24.06.26    Avyakt Bapdada     Odia Murli     Om Shanti     Madhuban


“ଏହି କର୍ମକ୍ଷେତ୍ରରେ କର୍ମ କରିବା ଅନାଦି ବ୍ୟବସ୍ଥା ଅଟେ, ତୁମକୁ କର୍ମ ଛାଡିବାର ନାହିଁ କିନ୍ତୁ କର୍ମଯୋଗୀ ହେବାକୁ ପଡିବ ।”
(ଜଗଦମ୍ବା ମା’ଙ୍କର ସ୍ମୃତି ଦିବସରେ ଶୁଣାଇବା ପାଇଁ, ତାଙ୍କ ଦ୍ୱାରା ଉଚ୍ଚାରିତ ହୋଇଥିବା ମଧୁର ମହାବାକ୍ୟ)


ଏହି ସୃଷ୍ଟି କର୍ମର କୃଷିକ୍ଷେତ୍ର ଅଟେ, ଯେଉଁଠି ପ୍ରତ୍ୟେକ ମନୁଷ୍ୟ ଆତ୍ମା ନିଜ ନିଜର ଅଭିନୟ ସମ୍ପାଦନ କରୁଛି, ଏଥିରେ ପରମାତ୍ମାଙ୍କର ମଧ୍ୟ ଭୂମିକା ରହିଛି କିନ୍ତୁ ସେ ଆତ୍ମାମାନଙ୍କ ଭଳି ଜନ୍ମ ମରଣରେ ଆସୁନାହାଁନ୍ତି । ଆତ୍ମାମାନଙ୍କ ଭଳି ତାଙ୍କର ଖାତା ଓଲଟା ହେଉ ନାହିଁ । ସେ କହୁଛନ୍ତି ମୁଁ ତ କେବଳ ତୁମ ଆତ୍ମାମାନଙ୍କୁ ମୁକ୍ତି ଦେବା ପାଇଁ ଆସିଛି ସେଥିପାଇଁ ମୋତେ ମୁକ୍ତିଦାତା, ବନ୍ଧନରୁ ମୁକ୍ତ କରିବାବାଲା ଗତି ସଦ୍‌ଗତିଦାତା କହିଥାଆନ୍ତି ।

ଆତ୍ମା ଉପରେ ମାୟାର ଯେଉଁ ବନ୍ଧନ ଚଢିଯାଇଛି ସେଥିରୁ ମୁକ୍ତ କରି ପବିତ୍ର କରୁଛନ୍ତି ଏବଂ କହୁଛନ୍ତି ମୋ’ର କାମ ହେଲା ଆତ୍ମାମାନଙ୍କୁ ସର୍ବ ବନ୍ଧନରୁ ମୁକ୍ତ କରି ଘରକୁ ଫେରାଇ ନେବା, ତେଣୁ ସୃଷ୍ଟିର ଯେଉଁ ଅନାଦି ନିୟମ ମର୍ଯ୍ୟାଦା ରହିଛି ସେଗୁଡିକୁ ମଧ୍ୟ ବୁଝିବାକୁ ହେବ, ପୁଣି ଏହି ମନୁଷ୍ୟ ସୃଷ୍ଟିର ବୃଦ୍ଧି କେଉଁ ପ୍ରକାରରେ ହେଉଛି, ପୁଣି ଏଭଳି ସମୟ ମଧ୍ୟ ଆସୁଛି ଯେତେବେଳେ କି ତା’ର ହ୍ରାସ ମଧ୍ୟ ହେଉଛି । ଏମିତି ନୁହେଁ ଯେ ବଢୁଛି ତ ବଢି ହିଁ ଚାଲିଥିବ, ନା କମ ମଧ୍ୟ ହେଉଛି । ତେଣୁ ସୃଷ୍ଟିରେ ସବୁ ଜିନିଷର ନିୟମ ରହିଛି । ନିଜର ଶରୀରର ମଧ୍ୟ ନିୟମ ରହିଛି, ପ୍ରଥମେ ବାଲ୍ୟାବସ୍ଥା, ତା’ପରେ କିଶୋର, ପୁଣି ଯୁବା, ପୁଣି ବୃଦ୍ଧ ଅବସ୍ଥା ହେଉଛି । ତେଣୁ ବୃଦ୍ଧ ଅବସ୍ଥା ମଧ୍ୟ ଶୀଘ୍ର ହେଉନାହିଁ, ବୃଦ୍ଧ ହୋଇ ପୁଣି ଜରାଜୀର୍ଣ୍ଣ ହୋଇଯାଉଛି । ତେଣୁ ପ୍ରତ୍ୟେକ କଥାର ବୃଦ୍ଧି ହେବା ଏବଂ ତା’ର ଅନ୍ତ ହେବା, ଏହା ମଧ୍ୟ ନିୟମ ଅଟେ । ସେହି ପ୍ରକାର ସୃଷ୍ଟିର ଜେନେରେଶନ୍ସ ଅର୍ଥାତ୍ ମନୁଷ୍ୟମାନଙ୍କର ପିଢି ଗୁଡିକର ମଧ୍ୟ ନିୟମ ରହିଛି । ଗୋଟିଏ ଜୀବନର ମଧ୍ୟ ଭିନ୍ନ ଭିନ୍ନ ଅବସ୍ଥା ରହିଛି ପୁଣି ପ୍ରତ୍ୟେକ ଜନ୍ମର ମଧ୍ୟ ଅବସ୍ଥା ରହିଛି, ପୁଣି ପ୍ରତ୍ୟେକ ପିଢିର ମଧ୍ୟ ଅବସ୍ଥା ରହିଛି ଯେଉଁ ପିଢି ସବୁ ଚାଲିଆସିଛି, ସେହିଭଳି ପ୍ରତ୍ୟେକ ଧର୍ମଗୁଡିକର ମଧ୍ୟ ଅବସ୍ଥା ରହିଛି, ପ୍ରଥମେ ଯେଉଁ ଧର୍ମ ଆସୁଛି ତାହା ସବୁଠାରୁ ଶକ୍ତିଶାଳୀ ହେଉଛି, ପୁଣି ଧୀରେ ଧୀରେ ଯେଉଁ ଧର୍ମଗୁଡିକ ପଛରେ ଆସୁଛନ୍ତି ସେମାନଙ୍କର ଶକ୍ତି କମି କମି ଯାଉଛି, ତେଣୁ ଧର୍ମଗୁଡିକର ବିଭାଜନ ହେବା, ଧର୍ମର ପ୍ରଚଳନ ହେବା, ସବୁ କିଛି ନିୟମ ଅନୁସାରେ ହେଉଛି, ତେଣୁ ଏହି ସବୁ କଥାକୁ ମଧ୍ୟ ବୁଝିବାକୁ ହେବ ।

ସେହି ହିସାବରେ ବାବା କହୁଛନ୍ତି ମୋ’ର ମଧ୍ୟ ଏଥିରେ ଅଭିନୟ ରହିଛି । ମୁଁ ଗୋଟିଏ ଆତ୍ମା, ମୁଁ ପରମାତ୍ମା ଅନ୍ୟ କିଛି ଜିନିଷ ନୁହେଁ । ମୁଁ ମଧ୍ୟ ଆତ୍ମା ହିଁ ଅଟେ କିନ୍ତୁ ମୋ’ର କାମ ବହୁତ ମହାନ ଅଟେ ଏବଂ ଶ୍ରେଷ୍ଠ ଅଟେ ସେଥିପାଇଁ ମୋତେ ଗଡ ଅର୍ଥାତ୍ ଈଶ୍ୱର କହୁଛନ୍ତି । ଯେପରି ତୁମେ ଆତ୍ମା ଅଟ ମୁଁ ମଧ୍ୟ ସେହିପରି ଅଟେ । ଯେପରି ତୁମର ପୁଅ ଝିଅ ମଧ୍ୟ ମନୁଷ୍ୟ ଅଟନ୍ତି, ତୁମେମାନେ ମଧ୍ୟ ମନୁଷ୍ୟ ଅଟ, ଏଥିରେ ତ କୌଣସି ଫରକ ନାହିଁ ନା । ତେଣୁ ମୁଁ ମଧ୍ୟ ଆତ୍ମା ହିଁ ଅଟେ, ଆତ୍ମା, ଆତ୍ମା ଭିତରେ କୌଣସି ଫରକ ନାହିଁ, କିନ୍ତୁ କର୍ତ୍ତବ୍ୟରେ ବହୁତ ଜବରଦସ୍ତ ଫରକ ରହିଛି ସେଥିପାଇଁ କୁହାଯାଇଛି ମୋ’ର କର୍ତ୍ତବ୍ୟ ସମସ୍ତଙ୍କଠାରୁ ଭିନ୍ନ ଅଟେ । ମୁଁ କୌଣସି ଗୋଟିଏ ବିନାଶୀ ଧର୍ମର ସ୍ଥାପକ ନୁହେଁ, ମୁଁ ତ ଦୁନିଆର ରଚୟିତା ଅଟେ, ସେମାନେ ହେଲେ ଧର୍ମର ରଚୟିତା । ଯେପରି ସେହି ଆତ୍ମାମାନେ ନିଜର କାର୍ଯ୍ୟ ନିଜର ନିର୍ଦ୍ଧାରିତ ସମୟରେ କରୁଛନ୍ତି, ସେହିପରି ମୁଁ ମଧ୍ୟ ମୋ’ର ନିର୍ଦ୍ଧାରିତ ସମୟରେ ଆସୁଛି । ମୋ’ର କର୍ତ୍ତବ୍ୟ ବିଶାଳ ଅଟେ, ମହାନ ଅଟେ ଏବଂ ସମସ୍ତଙ୍କ ଠାରୁ ଭିନ୍ନ ଅଟେ, ସେଥିପାଇଁ କୁହାଯାଏ ତୋ’ର କାର୍ଯ୍ୟ ସ୍ୱତନ୍ତ୍ର ଅଟେ । ତାଙ୍କୁ ସର୍ବଶକ୍ତିବାନ ମଧ୍ୟ କହୁଛନ୍ତି, ତେବେ ସବୁଠାରୁ ଶକ୍ତିଶାଳୀ କାର୍ଯ୍ୟ ହେଲା ଆତ୍ମାମାନଙ୍କୁ ବନ୍ଧନରୁ ମୁକ୍ତ କରିବା ଏବଂ ନୂଆ ଦୁନିଆର ଚାରା ଲଗାଇବା ସେଥିପାଇଁ ତାଙ୍କୁ ଇଂଗ୍ରାଜୀରେ ହେଭେନଲୀ ଗଡ୍ ଫାଦର ଅର୍ଥାତ୍ ସ୍ୱର୍ଗର ରଚୟିତା ଈଶ୍ୱର ପିତା କହିଥାଆନ୍ତି । ଯେପରି ଖ୍ରୀଷ୍ଟଙ୍କୁ ଖ୍ରୀଷ୍ଟଧର୍ମର ପିତା କୁହାଯିବ କିନ୍ତୁ ସ୍ୱର୍ଗର ରଚୟିତା ଈଶ୍ୱର ପିତା କୁହାଯିବ ନାହିଁ । କାରଣ ସ୍ୱର୍ଗର ସ୍ଥାପନକର୍ତ୍ତା ପରମାତ୍ମା ଅଟନ୍ତି । ତେଣୁ ସ୍ୱର୍ଗ ଦୁନିଆ ହୋଇଗଲା ନା, ସ୍ୱର୍ଗ କୌଣସି ଗୋଟିଏ ଧର୍ମ ନୁହେଁ । ତେଣୁ ସେ ହେଲେ ବିଶ୍ୱର ରଚୟିତା ଏବଂ ସେହି ବିଶ୍ୱରେ ଏକ ଧର୍ମ, ଏକ ରାଜ୍ୟ, ତତ୍ତ୍ୱ ଆଦି ସବୁ କିଛି ପରିବର୍ତ୍ତନ ହୋଇଯିବ, ସେଥିପାଇଁ ତାଙ୍କୁ କୁହାଯାଉଛି ହେଭେନଲୀ ଗଡ ଫାଦର ଅର୍ଥାତ୍ ସ୍ୱର୍ଗର ରଚୟିତା ଈଶ୍ୱର ପିତା ।

ଦ୍ୱିତୀୟରେ ଗଡ୍ ଇଜ୍ ଟ୍ରୁଥ୍ କୁହାଯାଏ ଅର୍ଥାତ୍ ଈଶ୍ୱର ସତ୍ୟ ଅଟନ୍ତି । ତେବେ ଟ୍ରୁଥ୍ ଅର୍ଥାତ୍ ସତ୍ୟ କ’ଣ ଅଟେ, ଏବଂ କେଉଁଥିରେ ସତ୍ୟ ଅଟନ୍ତି? ଏହା ମଧ୍ୟ ବୁଝିବାର କଥା । କେହି କେହି ଭାବନ୍ତି ଯିଏ ସତ୍ୟ କଥା କହୁଛି ସେ ହିଁ ଈଶ୍ୱର । ଈଶ୍ୱର ବା ଗଡ୍ କିଛି ଅନ୍ୟ ଜିନିଷ ନୁହେଁ, ବାସ୍ କେବଳ ସତ୍ୟ କଥା କହିବା ଦରକାର । କିନ୍ତୁ ତାହା ନୁହେଁ, ଗଡ୍ ଇଜ୍ ଟ୍ରୁଥ୍ ର ଅର୍ଥ ହେଲା ଗଡ୍ ହିଁ ଆସି ସବୁ କଥାର ସତ୍ୟତାକୁ ଶୁଣାଇଥାଆନ୍ତି, ଅର୍ଥାତ୍ ଟ୍ରୁଥ୍ ଶୁଣାଇଥାଆନ୍ତି । ତାଙ୍କ ଭିତରେ ହିଁ ସତ୍ୟତା ରହିଛି, ସେଥିପାଇଁ ତ ତାଙ୍କୁ ଜ୍ଞାନର ସାଗର କୁହାଯାଉଛି । ଜ୍ଞାନର ସାଗର, ଆନନ୍ଦର ସାଗର । ଆହୁରି ମଧ୍ୟ କହିଥାଆନ୍ତି - ଗଡ୍ ନୋଜ୍ ଅର୍ଥାତ୍ ଈଶ୍ୱର ଜାଣନ୍ତି.... । ତେଣୁ ନିଶ୍ଚିତ ଭାବରେ ବିଶେଷ କିଛି ଜାଣିବା ଯୋଗ୍ୟ ଜ୍ଞାନ ରହିଛି ନା! ତେବେ ତାହା କେଉଁ ଜ୍ଞାନ? ଏହା ନୁହେଁ ଯେ ଅମୁକ ଚୋରୀ କରିଛି, ଗଡ୍‌ ନୋଜ୍ । ଯଦିଓ ସେ ସବୁ କିଛି ଜାଣିଛନ୍ତି ପୁଣି ବି ତାଙ୍କର ଯେଉଁ ମହିମା ରହିଛି ତାହା ଏହି ଆଧାରରେ ହେଉଛି ଯେ ଆମର ଦୁନିଆ ଯାହାକି ତଳକୁ ଖସିଯାଇଛି ତାହା ଉପରକୁ କିପରି ଉଠିବ, ଏହି ଚକ୍ରର ଜ୍ଞାନ ତାଙ୍କୁ ଜଣାଅଛି ସେଥିପାଇଁ କୁହାଯାଏ ଗଡ୍ ନୋଜ୍ । ତେଣୁ ପରମାତ୍ମାଙ୍କର ମହିମା ମଧ୍ୟ ସେହି ଅନୁସାରେ ହେଉଛି ଯାହାକି ମନୁଷ୍ୟ ମାନଙ୍କଠାରୁ ଭିନ୍ନ ଅଟେ କାହିଁକିନା ତାଙ୍କର ଜାଣିବା ଅର୍ଥାତ୍ ଜ୍ଞାନ ସମସ୍ତଙ୍କଠାରୁ ଭିନ୍ନ ଅଟେ । ମନୁଷ୍ୟମାନଙ୍କର ଜାଣିବା ସୀମିତ ଅଟେ, ମନୁଷ୍ୟକୁ ଅଳ୍ପଜ୍ଞ ମଧ୍ୟ କୁହାଯାଏ ଏବଂ ପରମାତ୍ମାଙ୍କୁ ସର୍ବଜ୍ଞ କହିଥାଆନ୍ତି, ଯାହାକୁ ଇଂଗ୍ରାଜୀରେ ନଲେଜଫୁଲ ଅର୍ଥାତ୍ ସବୁକିଛି ଜାଣିବାବାଲା କୁହାଯାଏ । ତେଣୁ ଯିଏ ସର୍ବଜ୍ଞ ଅଟନ୍ତି ସେହିଁ ସତ୍ୟକୁ ଜାଣିପାରିବେ, ଯାହା ପାଖରେ ଯଥାର୍ଥ କଥାର ଜ୍ଞାନ ଥିବ ନିଶ୍ଚିତ ଭାବରେ ସେ ସମସ୍ତଙ୍କୁ ଦେବ ନା । ଯଦି ନିଜେ ଜାଣିଥିବ କିନ୍ତୁ ଅନ୍ୟକୁ ଜଣାଉ ନ ଥିବ ତେବେ ସେଥିରୁ ଆମର ଲାଭ କ’ଣ! ତାଙ୍କ ଜ୍ଞାନ ତାଙ୍କ ପାଖରେ ଥାଉ । କିନ୍ତୁ ନା । ତାଙ୍କର ଜ୍ଞାନ ଦ୍ୱାରା ଆମକୁ ନିଶ୍ଚିତ କୌଣସି ଫାଇଦା ମିଳିଛି, ସେଥିପାଇଁ ତ ଆମେ ତାଙ୍କର ଯୋଗ୍ୟତାର ମହିମା କରୁଛୁ । ତାଙ୍କ ପଛରେ ପଡିଛୁ, ଯେତେବେଳେ ଯାହା ହେଉଛି ଆମେ କହୁଛୁ, ହେ ଭଗବାନ! ଏବେ ତୁ ମୋର ଏହି କାମ କରି ଦେ! ମୋତେ କ୍ଷମା କରିଦେ, ମୋତେ ଦୟା କର, ମୋ’ର ଦୁଃଖ ଦୂର କର, ତେବେ ଆମେ ତାଙ୍କୁ ମାଗୁଛୁ ନା! ତାଙ୍କ ସହିତ ଆମର କିଛି ସମ୍ବନ୍ଧ ରହିଛି ସେଥିପାଇଁ ସେହି ଅନୁସାରେ ଆମେ ମନେ ପକାଉଛୁ, ଯେପରି ସେ ଆମର ବହୁତ ବଡ ଉପକାର କରିଛନ୍ତି । ଯଦି କେବେ ବି କିଛି କରି ନ ଥାଆନ୍ତେ ତେବେ ଆମେ କାହିଁକି ତାଙ୍କ ପାଖରେ ମୁଣ୍ଡ ପିଟୁଛେ । ଯଦି କେହି ବିପଦ ସମୟରେ ସାହାଯ୍ୟ କରିଥାଏ ତେବେ ମନ ଭିତରେ ଆସିଥାଏ ଯେ ଇଏ ମୋତେ ବହୁତ ବଡ ବିପଦ ସମୟରେ ସାହାଯ୍ୟ କରିଥିଲେ । ଯଥା ସମୟରେ ମୋତେ ରକ୍ଷା କରିଥିଲେ, ତେଣୁ ତାଙ୍କ ପ୍ରତି ମନ ଭିତରେ ସ୍ନେହ ଭାବ ରହିଥାଏ । ତେଣୁ ପରମାତ୍ମାଙ୍କ ପ୍ରତି ମଧ୍ୟ ଏହିଭଳି ସ୍ନେହ ଆସୁଛି ଯେ ଇଏ ମୋତେ ସମୟ ଅନୁସାରେ ସାହାଯ୍ୟ କରିଛନ୍ତି । କିନ୍ତୁ ଏହା ନୁହେଁ ଯେ କେବେ ଯଦି କୌଣସି ଲୋକର କିଛି ଭଲ ହୋଇଯାଏ ତେବେ କହିବା ଏହା ଭଗବାନ କରିଛନ୍ତି.... ତେବେ କ’ଣ ଭଗବାନ କେବଳ ଏଇଆ ହିଁ କରୁଛନ୍ତି । କିନ୍ତୁ ତାଙ୍କର କାମ ତ ମହାନ ଅଟେ, ସାରା ବିଶ୍ୱ ପାଇଁ ଅଟେ, ସାରା ଦୁନିଆ ସହିତ ସମ୍ବନ୍ଧିତ ଅଟେ । ବାକି ଏହା ନୁହେଁ ଯେ କାହାକୁ ଯଦି କିଛି ଟଙ୍କା ମିଳିଗଲା ତେବେ ଏହା ଭଗବାନ କରିଛନ୍ତି । ଏହା ତ ଆମର ଭଲ କର୍ମର ଫଳ ଅଟେ ଯାହା ଆମକୁ ମିଳିଥାଏ । ତେବେ ଏଠାରେ ଭଲ ବା ମନ୍ଦ କର୍ମର ହିସାବ ଚାଲୁଛି ଏବଂ ତାହା ମଧ୍ୟ ଆମକୁ ମିଳିବାରେ ଲାଗିଛି କିନ୍ତୁ ପରମାତ୍ମା ଆସି ଯେଉଁ କର୍ମ ଶିଖାଉଛନ୍ତି ତା’ର ଫଳ ସମ୍ପୂର୍ଣ୍ଣ ଭିନ୍ନ ଅଟେ । ଅଳ୍ପକାଳର ସୁଖ ତ ନିଜର ବୁଦ୍ଧି ଆଧାରରେ ମଧ୍ୟ ମିଳୁଛି କିନ୍ତୁ ପରମାତ୍ମା ଯେଉଁ ଜ୍ଞାନ ଦେଉଛନ୍ତି ତାହାଦ୍ୱାରା ଆମେ ସଦାକାଳର ସୁଖ ପ୍ରାପ୍ତ କରୁଛୁ । ତେଣୁ ପରାମାତ୍ମାଙ୍କର କାମ ଭିନ୍ନ ହୋଇଗଲା ନା, ସେଥିପାଇଁ କହୁଛନ୍ତି ମୁଁ ହିଁ ଆସି କର୍ମର ଯଥାର୍ଥ ଜ୍ଞାନ ଶିଖାଉଛି ଯାହାକୁ କୁହାଯାଉଛି କର୍ମଯୋଗ ହିଁ ଶ୍ରେଷ୍ଠ ଅଟେ । ଏଥିରେ କର୍ମକୁ ବା ଘର ଗୃହସ୍ଥକୁ ଛାଡିବାର କଥା ନାହିଁ । କେବଳ ତୁମେ ନିଜର କର୍ମକୁ କିପରି ପବିତ୍ର କରିବ ତା’ର ଜ୍ଞାନ ମୁଁ ଶୁଣାଉଛି । ତେଣୁ କର୍ମକୁ ପବିତ୍ର କରିବାକୁ ହେବ, ଛାଡିବାର ନାହିଁ । କର୍ମ ତ ଅନାଦି ଅଟେ । ଏହି କର୍ମକ୍ଷେତ୍ର ମଧ୍ୟ ଅନାଦି ଅଟେ । ମନୁଷ୍ୟ ଅଛି ତ କର୍ମ ମଧ୍ୟ ଅଛି କିନ୍ତୁ ସେହି କର୍ମକୁ ତୁମେ କିପରି ଶ୍ରେଷ୍ଠ କରିବ ତା’ର ଜ୍ଞାନ ମୁଁ ଶିଖାଉଛି ଯାହାଦ୍ୱାରା ତୁମର କର୍ମର ଖାତା ଅକର୍ମ ପାଲଟି ଯାଉଛି । ତେବେ ଅକର୍ମର ଅର୍ଥ ହେଲା କୌଣସି ଖରାପ କର୍ମର ଖାତା ଜମା ହେଉ ନାହିଁ ।

ବାବା କହୁଛନ୍ତି ମୁଁ ଏହି ଛୋଟିଆ ସଂଗମଯୁଗରେ ତୁମର ଦେଶ, ଅର୍ଥାତ୍ ସାକାର ଦୁନିଆକୁ ତୁମମାନଙ୍କ ପାଇଁ ଆସିଛି, ତେଣୁ ଅତି କମ୍‌ରେ ଆଉ ଯେତିକି ସମୟ ଅଛି ସେତିକି ସମୟ ତ ମୋ’ର କଥା ଶୁଣ । ଯଦି ବାବାଙ୍କର ହୋଇଛ ତେବେ ଅତି କମ୍‌ରେ ଏତିକି ସମୟ ତ ଶୁଦ୍ଧ ପବିତ୍ର ରୁହ । ତା’ପରେ ତୁମର ଏଭଳି ପ୍ରାରବ୍ଧ ଜମା ହୋଇଯିବ ଯାହା ଦ୍ୱାରା ତୁମକୁ ସେହି ଦୁନିଆର କୌଣସି ମେହନତ କରିବାକୁ ପଡିବ ନାହିଁ । କିନ୍ତୁ ଏବେ ଟିକିଏ ମେହନତ କରିବାକୁ ପଡିବ । ତେଣୁ ଏବେ ତୁମେ ଯେମିତି ବି ହେଉ ଜୀବନ ପଛକେ ଯାଉ କିନ୍ତୁ ପବିତ୍ର ରହିବାର ପ୍ରତିଜ୍ଞା କର । ନିଜ ଭିତରେ ଦୃଢତା ରଖ । ନିଜର ଶ୍ରେଷ୍ଠ ଧାରଣା ଗୁଡିକରେ ପକ୍କା ରହିବା ପାଇଁ ପୂରା ପୂରା ଚେଷ୍ଟା କର । ବାବା ତୁମମାନଙ୍କୁ ସ୍ପଷ୍ଟ ଭାବରେ ଶୁଣାଉଛନ୍ତି ଯେ ତୁମେମାନେ ଏତିକି ଅଳ୍ପ ସମୟ ପାଇଁ ଏହି ମେହନତ କର । ମୁଁ ତୁମମାନଙ୍କୁ ଅନ୍ୟ କୌଣସି ମେହନତ କରାଉନାହିଁ, ତୁମକୁ ଯେତିକି ଫଳ ମିଳୁଛି ତା’ ତୁଳନାରେ ଏହା କୌଣସି ମେହନତ ହିଁ ନୁହେଁ ।

ଏମିତି ନୁହେଁ ଯେ କେବଳ କହୁଥାଅ ଯେ ମୁଁ ଏଇଆ କରିବି, ସେଇଆ କରିବି... ଦୁନିଆ କ’ଣ କହିବ, ସେମାନେ କ’ଣ କହିବେ... ଆରେ ଦୁନିଆ କ’ଣ କହିବ... ତାକୁ ଛାଡିଦିଅ । ଏବେ ତ ଏହି ଦୁନିଆ ହିଁ ଯିବାକୁ ବସିଲାଣି । ଏବେ ତ ମୃତ୍ୟୁ ସମ୍ମୁଖରେ ଦଣ୍ଡାୟମାନ । ତୁମେ ଏତେ ଲମ୍ବା ଚଉଡା ଯେଉଁ ଯୋଜନା ସବୁ କରୁଛ, ଏସବୁ ବ୍ୟର୍ଥରେ ନଷ୍ଟ କରୁଛ । ଏବେ ବାବା କହୁଛନ୍ତି ସେହି ବ୍ୟର୍ଥକୁ ହିଁ ବଞ୍ଚାଅ । ଏହି ଶରୀରକୁ ବଞ୍ଚାଇ ରଖିବା ପାଇଁ ଯେତିକି ଦରକାର ସେତିକି ପଛକେ କର, ତୁମର ପିଲାଛୁଆଙ୍କ ସହିତ ଯେତିକି ହିସାବ-କିତାବ ରହିଛି, ସେତିକି କର, ତାଙ୍କୁ ମୁଁ କିପରି ସମ୍ଭାଳିବି । ଏହାକୁ ତ ତୁମକୁ ହିଁ ସମ୍ଭାଳିବାକୁ ପଡିବ । ତେବେ ଯାହାସବୁ ଜରୁରୀ ଅଟେ, ସେଗୁଡିକ ତୁମକୁ ଫ୍ରି କରିଦେଉଛି, କିନ୍ତୁ ଏବେ ଯେଉଁ ସବୁ ଅତିରିକ୍ତ ରଚନା ରଚୁଛ ସେଥିପାଇଁ ମନା କରୁଛି କାହିଁକିନା ଏବେ ତ ସେସବୁ ନଷ୍ଟ ହିଁ ହେବ, ତେଣୁ ସେଥିରେ ନିଜର ସମୟକୁ ଫାଲତୁରେ ନଷ୍ଟ କର ନାହିଁ । ଏହି ସବୁ ଫାଲତୁ ଜଞ୍ଜାଳରେ ଛନ୍ଦି ହୋଇ ତୁମେମାନେ ଦୁଃଖୀ ହୋଇଛ, ଏଗୁଡିକରୁ ତୁମେ କିପରି ମୁକ୍ତ ହେବ ସେହି କଥା ତ ମୁଁ ତୁମକୁ ଶୁଣାଉଛି । ପୁଣି ବି ସେଥିରେ ଯଦି ଅନେକ ପ୍ରକାରର ବାହାନା କରିବ ତେବେ ଏହାକୁ କ’ଣ କୁହାଯିବ? ପୁଣି ବାବା କହୁଛନ୍ତି ଦେଖ ଏବେ ଯଦି ମୋତେ ସିଧା ଆଙ୍ଗୁଳି ହେଉନାହଁ ବା ମୋର ହାତ ଧରୁ ନାହଁ ତେବେ ମୁଁ ତୁମର ନାକକୁ ଧରି ନେଇଯିବି । ଯେତେବେଳେ ନାକକୁ ଧରିବି ସେତେବେଳେ ପୁଣି ନିଶ୍ୱାସ ବନ୍ଦ ହେବ, ପୁଣି ଦୁଃଖ ଭୋଗିବ ଅର୍ଥାତ୍ ଦଣ୍ଡ ତ ଭୋଗିବାକୁ ପଡିବ ନା! ସେଥିପାଇଁ କହୁଛି ଏବେ ହାତରେ ହାତ ଦେଇ ସିଧାସିଧା ଯିବାର ସମୟ ଆସିଯାଇଛି । ଯଦି ସିଧା ସିଧା ନ ଯିବ ତେବେ ମୋ ହାତରେ ତୁମର ନାକ ଥିବ । ସେତେବେଳେ ବୁଝିବ । ସେତେବେଳେ ଆଉ କିଛି ହୋଇପାରିବ ନାହିଁ, ନା ତୁମେ କିଛି କରିପାରିବ ସେଥିପାଇଁ ବାବା କହୁଛନ୍ତି ପିଲାମାନେ, ଏବେ ତୁମେମାନେ ମୋର ହୋଇ, ମୋ ପାଖକୁ ଆସି, ମୋ’ କଥା ଶୁଣି, ପୁଣି ବି ଯଦି କିଛି ନ କରିବ ତେବେ ସେଥିପାଇଁ ବହୁତ କଡା ଦଣ୍ଡ ମିଳିବ, ସେଥିପାଇଁ ଯେଉଁ ବିଚରା ଆତ୍ମାମାନଙ୍କୁ ଏକଥା ଜଣା ନାହିଁ ତାଙ୍କ କଥା ଅଲଗା । ବାକି ଯେଉଁମାନଙ୍କୁ ଜଣା ଅଛି, ଯେଉଁମାନେ ସବୁ କିଛି ଜାଣି ବୁଝି ପୁଣି ବି ଏହି ସବୁ କଥାରେ ତ୍ରୁଟି କରୁଛନ୍ତି ସେମାନଙ୍କୁ କ୍ଷମା ନାହିଁ । ଯେପରି ୧୦ ଗୁଣା ଫାଇଦା ମିଳୁଛି ସେହିପରି ୧୦ ଗୁଣା କ୍ଷତି ମଧ୍ୟ ହୋଇଯିବ । ସେଥିପାଇଁ କୁହାଯାଉଛି ନିଜର ଲାଭ କ୍ଷତିକୁ ଭଲ ଭାବରେ ବୁଝିନିଅ । ଭଲ ଭାବରେ ବୁଝ, କିଛି ତ ନିଜର ବୁଦ୍ଧି ଖୋଲ । ଏବେ ଯଦି ବାବାଙ୍କ ସହିତ ବୁଦ୍ଧିଯୋଗ ଯୋଡିବ ତେବେ ବହୁତ ଶକ୍ତି ମିଳିବ । ତେଣୁ ଏହି ସବୁ କଥାକୁ ବୁଝ, ଭୁଲ ନାହିଁ ।

ଏବେ ସେହି ସମୟ ଚାଲୁଛି, ଏହାକୁ ଭଲ ଭାବରେ ଜାଣିନିଅ, ଟିକିଏ ଆଖି ଖୋଲ, ବୁଦ୍ଧିକୁ ଖୋଲ ଏବଂ ସମୟର ପୂରା ଲାଭ ଉଠାଅ । ନିଜର ଭାଗ୍ୟକୁ ପୂର୍ଣ୍ଣ ରୂପରେ ଜାଗ୍ରତ କର । କଥାରେ ଅଛି ଯେପରି ସଂଗ ସେହିପରି ରଙ୍ଗ ଲାଗିଥାଏ, ସେଥିପାଇଁ ଯାହାଙ୍କ ଭିତରେ ଏବେ ଏହି ରଙ୍ଗ ଭଲ ଭାବରେ ନ ଲାଗିବ ତେବେ ମାୟାର ସଂଗର ରଙ୍ଗ ଲାଗିଯିବ, ସେଥିପାଇଁ ତ କୁହାଯାଉଛି ହିୟର ନୋ ଇଭିଲ୍‌, ସୀ ନୋ ଇଭିଲ୍‌... ଟକ୍ ନୋ ଇଭିଲ୍‌... ଅର୍ଥାତ୍ ଖରାପ କଥା ଶୁଣ ନାହିଁ, ଦେଖ ନାହିଁ, କୁହ ନାହିଁ... ତେଣୁ ଏହିଭଳି ଇଭିଲ୍ କଥା ଅନେକ ରହିଛି ଯାହାକି ଏଠାରେ ମଧ୍ୟ ଅନେକଙ୍କୁ ଛାଡୁ ନାହିଁ ଯାହାଦ୍ୱାରା ପରସ୍ପରର ସଂଗଦୋଷରେ ଆସିଯାଉଛନ୍ତି । ସେଥିପାଇଁ କୁହାଯାଉଛି ଏହିଭଳି ସଂଗଦୋଷରୁ ଦୂରେଇ ରୁହ । ଏଭଳି ଭାବ ନାହିଁ ଯେ ସଂଗଦୋଷ ବାହାରେ ଅଛି ଏଠି ନାହିଁ । ନା, ଏଠାରେ ମଧ୍ୟ ବହୁତ ଅଛନ୍ତି କାହିଁକିନା ସେମାନଙ୍କର ରାଜ୍ୟ ଚାଲିଛି ନା, ସେଥିପାଇଁ ବାବା କହୁଛନ୍ତି ଭଲ ଭାବରେ କବଚ ପିନ୍ଧି ରୁହ । ଯଦି କବଚ ପିନ୍ଧିଥିବ ତେବେ ମାୟାର ଗୁଳି ଲାଗିବ ନାହିଁ । ତେଣୁ ଯୋଗ ହିଁ କବଚ ଅଟେ ଏବଂ ଜ୍ଞାନ ଖଡ୍‌ଗ ଅଟେ । ଏହି ସବୁ ଅସ୍ତ୍ର-ଶସ୍ତ୍ର ଗୁଡିକୁ ନିଜ ପାଖରେ ଭଲ ଭାବରେ ଯତ୍ନ ସହକାରେ ରଖ ।

କଥାରେ କୁହନ୍ତି ଯିଏ କରିବ ସିଏ ପାଇବ, ଏହା ତ ନିଜର ପ୍ରାରବ୍ଧ ଜମା କରିବାର କଥା । ଏଠାରେ ତ ପ୍ରାରବ୍ଧ ଭୋଗ କରିବାର ନାହିଁ ନା, ତେବେ ଏଠାରେ କୌଣସି ଗୁରୁ ହୋଇ ବସିଯିବାର ନାହିଁ । ଏଥିରେ କୌଣସି ଭୁଲ୍ ବୁଝାମଣା ନ ହେଉ ସେଥିପାଇଁ ଏତେ କଥା ବୁଝାଯାଉଛି । ତେଣୁ ଏହି ସବୁ କଥାକୁ ଧ୍ୟାନରେ ରଖି ନିଜକୁ ସୁରକ୍ଷିତ ରଖିବାକୁ ହେବ । ଏଠାରେ କୌଣସି ଖର୍ଚ୍ଚ ଆଦିର କଥା ଉଠିବା ଉଚିତ୍ ନୁହେଁ । ଏବେ ଏହି ସବୁ ଖର୍ଚ୍ଚ ଗୁଡିକୁ ଅନ୍ୟମାନଙ୍କର କଲ୍ୟାଣ ଅର୍ଥେ କାର୍ଯ୍ୟରେ ଲଗାଇବାକୁ ପଡିବ । ଗୋଟିଏ ଗୋଟିଏ ପାଇ ପଇସା ମଧ୍ୟ ଏହି କାର୍ଯ୍ୟରେ ଲଗାଇବାକୁ ହେବ । ଆଚ୍ଛା!

ଏହିଭଳି ବାପଦାଦା ଏବଂ ମା’ଙ୍କର ମିଠା-ମିଠା ବହୁତ ଭଲ ତଥା ଖବରଦାର ରହୁଥିବା ପିଲାମାନଙ୍କ ପ୍ରତି ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ ଗୁଡ୍ ମର୍ଣ୍ଣିଙ୍ଗ୍ । ଆଚ୍ଛା!

ପ୍ରଶ୍ନ:- ମମ୍ମା, ଆମେ ଚାଲିବା ବୁଲିବା ସମୟରେ ଯୋଗର ଉଚ୍ଚ ସ୍ଥିତିରେ କିପରି ସ୍ଥିତ ହୋଇପାରିବୁ?

ଉତ୍ତର:- ବାସ୍ତବରେ ଆମର ଏହି ଜୀବନ ସ୍ୱାଭାବିକ ଯୋଗୀ ଜୀବନ ହୋଇଯିବା ଦରକାର କାହିଁକିନା, ଯୋଗର ଆଧାର ହେଲା ନିଶ୍ଚୟ । ତେଣୁ ସବୁ ସମୟରେ ନିଶ୍ଚୟକୁ କାୟମ ରଖି ବାସ୍ତବିକ ରୂପରେ ସେହି ସ୍ୱରୂପ ହୋଇଯିବା ଦରକାର । ନିଶ୍ଚୟ ରୂପ ହୋଇ କର୍ମେନ୍ଦ୍ରିୟମାନଙ୍କ ଦ୍ୱାରା କର୍ମ କର, ଯଦିଓ ସ୍ଥୂଳ କର୍ମେନ୍ଦ୍ରିୟ ଗୁଡିକ କୌଣସି ବି କର୍ମ କରୁଥାଆନ୍ତୁ କିନ୍ତୁ ନିଜକୁ ସେହି ସୁଖ ସ୍ୱରୂପ ଅବସ୍ଥାରେ ଲଭଲୀନ ହୋଇ ରହିବାର ଅଛି । ତୁମର ଚେହେରା ସର୍ବଦା ସୁଖ ସ୍ୱରୂପ ତଥା ରମଣିକ ଦେଖାଯିବା ଦରକାର । ଭିତରେ କୌଣସି ବି ଅଶୁଦ୍ଧ ସଂକଳ୍ପ ବିକଳ୍ପ ନ ରହୁ । ତେଣୁ ଈଶ୍ୱରୀୟ ଆନନ୍ଦରେ ତଥା ଆନ୍ତରିକ ମଗନ ଅବସ୍ଥାରେ ରୁହ ଯାହାଦ୍ୱାରା କୌଣସି ବି ଅଶୁଦ୍ଧ ସଂକଳ୍ପ ବିକଳ୍ପର ଉତ୍ପତ୍ତି ହେବ ନାହିଁ । ଶୁଦ୍ଧ ପବିତ୍ର ଧରଣୀରେ ଯାହା ବି ସଂକଳ୍ପ ଉତ୍ପନ୍ନ ହେବ ତାହା ଲୋକ ସଂଗ୍ରହ ପ୍ରତି ଅର୍ଥାତ୍ ବିଶ୍ୱ କଲ୍ୟାଣ ପାଇଁ ଅଥବା ନିଜର ଉନ୍ନତି ପାଇଁ ହେବ । ଏହା ଅତି ମିଠା ସୁନ୍ଦର ଅବସ୍ଥା ଅଟେ ଯାହାକି ଯଥା ସମୟରେ ସାହାଯ୍ୟ କରିଥାଏ । ଏହିଭଳି ଈଶ୍ୱରୀୟ ଅଲୌକିକ ମିଠା ପବିତ୍ର ଜୀବନ ନିର୍ମାଣ କରିବାର ଏବେ ହିଁ ତୁମକୁ ସୁବର୍ଣ୍ଣ ସୁଯୋଗ ମିଳିଛି । ତେଣୁ ଏହିଭଳି ଅବସ୍ଥା ତିଆରି କରିବା ପାଇଁ ଟିକିଏ ମେହନତ କର ।

ଯେତେବେଳେ ଆମେ ଯୋଗରେ ବସୁଛେ ସେତେବେଳେ ଭିତରେ କୌଣସି ମନ୍ତ୍ର, ପୂଜା, ଜପ ଆଦି କିଛି ବି କରି ନଥାଉ, ଯେପରି ଭକ୍ତିମାର୍ଗରେ କେହି କେହି ଭିତରେ ଭିତରେ ପ୍ରାର୍ଥନା କରିଥାଆନ୍ତି, ମାଳା ଜପ କରିଥାଆନ୍ତି । ମୂର୍ତ୍ତିକୁ ସମ୍ମୁଖରେ ରଖି ଫୁଲ ଚଢାଇଥାଆନ୍ତି । ସେମାନେ ସବୁ କିଛି ଭିତରେ କରିଥାଆନ୍ତି ଯାହାକୁ ମାନସୀକ ପୂଜା କୁହାଯାଉଛି । କିନ୍ତୁ ଆମର ଯୋଗରେ ଆମେ କେବଳ ନିଜର ସ୍ୱ ସ୍ୱରୂପରେ ସ୍ଥିତ ହୋଇ ସୁଖ ସ୍ୱରୂପ ହୋଇଯାଉଛେ । ନିଜର ମନ ସହିତ ସମସ୍ତ କର୍ମେନ୍ଦ୍ରିୟକୁ ନିୟନ୍ତ୍ରଣ କରି ଏକାଗ୍ରଚିତ୍ତ ହୋଇ ଈଶ୍ୱରୀୟ ସୁଖ ସ୍ୱରୂପ ହୋଇଯାଉଛେ ସେଥିପାଇଁ ଯୋଗର ସମୟ ବ୍ୟକ୍ତିଗତ ଭାବରେ ମଧ୍ୟ ନିଧାର୍ଯ୍ୟ ଅଛି । ଯେଉଁଠି ଗୋଟିଏ ନିଦ୍ଧିଷ୍ଟ ସମୟରେ ବସି ଅଭ୍ୟାସ କରିଥାଉ । କେବଳ ବ୍ୟକ୍ତ କଥା ଗୁଡିକରୁ ସମ୍ବନ୍ଧ ତୁଟାଇ ଅବ୍ୟକ୍ତ ସମ୍ବନ୍ଧ ସହିତ ସମ୍ପର୍କ ଯୋଡି ରଖିବାକୁ ହେବ, ଯାହାଦ୍ୱାରା ଯୋଗ କରିବା ସହଜ ହୋଇଯିବ । ଆଚ୍ଛା, ଓମ୍ ଶାନ୍ତି ।

ବରଦାନ:-
ବାପଦାଦାଙ୍କର ସଂଗ ଦ୍ୱାରା ମାୟାକୁ ଦୂରରୁ ହିଁ ମୂର୍ଚ୍ଛିତ କରି ଦେଉଥିବା ମାୟାଜିତ୍ ଜଗତ୍‌ଜିତ୍ ଭବ ।

ଯେପରି ବାବାଙ୍କର ସ୍ନେହୀ ହୋଇଛ ସେହିପରି ବାବାଙ୍କୁ ନିଜର ସାଥୀ କରିଦିଅ ଯାହାଦ୍ୱାରା ମାୟା ଦୂରରୁ ହିଁ ମୁର୍ଚ୍ଛିତ ହୋଇଯିବ । ଆରମ୍ଭ ସମୟରେ ଯେଉଁ ପ୍ରତିଜ୍ଞା କରିଛ ତୁମ ସହିତ ଖାଇବି, ତୁମ ପାଖରେ ବସିବି, ତୁମ ଦ୍ୱାରା ହିଁ ଆତ୍ମାକୁ ଖୁସି କରିବି.... ଏହି ପ୍ରତିଶ୍ରୃ୍‌ତି ଅନୁସାରେ ସାରା ଦିନଚର୍ଯ୍ୟାର ପ୍ରତ୍ୟେକ କାର୍ଯ୍ୟ ବାବାଙ୍କୁ ସାଥୀରେ ରଖି କର ତାହା ହେଲେ ମାୟା ‌ତୁମକୁ ହଲଚଲ୍ କରିପାରିବ ନାହିଁ, ବରଂ ତା’ର ବିନାଶ ହୋଇଯିବ । ତେଣୁ ସାଥୀକୁ ସର୍ବଦା ସଂଗରେ ରଖ ଏବଂ ସଂଗର ଶକ୍ତି ଦ୍ୱାରା ବା ମିଳନରେ ମଗନ ରହିବା ଦ୍ୱାରା ମାୟାଜିତ୍‌, ଜଗତ୍‌ଜିତ୍ ହୋଇଯିବ ।

ସ୍ଲୋଗାନ:-
ନିଜର ଉଚ୍ଚ ମନୋବୃତ୍ତି ଦ୍ୱାରା ପ୍ରବୃତ୍ତି ଅର୍ଥାତ୍ ଘର ଗୃହସ୍ଥର ପରିସ୍ଥିତିଗୁଡିକୁ ପରିବର୍ତ୍ତନ କର ।

ଅବ୍ୟକ୍ତ ଈଶାରା:- ସର୍ବଦା ହର୍ଷିତ ରହିବା ପାଇଁ ନିଜର ସ୍ୱଭାବକୁ ସରଳ କର ଏବଂ ସହନଶୀଳ ହୁଅ । ଅବ୍ୟକ୍ତ ସ୍ଥିତି ରୂପୀ ଦର୍ପଣକୁ ସ୍ୱଚ୍ଛ ଏବଂ ସ୍ପଷ୍ଟ କରିବା ପାଇଁ ସରଳତା, ଶ୍ରେଷ୍ଠତା ଏବଂ ସହନଶୀଳତା ଏହି ତିନୋଟି କଥା ଉପରେ ବିଶେଷ ଧ୍ୟାନ ଦିଅ । ଯଦି ତିନୋଟି ମଧ୍ୟରୁ କୌଣସି ଗୋଟିଏରେ ମଧ୍ୟ କମି ରହିଛି ତେବେ ଦର୍ପଣ ଉପରେ ମଧ୍ୟ ସେହି କମିର ଦାଗ ଦେଖାଯିବ, ସେଥିପାଇଁ ଯାହା ବି କାର୍ଯ୍ୟ କରୁଛ, ସେଥିରେ ସାଧାରଣତା ଦେଖା ନ ଯାଉ । ସାଧାରଣତାକୁ ଶ୍ରେଷ୍ଠତାରେ ପରିବର୍ତ୍ତନ କର, ପ୍ରତ୍ୟେକ କାର୍ଯ୍ୟରେ ସହନଶୀଳତା ଏବଂ ବାଣୀରେ ସରଳତାକୁ ଧାରଣ କର ତେବେ ଯାଇ ସେବାରେ ସଫଳତା ଦେଖାଯିବ ।