22.06.26 Morning Odia Murli Om Shanti BapDada Madhuban
“ମିଠେ ବଚ୍ଚେ:- ବାବା
ଆସିଛନ୍ତି ତୁମମାନଙ୍କର ସେବା କରିବା ପାଇଁ ତେଣୁ ତୁମେମାନେ ମଧ୍ୟ ବାବାଙ୍କ ସମାନ ହୋଇ
ସମସ୍ତଙ୍କର ସେବା କର” ।
ପ୍ରଶ୍ନ:-
ବ୍ରହ୍ମାବାବାଙ୍କ ମନରେ କେଉଁ ସଂକଳ୍ପ ଉତ୍ପନ୍ନ ହେଉଛି ଯାହା ପାଇଁ ଶିବବାବା କହୁଛନ୍ତି, ୱେଟ୍
ଆଣ୍ଡ୍ ସି ଅର୍ଥାତ୍ ଅପେକ୍ଷା କର ଏବଂ ଦେଖ, ଚିନ୍ତା କର ନାହିଁ?
ଉତ୍ତର:-
ବାବାଙ୍କର ସଂକଳ୍ପ ଉତ୍ପନ୍ନ ହେଉଛି, ସମୟ ବହୁତ ଗମ୍ଭୀର ହୋଇ ଚାଲିଛି, ପିଲାମାନଙ୍କୁ ଅବିନାଶୀ
ଜ୍ଞାନରତ୍ନ ନେବା ପାଇଁ ବାବାଙ୍କ ପାଖକୁ ଆସିବାକୁ ହିଁ ହେବ, ତେଣୁ ଏତେ ଗୁଡିଏ ପିଲା କେଉଁଠି ଆସି
ରହିବେ । କେତେ ଘର ତିଆରି କରିବାକୁ ପଡିବ । ଶିବବାବା କହୁଛନ୍ତି ଅପେକ୍ଷା କର ଏବଂ ଦେଖ । କଳ୍ପ
ପୂର୍ବରୁ ଯେମିତି ଆସି ରହିଥିଲେ ଏବେ ମଧ୍ୟ ସେମିତି ଆସି ରହିବେ । ତୁମେ ଚିନ୍ତା କର ନାହିଁ, ତୁମେ
କେବଳ ପାଠ ପଢିଚାଲ ଏବଂ ମନମନାଭବ ହୋଇଯାଅ ଅର୍ଥାତ୍ ନିଜକୁ ଆତ୍ମା ମନେ କରି ମୋତେ ମନେ ପକାଅ ।
ତୁମକୁ କର୍ମାତୀତ ହେବାର ପୁରୁଷାର୍ଥ କରିବାକୁ ହେବ ।
ଗୀତ:-
ତୁହ୍ମେ ପାକେ
ହମନେ...
ଓମ୍ ଶାନ୍ତି ।
ବାବା ମଧ୍ୟ କହୁଛନ୍ତି ପିଲାମାନେ ଓମ୍ ଶାନ୍ତି । ଆଉ କ’ଣ କହିବେ! ପିଲାମାନଙ୍କୁ କହୁଛନ୍ତି -
ପିଲାମାନେ ଓମ୍ ଶାନ୍ତି, ତତ୍ତ୍ୱମ୍ ଅର୍ଥାତ୍ ମୁଁ ଯାହା ତୁମେ ମଧ୍ୟ ସେହି । ହେ ପିଲାମାନେ ତୁମେ
ମଧ୍ୟ ଶାନ୍ତ ସ୍ୱରୂପ ଅଟ । ତୁମେ ମଧ୍ୟ ମାଷ୍ଟର ପତିତ ପାବନ ଅଟ । ଏହିଭଳି ଆଉ କେହି କହିପାରିବେ
ନାହିଁ । କୁହାଯାଉଛି - କାଉ ଯେମିତି ତାର ଛୁଆ ମଧ୍ୟ ସେମିତି । ତୁମେ ପିଲାମାନେ ମଧ୍ୟ ଜାଣିଛ
ବାବା ଯେପରି ଆମେ ପିଲାମାନେ ମଧ୍ୟ ସେହିପରି । ବାବା କହୁଛନ୍ତି ମୁଁ ଜ୍ଞାନର ସାଗର ଅଟେ । ତୁମେ
ପିଲାମାନେ ମଧ୍ୟ ଜାଣିଛ ଆମେ ମାଷ୍ଟର ଜ୍ଞାନ ସାଗର ଅଟୁ, ଅର୍ଥାତ୍ ନଦୀ ଅଟୁ । ସାଗରର ପିଲାଛୁଆ ତ
ଥିବେ ନା । ବଡ ବଡ ନଦୀମାନେ ମଧ୍ୟ ଅଛନ୍ତି । ବଡ ବଡ ପୁଷ୍କରିଣୀ, ବଡ ବଡ ସରୋବର ମଧ୍ୟ ଅଛି ।
ସେଗୁଡିକ ହେଲା ଜଡ, ତୁମେ ହେଲ ଚୈତନ୍ୟ । ସାଗରଠାରୁ ହିଁ ବାହାରିଛ ବା ଜନ୍ମ ନେଇଛ । କେହି କେହି
ସନ୍ତାନ ମଧ୍ୟ ଏହି ସବୁ କଥାକୁ ବୁଝିପାରୁ ନାହାଁନ୍ତି, କାହିଁକିନା ମୋର କନ୍ୟାମାନେ ଅର୍ଥାତ୍
ବ୍ରହ୍ମାକୁମାରୀମାନେ ତ ଅଧିକ ଲେଖାପଢା କରିନାହାଁନ୍ତି । ବାବା ଥରେ ପଚାରିଥିଲେ - ଚିନି
କେଉଁଥିରୁ ତିଆରି ହେଉଛି? ଗୁଡ କେଉଁଥିରୁ ତିଆରି ହେଉଛି? ତେବେ କହିଲେ ନାଲି ଆଖୁରୁ ଗୁଡ ତିଆରି
ହେଉଛି, ଧଳା ଆଖୁରୁ ଚିନି ତିଆରି ହେଉଛି । ବିଚାରି ପାଠ ତ ପଢି ନାହାଁନ୍ତି । ଏବେ ତୁମକୁ କେତେ
ବଡ ବଡ କଥା ବୁଝାଉଛନ୍ତି । ପାଣିର ସାଗରରୁ ପାଣିର ହିଁ ନଦୀ ସବୁ ବାହାରିଥା’ନ୍ତି । ମନୁଷ୍ୟ
ସଂଖ୍ୟା ବଢି ଚାଲିଛନ୍ତି ତେବେ ପାଣି ମଧ୍ୟ ବହୁତ ଆବଶ୍ୟକ ନା । କେତେ ସବୁ କେନାଲ ଆଦି ତିଆରି
କରିଚାଲିଛନ୍ତି । ତେବେ ତୁମ ପିଲାମାନଙ୍କୁ ଉଠିବା, ବସିବା, ଚାଲିବା, ବୁଲିବା ବେଳେ ଏହି ବିଚାର
କରିବା ଉଚିତ୍ ଯେ ଆମେ ଏହି ପତିତ ଦୁନିଆକୁ ପବିତ୍ର କରୁଛୁ । ଗୀତରେ ମଧ୍ୟ କହୁଛନ୍ତି ବାବା ଆମେ
ଆପଣଙ୍କଠାରୁ ବିଶ୍ୱର ବାଦଶାହୀର ସମ୍ପତ୍ତି ନେଉଛୁ । ଏହାକୁ ଆମଠାରୁ କେହି ଛଡାଇ ନେଇପାରିବେ ନାହିଁ
। ୨୧ ଜନ୍ମ ପର୍ଯ୍ୟନ୍ତ ଏହି ସମ୍ପତ୍ତି ସ୍ଥାୟୀ ରହିବ । ବେହଦର ପିତା ଆସି ବେହଦର ରାଜ୍ୟ ଭାଗ୍ୟ
ଦେଉଛନ୍ତି । ରାଜ୍ୟଭାଗ୍ୟ ଚଳାଇବାର ଯୋଗ୍ୟ କରୁଛନ୍ତି, ପବିତ୍ର କରୁଛନ୍ତି । ଡାକୁଛନ୍ତି ମଧ୍ୟ
ହେ ପତିତପାବନ ଆସ । ଏଠାରେ କେହି ଶ୍ରୀକୃଷ୍ଣଙ୍କୁ ଡାକୁ ନାହାଁନ୍ତି । ନିରାକାର ଭଗବାନଙ୍କୁ
ଡାକୁଛନ୍ତି । ଯେତେବେଳେ କହୁଛନ୍ତି - ହେ ପତିତପାବନ, ସେତେବେଳେ ବୁଦ୍ଧିରେ ଶ୍ରୀକୃଷ୍ଣ ମନେ ପଡୁ
ନାହାଁନ୍ତି, ପରମାତ୍ମା ମନେ ପଡୁଛନ୍ତି । ବାବା ଆସି ପ୍ରତ୍ୟେକ କଥା ବୁଝାଉଛନ୍ତି । ଏବେ ତୁମେ
ପିଲାମାନେ ସମ୍ମୁଖରେ ବସିଛ । ଇଏ କୌଣସି ସାଧୁ ସନ୍ଥ ନୁହଁନ୍ତି । ତୁମେ ଜାଣିଛ ନିରାକାର ଶିବବାବା
ବ୍ରହ୍ମାଙ୍କ ଶରୀରରେ ପ୍ରବେଶ କରି ଆମକୁ ପଢାଉଛନ୍ତି । ଗାୟନ ମଧ୍ୟ ରହିଛି - ପରମପିତା ପରମାତ୍ମା,
ବ୍ରହ୍ମାଙ୍କ ଶରୀର ଦ୍ୱାରା ଆଦି ସନାତନ ଦେବୀ ଦେବତା ଧର୍ମର ସ୍ଥାପନା କରିଥା’ନ୍ତି । ସ୍ଥାପନା
ପରେ ହିଁ ବିନାଶ ହୋଇଥିଲା । ଏହାଦ୍ୱାରା ପ୍ରମାଣିତ ହେଉଛି ଯେ ପୁରୁଣା ଦୁନିଆକୁ ଆସୁଛନ୍ତି ।
ବ୍ରହ୍ମାଙ୍କ ଦ୍ୱାରା ନୂଆ ଦୁନିଆର ସ୍ଥାପନା, ଶଙ୍କରଙ୍କ ଦ୍ୱାରା ଅନେକ ଧର୍ମର ବିନାଶ କରାଉଛନ୍ତି
। ସତ୍ୟଯୁଗରେ ଗୋଟିଏ ଧର୍ମ ଥିଲା, ଏବେ ତ ଅନେକ ଧର୍ମ ରହିଛି । ଗୋଟିଏ ଧର୍ମର ଆତ୍ମାମାନେ
ଦେବୀ-ଦେବତାମାନଙ୍କର ଚିହ୍ନ ଚକ୍ର ଆଦି ଦେଖାଉଛନ୍ତି । ଏହି ଲକ୍ଷ୍ମୀ-ନାରାୟଣଙ୍କୁ କହୁଛନ୍ତି
ବିଶ୍ୱର ମାଲିକ, ସ୍ୱର୍ଗର ମାଲିକ ଅର୍ଥାତ୍ ବିଶ୍ୱର ମାଲିକ ହୋଇଗଲେ । ଏହି ସବୁ କଥା ଏବେ
ପିଲାମାନଙ୍କର ବୁଦ୍ଧିରେ ଧାରଣା ହୋଇଛି । ବାବା କହୁଛନ୍ତି ପିଲାମାନେ ମନମନାଭବ । ଏହିଭଳି
ପିଲାମାନଙ୍କୁ ବାରମ୍ବାର ସାବଧାନୀ ମିଳୁଛି । ବାବାଙ୍କୁ ଏବଂ ସମ୍ପତ୍ତିକୁ ମନେ ପକାଅ । ଏହି
କଥାକୁ ଭୁଲ ନାହିଁ । ଅନ୍ୟ ପଏଣ୍ଟ ସବୁ ଭୁଲି ଯାଉଛ କିନ୍ତୁ ଏହା ତ ମୁଖ୍ୟ କଥା ନା । ବାବା ହିଁ
ପତିତ ପାବନ ଅଟନ୍ତି । ପବିତ୍ର ହେବା ପାଇଁ ଏହି ଉପାୟ ବତାଉଛନ୍ତି । ବାବା କହୁଛନ୍ତି ତୁମେ
ସତ୍ତ୍ୱପ୍ରଧାନ ଥିଲ । ଏବେ ତମୋପ୍ରଧାନ ପତିତ ହୋଇଯାଇଛ । ୮୪ ଜନ୍ମ ସମ୍ପୂର୍ଣ୍ଣ ଭୋଗ କରିଛ । ଏବେ
ତୁମକୁ ପୁନର୍ବାର ସତ୍ତ୍ୱପ୍ରଧାନ ହେବାକୁ ପଡିବ । ସତ୍ତ୍ୱପ୍ରଧାନ ହେଲେ ଯାଇ ତୁମେ ପବିତ୍ର
ଦୁନିଆକୁ ଯାଇପାରିବ । ନିରାକାରୀ ଦୁନିଆ ମଧ୍ୟ ପବିତ୍ର ଅଟେ, ସାକାରୀ ଦୁନିଆ ଅର୍ଥାତ୍ ସତ୍ୟଯୁଗ
ମଧ୍ୟ ପବିତ୍ର ଅଟେ । ଅପବିତ୍ର ପତିତ ଦୁନିଆ ଏହି କଳିଯୁଗ ଅଟେ । ଆତ୍ମା ତମୋପ୍ରଧାନ ତ ଶରୀର
ମଧ୍ୟ ତମୋପ୍ରଧାନ । ଏହା ତ ସୃଷ୍ଟିର ନାଟକ ଅଟେ, ଏଥିରେ ବ୍ରହ୍ମାଣ୍ଡ ଏବଂ ସୂକ୍ଷ୍ମବତନ ମଧ୍ୟ
ଆସିଯାଉଛି । ସୃଷ୍ଟିର ଚକ୍ର ଏହିଠାରେ ହିଁ ଘୁରୁଛି । ସତ୍ୟଯୁଗ ତ୍ରେତାଯୁଗ ଏହିଠାରେ ହୋଇଥାଏ ।
ଏହା କୌଣସି ସୂକ୍ଷ୍ମବତନ ବା ମୂଳବତନରେ ହୁଏ ନାହିଁ । ଏହି ନାଟକ ଏହିଠାରେ ହିଁ ହୁଏ । ଏହାକୁ
ମନୁଷ୍ୟ ସୃଷ୍ଟି କୁହାଯାଏ । ତାହା ହେଲା ଆତ୍ମାମାନଙ୍କର ନିରାକାରୀ ଦୁନିଆ । ସୂକ୍ଷ୍ମଲୋକ ହେଉଛି
ବ୍ରହ୍ମା-ବିଷ୍ଣୁ-ଶଙ୍କରଙ୍କର ଆକାରୀ ଦୁନିଆ । ଏହି ସାକାରୀ ସୃଷ୍ଟି କେତେ ବଡ । ସତ୍ୟଯୁଗରେ
ସୃଷ୍ଟି କେତେ ଛୋଟ ହୋଇଥାଏ । ସେଠାରେ ଗୋଟିଏ ଧର୍ମ ହିଁ ଥାଏ । ବାକି ମନୁଷ୍ୟମାନେ ଯାହା କିଛି
କହୁଛନ୍ତି ଯେ ସେଠାରେ ମଧ୍ୟ ଅସୁର ଆଦି ଥିଲେ ଏ ସବୁ ହେଲା ମିଥ୍ୟା ।
ତୁମେ ଜାଣୁଛ ଯେ ନୂଆ ଦୁନିଆର ସ୍ଥାପନା, ପୁରୁଣା ଦୁନିଆର ବିନାଶର ଗାୟନ ରହିଛି । ସମସ୍ତଙ୍କର
ବିନାଶ ହେବ ଏବଂ ସତ୍ୟଯୁଗ ସ୍ୱର୍ଗର ସ୍ଥାପନା ହେବ । ତୁମେ ମଧ୍ୟ ବାବାଙ୍କ ସାଥିରେ ସହଯୋଗ କରୁଛ
। ବାବା ମଧ୍ୟ ଆସୁଛନ୍ତି ପିଲାମାନଙ୍କର ସେବା କରିବା ପାଇଁ । ଇଏ ହେଲେ ବେହଦର ପିତା । ଯେତେବେଳେ
ଦେଖୁଛନ୍ତି ମୋର ପିଲାମାନେ ବହୁତ ଦୁଃଖରେ ଅଛନ୍ତି, ତେବେ ନିଶ୍ଚିତ ଦୟା ଲାଗିବ ନା । ସିଏ ତ
ହେଉଛନ୍ତି ଦୟାଶୀଳ ପିତା । ଏବେ ତ ସାରା ଦୁନିଆରେ ଅଶାନ୍ତି ରହିଛି । ଏକମାତ୍ର ବାବାଙ୍କ ବିନା
ଆଉ କେହି ଶାନ୍ତି ଦେଇପାରିବେ ନାହିଁ । ହଠଯୋଗୀ ମଧ୍ୟ ଅନେକ ଅଛନ୍ତି । ଆତ୍ମା ପାଇଁ କହିଦେଉଛନ୍ତି
ତାହା ନିର୍ଲେପ ଅଟେ । ମନୁଷ୍ୟଙ୍କୁ ଓଲଟା କଥା ଶୁଣାଉଛନ୍ତି । ବାସ୍ତବରେ ଆତ୍ମାକୁ ପବିତ୍ର କରିବା
ଦରକାର । ଆତ୍ମାରେ ହିଁ ଖାଦ ମିଶିଥାଏ, ଏହା ଆଉ କାହାକୁ ଜଣାନାହିଁ । କହୁଛନ୍ତି ମଧ୍ୟ ଇଏ
ପାପାତ୍ମା ଅଟେ, ବହୁତ ପାପ କରୁଛନ୍ତି, ଇଏ ମହାତ୍ମା, ଇଏ ପୁଣ୍ୟାତ୍ମା ଅଟନ୍ତି । ଏମିତି କେବେ
କହି ନ ଥା’ନ୍ତି ଯେ ମହାନ ପରମାତ୍ମା ଅଟନ୍ତି । ସନ୍ନ୍ୟାସୀଙ୍କ ପାଇଁ କହିଥା’ନ୍ତି ପବିତ୍ର ଆତ୍ମା
ଅଟନ୍ତି, କାହିଁକି ନା ସନ୍ନ୍ୟାସ କରିଛନ୍ତି । ଏବେ ବାବା ବୁଝାଉଛନ୍ତି ଆତ୍ମାକୁ ପବିତ୍ର କଲାବାଲା
କେବଳ ଜଣେ ପରମାତ୍ମା ପିତାଙ୍କ ବ୍ୟତୀତ ଆଉ କେହି ହୋଇପାରିବେ ନାହିଁ । ପତିତ ଦୁନିଆରେ କେହି
ପବିତ୍ର ଆତ୍ମା ରହିପାରିବେ ନାହିଁ । ବର୍ତ୍ତମାନ ଚାରା ଲାଗୁଛି । ଧୀରେ ଧୀରେ ବୃଦ୍ଧି ହୋଇ
ଚାଲିବ । ଏହି ଛୋଟ ଛୋଟ ମଠ ପନ୍ଥ ଆଦି ତ ଶାଖା ପ୍ରଶାଖା ଅଟନ୍ତି । ସେସବୁ ଥିରେ କୌଣସି ମେହନତ
ଲାଗି ନ ଥାଏ । ସେମାନେ ଅନେକ ପ୍ରକାରର ମନ୍ତ୍ର ଦେଇଥାନ୍ତି, କେତେ କିସମର ମନ୍ତ୍ର ଦେଇଥାନ୍ତି ।
ଏହା ମଧ୍ୟ ବଶୀକରଣ ମନ୍ତ୍ର ଅଟେ, ଯାହା ଦ୍ୱାରା ତୁମେ ୫ ବିକାର ଉପରେ ବିଜୟ ପ୍ରାପ୍ତ କରୁଛ ।
ରାମ-ରାମ ମନ୍ତ୍ର ଜପ କରୁଛନ୍ତି, ଏହା ଦ୍ୱାରା ତ କିଛି ଲାଭ ହେଉନାହିଁ । ଏଠାରେ ତ ବାବା
କହୁଛନ୍ତି ମୋତେ ସ୍ମରଣ କର ତେବେ ତୁମର ପାପ ନାଶ ହୋଇଯିବ, ତୁମେ ପବିତ୍ର ଆତ୍ମା ହୋଇଯିବ । ୟାଦକୁ
ହିଁ ଯୋଗ କୁହାଯାଏ । ଭାରତର ପ୍ରାଚୀନ ଯୋଗ ବହୁତ ବିଖ୍ୟାତ । ଏହି ଯୋଗବଳ ଦ୍ୱାରା ହିଁ ତୁମେ ବିଶ୍ୱ
ଉପରେ ବିଜୟ ପ୍ରାପ୍ତ କରୁଛ । ଭାରତର ରାଜଯୋଗ ବହୁତ ନାମୀଗ୍ରାମୀ ଅଟେ । ବାବାଙ୍କ ବ୍ୟତୀତ ଆଉ
କେହି ଏହାକୁ ଶିଖାଇ ପାରିବେ ନାହିଁ । ତୁମେମାନେ ହେଉଛ ବ୍ରହ୍ମାକୁମାର କୁମାରୀ । ବି.କେ. ତ
ଏହିଠାରେ ହିଁ ରହିବେ ନା । ପ୍ରଜାପିତା ବ୍ରହ୍ମାଙ୍କର ସନ୍ତାନ ତ ନିଶ୍ଚିତ ବ୍ରହ୍ମାଙ୍କ ସାଥୀରେ
ହିଁ ଥିବେ । ବ୍ରାହ୍ମଣ କୁଳ ମଧ୍ୟ ନିଶ୍ଚିତ ଦରକାର । ଏହାକୁ କୁହାଯାଏ - ସର୍ବୋତ୍ତମ
ସର୍ବୋଚ୍ଚ ବ୍ରାହ୍ମଣକୁଳ । ଏବେ ତୁମେ ବ୍ରାହ୍ମଣ ଅଟ । ପୁଣି ତଳକୁ ଖସିବ । ବାଜୋଲୀ ଖେଳ
ଖେଳନ୍ତି ନା । ଏବେ ତୁମେ ଶୁଦ୍ରରୁ ବ୍ରାହ୍ମଣ ହୋଇଛ ପୁଣି ଦେବତା, କ୍ଷତ୍ରିୟ.... ତେବେ
ବର୍ତ୍ତମାନ ବାବା ବୁଝାଉଛନ୍ତି ମିଠା ମିଠା ପିଲାମାନେ ବହୁତ ଛୋଟିଆ କଥା, ବାବାଙ୍କର ସ୍ମୃତିରେ
ରୁହ । ଏହି କଥା ମଧ୍ୟ ତୁମ ବୁଦ୍ଧିରେ ଅଛି, ବାବା ଆମକୁ ୮୪ ଜନ୍ମର ରହସ୍ୟ ଶୁଣାଉଛନ୍ତି । ୮୪
ଲକ୍ଷ ଅଥବା ୮୪ ଜନ୍ମର ହିସାବ କିତାବ ତ ଜାଣିବା ଦରକାର ନା । କାହାକୁ ବି ଜଣାନାହିଁ । ୮୪ ଲକ୍ଷର
ହିସାବ ତ କେହି ବତେଇ ପାରିବେ ନାହିଁ । ମନୁଷ୍ୟ ୮୪ ଜନ୍ମର ଚକ୍ର ଲଗାଇଥା’ନ୍ତି । ଆତ୍ମାମାନେ
ଅଭିନୟ କରିବା ପାଇଁ ଉପରୁ ଆସୁଛନ୍ତି । ସତ୍ୟଯୁଗରୁ ଆରମ୍ଭ କରି କଳିଯୁଗ ଶେଷ ପର୍ଯ୍ୟନ୍ତ ଆସିବାରେ
ଲାଗିଛନ୍ତି । ପ୍ରତ୍ୟେକ ନିଜ ନିଜର ଅଭିନୟ କରିଚାଲିଛନ୍ତି । ଏହିସବୁ କଥାକୁ ମନୁଷ୍ୟ କେହି ବି
ଜାଣିନାହାଁନ୍ତି । ଏକମାତ୍ର ବାବା ହିଁ ଜାଣିପାରିବେ । ମନୁଷ୍ୟକୁ କେବେ ପରମପିତା, ଗଡଫାଦର (ଈଶ୍ୱର
ପିତା) ବୋଲି କୁହାଯିବ ନାହିଁ । ଗଡ ଫାଦର ବା ଈଶ୍ୱର ପିତା କହିବା ଦ୍ୱାରା ନିରାକାର ଶିବଙ୍କ ଆଡକୁ
ବୁଦ୍ଧି ଯାଇଥାଏ । ଜୀବାତ୍ମା ମାନଙ୍କର ପିତା ତ ଥିବେ ନା । ଆତ୍ମା ଗୋଟିଏ ଶରୀର ଛାଡି ଆଉ ଗୋଟିଏ
ନେଇଥାଏ । ନିରାକାର ପିତାଙ୍କ ନାମ ଶିବ ଅଟେ । ତୁମର ମଧ୍ୟ ଗୋଟିଏ ନାମ, ଆତ୍ମା । ପୁଣି ଶରୀରର
ଭିନ୍ନ ଭିନ୍ନ ନାମ ଦିଆଯାଇଥାଏ । ପରମପିତା ପରମାତ୍ମା ମଧ୍ୟ ଶରୀରରେ ଆସି ଜ୍ଞାନ ଶୁଣାଇଥାନ୍ତି ।
ଶରୀର ବିନା ଜ୍ଞାନ ଶୁଣାଇପାରିବେ ନାହିଁ । ତେଣୁ ବାବା ବୁଝାଉଛନ୍ତି ଏହାଙ୍କର ତ ନିଜର ନାମ ଅଛି
। ମୋର ତ କୌଣସି ଶାରୀରିକ ନାମ ନାହିଁ, ନା ମୁଁ ପୁନର୍ଜନ୍ମରେ ଆସୁଛି । ମୁଁ ଏହାଙ୍କ ଶରୀରରେ
ପ୍ରବେଶ କରୁଛି, ୟାଙ୍କୁ ମଧ୍ୟ ଜଣାପଡି ନ ଥାଏ, ମୋର ଆସିବାର କୌଣସି ନିର୍ଦ୍ଦିଷ୍ଟ ତିଥି-ତାରିଖ
ନାହିଁ । ହଁ, ମୁଁ କଳ୍ପର ଅନ୍ତିମ ସମୟ ଅର୍ଥାତ୍ ରାତ୍ରି ସମୟରେ ଆସିଥାଏ । ଏବେ ରାତ୍ରି ଅଟେ ନା
। ଏହା ତ ପତିତମାନଙ୍କର ଦୁନିଆ ଅଟେ । ମୁଁ ଆସୁଛି ପବିତ୍ର ଦୁନିଆ ଅର୍ଥାତ୍ ଦିନ କରିବା ପାଇଁ ।
ବ୍ରହ୍ମା ମଧ୍ୟ ଜାଣିନାହାଁନ୍ତି ଯେ ବାବା କେବେଠାରୁ ପ୍ରବେଶ କରିଛନ୍ତି । ହଁ ବିନାଶର ସାକ୍ଷାତ୍କାର
ମଧ୍ୟ କରିଥିଲେ । ସେହି ସମୟରେ ଅନେକ ଥର ଧ୍ୟାନରେ ଯାଉଥିଲେ, ତାହାର କୌଣସି ତିଥି, ତାରିଖ, ବେଳା
ବାହାର କରାଯାଇପାରିବ ନାହିଁ । ଶ୍ରୀକୃଷ୍ଣଙ୍କୁ ମଧ୍ୟ ପୂଜା କରୁଛନ୍ତି, ତାଙ୍କର ଜନ୍ମ ରାତ୍ରି
ସମୟରେ ଦେଖାଇଛନ୍ତି । କେଉଁ ସମୟରେ କେତେ ମିନିଟ୍ରେ ସବୁକଛି ସ୍ଥିର କରୁଛନ୍ତି । ବାବା
କହୁଛନ୍ତି - ମୁଁ ତ ନିରାକାର ହିଁ ଅଟେ । ଯେପରି ଅନ୍ୟ ମନୁଷ୍ୟମାନେ ଜନ୍ମ ନେଉଛନ୍ତି ମୋର ଜନ୍ମ
କ’ଣ ସେହିପରି ହେଉଛି କି । ମୋର ଜନ୍ମ ତ ଦିବ୍ୟ ଏବଂ ଅଲୌକିକ ଅଟେ । ମୁଁ ୟାଙ୍କ ଶରୀରରେ ପ୍ରବେଶ
କରୁଛି, ପୁଣି ଚାଲିଯାଉଛି । ବୃଷଭ ଉପରେ କ’ଣ ସାରା ଦିନ କିଏ ବସି ରହିଥାଏ କି । ମୋତେ ଯେତେବେଳେ
ପିଲାମାନେ ସ୍ମରଣ କରିଥା’ନ୍ତି ସେତେବେଳେ ମୁଁ ହାଜିର ହୋଇଯାଇଥାଏ । ବାବା ଆସି ପିଲାମାନଙ୍କ
ସହିତ ମିଶୁଛନ୍ତି, ଗୁଡ୍ମର୍ଣ୍ଣି କରୁଛନ୍ତି । ଯେମିତି ମନୁଷ୍ୟ ଜଣେ ଅନ୍ୟ ଜଣଙ୍କ ସହିତ
ମିଶିଥାନ୍ତି, ରାମ-ରାମ ବା ନମସ୍ତେ କହିଥା’ନ୍ତି । ଏହିକଥା ତ ଅବିନାଶୀ ଆତ୍ମିକ ପିତା
ବୁଝାଉଛନ୍ତି । ମୁଁ ତୁମ ସମସ୍ତ ସନ୍ତାନମାନଙ୍କର ପିତା ଅଟେ । ତେଣୁ ଶିବବାବାଙ୍କର ସନ୍ତାନ ତୁମେ
ସମସ୍ତେ ଆତ୍ମାମାନେ ଭାଇ ଭାଇ ଅଟ । ଏହିଭଳି ଖୁସିର ପାରଦ ଚଢି ରହିବା ଉଚିତ୍ । ବେହଦର ପିତା
ଆସିଛନ୍ତି, ଆମକୁ ବେହଦର ସମ୍ପତ୍ତି ଦେଉଛନ୍ତି । ପିଲାମାନଙ୍କୁ ଦେଖି ବାବାଙ୍କୁ ମଧ୍ୟ ଖୁସି
ଲାଗୁଛି, ବହୁତ ପିଲା ଅଛନ୍ତି । ପିଲାମାନେ ଜାଣିଛନ୍ତି ଆମକୁ ବାବା ସ୍ୱର୍ଗର ମାଲିକ କରୁଛନ୍ତି,
ରାଜତ୍ୱ ଦେଉଛନ୍ତି । ପ୍ରଜାମାନେ ମଧ୍ୟ କହିବେ ନା ଆମର ରାଜ୍ୟ । ଯେପରି ଭାରତବାସୀ କହୁଛନ୍ତି ଏହା
ଆମର ଭାରତ ଦେଶ । ରାଜା ପ୍ରଜା ଉଭୟ କହୁଛନ୍ତି ଆମର ଦେଶ । ତୁମେ ପିଲାମାନେ ଏବେ ନର୍କବାସୀ ହୋଇଛ,
ପୁଣି ସ୍ୱର୍ଗବାସୀ ହେବ । ବାବାଙ୍କୁ ଏବଂ ବର୍ସାକୁ ସ୍ମରଣ କରିବାର ଅଛି, ବାବା ଆଉ କୌଣସି
କଷ୍ଟକର କାମ ଦେଉନାହାଁନ୍ତି । ଗୃହସ୍ଥ ବ୍ୟବହାର ଭିତରେ ମଧ୍ୟ ରହିବାକୁ ହେବ । ଏଠାରେ ଆସି ତ
ରହିବାର ନାହିଁ । ଯଦି ସମସ୍ତେ ଏଠାକୁ ଚାଲି ଆସିବେ ତେବେ ଏତେଗୁଡିଏ ପିଲାମାନଙ୍କୁ ବାବା କେଉଁଠି
ରଖିବେ । ଏତେ ଗୁଡିଏ ପିଲା ଏକା ସମୟରେ କିପରି ଏକାଠି ହୋଇପାରିବେ । ସମସ୍ତ ସେବାକେନ୍ଦ୍ରର
ସନ୍ତାନମାନେ ଏକାଥରକେ କିପରି ମିଶିପାରିବେ । କେଉଁଠି ରହିବେ । ଅସୁବିଧା କଥା ନା । ଦିନକୁ ଦିନ
ପିଲାମାନଙ୍କର ସଂଖ୍ୟା ବୃଦ୍ଧି ହୋଇ ଚାଲିଛି, ଏହାର ମଧ୍ୟ କିଛି ଉପାୟ କରିବାକୁ ପଡିବ । ଏହିସବୁ
ଆଖପାଖର ଘର ଗୁଡିକୁ ନେବାକୁ ପଡିବ । ଘର ମାଲିକଙ୍କୁ ପଚାରିବା କେତେ ଟଙ୍କା ଚାହୁଁଛନ୍ତି । ସମୟ
ଅନୁସାରେ ତ ନେବାକୁ ପଡିବ ନା । ଟଙ୍କା ପଇସାର ତ କିଛି କଥା ନାହିଁ । ସମୟ ବହୁତ ଗମ୍ଭୀର
ହୋଇଚାଲିଛି । ବାବା ଏବଂ ପିଲାମାନେ ଉଭୟ ଅବିନାଶୀ ଅଟନ୍ତି । ଅବିନାଶୀ ସମ୍ପତ୍ତି ମଧ୍ୟ
ପିଲାମାନଙ୍କୁ ଦେଉଛନ୍ତି । ବହୁତ ସଂଖ୍ୟାରେ ପିଲାମାନେ ଆସିବେ । ବାବା ବିଚାର କରୁଛନ୍ତି
ଏତେଗୁଡିଏ ପିଲା କେଉଁଠି ଆସି ରହିବେ । ବାବା (ଶିବବାବା) କହୁଛନ୍ତି ତୁମେ ଚିନ୍ତା କାହିଁକି
କରୁଛ - ୱେଟ ଆଣ୍ଡ ସି ଅର୍ଥାତ୍ ଅପେକ୍ଷା କର ଏବଂ ଦେଖ । ତୁମେ ପାଠପଢିଚାଲ, ମନମନାଭବ ।
ତୁମ ପିଲାମାନଙ୍କର ଏହି କଥା ମନରେ ରହିବା ଦରକାର ଯେ ଏବେ ଆମକୁ କର୍ମାତୀତ ଅବସ୍ଥାକୁ ଯିବାର ଅଛି
। ସତ୍ତ୍ୱପ୍ରଧାନ ହେବାର ଅଛି । ବାବାଙ୍କ ସ୍ମୃତି ଦ୍ୱାରା ହିଁ ପବିତ୍ର ହେବୁ । ବାବା ତ ବହୁତ
ସହଜ କଥା ଶୁଣାଉଛନ୍ତି । ଅତି ସହଜ କଥା, କେବଳ ବାବାଙ୍କୁ ସ୍ମରଣ କରିବାର ଅଛି । ଦେଖ ବାଛୁରୀକୁ
ଯେତେବେଳେ ତା’ର ମା ମନେ ପଡେ ସେତେବେଳେ ହମ୍ବାଳିଥାଏ ନା । ସିଏ ତ ହେଲା ପଶୁ । ତୁମେ ପିଲାମାନେ
ମଧ୍ୟ ପାଟି କରୁଥିଲ ନା । ଆଗକୁ ଗଲେ ବହୁତ ଚିତ୍କାର କରିବେ, ଯୋଗରେ ମଗ୍ନ ହୋଇଯିବେ । ତୁମେ
ପିଲାମାନେ ତ ଏବେ ଜାଣିଛ ଯେ ବାବା ଆସିଛନ୍ତି, ବିନାଶ ତ ନିଶ୍ଚିତ ହେବ । ପ୍ରାକୃତିକ ଦୁର୍ବିପାକ
ଆସିବ । ସମସ୍ତେ ପରସ୍ପର ମଧ୍ୟରେ ଲଢେଇ ଝଗଡା କରିବାରେ ଲାଗିଛନ୍ତି । କେତେ ଧନ ଖର୍ଚ୍ଚ କରି ବୋମା
ତିଆରି କରୁଛନ୍ତି, ସେଥିରେ ବହୁତ ଧନ ବ୍ୟୟ ହୋଇଯାଉଛି, ଖର୍ଚ୍ଚ ତ ହେଉଛି ନା । ଏତେ ଖର୍ଚ୍ଚ
କେଉଁଠୁ ଆଣିବେ । ମୃତ୍ୟୁକୁ ମଧ୍ୟ ଡରୁଛନ୍ତି । ତଥାପି ମଧ୍ୟ ବମ୍ ତିଆରି କରିବା ବନ୍ଦ
କରୁନାହାଁନ୍ତି । ବମ୍ ଦ୍ୱାରା ହିଁ ଯୁଦ୍ଧ ଚାଲିବ । ଏବେ ଏଭଳି ବମ୍ ତିଆରି କରୁଛନ୍ତି ଯାହାକି
ବମ୍ ପଡିବା ମାତ୍ରକେ ମନୁଷ୍ୟ ମରିବେ । କୌଣସି ଜିନିଷ ପ୍ରଥମେ ତିଆରି କରିବା ପାଇଁ ସମୟ ଲାଗିଥାଏ
। ତାପରେ ଖୁବ କମ ସମୟ ମଧ୍ୟରେ ତିଆରି ହୋଇଯାଇଥାଏ । ଶୀଘ୍ର ଶୀଘ୍ର ତିଆରି କରିଚାଲିଛନ୍ତି, ବମ୍
ମଧ୍ୟ କ’ଣ ଅଳ୍ପ ତିଆରି କରିବେ କି? ତୁମେ ପିଲାମାନେ ଜାଣିଛ ଏହି ପୁରୁଣା ସୃଷ୍ଟିର ବିନାଶ ହେବାର
ଅଛି । ଏବେ ବେହଦର ବାବାଙ୍କଠାରୁ ସମ୍ପତ୍ତି ନେବାର ଅଛି ।
ଗୀତା ହିଁ ତୁମ ଭାରତବାସୀମାନଙ୍କର ଶାସ୍ତ୍ର, ଦେବୀ ଦେବତା ଧର୍ମର ଶାସ୍ତ୍ର । ବାକି ତ ସବୁ ଛୋଟ
ଛୋଟ ଶାସ୍ତ୍ର । ସେଗୁଡିକର କିଛି ଗାୟନ ନାହିଁ । ବ୍ରାହ୍ମଣ ଧର୍ମ ହେଲା ସବୁଠାରୁ ଶ୍ରେଷ୍ଠ ।
ବ୍ରାହ୍ମଣମାନଙ୍କର କାମ ହେଲା କଥା ବା ଶାସ୍ତ୍ର ପୁରାଣର କାହାଣୀ ଶୁଣାଇବା । ତୁମେ କହିପାରିବ ଆମେ
ବ୍ରହ୍ମାକୁମାର କୁମାରୀମାନେ ବ୍ରହ୍ମାଙ୍କର ସନ୍ତାନ ଅଟୁ, ଆମକୁ ଜେଜେବାପାଙ୍କର ସମ୍ପତ୍ତି ମିଳୁଛି
। ଆଚ୍ଛା—
ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ
ଶୁଭେଚ୍ଛା ଏବଂ ସୁପ୍ରଭାତ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।
ଧାରଣା ପାଇଁ ମୁଖ୍ୟ ସାର
:—
(୧) ଡ୍ରାମାର
ପ୍ରତ୍ୟେକ ରହସ୍ୟକୁ ଜାଣି ମଧ୍ୟ କୌଣସି କଥାର ଚିନ୍ତା କରିବାର ନାହିଁ । ପାଠପଢାକୁ ଜାରି ରଖିବାକୁ
ହେବ । ମନମନାଭବ ସ୍ଥିତିରେ ରହି କର୍ମାତୀତ ହେବାର ଚିନ୍ତା ରଖିବାକୁ ହେବ । ନିଜକୁ
ସତ୍ତ୍ୱପ୍ରଧାନ କରିବାକୁ ହେବ ।
(୨) ଆମେ ଆତ୍ମାମାନେ
ଶିବବାବାଙ୍କର ସନ୍ତାନ ପରସ୍ପର ଭାଇ ଭାଇ ଅଟୁ । ଶିବବାବାଙ୍କଠାରୁ ସମ୍ପତ୍ତି ନେଉଛୁ । ତେଣୁ ଏହି
ଖୁସିରେ ରହିବାକୁ ହେବ ।
ବରଦାନ:-
ଅନ୍ତର ସ୍ୱରୂପରେ
ସ୍ଥିତ ରହି ନିଜର ବା ବାବାଙ୍କର ଗୁପ୍ତ ରୂପକୁ ପ୍ରତ୍ୟକ୍ଷ କରୁଥିବା ସଚ୍ଚା ସ୍ନେହୀ ଭବ ।
ଯେଉଁ ପିଲାମାନେ ସର୍ବଦା
ନିଜର ଆନ୍ତରିକ ଆତ୍ମିକ ସ୍ୱରୂପ ସ୍ଥିତିରେ ସ୍ଥିତ ରହି ଅନ୍ତର୍ମୁଖୀ ଅବସ୍ଥାରେ ରହିଥାଆନ୍ତି,
ସେମାନେ କେବେ ବି କୌଣସି କଥାରେ ଲିପ୍ତ ଅର୍ଥାତ୍ ଜଡିତ ହୋଇପାରିବେ ନାହିଁ । ପୁରୁଣା ଦୁନିଆ,
ପୁରୁଣା ସମ୍ବନ୍ଧ, ସମ୍ପତ୍ତି ଏବଂ ପଦାର୍ଥ ଯାହାକି ଅଳ୍ପକାଳର ଏବଂ କେବଳ ଦେଖାଇ ହେବା ଭଳି ଅଟେ
। ତା’ଠାରୁ ଧୋକା ଖାଇପାରିବେ ନାହିଁ । କାରଣ ଅନ୍ତର ସ୍ୱରୂପର ସ୍ଥିତିରେ ରହିବା ଦ୍ୱାରା ନିଜର
ଶକ୍ତିସ୍ୱରୂପ ଯାହାକି ଗୁପ୍ତ ଅଟେ ତାହା ପ୍ରତ୍ୟକ୍ଷ ହୋଇଯାଇଥାଏ ଏବଂ ଏହି ସ୍ୱରୂପ ଦ୍ୱାରା ହିଁ
ବ୍ୟବହାର ପ୍ରତ୍ୟକ୍ଷତା ହୋଇଥାଏ । ତେଣୁ ଏହିଭଳି ଶ୍ରେଷ୍ଠ କର୍ତ୍ତବ୍ୟ କରିବାବାଲା ହିଁ ସଚ୍ଚା
ସ୍ନେହୀ ଅଟନ୍ତି ।
ସ୍ଲୋଗାନ:-
ଯଦି ନିଜର
ନିଶ୍ଚୟ ଏବଂ ଜନ୍ମ ସିଦ୍ଧ ଅଧିକାରର ସ୍ୱାଭିମାନରେ ରହିବ ତେବେ ବ୍ୟତିବ୍ୟସ୍ତ ହେବାକୁ ପଡିବ ନାହିଁ
।
ଅବ୍ୟକ୍ତ ଈଶାରା:-
ସର୍ବଦା ହର୍ଷିତ ରହିବା ପାଇଁ ନିଜର ସ୍ୱଭାବକୁ ସରଳ କର ଏବଂ ସହନଶୀଳ ହୁଅ ।
ସ୍ୱଚ୍ଛତା ମଧ୍ୟ ସରଳତାର
ଲକ୍ଷଣ ଅଟେ । ସରଳତା ଯେତିକି ଥିବ ସ୍ୱଚ୍ଛତା ମଧ୍ୟ ସେତିକି ରହିଥିବ ସେଥିପାଇଁ ସମସ୍ତଙ୍କୁ
ସେମାନେ ନିଜ ଆଡକୁ ଆକର୍ଷିତ କରିଥାଆନ୍ତି । ତେବେ ସତ୍ୟତା ଏବଂ ସ୍ୱଚ୍ଛତା ମଧ୍ୟ ସେତେବେଳେ ଆସିବ
ଯେତେବେଳେ ନିଜର ସ୍ୱଭାବକୁ ସରଳ କରିଦେବ । ସରଳ ସ୍ୱଭାବଯୁକ୍ତ ଆତ୍ମା ବହୁରୂପୀ ମଧ୍ୟ ହୋଇପାରିବ
। ଏହିଭଳି ସରଳ ସ୍ୱଭାବୀ ସର୍ବଦା ହର୍ଷିତ ରହିଥାଏ ଏବଂ ସମସ୍ତଙ୍କୁ ଆକର୍ଷିତ କରିଥାଏ ।