20.06.26          Morning Odia Murli         Om Shanti         BapDada       Madhuban


“ମିଠେ ବଚ୍ଚେ:- ତୁମ ପାଖରେ ଅବିନାଶୀ ଜ୍ଞାନ ରତ୍ନର ଅସରନ୍ତି ସମ୍ପତ୍ତି ରହିଛି, ତୁମେ ସେଗୁଡିକୁ ଦାନ କର, ତୁମ ଦୁଆରୁ କେହି ବି ଖାଲି ହାତରେ ଫେରି ନ ଯାଆନ୍ତୁ” ।

ପ୍ରଶ୍ନ:-
ସର୍ବ ସମ୍ବନ୍ଧର ସାକାରୀନ୍ ବାବା ନିଜର ପିଲାମାନଙ୍କୁ କେଉଁ ଶ୍ରୀମତ ଦେଉଛନ୍ତି?

ଉତ୍ତର:-
ମିଠେ ବଚ୍ଚେ - ନିଜର ବୁଦ୍ଧିଯୋଗ ଅନ୍ୟ ସବୁ ଆଡୁ ତୁଟେଇ କେବଳ ମୋତେ ମନେ ପକାଅ । ଦୁନିଆର କୌଣସି ବସ୍ତୁ ବା ମିତ୍ର-ସମ୍ବନ୍ଧୀ ଆଦି ମନେ ନ ପଡନ୍ତୁ କାହିଁକିନା ଏହି ସମୟରେ ସମସ୍ତେ ଦୁଃଖଦାୟୀ ଅଟନ୍ତି । ଯଦି ବିଶ୍ୱର ମାଲିକ ହେବାକୁ ଚାହୁଁଛ ତେବେ ନିଶ୍ଚିତ ଭାବରେ ୬୩ ଜନ୍ମର ହିସାବ-କିତାବକୁ ଚୁକ୍ତ କରିବାର ପରିଶ୍ରମ କରିବାକୁ ପଡିବ । ସବୁ କିଛି ଭୁଲି ଯଦି ଅଶରୀରୀ ହେବାର ଅଭ୍ୟାସ କରିବ ତେବେ ହିସାବ-କିତାବ ଚୁକ୍ତ ହୋଇଯିବ । ମୁଁ ସର୍ବ ସମ୍ବନ୍ଧର ସାକାରୀନ୍ ଅର୍ଥାତ୍ ଶ୍ରେଷ୍ଠ ସୁଖଦାତା ଅଟେ ।

ଓମ୍ ଶାନ୍ତି ।
ବାପଦାଦା ପିଲାମାନଙ୍କୁ ପଚାରୁଛନ୍ତି ଯେ କାହା ସ୍ମୃତିରେ ବସିଛ? (ଶିବବାବାଙ୍କର) । ଏହାକୁ ଦୃଢ ସ୍ୱରରେ କହିବା ଦରକାର ଯେ ଆମେ ଶିବବାବାଙ୍କ ସ୍ମୃତିରେ ବସିଛୁ । ତୁମ ପିଲାମାନଙ୍କର ଅର୍ଥାତ୍ ଆତ୍ମାମାନଙ୍କର ସମ୍ବନ୍ଧ ଶିବବାବାଙ୍କ ସହିତ ରହିଛି । ତୁମେ ଏହାଙ୍କ ଦ୍ୱାରା ଶିବବାବାଙ୍କର ସନ୍ତାନ ହୋଇଛ କାହିଁକିନା ଶିବବାବା ବ୍ରହ୍ମାଙ୍କ ଦ୍ୱାରା ହିଁ ମିଳିଥା’ନ୍ତି । ବ୍ରହ୍ମାଙ୍କୁ ମଝିରେ ଦଲାଲ ମଧ୍ୟ କୁହାଯାଏ । ତୁମର ଦଲାଲ ସହିତ କୌଣସି ସମ୍ପର୍କ ନାହିଁ । ଇଏ ତ କେବଳ ମଝିରେ ମଧ୍ୟସି୍ଥ ରୂପରେ ଅଛନ୍ତି । ସମସ୍ତଙ୍କର ନେଣ-ଦେଣର ହିସାବ-କିତାବ ବାବାଙ୍କ ସହିତ ହେବାର ଅଛି, ୟାଙ୍କ ସହିତ ନୁହେଁ । ଏହାଙ୍କର ମଧ୍ୟ ନେଣ-ଦେଣ ବାବାଙ୍କ ସହିତ ରହିଛି । ଇଏ ମଧ୍ୟ ବାବାଙ୍କୁ କହୁଛନ୍ତି - ବାବା ମୋର ସବୁ କିଛି ଆପଣଙ୍କର ଅଟେ । ତୁମକୁ ମଧ୍ୟ ପ୍ରଥମରେ ଏହି ନିଶ୍ଚୟ ରହିଛି ଯେ ମୁଁ ଆତ୍ମା ଅଟେ ଏବଂ ଆଉ ଗୋଟିଏ ନିଶ୍ଚୟ ମଧ୍ୟ ଅଛି ଯେ - ଆମେ ଆତ୍ମାମାନେ ବର୍ତ୍ତମାନ ପରମପିତା ପରମାତ୍ମାଙ୍କଠାରୁ ସମ୍ପତ୍ତି ନେଉଛୁ । ମନ-ବଚନ-କର୍ମ ଏବଂ ଶରୀର-ମନ-ଧନରେ ଆମେ ଶିବବାବାଙ୍କର ସହଯୋଗୀ ହେଉଛୁ । ଏ ସବୁ କିଛି ଶିବବାବାଙ୍କୁ ଅର୍ପଣ କରିଦେଇଛୁ । ପୁଣି ଶିବବାବା ନିର୍ଦ୍ଦେଶ ଦେଉଛନ୍ତି - ଏପରି ଏପରି ଏହି କାର୍ଯ୍ୟ କର । ଏହାକୁ କୁହାଯାଉଛି ଶ୍ରୀମତ୍ ।

ବାବା ନିଜେ କହୁଛନ୍ତି ମୁଁ ଏହି ପୁରୁଣା ଶରୀରରେ ପ୍ରବେଶ କରୁଛି । ବ୍ରହ୍ମା ମଧ୍ୟ ପତିତରୁ ପାବନ ହେଉଛନ୍ତି । ଏହି କଥା କିଏ କହୁଛନ୍ତି? ଶିବବାବା । ଇଏ ମଧ୍ୟ ପବିତ୍ର ହେଉଛନ୍ତି । ୟାଙ୍କର ମଧ୍ୟ ମୋ ସହିତ ହିସାବ-କିତାବ ରହିଛି । ଏହାଙ୍କ ସହିତ କାହାର ବି ହିସାବ-କିତାବ ନାହିଁ । ତୁମେମାନେ ଚିଠି ଲେଖୁଛ - ଶିବବାବା ମାର୍ଫତ୍ ବ୍ରହ୍ମା । କିନ୍ତୁ ମାୟା ଏଭଳି ଅଟେ ଯାହାକି ନିରନ୍ତର ମନେ ପକାଇବାକୁ ଦେଉନାହିଁ । ବୁଦ୍ଧିଯୋଗ ବାରମ୍ବାର ତୁଟେଇ ଦେଉଛି । ଯଦି ଏହି ପୁରୁଷାର୍ଥକୁ ଭଲ ଭାବରେ କରିବ ତେବେ ଅନ୍ୟ ସବୁ କିଛି ଭୁଲି ହୋଇଯିବ । ଶରୀର ମଧ୍ୟ ଭୁଲି ହୋଇଯିବ । ଏହି ଶରୀର ଥିବ କିନ୍ତୁ ଆତ୍ମାକୁ ଏହି ସବୁ ଜିନିଷ ପ୍ରତି ବିତୃଷ୍ଣା ଆସିବ । ଏହିଭଳି ଅବସ୍ଥାକୁ ସ୍ଥାୟୀ କରିବା ପାଇଁ ଅଭ୍ୟାସ କରିବାକୁ ପଡିଥାଏ । ଅନ୍ତରେ ଆମକୁ ନିଜର ଶରୀର ମଧ୍ୟ ମନେ ନ ପଡୁ । ବାବା କହୁଛନ୍ତି - ନିଜକୁ ଅଶରୀରୀ ମନେ କରି ମୋତେ ମନେ ପକାଅ । ମୁଁ ସଦା ସର୍ବଦା ଅଶରୀରୀ ଅଟେ, ତୁମେ ମଧ୍ୟ ଅଶରୀରୀ ଥିଲ । ପୁଣି ତୁମେମାନେ ନିଜର ଅଭିନୟ କଲ । ଏବେ ପୁନର୍ବାର ତୁମକୁ ଅଭିନୟ କରିବାକୁ ହେବ, ଏହା ହିଁ ହେଉଛି ମେହନତ । ବିଶ୍ୱର ମାଲିକ ହେବା କ’ଣ କିଛି କମ୍ କଥା କି! ମନୁଷ୍ୟ ହିଁ ବିଶ୍ୱର ମାଲିକ ହୋଇପାରିବ । ଏହି ଦେବତାମାନେ ମଧ୍ୟ ମନୁଷ୍ୟ ଅଟନ୍ତି କିନ୍ତୁ ଏମାନଙ୍କୁ ଦୈବୀଗୁଣ ସମ୍ପନ୍ନ ଦେବତା କୁହାଯାଉଛି । ଲକ୍ଷ୍ମୀ-ନାରାୟଣ ବିଶ୍ୱର ମାଲିକ ଥିଲେ, ଏମାନଙ୍କର ନିଜର ସନ୍ତାନ ମଧ୍ୟ ଥିବେ । ସେହିମାନେ ହିଁ ତାଙ୍କୁ ମା-ବାପା ବୋଲି ମାନିବେ । କିନ୍ତୁ ଆଜିକାଲି ମନୁଷ୍ୟ ଅନ୍ଧବିଶ୍ୱାସରେ ଏହି ଲକ୍ଷ୍ମୀ-ନାରାୟଣଙ୍କୁ ତ୍ୱମେବ ମାତାଶ୍ଚ ପିତା.... କହିଦେଉଛନ୍ତି । ବାସ୍ତବରେ ଏହି ମହିମା ଶିବବାବାଙ୍କର ଅଟେ । ଦେବତାମାନଙ୍କର ମହିମା ମଧ୍ୟ ଗାୟନ କରୁଛନ୍ତି ଆପଣ ସର୍ବଗୁଣ ସମ୍ପନ୍ନ... କିନ୍ତୁ ସେମାନଙ୍କର ପୂଜା କାହିଁକି କରୁଛନ୍ତି, ଏ କଥା କାହାରିକୁ ଜଣା ନାହିଁ । ଏବେ ତୁମେ ଆଉ ଏଭଳି ମହିମା ଗାୟନ କରିବ ନାହିଁ, ଯେ ତୁମେ ମାତା-ପିତା... । ହଁ ତୁମେମାନେ ଜାଣିଛ ଶିବବାବା ହିଁ ସେହି ନିରାକାର ପରମପିତା ପରମାତ୍ମା ଅଟନ୍ତି । ତାଙ୍କଠାରୁ ହିଁ ଅସରନ୍ତି ସୁଖ ମିଳିଥାଏ । ବାକି ଯିଏବି ସମ୍ବନ୍ଧୀ ଆଦି ଅଛନ୍ତି ସେମାନଙ୍କଠାରୁ ଦୁଃଖ ହିଁ ମିଳୁଛି । ଇଏ ତ ଜଣେ ହିଁ ସାକାରୀନ୍ ଅଟନ୍ତି, ଯାହାଙ୍କଠାରୁ ସର୍ବ ସମ୍ବନ୍ଧର ସୁଖ ମିଳିଥାଏ, ସେଥିପାଇଁ ବାବା କହୁଛନ୍ତି ମାମୁଁ, କକେଇ, ଦାଦା ଇତ୍ୟାଦି ସମସ୍ତଙ୍କଠାରୁ ବୁଦ୍ଧିର ଯୋଗ ତୁଟେଇ କେବଳ ମୋତେ ସ୍ମରଣ କର । ତୁମେ ଗାୟନ ମଧ୍ୟ କରୁଛ ଦୁଃଖହର୍ତ୍ତା ସୁଖକର୍ତ୍ତା.... । ସମସ୍ତଙ୍କର ସଦ୍‌ଗତିଦାତା ଜଣେ ହିଁ ଅଟନ୍ତି, ସିଏ ହିଁ ଆମର ସବୁକିଛି ଅଟନ୍ତି । ଲୌକିକ ପିତାଙ୍କଠାରୁ ମଧ୍ୟ ଦୁଃଖ ମିଳିଥାଏ । ବାକି ରହିଲେ ଶିକ୍ଷକ ଯିଏକି କାହାକୁ ଦୁଃଖ ଦିଅନ୍ତି ନାହିଁ । ଟିଚରଙ୍କ ପାଖକୁ ଯାଇ ପାଠ ପଢିବା ଦ୍ୱାରା ତୁମେ ଶରୀର ନିର୍ବାହ କରୁଛ । ବିଭିନ୍ନ ପ୍ରକାରର କୌଶଳ ଶିକ୍ଷା ଦେବା ପାଇଁ ଶିକ୍ଷକ ମଧ୍ୟ ଅଛନ୍ତି । ସେମାନେ ସବୁ ଅଳ୍ପ କାଳ ପାଇଁ ଶିକ୍ଷା ଦେଇଥାନ୍ତି । ଭକ୍ତିରେ ମଧ୍ୟ ମହିମା ଏକମାତ୍ର ରାମ ଅର୍ଥାତ୍ ପରମପିତା ପରମାତ୍ମାଙ୍କର ହିଁ କରିଥା’ନ୍ତି, ତାଙ୍କୁ ହିଁ ମନେ ପକାଉଛନ୍ତି । ବାସ୍ତବରେ ଭକ୍ତି ମଧ୍ୟ ଜଣଙ୍କର ହିଁ କରିବା ଉଚିତ୍ । ସେହି ଜଣେ ହିଁ ତୁମକୁ ପୂଜ୍ୟ କରୁଛନ୍ତି । ତୁମେ ପ୍ରଥମେ କେବଳ ଶିବବାବାଙ୍କର ପୂଜା କରୁଛ । ତାକୁ ସତ୍ତ୍ୱପ୍ରଧାନ ଭକ୍ତି କୁହାଯାଉଛି । ପୁଣି ଆତ୍ମା ମଧ୍ୟ ସତ୍ତ୍ୱପ୍ରଧାନରୁ ସତ୍ତ୍ୱ-ରଜୋ-ତମୋ ହୋଇଥାଏ । ତୁମେ ଜାଣୁଛ ଯେ ଆମେମାନେ ହିଁ ପୂଜାରୀ ହେଉଛୁ । ତୁମେମାନେ ପ୍ରଥମେ ପ୍ରଥମେ କେବଳ ଏକ ଶିବବାବାଙ୍କର ହିଁ ପୂଜା କରୁଛ ପୁଣି କଳା କମି କମି ଯାଉଛି । ଭକ୍ତି ମଧ୍ୟ ସତ୍ତ୍ୱପ୍ରଧାନରୁ ସତ୍ତ୍ୱ-ରଜୋ-ତମୋ ହୋଇଯାଏ । ସାରା ଡ୍ରାମା ତୁମ ଉପରେ ହିଁ ତିଆରି ହୋଇଛି । ନିଜେ ହିଁ ପୂଜ୍ୟ ନିଜେ ହିଁ ପୂଜାରୀ, ଯେଉଁମାନେ ସମ୍ପୂର୍ଣ୍ଣ ୮୪ ଜନ୍ମ ନେଉଛନ୍ତି, ସେହିମାନଙ୍କର ହିଁ କାହାଣୀ ଅଟେ । ସେହିମାନଙ୍କୁ ହିଁ ବାବା ଆସି ଶୁଣାଉଛନ୍ତି - ତୁମେ ୮୪ ଜନ୍ମ କିପରି ନେଇଛ । ହିସାବ ହିଁ ସେହିମାନଙ୍କର ଅଟେ । ଯେଉଁମାନେ ପ୍ରଥମେ ପ୍ରଥମେ ପୂଜ୍ୟ ଦେବୀ-ଦେବତା ହେଉଛନ୍ତି, ସେହିମାନେ ହିଁ ପୂଜାରୀ ହେଉଛନ୍ତି ।

ବାବା କହୁଛନ୍ତି - ମୁଁ କଳ୍ପ କଳ୍ପ ଆସି ତୁମକୁ ପାଠ ପଢାଉଛି ଏବଂ ଦେବୀ-ଦେବତା ଧର୍ମର ସ୍ଥାପନା କରୁଛି, ରାଜଯୋଗ ଶିଖାଉଛି । ଭଗବାନ ତ ଜଣେ ହିଁ ଅଟନ୍ତି । ସେମାନେ ତ କହୁଛନ୍ତି - ମାଟି-ଗୋଡି, ଅଣୁ ପରମାଣୁ ମଧ୍ୟରେ ପରମାତ୍ମା ଅଛନ୍ତି । କିନ୍ତୁ ଏପରି ତ ହୋଇପାରିବ ନାହିଁ । ଭଗବାନଙ୍କର ମହିମା ତ ଅପରମଅପାର ଅଟେ । କହୁଛନ୍ତି - ହେ ବାବା ଆପଣଙ୍କର ଗତି ଏବଂ ମତ ନିଆରା ଅର୍ଥାତ୍ ତୁମଠାରୁ ଯେଉଁ ଶ୍ରୀମତ ମିଳୁଛି ତାହା ସବୁଠାରୁ ଅଲଗା ଅଟେ । ବାବାଙ୍କୁ ହିଁ କହୁଛନ୍ତି ଗତି-ସଦ୍‌ଗତି ଦାତା ପରମପିତା ପରମାତ୍ମା, ତେଣୁ ବୁଦ୍ଧି ଉପରକୁ ଚାଲିଯାଉଛି । ଦୁଃଖ ସମୟରେ ସେ ହିଁ ମନେ ପଡିଥା’ନ୍ତି । ଯଦି ରାମ-ସୀତା ବୁଦ୍ଧିରେ ଥିବେ ତେବେ ସାରା ରାମାୟଣ ବୁଦ୍ଧିରେ ଆସିଯିବ । ତୁମେ ତ ସେହି ଜଣେ ବାବାଙ୍କୁ ହିଁ ଡାକୁଛ । କେବଳ ଏକମାତ୍ର ବାବାଙ୍କ ବ୍ୟତୀତ ଆଉ କୌଣସି ସାକାରୀ ମନୁଷ୍ୟ ବା ଆକାରୀ ଦେବତାଙ୍କ ସହିତ ବୁଦ୍ଧି ଲଗାଇବାର ନାହିଁ । ପତିତ-ପାବନ କେବଳ ଏକମାତ୍ର ବାବା ହିଁ ଅଟନ୍ତି । କୌଣସି ବି ସତସଙ୍ଗକୁ ଯାଇ ଏହା ଗାୟନ କରୁଛନ୍ତି - ଯେ ପତିତ-ପାବନ ସୀତାରାମ, କିନ୍ତୁ ଅର୍ଥ କିଛି ବି ଜାଣି ନାହାଁନ୍ତି । ଏ ସବୁ ହେଲା - ଭକ୍ତିମାର୍ଗର ଗାୟନ । ସମସ୍ତେ ରାବଣର ଜେଲରେ ଅଛନ୍ତି । ଭକ୍ତିମାର୍ଗରେ ମନୁଷ୍ୟ ବହୁତ ବାଟବଣା ହେଉଛନ୍ତି । ଏଠାରେ ବାଟବଣା ହେବାର କୌଣସି କଥା ନାହିଁ । ବାବା ବୁଝାଉଛନ୍ତି, ପିଲାମାନଙ୍କୁ ଜ୍ଞାନର ପଏଣ୍ଟଗୁଡିକୁ ବୁଦ୍ଧିରେ ଭଲ ଭାବରେ ଧାରଣ କରିବାକୁ ହେବ, ପାଠ ନିୟମିତ ପଢିବାକୁ ହେବ । ଯଦି କୌଣସି କାରଣରୁ ସକାଳୁ ଆସି ନ ପାରୁଛ ତେବେ ଅପରାହ୍ନରେ ଆସିଯିବା ଉଚିତ୍ । କାହାକୁ ବିରକ୍ତ ମଧ୍ୟ କରିବାର ନାହିଁ । ସାରା ଦିନ ପଡିଛି, କେତେବେଳେ ବି ଯାଇ ପାଠପଢିବା ଦରକାର । ଏହି କନ୍ୟାମାନେ ସକାଳୁ ନେଇ ସନ୍ଧ୍ୟା ପର୍ଯ୍ୟନ୍ତ ସେବାରେ ଉପସ୍ଥିତ ଅଛନ୍ତି । ସାରା ଦିନ ସେବାକେନ୍ଦ୍ର ଖୋଲା ରହିଛି । ଯେ କେହି ବି ଆସନ୍ତୁ ତାଙ୍କୁ ରାସ୍ତା ବତାଇବାକୁ ହେବ । ପ୍ରଥମେ ପ୍ରଥମେ ତ ଶୁଣାଇବାକୁ ହେବ - ବିଚାର କର ତୁମର ଦୁଇଜଣ ପିତା ଅଛନ୍ତି । ଦୁଃଖରେ ପାରଲୌକିକ ପିତାଙ୍କୁ ମନେ ପକାଇଥା’ନ୍ତି ନା । ଏବେ ଶିବବାବା କହୁଛନ୍ତି କେବଳ ମୋତେ ହିଁ ମନେ ପକାଅ । ମୃତ୍ୟୁ ତ ସମ୍ମୁଖରେ ଉପସ୍ଥିତ । ଏହା ସେହି ମହାଭାରତ ଲଢେଇ ଅଟେ । ଯଦିଓ ବଡ-ବଡ କୋଟି ପତି-ପଦମପତି ଅଛନ୍ତି, ବଡ ବଡ ଅଟ୍ଟାଳିକା ଆଦି ତିଆରି କରୁଛନ୍ତି । କିନ୍ତୁ ସେସବୁ କ’ଣ ରହିବ, ଏସବୁ ତ ନଷ୍ଟ ହୋଇଯିବ । ସେମାନେ ଭାବୁଛନ୍ତି - କଳିଯୁଗର ଆୟୁଷ ଲକ୍ଷ-ଲକ୍ଷ ବର୍ଷ ଅଟେ । ଏହାକୁ କୁହାଯାଉଛି ଘୋର ଅନ୍ଧକାର । ଯଦି କାହା ପାଖରେ ଧନ ଅଛି, ତେବେ ପଚାରୁଛନ୍ତି, ଘର ତିଆରି କରିବୁ । ବାବା କହିବେ ଯଦି ପଇସା ଅଛି ତେବେ ତିଆରି କର । ଧନ ବି ତ ମାଟିରେ ମିଶିଯିବ, ଏସବୁ ତ ଅସ୍ଥାୟୀ ଅଟେ । ନଚେତ୍ ଏହିସବୁ ଧନ ସମ୍ପତ୍ତି ମଧ୍ୟ ଚାଲିଯିବ । କିଛି ବି ରହିବ ନାହିଁ, ଭଲେ ଘର ଆଦି ତିଆରି କର । ପୁଣି ସେଥିରେ ଗୀତା ପାଠଶାଳା ପାଇଁ ବ୍ୟବସ୍ଥା ରଖ । ଯିଏବି ତୁମ ଦୁଆରକୁ ଆସନ୍ତୁ ତାଙ୍କୁ ଏଭଳି ଭିକ୍ଷା ଦିଅ ଯଦ୍ୱାରା ସେ ବିଶ୍ୱର ମାଲିକ ହୋଇଯିବେ । ତୁମ ପାଖରେ ଅସରନ୍ତି ଜ୍ଞାନ ଧନ ରହିଛି । ଏତେ ଧନ ଆଉ କାହା ପାଖରେ ନାହିଁ । ତୁମମାନଙ୍କ ଭିତରେ ସବୁଠାରୁ ଧନବାନ ସିଏ ଯାହାଙ୍କ ବୁଦ୍ଧିରେ ବହୁତ ଜ୍ଞାନ ରତ୍ନ ଭରି ହୋଇ ରହିଛି । ଯେକେହି ବି ଆସନ୍ତୁ, ତୁମେ ତାଙ୍କର ବୁଦ୍ଧି ରୂପକ ଝୁଲା ଭରଣା କରିଦିଅ । ତୁମ ପାଖରେ ବହୁତ ସମ୍ପତ୍ତି ରହିଛି । କେବଳ ଏହି ବୋର୍ଡ ଲଗାଇ ଦିଅ - ଆସନ୍ତୁ ଆମେ ଆପଣଙ୍କୁ ସଦା ସୁଖୀ ସ୍ୱର୍ଗର ସମ୍ପତ୍ତି ପାଇବାର ରାସ୍ତା ବତାଇବୁ । କିନ୍ତୁ ପିଲାମାନଙ୍କ ଭିତରେ ସେହିଭଳି ନିଶା ରହୁନାହିଁ । ଏଠାକୁ ଆସିଲେ ନିଶା ଚଢିଯାଉଛି କିନ୍ତୁ ବାହାରକୁ ଗଲେ ଭୁଲି ଯାଉଛନ୍ତି । ତୁମ ଭିତରେ ସଉକ ରହିବା ଦରକାର । କେହି ବି ଆସନ୍ତୁ ତାଙ୍କୁ ଏଭଳି ରାସ୍ତା ବତାଅ ଯାହାଦ୍ୱାରା ତାଙ୍କର ଜୀବନ ନୌକା ପାରି ହୋଇଯିବ । ତୁମ ପାଖରେ ବହୁତ ପରିମାଣରେ ଧନ ରହିଛି । କେହି ବି ଭିକାରୀ ଆସନ୍ତୁ ବା କେହି ଲକ୍ଷପତି ଆସନ୍ତୁ କିନ୍ତୁ ତୁମେ ତାଙ୍କୁ ବହୁତ ରତ୍ନ ଦେଇପାରିବ । ବାବା ଏଠାରେ ନିଶା ଚଢାଉଛନ୍ତି ପୁଣି ତାହା ସୋଢା ପାଣି ଭଳି ତୁରନ୍ତ କମ୍ ହୋଇଯାଉଛି । ବାବା ତୁମର ଝୋଲିକୁ ଅବିନାଶୀ ଜ୍ଞାନର ରତ୍ନରେ ଭରି ଦେଉଛନ୍ତି । କିନ୍ତୁ ତୁମ ଭିତରେ କ୍ରମାନ୍ୱୟରେ ଅଛନ୍ତି । ଯଦି କାହାର ଭାଗ୍ୟରେ ଅଛି ତେବେ ପୂର୍ଣ୍ଣ ରୂପରେ ଧାରଣ କରି ନେଉଛନ୍ତି । ବାବା କହୁଛନ୍ତି - ଚେଷ୍ଟା କରି ତୁମେ ନିରନ୍ତର ୟାଦରେ ରୁହ । ଏମିତି ନୁହେଁ କି ସେଣ୍ଟରକୁ ଯାଇ ଗୋଟିଏ ଜାଗାରେ ବସି ଯିବାକୁ ହେବ । ନା, ଚାଲି-ବୁଲି ଯାହା ବି ସମୟ ମିଳୁଛି ବାବାଙ୍କୁ ସ୍ମରଣ କରିଚାଲ । ହାତରେ କାମ, ଦିଲ୍ ଅର୍ଥାତ୍ ବୁଦ୍ଧିର ଯୋଗ ବାବାଙ୍କ ସାଥୀରେ ରହିଥାଉ । ବାବାଙ୍କୁ ସ୍ମରଣ କରିବା ଦ୍ୱାରା ତୁମର ବହୁତ କଲ୍ୟାଣ ହେବ । ୨୧ ଜନ୍ମ ପାଇଁ ତୁମେ ଧନବାନ ହୋଇଯାଉଛ । ବେହଦର ପିତା ବେହଦର ବା ଅବିନାଶୀ ସମ୍ପତ୍ତି ଦେଉଛନ୍ତି । ଭାରତ ସ୍ୱର୍ଗ ଥିଲା । ଏବେ ନର୍କ ହୋଇଯାଇଛି ।

ବାବା କହୁଛନ୍ତି - ଏବେ ମୋତେ ମନେ ପକାଅ ତେବେ ତୁମର ଆତ୍ମା ସତ୍ୱପ୍ରଧାନ ହୋଇଯିବ । ବାବାଙ୍କୁ ସ୍ମରଣ କରିବା ଦ୍ୱାରା ନିଶା ଚଢିବ । ଆମ ଭଳି ଧନବାନ ସୃଷ୍ଟିରେ ଆଉ କେହି ନାହାଁନ୍ତି । ବାବା ଯଦି ମନେ ପଡୁ ନାହାଁନ୍ତି ତେବେ ଧନ କେଉଁଠୁ ଆସିବ । ସ୍ୱର୍ଗରେ ତ ତୁମ ପିଲାମାନଙ୍କୁ ଅପାର ସୁଖ ମିଳୁଛି । ଶାସ୍ତ୍ରମାନଙ୍କରେ ତ କେତେ ସବୁ ମନଗଢା କଥା ଲେଖିଦେଇଛନ୍ତି । ଗାୟନ ମଧ୍ୟ କରୁଛନ୍ତି - ରାମ ରାଜା, ରାମ ପ୍ରଜା.... ଧର୍ମର ଉପକାର ହେଉ । ପୁଣି କହୁଛନ୍ତି ରାମଙ୍କର ସୀତା ଚୋରି ହୋଇଗଲା, ବନ୍ଦର ସେନାର ସହଯୋଗ ନେଇଥିଲେ.... ଆଗରୁ ଆମେ ନିଜେ ମଧ୍ୟ ପଢୁଥିଲେ କିନ୍ତୁ କିଛି ବି ବୁଝିପାରୁ ନ ଥିଲେ । ଏବେ କେତେ ବୁଝିପାରୁଛ । କେତେ ଆଶ୍ଚର୍ଯ୍ୟ ଜନକ କଥା ସବୁ ଲେଖି ଦେଇଛନ୍ତି । ବାବା କହୁଛନ୍ତି - ମୋତେ ପ୍ରକୃତିର ଆଧାର ନେବାକୁ ପଡୁଛି । ତିରମୂର୍ତ୍ତି ଚିତ୍ରରେ ମଧ୍ୟ ବ୍ରହ୍ମା, ବିଷ୍ଣୁ, ଶଙ୍କରଙ୍କୁ ଦେଖାଉଛନ୍ତି । କିନ୍ତୁ ଏକଥା ମଧ୍ୟ ଜାଣି ନାହାଁନ୍ତି ଯେ ବିଷ୍ଣୁ କିଏ । କେଉଁଠାରେ ରୁହନ୍ତି । ବିଷ୍ଣୁଙ୍କ ମନ୍ଦିରକୁ ନର ନାରାୟଣଙ୍କର ମନ୍ଦିର କହୁଛନ୍ତି । କିନ୍ତୁ ଅର୍ଥ କିଛି ବି ବୁଝି ନାହାଁନ୍ତି । ବିଷ୍ଣୁଙ୍କର ଏହି ଦୁଇ ରୂପ ଲକ୍ଷ୍ମୀ-ନାରାୟଣ ଅଟନ୍ତି, ଯେଉଁମାନେ ସତ୍ୟଯୁଗରେ ରାଜତ୍ୱ କରୁଥିଲେ । ଏବେ ତୁମେ ମନୁଷ୍ୟରୁ ଦେବତା ହେଉଛ । କେହି ଯଦି ଆସୁଛନ୍ତି ତେବେ କୁହ ଏମାନେ ବ୍ରହ୍ମାକୁମାର-କୁମାରୀ ଅଟନ୍ତି । ତେବେ ପ୍ରଜାପିତା ବ୍ରହ୍ମା ସମସ୍ତଙ୍କର ପିତା ହେଲେ । ପ୍ରଜା ତ ବହୁତ ଢେର ଅଛନ୍ତି । ନାମ ତ ଶୁଣିଛ ନା । ଭଗବାନ ବ୍ରହ୍ମାଙ୍କ ଦ୍ୱାରା ବ୍ରାହ୍ମଣ ରଚନା କରିଥିଲେ । ବାବା ତ ନିଶ୍ଚିତ ଭାବରେ ପିଲାମାନଙ୍କୁ ସମ୍ପତ୍ତି ଦେଇଥିବେ ନା । ତୁମ ସନ୍ତାନମାନଙ୍କୁ ବିଶ୍ୱର ମାଲିକ କରୁଛନ୍ତି । ତୁମେମାନେ ଶିବବାବାଙ୍କଠାରୁ ସମ୍ପତ୍ତି ପ୍ରାପ୍ତ କରୁଛ । ଜଣେ ହେଲେ ଲୌକିକ ପିତା, ଆଉ ଜଣେ ହେଲେ ପାରଲୌକିକ ପିତା । ଏବେ ଏଠାରେ ତୁମକୁ ଅଲୌକିକ ପିତା ରୂପରେ ବ୍ରହ୍ମାବାବା ମିଳିଛନ୍ତି, ଇଏ ତ ହୀରା ବ୍ୟବସାୟୀ ଥିଲେ । ଇଏ କ’ଣ କିଛି ଜାଣିଥିଲେ କି । ୟାଙ୍କ ପାଇଁ କୁହାଯାଉଛି ଯେ ୟାଙ୍କର ବହୁତ ଜନ୍ମର ଶେଷ ଜନ୍ମର ମଧ୍ୟ ଶେଷ ସମୟରେ ୟାଙ୍କ ଭିତରେ ପ୍ରବେଶ କରିଥାଏ । ବାନପ୍ରସ୍ଥୀ ହେବାର ପ୍ରଥା ମଧ୍ୟ ଭାରତରେ ହିଁ ରହିଛି । ୬୦ ବର୍ଷ ପରେ ଗୁରୁଙ୍କ ପାଖକୁ ଚାଲି ଯାଇଥା’ନ୍ତି । ବାବା ୟାଙ୍କ ଭିତରେ ପ୍ରବେଶ କରି କହୁଛନ୍ତି ଏବେ ତୁମକୁ ଘରକୁ ଯିବାକୁ ହେବ । ମୁକ୍ତି ତ ସମସ୍ତେ ଚାହୁଁଛନ୍ତି କିନ୍ତୁ ମୁକ୍ତିକୁ କେହି ବି ଜାଣିନାହାଁନ୍ତି । ବ୍ରହ୍ମରେ ତ କେହି ଲୀନ ହୋଇପାରିବେ ନାହିଁ । ଏହି ସୃଷ୍ଟିର ଚକ୍ର ତ ଘୂରି ଚାଲିଛି, ସମସ୍ତଙ୍କୁ ନିଜର ଅଭିନୟ କରିବାକୁ ହିଁ ପଡିବ । କହୁଛନ୍ତି ବିଶ୍ୱର ଇତିହାସ-ଭୂଗୋଳର ପୁନରାବୃତ୍ତି ହୋଇଥାଏ । ଏହି ଅନାଦି ଡ୍ରାମା ପୂର୍ବ ନିର୍ମିତ ଅଟେ । ୮୪ ଜନ୍ମର ଅଭିନୟ ତୁମକୁ କରିବାକୁ ହିଁ ପଡିବ । ଏହା ହେଉଛି ଜ୍ଞାନର ନୃତ୍ୟ । ସେମାନେ ପୁଣି ଡମ୍ବରୁ ଦେଖାଇ ଦେଇଛନ୍ତି । ତେବେ ସୂକ୍ଷ୍ମବତନବାସୀ ଶଙ୍କର ଡମ୍ବରୁ କିପରି ବଜାଇବେ । ବାବା ବୁଝାଇଛନ୍ତି - ତୁମେମାନେ ମାଙ୍କଡ ସଦୃଶ ଥିଲ । ତେବେ ବାବା ତୁମଭଳି ମାଙ୍କଡମାନଙ୍କର ସେନାର ସହଯୋଗ ନେଇଛନ୍ତି । ତୁମ ସମ୍ମୁଖରେ ବାବା ଜ୍ଞାନର ଡମ୍ବରୁ ବଜାଉଛନ୍ତି । ତୁମକୁ ଜ୍ଞାନ ଦେଉଛନ୍ତି । ଏବେ ତୁମର ଚେହେରା ଏବଂ ଚରିତ୍ର ଦୁଇଟିଯାକ ପରିବର୍ତ୍ତନ କରୁଛନ୍ତି । କାମଚିତା ଉପରେ ବସି ତୁମେ କଳା ହୋଇଯାଇଛ । ବାବା ପୁଣି ତୁମକୁ ଜ୍ଞାନ-ଚିତା ଉପରେ ବସାଇ ତୁମର ରୂପ ଏବଂ ଚରିତ୍ର ଦୁଇଟିକୁ ପରିବର୍ତ୍ତନ କରି ଶ୍ୟାମଳରୁ ଗୋରା ବା ପତିତରୁ ପବିତ୍ର କରିଦେଉଛନ୍ତି । ଏଠାରେ ବାବା କେତେ ନିଶା ଚଢାଉଛନ୍ତି, ପୁଣି ସେହି ନିଶା କାହିଁକି ସମାପ୍ତ ହୋଇଯାଉଛି । ଆଚ୍ଛା—

ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ ସୁପ୍ରଭାତ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।

ଧାରଣା ପାଇଁ ମୁଖ୍ୟ ସାର :—
(୧) ବାବା ଯେଉଁ ଅସରନ୍ତି ଜ୍ଞାନର ଧନ ଦେଇଛନ୍ତି, ସେଗୁଡିକୁ ଧାରଣ କରି ନିଜେ ଧନବାନ ହେବା ସହିତ ଅନ୍ୟ ସମସ୍ତଙ୍କୁ ମଧ୍ୟ ଦାନ କରିବାକୁ ହେବ । ଯିଏବି ଆସନ୍ତୁ ତାଙ୍କର ବୁଦ୍ଧି ରୂପୀ ଝୁଲା ଭରି ଦେବାକୁ ହେବ ।

(୨) ବାବାଙ୍କର ସ୍ମୃତି ଦ୍ୱାରା ହିଁ କଲ୍ୟାଣ ହେବ, ସେଥିପାଇଁ ଯେତେ ଦୂର ସମ୍ଭବ ଚାଲିବା ବୁଲିବା ସମୟରେ ମଧ୍ୟ ବାବାଙ୍କ ସ୍ମୃତିରେ ରହିବାକୁ ହେବ । ସର୍ବ ସମ୍ବନ୍ଧର ଭାବ ଏକମାତ୍ର ବାବାଙ୍କଠାରୁ ଅନୁଭବ କରିବାକୁ ହେବ ।

ବରଦାନ:-
ସର୍ବଦା ବ୍ୟସ୍ତ ରହିବାର ବିଧି ଦ୍ୱାରା ବ୍ୟର୍ଥ ସଂକଳ୍ପର ଅଭିଯୋଗକୁ ସମାପ୍ତ କରୁଥିବା ସମ୍ପୂର୍ଣ୍ଣ କର୍ମାତୀତ ଭବ ।

ସମ୍ପୂର୍ଣ୍ଣ କର୍ମାତୀତ ହେବାରେ ବ୍ୟର୍ଥ ସଂକଳ୍ପର ତୋଫାନ ହିଁ ବିଘ୍ନ ପକାଇଥାଏ । ତେଣୁ ଏହି ବ୍ୟର୍ଥ ସଂକଳ୍ପର ଅଭିଯୋଗକୁ ସମାପ୍ତ କରିବା ପାଇଁ ନିଜର ମନକୁ ସବୁ ସମୟରେ ବ୍ୟସ୍ତ ରଖ, ସମୟକୁ ବୁକିଙ୍ଗ୍ କରିବା ଅର୍ଥାତ୍ ପୂର୍ବ ନିର୍ଦ୍ଦାରଣ କରିବାର ଉପାୟ ଶିଖ । ସାରା ଦିନ ମନକୁ କେଉଁଠି କେଉଁଠି ବ୍ୟସ୍ତ ରଖିବାର ଅଛି । ଏହାର କାର୍ଯ୍ୟକ୍ରମ ପ୍ରସ୍ତୁତ କର । ପ୍ରତିଦିନ ନିଜର ମନକୁ ୪ଟି କଥାର ବ୍ୟସ୍ତ ରଖ - (୧) ମିଳନ ଅର୍ଥାତ୍ ଆତ୍ମିକ ବାର୍ତ୍ତାଳାପ (୨) ବର୍ଣ୍ଣନ ଅର୍ଥାତ୍ ସେବା (୩) ମଗନ ଏବଂ (୪) ଲଗନ । ଏହାଦ୍ୱାରା ତୁମର ସମୟ ସଫଳ ହୋଇଯିବ ଏବଂ ବ୍ୟର୍ଥର ଅଭିଯୋଗ ସମାପ୍ତ ହୋଇଯିବ ।

ସ୍ଲୋଗାନ:-
ସଫଳତାକୁ ପରମାତ୍ମ ଜନ୍ମ ସିଦ୍ଧ ଅଧିକାର ମନେ କରୁଥିବା ଆତ୍ମା ହିଁ ସର୍ବଦା ପ୍ରସନ୍ନଚିତ୍ତ ରହିପାରିବ ।

ଅବ୍ୟକ୍ତ ଈଶାରା:- ସର୍ବଦା ହର୍ଷିତ ରହିବା ପାଇଁ ନିଜର ସ୍ୱଭାବକୁ ସରଳ କର ଏବଂ ସହନଶୀଳ ହୁଅ ।

ସରଳତା ଆଣିବା ପାଇଁ କେବଳ ଗୋଟିଏ କଥା ପ୍ରତି ଧ୍ୟାନ ଦେବା ଜରୁରୀ ଅଟେ । ନିଜର ସ୍ଥିତି ଅର୍ଥାତ୍ ପ୍ରଂଶସା ଆଧାରରେ ନ ହେଉ । କେତେକ ପିଲା କର୍ତ୍ତବ୍ୟର ଫଳ ପାଇବାର ଇଚ୍ଛା ଅଧିକ ରଖିଥାଆନ୍ତି ସେଥିପାଇଁ ଯଦି ପ୍ରଂଶସା ନ ମିଳିଲା ତେବେ ତାଙ୍କର ସ୍ଥିତି ହଲଚଲ ହୋଇଯାଏ । ଯଦି ନିନ୍ଦା ମିଳିଗଲା, ତେବେ ଯେପରି ଅନାଥ ହୋଇଥାଆନ୍ତି । ନିଜର ସ୍ଥିତିକୁ ଛାଡିବା ସହିତ ନିଜର ପିତାଙ୍କୁ ମଧ୍ୟ ଭୁଲିଯାଆନ୍ତି ସେଥିପାଇଁ ସ୍ତୁତିର ଆଧାର ଉପରେ ନିଜର ସ୍ଥିତିର ଆଧାର ରଖ ନାହିଁ ।