ୍କାର ମଧ୍ୟ ଖରାପ ହୋଇଗଲା, ତେବେ ମୁଁ ବି ତ ଖରାପ ହୋଇଗଲି ନା, ଅର୍ଥାତ୍ ଖରାପ ଭଲକୁ ମଧ୍ୟ ବଦଳାଇ ଦେଉଛନ୍ତି ।

ବାବା ତ ସ୍ଥାପନା ସମୟରେ ୩୫୦-୪୦୦ ଜଣଙ୍କୁ ମଧ୍ୟ ଏକାଠି ରଖି ସମ୍ଭାଳୁଥିଲେ, ଏତେ ବଡ ଏକାଠି ରହୁଥିବା ପରିବାର ଏବେ ତ କାହାର ବି ନାହିଁ । ଆଚ୍ଛା, ଡ୍ୟୁଟୀ ଅଲଗା ଅଲଗା ଅଛି କିନ୍ତୁ ଦୁନିଆର ଡ୍ୟୁଟୀ ଏବଂ ପରିବାର ଭିତରେ ଡ୍ୟୁଟୀ, ଦୁନିଆର ପରମ୍ପରାରୁ ଚାଲିଆସୁଥିବା ପରିବାର ପରମ୍ପରା ହିସାବରେ ଡ୍ୟୁଟୀ, ପରମ୍ପରା ହିସାବରେ ଦିନଚର୍ଯ୍ୟା ବିତାଇବା ଏଠାରେ ଏସବୁ ତ ନାହିଁ, ତେଣୁ ତୁମର ପରିବାର ଦୁନିଆରର ପରିବାରଠାରୁ ଅଲଗା ଏବଂ ଅତି ପ୍ରିୟ ପରିବାର ଅଟେ । ଏଥିରେ କୌଣସି ବି ଶୃଙ୍ଖଳା ହେବା, ପୁଣି ବାହାନା ତ ଏଭଳି ଦେଉଛନ୍ତି ଯେ ଇଏ କରିବାରୁ ଏଭଳି ହେଲା । ଏହିଭଳି ହେବାରୁ ଏହିଭଳି ହେଲା, କିନ୍ତୁ ବ୍ରହ୍ମାବାବାଙ୍କ ସାମନାରେ କ’ଣ ବିରୋଧ ହୋଇ ନ ଥିଲା! ଭାଗନ୍ତି ମଧ୍ୟ ହୋଇଯାଇଛନ୍ତି ନା! ଏହା କ’ଣ ବିରୋଧ ନୁହେଁ! କିନ୍ତୁ ବାବା ପୁଣି ବି କହୁଥିଲେ, ଯଦି କେହି ଚାଲି ବି ଯାଇଛନ୍ତି ତେବେ ବି ତାଙ୍କ ପାଖକୁ ଟୋଲୀ ପଠାଅ, ତାଙ୍କୁ ଆଣିବା ପାଇଁ ଚେଷ୍ଟା କର, ତାଙ୍କର ସେବା କର, ତାଙ୍କୁ ମନେ ପକାଇଦିଅ । ତେବେ ଏହିଭଳି ଚାରୋଟିଯାକ ନିଶ୍ଚୟରେ ପାସ୍ ହେବାର ଅଛି ନା ତିନୋଟିରେ ବା ଦୁଇଟିରେ ହେଲେ ବି ଚଳିବ? ନମ୍ବରୱାନ ହେବାକୁ ପଡିବ । ସେଥିପାଇଁ ବିନାଶର ପ୍ରସ୍ତୁତି ହୋଇ ସାରିବା ପରେ ମଧ୍ୟ ବିନାଶ ଅଟକି ରହିଛି । ପ୍ରକୃତି ମଧ୍ୟ ବାବାଙ୍କ ପାଖକୁ ଆସୁଛି, ପ୍ରକୃତି ମଧ୍ୟ କହୁଛି ଏବେ ତ ବୋଝ ବହୁତ ବଢିଗଲାଣି । ପ୍ରକୃତି ମଧ୍ୟ ବୋଝରୁ ମୁକ୍ତ ହେବା ପାଇଁ ଚାହୁଁଛି । ମାୟା ମଧ୍ୟ କହୁଛି ମୁଁ ଜାଣିଛି ଯେ ମୋ’ର ପାର୍ଟ ଏବେ ଶେଷ ହେବାକୁ ଯାଉଛି କିନ୍ତୁ ବ୍ରାହ୍ମଣ ପରିବାର ଭିତରେ ଏଭଳି ମଧ୍ୟ ପିଲା ଅଛନ୍ତି, ଯେଉଁମାନେ କି ଛୋଟ ଛୋଟ କଥାରେ ମଧ୍ୟ ମୋ’ର ସାଥୀ ହୋଇଯାଉଛନ୍ତି । ମୋତେ ବସାଇ ଦେଉଛନ୍ତି । ତେଣୁ ନିଜର ରାଜ୍ୟକୁ ଆଣିବା ପାଇଁ ଏହି ଚାରୋଟିଯାକ ନିଶ୍ଚୟ କମ୍ ବେଶୀ ପରିମାଣରେ ରହିଛି ସେଥିପାଇଁ ସମୟ ମଧ୍ୟ ଅଟକି ରହିଛି । ବାକି ମାୟା ଏବଂ ପ୍ରକୃତି ଉଭୟ ପ୍ରସ୍ତୁତ ଅଛନ୍ତି । ଏବେ କୁହ ଆଦେଶ ଦେଇ ଦେବୁ କି? ପିଲାମାନେ ଯଦି ସଦା ପ୍ରସ୍ତୁତ ନୁହଁନ୍ତି, ତେବେ ମାୟା ଏବଂ ପ୍ରକୃତିକୁ ଆଦେଶ ଦେବୁ କି? ଦେବୁ ଆଦେଶ? ହାତ ଉଠାଅ, ପ୍ରସ୍ତୁତ ଅଛ ତ? ତୁଚ୍ଛାଟାରେ ହାତ ଉଠାଅ ନାହିଁ । ପରୀକ୍ଷା ମଧ୍ୟ ଆସିବ, ନିଶ୍ଚିତ ଆସିବ । ସଦାପ୍ରସ୍ତୁତ ଅଟ ତ?

ଏବେ ତ ବାପଦାଦାଙ୍କର ସବୁ ପିଲାଙ୍କ ପ୍ରତି ଏହି ଆଶା ରହିଛି ଯେ କିପରି ଶବ୍ଦକୁ ସମାପ୍ତ କରି ଏହିପରି କର । କିପରି କରିବି, କିପରି ହେବ, ନା । କିପରିକୁ ଏହିପରିରେ ପରିବର୍ତ୍ତନ କର । କ’ଣ କରିବି ନୁହେଁ, ଏହିପରି କରିବି । ବାବାଙ୍କର ଏହି ଆଶାକୁ ଆଉ କେବେ ପୂରା କରିବ? ଆଉ କେତେ ସମୟ ଦରକାର? କାହିଁକିନା ସମସ୍ତଙ୍କୁ ପ୍ରସ୍ତୁତ ହେବାକୁ ପଡିବ । ଯଦି ତୁମେମାନେ ପ୍ରସ୍ତୁତ ହୋଇଯାଇଛ, ହାତ ଉଠାଇଲ, ତେବେ ସେମାନଙ୍କର କର୍ତ୍ତବ୍ୟ କ’ଣ? ପରସ୍ପରକୁ ନିଜ ସମାନ କରିବା । ଆଚ୍ଛା - ବାପଦାଦା ସବୁ ସମାଚାର ଫଳାଫଳ ଶୁଣି ସାରିଛନ୍ତି, ଯାହା ବି ସେବା କାର୍ଯ୍ୟ ଚାଲିଛି, ବହୁତ ଭଲ ଚାଲିଛି ଏବଂ ବହୁତ ଭଲ ଉମଙ୍ଗ-ଉତ୍ସାହ ଭରା ଫଳାଫଳ ମଧ୍ୟ ମିଳିଛି । ସେଥିପାଇଁ ଏବେ ଏହି ଲକ୍ଷ୍ୟ ରଖ ଯେ ସୁନିଶ୍ଚିତ ହେବ । କରିବାକୁ ହିଁ ହେବ, ଏବେ ସମାପ୍ତିର ସମୟକୁ ପାଖକୁ ଆଣିବାକୁ ହେବ । ତୁମେମାନେ ଟିକିଏ ହଲଚଲ୍ ହୋଇଯାଉଛ ନା ତେଣୁ ସମାପ୍ତି ମଧ୍ୟ ଦୂରେଇ ଯାଉଛି । କିନ୍ତୁ ତୁମମାନଙ୍କୁ ହିଁ ସମାପ୍ତିକୁ ପାଖକୁ ଆଣିବାକୁ ହେବ କାହିଁକିନା ରାଜ୍ୟ କରିବାବାଲା ଯଦି ପ୍ରସ୍ତୁତ ନ ହେବେ ତେବେ ସମୟ କ’ଣ କରିବ? ସେଥିପାଇଁ ସବୁ ପ୍ରକାରର ବାହାନାକୁ ଏବଂ କାରଣ ଶବ୍ଦକୁ ସମାପ୍ତ କର । ନିବାରଣକୁ ସମ୍ମୁଖକୁ ଆଣି କାହିଁକିନା ତୁମ ସମସ୍ତଙ୍କର ଏହା ହିଁ ଲକ୍ଷ୍ୟ ଅଟେ ନା ଯେ ଦୁଃଖୀ ଆତ୍ମାମାନଙ୍କୁ ବାବାଙ୍କର ସନ୍ଦେଶ ଦେଇ ସେମାନଙ୍କୁ ଦୁଃଖରୁ ମୁକ୍ତ କରିବୁ । ସେମାନଙ୍କୁ ମୁକ୍ତ ନ କରି ତୁମେମାନେ ମଧ୍ୟ ମୁକ୍ତିଧାମକୁ ଯାଇପାରିବ ନାହିଁ । ତେଣୁ ସେମାନଙ୍କୁ ମଧ୍ୟ ମୁକ୍ତ କର, କାହିଁକିନା ବାବା ଆସିଛନ୍ତି ନା, ତେଣୁ ସାରା ବିଶ୍ୱର ପିଲାମାନଙ୍କୁ ସମ୍ପତ୍ତି ତ ଦେବେ ନା । ତୁମକୁ ତ ଜୀବନ ମୁକ୍ତିର ସମ୍ପତ୍ତି ଦେବେ କିନ୍ତୁ ସମସ୍ତେ ତାଙ୍କର ସନ୍ତାନ ତ ଅଟନ୍ତି ନା । ସେମାନଙ୍କୁ ମଧ୍ୟ ସମ୍ପତ୍ତି ତ ଦେବାକୁ ପଡିବ ନା । ତେଣୁ ସେମାନଙ୍କ ପାଇଁ ସମ୍ପତ୍ତି ହେଲା ମୁକ୍ତି, ତୁମମାନଙ୍କର ସମ୍ପତ୍ତି ହେଲା ଜୀବନମୁକ୍ତି । ଯେତେ ଦିନ ପର୍ଯ୍ୟନ୍ତ ମୁକ୍ତି ଦେଇ ନାହଁ ସେତେ ଦିନ ପର୍ଯ୍ୟନ୍ତ ତୁମେମାନେ ମଧ୍ୟ ଯାଇ ପାରିବ ନାହିଁ । ସେଥିପାଇଁ ଦିନକୁ ୧୨ ଥର ଫରିସ୍ତା ସ୍ୱରୂପ ହେବାର ଏବଂ ୧୨ ଥର ନିରାକାରୀ ସ୍ୱରୂପରେ ସ୍ଥିତ ହେବାର ଡ୍ରିଲ୍ କର । ରାତି ଦିନ ମିଶି ୨୪ ଘଣ୍ଟା ହେଉଛି, ତେଣୁ ୨୪ ଥର ଏହି ଡ୍ରିଲ୍ କରିବାକୁ ହେବ, ଶୋଇବା ସମୟରେ ଯଦିଓ ଶୋଇପଡ, ବାପଦାଦା ଶୋଇବାକୁ ମନା କରୁନାହାଁନ୍ତି କିନ୍ତୁ ଦିନ ସମୟରେ ଡ୍ରିଲ୍‌କୁ ବଢାଇ ଦିଅ । ଯେତେବେଳେ କୌଣସି ଉତ୍ସବ ବା ସମାରୋହ ଆଦି କରୁଛ ତେବେ ସାରା ସାରା ଦିନ କାମ କରୁଛ ନା! ଚେଇଁବାକୁ ପଡୁଛି ନା! ସେହିପରି ଏହି ଡ୍ରିଲ କରିବା ପାଇଁ ମଧ୍ୟ ସମୟ ବାହାର କର । ଆଚ୍ଛା!

ଚାରିଆଡର ବାବାଙ୍କର ସ୍ନେହୀ, ଯେଉଁମାନେ ସ୍ନେହୀ ଆତ୍ମା ସେମାନେ ସହଯୋଗୀ ନିଶ୍ଚିତ ହୋଇଥାଆନ୍ତି କାରଣ ସ୍ନେହର ପ୍ରତିଦାନ ହେଲା ପ୍ରତ୍ୟକ୍ଷ ରୂପରେ ସେମାନେ ଶରୀର, ମନ, ଧନ ଏବଂ ଜନ ଦ୍ୱାରା ପରସ୍ପରର ସହଯୋଗୀ ନିଶ୍ଚିତ ହେବେ । ତେଣୁ ଏହିଭଳି ସ୍ନେହୀ ଏବଂ ସହଯୋଗୀ ପିଲାମାନଙ୍କୁ, ଯେଉଁମାନେ ସର୍ବଦା ବାବାଙ୍କର ସ୍ନେହରେ ଲବଲୀନ ରହିବାବାଲା ଅଟନ୍ତି । କେବଳ ଲଭ୍ ଅର୍ଥାତ୍ ସ୍ନେହରେ ନୁହେଁ କିନ୍ତୁ ଲଭଲୀନ ଅବସ୍ଥାରେ ରହିଥାଆନ୍ତି ଏବଂ ସର୍ବଦା ବାବାଙ୍କର ସମସ୍ତ କାର୍ଯ୍ୟରେ ସମୟ ଏବଂ ସଂକଳ୍ପ ଲଗାଇଥାଆନ୍ତି, କାହିଁକିନା ସଂଗମଯୁଗରେ ସମୟର ଏବଂ ସଂକଳ୍ପର ବହୁତ ମୂଲ୍ୟ ରହିଛି, ଗୋଟିଏ ଜନ୍ମରେ ଅନେକ ଜନ୍ମ ପାଇଁ ପ୍ରାରବ୍ଧ ଜମା କରିବାବାଲା, ଏହିଭଳି ତୀବ୍ର ପୁରୁଷାର୍ଥୀ, ପ୍ରତ୍ୟେକ ଗୁଣ, ପ୍ରତ୍ୟେକ ଶକ୍ତିକୁ ସବୁ ସମୟରେ କାର୍ଯ୍ୟରେ ଲଗାଉଥିବା ଗୁଣ ସମ୍ପନ୍ନ, ଶକ୍ତି ସମ୍ପନ୍ନ ପିଲାମାନଙ୍କୁ ବହୁତ ବହୁତ ପଦ୍ମ ପଦ୍ମଗୁଣା ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ ନମସ୍ତେ ।

ବରଦାନ:-
ବିଧାତା ହେବା ସହିତ ବରଦାତା ହୋଇ ସର୍ବ ଆତ୍ମାଙ୍କ ଭିତରେ ବଳ ଭରୁଥିବା ଦୟାଳୁ ଭବ ।

ଯଦି କୌଣସି ଆତ୍ମା ଇଚ୍ଛୁକ ଅଟେ କିନ୍ତୁ ସାହସ ନ ଥିବା କାରଣରୁ ଇଚ୍ଛା ଥିଲେ ମଧ୍ୟ ପ୍ରାପ୍ତି କରିପାରୁ ନାହିଁ ତେବେ ଏହିଭଳି ଆତ୍ମାମାନଙ୍କ ପାଇଁ ବିଧାତା ଅର୍ଥାତ୍ ଜ୍ଞାନଦାତା ହେବା ସହିତ ଦୟାଶୀଳ ହୋଇ ବରଦାତା ହୁଅ, ସେମାନଙ୍କୁ ନିଜର ଶୁଭଭାବନାର ଅତିରିକ୍ତ ଶକ୍ତି ଦିଅ । କିନ୍ତୁ ଏହିଭଳି ବରଦାନୀ ମୂରତ ସେତେବେଳେ ହୋଇପାରିବ, ଯେତେବେଳେ ତୁମର ପ୍ରତ୍ୟେକ ସଂକଳ୍ପ ବାବାଙ୍କ ପ୍ରତି ସମର୍ପିତ ହୋଇଥିବ । ପ୍ରତ୍ୟେକ ସମୟ, ପ୍ରତ୍ୟେକ ସଂକଳ୍ପ ଏବଂ ପ୍ରତ୍ୟେକ କର୍ମରେ ସ୍ୱାହା ଅର୍ଥାତ୍ ସମର୍ପିତ ହେବାର ଯେଉଁ କଥା ଦେଇଥିଲ ତା’କୁ ପାଳନ କର ।

ସ୍ଲୋଗାନ:-
ଯଦି ନିଜର ସତ୍ୟ ସ୍ୱରୂପର ସ୍ମୃତି ରହିବ ତେବେ ସତ୍ୟତାର ଶକ୍ତି ଆସିଯିବ ।

ଅବ୍ୟକ୍ତ ଈଶାରା:- ମହାନ ହେବା ପାଇଁ ମଧୁରତା ଏବଂ ନମ୍ରତାର ଗୁଣକୁ ଧାରଣ କର । ବାପଦାଦା ଏବେ ପ୍ରତ୍ୟେକ ସନ୍ତାନର ମସ୍ତକରେ ସମ୍ପୂର୍ଣ୍ଣ ପବିତ୍ରତାର ଚମକୁଥିବା ମଣୀକୁ ଦେଖିବାକୁ ଚାହୁଁଛନ୍ତି । ଆତ୍ମ ଅଭିମାନୀ ସ୍ଥିତି ଦ୍ୱାରା ଚମକୁଥିବା ନୟନକୁ ଦେଖିବାକୁ ଚାହୁଁଛନ୍ତି, ବାଣୀରେ ମଧୁରତାର ବିଶେଷତା ଭରା ଅମୂଲ୍ୟବାଣୀ ଶୁଣିବାକୁ ଚାହୁଁଛନ୍ତି ଏବଂ କର୍ମରେ ସନ୍ତୁଷ୍ଟତା, ନିର୍ମାଣତାର ଗୁଣ ସର୍ବଦା ଦେଖିବାକୁ ଚାହୁଁଛନ୍ତି ।