23.10.26 Morning Odia Murli Om Shanti BapDada Madhuban
“ମିଠେ ବଚ୍ଚେ:- ରକ୍ତ
ସମ୍ପର୍କରେ ହିଁ ଦୁଃଖ ରହିଛି, ତୁମ୍ଭମାନଙ୍କୁ ତାହାର ତ୍ୟାଗ କରି ପରସ୍ପର ସହିତ ଆତ୍ମିକ ସ୍ନେହ
ରଖିବାକୁ ହେବ, ଏହା ହିଁ ସୁଖ ଏବଂ ଆନନ୍ଦର ଆଧାର ଅଟେ ।”
ପ୍ରଶ୍ନ:-
ବିଜୟ ମାଳାରେ
ଆସିବା ପାଇଁ ବିଶେଷକରି କେଉଁ ପୁରୁଷାର୍ଥ କରିବା ଦରକାର?
ଉତ୍ତର:-
ଯଦି ବିଜୟ ମାଳାରେ ଆସିବାକୁ ଚାହୁଁଛ, ତେବେ ବିଶେଷ କରି ପବିତ୍ର ହେବାର ପୁରୁଷାର୍ଥ କର ।
ଯେତେବେଳେ ପକ୍କା ସନ୍ନ୍ୟାସୀ ଅର୍ଥାତ୍ ନିର୍ବିକାରୀ ହୋଇଯିବ, ସେତେବେଳେ ଯାଇ ବିଜୟ ମାଳାର ଦାନା
ହୋଇପାରିବ । ଯଦି କୌଣସି କର୍ମବନ୍ଧନର ହିସାବ-କିତାବ ରହିବ, ତେବେ ଉତ୍ତରାଧିକାରୀ ହୋଇପାରିବ ନାହିଁ,
ପ୍ରଜା ଶ୍ରେଣୀକୁ ଚାଲିଯିବ ।
ଗୀତ:-
ମହଫିଲ ମେଁ ଜଲ
ଉଠି ଶମା ପରବାନୋଁ କେ ଲିୟେ,...
ଓମ୍ ଶାନ୍ତି ।
ଦେଖ ଆମେ ଆମର
ବାବାଙ୍କର ହିଁ ମହିମା କରୁଛୁ । ମୁଁ ଆତ୍ମା ନିଶ୍ଚିତ ନିଜର ପିତାଙ୍କର ପ୍ରତ୍ୟକ୍ଷତା କରିବି ନା
। ପୁତ୍ର ହିଁ ପିତାଙ୍କର ପ୍ରତ୍ୟକ୍ଷତା କରିଥାଏ । ତେବେ ମୁଁ ହେଉଛି ଆତ୍ମା, ତୁମେମାନେ ମଧ୍ୟ
କହୁଛ ଆମେ ଆତ୍ମା ଅଟୁ, ଆମ ସମସ୍ତଙ୍କର ପିତା ଏକମାତ୍ର ପରମାତ୍ମା ଅଟନ୍ତି, ଯିଏକି ସମସ୍ତଙ୍କର
ପିତା ଅଟନ୍ତି । ଏହି କଥା ତ ସମସ୍ତେ ମାନିବେ । ଏପରି କହିବେ ନାହିଁ ଯେ ଆମ ଆତ୍ମାମାନଙ୍କର
ଅଲଗା-ଅଲଗା ପିତା ରହିଛନ୍ତି । ପିତା ସମସ୍ତଙ୍କର ଜଣେ ଅଟନ୍ତି । ଏବେ ଆମେ ତାଙ୍କର ସନ୍ତାନ
ହୋଇଥିବା କାରଣରୁ ତାଙ୍କର କର୍ତ୍ତବ୍ୟକୁ ଜାଣିଛୁ । ଆମେ ଏପରି କହିପାରିବୁ ନାହିଁ ଯେ ପରମାତ୍ମା
ସର୍ବବ୍ୟାପୀ ଅଟନ୍ତି । ତାହା ହେଲେ ତ ସମସ୍ତଙ୍କ ଭିତରେ ପରମାତ୍ମା ହୋଇଯିବେ । ପିତାଙ୍କୁ ମନେ
ପକାଇ ପିଲା ଖୁସି ହୋଇଥାଏ କାହିଁକି ନା ଯାହା କିଛି ପିତାଙ୍କ ପାଖରେ ଥାଏ, ସେସବୁ ସମ୍ପତ୍ତି
ସନ୍ତାନଙ୍କୁ ମିଳିଥାଏ । ଏବେ ଆମେ ପରମାତ୍ମାଙ୍କର ଉତ୍ତରାଧିକାରୀ ଅଟୁ, ତାଙ୍କ ପାଖରେ କ’ଣ ଅଛି?
ସିଏ ଆନନ୍ଦର ସାଗର, ଜ୍ଞାନର ସାଗର, ପ୍ରେମର ସାଗର ଅଟନ୍ତି । ଏକଥା ଆମେ ଜାଣିଛୁ, ସେଥିପାଇଁ ଆମେ
ତାଙ୍କର ମହିମା କରୁଛୁ । ଅନ୍ୟମାନେ ଏହା କହିପାରିବେ ନାହିଁ । ଯଦିଓ କେହି ମହିମା କରିଥାନ୍ତି
କିନ୍ତୁ ସିଏ କିପରି ଅଟନ୍ତି, ଏକଥା ତ ସେମାନେ ଜାଣିନାହାଁନ୍ତି । ବାକି ତ ସମସ୍ତେ କହିଦେଉଛନ୍ତି
ଯେ ପରମାତ୍ମା ସର୍ବବ୍ୟପୀ ଅଟନ୍ତି, ଯେହେତୁ ଆମେ ତାଙ୍କର ସନ୍ତାନ ଅଟୁ, ତେବେ ନିଜର ନିରାକାର
ଅବିନାଶୀ ବାବାଙ୍କର ମହିମା ବର୍ଣ୍ଣନା କରୁଛୁ ଯେ ସିଏ ଆନନ୍ଦର ସାଗର, ଜ୍ଞାନର ସାଗର, ପ୍ରେମର
ଭଣ୍ଡାର ଅଟନ୍ତି । କିନ୍ତୁ କେହି ଯଦି ପ୍ରଶ୍ନ ଉଠାଇବେ ଯେ ଆପଣ କହୁଛନ୍ତି କି ସେଠାରେ ନିରାକାରୀ
ଦୁନିଆରେ ଦୁଃଖ ସୁଖରୁ ଅଲଗା ଅବସ୍ଥା ରହିଥାଏ । ସେଠାରେ ସୁଖ ଅଥବା ଆନନ୍ଦ ଅଥବା ପ୍ରେମ କେଉଁଠୁ
ଆସିଲା? ଏବେ ଏହା ବୁଝିବାର କଥା । ଏହି ଯେଉଁ ଆନନ୍ଦ, ସୁଖ ଅଥବା ପ୍ରେମ କହୁଛନ୍ତି, ଏହା ତ ହେଉଛି
ସୁଖର ଅବସ୍ଥା କିନ୍ତୁ ସେହି ଶାନ୍ତିର ଦେଶରେ ଆନନ୍ଦ, ପ୍ରେମ ଅଥବା ଜ୍ଞାନ କେଉଁଠାରୁ ଆସିଲା?
ସେହି ସୁଖର ସାଗର ଯେତେବେଳେ ଏହି ସାକାର ସୃଷ୍ଟିକୁ ଆସୁଛନ୍ତି, ସେତେବେଳେ ଆସି ସୁଖ ଦେଉଛନ୍ତି ।
ସେଠାରେ ଦୁଃଖ, ସୁଖରୁ ଉର୍ଦ୍ଧ୍ୱ ଅବସ୍ଥାରେ ରହିଥାନ୍ତି, କାରଣ ତୁମ୍ଭମାନଙ୍କୁ ବୁଝାଯାଇଛି ଯେ
ଗୋଟିଏ ହେଉଛି ଦୁଃଖ, ସୁଖରୁ ନିଆରା ଦୁନିଆ, ଯାହାକୁ ନିରାକାରୀ ଦୁନିଆ କୁହାଯାଉଛି । ଅନ୍ୟଟି
ପୁଣି ସୁଖର ଦୁନିଆ, ଯେଉଁଠାରେ ସର୍ବଦା ସୁଖ, ଆନନ୍ଦ ରହିଥାଏ, ଯାହାକୁ ସ୍ୱର୍ଗ କହୁଛନ୍ତି ଏବଂ
ଏହା ହେଉଛି ଦୁଃଖର ଦୁନିଆ, ଯାହାକୁ ନର୍କ ଅଥବା ଲୌହଯୁଗର ଦୁନିଆ କହୁଛନ୍ତି । ବର୍ତ୍ତମାନ ଏହି
ଲୌହଯୁଗୀ ଦୁନିଆକୁ ପରମପିତା ପରମାତ୍ମା, ଯିଏକି ସୁଖର ସାଗର ଅଟନ୍ତି, ସିଏ ଆସି ଏହି ଦୁନିଆକୁ
ବଦଳାଇ ଆନନ୍ଦ, ସୁଖ, ପ୍ରେମର ଭଣ୍ଡାର କରୁଛନ୍ତି । ଯେଉଁଠାରେ ସୁଖ ହିଁ ସୁଖ ରହିବ । ପ୍ରେମ ହିଁ
ପ୍ରେମ ରହିବ । ସତ୍ୟଯୁଗରେ ଜୀବଜନ୍ତୁ ମାନଙ୍କ ଭିତରେ ବି ବହୁତ ପ୍ରେମ ରହିଥାଏ । ଗାଈ, ବାଘ
ମଧ୍ୟ ଏକତ୍ର ପାଣି ପିଇଥାନ୍ତି, ସେମାନଙ୍କ ଭିତରେ ଏତେ ପ୍ରେମ ରହିଥାଏ । ତେବେ ପରମାତ୍ମା ଆସି
ନିଜର ଯେଉଁ ରାଜଧାନୀ ସ୍ଥାପନ କରୁଛନ୍ତି, ସେଠାରେ ସୁଖ ଏବଂ ଆନନ୍ଦ ରହିଛି । ଆଉ ନିରାକାରୀ
ଦୁନିଆରେ ତ ସୁଖ ଆନନ୍ଦର କଥା ହିଁ ନାହିଁ, ପ୍ରେମର କୌଣସି କଥା ହିଁ ନାହିଁ । ତାହା ତ ହେଲା
ନିରାକାରୀ ଆତ୍ମାମାନଙ୍କର ନିବାସ ସ୍ଥାନ । ତାହା ହେଉଛି ସମସ୍ତଙ୍କର ଅବସର ପ୍ରାପ୍ତ ଜୀବନ ଅଥବା
ନିର୍ବାଣ ଅବସ୍ଥା, ଯେଉଁଠାରେ ଦୁଃଖ ସୁଖର କୌଣସି ଅନୁଭବ ହୋଇନଥାଏ । ସେହି ଦୁଃଖ ସୁଖର ଅଭିନୟ ତ
ଏହି ସାକାର ଦୁନିଆରେ ଚାଲୁଛି । ଏହି ସୃଷ୍ଟିରେ ହିଁ ଯେତେବେଳେ ସ୍ୱର୍ଗ ହୋଇଥାଏ, ସେତେବେଳେ
ଅନାଦି ଆତ୍ମିକ ସ୍ନେହ ରହିଥାଏ କାହିଁକି ନା ରକ୍ତ ସମ୍ପର୍କରେ ହିଁ ଦୁଃଖ ରହିଛି ।
ସନ୍ନ୍ୟାସୀମାନଙ୍କ ଭିତରେ ମଧ୍ୟ ରକ୍ତ ସମ୍ପର୍କ ରହିନଥାଏ, ସେଥିପାଇଁ ସେମାନଙ୍କର ନିକଟରେ ଦୁଃଖର
କୌଣସି କଥା ନ ଥାଏ । ସେମାନେ ତ କହନ୍ତି ମୁଁ ସତ୍ ଚିତ୍ ଆନନ୍ଦ ସ୍ୱରୂପ ଅଟେ କାରଣ ସେମାନେ ରକ୍ତ
ସମ୍ପର୍କକୁ ତ୍ୟାଗ କରିଦେଇଥାନ୍ତି । ସେହିପରି ଏଠରେ ମଧ୍ୟ ତୁମର କୌଣସି ରକ୍ତ ସମ୍ପର୍କ ନାହିଁ ।
ଏଠାରେ ଆମ ସମସ୍ତଙ୍କର ଆତ୍ମିକ ପ୍ରେମ ରହିଛି, ଯାହାକି ପରମାତ୍ମା ଆମକୁ ଶିଖାଉଛନ୍ତି ।
ବାବା କହୁଛନ୍ତି
ତୁମେମାନେ ମୋର ସବୁଠାରୁ ପ୍ରିୟ ସନ୍ତାନ ଅଟ । ମୋର ଆନନ୍ଦ, ପ୍ରେମ, ସୁଖ ସବୁ ତୁମର ଅଟେ କାହିଁକି
ନା ତୁମ୍ଭେମାନେ ସେହି ଦୁନିଆ ଛାଡି ମୋର କୋଳକୁ ଆସିଯାଇଛ । ବାସ୍ତବିକ ଜୀବନରେ ବି ତୁମେମାନେ ଆସି
ମୋର କୋଳରେ ବସିଛ । ଏପରି ନୁହେଁ କି ଯେପରି ଦୁନିଆରେ କେହି ଗୁରୁଙ୍କର ପୋଷ୍ୟ ହୋଇ ପୁଣି ଘରକୁ
ଚାଲିଯାଇଥାନ୍ତି, ଏହା ସେପରି ନୁହେଁ । ସେମାନଙ୍କୁ ପ୍ରିୟ ସନ୍ତାନ କୁହାଯିବ ନାହିଁ ।
ସେମାନଙ୍କର ମଧ୍ୟ ଇଏ ଯେପରି ପ୍ରଜା ଅଟନ୍ତି । ଆଉ ଯେଉଁମାନେ ସନ୍ନ୍ୟାସ କରି ତାଙ୍କର ପୋଷ୍ୟ
ହୋଇଥାନ୍ତି ସିଏ ହିଁ ସବୁଠାରୁ ପ୍ରିୟ ସନ୍ତାନ ହୋଇଥାନ୍ତି କାହିଁକି ନା ସିଏ ହିଁ ଗୁରୁଙ୍କ ପଛରେ
ତାଙ୍କର ଆସ୍ଥାନରେ ବସିଥାନ୍ତି । ସନ୍ତାନ ଏବଂ ପ୍ରଜା, ଏହା ମଧ୍ୟରେ ରାତି ଦିନର ଫରକ ରହିଥାଏ ।
ସନ୍ତାନମାନେ ଉତ୍ତରାଧିକାରୀ ହୋଇ ସମ୍ପତ୍ତି ନେଇଥାନ୍ତି । ଯେହେତୁ ତୁମ୍ଭେମାନେ
ମିତ୍ର-ସମ୍ବନ୍ଧୀଙ୍କଠାରୁ ରକ୍ତ ସମ୍ପର୍କ ତୁଟାଇ ଏହି ନିରାକାର ବା ସାକାରଙ୍କର ପୋଷ୍ୟ ହୋଇଛ,
ତେଣୁ ତୁମେ ମଧ୍ୟ ତାଙ୍କର ଉତ୍ତରାଧିକାରୀ ହୋଇଗଲ । ଏଥିରେ ମଧ୍ୟ ଯେତେ ଜ୍ଞାନ ଆହରଣ କରିବ, ତାହା
ହେଲା ଆନନ୍ଦ । ଶିକ୍ଷାକୁ ବ୍ଲିସ୍ ବା ପରମ ଆନନ୍ଦ ବୋଲି କୁହାଯାଇଥାଏ । ଯିଏ ଯେତେ ଜ୍ଞାନ ଧାରଣ
କରିବେ, ସେତେ ସେହି ରାଜଧାନୀରେ ପ୍ରଜା ହୋଇ ସୁଖ ଭୋଗ କରିବେ । ଏହି ଈଶ୍ୱରୀୟ ଶିକ୍ଷାରେ ପରମ
ଆନନ୍ଦ ରହିଛି ନା, ଯେଉଁଥିରୁ ପରମ ଶାନ୍ତି ଏବଂ ସୁଖ ମିଳିଥାଏ । ଏହି ଅଖଣ୍ଡ ଅଟଳ ସୁଖ ଶାନ୍ତିମୟ
ସ୍ୱରାଜ୍ୟ ହେଉଛି ଈଶ୍ୱରଙ୍କର ସମ୍ପତ୍ତି, ଯାହାକି ତୁମ ପିଲାମାନଙ୍କୁ ମିଳୁଛି । ପୁଣି ଯେତେ-ଯେତେ
ଯିଏ ଜ୍ଞାନ ଧାରଣ କରିବେ, ସେତେ ବାବାଙ୍କର ବର୍ସା ବା ସମ୍ପତ୍ତି ପାଇବେ । ଯେପରି ତୁମ ପାଖକୁ ଏତେ
ଜିଜ୍ଞାସୁମାନେ ଆସୁଛନ୍ତି, ସେମାନେ ସମସ୍ତେ ତୁମର ପ୍ରିୟ ପ୍ରଜା ଅଟନ୍ତି । ସେମାନେ ତୁମର
ସନ୍ତାନ ନୁହଁନ୍ତି, କାରଣ ସେମାନେ ଆସୁଛନ୍ତି ପୁଣି ଚାଲିଯାଉଛନ୍ତି, ସେମାନେ ତୁମର ସନ୍ତାନ ମଧ୍ୟ
ହୋଇପାରିବେ କାହିଁକି ନା ପ୍ରଜାମାନଙ୍କ ଭିତରୁ କେହି କେହି ଉତ୍ତରାଧିକାରୀ ବି ହୋଇଥାନ୍ତି ନା ।
ଯେବେ ଜ୍ଞାନ ଗ୍ରହଣ କରୁ କରୁ ଦେଖନ୍ତି ଯେ ଏଠାରେ ତ ଅସରନ୍ତି ସୁଖ ଏବଂ ଶାନ୍ତି ରହିଛି, ବିନାଶୀ
ଦୁନିଆରେ କେବଳ ଦୁଃଖ ହିଁ ରହିଛି, ତେବେ ଆସି ପୋଷ୍ୟ ସନ୍ତାନ ହୋଇଥାନ୍ତି । ତୁରନ୍ତ ତ କେହି
ସନ୍ତାନ ହୋଇଯାଇ ନ ଥାନ୍ତି । ତୁମେମାନେ ମଧ୍ୟ ପ୍ରଥମେ ପ୍ରଥମେ ଯିବା ଆସିବା କରୁଥିଲ, ପୁଣି
ଜ୍ଞାନ ଶୁଣୁ-ଶୁଣୁ ଏଠାରେ ରହିଗଲ, ତେଣୁ ବାବାଙ୍କର ଉତ୍ତରାଧିକାରୀ ହୋଇଗଲ । ସନ୍ନ୍ୟାସୀମାନଙ୍କ
କ୍ଷେତ୍ରରେ ମଧ୍ୟ ଏହିଭଳି ହୋଇଥାଏ । ସନ୍ନ୍ୟାସୀମାନଙ୍କର କଥା ଶୁଣି-ଶୁଣି ଯେବେ ବୁଝି ଯାଆନ୍ତି
ଯେ ସନ୍ନ୍ୟାସରେ ହିଁ ଶାନ୍ତି, ସୁଖ ରହିଛି ତେବେ ସନ୍ନ୍ୟାସ କରିନେଇଥାନ୍ତି । ଏଠାରେ ମଧ୍ୟ ଯେବେ
ଜ୍ଞାନର ସ୍ୱାଦ ପାଇଯାଆନ୍ତି, ତେବେ ବାବାଙ୍କର ପ୍ରିୟ ସନ୍ତାନ ହୋଇଯାଇଥାନ୍ତି, ତେବେ ସେମାନଙ୍କୁ
ଜନ୍ମ-ଜନ୍ମାନ୍ତର ପାଇଁ ସମ୍ପତ୍ତିର ଅଧିକାର ମିଳିଯାଇଥାଏ । ସେମାନେ ପୁଣି ଦୈବୀ ବଂଶାବଳୀରେ
ଆସିଥାନ୍ତି । ପ୍ରଜାମାନେ ତ ସାଥିରେ ରୁହନ୍ତି ନାହିଁ ସେମାନେ କେଉଁଠି-କେଉଁଠି କର୍ମବନ୍ଧନରେ
ବାନ୍ଧି ହୋଇ ଯାଇଥାନ୍ତି ।
ଯେପରି ଗୀତରେ କହୁଛନ୍ତି
ମହଫିଲ ମେଁ ଜଲ ଉଠି ଶମା ପରବାନୋଁ କେ ଲିଏ । ତେଣୁ ପତଙ୍ଗମାନେ ମଧ୍ୟ ଅଗ୍ନିର ଚାରିପାଖେ ଘୁରି
ଘୁରି ବୁଲି କରି ମରିଯାଇଥାନ୍ତି । କେହି କେହି ପୁଣି ଏହାର ଚାରିପଟେ ଘୂରି ଘୂରି ଚାଲିଯାଇଥାନ୍ତି
। ଏହି ବ୍ରହ୍ମାଙ୍କ ଶରୀର ମଧ୍ୟ ଏକ ଶମା (ଆଲୋକ ଶିଖା) ଅଟେ, ଯେଉଁଥିରେ ସର୍ବଶକ୍ତିବାନ୍
ବାବାଙ୍କର ପ୍ରବେଶତା ହୋଇଛି । ତୁମ୍ଭେମାନେ ଏଠାକୁ ପତଙ୍ଗ ହୋଇ ଆସିଥିଲ, ଆସୁ ଆସୁ ଶେଷରେ ଯେବେ
ଏହି ରହସ୍ୟକୁ ବୁଝିଗଲ, ତେବେ ଏଠାରେ ରହିଗଲ । ଏଠାକୁ ତ ହଜାର-ହଜାର, ଲକ୍ଷ୍ୟ-ଲକ୍ଷ୍ୟ ସଂଖ୍ୟାରେ
ଆସୁଛନ୍ତି, ତୁମ୍ଭମାନଙ୍କ ଦ୍ୱାରା ମଧ୍ୟ ଜ୍ଞାନ ଶୁଣୁଛନ୍ତି । ସେମାନେ ତ ଯେତିକି ଜ୍ଞାନ ଶୁଣିବେ
ସେତିକି ଶାନ୍ତି ଏବଂ ସୁଖର ବରଦାନ ନେଇ ଚାଲିବେ କାହିଁକି ନା ଏହି ଅବିନାଶୀ ପିତାଙ୍କର ଶିକ୍ଷାର
ତ କେବେ ବିନାଶ ହୁଏ ନାହିଁ । ଏହାକୁ ଅବିନାଶୀ ଜ୍ଞାନ ଧନ କୁହାଯାଉଛି । ଏହାର କେବେ ବିନାଶ ହୁଏ
ନାହିଁ । ତେବେ ଯେଉଁମାନେ ଅଳ୍ପ କିଛି ବି ଏହି ଜ୍ଞାନକୁ ଶୁଣୁଛନ୍ତି ସେମାନେ ପ୍ରଜା ବର୍ଗରେ
ନିଶ୍ଚିତ ଆସିବେ । ସତ୍ୟଯୁଗରେ ତ ପ୍ରଜାମାନେ ମଧ୍ୟ ବହୁତ-ବହୁତ ସୁଖୀ ହେବେ । ସେଠାରେ ଅନାଦି
ସୁଖ ରହିଥାଏ, କାରଣ ସେଠାରେ ସମସ୍ତେ ଆତ୍ମ-ଅଭିମାନୀ ହୋଇ ରହିଥାନ୍ତି । ଏଠାରେ ଦେହ-ଅଭିମାନୀ
ହୋଇଯାଇଛନ୍ତି, ସେଥିପାଇଁ ଦୁଃଖୀ ହେଉଛନ୍ତି । ସେଠାରେ ତ ସ୍ୱର୍ଗ ହିଁ ରହିଛି, ସେଠାରେ ଦୁଃଖର
ଚିହ୍ନବର୍ଣ୍ଣ ରହିବ ନାହିଁ । ସେଠାରେ ଜୀବଜନ୍ତୁ ମାନେ ମଧ୍ୟ ଏତେ ସୁଖ ଶାନ୍ତିରେ ରହିବେ, ତେବେ
ପ୍ରଜାମାନଙ୍କର ପରସ୍ପର ମଧ୍ୟରେ କେତେ ସୁଖ ଏବଂ ପ୍ରେମ ରହି ନ ଥିବ । ଏକଥା ନିଶ୍ଚିତ ଯେ ସମସ୍ତେ
ଉତ୍ତରାଧିକାରୀ ହେବେ ନାହିଁ । ଏଠାରେ ତ ୧୦୮ ପକ୍କା ସନ୍ନ୍ୟାସୀ ହିଁ ବିଜୟ ମାଳାର ଦାନା ହେବେ ।
ତାହା ବି ଏବେ ହୋଇ ନାହାଁନ୍ତି, ହେଉଛନ୍ତି । ତା ସହିତ ପ୍ରଜା ମଧ୍ୟ ହେଉଛନ୍ତି । ସେମାନେ ମଧ୍ୟ
ବାହାରେ ରହି ଜ୍ଞାନ ଶୁଣି ଚାଲିଛନ୍ତି । ଘରେ ବସି ଯୋଗ ଲଗାଉଛନ୍ତି । ଯୋଗ ଲଗାଇ-ଲଗାଇ କେହି ପୁଣି
ଯଦି ଭିତରକୁ ଆସିଯାଉଛନ୍ତି, ତେବେ ସେମାନେ ପ୍ରଜାରୁ ଉତ୍ତରାଧିକାରୀ ହୋଇଯାଉଛନ୍ତି । ଯେ
ପର୍ଯ୍ୟନ୍ତ କର୍ମବନ୍ଧନର କିଛି ହିସାବ ବାକି ରହିଯାଇଛି, ସେ ପର୍ଯ୍ୟନ୍ତ ବାହାରେ ରହି ଯୋଗ ଲଗାଇ,
ନିର୍ବିକାରୀ ହୋଇ ରହିଥାନ୍ତି । ତେଣୁ ଘରେ ରହି ଯେଉଁମାନେ ନିର୍ବିକାରୀ ହୋଇ ରହିଥାନ୍ତି, ତେବେ
ଘରେ ଝଗଡା ତ ନିଶ୍ଚିତ ହେବ, କାହିଁକି ନା କାମେଷୁ କ୍ରୋଧେଷୁ.... କାମ ମହାଶତ୍ରୁ ଉପରେ ଯେବେ
ତୁମ୍ଭେମାନେ ବିଜୟୀ ହେଉଛ, ବିଷ ଦେବା ବନ୍ଦ କରିଦେଉଛ, ତେଣୁ ଝଗଡା ହେଉଛି ।
ପରମାତ୍ମା ତ କହୁଛନ୍ତି
ପିଲାମାନେ - ମୃତ୍ୟୁ ସମ୍ମୁଖରେ ଉପସ୍ଥିତ । ସାରା ଦୁନିଆ ବିନାଶ ହୋଇଯିବ, ଯେପରି ବୃଦ୍ଧ
ଲୋକମାନଙ୍କୁ କହିଥାନ୍ତି ଯେ ମୃତ୍ୟୁ ତୁମର ସମ୍ମୁଖରେ ଅଛି, ତେଣୁ ତୁମେ ପରମାତ୍ମାଙ୍କୁ ସ୍ମରଣ
କର । ସେହିପରି ବାବା ମଧ୍ୟ କହୁଛନ୍ତି ପିଲାମାନେ ନିର୍ବିକାରୀ ହୋଇଯାଅ । ପରମାତ୍ମାଙ୍କୁ ମନେ
ପକାଅ । ଯେପରି ତୀର୍ଥ କରିବା ସମୟରେ କାମ, କ୍ରୋଧ ସବୁ ବର୍ଜନ କରିଥାଆନ୍ତି । ତୀର୍ଥଯାତ୍ରା
କରିବା ସମୟରେ କ’ଣ ବିକାରୀ ହୋଇପାରିବେ । ସେମାନେ ତ ରାସ୍ତା ସାରା ଅମରନାଥଙ୍କର ଜୟ ଜୟକାର କରି
ଚାଲିଥା’ନ୍ତି ପୁଣି ସେଠାରୁ ଫେରି ଆସିଲା ପରେ ସେହି ବିକାରରେ ବୁଡି ଯାଇଥାନ୍ତି, କିନ୍ତୁ
ତୁମ୍ଭମାନଙ୍କୁ ତ ଆଉ ଫେରିବାର ନାହିଁ । ତୁମମାନଙ୍କର କାମ, କ୍ରୋଧ ଆସିବାର ନାହିଁ । ତୁମ୍ଭେମାନେ
ଯଦି ବିକାରରେ ବଶୀଭୂତ ହେବ, ତେବେ ପଦ ଭ୍ରଷ୍ଟ ହୋଇଯିବ । ଆଉ ପବିତ୍ର ହୋଇପାରିବ ନାହିଁ ।
ଯେଉଁମାନେ ପବିତ୍ର ହେବେ, ସେମାନେ ବିଜୟ ମାଳାରେ ଗୁନ୍ଥା ହେବେ । ଯେଉଁମାନେ ଫେଲ୍ ହେବେ, ସେମାନେ
ଚନ୍ଦ୍ରବଂଶୀ କୁଳକୁ ଚାଲିଯିବେ ।
ଏହି କଥା ତୁମ ସମସ୍ତଙ୍କୁ
ପରମପିତା ପରମାତ୍ମା ବସି ପଢାଉଛନ୍ତି । ସିଏ ହିଁ ଜ୍ଞାନର ସାଗର ଅଟନ୍ତି ନା । ପରମାତ୍ମା ତ ସେହି
ନିରାକାରୀ ଦୁନିଆରେ ଆତ୍ମାମାନଙ୍କୁ ବସାଇ ଜ୍ଞାନ ଶୁଣାଇ ପାରିବେ ନାହିଁ । ସେଥିପାଇଁ ଏଠାକୁ ଆସି
ତୁମ୍ଭମାନଙ୍କୁ ଜ୍ଞାନ ଶୁଣାଉଛନ୍ତି । ପରମାତ୍ମା କହୁଛନ୍ତି ଯେ ତୁମ୍ଭେମାନେ ମୋର ସନ୍ତାନ ଅଟ ।
ଯେପରି ମୁଁ ପବିତ୍ର, ସେହିପରି ତୁମ୍ଭେମାନେ ମଧ୍ୟ ପବିତ୍ର ହୁଅ । ତେବେ ତୁମେମାନେ ସତ୍ୟଯୁଗରେ
ସୁଖମୟ, ପ୍ରେମମୟ ରାଜ୍ୟ କରିବ, ଯାହାକୁ ବୈକୁଣ୍ଠ ବୋଲି କୁହାଯାଉଛି । ବର୍ତ୍ତମାନ ଏହି ଦୁନିଆ
ବଦଳୁଛି, କାହିଁକି ନା ଲୌହଯୁଗରୁ ସ୍ୱର୍ଣ୍ଣିମଯୁଗ ହେଉଛି । ପୁଣି ତା’ପରେ ସ୍ୱର୍ଣ୍ଣିମଯୁଗରୁ
ରୌପ୍ୟଯୁଗରେ ପରିବର୍ତ୍ତନ ହୋଇଯିବ । ରୌପ୍ୟଯୁଗରୁ ତାମ୍ରଯୁଗ, ପୁଣି ତାମ୍ରଯୁଗ ଲୌହଯୁଗକୁ ଏହିପରି
ବଦଳି ଚାଲିବ । ଏହିପରି ଏହି ଦୁନିଆ ବଦଳି ଚାଲିଛି । ତେବେ ବର୍ତ୍ତମାନ ଏହି ଦୁନିଆ ବଦଳୁଛି ।
କିଏ ଏହି ଦୁନିଆକୁ ବଦଳାଉଛନ୍ତି? ସ୍ୱୟଂ ଭଗବାନ, ଯାହାଙ୍କର ତୁମ୍ଭେମାନେ ସବୁଠାରୁ ପ୍ରିୟ
ସନ୍ତାନ ହୋଇଛ । ଏଠାରେ ପ୍ରଜା ମଧ୍ୟ ହେଉଛନ୍ତି କିନ୍ତୁ ସନ୍ତାନ, ସନ୍ତାନ ଅଟନ୍ତି, ପ୍ରଜା,
ପ୍ରଜା ଅଟନ୍ତି । ଯେଉଁମାନେ ସନ୍ନ୍ୟାସ କରିଥାନ୍ତି, ସେମାନେ ଉତ୍ତରାଧିକାରୀ ହୋଇଯାଇଥାନ୍ତି ।
ସେମାନଙ୍କୁ ନିଶ୍ଚିତ ରାଜପରିବାରକୁ ନେଇଯିବାକୁ ହେବ । କିନ୍ତୁ ଯଦି ସେତିକି ଜ୍ଞାନ ଧାରଣ
କରୁନାହାଁନ୍ତି, ତେବେ ଉଚ୍ଚ ପଦ ପାଇ ପାରିବେ ନାହିଁ । ଯିଏ ପାଠ ପଢିବ ସିଏ ନବାବ ହେବ ।
ଯେଉଁମାନେ ଆସୁଛନ୍ତି, ପୁଣି ଚାଲିଯାଉଛନ୍ତି, ସେମାନେ ପ୍ରଜାରେ ଆସିବେ । ପୁଣି ଯିଏ ଯେତେ
ପବିତ୍ର ହେବ, ସେତେ ସୁଖ ମିଳିବ । ସେମାନେ ମଧ୍ୟ ଅତି ପ୍ରିୟ ଅଟନ୍ତି, କିନ୍ତୁ ସମ୍ପୂର୍ଣ୍ଣ ରୂପେ
ପ୍ରିୟ ପାତ୍ର ସେତେବେଳେ ହେଉଛନ୍ତି ଯେତେବେଳେ ବାବାଙ୍କର ସନ୍ତାନ ହେଉଛନ୍ତି । ବୁଝିପାରିଲ ।
ସନ୍ନ୍ୟାସୀ ମଧ୍ୟ ବହୁତ
ପ୍ରକାରର ହୋଇଥାନ୍ତି । ଗୋଟିଏ ହେଲା ଯେଉଁମାନେ ଘର ଦ୍ୱାର ଛାଡି ଚାଲିଯାଇଥାନ୍ତି, ଦ୍ୱିତୀୟଟି
ହେଲା ଏପରି ମଧ୍ୟ ଅଛନ୍ତି ଯିଏ ଗୃହସ୍ଥରେ ରହି ମଧ୍ୟ ବିକାରରେ ଯାଇ ନ ଥା’ନ୍ତି । ସେମାନେ
ତାଙ୍କର ଅନୁସରଣକାରୀମାନଙ୍କୁ ବସି ଶାସ୍ତ୍ର ଆଦି ଶୁଣାଇଥାନ୍ତି । ଆତ୍ମାର ଜ୍ଞାନ ଦେଇଥାନ୍ତି,
ତାଙ୍କର ମଧ୍ୟ ଶିଷ୍ୟ ହୋଇଥାନ୍ତି । କିନ୍ତୁ ତାଙ୍କର ଶିଷ୍ୟ, ତାଙ୍କର ସବୁଠାରୁ ପ୍ରିୟ ସନ୍ତାନ
ହୋଇପାରିବେ ନାହିଁ, କାରଣ ସେମାନଙ୍କର ଘରଦ୍ୱାର, ପିଲାଛୁଆ ଆଦି ରହିଥାନ୍ତି । ତେବେ ସେମାନେ
ତାଙ୍କୁ ନିଜ ପାଖରେ ତ ବସାଇ ପାରିବେ ନାହିଁ । ସେମାନେ ନା ନିଜେ ସନ୍ନ୍ୟାସ କରିଛନ୍ତି, ନା
ଅନ୍ୟମାନଙ୍କୁ ସନ୍ନ୍ୟାସ କରାଇପାରୁଛନ୍ତି । ତାଙ୍କର ଶିଷ୍ୟମାନେ ମଧ୍ୟ ଗୃହସ୍ଥରେ ରହିଥାନ୍ତି ।
ସେମାନଙ୍କ ପାଖକୁ ଶିଷ୍ୟମାନେ ଯିବା ଆସିବା କରିଥାନ୍ତି । ସେମାନେ କେବଳ ନିଜର ଶିଷ୍ୟମାନଙ୍କୁ
ଜ୍ଞାନ ଦେଇଥାନ୍ତି ଅଥବା ମନ୍ତ୍ର ଦେଇଥାନ୍ତି । ତେବେ ତାଙ୍କର କେହି ଉତ୍ତରାଧିକାରୀ ହେବେ ନାହିଁ,
ତେବେ ତାଙ୍କର ବୃଦ୍ଧି କିପରି ହେବ । କେବଳ ଜ୍ଞାନ ଦେଇ ଦେଇ ଶରୀର ଛାଡି ଚାଲିଯାଇଥା’ନ୍ତି ।
ଦେଖ, ଗୋଟିଏ ମାଳା ହେଉଛି
୧୦୮ର, ଦ୍ୱିତୀୟଟି ପୁଣି ତାଠାରୁ ବଡ ୧୬୧୦୮ର । ତାହା ହେଉଛି ଚନ୍ଦ୍ରବଂଶୀ କୁଳର ରାଜ ପରିବାରର
ରାଜକୁମାର କୁମାରୀମାନଙ୍କର ମାଳା । ତେବେ ଏଠାରେ ଯେଉଁମାନେ ସେତିକି ଜ୍ଞାନ ଧାରଣା କରିପାରୁ
ନାହାଁନ୍ତି, ପବିତ୍ର ହେଉନାହାଁନ୍ତି, ତେବେ ସେମାନେ ଦଣ୍ଡ ପାଇ ଚନ୍ଦ୍ରବଂଶୀ କୁଳର ମାଳାରେ
ଆସିଯିବେ । ରାଜକୁମାର-କୁମାରୀ ତ ବହୁତ ହେବେ ।
ଏହି ରହସ୍ୟ ମଧ୍ୟ
ତୁମ୍ଭେମାନେ ଏବେ ଶୁଣୁଛ, ଜାଣୁଛ । ସେଠାରେ ଏହି ଜ୍ଞାନର କଥା ରହିବ ନାହିଁ । ଏହି ଜ୍ଞାନ ତ
କେବଳ ଏହି ସଂଗମଯୁଗରେ ମିଳୁଛି, ଯେତେବେଳେ ଦୈବୀ ଧର୍ମର ସ୍ଥାପନା ହେଉଛି । ତେଣୁ ତୁମ୍ଭେମାନେ
ଶୁଣିଲ, ଯେଉଁମାନେ ସମ୍ପୂର୍ଣ୍ଣ କର୍ମେନ୍ଦ୍ରିୟକୁ ଜିତିବେ ନାହିଁ, ସେମାନେ ଚନ୍ଦ୍ରବଂଶୀ କୁଳର
ମାଳାକୁ ଚାଲିଯିବେ । ଯେଉଁମାନେ କର୍ମେନ୍ଦ୍ରିୟଜିତ୍ ହେବେ ସେମାନେ ସୂର୍ଯ୍ୟବଂଶୀ କୁଳରେ ଆସିବେ
। ସେମାନଙ୍କ ଭିତରେ ମଧ୍ୟ କ୍ରମାନ୍ୱୟରେ ନିଶ୍ଚିତ ରହିବେ । ଶରୀର ମଧ୍ୟ ଅବସ୍ଥା ଅନୁସାରେ
ମିଳିଥାଏ । ଦେଖ, ମମ୍ମା ସମସ୍ତଙ୍କ ଆଗକୁ ଚାଲିଗଲେ, ସେଥିପାଇଁ ତାଙ୍କୁ ବୃତ୍ତି ମିଳିଗଲା ।
ମନିଟର ଅର୍ଥାତ୍ ଛାତ୍ର-ଛାତ୍ରୀଙ୍କର ମୁଖ୍ୟ ହୋଇଗଲେ । ତାଙ୍କୁ ସମସ୍ତ ଜ୍ଞାନର କଳସ ଦେଇ ଦିଆଗଲା,
ମୁଁ ମଧ୍ୟ ତାଙ୍କୁ ମାତା ବୋଲି କହୁଥିଲି, କାହିଁକି ନା ମୁଁ ମଧ୍ୟ ତନ-ମନ-ଧନ ସବୁ କିଛି ତାଙ୍କରି
ଚରଣରେ ସ୍ୱାହା କରିଦେଲି, ମୋର ଲୌକିକ ସନ୍ତାନମାନଙ୍କୁ ଦେଖିଲି ନାହିଁ କାହିଁକିନା ସେମାନେ ତ
ମୋର ରକ୍ତ ସମ୍ପର୍କୀୟ ହୋଇଗଲେ । ଏମାନେ ତ ମୋର ଅବିନାଶୀ ସନ୍ତାନ ହେଉଛନ୍ତି, ସବୁ କିଛି
ସନ୍ନ୍ୟାସ ଅଥବା ତ୍ୟାଗ କରି ଆସିଛନ୍ତି, ତେଣୁ ସେମାନଙ୍କ ପ୍ରତି ଅଧିକ ସ୍ନେହ ରହୁଛି । ଅବିନାଶୀ
ସ୍ନେହ ସବୁଠାରୁ ଶକ୍ତିଶାଳୀ ଅଟେ । ସନ୍ନ୍ୟାସୀମାନେ ତ ଏକା-ଏକା ଘରଦ୍ୱାର ଛାଡି ଚାଲିଯାଇଥା’ନ୍ତି
। ଏଠାରେ ତ ସବୁ କିଛି ଆଣି ଏଠାରେ ସ୍ୱାହା କରିଛନ୍ତି । ସ୍ୱୟଂ ପରମାତ୍ମା ବାସ୍ତବରେ ଅର୍ଥାତ୍
ସାକାରରେ କାର୍ଯ୍ୟ କରି ଦେଖାଉଛନ୍ତି ।
ତୁମମାନଙ୍କୁ ଯେ କୌଣସି
ପ୍ରଶ୍ନର ଉତ୍ତର ଏଠାରେ ମିଳିପାରିବ । ସ୍ୱୟଂ ପରମାତ୍ମା ଆସି ମଧ୍ୟ ପ୍ରଶ୍ନର ଉତ୍ତର ଦେଇପାରିବେ
। ବାବା ତ ଜାଦୁଗର ଅଟନ୍ତି, ତାଙ୍କର ଏହି ଜାଦୁଗରୀ ଅଭିନୟ ଏବେ ଚାଲିଛି । ତୁମେମାନେ ତ ବହୁତ
ସ୍ନେହୀ ସନ୍ତାନ ଅଟ, ତୁମ୍ଭମାନଙ୍କୁ ବାବା କେବେହେଲେ ନାରାଜ ଅର୍ଥାତ୍ ଅସନ୍ତୁଷ୍ଟ କରିପାରିବେ
ନାହିଁ । ଯଦି ନାରାଜ କରିବେ ତେବେ ପିଲାମାନେ ମଧ୍ୟ କ୍ରୋଧ କରିବା ଶିଖିଯିବେ । ଏଠାରେ ତ
ସମସ୍ତଙ୍କର ଆନ୍ତରିକ ସ୍ନେହ ରହିଛି । ସ୍ୱର୍ଗରେ ମଧ୍ୟ କେତେ ସ୍ନେହ ରହିବ । ସେଠାରେ ତ ସମସ୍ତେ
ସତ୍ତ୍ୱପ୍ରଧାନ ରହିଥାନ୍ତି ।
ଏଠାକୁ ଯେଉଁ ଅତିଥିମାନେ
ଆସିଥାନ୍ତି ସେମାନଙ୍କର ବି ବହୁତ ସେବା ହୋଇଥାଏ କାହିଁକି ନା ସେମାନଙ୍କ ଉପରେ ବି ଶାନ୍ତି ଏବଂ
ସୁଖର ବର୍ସା ହୋଇଥାଏ । ସେମାନେ ସତ୍ୟଯୁଗରେ ସବୁଠାରୁ ପ୍ରିୟ ପ୍ରଜା ହେବେ । ସେଥିପାଇଁ ମାତାପିତା
ଓ ପିଲାମାନେ ସମସ୍ତେ ସେମାନଙ୍କର ସେବାରେ ହାଜିର ହୋଇଯାଉଛନ୍ତି । ଯଦିଓ ଏଠାରେ ଦେବୀ-ଦେବତା
ହେବାର ପୁରୁଷାର୍ଥ କରୁଛନ୍ତି, କିନ୍ତୁ ସେଠାରେ ସେହି ଦୈବୀ ପଦର ଅହଂକାର ରହେ ନାହିଁ । ସମସ୍ତେ
ଈଶ୍ୱରୀୟ ଆଜ୍ଞାକାରୀ ସେବକ ହୋଇ ସେବାରେ ହାଜିର ହୋଇଯାଉଛନ୍ତି । ଈଶ୍ୱର ମଧ୍ୟ ଆଜ୍ଞାବହ ସେବକ
ହୋଇ ପ୍ରିୟ ସନ୍ତାନମାନଙ୍କର ଏବଂ ପ୍ରଜାମାନଙ୍କର ସେବା କରୁଛନ୍ତି । ତାଙ୍କର ସ୍ନେହ ପିଲାମାନଙ୍କ
ଉପରେ ହିଁ ରହୁଛି । ଆଚ୍ଛା—
ମିଠା ମିଠା ସିକିଲଧେ
ନୂରେ ରତନ, କଳ୍ପ କଳ୍ପରୁ ଅଲଗା ହୋଇଯାଇଥିବା ସନ୍ତାନ, ଯେଉଁମାନେ ପୂର୍ନବାର ଆସି ମିଶୁଛନ୍ତି
ଏହିପରି ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହଭରା ସ୍ମୃତି ଏବଂ
ସୁପ୍ରଭାତ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।
ଧାରଣା ପାଇଁ ମୁଖ୍ୟ ସାର
:—
(୧) ଯେପରି
ବାପଦାଦା ପିଲାମାନଙ୍କୁ କେବେ ବି ନାରାଜ କରୁନାହାଁନ୍ତି, ସେହିଭଳି ତୁମମାନଙ୍କୁ ମଧ୍ୟ କାହାକୁ
ନାରାଜ ବା ଅସନ୍ତୁଷ୍ଟ କରିବାର ନାହିଁ, ପରସ୍ପର ମଧ୍ୟରେ ଆନ୍ତରିକ ସ୍ନେହରେ ରହିବାର ଅଛି । କେବେ
ବି କ୍ରୋଧ କରିବାର ନାହିଁ ।
(୨) ଶାନ୍ତି ଏବଂ
ଆନନ୍ଦର ବରଦାନ ପ୍ରାପ୍ତ କରିବା ପାଇଁ ଜ୍ୟୋତି ଉପରେ ଅର୍ଥାତ୍ ବାବାଙ୍କ ଉପରେ ସମ୍ପୂର୍ଣ୍ଣ
ସ୍ୱାହା ହେବାକୁ ପଡିବ । ପାଠପଢା ଦ୍ୱାରା ପରମ ଶାନ୍ତି ଏବଂ ପରମାନନ୍ଦର ଈଶ୍ୱରୀୟ ଅଧିକାର ନେବାକୁ
ପଡିବ ।
ବରଦାନ:-
ନିଜର
ପ୍ରତ୍ୟକ୍ଷ ପ୍ରମାଣ ଦ୍ୱାରା ବାବାଙ୍କୁ ପ୍ରତ୍ୟକ୍ଷ କରୁଥିବା ଶ୍ରେଷ୍ଠ ଭାଗ୍ୟବାନ ଭବ ।
ଯେ କୌଣସି କଥାକୁ
ସ୍ପଷ୍ଟ କରିବା ପାଇଁ ଅନେକ ପ୍ରକାରର ପ୍ରମାଣ ଦିଆଯାଇଥାଏ, କିନ୍ତୁ ସବୁଠାରୁ ଶ୍ରେଷ୍ଠ ପ୍ରମାଣ
ହେଲା ପ୍ରତ୍ୟକ୍ଷ ପ୍ରମାଣ । ତେବେ ତୁମର ପ୍ରତ୍ୟକ୍ଷ ପ୍ରମାଣର ଅର୍ଥ ହେଲା ତୁମେ ଯିଏ ଅଟ,
ଯାହାଙ୍କର ଅଟ ତାଙ୍କର ସ୍ମୃତିରେ ରହିବା । ଯେଉଁ ପିଲାମାନେ ନିଜର ଯଥାର୍ଥ ବା ଅନାଦି ସ୍ୱରୂପରେ
ସ୍ଥିତ ରହିଥାଆନ୍ତି, ସେହିମାନେ ହିଁ ବାବାଙ୍କୁ ପ୍ରତ୍ୟକ୍ଷ କରିବାର ନିମିତ୍ତ ଅଟନ୍ତି ।
ସେମାନଙ୍କ ଭାଗ୍ୟକୁ ଦେଖି ଭାଗ୍ୟ ନିର୍ମାତାଙ୍କର ସ୍ମୃତି ସ୍ୱତଃ ହିଁ ଆସିଯାଇଥାଏ ।
ସ୍ଲୋଗାନ:-
ନିଜର ଦୟାର
ଦୃଷ୍ଟି ଦ୍ୱାରା ପ୍ରତ୍ୟେକ ଆତ୍ମାଙ୍କୁ ପରିବର୍ତ୍ତନ କରୁଥିବା ଆତ୍ମା ହିଁ ପୂଣ୍ୟ ଆତ୍ମା ଅଟେ ।
ଅବ୍ୟକ୍ତ ଈଶାରା:-
ପରୋପକାରର ଭାବନାରେ ସମ୍ପନ୍ନ ହୋଇ ଅପକାରୀର ମଧ୍ୟ ଉପକାର କର ।
କେହି ଯଦି ନିଜର
ସଂସ୍କାର ବା ସ୍ୱଭାବର ବଶୀବର୍ତ୍ତୀ ହୋଇ ତୁମ ସମ୍ମୁଖକୁ ପରୀକ୍ଷା ରୂପରେ ଆସୁଛି, ତେବେ ତୁମେ
ଗୋଟିଏ ସେକେଣ୍ଡ ଭିତରେ ନିଜର ଶ୍ରେଷ୍ଠ ସଂସ୍କାର ଦ୍ୱାରା, କେବଳ ଜଣଙ୍କର ସ୍ମୃତି ଦ୍ୱାରା ଏହିଭଳି
ଆତ୍ମା ପ୍ରତି ମଧ୍ୟ ଦୟାଶୀଳ ହେବାର ସଂସ୍କାର ବା ସ୍ୱଭାବକୁ ଧାରଣ କରିନିଅ - ଏହା ହିଁ ହେଉଛି
ଉପକାର କରିବା ।