24.10.25 Morning Odia Murli Om Shanti BapDada Madhuban
“ମିଠେ ବଚ୍ଚେ:- ବାବା
ଆସିଛନ୍ତି ତୁମମାନଙ୍କୁ ଘରର ରାସ୍ତା ବତାଇବା ପାଇଁ, ଯଦି ତୁମେ ଆତ୍ମ-ଅଭିମାନୀ ହୋଇ ରହିବ ତେବେ
ଏହି ରାସ୍ତାକୁ ସହଜରେ ଦେଖିପାରିବ ।”
ପ୍ରଶ୍ନ:-
ସଙ୍ଗମ ଯୁଗରେ
ଏପରି କେଉଁ ଜ୍ଞାନ ମିଳିଛି, ଯାହାଦ୍ୱାରା ସତ୍ୟଯୁଗୀ ଦେବତାମାନଙ୍କୁ ମୋହଜିତ୍ କୁହାଯିବ?
ଉତ୍ତର:-
ସଙ୍ଗମରେ ବାବା ତୁମମାନଙ୍କୁ ଅମର କଥା ଶୁଣାଇ ଅମର ଆତ୍ମାର ଜ୍ଞାନ ଦେଇଛନ୍ତି । ତୁମକୁ ଜ୍ଞାନ
ମିଳିଲା ଯେ ଏହା ହେଉଛି ପୂର୍ବ ପ୍ରସ୍ତୁତ ଅବିନାଶୀ ଡ୍ରାମା, ଏଥିରେ ପ୍ରତ୍ୟେକ ଆତ୍ମା ନିଜ-ନିଜର
ଅଭିନୟ କରୁଛନ୍ତି । ଆତ୍ମା ଗୋଟିଏ ଶରୀର ଛାଡି ଅନ୍ୟ ଏକ ଶରୀର ଧାରଣ କରୁଛି, ଏଥିରେ କାନ୍ଦିବାର
କୌଣସି କଥା ନାହିଁ । ଏହି ଜ୍ଞାନ ଦ୍ୱାରା ହିଁ ସତ୍ୟଯୁଗୀ ଦେବତାମାନଙ୍କୁ ମୋହଜିତ୍ କୁହାଯାଉଛି ।
ସେଠାରେ ମୃତ୍ୟୁର ନାମ ରହିବ ନାହିଁ । ଖୁସି-ଖୁସିରେ ପୁରୁଣା ଶରୀର ଛାଡି ନୂଆ ଧାରଣ କରିଥା’ନ୍ତି
।
ଗୀତ:-
ନୟନ ହୀନ କୋ
ରାହ ଦିଖାଓ ପ୍ରଭୂ...
ଓମ୍ ଶାନ୍ତି ।
ମଧୁର ଆତ୍ମିକ
ସନ୍ତାନମାନଙ୍କ ପ୍ରତି ଆତ୍ମିକ ବାବା କହୁଛନ୍ତି କି ମୁଁ ତୁମକୁ ରାସ୍ତା ତ’ ଦେଖାଉଛି କିନ୍ତୁ
ପ୍ରଥମେ ନିଜକୁ ଆତ୍ମା ନିଶ୍ଚୟ କରି ବସ । ଦେହୀ-ଅଭିମାନୀ ହୋଇ ବସିଲେ ତୁମକୁ ବହୁତ ସହଜ ଭାବେ
ରାସ୍ତା ଦେଖାଯିବ । ଭକ୍ତିମାର୍ଗରେ ଅଧାକଳ୍ପ ଭ୍ରମିତ ହୋଇଛ । ଭକ୍ତି ମାର୍ଗର ଅନେକ ସାମଗ୍ରୀ
ରହିଛି । ଏବେ ବାବା ବୁଝାଇଛନ୍ତି ଯେ ଅବିନାଶୀ ପିତା ଜଣେ ହିଁ ଅଟନ୍ତି । ବାବା କହୁଛନ୍ତି ମୁଁ
ତୁମକୁ ରାସ୍ତା ଦେଖାଉଛି । ଦୁନିଆର ଲୋକମାନଙ୍କୁ ଏହା ମଧ୍ୟ ଜଣା ନାହିଁ ଯେ ଈଶ୍ୱର କେଉଁ ରାସ୍ତା
ଦେଖାଉଛନ୍ତି । ମୁକ୍ତି-ଜୀବନମୁକ୍ତି, ଗତି-ସଦ୍ଗତିର ରାସ୍ତା ଦେଖାଉଛନ୍ତି । ଶାନ୍ତିଧାମକୁ
ମୁକ୍ତି କୁହାଯାଏ । ଆତ୍ମା ଶରୀର ବିନା କିଛି ବି କହିପାରିବ ନାହିଁ । କର୍ମେନ୍ଦ୍ରିୟ ଦ୍ୱାରା
ହିଁ ଶବ୍ଦ ଉଚ୍ଚାରିତ ହୋଇଥାଏ, ମୁଖ ଦ୍ୱାରା ଶବ୍ଦ ଉଚ୍ଚାରିତ ହୁଏ । ମୁଖ ନ ଥିଲେ ଶବ୍ଦ କେଉଁଠାରୁ
ଆସିବ । କର୍ମ କରିବା ପାଇଁ ଆତ୍ମାକୁ ଏହି ଅଙ୍ଗ ପ୍ରତ୍ୟଙ୍ଗ ମିଳିଛି । ତୁମେ ରାବଣ ରାଜ୍ୟରେ
ବିକର୍ମ କରିଥାଅ । ଏହି ବିକର୍ମ ଛି-ଛି କର୍ମ ହୋଇଯାଇଥାଏ । ସତ୍ୟଯୁଗରେ ରାବଣ ନ ଥାଏ ତେଣୁ କର୍ମ
ଅକର୍ମ ହୋଇଯାଇଥାଏ । ସେଠାରେ ୫ ବିକାର ନ ଥାଏ । ତାହାକୁ ସ୍ୱର୍ଗ କୁହାଯାଏ । ଭାରତବାସୀ ପ୍ରଥମେ
ସ୍ୱର୍ଗବାସୀ ଥିଲେ, ଏବେ ପୁଣି ନର୍କବାସୀ କୁହାଯିବ । ସମସ୍ତେ ବିଷୟ ବୈତରଣୀ ନଦୀରେ ଉବୁଟୁବୁ
ହେଉଛନ୍ତି । ସମସ୍ତେ ପରସ୍ପରକୁ ଦୁଃଖ ଦେଇ ଚାଲିଛନ୍ତି । ବର୍ତ୍ତମାନ କହୁଛନ୍ତି, ବାବା, ଏପରି
ଜାଗାକୁ ନେଇ ଚାଲ, ଯେଉଁଠି ଦୁଃଖର ନାମ ନ ଥିବ । ତାହା ତ ଯେତେବେଳେ ଭାରତ ସ୍ୱର୍ଗ ଥିଲା,
ସେତେବେଳେ ଦୁଃଖର ନାମ ହିଁ ନ ଥିଲା । ଆମେ ସ୍ୱର୍ଗରୁ ନର୍କକୁ ଆସିଗଲେ ଏବେ ପୁନର୍ବାର ସ୍ୱର୍ଗକୁ
ଯିବାର ଅଛି । ଏହା ହେଉଛି ଖେଳ । ବାବା ଆସି ପିଲାମାନଙ୍କୁ ବୁଝାଉଛନ୍ତି । ଏହା ହେଉଛି ପ୍ରକୃତ
ସତ୍ସଙ୍ଗ ଏଇଠି ତୁମେ ସତ୍ୟ ପିତାଙ୍କୁ ମନେପକାଉଛ, ସିଏ ହିଁ ସର୍ବୋଚ୍ଚ ଭଗବାନ ଅଟନ୍ତି । ସେ
ହେଉଛନ୍ତି ରଚୟିତା, ତାଙ୍କ ଠାରୁ ସମ୍ପତ୍ତି ମିଳୁଛି । ବାବା ହିଁ ପିଲାମାନଙ୍କୁ ସମ୍ପତ୍ତି ଦେବେ
ନା । ଲୌକିକ ପିତା ଥିବା ସତ୍ତ୍ୱେ ମଧ୍ୟ ସମସ୍ତେ ହେ ଭଗବାନ, ହେ ପରମପିତା ପରମାତ୍ମା ଦୟାକର,
ଏହିଭଳି ସ୍ମରଣ କରିଥାଆନ୍ତି । ଭକ୍ତିମାର୍ଗରେ ଧକ୍କା ଖାଇ-ଖାଇ ଦୁଃଖୀ ହୋଇଯାଇଛନ୍ତି । କହୁଛନ୍ତି
ଯେ ହେ ପ୍ରଭୁ, ଆମକୁ ସୁଖ-ଶାନ୍ତିର ସମ୍ପତ୍ତି ଦିଅନ୍ତୁ । ଏହା ତ’ କେବଳ ବାବା ହିଁ ଦେଇ ପାରିବେ,
ତାହା ପୁଣି ୨୧ ଜନ୍ମ ପାଇଁ । ହିସାବ କରିବା ଉଚିତ୍ ନା । ସତ୍ୟଯୁଗରେ ଏମାନଙ୍କର ଯେବେ ରାଜ୍ୟ
ଥିଲା, ସେତେବେଳେ ନିଶ୍ଚିତ କମ୍ ମନୁଷ୍ୟ ଥିବେ । ଏକ ଧର୍ମ ଥିଲା, ଏକ ହିଁ ରାଜ୍ୟ ଥିଲା । ତାକୁ
ହିଁ ସ୍ୱର୍ଗ ବା ସୁଖଧାମ କୁହାଯାଏ । ନୂଆ ଦୁନିଆକୁ ସତ୍ତ୍ୱପ୍ରଧାନ, ପୁରୁଣା ଦୁନିଆକୁ
ତମୋପ୍ରଧାନ କୁହାଯିବ । ପ୍ରତ୍ୟେକ ଜିନିଷ ପ୍ରଥମେ ସତ୍ତ୍ୱପ୍ରଧାନ ପୁଣି ସତ୍ତ୍ୱ-ରଜୋ- ତମୋ
ହୋଇଥାଏ । ଛୋଟ ପିଲାମାନଙ୍କୁ ସତ୍ତ୍ୱପ୍ରଧାନ କୁହାଯିବ । ଛୋଟ ପିଲାମାନଙ୍କୁ ମହାତ୍ମାଙ୍କ ଠାରୁ
ମଧ୍ୟ ଶ୍ରେଷ୍ଠ ବୋଲି କୁହାଯାଏ । ମହାତ୍ମାମାନେ ତ’ ଜନ୍ମ ନେଇ ପୁଣି ବଡ ହେବା ପରେ ବିକାରର
ଅନୁଭବ କରି ଘରଦ୍ୱାର ଛାଡି ଚାଲିଯାଆନ୍ତି । ଛୋଟ ପିଲାମାନଙ୍କୁ ତ’ ବିକାର କ’ଣ ଜଣା ନ ଥାଏ ତେଣୁ
ସେମାନେ ନିଷ୍ପାପ ହୋଇଥା’ନ୍ତି । ତେଣୁ ମହାତ୍ମାମାନଙ୍କୁ ଠାରୁ ମଧ୍ୟ ସେମାନଙ୍କୁ ଶ୍ରେଷ୍ଠ
କୁହାଯାଏ । ଦେବତାମାନଙ୍କର ମହିମା ଗାନ କରନ୍ତି - ସର୍ବଗୁଣ ସମ୍ପନ୍ନ... ସାଧୁମାନଙ୍କର ଏପରି
ମହିମା କେବେ କରାଯାଏ ନାହିଁ । ବାବା ହିଂସା ଏବଂ ଅହିଂସାର ଅର୍ଥ ବୁଝାଇଛନ୍ତି । କାହାକୁ ମାରିବା,
ଏହାକୁ ହିଂସା କୁହାଯାଏ । ବିକାରଗ୍ରସ୍ତ ହେବା ଏହା ହେଉଛି ସବୁଠାରୁ ବଡ ହିଂସା । ଦେବତାମାନେ
ହିଂସକ ନୁହନ୍ତି । ସେମାନେ କାମ ବିକାରର ଅଧିନ ହୁଅନ୍ତି ନାହିଁ । ବାବା କହୁଛନ୍ତି,
ତୁମ୍ଭମାନଙ୍କୁ ମନୁଷ୍ୟରୁ ଦେବତା କରିବା ପାଇଁ ବର୍ତ୍ତମାନ ମୁଁ ଆସିଛି । ସତ୍ୟଯୁଗରେ ଦେବତା
ଥାଆନ୍ତି । ଏଠାରେ କେହି ବି ନିଜକୁ ଦେବତା କହି ପାରିବେ ନାହିଁ । ନିଜକୁ ଭାବିଥା’ନ୍ତି ଯେ ଆମେ
ହେଉଛୁ ପାପୀ, ନୀଚ, ବିକାରୀ । ତେବେ ନିଜକୁ ଦେବତା କିପରି କହିପାରିବେ? ତେଣୁ ତ ହିନ୍ଦୁ ଧର୍ମ
କହି ଦେଇଛନ୍ତି । ବାସ୍ତବରେ ସତ୍ୟଯୁଗରେ ଆଦି ସନାତନ ଦେବୀ-ଦେବତା ଧର୍ମ ହିଁ ଥିଲା । ହିନ୍ଦୁ
ଅକ୍ଷର ତ’ ହିନ୍ଦୁସ୍ଥାନ ଶବ୍ଦରୁ ବାହାର କରିଛନ୍ତି । ସେମାନେ ପୁଣି ହିନ୍ଦୁ ଧର୍ମ କହିଦେଇଛନ୍ତି
। ତୁମେ ଯଦି କହିବ, ଆମେ ଦେବତା ଧର୍ମର, ତେବେ ବି ହିନ୍ଦୁ ତାଲିକାରେ ଲେଖିଦେବେ । କହିବେ, ଆମ
ତାଲିକାରେ ହିନ୍ଦୁଧର୍ମ ହିଁ ଅଛି । ପତିତ ହୋଇଥିବା କାରଣରୁ ନିଜକୁ ଦେବତା କହି ପାରନ୍ତି ନାହିଁ
।
ଏବେ ତୁମେ ଜାଣୁଛ ଯେ ଆମେ
ପୂଜ୍ୟ ଦେବତା ଥିଲୁ, ବର୍ତ୍ତମାନ ପୁଜାରୀ ହୋଇଛୁ । ପୂଜା ମଧ୍ୟ ପ୍ରଥମେ ଶିବଙ୍କର ହିଁ କରାଯାଏ,
ପୁଣି ପୂଜାରୀମାନେ ବ୍ୟଭିଚାରୀ ହୋଇଯାଆନ୍ତି । ଏକମାତ୍ର ବାବାଙ୍କ ଠାରୁ ହିଁ ସମ୍ପତ୍ତି ମିଳିଥାଏ
। ଦେବୀ ତ ଅନେକ ପ୍ରକାରର ଅଛନ୍ତି । ତାଙ୍କ ଠାରୁ କୌଣସି ସମ୍ପତ୍ତି ମିଳେ ନାହିଁ । ଏହି
ବ୍ରହ୍ମାଙ୍କ ଠାରୁ ମଧ୍ୟ ତୁମକୁ ସମ୍ପତ୍ତି ମିଳେ ନାହିଁ । ଜଣେ ହେଉଛନ୍ତି ନିରାକାରୀ ପିତା,
ଅନ୍ୟ ଜଣେ ଶରୀରଧାରୀ ପିତା । ସାକାରୀ ପିତା ଥାଇ ମଧ୍ୟ ହେ ଭଗବାନ, ହେ ପରମପିତା କହିଥାଆନ୍ତି ।
ଲୌକିକ ପିତାଙ୍କୁ ଏପରି କହିବେ ନାହିଁ । ତେବେ ପିତାଙ୍କ ଠାରୁ ସମ୍ପତ୍ତି ମିଳିଥାଏ । ପତି ଓ
ପତ୍ନୀ ହାଫ୍ ପାର୍ଟନର ଅର୍ଥାତ୍ ଅଧା ଭାଗୀଦାର ଅଟନ୍ତି ତେଣୁ ତାଙ୍କୁ ଅଧା ଭାଗ ମିଳିବା ଉଚିତ୍ ।
ପ୍ରଥମେ ଅଧା ଅଲଗା କରି ପତ୍ନୀକୁ ଦେବା ପରେ ବାକି ଅଧା ଅଂଶ ପିଲାମାନଙ୍କୁ ଦେବା ଉଚିତ୍ । କିନ୍ତୁ
ଆଜିକାଲି ତ ପିଲାମାନଙ୍କୁ ହିଁ ସମସ୍ତ ସମ୍ପତ୍ତି ଦେଇ ଦେଉଛନ୍ତି । କେତେକଙ୍କର ପିଲାମାନଙ୍କ
ପ୍ରତି ବହୁତ ମୋହ ଥାଏ, ଭାବନ୍ତି ଯେ ଆମେ ମରିଗଲା ପରେ ସନ୍ତାନ ହିଁ ହକ୍ଦାର ହେବ । ଆଜିକାଲିର
ପିଲାମାନେ ତ ବାପା ଚାଲି ଗଲା ପରେ ମା’ଙ୍କୁ ପଚାରୁ ନାହାଁନ୍ତି । କେତେକ ମାତୃ ସ୍ନେହୀ ଅଛନ୍ତି,
ଆଉ କେହି ପୁଣି ମାତୃ ଦ୍ରୋହୀ ମଧ୍ୟ ହୋଇଥାନ୍ତି । ଆଜିକାଲି ଅଧିକାଂଶ ସନ୍ତାନ ମାତୃଦ୍ରୋହୀ
ହେଉଛନ୍ତି । ସବୁ ପଇସା ଫାଲ୍ତୁରେ ଖର୍ଚ୍ଚ କରି ଉଡାଇ ଦେଉଛନ୍ତି । ଧର୍ମର ସନ୍ତାନମାନେ ମଧ୍ୟ
କେତେକ ଏପରି ଅଛନ୍ତି ଯିଏକି ମାତାପିତାଙ୍କୁ ବହୁତ ହଇରାଣ କରନ୍ତି । ଏବେ ପିଲାମାନେ ଗୀତ ଶୁଣିଲେ,
କହୁଛନ୍ତି ବାବା ଆମକୁ ସୁଖର ରାସ୍ତା ଦେଖାଅ - ଯେଉଁଠି ସୁଖ ଅଛି । ରାବଣ ରାଜ୍ୟରେ ତ’ ସୁଖ ହୋଇ
ପାରିବ ନାହିଁ । ଭକ୍ତିମାର୍ଗରେ ତ ଏତିକି ବି ବୁଝି ପାରୁନାହାଁନ୍ତି ଯେ ଶିବ ଅଲଗା, ଶଙ୍କର ଅଲଗା
। ବାସ୍ ମୁଣ୍ଡ ପିଟୁଥାଅ, ଶାସ୍ତ୍ର ପଢୁଥାଅ । ଆଚ୍ଛା, ଏଥିରୁ କ’ଣ ମିଳିବ, କିଛି ହେଲେ ବି ଜଣା
ନାହିଁ । ଏକମାତ୍ର ବାବା ହିଁ ସମସ୍ତଙ୍କର ଶାନ୍ତି ଏବଂ ସୁଖର ଦାତା ଅଟନ୍ତି । ସତ୍ୟଯୁଗରେ ସୁଖ
ବି ଅଛି ତ ଶାନ୍ତି ବି ଅଛି । ଭାରତରେ ସୁଖ-ଶାନ୍ତି ଥିଲା, ଏବେ ନାହିଁ । ତେଣୁ ଭକ୍ତି କରି
ଦ୍ୱାର-ଦ୍ୱାର ଭ୍ରମିତ ହେଉଛନ୍ତି । ଏବେ ତୁମେ ଜାଣିଛ ଯେ ଶାନ୍ତିଧାମ, ସୁଖଧାମକୁ ଏକମାତ୍ର ବାବା
ହିଁ ନେଇଯାଉଛନ୍ତି । ବାବା ଆମେ କେବଳ ଆପଣଙ୍କୁ ମନେପକାଇବୁ, ଆପଣଙ୍କ ଠାରୁ ହିଁ ସମ୍ପତ୍ତି ନେବୁ
। ବାବା କହୁଛନ୍ତି ଦେହ ସହିତ ଦେହର ସବୁ ସମ୍ବନ୍ଧକୁ ଭୁଲି ଯିବାର ଅଛି । ଏକା ବାବାଙ୍କୁ ହିଁ ମନେ
ପକାଇବାର ଅଛି । ଆତ୍ମାକୁ ଏଇଠାରେ ହିଁ ପବିତ୍ର ହେବାର ଅଛି । ଯୋଗଯୁକ୍ତ ନ ହେଲେ ଦଣ୍ଡ ଭୋଗିବାକୁ
ପଡିବ । ପଦ ମଧ୍ୟ ଭ୍ରଷ୍ଟ ହୋଇଯିବ । ତେଣୁ ବାବା କହୁଛନ୍ତି ଯୋଗର ମେହେନତ କର । ଆତ୍ମାମାନଙ୍କୁ
ବୁଝାଉଛନ୍ତି । ଆଉ କୌଣସି ସତସଙ୍ଗ ଆଦିରେ ଏପରି ନାହିଁ ଯେଉଁଠାରେ ଏପରି କହିବେ - ହେ ଆତ୍ମିକ
ସନ୍ତାନମାନେ । ଏହା ହେଉଛି ଆଧ୍ୟାତ୍ମିକ ଜ୍ଞାନ, ଯାହାକି ଆତ୍ମିକ ପିତାଙ୍କ ଠାରୁ ସନ୍ତାନମାନଙ୍କୁ
ମିଳୁଛି । ରୁହ ଅର୍ଥାତ ନିରାକାର । ଶିବ ମଧ୍ୟ ନିରାକାର ଅଟନ୍ତି ନା । ତୁମର ଆତ୍ମା ମଧ୍ୟ ବିନ୍ଦୁ,
ବହୁତ ଛୋଟ । ଦିବ୍ୟ ଦୃଷ୍ଟି ବିନା ତାକୁ କେହି ଦେଖି ପାରିବେ ନାହିଁ । ଦିବ୍ୟ ଦୃଷ୍ଟି ବାବା ହିଁ
ଦିଅନ୍ତି । ଭକ୍ତମାନେ ବସି ହନୁମାନ, ଗଣେଶ ଆଦିଙ୍କର ପୂଜା କରୁଛନ୍ତି, ତେବେ ବର୍ତ୍ତମାନ ତାଙ୍କର
ସାକ୍ଷାତ୍କାର କିପରି ହେବ । ବାବା କହୁଛନ୍ତି ମୁଁ ହିଁ ହେଉଛି ଦିବ୍ୟ ଦୃଷ୍ଟିଦାତା । ଯିଏ ବହୁତ
ଭକ୍ତି କରନ୍ତି, ସେମାନଙ୍କୁ ମୁଁ ହିଁ ସାକ୍ଷାତ୍କାର କରାଇଥାଏ । କିନ୍ତୁ ଏଥିରେ ଫାଇଦା କିଛି
ବି ହୁଏ ନାହିଁ । କେବଳ ଖୁସି ହୋଇଯାଆନ୍ତି । ପାପ ତ କରିଥା’ନ୍ତି । କିଛି ବି ତ ମିଳେ ନାହିଁ ।
ପାଠ ପଢା ବିନା କ’ଣ କିଛି ହୋଇପାରିବ । ଦେବତାମାନେ ସର୍ବଗୁଣ ସମ୍ପନ୍ନ ଅଟନ୍ତି । ତୁମେ ମଧ୍ୟ
ଏହିପରି ହୁଅ ନା । ଆଉ ସବୁ ହେଉଛି ଭକ୍ତିମାର୍ଗର ସାକ୍ଷାତ୍କାର । ବାସ୍ତବରେ କୃଷ୍ଣଙ୍କ ସହିତ
ଝୁଲିବା, ସ୍ୱର୍ଗରେ ତାଙ୍କ ସହିତ ରହିବା ଏହା ତ ପାଠପଢା ଉପରେ ନିର୍ଭର କରେ । ଯେତିକି ଶ୍ରୀମତରେ
ଚାଲିବ, ସେତିକି ଉଚ୍ଚ ପଦ ପାଇବ । ଭଗବାନଙ୍କର ଶ୍ରୀମତ ବୋଲି ଗାୟନ ରହିଛି । ଶ୍ରୀକୃଷ୍ଣଙ୍କର
ଶ୍ରୀମତ କୁହାଯିବ ନାହିଁ । ପରମପିତା ପରମାତ୍ମାଙ୍କ ଶ୍ରୀମତ ଆଧାରରେ ଶ୍ରୀକୃଷ୍ଣଙ୍କର ଆତ୍ମା ଏହି
ପଦ ପାଇଛନ୍ତି । ତୁମର ଆତ୍ମା ମଧ୍ୟ ଦେବତା ଧର୍ମରେ ଥିଲା ଅର୍ଥାତ୍ ଶ୍ରୀକୃଷ୍ଣଙ୍କ କୁଳରେ ଥିଲା
। ଭାରତବାସୀମାନଙ୍କୁ ଏହା ଜଣା ନାହିଁ ଯେ ରାଧା କୃଷ୍ଣଙ୍କର ପରସ୍ପର ମଧ୍ୟରେ କ’ଣ ସମ୍ପର୍କ ଥିଲା
। ଦୁଇଜଣ ଅଲଗା-ଅଲଗା ରାଜ୍ୟର ଥିଲେ । ପୁଣି ସ୍ୱଂୟମ୍ବର ପରେ ଲକ୍ଷ୍ମୀ-ନାରାୟଣ ହୋଇଥା’ନ୍ତି ।
ଏହି ସବୁ କଥା ବାବା ହିଁ ଆସି ବୁଝାଉଛନ୍ତି । ଏବେ ତୁମେ ସ୍ୱର୍ଗର ରାଜକୁମାର-ରାଜକୁମାରୀ ହେବା
ପାଇଁ ପଢୁଛ । ରାଜକୁମାର କୁମାରୀଙ୍କର ଯେତେବେଳେ ସ୍ୱୟଂବର ହୁଏ, ସେତେବେଳେ ନାମ ବଦଳିଯାଏ । ତେବେ
ବାବା ପିଲାମାନଙ୍କୁ ଏହିପରି ଦେବତା କରୁଛନ୍ତି । ଯଦି ବାବାଙ୍କ ଶ୍ରୀମତରେ ଚାଲିବ ତେବେ ତୁମେ
ଦେବତା ହୋଇପାରିବ । ତୁମେ ହେଉଛ ମୁଖ ବଂଶାବଳୀ, ସେମାନେ ହେଲେ ଗର୍ଭଜାତ ସନ୍ତାନ । ଦୁନିଆର
ବ୍ରାହ୍ମଣମାନେ ହାତଗଣ୍ଠି ପକାଇଥାନ୍ତି କାମ ଚିତାରେ ବସାଇବା ପାଇଁ । ଏବେ ତୁମେ ସତ୍ୟ ସତ୍ୟ
ବ୍ରାହ୍ମଣମାନେ କାମ ଚିତାରୁ ଓହ୍ଲାଇ ଜ୍ଞାନ ଚିତାରେ ବସାଇବା ପାଇଁ ହସ୍ତଗଣ୍ଠି ବାନ୍ଧୁଛ । ତେଣୁ
ବିକାରକୁ ତ୍ୟାଗ କରିବାକୁ ହେବ । ଏଠିକାର ପିଲାମାନେ ତ’ ଲଢେଇ-ଝଗଡା କରି ପଇସା ଆଦି ସବୁ ବରବାଦ୍
କରିଦେଉଛନ୍ତି । ଆଜିକାଲି ଦୁନିଆରେ ବହୁତ ଭ୍ରଷ୍ଟାଚାର ହୋଇଗଲାଣି । ସବୁଠାରୁ ଖରାପ ବେମାରୀ
ହେଉଛି ସିନେମା ଦେଖିବା । ଭଲ ପିଲାମାନେ ମଧ୍ୟ ବାଇସ୍କୋପ ଦେଖିବାକୁ ଯାଇ ଖରାପ ହୋଇଯାଇଥାଆନ୍ତି
। ତେଣୁ ବି.କେ.ମାନଙ୍କୁ ବାଇସ୍କୋପ ଦେଖିବାକୁ ଯିବାକୁ ମନା । ହଁ, ଯିଏ ମଜବୁତ ଅଛନ୍ତି,
ସେମାନଙ୍କୁ ବାବା କହୁଛନ୍ତି ସେଠାରେ ମଧ୍ୟ ତୁମେ ଯାଇ ସେବା କର । ତାଙ୍କୁ ବୁଝାଅ ଯେ ଏହା ତ
ହେଉଛି ହଦ୍ର ବାଇସ୍କୋପ୍ । ବେହଦର ବାଇସ୍କୋପ ମଧ୍ୟ ରହିଛି । ବେହଦର ବାଇସ୍କୋପରୁ ହିଁ ହଦର ଏହି
ମିଛ ବାଇସ୍କୋପ୍ ତିଆରି ହୋଇଛି ।
ଏବେ ତୁମ୍ଭମାନଙ୍କୁ ବାବା
ବୁଝାଇଛନ୍ତି ଯେ ମୂଳ ବତନ , ଯେଉଁଠି ସବୁ ଆତ୍ମାମାନେ ରହନ୍ତି, ପୁଣି ମଝିରେ ସୂକ୍ଷ୍ମ ବତନ ମଧ୍ୟ
ରହିଛି । ଏହା ହେଉଛି ସାକାର ବତନ । ସାରା ଖେଳ ଏହିଠାରେ ହିଁ ଚାଲେ । ଏହି ଚକ୍ର ଘୂରି ଚାଲିଥାଏ
। ତୁମ ବ୍ରାହ୍ମଣ ସନ୍ତାନମାନଙ୍କୁ ହିଁ ସ୍ୱଦର୍ଶନ ଚକ୍ରଧାରୀ ହେବାର ଅଛି । ଦେବତାମାନଙ୍କୁ ନୁହେଁ
। କିନ୍ତୁ ଏହି ଅଳଂକାର ବ୍ରାହ୍ମଣମାନେ ପୁରୁଷାର୍ଥୀ ହୋଇଥିବାରୁ ତାଙ୍କୁ ଦିଆଯାଏ ନାହିଁ । ଆଜି
ଭଲ ଭାବରେ ଚାଲୁଛନ୍ତି, କାଲି ତଳକୁ ଚାଲିଯାଇଥାନ୍ତି । ତେଣୁ ଦେବତାମାନଙ୍କୁ ଅଳଙ୍କାର ଦେଇ
ଦେଇଛନ୍ତି । ଶ୍ରୀକୃଷ୍ଣଙ୍କ ପାଇଁ ଦେଖାନ୍ତି ଯେ ସ୍ୱଦର୍ଶନ ଚକ୍ର ଦ୍ୱାରା ଅକାସୁର ବକାସୁର ଆଦିକୁ
ମାରିଲେ । ତାଙ୍କୁ ତ ଅହିଂସା ପରୋମ ଧର୍ମ କୁହାଯାଉଛି ପୁଣି ସେ ହିଂସା କିପରି କରିବେ! ଏହା ସବୁ
ହେଉଛି ଭକ୍ତିମାର୍ଗର ସାମଗ୍ରୀ । ଯେଉଁଠାକୁ ଯାଅ ଶିବଙ୍କର ଲିଙ୍ଗ ନିଶ୍ଚିତ ଥିବ । କେବଳ ତାଙ୍କର
ନାମ ଅଲଗା-ଅଲଗା ରଖିଦେଇଛନ୍ତି । ମାଟିର ଅନେକ ଦେବୀ ମୂର୍ତ୍ତି ତିଆରି କରନ୍ତି । ହଜାର ହଜାର
ଟଙ୍କା ଖର୍ଚ୍ଚ କରି ସଜାନ୍ତି । ତିଆରି କରି ପୂଜା କରନ୍ତି , ପାଳନା କରି ପୁଣି ପାଣିରେ ଡୁବାଇ
ଦିଅନ୍ତି । କଣ୍ଢେଇ ପୂଜାରେ କେତେ ପଇସା ଖର୍ଚ୍ଚ କରୁଛନ୍ତି ହେଲେ କିଛି ବି ତ ମିଳିଲା ନାହିଁ ।
ବାବା ବୁଝାଉଛନ୍ତି, ଏହାସବୁ ପଇସା ବରବାଦ କରିବାର ଭକ୍ତି ଅଟେ, ଯାହାଦ୍ୱାରା ସିଡିରୁ ତଳକୁ ଖସି
ଆସିଛନ୍ତି । ବାବା ଆସିଲେ, ତେବେ ସମସ୍ତଙ୍କର ଉନ୍ନତିର କଳା ହୋଇଥାଏ । ବାବା ସମସ୍ତଙ୍କୁ
ଶାନ୍ତିଧାମ-ସୁଖଧାମକୁ ନେଇ ଯାଆନ୍ତି । ଏଠାରେ ପଇସା ବରବାଦ କରିବାର କୌଣସି କଥା ନାହିଁ । ପୁଣି
ଭକ୍ତିମାର୍ଗରେ ତୁମେ ପଇସା ବରବାଦ କରି-କରି ଦେବାଳିଆ ହୋଇଯାଇଛ । ସ୍ୱଚ୍ଛଳ ଏବଂ ଦେବାଳିଆ ହେବାର
କଥା ବାବା ବସି ବୁଝାଉଛନ୍ତି । ତୁମେ ଏଇ ଲକ୍ଷ୍ମୀ-ନାରାୟଣଙ୍କ ରାଜ କୁଳର ଥିଲ ନା । ବର୍ତ୍ତମାନ
ତୁମକୁ ନରରୁ ନାରାୟଣ ହେବାର ଶିକ୍ଷା ବାବା ଦେଉଛନ୍ତି । ସେହି ପଣ୍ଡିତମାନେ ତିଜରୀ କଥା ବା
ତୃତୀୟ ନେତ୍ରର କଥା, ଅମର କଥା ଶୁଣାନ୍ତି । ସେସବୁ ମିଛ । କିନ୍ତୁ ଏହା ହେଉଛି ପ୍ରକୃତ ତିଜରୀର
କଥା, ଯାହା ଦ୍ୱାରା ଆତ୍ମାର ଜ୍ଞାନର ତୃତୀୟ ନେତ୍ର ଖୋଲିଯାଉଛି । ସାରା ଚକ୍ର ବୁଦ୍ଧିରେ
ଆସିଯାଉଛି । ତୁମକୁ ଜ୍ଞାନର ତୃତୀୟ ନେତ୍ର ମିଳୁଛି, ଅମରକଥା ମଧ୍ୟ ଶୁଣୁଛ । ଅମର ବାବା ତୁମକୁ
କଥା ଶୁଣାଉଛନ୍ତି - ଅମରପୁରୀର ମାଲିକ କରାଉଛନ୍ତି । ଅମରପୁରୀରେ ତୁମର କେବେ ବି ମୃତ୍ୟୁ ହୁଏ
ନାହିଁ । ଏଠାରେ ତ’ ମନୁଷ୍ୟମାନଙ୍କୁ କେତେ କାଳର ଭୟ ରହୁଛି । ସେଠାରେ ଡରିବାର, କାନ୍ଦିବାର
କୌଣସି କଥା ନାହିଁ । ଖୁସିରେ ପୁରୁଣା ଶରୀର ଛାଡି ନୂଆ ନିଅନ୍ତି । ଏଠାରେ ଦେହତ୍ୟାଗ କଲେ
ମନୁଷ୍ୟମାନେ କେତେ କାନ୍ଦନ୍ତି । ଏହା ହେଉଛି କାନ୍ଦିବାର ଦୁନିଆ । ବାବା କହୁଛନ୍ତି ଏହା ତ ହେଉଛି
ପୂର୍ବ-ନିର୍ମିତ ଡ୍ରାମା । ପ୍ରତ୍ୟେକ ଆତ୍ମା ନିଜ-ନିଜର ଅଭିନୟ କରିଚାଲିଛନ୍ତି । ଏଇ ଦେବତାମାନେ
ମୋହଜିତ୍ ଅଟନ୍ତି ନା । ଏଇ ଦୁନିଆରେ ତ ଅନେକ ଗୁରୁ ଅଛନ୍ତି, ଯାହାଙ୍କ ଠାରୁ ଅନେକ ମତ ମିଳୁଛି ।
ପ୍ରତ୍ୟେକ ବ୍ୟକ୍ତିଙ୍କର ନିଜସ୍ୱ ମତ ଥାଏ । ସନ୍ତୋଷୀ ଦେବୀ ବୋଲି ଜଣେ ଅଛନ୍ତି, ଯାହାଙ୍କର ପୂଜା
ହୋଇଥାଏ । ତେବେ ସନ୍ତୋଷୀ ଦେବୀମାନେ ତ’ ସତ୍ୟଯୁଗରେ ହେବେ, ଏଠାରେ କୁଆଡୁ ଆସିବେ । ସତ୍ୟଯୁଗରେ
ଦେବତାମାନେ ସର୍ବଦା ସନ୍ତୁଷ୍ଟ ଥାଆନ୍ତି । ଏଠାରେ ତ କିଛି ନା କିଛି ଆଶା ରହିଥାଏ । ସେଠାରେ
କୌଣସି ଆଶା ନ ଥାଏ । ବାବା ସମସ୍ତଙ୍କୁ ସନ୍ତୁଷ୍ଟ କରିଦେଉଛନ୍ତି । ତୁମେ ପଦମ୍ପତି ହୋଇଯାଉଛ ।
କୌଣସି ଅପ୍ରାପ୍ତ ବସ୍ତୁ ନ ଥାଏ, ଯାହାର ପ୍ରାପ୍ତି ପାଇଁ ଚିନ୍ତା ହେବ । ସେଠାରେ ଚିନ୍ତା ହିଁ ନ
ଥାଏ । ବାବା କହୁଛନ୍ତି, ମୁଁ ହିଁ ହେଉଛି ସମସ୍ତଙ୍କର ସଦଗତି ଦାତା । ତୁମ୍ଭ ସନ୍ତାନମାନଙ୍କୁ ୨୧
ଜନ୍ମ ପାଇଁ ଖୁସି ହିଁ ଖୁସି ଦେଇଥା’ନ୍ତି । ଏପରି ବାବାଙ୍କୁ ନିଶ୍ଚିତ ମନେପକାଇବା ଉଚିତ୍ ।
ବାବାଙ୍କ ସ୍ମୃତିରେ ହିଁ ତୁମର ପାପ ଭସ୍ମ ହେବ ଆଉ ତୁମେ ସତ୍ତ୍ୱପ୍ରଧାନ ହୋଇ ଯିବ । ଏହା ହେଉଛି
ବୁଝିବାର କଥା । ଯେତେ ଅନ୍ୟମାନଙ୍କୁ ବୁଝାଇବ, ସେତେ ତୁମର ପ୍ରଜା ତିଆରି ହେବେ ଆଉ ତୁମେ ଉଚ୍ଚ
ପଦ ପାଇବ । ଏହା କୌଣସି ସାଧୁମାନଙ୍କର କଥା ନୁହେଁ । ଏ କଥା ଭଗବାନ ବସି ବ୍ରହ୍ମାଙ୍କ ମୁଖ ଦ୍ୱାରା
ବୁଝାଉଛନ୍ତି । ବର୍ତ୍ତମାନ ତୁମେ ସନ୍ତୁଷ୍ଟ ଦେବୀ-ଦେବତା ହେଉଛ । ଏବେ ତୁମକୁ ସମ୍ପୂର୍ଣ୍ଣ
ପବିତ୍ର ହେବାର ପ୍ରତିଜ୍ଞା ମଧ୍ୟ କରିବାକୁ ହେବ କାହିଁକିନା ତୁମକୁ ପବିତ୍ର ଦୁନିଆକୁ ଯିବାର ଅଛି,
ତେଣୁ କେବେହେଲେ ପତିତ ହେବାର ନାହିଁ । ବାବା ହିଁ ଏହି ବ୍ରତ ଶିଖାଇଛନ୍ତି । ମନୁଷ୍ୟମାନେ ତ ପୁଣି
ଅନେକ ପ୍ରକାରର ବ୍ରତ କରି ଦେଇଛନ୍ତି । ଆଚ୍ଛା—
ମିଠା ମିଠା ସିକିଲଧେ
ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ
ସୁପ୍ରଭାତ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।
ଧାରଣା ପାଇଁ ମୁଖ୍ୟ ସାର
:—
(୧) ଏକମାତ୍ର
ବାବାଙ୍କ ମତରେ ଚାଲି ସର୍ବଦା ସନ୍ତୁଷ୍ଟ ରହି ସନ୍ତୋଷୀ ଦେବୀ ହେବାର ଅଛି । ଏଠାରେ କୌଣସି ବି ଆଶା
ରଖିବାର ନାହିଁ । ବାବାଙ୍କ ଠାରୁ ସର୍ବ ପ୍ରାପ୍ତି କରି ପଦ୍ମପତି ହେବାର ଅଛି ।
(୨) ସବୁଠାରୁ ଅଧିକ
ଭ୍ରଷ୍ଟାଚାରୀ କରୁଥିବା ସାଧନ ହେଉଛି ସିନେମା । ତେଣୁ ତୁମକୁ ସିନେମା ଦେଖିବାକୁ ମନା କରାଯାଇଛି
। ଯଦି ତୁମେ ବାହାଦୁର ଅଟ, ତେବେ ହଦ ଏବଂ ବେହଦର ବାଇସ୍କୋପର ରହସ୍ୟକୁ ଜାଣି ଅନ୍ୟମାନଙ୍କୁ
ବୁଝାଅ । ସେବା କର ।
ବରଦାନ:-
ପୁରୁଷାର୍ଥରେ
ତଥା ସେବାରେ ବିଧି ପୂର୍ବକ ବୃଦ୍ଧି ପ୍ରାପ୍ତ କରୁଥିବା ତୀବ୍ର ପୁରୁଷାର୍ଥୀ ଭବ ।
ବ୍ରାହ୍ମଣ ଅର୍ଥାତ୍ ବିଧି
ପୂର୍ବକ ଜୀବନ । କୌଣସି ବି କାର୍ଯ୍ୟ ସେତେବେଳେ ସଫଳ ହୋଇଥାଏ ଯେତେବେଳେ ତାହା ବିଧିପୂର୍ବକ ଭାବରେ
କରାଯାଇଥାଏ । ଯଦି କୌଣସି କଥାରେ ନିଜର ପୁରୁଷାର୍ଥରେ ବା ସେବାରେ ବୃଦ୍ଧି ହେଉ ନାହିଁ ତେବେ
ନିଶ୍ଚିତ ଭାବରେ କୌଣସି ବିଧିରେ କମି ରହିଛି ତେଣୁ ଚେକ୍ କର ଅମୃତବେଳାଠାରୁ ରାତି ପର୍ଯ୍ୟନ୍ତ
ମନ-ବଚନ-କର୍ମ ଅଥବା ସମ୍ପର୍କ ବିଧିପୂର୍ବକ ରହିଛି ତ ଅର୍ଥାତ୍ ବୃଦ୍ଧି ହୋଇଛି ତ? ଯଦି ହୋଇନାହିଁ
ତେବେ କାରଣକୁ ଚିନ୍ତା କର ଏବଂ ତା’ର ନିବାରଣ କର, ତେବେ ଆଉ ନିରାଶ ହେବ ନାହିଁ । ଯଦି ତୁମର
ଜୀବନ ବିଧି ପୂର୍ବକ ଅଟେ ତେବେ ବୃଦ୍ଧି ନିଶ୍ଚିତ ହେବ ଏବଂ ତୁମେ ତୀବ୍ର ପୁରୁଷାର୍ଥୀ ହୋଇଯିବ ।
ସ୍ଲୋଗାନ:-
ସ୍ୱଚ୍ଛତା ଏବଂ
ସତ୍ୟତାରେ ସମ୍ପନ୍ନ ହେବା ହିଁ ସଚ୍ଚା ପବିତ୍ରତା ଅଟେ ।
ଅବ୍ୟକ୍ତ ଈଶାରା:- ନିଜ
ପ୍ରତି ଏବଂ ସମସ୍ତଙ୍କ ପ୍ରତି ନିଜର ସଂକଳ୍ପ ଦ୍ୱାରା ଯୋଗର ଶକ୍ତିଗୁଡିକୁ ପ୍ରୟୋଗ କର ।
ଯେତେବେଳେ ବାଣୀ ଦ୍ୱାରା
କୌଣସି କାର୍ଯ୍ୟରେ ସିଦ୍ଧି ମିଳୁ ନାହିଁ ସେତେବେଳେ କହୁଛ ଇଏ ବାଣୀ ଦ୍ୱାରା ବୁଝିବେ ନାହିଁ, ବରଂ
ଶୁଭଭାବନା ଦ୍ୱାରା ପରିବର୍ତ୍ତନ ହେବେ । ଯେଉଁଠି ବାଣୀ କାର୍ଯ୍ୟକୁ ସଫଳ କରିପାରିବ ନାହିଁ ସେଠାରେ
ଶାନ୍ତିର ଶକ୍ତିର ସାଧନ ଶୁଭ ସଂକଳ୍ପ, ଶୁଭଭାବନା ଏବଂ ନୟନର ଭାଷା ଦ୍ୱାରା ଦୟା ଏବଂ ସ୍ନେହର
ଅନୁଭୂତି ହିଁ କାର୍ଯ୍ୟକୁ ସିଦ୍ଧ କରିଦେଇପାରିବ ।