21.09.26 Morning Odia Murli Om Shanti BapDada Madhuban
“ମିଠେ ବଚ୍ଚେ:- ନିଜଠାରୁ
ବଡମାନଙ୍କୁ ସମ୍ମାନ ଦେବା ଏହା ମଧ୍ୟ ଦୈବୀଗୁଣ ଅଟେ, ଯେଉଁମାନେ ହୁସିଆର ଭଲ ଭାବରେ ବୁଝାଇପାରନ୍ତି,
ସେହିମାନଙ୍କୁ ଅନୁକରଣ କରିବାକୁ ହେବ ।”
ପ୍ରଶ୍ନ:-
ସତ୍ୟଯୁଗରେ
ଭକ୍ତି ମାର୍ଗର କୌଣସି ପ୍ରଥା-ପରମ୍ପରା ନ ଥାଏ - କାହିଁକି?
ଉତ୍ତର:-
କାହିଁକିନା ଜ୍ଞାନର ସାଗର ବାବା ଜ୍ଞାନ ଦେଇ ଆମମାନଙ୍କୁ ସଦ୍ଗତିକୁ ପଠାଇ ଦେଇଥାଆନ୍ତି । ଆମକୁ
ଭକ୍ତିର ଫଳ ମିଳିଯାଉଛି । ଜ୍ଞାନ ମିଳିବା ଦ୍ୱାରା ଭକ୍ତିକୁ ଯେପରି ଛାଡପତ୍ର ମିଳିଯାଉଛି ।
ଯେତେବେଳେ ଏହା ଜ୍ଞାନର ପ୍ରାରବ୍ଧ ଭୋଗ କରିବାର ସମୟ ସେତେବେଳେ ଭକ୍ତି, ତପ, ଦାନ ପୁଣ୍ୟ କରିବାର
କ’ଣ ଆବଶ୍ୟକତା ରହିଛି! ସେଠାରେ ଏପରି କୌଣସି ପ୍ରଥା ରହି ପାରିବ ନାହିଁ ।
ଓମ୍ ଶାନ୍ତି ।
ପତିତ-ପାବନ ଶିବ
ଭଗବାନୁବାଚ । ଏବେ ବାବା ବସି ପିଲାମାନଙ୍କୁ ଜ୍ଞାନ ଶୁଣାଉଛନ୍ତି । ପିଲାମାନଙ୍କୁ ବୁଝାଯାଉଛି ଯେ
ଯେତେବେଳେ ମୁଁ ଏଠାକୁ ଆସୁଛି ତେବେ ପତିତ ମାନଙ୍କୁ ପାବନ କରିବାର ଜ୍ଞାନ ଶୁଣାଉଛି ଆଉ କେହି ଏହି
ଜ୍ଞାନ ଶିଖାଇ ପାରିବେ ନାହିଁ । ଦୁନିଆରେ ତ ଭକ୍ତି ହିଁ ଶିଖାଇଥା’ନ୍ତି । ଜ୍ଞାନ କେବଳ ତୁମେ
ପିଲାମାନେ ହିଁ ଶିଖୁଛ ଯାହା ଫଳରେ ତୁମେ ନିଜକୁ ବ୍ରହ୍ମାକୁମାର-କୁମାରୀ ବୋଲି ଭାବୁଛ । ଦିଲୱାଡା
ମନ୍ଦିର ତୁମ ସମ୍ମୁଖରେ ରହିଛି । ସେଠାରେ ମଧ୍ୟ ରାଜଯୋଗ ତପସ୍ୟାରେ ବସିଛନ୍ତି । ଜଗତଅମ୍ବା ମଧ୍ୟ
ଅଛନ୍ତି ଏବଂ ପ୍ରଜାପିତା ମଧ୍ୟ ଅଛନ୍ତି । କୁମାରୀ କନ୍ୟା, ଅଧର କୁମାରୀ ମଧ୍ୟ ଅଛନ୍ତି । ବାବା
ରାଜଯୋଗ ଶିଖାଉଛନ୍ତି । ଉପରେ ରାଜତ୍ୱର ଚିତ୍ର ମଧ୍ୟ ରହିଛି । ବାବା କୌଣସି ଭକ୍ତି ଶିଖାଉ
ନାହାଁନ୍ତି । ଭକ୍ତି ସେହିମାନଙ୍କର କରାଯାଇଥାଏ ଯେଉଁମାନେ ଶିକ୍ଷା ଦେଇ ଯାଇଛନ୍ତି । କିନ୍ତୁ
ସେମାନଙ୍କୁ ଜଣା ନାହିଁ ଯେ କିଏ ରାଜଯୋଗ ଶିଖାଇ ରାଜତ୍ୱ ସ୍ଥାପନ କରିଯାଇଛନ୍ତି । ତୁମେ ପିଲାମାନେ
ଏବେ ଜାଣୁଛ ଯେ ଭକ୍ତି ଅଲଗା ଏବଂ ଜ୍ଞାନ ଅଲଗା ଜିନିଷ ଅଟେ । ଜ୍ଞାନ କେବଳ ଜଣେ ହିଁ ଶୁଣାଇ
ପାରିବେ ଆଉ କେହି ଶୁଣାଇ ପାରିବେ ନାହିଁ । ଜ୍ଞାନର ସାଗର ଜଣେ ହିଁ ଅଟନ୍ତି । ସିଏ ଆସି ଏହି
ଜ୍ଞାନ ଦ୍ୱାରା ପତିତମାନଙ୍କୁ ପବିତ୍ର କରାଉଛନ୍ତି । ଆଉ ଯେତେ ବି ସତସଙ୍ଗ ରହିଛି, ସେମାନଙ୍କ
ମଧ୍ୟରୁ କେହି ବି ଜ୍ଞାନ ଶିଖାଇ ପାରିବେ ନାହିଁ । ଯଦିଓ ନିଜକୁ ଶ୍ରୀ ଶ୍ରୀ ୧୦୮ ଜଗତଗୁରୁ,
ଭଗବାନ ବୋଲି ବି କହୁଛନ୍ତି, କିନ୍ତୁ ଏପରି କେହି କହୁନାହାଁନ୍ତି ଯେ ମୁଁ ସମସ୍ତଙ୍କର ପରମପିତା
ଜ୍ଞାନର ସାଗର ଅଟେ, ସେମାନଙ୍କୁ ତ କେହି ପରମପିତା ବୋଲି କହୁନାହାଁନ୍ତି । ଏକଥା ତ ଜାଣିଛନ୍ତି
ଯେ ପରମପିତା ପତିତ-ପାବନ ଅଟନ୍ତି । ଏହି ଜ୍ଞାନର ପଏଣ୍ଟସ୍ ଗୁଡିକୁ ବୁଦ୍ଧିରେ ଭଲ ଭାବରେ ରଖିବାକୁ
ହେବ । ମନୁଷ୍ୟମାନେ କହୁଛନ୍ତି ଯେ ଏହି ବ୍ରହ୍ମାକୁମାରୀମାନେ ଭକ୍ତିକୁ ପରିତ୍ୟାଗ କରୁଛନ୍ତି ।
କିନ୍ତୁ ଯେତେବେଳେ ଜ୍ଞାନ ମିଳିଯାଏ, ତେବେ ଭକ୍ତିକୁ ଛାଡପତ୍ର ଦେବାକୁ ହିଁ ପଡିଥାଏ । ଏପରି ନୁହେଁ
ଯେ, ଯେତେବେଳେ ଭକ୍ତିକୁ ଯାଉଛନ୍ତି ସେତେବେଳେ ଜଣାପଡୁଛି ଯେ ଆମେ ଜ୍ଞାନକୁ ଛାଡପତ୍ର ଦେଉଛୁ ।
ନା, ସେମାନେ ତ ଆପେ ଆପେ ରାବଣ ରାଜ୍ୟକୁ ଆସିଯାଉଛନ୍ତି । ଏବେ ତୁମକୁ ଜ୍ଞାନ ମିଳୁଛି ଯେ ବାବା
ଆମକୁ ରାଜଯୋଗ ଶିଖାଉଛନ୍ତି । ଏହା ରାଜଯୋଗର ଜ୍ଞାନ ଅଟେ, ଏହାକୁ ଭକ୍ତି କୁହାଯିବ ନାହିଁ ।
ଭଗବାନ ଜ୍ଞାନର ସାଗର ଅଟନ୍ତି, ସେ କେବେ ଭକ୍ତି ଶିଖାଇବେ ନାହିଁ । ଭକ୍ତିର ଫଳ ହିଁ ହେଉଛି
ଜ୍ଞାନ । ଜ୍ଞାନ ଦ୍ୱାରା ହିଁ ସଦ୍ଗତି ହୋଇଥାଏ । କଳିଯୁଗର ଅନ୍ତିମ ସମୟରେ ସମସ୍ତେ ଦୁଃଖୀ
ହୋଇଯାଇଛନ୍ତି, ସେଥିପାଇଁ ଏହି ପୁରୁଣା ଦୁନିଆକୁ ଦୁଃଖଧାମ କୁହାଯାଉଛି । ଏହି କଥାକୁ ବର୍ତ୍ତମାନ
ତୁମେମାନେ ବୁଝୁଛ । ବାବା ଭକ୍ତିର ଫଳ ସଦ୍ଗତି ଦେବା ପାଇଁ ଆସିଛନ୍ତି । ବାବା ଆମକୁ ରାଜଯୋଗ
ଶିଖାଉଛନ୍ତି । ଏହା ହେଉଛି ପୁରୁଣା ଦୁନିଆ, ଯାହାର ବିନାଶ ହେବାକୁ ଯାଉଛି । ଆମକୁ ନୂଆ ଦୁନିଆରେ
ରାଜତ୍ୱ ଦରକାର । ଏହା ରାଜଯୋଗର ଜ୍ଞାନ ଅଟେ । ଜ୍ଞାନ କେବଳ ଏକମାତ୍ର ପରମପିତା ପରମାତ୍ମା ଶିବ
ହିଁ ଶିଖାଉଛନ୍ତି । ତାଙ୍କୁ ହିଁ ଜ୍ଞାନର ସାଗର କୁହାଯାଉଛି, କୃଷ୍ଣଙ୍କୁ ନୁହେଁ । କୃଷ୍ଣଙ୍କର
ମହିମା ହିଁ ଅଲଗା । ସିଏ ନିଶ୍ଚୟ ପୂର୍ବ ଜନ୍ମରେ ଏହିପରି କର୍ତ୍ତବ୍ୟ କରିଥିବେ ଯାହା ଫଳରେ
ରାଜକୁମାର ହୋଇଛନ୍ତି । ଏବେ ତୁମେମାନେ ଜାଣୁଛ ଯେ ଆମେ ରାଜଯୋଗର ଜ୍ଞାନ ଶିକ୍ଷା କରି ନୂଆ
ଦୁନିଆରେ ସ୍ୱର୍ଗର ରାଜକୁମାର-କୁମାରୀ ହେବୁ । ସ୍ୱର୍ଗକୁ ସଦ୍ଗତି, ନର୍କକୁ ଦୁର୍ଗତି କୁହାଯାଏ
। ଆମେ ନିଜ ପାଇଁ ରାଜ୍ୟ ସ୍ଥାପନ କରୁଛୁ । ବାକି ଯେଉଁମାନେ ଏହି ଜ୍ଞାନ ନ ନେବେ, ପବିତ୍ର ନ ହେବେ
ସେମାନେ ରାଜଧାନୀକୁ ଆସିପାରିବେ ନାହିଁ, କାହିଁକିନା ସତ୍ୟଯୁଗରେ ବହୁତ କମ୍ ଲୋକ ରହିବେ ।
କଳିଯୁଗର ଅନ୍ତ ସମୟରେ ଯେଉଁ ଏତେ ମନୁଷ୍ୟମାନେ ଅଛନ୍ତି, ସେମାନେ ନିଶ୍ଚୟ ମୁକ୍ତିଧାମକୁ ଯିବେ ।
ହଜି ଯିବେ ନାହିଁ, ସମସ୍ତେ ଘରକୁ ଚାଲିଯିବେ । ଏବେ ତ ପିଲାମାନଙ୍କର ଘର ମନେ ପଡୁଛି, ଏବେ ୮୪
ଜନ୍ମର ଚକ୍ର ଶେଷ ହେଉଛି । ନାଟକ ମଧ୍ୟ ଶେଷ ହେଉଛି । ତୁମେମାନେ ଅନେକ ଥର ଚକ୍ର ଲଗାଇଛ । ଏକଥା
ତୁମେ ବ୍ରାହ୍ମଣ ସନ୍ତାନମାନେ ହିଁ ଜାଣିଛ । ବ୍ରାହ୍ମଣଙ୍କ ସଂଖ୍ୟା ତ ବଢି ଚାଲିଛି । ୧୬୧୦୮ର
ମାଳା ମଧ୍ୟ ରହିଛି । ସତ୍ୟଯୁଗରେ ତ ଅଧିକ ମନୁଷ୍ୟ ରହିବେ ନାହିଁ । ସତ୍ୟଯୁଗର ମଡେଲ ଅର୍ଥାତ୍
ନମୁନା ମଧ୍ୟ ଦେଖାଉଛନ୍ତି ନା । ବଡ ଜିନିଷର ମଡେଲ ଛୋଟ ହୋଇଥାଏ । ଯେପରି ସୁନାର ଦ୍ୱାରିକା
ଦେଖାଉଛନ୍ତି । କୁହାଯାଏ ଦ୍ୱାରିକାରେ କୃଷ୍ଣଙ୍କର ରାଜ୍ୟ ଥିଲା । ଏବେ ଦ୍ୱାରିକାରେ କୁହାଯିବ ନା
ଦିଲ୍ଲୀରେ କୁହାଯିବ? ଯମୁନାର କୂଳ ତ ଏହି ଦିଲ୍ଲୀରେ ଅଛି । ସେଠାରେ ତ ସମୁଦ୍ର ରହିଛି । ଏକଥା ତ
ପିଲାମାନେ ଜାଣିଛନ୍ତି ଯେ ଯମୁନା କୂଳରେ ରାଜଧାନୀ ଥିଲା । ଦ୍ୱାରିକା ରାଜଧାନୀ ନୁହେଁ । ଦିଲ୍ଲୀ
ପ୍ରସିଦ୍ଧ ଅଟେ । ଯମୁନା ନଦୀ ମଧ୍ୟ ଦରକାର । ଯମୁନାର ମହିମା ରହିଛି । ପରିସ୍ତାନ ଦିଲ୍ଲୀକୁ ହିଁ
କୁହାଯାଉଛି । ମୁଖ୍ୟ ରାଜଧାନୀ ଦିଲ୍ଲୀ ହିଁ ହେବ । ଏବେ ତ ପିଲାମାନେ ଜାଣିଛନ୍ତି ଯେ
ଭକ୍ତିମାର୍ଗ ଶେଷ ହୋଇ ଜ୍ଞାନମାର୍ଗ ହେବ । ଏବେ ଦୈବୀ ରାଜଧାନୀ ସ୍ଥାପନ ହେଉଛି । ବାବା କହୁଛନ୍ତି
- ଆଗକୁ ଗଲେ ତୁମକୁ ସବୁ ଜଣାପଡିଯିବ । କିଏ-କିଏ କେତେ ନମ୍ବରରେ ପାସ୍ ହେଉଛନ୍ତି । ସ୍କୁଲରେ
ମଧ୍ୟ ଜଣାପଡିଯାଇଥାଏ, ଅମୁକ-ଅମୁକ ଏତେ ନମ୍ବର ରଖି ପାସ୍ ହେଲେ । ଏବେ ଅନ୍ୟ ଶ୍ରେଣୀକୁ ଯିବେ ।
ଶେଷ ସମୟରେ ଭଲ ଭାବେ ଜଣାପଡିବ । କିଏ-କିଏ ପାସ୍ ହେଉଛନ୍ତି ଯିଏକି ଉଚ୍ଚ ଶ୍ରେଣୀକୁ ଟ୍ରାନ୍ସଫର
ବା ଉତ୍ତୀର୍ଣ୍ଣ ହେବେ । ଏହି କ୍ଲାସ୍ ତ ବଡ ଅଟେ ନା । ଏହା ଅବିନାଶୀ କ୍ଳାସ୍ ଅଟେ । ଦିନକୁ ଦିନ
ସେଣ୍ଟରଗୁଡିକ ବଢି ଚାଲିବ । କେହି-କେହି ଆସି ସାପ୍ତାହିକ ପାଠ୍ୟକ୍ରମ ଭଲ ଭାବରେ ବୁଝିବେ ।
ଦିନେ-ଦୁଇଦିନର ପାଠ୍ୟକ୍ରମ ମଧ୍ୟ କମ୍ ନୁହେଁ । ଦେଖୁଛନ୍ତି ଯେ କଳିଯୁଗର ବିନାଶ ସମ୍ମୁଖରେ ରହିଛି
ଏବେ ସତ୍ତ୍ୱପ୍ରଧାନ ହେବାକୁ ପଡିବ । ବାବା କହୁଛନ୍ତି ବୁଦ୍ଧିଯୋଗ ମୋ ସହିତ ଲଗାଅ ତେବେ ତୁମେ
ସତ୍ତ୍ୱପ୍ରଧାନ ହୋଇଯିବ । ତୁମେ ପୁଣି ପବିତ୍ର ଦୁନିଆକୁ ଆସିବ, ଅଭିନୟ ତ ନିଶ୍ଚୟ କରିବାକୁ ହିଁ
ହେବ । ଯେପରି ଡ୍ରାମାରେ କଳ୍ପ ପୂର୍ବରୁ ଅଭିନୟ କରି ସାରିଛ । ଭାରତବାସୀ ହିଁ ରାଜ୍ୟ କରୁଥିଲେ
ପୁଣି ବୃଦ୍ଧି ହୋଇଚାଲିଲା । ବୃକ୍ଷର ବୃଦ୍ଧି ହୋଇ ଚାଲିଥାଏ । ଭାରତବାସୀ ଦେବୀ-ଦେବତା
ଧର୍ମାବଲମ୍ବୀ ଥିଲେ । କିନ୍ତୁ ନିଜେ ପବିତ୍ର ନ ଥିବା ଯୋଗୁଁ ସେହି ପବିତ୍ର ଦେବତାମାନଙ୍କୁ ପୂଜା
କରୁଛନ୍ତି । ଯେପରି ଖ୍ରୀଷ୍ଟିୟାନ୍ମାନେ ଖ୍ରୀଷ୍ଟଙ୍କୁ ପୂଜା କରିଥାନ୍ତି । ଆଦି ସନାତନ
ଦେବୀ-ଦେବତା ଧର୍ମ ସତ୍ୟଯୁଗରେ ଥାଏ । ସତ୍ୟଯୁଗର ସ୍ଥାପନା ବାବା କରାଉଛନ୍ତି । ବାସ୍ତବରେ
ସତ୍ୟଯୁଗରେ ଏହି ଦେବତାମାନଙ୍କର ରାଜ୍ୟ ଥିଲା । ତେବେ ନିଶ୍ଚିତ ଭାବରେ ଗୋଟିଏ ଜନ୍ମ ପୂର୍ବରୁ
ଏମାନେ ପୁରୁଷାର୍ଥ କରିଥିବେ । ନିଶ୍ଚିତ ତାହା ସଂଗମଯୁଗ ହିଁ ହୋଇଥିବ । ଯେତେବେଳେ କି ପୁରୁଣା
ଦୁନିଆ ପରିବର୍ତ୍ତନ ହୋଇ ନୂଆ ହୋଇଥାଏ । ଯଦି କଳିଯୁଗ ପରିବର୍ତ୍ତନ ହୋଇ ସତ୍ୟଯୁଗ ଆସିବ ତେବେ
ନିଶ୍ଚିତ କଳିଯୁଗରେ ପତିତମାନେ ହିଁ ଥିବେ । ବାବା ବୁଝାଉଛନ୍ତି ଯଦି ଏହି ଲକ୍ଷ୍ମୀ-ନାରାୟଣଙ୍କ
ଚିତ୍ର ତିଆରି କରୁଛ ବା ବହି ଛପାଉଛ ତେବେ ସେଥିରେ ଲେଖି ଦେବା ଉଚିତ୍ ଯେ ଏମାନେ ଏହି ସହଜ
ରାଜଯୋଗର ଜ୍ଞାନ ଦ୍ୱାରା ପୂର୍ବ ଜନ୍ମରେ ଏହିପରି ପୁରୁଷାର୍ଥ କରିଥିଲେ । ସେଠାରେ କେବଳ
ରାଜା-ରାଣୀ ତ ନ ଥିବେ । ପ୍ରଜା ବି ତ ରହିବେ ନା । ଅଜ୍ଞାନରେ ତ ମନୁଷ୍ୟମାନେ କିଛି ବି
ଜାଣୁନାହାଁନ୍ତି କେବଳ ବସି ପୂଜା କରୁଛନ୍ତି । ଏବେ ତୁମେ ଜାଣୁଛ ଯେ ସେମାନେ ପୂଜା କରିବା ବେଳେ
କେବଳ ଲକ୍ଷ୍ମୀ-ନାରାୟଣଙ୍କୁ ହିଁ ଦେଖୁଛନ୍ତି । ସେମାନଙ୍କର ତ ଜ୍ଞାନ କିଛି ବି ନାହିଁ । ଲୋକମାନେ
ଭାବୁଛନ୍ତି ଭକ୍ତି ବିନା ଭଗବାନ ହିଁ ମିଳିବେ ନାହିଁ । ତୁମେ ଯଦି କାହାକୁ କହୁଛ ଭଗବାନ ଆସିଛନ୍ତି
ତେବେ ସିଏ ତୁମ କଥାରେ ହସୁଛନ୍ତି । ଭଗବାନ ତ କଳିଯୁଗର ଅନ୍ତିମ ସମୟରେ ଆସିବେ, ତେବେ କେମିତି
ଆସିବେ! କଳିଯୁଗର ଅନ୍ତରେ ମଧ୍ୟ କାହିଁକି କହୁଛନ୍ତି, ଏକଥା ମଧ୍ୟ ବୁଝୁ ନାହାଁନ୍ତି । ସେମାନେ ତ
କୃଷ୍ଣଙ୍କୁ ଦ୍ୱାପରକୁ ନେଇଯାଇଛନ୍ତି । କିଛି ନ ବୁଝି ମନୁଷ୍ୟମାନଙ୍କ ମନକୁ ଯାହା ଆସୁଛି ତାହା
କହିଦେଉଛନ୍ତି । ସେଥିପାଇଁ ବାବା କହୁଛନ୍ତି ତୁମେ ସମ୍ପୂର୍ଣ୍ଣ ବୁଦ୍ଧିହୀନ ହୋଇଯାଇଛ । କାରଣ
ବାବାଙ୍କୁ ସର୍ବବ୍ୟାପୀ କହିଦେଉଛ । ଭକ୍ତି ବାହାରୁ ତ ବହୁତ ସୁନ୍ଦର ଦେଖାଯାଇଥାଏ । ଭକ୍ତିର କେତେ
ଆକର୍ଷଣ ରହିଛି! ତୁମ ପାଖରେ ତ କିଛି ବି ନାହିଁ । ଅନ୍ୟ କୌଣସି ସତସଙ୍ଗକୁ ଗଲେ କୋଳାହଳ ନିଶ୍ଚିତ
ହେବ । ଗୀତ ଗାଇବେ । ଏଠାରେ ତ ବାବା ରେକର୍ଡ ମଧ୍ୟ ପସନ୍ଦ କରୁ ନାହାଁନ୍ତି । ଆଗକୁ ଗଲେ ବୋଧ
ହୁଏ ଏହା ବି ବନ୍ଦ ହୋଇଯିବ ।
ବାବା କହୁଛନ୍ତି - ଏହି
ଗୀତ ଆଦିର ସବୁ ସାର ତୁମକୁ ବୁଝାଉଛି । ତୁମେ ଏହାର ଅର୍ଥ ଜାଣିଛ । ଏହା ହେଉଛି ପାଠପଢା ।
ପିଲାମାନେ ଜାଣିଛନ୍ତି ଯେ ଆମେ ରାଜଯୋଗ ଶିଖୁଛୁ । ଯଦି କମ୍ ପାଠ ପଢିବୁ ତେବେ ପ୍ରଜା ହେବୁ
ସେଥିପାଇଁ ଯେଉଁମାନେ ବହୁତ ହୁସିଆର ଅର୍ଥାତ୍ ଧାରଣାଯୁକ୍ତ ଅଟନ୍ତି ସେହିମାନଙ୍କୁ ଅନୁସରଣ କରିବା
ଉଚିତ୍ କାହିଁକି ନା ସେମାନଙ୍କର ପାଠପଢା ପ୍ରତି ଅଧିକ ଧ୍ୟାନ ରହିଥାଏ, ତେଣୁ ଏହା ଦ୍ୱାରା ଫାଇଦା
ହେବ । ଯେଉଁମାନେ ଭଲ ବୁଝାଉଛନ୍ତି ତାଙ୍କଠାରୁ ଶିଖିବା ଦରକାର । ଯେଉଁମାନେ ଭଲ ବୁଝାଇଥା’ନ୍ତି
ସେମାନଙ୍କୁ ସେଣ୍ଟରମାନଙ୍କରେ ସମସ୍ତେ ମନେ ପକାଇଥା’ନ୍ତି ନା । ସେହି ସେଣ୍ଟରର ବ୍ରହ୍ମାକୁମାରୀ
ଭଉଣୀ ତ ଅଛନ୍ତି ପୁଣି ବି କହୁଛନ୍ତି ଅମୁକ ଭଉଣୀ ଆସନ୍ତୁ । ଭାବୁଛନ୍ତି ସିଏ ବହୁତ ଦକ୍ଷ ଅଟନ୍ତି
। ଏହିପରି ଦକ୍ଷତା ସମ୍ପନ୍ନ ଆତ୍ମାଙ୍କର ପୁଣି ଆଦର ମଧ୍ୟ କରିବାକୁ ପଡିବ । ବଡମାନଙ୍କର ପୁଣି
ସେହିପରି ସମ୍ମାନ ମଧ୍ୟ ରଖିବାକୁ ହେବ । ଇଏ ଜ୍ଞାନରେ ମୋଠାରୁ ତୀକ୍ଷ୍ମଣ, ନିଶ୍ଚତ ଏହାଙ୍କୁ
ଉଚ୍ଚପଦ ମିଳିବ, ଏଥିରେ ଅହଂକାର ଆସିବା ଅନୁଚିତ୍ । ବଡମାନଙ୍କର ସମ୍ମାନ ମଧ୍ୟ ଅଧିକ ହୋଇଥାଏ ।
ରାଷ୍ଟ୍ରପତିଙ୍କର ନିଶ୍ଚିତ ସମ୍ମାନ ଅଧିକ ହୋଇଥାଏ । ପ୍ରତ୍ୟେକଙ୍କର କ୍ରମଅନୁସାରେ ସମ୍ମାନ
ରହିଥାଏ । ଜଣେ ଅନ୍ୟଜଣଙ୍କୁ ସମ୍ମାନ ତ ଦେବେ ନା । ବାରିଷ୍ଟରମାନଙ୍କ ଭିତରେ ବି କ୍ରମାନ୍ୱୟରେ
ରହିଥାନ୍ତି । ବଡ କେସ୍ରେ ବହୁତ ଦକ୍ଷ ଓକିଲମାନଙ୍କୁ ନେଇଥାନ୍ତି । କେହି କେହି ଲକ୍ଷେ ଟଙ୍କାର
କେସ୍ ମଧ୍ୟ ନେଇଥାନ୍ତି । କ୍ରମାନ୍ୱୟରେ ନିଶ୍ଚୟ ରହିଥାନ୍ତି । ଯଦି କେହି ଆମଠାରୁ ଅଧିକ ଯୋଗ୍ୟ
ତେବେ ତାଙ୍କୁ ସମ୍ମାନ ଦେବା ଦରକାର । ସେଣ୍ଟର ସମ୍ଭାଳିବାକୁ ହେବ । ସବୁ କାମ ମଧ୍ୟ କରିବାକୁ
ହେବ । ବାବାଙ୍କର ସାରା ଦିନ ଖିଆଲ ବା ଚିନ୍ତା ରହୁଛି ନା । ପ୍ରଦର୍ଶନୀ କିପରି ତିଆରି କରାଯିବ,
ସେଥିପ୍ରତି ପୂରା ଧ୍ୟାନ ଦେବାକୁ ହେବ । ଆମେ ତମୋପ୍ରଧାନରୁ ସତ୍ତ୍ୱପ୍ରଧାନ କିପରି ହେବୁ । ବାବା
ଆସି ହିଁ ଛନ୍ତି ସତ୍ତ୍ୱପ୍ରଧାନ କରିବା ପାଇଁ । ପତିତ-ପାବନ ବାବା ହିଁ ଅଟନ୍ତି । ଏଠାରେ ପୁଣି
କହୁଛନ୍ତି ପତିତ-ପାବନ ଗଙ୍ଗା, ସେଥିରେ ଜନ୍ମ-ଜନ୍ମାନ୍ତର ସ୍ନାନ କରିଆସିଛନ୍ତି । କିନ୍ତୁ
ପବିତ୍ର ତ କେହି ବି ହୋଇନାହାଁନ୍ତି । ଏସବୁ ହେଉଛି ଭକ୍ତି । ଯେତେବେଳେ କି କହୁଛନ୍ତି ହେ
ପତିତ-ପାବନ ଆସ । ସେ ନିଶ୍ଚତ ତ ସଂଗମରେ ଆସିବେ, ଏବଂ ଥରେ ମାତ୍ର ହିଁ ଆସୁଛନ୍ତି ।
ପ୍ରତ୍ୟେକଙ୍କର ନିଜସ୍ୱ ପ୍ରଥା-ପରମ୍ପରା ରହିଛି । ଯେପରି ନେପାଳରେ ଅଷ୍ଟମୀରେ ବଳି ଚଢାଇଥାନ୍ତି
। ଛୋଟ ପିଲାଙ୍କ ହାତରେ ବନ୍ଧୁକ ଦେଇ ଗୁଳି ଫୁଟାଇଥାନ୍ତି । ସିଏ ମଧ୍ୟ ବଳି ଚଢାଇଥାଏ । ବଡ ହେଲେ
ସିଏ ଗୋଟିଏ ଚୋଟରେ ବାଛୁରିକୁ କାଟିଦେଇଥାଏ । କେହି ଧିରେ ଚୋଟ ମାରିଲା, ଯଦି ଗୋଟିଏ ଚୋଟରେ ବଳି
ନ କଟିଲା ତେବେ ତାହା ବଳି ହେଲା ନାହିଁ, ତାକୁ ଆଉ ଦେବୀଙ୍କୁ ସ୍ୱୀକାର କରାଯିବ ନାହିଁ । ଏସବୁ
ହେଉଛି ଭକ୍ତିମାର୍ଗ । ପ୍ରତ୍ୟେକଙ୍କର ନିଜ ନିଜର କଳ୍ପନା ରହିଛି । କଳ୍ପନା ଅନୁସାରେ ପୁଣି
ଶିଷ୍ୟ ଅନେକ ହୋଇଯାଉଛନ୍ତି । ଏଠାରେ କିନ୍ତୁ ନୂଆ କଥା ରହିଛି । ଏସବୁ କଥାକୁ ତ ପିଲାମାନେ ହିଁ
ଜାଣିପାରିବେ । ଏକମାତ୍ର ବାବା ହିଁ ବସି ସୃଷ୍ଟିର ଆଦି-ମଧ୍ୟ-ଅନ୍ତର ଜ୍ଞାନ ଶୁଣାଉଛନ୍ତି । ତୁମେ
ଖୁସି ହେଉଛ ଯେ ଆମେ ସ୍ୱଦର୍ଶନ ଚକ୍ରଧାରୀ ଅଟୁ, ଆଉ କେହି ଏକଥା ବୁଝିପାରିବେ ନାହିଁ । ଯଦି ତୁମକୁ
ମୁଁ ସଭାରେ କହିବି - ସର୍ବୋତ୍ତମ ବ୍ରାହ୍ମଣ କୂଳ ଭୁଷଣ, ସ୍ୱଦର୍ଶନ ଚକ୍ରଧାରୀ ତେବେ ତାହାର
ଅର୍ଥ ତୁମେ ହିଁ ବୁଝିବ । ନୂଆ କେହି ହୋଇଥିଲେ ଦ୍ୱନ୍ଦରେ ପଡିଯିବ ଯେ ଇଏ କ’ଣ କହିଲେ? ସ୍ୱଦର୍ଶନ
ଚକ୍ରଧାରୀ ତ ବିଷ୍ଣୁ ଅଟନ୍ତି । ଏହା ନୂଆ କଥା ଅଟେ ନା ସେଥିପାଇଁ ତୁମକୁ କହୁଛନ୍ତି ଯେ ବାହାର
ମୈଦାନ (ସେବାସ୍ଥଳ)କୁ ଆସ ତେବେ ଜଣାପଡିବ ।
ତୁମର ହେଉଛି
ଜ୍ଞାନମାର୍ଗ । ତୁମେ ୫ ବିକାର ଉପରେ ବିଜୟ ପ୍ରାପ୍ତ କରୁଛ । ଏହି ଅସୁର (୫ ବିକାର) ମାନଙ୍କ
ସହିତ ତୁମର ଲଢେଇ ହେଉଛି । ପୁଣି ତୁମେ ଦେବତା ହେବା ପରେ ଆଉ ଲଢେଇର କୌଣସି କଥା ରହିବ ନାହିଁ ।
ଯେଉଁଠି ଅସୁର ଥାଆନ୍ତି ସେଠାରେ ଦେବତାମାନେ ରହିପାରିବେ ନାହିଁ । ତୁମେ ହେଉଛ ବ୍ରାହ୍ମଣ, ପୁଣି
ଦେବତା ହେବ । ଯିଏ କି ପୁରୁଷାର୍ଥ କରୁଛ । ରୁଦ୍ର ଜ୍ଞାନ ଯଜ୍ଞରେ ବ୍ରାହ୍ମଣ ନିଶ୍ଚିତ ଦରକାର ।
ବ୍ରାହ୍ମଣମାନଙ୍କ ବ୍ୟତୀତ ଯଜ୍ଞ ହୋଇନଥାଏ । ରୁଦ୍ର ହେଉଛନ୍ତି ଶିବ, ପୁଣି କୃଷ୍ଣଙ୍କର ନାମ
କେଉଁଠାରୁ ଆସିଲା । ତୁମେ ଦୁନିଆଠାରୁ ବିଲ୍କୁଲ୍ ହିଁ ଅଲଗା ଅଟ ଏବଂ ତୁମର ସଂଖ୍ୟା କେତେ ଅଳ୍ପ
। ଗାୟନ ଅଛି ଚଢେଇମାନେ ସାଗରକୁ ଶୋଷି ଦେଇଥିଲେ । ଏହିଭଳି ଶାସ୍ତ୍ରରେ କେତେ ସବୁ ମନଗଢା କଥା ସବୁ
ରହିଛି । ବାବା କହୁଛନ୍ତି - ଏବେ ସେ ସବୁକୁ ଭୁଲି ମୋତେ ମନେ ପକାଅ । ଆତ୍ମା ହିଁ ବାବାଙ୍କୁ ମନେ
ପକାଉଛି । ବାବା ତ ଜଣେ ଅଟନ୍ତି ନା । ଯେତେବେଳେ ହେ ପରମାତ୍ମା ବା ପ୍ରଭୁ ବୋଲି କହିଥାନ୍ତି ତେବେ
ସେ ସମୟରେ ଲିଙ୍ଗ ମଧ୍ୟ ମନେ ପଡି ନ ଥାଏ । କେବଳ ଈଶ୍ୱର ଅଥବା ପ୍ରଭୁ କହିଦିଅନ୍ତି । ଆତ୍ମାକୁ
ବାବାଙ୍କଠାରୁ ଅଧାକଳ୍ପର ସୁଖ ମିଳିଛି, ତେଣୁ ପୁଣି ଭକ୍ତିମାର୍ଗରେ ମନେ ପକାଉଛନ୍ତି । ଏବେ ତୁମକୁ
ଜ୍ଞାନ ମିଳିଛି - ଆତ୍ମା କ’ଣ ଏବଂ ପରମାତ୍ମା କ’ଣ । ଆମେ ସବୁ ଆତ୍ମାମାନେ ମୂଳବତନର ନିବାସୀ ଅଟୁ,
ସେଠାରୁ କ୍ରମାନ୍ୱୟରେ ଅଭିନୟ କରିବାକୁ ଆସୁଛୁ । ପ୍ରଥମେ ଦେବୀ ଦେବତାମାନେ ଆସିଥା’ନ୍ତି ।
କହୁଛନ୍ତି ଖ୍ରୀଷ୍ଟଙ୍କ ଆସିବା ପୂର୍ବରୁ ଭାରତରେ ଦେବୀ-ଦେବତା ଧର୍ମ ଥିଲା । ଏହା ୫ ହଜାର ବର୍ଷର
କଥା । ସେମାନେ କହୁଛନ୍ତି ଏହା ୫୦ ହଜାର ବର୍ଷର ବି ପୁରୁଣା ଜିନିଷ । କିନ୍ତୁ ୫୦ ହଜାର ବର୍ଷର
ପୁରୁଣା ଜିନିଷ କିଛି ରହିପାରିବ ନାହିଁ । ଡ୍ରାମା ହିଁ ୫ ହଜାର ବର୍ଷର ଅଟେ । ଏହା ହିଁ ମୁଖ୍ୟ
ଧର୍ମ ଅଟେ । ଏହି ଦେବୀ-ଦେବତା ଆତ୍ମାମାନଙ୍କର ହିଁ ଘର ଆଦି ହୋଇଥିବ । ପ୍ରଥମେ-ପ୍ରଥମେ ତ
ରଜୋଗୁଣୀ ବୁଦ୍ଧି ଥିଲା । ଏବେ ଆହୁରି ହିଁ ତମୋଗୁଣୀ ବୁଦ୍ଧି ହୋଇଯାଇଛି । ପ୍ରଦର୍ଶନୀରେ କେତେ
ବୁଝାଉଛନ୍ତି । କାହାରି ବୁଦ୍ଧିରେ ଆସୁନାହିଁ । ବ୍ରାହ୍ମଣମାନଙ୍କର ହିଁ ଚାରା ଲାଗୁଛି । ତେଣୁ
ପିଲାମାନଙ୍କୁ ବୁଝାଯାଇଛି - ଜ୍ଞାନ ଓ ଭକ୍ତି ଅଲଗା ଅଲଗା ଅଟେ । ଜ୍ଞାନ ଦ୍ୱାରା ସଦ୍ଗତି
ହୋଇଥାଏ । ସେଥିପାଇଁ କହିଥାନ୍ତି ହେ ପତିତ-ପାବନ ଆସ, ଦୁଃଖରୁ ମୁକ୍ତ କର । ପୁଣି ଗାଇଡ୍ ହୋଇ
ଆମକୁ ସାଥିରେ ନେଇଯିବେ । ବାବା ଆସି ଆତ୍ମାମାନଙ୍କୁ ନେଇଯାଉଛନ୍ତି । ଶରୀର ତ ସବୁ ନଷ୍ଟ ହୋଇଯିବ
। ବିନାଶ ତ ହେବ ନା । ଶାସ୍ତ୍ରରେ କେବଳ ମହାଭାରତ ଲଢେଇର ଗାୟନ ରହିଛି । କହୁଛନ୍ତି ଏହା ମଧ୍ୟ
ସେହି ମହାଭାରତ ଲଢେଇ ଅଟେ । ଏହା ତ ନିଶ୍ଚିତ ହେବ । ତେଣୁ ସମସ୍ତଙ୍କୁ ବାବାଙ୍କର ପରିଚୟ ଦେଇଚାଲ
। ତମୋପ୍ରଧାନରୁ ସତ୍ତ୍ୱପ୍ରଧାନ ହେବା ପାଇଁ ଉପାୟ ତ ଗୋଟିଏ ହିଁ ଅଟେ । ବାବା କହୁଛନ୍ତି କେବଳ
ମୋତେ ମନେ ପକାଇଲେ ବିକର୍ମ ବିନାଶ ହୋଇଯିବ ଏବଂ ଆତ୍ମା ମୋ ସାଥିରେ ଚାଲିଯିବ । ସମସ୍ତଙ୍କୁ
ସନ୍ଦେଶ ଦେଇଚାଲ, ତେବେ ବହୁତଙ୍କର କଲ୍ୟାଣ ହେବ । ଆଚ୍ଛା—
ମିଠା ମିଠା ସିକିଲଧେ
ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହଭରା ସ୍ମୃତି ଏବଂ ସୁପ୍ରଭାତ ।
ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।
ଧାରଣା ପାଇଁ ମୁଖ୍ୟ ସାର
:—
(୧) ଯେଉଁମାନେ
ପାଠପଢାରେ ହୁସିଆର ଅର୍ଥାତ୍ ବୁଦ୍ଧିମାନ ଅଟନ୍ତି, ଭଲ ବୁଝାଇ ପାରୁଛନ୍ତି - ସେମାନଙ୍କର ସଙ୍ଗ
କରିବାକୁ ହେବ, ସେମାନଙ୍କୁ ସମ୍ମାନ ଦେବାକୁ ହେବ । କେବେ ହେଲେ ଅହଂକାର କରିବାର ନାହିଁ ।
(୨) ଜ୍ଞାନର ନୂଆ-ନୂଆ
କଥାକୁ ଭଲ ଭାବରେ ବୁଝିବାକୁ ହେବ ଏବଂ ବୁଝାଇବାକୁ ହେବ । ଏହି ଖୁସିରେ ରହିବାକୁ ହେବ ଯେ ଆମେ
ସ୍ୱଦର୍ଶନ ଚକ୍ରଧାରୀ ଅଟୁ ।
ବରଦାନ:-
ନ୍ୟାରା ଏବଂ
ପ୍ୟାରା ପଣିଆର ଯୋଗ୍ୟତା ଦ୍ୱାରା ଆକର୍ଷଣମୁକ୍ତ ହେଉଥିବା ସହଜଯୋଗୀ ଭବ ।
ସହଜଯୋଗୀ ଜୀବନର ଅନୁଭବ
କରିବା ପାଇଁ ଜ୍ଞାନ ସହିତ ନ୍ୟାରା ଅର୍ଥାତ୍ ସମସ୍ତଙ୍କଠାରୁ ଅଲଗା ହୁଅ, କେବଳ ବାହାରେ ନିଆରା
ହୁଅ ନାହିଁ କିନ୍ତୁ ମନର ଆକର୍ଷଣ ମଧ୍ୟ ନ ଥିବ । ତେବେ ଯିଏ ଯେତିକି ନିଆରା ହୋଇଥାଏ ସେହି
ଅନୁସାରେ ସମସ୍ତଙ୍କର ପ୍ରିୟ ମଧ୍ୟ ନିଶ୍ଚିତ ହୋଇଯାଏ । ନ୍ୟାରା ଅବସ୍ଥା ସମସ୍ତଙ୍କୁ ପ୍ରିୟ
ଲାଗିଥାଏ । ଯେଉଁମାନେ ବାହାରର ଆକର୍ଷଣଠାରୁ ନିଆରା ନୁହଁନ୍ତି, ସେମାନେ ପ୍ରିୟ ହେବା ବଦଳରେ
ଦୁଃଖୀ ହୋଇଥାଆନ୍ତି, ସେଥିପାଇଁ ସହଜଯୋଗୀ ଅର୍ଥାତ୍ ନ୍ୟାରା ଏବଂ ପ୍ୟାରା ପଣିଆର ଯୋଗ୍ୟତା
ସମ୍ପନ୍ନ, ସର୍ବ ଆକର୍ଷଣଠାରୁ ମୁକ୍ତ ଆତ୍ମା ।
ସ୍ଲୋଗାନ:-
ସ୍ୱ-ପୁରୁଷାର୍ଥ
ଏବଂ ସେବାର ସନ୍ତୁଳନ ଦ୍ୱାରା ବନ୍ଧନ ମଧ୍ୟ ସମ୍ବନ୍ଧରେ ପରିବର୍ତ୍ତିତ ହୋଇଯିବ ।
ଅବ୍ୟକ୍ତ ଈଶାରା:- ଏବେ
ନିଜର ଦାତା ସ୍ୱରୂପକୁ ପ୍ରତ୍ୟକ୍ଷ କର ।
ଦାତାଙ୍କର ପିଲାମାନଙ୍କୁ
ପ୍ରତି ମୂହୁର୍ତ୍ତରେ ଏବଂ ପ୍ରତିଟି ସଂକଳ୍ପରେ ଦାନ ଦେବାକୁ ପଡିବ । ଦାତାର ମୁଖ୍ୟ ଗୁଣ ହେଲା
ଉଦାରଚିତ୍ତ । ସେ ଅନ୍ୟମାନଙ୍କୁ ଉଦ୍ଧାର କରିବାର ନିମିତ୍ତ ହୋଇଥିବେ । ତେଣୁ ସର୍ବଦା ଏହି କଥା
ମନେ କର ଯେ ମୁଁ ଦାତାଙ୍କର ସନ୍ତାନ । ଗୋଟିଏ ସେକେଣ୍ଡ ବି ଦାନ ନ କରି ବିତୁ, ତେବେ କୁହାଯିବ
ମହାଦାନୀ । ସର୍ବଦା ଦେବାର ଦ୍ୱାର ଖୋଲା ରହିଥାଉ, ଯେପରି ମନ୍ଦିରର ଦ୍ୱାର ସର୍ବଦା ଖୋଲା ରହିଥାଏ,
ସେହିପରି ଦାତାଙ୍କର ପିଲାମାନଙ୍କର ଦାନ କରିବାର ଦ୍ୱାର କେବେ ବି ବନ୍ଦ ନ ହେଉ ।