24.10.26          Morning Odia Murli         Om Shanti         BapDada       Madhuban


“ମିଠେ ବଚ୍ଚେ:— ମାତା-ପିତାଙ୍କୁ ଅନୁସରଣ କରି ସିଂହାସନର ଅଧିକାରୀ ହୁଅ, ଏଥିପାଇଁ କୌଣସି କଷ୍ଟ କରିବାକୁ ପଡୁ ନାହିଁ, କେବଳ ବାବାଙ୍କୁ ମନେ ପକାଅ ଏବଂ ପବିତ୍ର ହୁଅ ।”

ପ୍ରଶ୍ନ:-
ଦୀନବନ୍ଧୁ ବାବା ନିଜର ପିଲାମାନଙ୍କର ଭାଗ୍ୟ ଗଢିବା ପାଇଁ କେଉଁ ପ୍ରକାରର ରାୟ ଦେଉଛନ୍ତି?

ଉତ୍ତର:-
ପିଲାମାନେ, ଶିବବାବାଙ୍କୁ ତୁମର କିଛି ବି ଦରକାର ନାହିଁ । ତୁମେ ଭଲେ ଖାଅ, ପିଅ, ପାଠ ପଢ - ଏଠାରୁ ସତେଜ ହୋଇ ଚାଲିଯାଅ କିନ୍ତୁ ଚାଉଳ ମୁଠିର ମଧ୍ୟ ଗାୟନ ରହିଛି । ଯଦି ୨୧ ଜନ୍ମ ପାଇଁ ସାହୁକାର ହେବାର ଅଛି, ତେବେ ଗରୀବର ଏକ ପଇସା ମଧ୍ୟ ସାହୁକାରର ୧୦୦ ଟଙ୍କା ସହିତ ସମାନ ଅଟେ, ସେଥିପାଇଁ ବାବା ଯେତେବେଳେ ନିଜେ ଆସିଛନ୍ତି ତେବେ ନିଜର ସବୁ କିଛି ସଫଳ କରିନିଅ ।

ଗୀତ:-
ତୁହ୍ମି ହୋ ମାତା ପିତା ତୁହ୍ମି ହୋ...

ଓମ୍ ଶାନ୍ତି ।
ଗୀତର ଅର୍ଥ ତ ପିଲାମାନେ ବୁଝିଲେ । ଯଦିଓ ଭକ୍ତମାନେ ଡାକୁଛନ୍ତି କିନ୍ତୁ କିଛି ହେଲେ ବୁଝୁ ନାହାଁନ୍ତି । ତୁମେମାନେ ଜାଣିଛ ସିଏ ଆମର ପିତା ଅଟନ୍ତି । ବାସ୍ତବରେ ସିଏ କେବଳ ତୁମର ପିତା ନୁହଁନ୍ତି ସିଏ ସମସ୍ତଙ୍କର ପିତା ଅଟନ୍ତି । ଏହା ତ ବୁଝିବାର କଥା । ଦୁନିଆରେ ଯେତେ ବି ଆତ୍ମାମାନେ ଅଛନ୍ତି ସମସ୍ତଙ୍କର ପିତା ନିଶ୍ଚିତ ପରମାତ୍ମା ହିଁ ଅଟନ୍ତି । ବାବା-ବାବା କହିବା ଦ୍ୱାରା ବର୍ସା ନିଶ୍ଚିତ ମନେ ପଡିଥାଏ । ବାବାଙ୍କୁ ସ୍ମରଣ କରିବା ଦ୍ୱାରା ହିଁ ବିକର୍ମ ବିନାଶ ହେବ । ବାବା ପିଲାମାନଙ୍କୁ କହୁଛନ୍ତି ତୁମମାନଙ୍କର ଆତ୍ମା ପତିତ ହୋଇଯାଇଛି । ଏବେ ତାକୁ ପବିତ୍ର କରିବାକୁ ପଡିବ । ଯଦି ସିଏ ସମସ୍ତଙ୍କର ପିତା ଅଟନ୍ତି, ତେବେ ପିଲାମାନଙ୍କୁ ନିଶ୍ଚିତ ନିର୍ବିକାରୀ ହେବା ଦରକାର । କୌଣସି ଗୋଟିଏ ସମୟରେ ସବୁ ଆତ୍ମାମାନେ ନିର୍ବିକାରୀ ଥିଲେ । ବାବା ନିଜେ ବୁଝାଉଛନ୍ତି ଯେତେବେଳେ ଶ୍ରୀ ଲକ୍ଷ୍ମୀ-ନାରାୟଣଙ୍କର ରାଜ୍ୟ ଥିଲା ସେତେବେଳେ ସମସ୍ତେ ନିର୍ବିକାରୀ ଥିଲେ । ଏତେ ସବୁ ଯେଉଁ ମନୁଷ୍ୟ ଆତ୍ମାମାନଙ୍କୁ ଦେଖୁଛ ସେମାନେ ମଧ୍ୟ ନିର୍ବିକାରୀ ହେବେ କାହିଁକି ନା ଶରୀର ତ ବିନାଶ ହୋଇଯିବ, ବାକି ଆତ୍ମାମାନେ ଯାଇ ନିରାକାରୀ ଦୁନିଆରେ ରହିବେ । ସେଠାରେ ବିକାରର ତ ଚିହ୍ନ-ବର୍ଣ୍ଣ ନାହିଁ । ସେଠାରେ ଶରୀର ହିଁ ରହିବ ନାହିଁ । ଏହି ଦୁନିଆରେ ଅଭିନୟ କରିବା ପାଇଁ ସେହିଠାରୁ ହିଁ ସବୁ ଆତ୍ମାମାନେ ଆସିଥା’ନ୍ତି । ପ୍ରଥମେ ପ୍ରଥମେ ଭାରତବାସୀ ହିଁ ଆସୁଛନ୍ତି । ଭାରତରେ ପ୍ରଥମେ ଯେତେବେଳେ ଏହି ଲକ୍ଷ୍ମୀ-ନାରାୟଣଙ୍କର ରାଜ୍ୟ ଥିଲା, ସେତେବେଳେ ଅନ୍ୟ ସବୁ ଧର୍ମର ଆତ୍ମାମାନେ ନିରାକାରୀ ଦୁନିଆରେ ଥିଲେ । ଏହି ସମୟରେ ସମସ୍ତେ ସାକାରୀ ଦୁନିଆରେ ଅଛନ୍ତି । ଏବେ ବାବା ତୁମ ପିଲାମାନଙ୍କୁ ନିର୍ବିକାରୀ କରୁଛନ୍ତି, ନିର୍ବିକାରୀ ଦେବୀ-ଦେବତା କରିବା ପାଇଁ । ଯେତେବେଳେ ତୁମେମାନେ ଦେବୀ-ଦେବତା ହୋଇଯାଉଛ ସେତେବେଳେ ତୁମମାନଙ୍କ ପାଇଁ ନିଶ୍ଚିତ ନୂଆ ଦୁନିଆ ଦରକାର । ପୁରୁଣା ଦୁନିଆ ବିନାଶ ହେବା ଦରକାର । ଶାସ୍ତ୍ରରେ ମହାଭାରତ ଲଢେଇ ମଧ୍ୟ ଦେଖାଉଛନ୍ତି ଯେ ବାକି ୫ ପାଣ୍ଡବ ରହିଥିଲେ, ସେମାନେ ମଧ୍ୟ ପାହାଡ ଉପରୁ ପଡି ମରିଗଲେ । କେହି ବି ବଞ୍ଚିଲେ ନାହିଁ । ଆଚ୍ଛା ଏତେ ସବୁ ଆତ୍ମାମାନେ କୁଆଡେ ଗଲେ? ଆତ୍ମାର ତ ବିନାଶ ନାହିଁ । ତେବେ କହିବେ ନିରାକାରୀ, ନିର୍ବିକାରୀ ଦୁନିଆକୁ ଗଲେ । ବାବା ବିକାରୀ ଦୁନିଆରୁ ନିରାକାରୀ, ନିର୍ବିକାରୀ ଦୁନିଆକୁ ନେଇଯାଉଛନ୍ତି । ତୁମେମାନେ ଜାଣୁଛ ଯେ ବାବାଙ୍କଠାରୁ ତ ନିଶ୍ଚିତ ବର୍ସା ମିଳିବା ଦରକାର । ଏବେ ଦୁଃଖ ବଢି ଯାଇଛି । ବର୍ତ୍ତମାନ ସମୟରେ ଆମର ସୁଖ-ଶାନ୍ତି ଉଭୟ ଆବଶ୍ୟକ । ଭଗବାନଙ୍କୁ ସମସ୍ତେ ମାଗୁଛନ୍ତି - ହେ ଭଗବାନ ଆମକୁ ସୁଖ ଦିଅ, ଶାନ୍ତି ଦିଅ । ପ୍ରତ୍ୟେକ ମନୁଷ୍ୟ ଧନ ପାଇବା ପାଇଁ ହିଁ ପୁରୁଷାର୍ଥ କରିଥାନ୍ତି । ପଇସା ଅଛି ତ ସୁଖ ଅଛି । ତୁମମାନଙ୍କୁ ବେହଦର ବାବା ତ ବହୁତ ପଇସା ଦେଉଛନ୍ତି । ତୁମେମାନେ ସତ୍ୟଯୁଗରେ କେତେ ଧନବାନ୍ ଥିଲ, ହୀରା ନୀଳାର ମହଲ ଥିଲା । ତୁମେମାନେ ଜାଣିଛ ଯେ ଆମେ ବେହଦର ବାବାଙ୍କଠାରୁ ବେହଦ ସ୍ୱର୍ଗର ବର୍ସା ନେବାକୁ ଆସିଛୁ । ସାରା ଦୁନିଆ ତ ବର୍ସା ନେବାକୁ ଆସିବ ନାହିଁ ନା । ବାବା ଭାରତକୁ ହିଁ ଆସୁଛନ୍ତି । ଏହି ସମୟରେ ଭାରତବାସୀ ହିଁ ନର୍କବାସୀ ହୋଇଯାଇଛନ୍ତି, ପୁଣି ବାବା ସ୍ୱର୍ଗବାସୀ କରାଉଛନ୍ତି । ଭକ୍ତିରେ ଦୁଃଖ ଥିବା କାରଣରୁ ବାବାଙ୍କୁ ଜନ୍ମ-ଜନ୍ମାନ୍ତର ସ୍ମରଣ କରିଛନ୍ତି । ହେ ପରମପିତା ପରମାତ୍ମା, ହେ କଲ୍ୟାଣକାରୀ ଦୁଃଖହର୍ତ୍ତା, ସୁଖକର୍ତ୍ତା ବାବା, ତାଙ୍କୁ ସ୍ମରଣ କରୁଛନ୍ତି, ତେଣୁ ସିଏ ମଧ୍ୟ ନିଶ୍ଚିତ ଆସିଥିବେ । ସେମାନେ ଏପରି ମାଗଣାରେ ସ୍ମରଣ କରୁନାହାଁନ୍ତି । ଭାବୁଛନ୍ତି ଭଗବାନ ଆସି ଭକ୍ତମାନଙ୍କୁ ଫଳ ଦେବେ । ଫଳ ତ ସମସ୍ତଙ୍କୁ ଦେବେ ନା । ବାବା ତ ସମସ୍ତଙ୍କର ଅଟନ୍ତି ନା ।

ତୁମେମାନେ ଜାଣିଛ ଯେ ଆମେ ସୁଖଧାମକୁ ଯିବୁ । ବାକି ସମସ୍ତେ ଶାନ୍ତିଧାମକୁ ଯିବେ । ତୁମେମାନେ ସୁଖଧାମରେ ଥିବାବେଳେ ସାରା ସୃଷ୍ଟିରେ ସୁଖ-ଶାନ୍ତି ରହିଥାଏ । ପିତାଙ୍କର ତ ପିଲାମାନଙ୍କ ପ୍ରତି ସ୍ନେହ ରହିଥାଏ ନା । ଆଉ ପୁଣି ପିଲାମାନଙ୍କର ମଧ୍ୟ ମାତା-ପିତାଙ୍କ ପ୍ରତି ସ୍ନେହ ରହିଥାଏ । ଏହି ଗୀତ ବି ଗାଇଥାନ୍ତି ତୁମେ ମାତା-ପିତା.... ଶରୀରର ମାତା-ପିତା ରହିଥିଲେ ବି ଗାଇଥାନ୍ତି ତୁମେ ମାତା-ପିତା.... ତୁମର କୃପାରୁ ଅସରନ୍ତି ସୁଖ ମିଳୁଛି । ଲୌକିକ ମାତା-ପିତାଙ୍କ ପାଇଁ ତ ଏଭଳି ଗୀତ ଗାଇ ନ ଥାନ୍ତି । ଯଦିଓ ସେମାନେ ମଧ୍ୟ ପିଲାମାନଙ୍କୁ ସମ୍ଭାଳୁଛନ୍ତି, ପରିଶ୍ରମ କରୁଛନ୍ତି, ସମ୍ପତ୍ତି ଦେଉଛନ୍ତି । ବିବାହ କରାଉଛନ୍ତି । ତଥାପି ବି ଅସରନ୍ତି ସୁଖ ପାରଲୌକିକ ମାତା-ପିତା ହିଁ ଦେଇଥା’ନ୍ତି । ଏବେ ତୁମେମାନେ ଈଶ୍ୱରୀୟ ଧର୍ମର ସନ୍ତାନ ଅଟ । ସେମାନେ ସମସ୍ତେ ଆସୁରୀ ଧର୍ମର ସନ୍ତାନ ଅଟନ୍ତି । ସତ୍ୟଯୁଗରେ କେବେ କେହି ଧର୍ମର ସନ୍ତାନ କରିବେ ନାହିଁ । ସେଠାରେ ତ ସୁଖ ହିଁ ସୁଖ ରହିଛି । ଦୁଃଖର ଚିହ୍ନ-ବର୍ଣ୍ଣ ନାହିଁ । ବାବା କହୁଛନ୍ତି - ମୁଁ ଆସିଛି ୨୧ ପିଢି ପାଇଁ ତୁମମାନଙ୍କୁ ସ୍ୱର୍ଗର ଅସରନ୍ତି ସୁଖ ଦେବା ପାଇଁ ।

ଏବେ ତୁମେମାନେ ଜାଣୁଛ ଯେ ବେହଦର ବାବାଙ୍କଠାରୁ ଆମେ ସ୍ୱର୍ଗର ଅସରନ୍ତି ସୁଖ ପାଉଛୁ । ଏହି ଦୁଃଖର ସବୁ ବନ୍ଧନ ସମାପ୍ତ ହୋଇଯିବ । ସତ୍ୟଯୁଗରେ ସୁଖର ସମ୍ବନ୍ଧ ରହିବ । କଳିଯୁଗରେ ଅଛି ଦୁଃଖର ବନ୍ଧନ । ବାବା ଆମକୁ ସୁଖର ସମ୍ବନ୍ଧକୁ ନେଇଯାଉଛନ୍ତି । ସେଥିପାଇଁ ବାବାଙ୍କୁ ଦୁଃଖହର୍ତ୍ତା ସୁଖକର୍ତ୍ତା ବୋଲି କୁହାଯାଉଛି । ବାବା ଆସି ପିଲାମାନଙ୍କର ସେବା କରୁଛନ୍ତି । ବାବା କହୁଛନ୍ତି - ମୁଁ ତୁମମାନଙ୍କର ଆଜ୍ଞାକାରୀ ସେବାଧାରୀ ଅଟେ । ତୁମେମାନେ ମୋତେ ଅଧାକଳ୍ପ ମନେ ପକାଇ ଆସିଛ, ହେ ବାବା ଆସି ଆମକୁ ଅସରନ୍ତି ସୁଖ ଦିଅ । ଏବେ ମୁଁ ସୁଖ ଦେବାକୁ ଆସିଛି, ତେଣୁ ପୁଣି ତୁମକୁ ଶ୍ରୀମତରେ ଚାଲିବାକୁ ହେବ । ଏହି ମୃତ୍ୟୁଲୋକ ସମ୍ପୂର୍ଣ୍ଣ ବିନାଶ ହୋଇଯିବ । ଏବେ ଅରମଲୋକ ସ୍ଥାପନ ହେଉଛି । ଅମରପୁରୀକୁ ଯିବା ପାଇଁ ଅମରନାଥ ବାବାଙ୍କଠାରୁ ତୁମେମାନେ ଅମର କଥା ଶୁଣୁଛ । ସତ୍ୟଯୁଗରେ ତ କାହାର ମୃତ୍ୟୁ ହେବ ନାହିଁ । ମୁଖରେ ଏଭଳି କେବେ କହିବେ ନାହିଁ ଯେ ଅମୁକ ମରିଗଲା । ଆତ୍ମା କହୁଛି ଯେ ମୁଁ ଏହି ଜୀର୍ଣ୍ଣଶୀର୍ଣ୍ଣ ଶରୀରକୁ ଛାଡି ନୂଆ ଶରୀର ନେଉଛି । ଏହା ତ ବହୁତ ଭଲ ହେଲା ନା । ସେଠାରେ କୌଣସି ରୋଗ ଆଦି ହେବ ନାହିଁ । ମୃତ୍ୟୁଲୋକର ନାମ ହିଁ ରହିବ ନାହିଁ । ମୁଁ ଆସିଛି ତୁମମାନଙ୍କୁ ଅମରପୁରୀର ମାଲିକ କରିବା ପାଇଁ । ତୁମେମାନେ ଯେବେ ସେଠାରେ ରାଜତ୍ୱ କରିବ ତେବେ ମୃତ୍ୟୁଲୋକର କିଛି ବି କଥା ତୁମର ମନେ ପଡିବ ନାହିଁ । ତଳକୁ ଖସି-ଖସି ଆମେ କ’ଣ ହେବୁ, ଏକଥା ବି ମନେ ରହିବ ନାହିଁ । ନଚେତ୍ ସବୁ ସୁଖ ହିଁ ହଜିଯିବ । ଏଠାରେ ତ ତୁମମାନଙ୍କୁ ସାରା ଚକ୍ର ବୁଦ୍ଧିରେ ରଖିବାକୁ ହେବ । ବାସ୍ତବରେ ଏଠାରେ ସ୍ୱର୍ଗ ଥିଲା, ଏବେ ନର୍କ ହୋଇଯାଇଛି, ସେଥିପାଇଁ ତ ବାବାଙ୍କୁ ଡାକୁଛନ୍ତି । ତୁମେ ଆତ୍ମାମାନେ ଶାନ୍ତିଧାମର ନିବାସୀ ଅଟ । ଏଠାକୁ ଆସି ଅଭିନୟ କରୁଛ । ଏଠାରୁ ତୁମେ ସଂସ୍କାର ନେଇ ପୁଣି ନିଜ ଘରକୁ ଯିବ । ପୁଣି ସେଠାରୁ ଆସି ନୂଆ ଶରୀର ଧାରଣ କରି ରାଜତ୍ୱ କରିବ । ଏବେ ତୁମମାନଙ୍କୁ ନିରାକାରୀ, ଆକାରୀ ଏବଂ ସାକାରୀ ଦୁନିଆର ସମାଚାର ଶୁଣାଉଛି । ସତ୍ୟଯୁଗରେ ଏକଥା ଜାଣିପାରିବେ ନାହିଁ । ସେଠାରେ ତ କେବଳ ତୁମେ ରାଜତ୍ୱ କରିବ । ଏବେ ତୁମେ ଡ୍ରାମାକୁ ଜାଣୁଛ । ତୁମମାନଙ୍କର ଆତ୍ମା ଜାଣିଛି ଯେ ସତ୍ୟଯୁଗ ପାଇଁ ଆମେମାନେ ପୁରୁଷାର୍ଥ କରୁଛୁ । ଆମେ ସ୍ୱର୍ଗକୁ ଯିବା ପାଇଁ ଯୋଗ୍ୟ ନିଶ୍ଚିତ ହେବୁ । ନିଜର ଏବଂ ଅନ୍ୟମାନଙ୍କର ମଧ୍ୟ ଆମେ କଲ୍ୟାଣ କରିବୁ । ପୁଣି ସେମାନଙ୍କର ଆଶୀର୍ବାଦ ତୁମକୁ ମିଳିବ । ତୁମର ଯୋଜନା ଦେଖ କିଭଳି ଅଟେ । ବର୍ତ୍ତମାନ ସମୟରେ ସମସ୍ତଙ୍କର ନିଜ-ନିଜର ଯୋଜନା ରହିଛି । ବାବାଙ୍କର ବି ଯୋଜନା ରହିଛି । ଦୁନିଆରେ ଡ୍ୟାମ୍ ଆଦି ତିଆରି କରି ବିଜୁଳି ପାଇଁ କେତେ କୋଟି-କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ବାବା ବୁଝାଉଛନ୍ତି ଯେ ସେ ସବୁ ହେଉଛି ଆସୁରୀ ଯୋଜନା । ଆମର ହେଉଛି ଈଶ୍ୱରୀୟ ଯୋଜନା । ବର୍ତ୍ତମାନ କାହାର ଯୋଜନା ବିଜୟୀ ହେବ? ସେମାନେ ତ ପରସ୍ପର ସହିତ ଲଢେଇ କରିବେ । ସମସ୍ତଙ୍କର ଯୋଜନା ମାଟିରେ ମିଶିଯିବ । ସେମାନେ କୌଣସି ସ୍ୱର୍ଗର ସ୍ଥାପନା ତ କରୁନାହାଁନ୍ତି । ସେମାନେ ଯାହା କିଛି କରୁଛନ୍ତି ଦୁଃଖ ପାଇଁ । ବାବାଙ୍କର ତ ଯୋଜନା ଅଛି ସ୍ୱର୍ଗ ଗଢିବା ପାଇଁ । ନର୍କବାସୀ ମନୁଷ୍ୟମାନେ ନର୍କରେ ହିଁ ରହିବା ପାଇଁ ଯୋଜନା ପ୍ରସ୍ତୁତ କରୁଛନ୍ତି । ବାବାଙ୍କର ଯୋଜନା ସ୍ୱର୍ଗ ତିଆରି କରିବା ପାଇଁ ଚାଲିଛି । ତେବେ ତୁମେମାନେ କେତେ ଖୁସି ହେବା ଉଚିତ୍ । ତୁମେମାନେ ଗାୟନ ମଧ୍ୟ କରୁଛ ଯେ ତୁମରି କୃପାରୁ ଆମକୁ ଅସରନ୍ତି ସୁଖ ମିଳୁଛି । ତେବେ ତ ପୁରୁଷାର୍ଥ କରି ତାଙ୍କଠାରୁ ବର୍ସା ନେବା ଦରକାର ନା । ବାବା କହୁଛନ୍ତି ଯାହା ଇଚ୍ଛା ତାହା ନିଅ । ବିଶ୍ୱର ମାଲିକ ରାଜା-ରାଣୀ ହୁଅ, ଅଥବା ଦାସ-ଦାସୀ ହୁଅ । ଯେତେ ପୁରୁଷାର୍ଥ କରିପାରିବ, କର । ବାବା କେବଳ କହୁଛନ୍ତି ପ୍ରଥମତଃ ପବିତ୍ର ହୁଅ ଏବଂ ପ୍ରତ୍ୟେକଙ୍କୁ ବାବାଙ୍କର ପରିଚୟ ଦେଇଚାଲ । ଅଲଫକୁ (ବାବାଙ୍କୁ) ମନେ ପକାଅ ତେବେ ବାଦଶାହୀ ତୁମର । ବାବାଙ୍କୁ ମନେ ପକାଇବାରେ ହିଁ ମାୟା ବହୁତ ବିଘ୍ନ ପକାଇଥାଏ । ବୁଦ୍ଧିଯୋଗ ଏକାଗ୍ର ହେବାକୁ ଦେଇ ନ ଥାଏ । ବାବା କହୁଛନ୍ତି, ମୋତେ ଯେତେ ମନେ ପକାଇବ, ସେତେ ପାପ ମଧ୍ୟ ଭସ୍ମ ହେବ ଏବଂ ତୁମେମାନେ ଉଚ୍ଚ ପଦ ପାଇବ ମଧ୍ୟ । ସେଥିପାଇଁ ଭାରତର ପ୍ରାଚୀନ ଯୋଗ ପ୍ରସିଦ୍ଧ ଅଟେ । ବାବାଙ୍କୁ ମୁକ୍ତିଦାତା ମଧ୍ୟ କହୁଛନ୍ତି । ୨୧ ଜନ୍ମ ପାଇଁ ବାବା ତୁମମାନଙ୍କୁ ଦୁଃଖରୁ ମୁକ୍ତ କରୁଛନ୍ତି । ସତ୍ୟଯୁଗରେ ଭାରତବାସୀ ସୁଖଧାମରେ ରହିବେ, ବାକି ସମସ୍ତେ ଶାନ୍ତିଧାମରେ ଥିବେ । ନିରାକାରୀ ଦୁନିଆ ଏବଂ ସାକାରୀ ଦୁନିଆର ଯୋଜନା ଦେଖାଇଲେ, ସମସ୍ତେ ତୁରନ୍ତ ବୁଝିଯିବେ ଯେ ଅନ୍ୟ ଧର୍ମବାଲା ସ୍ୱର୍ଗକୁ ଆସିପାରିବେ ନାହିଁ । ସ୍ୱର୍ଗରେ ତ ଦେବୀ-ଦେବତାମାନେ ହିଁ ରହିବେ । ଏହି ଡ୍ରାମାର ଜ୍ଞାନ ବାବାଙ୍କ ବିନା ଆଉ କେହି ବୁଝାଇ ପାରିବେ ନାହିଁ । ପିଲାମାନେ ଆସୁଛନ୍ତି ହିଁ ବାବାଙ୍କଠାରୁ ବର୍ସା ନେବା ପାଇଁ । ସତ୍ୟଯୁଗରେ ତ ଅସରନ୍ତି ସୁଖ ରହିବ । ପରେ ରାବଣର ରାଜ୍ୟ ହେବ । ରାବଣ ରାଜ୍ୟରେ ଅସରନ୍ତି ଦୁଃଖ ରହିଥାଏ । ଏବେ ତୁମେମାନେ ବୁଝୁଛ ଯେ ବାବା ଆମକୁ ସଚ୍ଚା-ସଚ୍ଚା କଥା ଶୁଣାଇ ଅମରଲୋକକୁ ଯିବା ପାଇଁ ଯୋଗ୍ୟ କରୁଛନ୍ତି । ବର୍ତ୍ତମାନ ଏପରି କର୍ମ କରୁଛ ସେଥିପାଇଁ ତ ୨୧ ଜନ୍ମ ପାଇଁ ଧନବାନ୍ ହେଉଛ । କହିଥାନ୍ତି ମଧ୍ୟ, ଧନବାନ୍ ହୁଅ, ପୁତ୍ରବାନ୍ ହୁଅ... ସେଠାରେ ଗୋଟିଏ ପୁତ୍ର, ଗୋଟିଏ କନ୍ୟା ନିଶ୍ଚିତ ହେବ । ଆୟୁଷ୍ମାନ ହୁଅ, ଅର୍ଥାତ୍ ତୁମର ଆୟୁ ମଧ୍ୟ ୧୫୦ ବର୍ଷ ହେବ । ସେଠାରେ ଅକାଳମୃତ୍ୟୁ କେବେ ହେବ ନାହିଁ । ଏହି କଥା ବାବା ହିଁ ବୁଝାଉଛନ୍ତି । ତୁମେମାନେ ଅଧାକଳ୍ପ ମୋତେ ଡାକି ଆସିଛ । ସନ୍ନ୍ୟାସୀମାନେ କ’ଣ ଏପରି କହିପାରିବେ? ସେମାନେ କ’ଣ ଜାଣନ୍ତି! ବାବା କେତେ ସ୍ନେହର ସହିତ ବସି ବୁଝାଉଛନ୍ତି । ପିଲାମାନେ, ଏହି ଗୋଟିଏ ଜନ୍ମ ଯଦି ପବିତ୍ର ହେବ, ତେବେ ୨୧ ଜନ୍ମ ପାଇଁ ପବିତ୍ର ଦୁନିଆର ମାଲିକ ହୋଇଯିବ । ପବିତ୍ରତାରେ ହିଁ ତ ସୁଖ ରହିଛି ନା । ତୁମେମାନେ ପବିତ୍ର ଦୈବୀ ଧର୍ମାବଲମ୍ବୀ ଥିଲ । ଏବେ ଅପବିତ୍ର ହୋଇ ଦୁଃଖ ଭୋଗ କରୁଛ । ତୁମେମାନେ ସ୍ୱର୍ଗରେ ନିର୍ବିକାରୀ ଥିଲ, ଏବେ ବିକାରୀ ହେବା ଦ୍ୱାରା ନର୍କରେ ଦୁଃଖୀ ହୋଇଯାଇଛ । ବାବା ତ ପୁରୁଷାର୍ଥ କରାଇବେ ନା । ତେଣୁ ତୁମେମାନେ ସ୍ୱର୍ଗର ମହାରାଜା-ମହାରାଣୀ ହୁଅ । ତୁମର ବାବା ମମ୍ମା ମହାରାଜା-ମହାରାଣୀ ହେଉଛନ୍ତି ନା, ତେବେ ତୁମେମାନେ ବି ପୁରୁଷାର୍ଥ କର, ଏଥିରେ ଦ୍ୱନ୍ଦ୍ୱ ସୃଷ୍ଟି ହେବାର କୌଣସି କଥା ହିଁ ନାହିଁ । ବାବା ତ କାହାକୁ ପାଦ ତଳେ ପଡିବାକୁ ବି ଦେଉନାହାଁନ୍ତି ।

ବାବା ବୁଝାଉଛନ୍ତି ମୁଁ ତୁମମାନଙ୍କୁ ସୁନା ହୀରାର ମହଲ ଦେଇଥିଲି । ସ୍ୱର୍ଗର ମାଲିକ କରିଥିଲି । ପୁଣି ଅଧାକଳ୍ପ ତୁମେମାନେ ଭକ୍ତିମାର୍ଗରେ ମୁଣ୍ଡ ପିଟି-ପିଟି ଆସିଲ, ଧନ ମଧ୍ୟ ଖର୍ଚ୍ଚ କଲ । ସେହି ସୁନା ହୀରାର ମହଲ ସବୁ କୁଆଡେ ଗଲା? ତୁମେମାନେ ସ୍ୱର୍ଗରୁ ତଳକୁ ଓହ୍ଲାଇ-ଓହ୍ଲାଇ ନର୍କରେ ଆସି ପଡିଛ । ଏବେ ମୁଁ ତୁମମାନଙ୍କୁ ପୁନର୍ବାର ସ୍ୱର୍ଗକୁ ନେଇଯାଉଛି । ମୁଁ ତୁମକୁ କୌଣସି କଷ୍ଟ ଦେଉନାହିଁ । କେବଳ ମୋତେ ମନେ ପକାଅ ଏବଂ ପବିତ୍ର ହୁଅ । ଭଲେ ଗୋଟିଏ ଟଙ୍କା ବି ନ ଦିଅ । ଖାଅ, ପିଅ, ପାଠପଢ, ସତେଜ ହୋଇ ଫେରିଯାଅ । ବାବା ତ କେବଳ ପାଠ ପଢାଉଛନ୍ତି । ପାଠ ପଢାଇବା ପାଇଁ କିଛି ପଇସା ନେଉନାହାଁନ୍ତି । କହୁଛନ୍ତି ବାବା ଆମେ ଦେବୁ ନିଶ୍ଚିତ, ନଚେତ୍ ସେଠାରେ ମହଲ ଆଦି କିପରି ମିଳିବ । ଭକ୍ତିମାର୍ଗରେ ମଧ୍ୟ ତୁମେମାନେ ଇଶ୍ୱରଙ୍କ ଅର୍ଥେ ଗରୀବଙ୍କୁ ଦାନ ଦେଉଥିଲ, ଏହାର ଫଳ ବି ଈଶ୍ୱର ହିଁ ଦେବେ । ଗରୀବ କ’ଣ ଫଳ ଦେଇପାରିବେ । କିନ୍ତୁ ତାହା ଗୋଟିଏ ଜନ୍ମ ପାଇଁ ମିଳିଥାଏ । ବର୍ତ୍ତମାନ ତ ବାବା ଆପଣ ସ୍ୱୟଂ ଆସିଛନ୍ତି । ଆମେ ଆପଣଙ୍କୁ ଅଳ୍ପ କିଛି ପଇସା ଦେଉଛୁ, ଆପଣ ଆମକୁ ୨୧ ଜନ୍ମ ପାଇଁ ସ୍ୱର୍ଗରେ ଦେବେ । ବାବା ସମସ୍ତଙ୍କୁ ସାହୁକାର କରିଦେଉଛନ୍ତି । ତୁମେମାନେ ପଇସା ଦେଉଛ, ତେଣୁ ତୁମେମାନେ ହିଁ ରହିବା ପାଇଁ ଘର ଆଦି ତିଆରି କରୁଛି । ନଚେତ୍ ଏସବୁ କିପରି ତିଆରି ହେବ । ପିଲାମାନେ ହିଁ ଏହି ଘର ଆଦି ତିଆରି କରୁଛନ୍ତି ନା । ଶିବବାବା କହୁଛନ୍ତି ମୋର ତ ଏଠାରେ ରହିବାର ନାହିଁ । ଶିବବାବା ତ ନିରାକାର ଦାତା ଅଟନ୍ତି ନା । ତୁମେମାନେ ଦେଉଛ ସେଥିପାଇଁ ତୁମମାନଙ୍କୁ ୨୧ ଜନ୍ମ ପାଇଁ ଫଳ ଦେଉଛି । ମୁଁ ତ ତୁମମାନଙ୍କର ସ୍ୱର୍ଗକୁ ଯିବି ହିଁ ନାହିଁ । ତୁମମାନଙ୍କୁ ନର୍କରୁ ଉଦ୍ଧାର କରିବା ପାଇଁ ମୋତେ ନର୍କକୁ ଆସିବାକୁ ପଡୁଛି । ତୁମର ଗୁରୁମାନେ ତ ଆହୁରି ହିଁ ପଙ୍କରେ ଫସାଇ ଦେଉଛନ୍ତି । ସେମାନେ କୌଣସି ସଦ୍‌ଗତି ଦେଉନାହାଁନ୍ତି । ବର୍ତ୍ତମାନ ବାବା ଆସିଛନ୍ତି ପବିତ୍ର ଦୁନିଆକୁ ନେଇଯିବା ପାଇଁ, ତେଣୁ ଏପରି ବାବାଙ୍କୁ କାହିଁକି ମନେ ପକାଉ ନାହଁ । ବାବା କହୁଛନ୍ତି - କିଛି ବି ପଇସା ନ ଦିଅ, କେବଳ ମୋତେ ମନେ ପକାଅ, ତେବେ ପାପ ନାଶ ହୋଇଯିବ ଏବଂ ତୁମେମାନେ ମୋ ପାଖକୁ ଆସିଯିବ । ଏହି ଘର ଆଦି ତୁମେ ସନ୍ତାନମାନେ ନିଜ ପାଇଁ ହିଁ ତିଆରି କରିଛ । ଏଠାରେ ଚାଉଳ ମୁଠାଏର ଗାୟନ ରହିଛି ନା । ଗରୀବମାନେ ନିଜର କ୍ଷମତା ଅନୁସାରେ ଯେତିକି ଦେଇଥାନ୍ତି ସେତିକି ତାଙ୍କୁ ମିଳିଥାଏ । ସାହୁକାରଙ୍କୁ ଯେତିକି ପଦ ମିଳିଥାଏ, ସେତିକି ଗରୀବଙ୍କୁ ମଧ୍ୟ ମିଳିଥାଏ । ଉଭୟଙ୍କର ସମାନ ହୋଇଯାଏ । ଗରୀବ ପାଖରେ ୧୦୦ ଟଙ୍କା ଅଛି ସେଥିରୁ ୧ ଟଙ୍କା ଦେଉଛନ୍ତି, ସାହୁକାରମାନଙ୍କ ପାଖରେ ତ ବହୁତ ଅଛି, ତେବେ ସେମାନେ ୧୦୦ ଟଙ୍କା ଦେଉଛନ୍ତି, ଉଭୟଙ୍କୁ ସମାନ ଫଳ ମିଳିବ, ସେଥିପାଇଁ ବାବାଙ୍କୁ ଦୀନବନ୍ଧୁ କୁହାଯାଉଛି । ସବୁଠାରୁ ଗରୀବ ହେଲା ଭାରତ । ଭାରତକୁ ହିଁ ମୁଁ ଆସି ସାହୁକାର କରାଉଛି । ଗରୀବମାନଙ୍କୁ ହିଁ ଦାନ ଦିଆଯାଇଥାଏ ନା । କେତେ ସ୍ପଷ୍ଟ କରି ବାବା ବୁଝାଉଛନ୍ତି । ପିଲାମାନେ, ଏବେ ମୃତ୍ୟୁ ସମ୍ମୁଖରେ ଉପସ୍ଥିତ, ତେଣୁ ଜଲ୍‌ଦି-ଜଲ୍‌ଦି କର । ଯୋଗର ତୀବ୍ରତାକୁ ବଢାଅ । ସବୁଠାରୁ ପ୍ରିୟ ବାବାଙ୍କୁ ଯେତେ ମନେ ପକାଇବ, ସେତେ ଅଧିକ ବର୍ସା ମିଳିବ । ତୁମେମାନେ ବହୁତ ଧନବାନ୍ ହୋଇଯିବ । ବାବା ତୁମମାନଙ୍କୁ ଏଭଳି କହୁନାହାଁନ୍ତି ଯେ ମୁଣ୍ଡିଆ ମାର । ମେଳା ମହୋତ୍ସବକୁ ଯାଅ । ନାଁ । ଘରେ ବସି ବାବା ଏବଂ ବର୍ସାକୁ ମନେ ପକାଅ । ବାସ୍ । ବାବା ହେଉଛନ୍ତି ବିନ୍ଦୁ । ତାଙ୍କୁ ପରମପିତା ପରମାତ୍ମା କୁହାଯାଉଛି । ପରମ ଆତ୍ମା, ସବୁଠାରୁ ଉଚ୍ଚରୁ ଉଚ୍ଚ ଅଟନ୍ତି । ବାବା କହୁଛନ୍ତି ମୁଁ ବି ବିନ୍ଦୁ, ତୁମେମାନେ ବି ବିନ୍ଦୁ ଅଟ । କେବଳ ଭକ୍ତିମାର୍ଗ ପାଇଁ ମୋର ରୂପ ବଡ କରି ତିଆରି କରିଛନ୍ତି । ନଚେତ୍ ବିନ୍ଦୁର ପୂଜା କିପରି କରିବେ । ତାଙ୍କୁ ଶିବବାବା ବି କହୁଛନ୍ତି । କିଏ କହୁଛନ୍ତି? ଏବେ ତୁମେମାନେ କହୁଛ ଯେ ଶିବବାବା ଆମକୁ ବର୍ସା ଦେଉଛନ୍ତି । ଆଶ୍ଚର୍ଯ୍ୟ ଅଟେ ନା । ୮୪ ଜନ୍ମର ଚକ୍ର ଘୂରି ଚାଲିଛି । ଅନେକ ଥର ତୁମେମାନେ ବର୍ସା ନେଇଛ ଏବଂ ନେଇ ହିଁ ଚାଲିବ । କେତେ ଭଲ ଭାବରେ ବାବା ବସି ବୁଝାଉଛନ୍ତି । ଆଚ୍ଛା—

ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହଭରା ସ୍ମୃତି ଏବଂ ସୁପ୍ରଭାତ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।

ଧାରଣା ପାଇଁ ମୁଖ୍ୟ ସାର :—
(୧) ମୃତ୍ୟୁ ସମ୍ମୁଖରେ ଉପସ୍ଥିତ ସେଥିପାଇଁ ଏବେ ୟାଦର ବେଗକୁ ବଢାଇବାର ଅଛି । ସତ୍ୟଯୁଗୀ ଦୁନିଆରେ ଉଚ୍ଚ ପଦ ପାଇବାର ପୁରା-ପୁରା ପୁରୁଷାର୍ଥ କରିବାର ଅଛି ।

(୨) ନିଜର ଏବଂ ଅନ୍ୟମାନଙ୍କର କଲ୍ୟାଣ କରି ଆଶୀର୍ବାଦ ନେବାର ଅଛି । ପବିତ୍ର ଦୁନିଆକୁ ଯିବା ପାଇଁ ପବିତ୍ର ନିଶ୍ଚୟ ହେବାର ଅଛି ।

ବରଦାନ:-
କନେକ୍‌ଶନ୍ ଅର୍ଥାତ୍ ସମ୍ପର୍କ ଏବଂ ରିଲେଶନ୍ ଅର୍ଥାତ୍ ସମ୍ବନ୍ଧ ଦ୍ୱାରା ସଂକଳ୍ପ ଶକ୍ତିର ପ୍ରତ୍ୟକ୍ଷ ପ୍ରମାଣ ଦେଖୁଥିବା ସୂକ୍ଷ୍ମ ସେବାଧାରୀ ଭବ ।

ଯେପରି ବାଣୀର ଶକ୍ତି ବା କର୍ମର ଶକ୍ତିର ପ୍ରତ୍ୟକ୍ଷ ପ୍ରମାଣ ଦେଖାଯାଇଥାଏ, ସେହିପରି ସବୁଠାରୁ ଶକ୍ତିଶାଳୀ ଶାନ୍ତିର କିରଣର ପ୍ରତ୍ୟକ୍ଷ ପ୍ରମାଣ ଦେଖିବା ପାଇଁ ବାପଦାଦାଙ୍କ ସହିତ ନିରନ୍ତର ସ୍ପଷ୍ଟ ରୂପରେ ସମ୍ପର୍କ ଏବଂ ସମ୍ବନ୍ଧ ରହିବା ଦରକାର, ଏହାକୁ ହିଁ ଯୋଗବଳ କୁହାଯାଏ । ଏହିପରି ଯୋଗବଳ ସମ୍ପନ୍ନ ଆତ୍ମାମାନେ ସ୍ଥୂଳ ରୂପରେ ଦୂରରେ ରହୁଥିବା ଆତ୍ମାକୁ ସମ୍ମୁଖର ଅନୁଭବ କରାଇପାରିବେ । ଆତ୍ମାମାନଙ୍କୁ ଆବାହନ କରି ସେମାନଙ୍କୁ ପରିବର୍ତ୍ତନ କରିପାରିବେ । ଏହା ହିଁ ହେଉଛି ସୂକ୍ଷ୍ମ ସେବା, ଏଥିପାଇଁ ଏକାଗ୍ରତାର ଶକ୍ତିକୁ ବଢାଅ ।

ସ୍ଲୋଗାନ:-
ନିଜର ସର୍ବ ସମ୍ପତ୍ତିକୁ ସଫଳ କରୁଥିବା ଆତ୍ମା ହିଁ ମହାଦାନୀ ଅଟେ ।

ଅବ୍ୟକ୍ତ ଈଶାରା:- ପରୋପକାରର ଭାବନାରେ ସମ୍ପନ୍ନ ହୋଇ ଅପକାରୀର ମଧ୍ୟ ଉପକାର କର ।

ଯଦି କେହି ଦେହଧାରୀ ଦୃଷ୍ଟିରେ ତୁମ ସମ୍ମୁଖକୁ ଆସିଯାଏ ତେବେ ତୁମେ ଗୋଟିଏ ସେକେଣ୍ଡ ଭିତରେ ତା’ର ଦୃଷ୍ଟିକୁ ଆତ୍ମିକ ଦୃଷ୍ଟିରେ ପରିବର୍ତ୍ତିତ କରିଦିଅ । କେହି ଯଦି ତୁମକୁ ତଳକୁ ତଳକୁ ଖସାଇବାର ମନୋବୃତ୍ତି ରଖି ବା ନିଜର ସଂଗଦୋଷରେ ଆଣିବାର ଦୃଷ୍ଟିରେ ତୁମ ସମ୍ମୁଖକୁ ଆସେ, ତେବେ ତୁମେ ତାକୁ ସର୍ବଦା ଶ୍ରେଷ୍ଠ ସଂଗ ଆଧାରରେ, ସଂଗଦୋଷରୁ ବାହାର କରି ଶ୍ରେଷ୍ଠ ସଂଗର ରଂଗ ଲଗାଇବାବାଲା କରିଦିଅ । ଏହିଭଳି ପରିବର୍ତ୍ତନ କରିବାର ବିଧିକୁ ଜାଣି ଗଲେ କେବେ ବି ବିଘ୍ନଠାରୁ ପରାଜିତ ହେବ ନାହିଁ । ତୁମମାନଙ୍କର ସମ୍ପର୍କରେ ଆସୁଥିବା ଆତ୍ମାମାନେ ତୁମର ଏହି ସୂକ୍ଷ୍ମ ଏବଂ ଶ୍ରେଷ୍ଠ ସେବା ଉପରେ ନିଜକୁ ସମର୍ପଣ କରି ଦେବେ ।