19.05.26 Morning Odia Murli Om Shanti BapDada Madhuban
“ମିଠେ ବଚ୍ଚେ:-
ଆତ୍ମ-ଅଭିମାନୀ ହୁଅ, ଚାଲିବା-ବୁଲିବା, ଉଠିବା-ବସିବା ସମୟରେ ଏହି ଅଭ୍ୟାସ କରିଚାଲ ତେବେ ତୁମର
ବହୁତ ଉନ୍ନତି ହେବାକୁ ଲାଗିବ ।’’
ପ୍ରଶ୍ନ:-
ବାବାଙ୍କର
ସ୍ମୃତି କେଉଁ ସନ୍ତାନମାନଙ୍କ ବୁଦ୍ଧିରେ ଠିକ୍ ଭାବରେ ରହିବ?
ଉତ୍ତର:-
ଯେଉଁ ସନ୍ତାନମାନେ ବାବାଙ୍କୁ ସଠିକ ରୂପେ ଜାଣିଛନ୍ତି । କେତେକ ସନ୍ତାନ କହୁଛନ୍ତି ବିନ୍ଦୁକୁ
କିପରି ମନେ ପକାଇବୁ । ଭକ୍ତିମାର୍ଗରେ ତ ଅଖଣ୍ଡ ଜ୍ୟୋତି ମନେ କରି ସ୍ମରଣ କରି ଆସିଛନ୍ତି ତେଣୁ
ଏବେ ବିନ୍ଦୁ କହିବା ଦ୍ୱାରା ଦ୍ୱନ୍ଦ୍ୱରେ ପଡିଯାଉଛନ୍ତି ସେଥିପାଇଁ ପ୍ରଥମେ ଏହି ନିଶ୍ଚୟ ହେବା
ଦରକାର ଯେ ବାବା ଅଖଣ୍ଡ ଜ୍ୟୋତି ନୁହଁନ୍ତି, ସିଏ ତ ଅତି ସୂକ୍ଷ୍ମ ବିନ୍ଦୁ ଅଟନ୍ତି, ତେବେ ଯାଇ
ସଠିକ୍ ରୂପେ ମନେ ପକାଇ ପାରିବେ ।
ଓମ୍ ଶାନ୍ତି ।
ସବୁ ସନ୍ତାନମାନେ ବାବାଙ୍କ ସ୍ମୃତିରେ ବସିଛନ୍ତି । ମନମନାଭବ । ଏହି ସଂସ୍କୃତ ଅକ୍ଷର ବାସ୍ତବ
ନୁହେଁ । ବାବା ସହଜ ରାଜଯୋଗ ଶିଖାଇବା ସମୟରେ ଏହି ସଂସ୍କୃତ ଅକ୍ଷର କହି ନ ଥିଲେ । ଏହି ବ୍ରହ୍ମା
ତ ସଂସ୍କୃତ ଭାଷା ଜାଣି ନାହାଁନ୍ତି । ବାବା ହିନ୍ଦୀ ଭାଷାରେ ହିଁ ବୁଝାଉଛନ୍ତି । ଯଦିଓ ଏହି ରଥ
ହିନ୍ଦୀ, ସିନ୍ଧୀ ତଥା ଇଂରାଜୀ ଭାଷା ଜାଣିଛନ୍ତି, କିନ୍ତୁ ବାବା ହିନ୍ଦୀରେ ହିଁ ବୁଝାଉଛନ୍ତି ।
ପ୍ରତ୍ୟେକ ଧର୍ମର ନିଜସ୍ୱ ଭାଷା ରହିଛି । ଏଠାରେ ହିନ୍ଦୀ ଭାଷା ହିଁ ବ୍ୟବହାର ହେଉଛି, ଏହି ଭାଷା
ବୁଝିବା ପାଇଁ ସହଜ ଏବଂ ଏହି ସ୍କୁଲ ମଧ୍ୟ ଆଶ୍ଚର୍ଯ୍ୟଜନକ ଅଟେ । ଏଥିରେ କୌଣସି କାଗଜ, ପେନ୍ସିଲ,
ବହି ଆଦିର ଆବଶ୍ୟକତା ନାହିଁ । ଏଠାରେ ତ କେବଳ ଗୋଟିଏ ଅକ୍ଷରକୁ ମନେ ରଖିବାକୁ ହେବ ଅର୍ଥାତ୍
ବାବାଙ୍କୁ ମନେ ପକାଇବାକୁ ହେବ । ଈଶ୍ୱର ଅଥବା ପରମପିତା ପରମାତ୍ମାଙ୍କୁ କେହି ମନେ ନ ପକାଉଥିବେ
- ଏହା ତ ଅସମ୍ଭବ କଥା, ତାଙ୍କୁ ସମସ୍ତେ ମନେ ପକାନ୍ତି କିନ୍ତୁ ତାଙ୍କର ପରିଚୟ କାହାକୁ ଜଣା ନାହିଁ
। ବାବା ହିଁ ଆସି ନିଜର ପରିଚୟ ଦେଉଛନ୍ତି । ଶାସ୍ତ୍ରରେ କଳ୍ପର ଆୟୁଷ ଏତେ ଲମ୍ବା ଲେଖି ଦେଇଛନ୍ତି,
ଏକଥା ବାବା ଆସି ବୁଝାଉଛନ୍ତି । ଏହା ବହୁତ ବଡ କଥା ମଧ୍ୟ ନୁହେଁ । ଅହଲ୍ୟା, ବୁଢୀ-ବୁଢୀ
ମାତାମାନେ କ’ଣ ବୁଝିବେ । ଏହା ତ ବହୁତ ସହଜ । ଛୋଟ ପିଲା ମଧ୍ୟ ବୁଝିପାରିବେ । ବାବା ଅକ୍ଷର ନୂଆ
ନୁହେଁ । ଶିବଙ୍କ ମନ୍ଦିରକୁ ଗଲେ ବୁଦ୍ଧିରେ ଆସିଥାଏ ଯେ ଇଏ ସେହି ନିରାକାର ଶିବବାବା ଅଟନ୍ତି ।
ସବୁ ମନୁଷ୍ୟ ମାତ୍ରକେ ତାଙ୍କୁ ପିତା କହିଥା’ନ୍ତି । ଆମ ସମସ୍ତ ଆତ୍ମାଙ୍କର ପିତା ଜଣେ ଅଟନ୍ତି ।
ସବୁ ଜୀବ ଆତ୍ମାମାନେ ଯିଏକି ଶରୀର ଧାରଣ କରୁଛନ୍ତି, ସେମାନେ ନିଶ୍ଚୟ ବାବାଙ୍କୁ ମନେ ପକାଉଛନ୍ତି
। ସବୁ ଧର୍ମାବଲମ୍ବୀ ଯିଏବି ଅଛନ୍ତି ସମସ୍ତେ ନିଶ୍ଚୟ ପରମପିତା ପରମାତ୍ମାଙ୍କୁ ମନେ ପକାଉଛନ୍ତି
। ସେ ହେଉଛନ୍ତି ପରମଧାମ ନିବାସୀ ପିତା । ଆମେ ମଧ୍ୟ ସେଠାକାର ନିବାସୀ । ତେଣୁ ଏବେ କେବଳ
ବାବାଙ୍କୁ ମନେ ପକାଇବାକୁ ହେବ । ଚାହୁଁଛନ୍ତି ମଧ୍ୟ ଆମେ ପାବନ ହେବୁ । ଡାକୁଛନ୍ତି ମଧ୍ୟ - ହେ
ପତିତଙ୍କୁ ପାବନ କରିଲାବାଲା ଆସ । ନୂଆ ଦୁନିଆ ପାବନ ଥିଲା, ଏବେ ପୁଣି ପୁରୁଣା ହୋଇଛି, ଏହାକୁ
କେହି ନୂଆ କହିବେ ନାହିଁ । ଭାରତବାସୀ ଜାଣିଛନ୍ତି - ନୂଆ ଭାରତରେ ଦେବୀ-ଦେବତାମାନେ ରାଜତ୍ୱ
କରୁଥିଲେ । ଯେବେ ନୂଆ ଭାରତ ଥିଲା ତେବେ ତା’ ପୂର୍ବରୁ କ’ଣ ଥିଲା? ସଂଗମ । ଏହାଠାରୁ ମଧ୍ୟ ସହଜରେ
କହିବା ଉଚିତ୍ ଯେ ନୂଆ ପୂର୍ବରୁ ପୁରୁଣା ଥିଲା । ସଂଗମ ସମୟକୁ ମନୁଷ୍ୟ ଏତେ ସହଜରେ ବୁଝିପାରୁ
ନାହାଁନ୍ତି । ନୂଆ ଦୁନିଆ ଏବଂ ପୁରୁଣା ଦୁନିଆ, ଏହାର ମଧ୍ୟକୁ ସଂଗମ କୁହାଯାଉଛି । ବାବାଙ୍କ
ନିମନ୍ତେ ହିଁ କହୁଛନ୍ତି - ହେ ପତିତ-ପାବନ ଆସ, ଆସି ଆମକୁ ପାବନ କରାଅ । ଆମେ ପତିତ ହୋଇଯାଇଛୁ ।
ନୂଆ ଦୁନିଆରେ କେହି ଡାକିବେ ନାହିଁ । ଏବେ ତୁମ ବୁଦ୍ଧିରେ ଆସିଗଲାଣି ଯେ ଭାରତ ପାବନ ଥିଲା । ହେ
ପତିତ-ପାବନ ଆସ, ଏହା ତ ବହୁତ ସମୟରୁ ଡାକି ଆସିଛ । ସେମାନେ ଏକଥା ଜାଣି ନାହାଁନ୍ତି ଯେ ପତିତ
ଦୁନିଆ କେବେ ପୂରା ହେବ । କହୁଛନ୍ତି - ଶାସ୍ତ୍ରରେ ଏହିପରି ଲେଖାଯାଇଛି ଯେ କଳିଯୁଗ ଏବେ ଆହୁରି
୪୦ ହଜାର ବର୍ଷ ଚାଲିବ । ବିଲ୍କୁଲ୍ ହିଁ ଘୋର ଅନ୍ଧକାରରେ ଅଛନ୍ତି । ଏବେ ତୁମେ ଆଲୋକରେ ଅଛ ।
ବାବା ତୁମକୁ ଏବେ ଆଲୋକକୁ ଆଣିଛନ୍ତି । ୫ ହଜାର ବର୍ଷରେ ଏହି ସୃଷ୍ଟିର ଚକ୍ର ପୂରା ହେଉଛି । ଏହା
କାଲିର କଥା ଅଟେ । ତୁମେମାନେ ହିଁ ରାଜତ୍ୱ କରୁଥିଲ, ବାସ୍ତବରେ ଏହି ଲକ୍ଷ୍ମୀ-ନାରାୟଣଙ୍କର
ରାଜ୍ୟ ଥିଲା, ସ୍ୱର୍ଗ ଥିଲା । ପାବନ ଦୁନିଆରେ କୌଣସି ଉପଦ୍ରବ ଆଦି ହେବ ନାହିଁ । ରାବଣ ରାଜ୍ୟରେ
ହିଁ ଉପଦ୍ରବ ହେଉଛି । ଏଠାରେ ତୁମକୁ ବାବା ବୁଝାଉଛନ୍ତି, ତୁମେ କାନ ଦ୍ୱାରା ସମ୍ମୁଖରେ ଶୁଣୁଛ ।
କିଏ ଶୁଣୁଛି? ଆତ୍ମା । ଆତ୍ମା ବହୁତ ଖୁସି ହେଉଛି, ଯେ ଆମକୁ ପୁନର୍ବାର ବାବା ମିଳିଛନ୍ତି ।
ବାବାଙ୍କଠାରୁ ସମ୍ପତ୍ତି ମିଳିଥିଲା ଏବେ ବାବା କହୁଛନ୍ତି - ମୋତେ ମନେ ପକାଅ । ଏଥିରେ କୌଣସି
ଲେଖା-ପଢାର କଥା ନାହିଁ । କେହି ଆସିଲେ ପଚରାଯାଏ - ଆପଣ କାହିଁକି ଆସିଛନ୍ତି? ତେବେ କହନ୍ତି
ଏଠାକାର ମହାତ୍ମାଙ୍କ ସହିତ ମିଶିବା ପାଇଁ? କାହିଁକି? ଆପଣଙ୍କର କ’ଣ ଦରକାର? କୁହନ୍ତୁ କ’ଣ
ଭିକ୍ଷା ଦରକାର? ସନ୍ନ୍ୟାସୀ ହୋଇଥିଲେ ତାଙ୍କୁ ଭୋଜନ ଦିଆଯାଇଥାଏ । ସନ୍ନ୍ୟାସୀ କାହା ପାଖକୁ ଗଲେ
ଅଥବା ରାସ୍ତାରେ ମିଳିଲେ ଧାର୍ମିକ ବ୍ୟକ୍ତି ଭାବନ୍ତି ଇଏ ପବିତ୍ର ଅଟନ୍ତି, ଏହାଙ୍କୁ ଭୋଜନ
ଖୁଆଇବା ଭଲ । ଏବେ ତ ପବିତ୍ରତା ମଧ୍ୟ ନାହିଁ । ବିଲ୍କୁଲ୍ ହିଁ ତମୋପ୍ରଧାନ ଦୁନିଆ, ସମସ୍ତେ
ବିକାରୀ ହୋଇଯାଇଛନ୍ତି । ମନୁଷ୍ୟ କେତେ ହଇରାଣ ହେଉଛନ୍ତି । ଏଠାରେ ତ ହଇରାଣ ହେବାର କୌଣସି କଥା
ନାହିଁ । ବାବା କହୁଛନ୍ତି ଲେଖିବା ଆଦିର କୌଣସି ଆବଶ୍ୟକ ନାହିଁ । ଏହି ପଏଣ୍ଟସ୍ ଆଦି ବି
ଲେଖୁଛନ୍ତି - ଧାରଣା କରିବା ପାଇଁ । ଯେପରି ଡାକ୍ତରଙ୍କ ପାଖରେ ମଧ୍ୟ କେତେ ପ୍ରକାରର ଔଷଧ
ରହିଥାଏ, ଏତେ ସବୁ ଔଷଧର ନାମ ମନେ ରଖିଥା’ନ୍ତି । ସେହିପରି ବାରିଷ୍ଟରଙ୍କ ବୁଦ୍ଧିରେ କେତେ ଆଇନର
କଥା ମନେ ରହିଥାଏ । ତୁମକୁ ମଧ୍ୟ ଗୋଟିଏ କଥା ମନେ ରଖିବାକୁ ହେବ, ଏହା ମଧ୍ୟ ବହୁତ ସହଜ । ତୁମେ
କହୁଛ ଏକମାତ୍ର ଶିବବାବାଙ୍କୁ ମନେ ପକାଅ । ସେମାନେ କହୁଛନ୍ତି ଶିବବାବା କିପରି ଆସିବେ । ଏକଥା
ମଧ୍ୟ ତୁମ ବ୍ୟତୀତ ଆଉ କେହି ବି ଜାଣି ନାହାଁନ୍ତି । ଈଶ୍ୱର କେଉଁଠି ଅଛନ୍ତି? ସେମାନେ ତ କହିବେ
ସେ ନାମ-ରୂପରୂ ଅଲଗା ଅଥବା କହିବେ ସର୍ବବ୍ୟାପୀ ଅଟନ୍ତି । ଉଭୟ କଥାରେ ରାତି-ଦିନର ଫରକ ହୋଇଯାଉଛି
। ନାମ-ରୂପରୁ ଅଲଗା ତ କୌଣସି ଜିନିଷ ନାହିଁ । ପୁଣି କହିଦେଉଛନ୍ତି - କୁକୁର, ବିଲେଇ ସମସ୍ତଙ୍କ
ଭିତରେ ପରମାତ୍ମା ଅଛନ୍ତି । ଉଭୟ କଥା ବିପରୀତ ବୋଧକ ହୋଇଯାଉଛି । ତେଣୁ ବାବା ନିଜର ପରିଚୟ ଦେଇ
କହୁଛନ୍ତି - ମୋତେ ମନେ ପକାଅ । ଗାୟନ ମଧ୍ୟ ରହିଛି - ସହଜ ରାଜଯୋଗ । ବାବା କହୁଛନ୍ତି - ଯୋଗ
ଅକ୍ଷର କାଟିଦିଅ, କେବଳ ମନେ ପକାଅ । ଛୋଟ ପିଲା ଯେପରି ମାତା ପିତାଙ୍କୁ ଦେଖିବା ମାତ୍ରକେ
ତୁରନ୍ତ ସ୍ନେହରେ ଧରିପକାଇଥାଏ । ପ୍ରଥମେ କ’ଣ ସିଏ ଚିନ୍ତା କରିବ କି ଇଏ ମୋର ମାତା ପିତା ଅଟନ୍ତି?
ନା, ଏଥିରେ ଚିନ୍ତା କରିବାର କଥା ହିଁ ନାହିଁ । ତୁମକୁ ମଧ୍ୟ କେବଳ ଶିବବାବାଙ୍କୁ ମନେ ପକାଇବାକୁ
ହେବ । ଭକ୍ତିମାର୍ଗରେ ମଧ୍ୟ ତୁମେ ଶିବଙ୍କ ଉପରେ ଫୁଲ ଚଢାଇ ଆସିଛ । ସୋମନାଥ ମନ୍ଦିର କେତେ
ସୁନ୍ଦର ଭାବେ ତିଆରି କରାଯାଇଥିଲା ଯାହାକୁ ପରେ ମହମ୍ମଦ ଗଜନୀ ଆସି ଲୁଟିଥିଲା । ଭାରତରେ ସୋମନାଥ
ମନ୍ଦିର ନାମୀଗ୍ରାମୀ ଅଟେ । ସର୍ବପ୍ରଥମେ ତ ଶିବଙ୍କର ପୂଜା ହେବା ଦରକାର । ବର୍ତ୍ତମାନ
ପିଲାମାନଙ୍କ ବୁଦ୍ଧିରେ ଏହି ଜ୍ଞାନ ଆସିଛି । ଯଦିଓ ପୂଜା କରିଆସୁଥିଲ କିନ୍ତୁ ତୁମେ ଜାଣି ନ ଥିଲ
ଯେ ଏହା ହେଉଛି ଜଡ ଚିତ୍ର । ନିଶ୍ଚୟ ସିଏ ଚୈତନ୍ୟରେ ଆସିଥିବେ ତେବେ ତ ବର୍ଷକୁ-ବର୍ଷ ଶିବ ଜୟନ୍ତୀ
ପାଳନ କରୁଛନ୍ତି । ଏକଥା ମଧ୍ୟ କହୁଛନ୍ତି ଯେ - ଶିବ ପରମାତ୍ମା ନିରାକାର ଅଟନ୍ତି । ଆତ୍ମା
ଜାଣିଛି ମୁଁ ମଧ୍ୟ ନିରାକାର । ଏବେ ତୁମେ ଆତ୍ମ-ଅଭିମାନୀ ହେଉଛ, ଏହା ବହୁତ ସହଜ । ସେ ତ ଆମର
ବାବା ଅଟନ୍ତି । ସିଏ ଜ୍ଞାନର ସାଗର, ସୁଖର ସାଗର, ପତିତ-ପାବନ ଅଟନ୍ତି । ତାଙ୍କର ବହୁତ ମହିମା
ରହିଛି । ବ୍ରହ୍ମା, ବିଷ୍ଣୁ, ଶଙ୍କରଙ୍କର ଏତେ ମହିମା ନାହିଁ । ଜଣଙ୍କର ହିଁ ମହିମା ଗାଉଛନ୍ତି ।
ଏବେ ତୁମେମାନେ ଜାଣୁଛ - ବାବା ଆସି ଆମକୁ ସମ୍ପତ୍ତି ଦେଉଛନ୍ତି । ଯେପରି ଲୌକିକ ପିତା ପିଲାର
ଲାଳନ-ପାଳନ କରିଥାନ୍ତି, କିନ୍ତୁ ପାଠ ପଢାଇ ନ ଥାନ୍ତି । ପଢିବା ପାଇଁ ସ୍କୁଲ୍କୁ ଯାଇଥାନ୍ତି
ପୁଣି ବାନପ୍ରସ୍ଥରେ ଗୁରୁ କରିଥାନ୍ତି । ଆଜିକାଲି ତ ଛୋଟ ବଡ ସମସ୍ତଙ୍କୁ ଗୁରୁ କରାଇ ଦେଉଛନ୍ତି
। ଏଠାରେ ତ ତୁମକୁ କୁହାଯାଉଛି - ଶିବବାବାଙ୍କୁ ମନେ ପକାଅ, ତାଙ୍କ ଉପରେ ସମସ୍ତଙ୍କର ଅଧିକାର
ରହିଛି । ସମସ୍ତେ ମୋର ସନ୍ତାନ । ତୁମମାନଙ୍କ ଭିତରେ ମଧ୍ୟ ଅନେକ ଅଛନ୍ତି ଯିଏକି ଭଲ ଭାବରେ ମନେ
ପକାଉଛନ୍ତି । କେତେକ କହୁଛନ୍ତି - ବାବା, କାହାକୁ ମନେ ପକାଇବୁ? ବିନ୍ଦୁକୁ କିପରି ମନେ ପକାଇବୁ?
ବଡ ଜିନିଷକୁ ମନେ ପକାଯାଇଥାଏ । ଆଚ୍ଛା ପରମାତ୍ମା, ଯାହାଙ୍କୁ ତୁମେ ମନେ ପକାଉଛ, ସେ କେଉଁ
ପ୍ରକାରର ଜିନିଷ? ତେବେ କହି ଦେଉଛନ୍ତି ସେ ଅଖଣ୍ଡ ଜ୍ୟୋତି ସ୍ୱରୂପ ଅଟନ୍ତି । କିନ୍ତୁ ଏପରି
ନୁହଁନ୍ତି । ଅଖଣ୍ଡ ଜ୍ୟୋତିକୁ ମନେ ପକାଇବା ଭୁଲ୍ । ତାଙ୍କୁ ସଠିକ ଭାବେ ମନେ ପକାଇବା ଦରକାର ।
କିନ୍ତୁ ପ୍ରଥମେ ତାଙ୍କୁ ସଠିକ୍ ଭାବେ ଜାଣିବା ଦରକାର । ବାବା ହିଁ ଆସି ପିଲାମାନଙ୍କୁ ନିଜର
ପରିଚୟ ଦେଉଛନ୍ତି ଏବଂ ସାରା ସୃଷ୍ଟିର ଆଦି-ମଧ୍ୟ-ଅନ୍ତର ସମାଚାର ମଧ୍ୟ ଶୁଣାଉଛନ୍ତି । ବିସ୍ତାରରେ
ଏବଂ ସଂକ୍ଷେପରେ ମଧ୍ୟ ଶୁଣାଉଛନ୍ତି । ବର୍ତ୍ତମାନ ବାବା କହୁଛନ୍ତି ପିଲାମାନେ ପବିତ୍ର ହେବା ପାଇଁ
ଏକମାତ୍ର ଉପାୟ ରହିଛି - କେବଳ ମୋତେ ମନେ ପକାଅ, ମୋତେ ହିଁ ପତିତ-ପାବନ କହୁଛ । ଆତ୍ମାକୁ
ପବିତ୍ର କରିବାକୁ ପଡିବ । ଆତ୍ମା ହିଁ କହୁଛି ମୁଁ ପତିତ ହୋଇଯାଇଛି । ଆମେ ପବିତ୍ର ଥିଲୁ, ଏବେ
ପତିତ ହୋଇଯାଇଛୁ । ବର୍ତ୍ତମାନ ସମସ୍ତେ ତମୋପ୍ରଧାନ ହୋଇଯାଇଛନ୍ତି । ପ୍ରତ୍ୟେକ ଜିନିଷ ପ୍ରଥମେ
ସତ୍ତ୍ୱପ୍ରଧାନ ଥାଏ ପୁଣି ତମୋପ୍ରଧାନ ହୋଇଥାଏ । ଆତ୍ମା ନିଜେ କହୁଛି ମୁଁ ପତିତ ହୋଇଯାଇଛି, ମୋତେ
ଆସି ପବିତ୍ର କର । ଶାନ୍ତିଧାମରେ ଆତ୍ମା ପତିତ ହୁଏ ନାହିଁ । ଏଠାରେ ପତିତ ହୋଇଥିବାରୁ ଦୁଃଖୀ
ହୋଇଯାଇଛି । ପାବନ ଥିବା ସମୟରେ ଆତ୍ମା ସୁଖୀ ଥିଲା । ତେଣୁ ଆତ୍ମାମାନେ ହିଁ କହୁଛନ୍ତି ଆମକୁ
ପବିତ୍ର କରାଇଲେ ଆମେ ଦୁଃଖରୁ ମୁକ୍ତ ହୋଇଯିବୁ । ତୁମେ ଜାଣିଛ ଆତ୍ମା ହିଁ ସବୁ କିଛି କରୁଛି ।
ଆତ୍ମା ହିଁ ଜଜ୍, ବାରିଷ୍ଟର ଆଦି ହେଉଛି । ଆତ୍ମା ହିଁ କହୁଛି - ମୁଁ ରାଜା, ମୁଁ ଅମୁକ ।
ବର୍ତ୍ତମାନ ଏହି ଶରୀର ଛାଡି ଆଉ ଗୋଟିଏ ଶରୀର ନେବାକୁ ହେବ । ଏହାକୁ ଆତ୍ମ-ଅଭିମାନୀ କୁହାଯାଉଛି
। ଦେହ ଥାଇ ମଧ୍ୟ ଆତ୍ମ-ଅଭିମାନୀ ହୁଅ । ରାବଣ ରାଜ୍ୟରେ ଦେହ-ଅଭିମାନୀ ହେଉଛନ୍ତି । ବର୍ତ୍ତମାନ
ହିଁ ବାବା ଆତ୍ମ-ଅଭିମାନୀ କରାଉଛନ୍ତି । ଆତ୍ମା ପତିତ ଦୁଃଖୀ ହୋଇଯାଇଛି, ତେଣୁ ବାବାଙ୍କୁ ଡାକୁଛି
। ଏକଥା ମଧ୍ୟ ତୁମେ ଜାଣିଛ ଯେ ଡ୍ରାମା ପ୍ଲାନ୍ ଅନୁସାରେ ପତିତରୁ ପାବନ, ପାବନରୁ ପତିତ ହୋଇଆସିଛ
। ଚକ୍ର ଘୂରି ଚାଲିଛି । ଏବେ ତୁମ ବୁଦ୍ଧିରେ ଆସୁଛି, ଆମେ କିପରି ୮୪ ଜନ୍ମ ନେଉଛୁ । ଏବେ ଏହି
କଥାକୁ ଭୁଲିଯାଅ ନାହିଁ । ସ୍ୱଦର୍ଶନ ଚକ୍ରଧାରୀ ହୋଇ ରୁହ । ଉଠିବା-ବସିବା, ଚାଲିବା-ବୁଲିବା
ସମୟରେ ବୁଦ୍ଧିରେ ଆମର ସାରା ଜ୍ଞାନ ରହିଛି । ତୁମେ ଜାଣିଛ ବେହଦ ବାବାଙ୍କଠାରୁ ଆମେ ବେହଦର ବର୍ସା
ନେଉଛୁ । ବାବା ପିଲାମାନଙ୍କୁ ବୁଝାଉଛନ୍ତି ଯେ ତୁମକୁ ଏକମାତ୍ର ବାବାଙ୍କୁ ହିଁ ମନେ ପକାଇବାକୁ
ହେବ । ତାଙ୍କୁ ମନେ ପକାଇ ପକାଇ ଭୋଜନ କରିବାକୁ ହେବ ।
ମିଠା-ମିଠା ସିକିଲଧା ସନ୍ତାନମାନଙ୍କୁ ବାବା ଘଡି ଘଡି କହୁଛନ୍ତି - ପିଲାମାନେ ପେଟ ପାଇଁ କେବଳ
ଖଣ୍ଡେ ରୁଟୀ ଖାଇବାକୁ ହେବ । ପେଟ କିଛି ଅଧିକ ଖାଏ ନାହିଁ । ପାଏ ଅଟାର ରୁଟି ଖାଇଥାଏ । ଡାଲି
ରୁଟୀ ବାସ୍ । ୧୦ ଟଙ୍କାରେ ମଧ୍ୟ ମଣିଷର ପେଟ ଭରୁଛି ତ ୧୦ ହଜାର ଟଙ୍କାରେ ମଧ୍ୟ ପେଟ ଭରୁଛି ।
ଗରୀବ ଲୋକେ କ’ଣ ବା ଖାଉଛନ୍ତି । ତଥାପି ମଧ୍ୟ ସୁସ୍ଥ ସବଳ ରହୁଛନ୍ତି । ଭିନ୍ନ ଭିନ୍ନ ପ୍ରକାରର
ଖାଦ୍ୟ ଖାଇଲେ ମନୁଷ୍ୟ ଆହୁରି ରୋଗୀ ହୋଇଯାଉଛନ୍ତି । ଡାକ୍ତରମାନେ ମଧ୍ୟ କହୁଛନ୍ତି - ଗୋଟିଏ
ପ୍ରକାରର ଖାଦ୍ୟ ଖାଅ ତେବେ ବେମାର ହେବ ନାହିଁ । ତେଣୁ ବାବା ମଧ୍ୟ ବୁଝାଉଛନ୍ତି - ଖଣ୍ଡେ ରୁଟୀ
ଖାଅ । ଯାହା କିଛି ମିଳୁଛି ସେଥିରେ ଖୁସିରେ ରୁହ । ଡାଲି-ରୁଟୀ ପରି ଆଉ କିଛି ଜିନିଷ ନାହିଁ ।
ଅଧିକ ଲୋଭ ମଧ୍ୟ କରିବା ଅନୁଚିତ । ସନ୍ନ୍ୟାସୀମାନେ କ’ଣ କରିଥାନ୍ତି? ଘରଦ୍ୱାର ଛାଡି ଜଙ୍ଗଲକୁ
ଚାଲିଯା’ନ୍ତି । ତତ୍ତ୍ୱକୁ ପରମାତ୍ମା ଭାବି ସ୍ମରଣ କରନ୍ତି, ଭାବନ୍ତି ବ୍ରହ୍ମରେ ଲୀନ ହୋଇଯିବୁ
। କିନ୍ତୁ ଏପରି ହୋଇପାରିବ ନାହିଁ । ଆତ୍ମା ତ ଅମର ଅଟେ । ଲୀନ ହେବାର କୌଣସି କଥା ନାହିଁ । ବାକି
ଆତ୍ମା ହିଁ ପବିତ୍ର, ଅପବିତ୍ର ହୋଇଥାଏ । ତୁମକୁ କେତେ ଭଲ ଜ୍ଞାନ ମିଳିଛି । ତୁମେ ହିଁ
ପ୍ରାରବ୍ଧ ଭୋଗୁଛ ପୁଣି ଏହି ଜ୍ଞାନକୁ ଭୁଲି ଯାଉଛ । ପୁଣି ସିଢିରେ ତଳକୁ ଓହ୍ଲାଉଛ । ଏବେ ତୁମ
ବୁଦ୍ଧିରେ ସମସ୍ତ ଜ୍ଞାନ ରହିଛି । ଆମେ ୮୪ ଜନ୍ମ କିପରି ଭୋଗ କରୁଛୁ । ଏହି ଅଭିନୟ କେବେ ବି
କାହାର ବନ୍ଦ ହୁଏ ନାହିଁ । ଏହା ପୂର୍ବ ପ୍ରସ୍ତୁତ ଡ୍ରାମା, ଯାହାକି ଘୂରି ଚାଲିଛି । ଏକଥା
କହିପାରିବା ନାହିଁ ଯେ ଭଗବାନ କେବେ, କିପରି, କେଉଁଠି ବସି ରଚନା କରୁଛନ୍ତି? ନା । ଏହା ତ ଚାଲି
ଆସୁଛି । ବିଶ୍ୱର ଇତିହାସ ଭୂଗୋଳ ପୁନରାବୃତ୍ତି ହୋଇ ଚାଲିଛି । ଏହି କଥାକୁ କେହି ବୁଝୁ ହିଁ
ନାହାଁନ୍ତି । ତୁମେ ଜାଣିଛ - ଆମେ ଡ୍ରାମାର ପ୍ଲାନ ଅନୁସାରେ ଆସିଛୁ । ଏବେ ପୁନର୍ବାର ଡ୍ରାମା
ଅନୁସାରେ ରାଜ୍ୟ ନେଉଛୁ । ଏହି କଥା ଆଉ କେହି ବୁଝିପାରିବେ ନାହିଁ । ପଚରାଯାଉଛି - ଡ୍ରାମା
ସର୍ବଶକ୍ତିମାନ୍ ନା ଈଶ୍ୱର? ତେବେ କହୁଛନ୍ତି ଈଶ୍ୱର ସର୍ବଶକ୍ତିମାନ୍ ଅଟନ୍ତି । ଭାବୁଛନ୍ତି ସେ
ସବୁ କିଛି କରିପାରିବେ । ବାବା କହୁଛନ୍ତି - ମୁଁ ମଧ୍ୟ ଡ୍ରାମାର ବନ୍ଧନରେ ବନ୍ଧା ହୋଇଛି ।
ପତିତଙ୍କୁ ପାବନ କରିବା ପାଇଁ ମୋତେ ଆସିବାକୁ ହିଁ ପଡୁଛି । ତୁମେ ସତ୍ୟଯୁଗରେ ସୁଖୀ ହୋଇଯାଉଛ ।
ମୁଁ ମଧ୍ୟ ଯାଇ ପରମଧାମରେ ବିଶ୍ରାମ ନେଉଛି । ତୁମେ ମୋ କାନ୍ଧରେ ବସୁଛ । ତୁମର ସିଂହ ଉପରେ
ବସିଥିବାର ଚିତ୍ର ଅଛି ।
ତୁମେ ଜାଣିଛ ପ୍ରତି ସେକେଣ୍ଡ ସେକେଣ୍ଡ ଯାହା ଚାଲୁଛି ସବୁ ଡ୍ରାମାରେ ନିଧାର୍ଯ୍ୟ ହୋଇଛି ।
ବର୍ତ୍ତମାନ ତୁମକୁ କେତେ ଭଲ ଜ୍ଞାନ ମିଳୁଛି । ତେଣୁ କେବଳ ବାବା ଏବଂ ସମ୍ପତ୍ତିକୁ ମନେ ପକାଅ ।
ବାସ୍ । କାଗଜ, ପେନ୍ସିଲ୍ ଆଦିର କିଛି ଆବଶ୍ୟକତା ନାହିଁ । ବ୍ରହ୍ମାବାବା ମଧ୍ୟ ପାଠ ପଢୁଛନ୍ତି,
ସିଏ ତ କିଛି ହେଲେ ରଖୁ ହିଁ ନାହାଁନ୍ତି । କେବଳ ବାବାଙ୍କୁ ମନେ ପକାଇବାକୁ ହେବ, ତେବେ ସମ୍ପତ୍ତି
ମିଳିବ ଏବଂ ସଦା ସୁସ୍ଥ ରହିବ । ଏହା କେତେ ସହଜ ଏବଂ ଧାରଣାଯୁକ୍ତ କଥା । ଲେଖିବା ଦ୍ୱାରା କ’ଣ
ଲାଭ ହେବ, ଏସବୁ ତ ବିନାଶ ହୋଇଯିବ । କିନ୍ତୁ କେହି କେହି ମନେ ରଖିବା ପାଇଁ ଲେଖୁଛନ୍ତି । ଯେପରି
କୌଣସି କଥା ମନେ ରଖିବାକୁ ହେଲେ କାନିରେ ଗଣ୍ଠି ପକାଇଥା’ନ୍ତି । ତୁମେ ମଧ୍ୟ ଗଣ୍ଠି ପକାଇଦିଅ ଯେ
ଶିବବାବା ଓ ସମ୍ପତ୍ତିକୁ ମନେ ପକାଇବାକୁ ହେବ । ଯୋଗ ଅର୍ଥାତ୍ ୟାଦ ଏହା ତ ବହୁତ ସହଜ । କହୁଛନ୍ତି
- ବାବା ଯୋଗ ଲାଗୁ ନାହିଁ । ଯୋଗରେ କିପରି ବସିବୁ? ଆରେ ଯେପରି ଲୌକିକ ପିତାଙ୍କର ସ୍ମୃତି
ଉଠିବା-ବସିବା, ଚାଲିବା-ବୁଲିବା ସମୟରେ ରହୁଛି, ସେହିପରି ମୋତେ ମଧ୍ୟ ମନେ ପକାଅ । ବାସ୍, ତୁମର
ନୌକା ପାରି ହୋଇଯିବ । ଆଚ୍ଛା -
ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ
ଶୁଭେଚ୍ଛା ଏବଂ ସୁପ୍ରଭାତ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।
ଧାରଣା ପାଇଁ ମୁଖ୍ୟ ସାର
:—
(୧) ସ୍ୱଦର୍ଶନ
ଚକ୍ରଧାରୀ ହୋଇ ୮୪ ଜନ୍ମର ଚକ୍ରକୁ ବୁଦ୍ଧିରେ ଘୂରାଇବାକୁ ହେବ । ବେହଦର ବାବାଙ୍କୁ ମନେ ପକାଇ
ବେହଦର ସମ୍ପତ୍ତି ନେବାକୁ ହେବ ଏବଂ ପବିତ୍ର ମଧ୍ୟ ହେବାକୁ ପଡିବ ।
(୨) କୌଣସି ଜିନିଷ ପ୍ରତି
ଲୋଭ କରିବାର ନାହିଁ, ଯାହା କିଛି ମିଳୁଛି ସେଥିରେ ଖୁସି ହୋଇ ରହିବାର ଅଛି । ଖୁବ୍ ସାଧାରଣ ଭୋଜନ
କରି ବାବାଙ୍କ ସ୍ମୃ୍ତିରେ ରହିବାର ଅଛି ।
ବରଦାନ:-
ସମସ୍ତଙ୍କର
ଆନ୍ତରିକ ଇଚ୍ଛାକୁ ଜାଣି ସମସ୍ତଙ୍କୁ ସନ୍ତୁଷ୍ଟ କରୁଥିବା ସଦା ବିଜୟୀ ଭବ ।
ବିଜୟୀ ହେବା ପାଇଁ ହେଲେ
ସମସ୍ତଙ୍କର ଆନ୍ତରିକ ଇଚ୍ଛାକୁ ଜାଣିବାକୁ ପଡିବ । କାହାର ମୁଖରୁ ବାହାରୁଥିବା ଶବ୍ଦରୁ ହିଁ ତା’ର
ଆନ୍ତରିକ ଇଚ୍ଛାକୁ ଜାଣିନିଅ, ତେବେ ବିଜୟୀ ହୋଇଯିବ, କିନ୍ତୁ ସମସ୍ତଙ୍କର ଅନ୍ତରର କଥାକୁ ଜାଣିବା
ପାଇଁ ଅନ୍ତର୍ମୁଖତାର ସ୍ଥିତି ଦରକାର । ଯେତେ ଯେତେ ତୁମେ ଅନ୍ତର୍ମୁଖୀ ସ୍ଥିତିରେ ରହିବ ସେହି
ଅନୁସାରେ ସମସ୍ତଙ୍କର ଆନ୍ତରିକ ଇଚ୍ଛାକୁ ଜାଣି ତା’କୁ ସନ୍ତୁଷ୍ଟ କରିପାରିବ ଏବଂ ସମସ୍ତଙ୍କୁ
ସନ୍ତୁଷ୍ଟ କରିବାବାଲା ହିଁ ବିଜୟୀ ହୋଇଥାଆନ୍ତି ।
ସ୍ଲୋଗାନ:-
ବୈରାଗ୍ୟ ଏଭଳି
ଯୋଗ୍ୟ ଧରଣୀ ଅଟେ, ଯେଉଁଥିରେ ପ୍ରତ୍ୟେକ ଫଳ ବା ବୀଜ ନିଶ୍ଚିତ ଫଳିଭୂତ ହୋଇଥାଏ ।
ଅବ୍ୟକ୍ତ ଈଶାରା:-
ସର୍ବଦା ଅଚଳ, ଅଟଳ ଏବଂ ଏକରସ ସ୍ଥିତିର ଅନୁଭବ କର ।
ସର୍ବଦା ଉମଙ୍ଗ-ଉତ୍ସାହରେ
ଏକରସ ରହିବା ପାଇଁ ଯେଉଁମାନେ ବି ତୁମ ସମ୍ବନ୍ଧ-ସମ୍ପର୍କରେ ଆସୁଛନ୍ତି - ଚାହେଁ ବିଦ୍ୟାର୍ଥୀ
ହୁଅନ୍ତୁ, ଚାହେଁ ସାଥୀ ସହଯୋଗୀ ହୁଅନ୍ତୁ ସମସ୍ତଙ୍କୁ ସନ୍ତୁଷ୍ଟ କରିବାର ମନ ଭିତରେ ଉତ୍କଣ୍ଠା
ରହିବା ଦରକାର । ଯାହାଙ୍କୁ ବି ଦେଖ ତାଙ୍କ ଠାରୁ ସବୁ ସମୟରେ ଗୁଣକୁ ହିଁ ଗ୍ରହଣ କର । ତେବେ
ସମସ୍ତଙ୍କର ଗୁଣରୂପୀ ଶକ୍ତି ମିଳିବା ଦ୍ୱାରା ସଦାକାଳ ପାଇଁ ତୁମର ଉତ୍ସାହ ଏକରସ ରହିବ ।
ସେଥିପାଇଁ ଗୁଣଗ୍ରାହୀ ହୁଅ । ଅବଗୁଣ ଗୁଡିକୁ ଦେଖୁଥିଲେ ମଧ୍ୟ ଦେଖ ନାହିଁ ।