25.10.26    Avyakt Bapdada     Odia Murli    19.02.2012     Om Shanti     Madhuban


“ଘରର ଗେଟ୍ ଖୋଲିବା ପାଇଁ ବେହଦର ବୈରାଗ୍ୟ ବୃତ୍ତି ଦ୍ୱାରା ଦେହ-ଅଭିମାନର ମୁଁ ପୁଣିଆକୁ ତ୍ୟାଗ କର, ଜନ୍ମଦିନ ଅବସରରେ ଦୃଢତା ଦ୍ୱାରା କହିବା ଏବଂ କରିବାକୁ ସମାନ କରି ସଫଳତା ମୂରତ ହୁଅ ।”


ଆଜି ବାପଦାଦା ଚାରିଆଡର ପିଲାମାନଙ୍କୁ ଦେଖି ହର୍ଷିତ ହେଉଛନ୍ତି । ଚାରିଆଡୁ ସମସ୍ତଙ୍କର ଦିଲ୍ ଭିତରୁ ବାଃ ବାବା ବାଃ ର ଶବ୍ଦ ଶୁଣାଯାଉଛି ଏବଂ ବାବାଙ୍କର ଦିଲ୍‌ରୁ ବାଃ ପିଲାମାନେ ବାଃ ର ଶବ୍ଦ ବାହାରୁଛି । ଆଜି ସମସ୍ତେ ବଡ ଉମଙ୍ଗ-ଉତ୍ସାହର ସହିତ ଦିବ୍ୟଜନ୍ମର ଖୁସି ପାଳନ କରୁଛନ୍ତି । ଆଜି ପିଲାମାନେ ମଧ୍ୟ ଖୁସି ପାଳନ କରୁଛନ୍ତି ଏବଂ ବାବା ମଧ୍ୟ ପିଲାମାନଙ୍କ ପାଇଁ ଖୁସି ପାଳନ କରୁଛନ୍ତି । ଆଜିର ଦିନଟି ଏକ ବିଚିତ୍ର ଜୟନ୍ତୀର ଦିନ ଯାହାକି ପିତାଙ୍କ ସହିତ ସନ୍ତାନମାନଙ୍କର ମଧ୍ୟ ଦିବ୍ୟ ଜନ୍ମ ଦିବସ ଅଟେ । ତେଣୁ ତୁମେ ସମସ୍ତେ ଅଭିନନ୍ଦନ ଦେଉଛ ମଧ୍ୟ ଏବଂ ନେଉଛ ମଧ୍ୟ କାହିଁକିନା ବାବା କେବଳ ଯଜ୍ଞ ରଚନା କରିବା ପାଇଁ ହିଁ ଜନ୍ମ ନେଇଛନ୍ତି । ତେଣୁ ଯଜ୍ଞକୁ ଚଳାଇବା ପାଇଁ ବ୍ରାହ୍ମଣ ପିଲାମାନେ ହିଁ ଆବଶ୍ୟକ । ତେବେ ଏହା ଏକମାତ୍ର ଏଭଳି ଜୟନ୍ତୀ ଅଟେ, ଯାହାକି ପିତା ଏବଂ ସନ୍ତାନମାନଙ୍କର ଜନ୍ମ ଜୟନ୍ତୀ ଏକାଠି ପାଳନ କରାଯାଉଛି ସେଥିପାଇଁ ଏହି ଶିବଜୟନ୍ତୀକୁ ହୀରାତୁଲ୍ୟ ଜୟନ୍ତୀ କୁହାଯାଉଛି । ତେବେ ବାବା ଦେଖୁଛନ୍ତି ଯେ ପ୍ରତ୍ୟେକ ସନ୍ତାନ କେବେ ସ୍ନେହର ସହିତ ଅଭିନନ୍ଦନ ଦେବା ପାଇଁ ଆସିଛନ୍ତି ଏବଂ ବାବା ମଧ୍ୟ ସନ୍ତାନମାନଙ୍କୁ ଅଭିନନ୍ଦନ ଦେବା ପାଇଁ ଆସିଛନ୍ତି । ତେଣୁ ଏହି ଜୟନ୍ତୀ ଅତି ସ୍ନେହ ଭରା ଜୟନ୍ତୀ ଅଟେ । ସ୍ନେହୀ ପିଲାମାନେ, ସ୍ନେହୀ ପିତା ଏବଂ ସ୍ନେହୀ ଜୟନ୍ତୀ ।

ବାପଦାଦାଙ୍କ ପାଖରେ ଦେଶ ବିଦେଶ ଚାରିଆଡର ସବୁ ପିଲାଙ୍କର ସ୍ନେହ ପହଞ୍ଚୁଛି । ବାବା ପ୍ରତ୍ୟେକ ସ୍ନେହୀ ପିଲାମାନଙ୍କୁ ପଦ୍ମଗୁଣା ସ୍ନେହଭରା ଅଭିନନ୍ଦନ ଦେଉଛନ୍ତି । ଏହି ସ୍ନେହ ପ୍ରତ୍ୟେକ ସନ୍ତାନକୁ ସହଜରେ କର୍ମଯୋଗୀ କରିଦେବ । ଏହି ସ୍ନେହ ସ୍ଥିତିକୁ ସର୍ବଦା ସହଜ ତଥା ଶକ୍ତିଶାଳୀ କରିଦେବ । ଏହା ଏକୁଟିଆ ବାପଦାଦାଙ୍କର ଜନ୍ମଦିନ ନୁହେଁ କାହିଁକିନା ବାବା ସଦାକାଳ ପିଲାମାନଙ୍କ ସାଥୀରେ ହିଁ ରହିବେ । ସାଥୀରେ ରହିବେ, ସାଥୀ ହୋଇଯିବେ ଏବଂ ସାଥୀ ହୋଇ ରାଜ୍ୟ କରିବେ । ତୁମେ ସମସ୍ତେ ଏହି ପ୍ରତିଶ୍ରୁତି ଦେଇଛ ନା! ସାଥୀରେ ରହିବୁ, ସାଥୀରେ ଉଡିବୁ ଏବଂ ଏକାଠି ସାଥୀ ହୋଇ ରାଜ୍ୟ କରିବୁ ।

ବାପଦାଦାଙ୍କୁ ଆଜି ତୁମମାନଙ୍କର ଭକ୍ତମାନେ ମଧ୍ୟ ବିଶେଷ ଭାବରେ ମନେ ପଡୁଛନ୍ତି, କାହିଁକିନା ତୁମର ଭକ୍ତମାନେ ତୁମେମାନେ ଯାହା ସବୁ କରିଛ ସେଗୁଡିକୁ ବହୁତ ଭଲ ଭାବରେ କପି କରିଛନ୍ତି । କାହିଁକିନା ଦ୍ୱାପର ଯୁଗରେ ପ୍ରଥମେ ପ୍ରଥମେ ପରମଧାମରୁ ଆସିଥିବା କାରଣରୁ ପ୍ରଥମ ଜନ୍ମଟି ସର୍ବଦା ସତ୍ତ୍ୱପ୍ରଧାନ ହୋଇଥାଏ, ସେଥିପାଇଁ ସେମାନେ ବହୁତ ଭଲ ଭାବରେ କପି କରିଛନ୍ତି । ତେବେ ଆଜିର ଦିନରେ ତୁମମାନଙ୍କ ସହିତ ତୁମର ଭକ୍ତମାନେ ମଧ୍ୟ ମନେ ପଡୁଛନ୍ତି । ସୂକ୍ଷ୍ମବତନରେ ତ ଆଜି ଅମୃତବେଳାଠାରୁ ପିଲାମାନଙ୍କର ବହୁତ ଭଲ ଶୋଭା ଦେଖାଯାଉଥିଲା । ସବୁ ପିଲା ଭାବୁଥିଲେ ଯେ ମୁଁ ବାପଦାଦାଙ୍କୁ ନିଜର ଅଭିନନ୍ଦନ ଜଣାଇବି ଏବଂ ବାପଦାଦା ମଧ୍ୟ ପ୍ରତ୍ୟେକ ସନ୍ତାନର ଅଭିନନ୍ଦନକୁ ଅତି ସ୍ନେହର ସହିତ ସ୍ୱୀକାର କରିଛନ୍ତି । ତେଣୁ ବତନରେ ଆଜି ପିଲାମାନଙ୍କର ମେଳା ଲାଗିଥିଲା । ଗୋଟିଏ ପଟେ ତୁମେ ପିଲାମାନେ ଥିଲ ଅନ୍ୟ ପଟେ ଆଡଭାନ୍ସ ପାର୍ଟୀରେ ଯାଇଥିବା ତୁମର ସାଥୀମାନେ ମଧ୍ୟ ଆସିଥିଲେ । ବାପଦାଦା ଦେଖିଲେ ଯେ ତୁମର ଦାଦୀମାନେ ଏବଂ ଅନନ୍ୟ ଭାଇମାନଙ୍କର ତାଲିକା ବହୁତ ଲମ୍ବା ଥିଲା । ସବୁ ଦାଦୀମାନେ ମଧ୍ୟ ବାପଦାଦଙ୍କୁ ଅଭିନନ୍ଦନ ଦେଉଥିଲେ କିନ୍ତୁ ତା’ ସହିତ ତୁମ ଭଳି ଭାଗ୍ୟବାନ ପିଲାମାନଙ୍କୁ ମଧ୍ୟ ଅଭିନନ୍ଦନ ଦେଉଥିଲେ । ତେଣୁ ସୂକ୍ଷ୍ମବତନରେ ଆଜି ଅଭିନନ୍ଦନର ମେଳା ଲାଗିଥିଲା । ଆଡଭାନ୍ସ ପାର୍ଟୀର ସମସ୍ତ ବିଶେଷ ଦାଦୀମାନେ ଏବଂ ଭାଇମାନେ ତୁମ ଭଳି ବିଶେଷ ନିମିତ୍ତ ତଥା ସାଥୀରେ ରହୁଥିବା ଆତ୍ମାମାନଙ୍କୁ ମନେ ପକାଇବା ସହିତ ବହୁତ ଦିଲ୍‌ର ସହିତ ଅଭିନନ୍ଦନ ଦେଉଥିଲେ । ତେଣୁ ତୁମ ସମସ୍ତଙ୍କୁ ମଧ୍ୟ ବାପଦାଦା ସମସ୍ତଙ୍କ ତରଫରୁ ଅଭିନନ୍ଦନ ଦେଉଛନ୍ତି । କ’ଣ ସ୍ୱୀକାର କରିଲ ତ?

ସମସ୍ତଙ୍କର ବିଶେଷ କରି ଭଉଣୀ ଏବଂ ଭାଇମାନଙ୍କର ଗୋଟିଏ ହିଁ ପ୍ରଶ୍ନ ଥିଲା ଯେ ଏବେ ଘରର ଗେଟ୍ କେବେ ଖୋଲିବ? ତେଣୁ ବିଶେଷ କରି ଦିଦି ଏବଂ ଦାଦୀ କହୁଥିଲେ ଯେ ଆମର ସଖୀମାନଙ୍କୁ, ଭାଇମାନଙ୍କୁ ଆମ ତରଫରୁ ଏହି କଥା କହିବ ଯେ ଘରକୁ ଯିବା ପାଇଁ କେଉଁ ତାରିଖ ନିଧାର୍ଯ୍ୟ କରିଛନ୍ତି? ସମସ୍ତେ ତ ଏକାଠ ଯିବ ନା! ଅଲଗା ଅଲଗା ହୋଇ ତ ଯିବ ନାହିଁ ନା? ତେବେ ଘରର ଫାଟକ ଖୋଲିବା ପାଇଁ ସମସ୍ତେ ଏକାଠି ହାଜିର ହୋଇଯିବେ, ସେଥିପାଇଁ ସେମାନେ ତାରିଖ ମାଗୁଥିଲେ । ବାପଦାଦା ଏଥିରେ ମୁରୁକୀ ହସୁଥିଲେ କାହିଁକିନା ବାବା ମଧ୍ୟ ଚାହୁଁଛନ୍ତି ଯେ ଏବେ ସେହି ଫାଟକକୁ ଖୋଲିବା ପାଇଁ ସବୁ ପିଲାଙ୍କ ଭିତରେ ବେହଦର ବୈରାଗ୍ୟ ବୃତ୍ତି ଆବଶ୍ୟକ, ଏହା ହିଁ ହେଉଛି ଗେଟ୍ ଖୋଲିବାର ଚାବୀକାଠି । ବାପଦାଦା ତ ସବୁବେଳେ କହିଚାଲିଛନ୍ତି ଯେ ବେହଦର ବୈରାଗୀ ହୋଇ ବ୍ୟର୍ଥ ସଂକଳ୍ପ ଏବଂ ବ୍ୟର୍ଥ ସମୟ ଦୁଇଟି ଯାକକୁ ସମସ୍ତେ ମିଶି ଶୀଘ୍ରରୁ ଶୀଘ୍ର ତ୍ୟାଗ କର ଅର୍ଥାତ୍ ବେହଦର ବୈରାଗୀ ହୁଅ, କାହିଁକିନା ବାପଦାଦା ଦେଖୁଛନ୍ତି ଯେ ସବୁଠାରୁ ବଡ ବିଘ୍ନ ହେଲା ଦେହ-ଅଭିମାନ । ଏହି ଦେହ-ଅଭିମାନକୁ ତ୍ୟାଗ କରିବା, ଚାଲିବା ବୁଲିବା ବେଳେ ଦେହୀ-ଅଭିମାନୀ ହେବା ହିଁ ବେହଦର ବୈରାଗ୍ୟ ଅଟେ ।

ତେବେ ସମସ୍ତେ ତ କହୁଛ ମେରା ବାବା, ମିଠା ବାବା, ପ୍ୟାରା ବାବା । ଯଦି ଦିଲ୍‌ର ସହିତ କହୁଛ ମେରା ଅର୍ଥାତ୍ ମୋରା ବାବା ତେବେ ଏହି ଦେହ-ଅଭିମାନ ଯାହାକି ମୁଁ ପଣିଆ ରୂପରେ ଆସୁଛି, ତେଣୁ ବାବା ସବୁବେଳେ କହୁଛନ୍ତି ଯେ ତୁମ ଭିତରେ ଯେଉଁ ମୁଁ ପଣିଆର ଅଭିମାନ ଆସିଯାଉଛି, ମୁଁ ଯାହା କରୁଛି, ମୁଁ ଯାହା କହୁଛି, ତାହା ହିଁ ଠିକ୍ ଅଟେ । ସେହି ଗୋଟିଏ ମୁଁ ଯାହାକୁ ଦୁଇ ପ୍ରକାରରେ ବ୍ୟବହାର କରୁଛ । ଗୋଟିଏ ହେଲା ମୁଁ ଆତ୍ମା ଅଟେ, ଏହା ମୋ’ର ଶରୀର ଅଟେ, ଦ୍ୱିତୀୟରେ ହେଲା ସୂକ୍ଷ୍ମ ମୁଁ ପଣିଆ, ଯେପରି ଶୁଣାଇଲୁ ଯେ ମୁଁ ଏହା କରିଛି, ମୁଁ ଏହା କରିପାରିବି, ମୁଁ ହିଁ ଠିକ୍ ଅଟେ.... । ଏହି ସୂକ୍ଷ୍ମପଣିଆକୁ ସମାପ୍ତ କରିବାକୁ ହେବ । ଏହି ଦେହ-ଅଭିମାନ ମଧ୍ୟ ଏହି ରୂପରେ ହିଁ ଆସିଥାଏ । ତେବେ ଆଜିର ଦିନରେ ଏହି ସୂକ୍ଷ୍ମ ମୁଁ ପଣିଆକୁ ଯାହାକି କେବେ କେବେ ବାବାଙ୍କର ବିଶେଷତାକୁ ମଧ୍ୟ ମୋ’ର ବୋଲି ଭାବି ମୁଁ ପଣିଆରେ ଆସି ଯାଉଛ, ତାକୁ ସମାପ୍ତ କରିଦିଅ । ଦେଖ ଏହି କଥାର ଯେଉଁ ସ୍ମାରକୀ ତିଆରି କରିଛନ୍ତି, ସେଥିରେ ମଧ୍ୟ ଯେତେବେଳେ ବଳୀ ଚଢାଉଛନ୍ତି ସେଥିରେ ନିଜେ ବଳୀ ପଡୁ ନାହାଁନ୍ତି କିନ୍ତୁ କାହାକୁ ବଳୀ ଚଢାଉଛନ୍ତି? ବୋଦାକୁ । ତେବେ ବୋଦାକୁ କାହିଁକି ବାଛିଲେ? କାହିଁକି ନା ବୋଦା ସବୁବେଳେ ମେଁ ମେଁ ହିଁ କରିଥାଏ । ଭକ୍ତମାନେ ତ ଏହାର ବହୁତ ଭଲ କପି କରି ଦେଇଛନ୍ତି, ତେଣୁ ଆଜି ଦିନରେ ଏହି ଦେହଅଭିମାନର ମୁଁ କୁ କେଉଁ ପୁରୁଷାର୍ଥ କରି ସମାପ୍ତ କରିପାରିବ? ପିତାଙ୍କର ଜନ୍ମ ଦିନ ପାଳନ କରିବା ପାଇଁ ଆସିଛ, ତେବେ କିଛି ତ ଉପହାର ଦେବେ ନା! ତେବେ ବାବାଙ୍କୁ ଅନ୍ୟ କୌଣସି ଉପହାର ଦରକାର ନାହିଁ, ଏହି ସୂକ୍ଷ୍ମ ମୁଁ ପଣିଆକୁ ଆଜିର ଦିନରେ ବାବାଙ୍କୁ ଉପହାର ରୂପରେ ଦେଇ ଦିଅ । କ’ଣ ଦେଇ ପାରିବ? ଦେବ ତ? ଅଛି ସାହସ? ସାହସ ଅଛି? ହାତ ଉଠାଅ । ହାତ ଉଠାଇ ଖୁସି ତ କରିଦେଲ । ଯଦି ହାତ ଉଠାଉଛ ତେବେ ଉପହାର ଦେଇ ଦେଲ ନା! ତେବେ ଦେଇଥିବା ଉପହାରକୁ କେହି ଫେରସ୍ତ ନିଅନ୍ତି କି? କେହି କେହି ପିଲା କହୁଛନ୍ତି ବାବା ଆମେ ତ ଚାହୁଁ ନାହୁଁ କିନ୍ତୁ ଆସିଯାଉଛି । ଏହାର କାରଣ କ’ଣ? ଯଦି କାରଣ ପଚରାଯାଉଛି ତେବେ ବହୁତ ଭଲ ଉତ୍ତର ଦେଇ ଦେଉଛନ୍ତି । କହୁଛନ୍ତି ଆମେ ଜାଣିଛୁ ବି, ମାନୁଛୁ ବି କିନ୍ତୁ କ’ଣ କରିବୁ ପୁଣି ଆସିଯାଉଛି । ଚିନ୍ତା କର! ଦେଇ ସାରିଥିବା ଜିନିଷ ଯଦି ତୁମ ପାଖକୁ ଆସିଯାଏ, ତେବେ କ’ଣ ତା’କୁ ନିଜ ପାଖରେ ରଖିଦେବ କି? ସେହିପରି ଯଦି ତୁମେ ଯଦି ଦିଲ୍‌ର ସହିତ ଦେଇ ଦେଇଛ କିନ୍ତୁ ପୁଣି ଫେରି ଆସୁଛି ତେବେ କ’ଣ ନିଜ ପାଖରେ ରଖିଦେବ? ତେବେ କାରଣ କ’ଣ? ତେବେ ବାବାଙ୍କ ସହିତ ତ ସ୍ନେହ ଅଛି ନା, ଏହି ସମାଚାର ମଧ୍ୟ ବାବାଙ୍କ ପାଖକୁ ଆସୁଛି, କିନ୍ତୁ ହେଉଛି କ’ଣ? ଦୃଢତାରେ କମି ରହୁଛି । ତେଣୁ ସ୍ନେହ ଥିବା କାରଣରୁ ବାବା ଯାହା କହୁଛନ୍ତି ତାହା କରିବାକୁ ଚାହୁଁଛ, ତେଣୁ ଦୃଢତାକୁ କାମରେ ଲଗାଅ । ସଂକଳ୍ପ ତ କରୁଛ କିନ୍ତୁ ଗୋଟିଏ ହେଲା ସଂକଳ୍ପ କରିବା, ଆଉ ଗୋଟିଏ ହେଲା ଦୃଢ ସଂକଳ୍ପ କରିବା । ତେବେ ବାରମ୍ବାର କରିଥିବା ସଂକଳ୍ପରେ ଦୃଢତା ଆଣିବା, ଏହା ଉପରେ ଧ୍ୟାନ କମ୍ ଦେଉଛ । ଦୃଢତା ହିଁ ସଫଳତାର ଚାବିକାଠି । ତେଣୁ ଆଜି କ’ଣ କରିବ? ସଂକଳ୍ପ କରିବ ନା ଦୃଢ ସଂକଳ୍ପ କରିବ? ଯଦି ତୁମର ସଂକଳ୍ପ ଦୃଢ ହୋଇଥିବ ତେବେ ତା’ର ଲକ୍ଷଣ ହେଲା ଦୃଢତା ସଫଳତାର ଚାବିକାଠି । ତେଣୁ ଚାବି ଲଗାଇବାରେ କିଛି କମି ରହିଯାଉଛି ସେଥିପାଇଁ ସମ୍ପୂର୍ଣ୍ଣ ସଫଳତା ମିଳୁ ନାହିଁ । ତେବେ ଆଜି ବାପଦାଦାଙ୍କ ସହିତ ପିଲାମାନଙ୍କର ମଧ୍ୟ ଜନ୍ମ ଦିବସ ଅଟେ । ତେଣୁ ଏହା ତ ଏକ ବିଶେଷ ଦିନ ଅଟେ ନା! ସାରା କଳ୍ପ ଭିତରେ ପିତାଙ୍କ ସହିତ ପିଲାମାନଙ୍କର ଏକା ସମୟରେ ଜନ୍ମ ହେବା ଏହା ହିଁ ଏହି ଜନ୍ମ ଦିନର ବିଶେଷତା ଅଟେ । ତେଣୁ ଆଜିର ଦିନରେ ବାବା ଏହି କଥା ଚାହୁଁଛନ୍ତି ଯେ ପ୍ରତ୍ୟେକ ସନ୍ତାନ ଆଜି ନିଜର ଦିଲ୍ ଭିତରେ ଦୃଢତାକୁ ଧାରଣ କରି ଏହି ଦୃଢ ସଂକଳ୍ପ କରନ୍ତୁ ଯେ ମୋତେ ନିଜର ସମୟ ଏବଂ ସଂକଳ୍ପକୁ ବ୍ୟର୍ଥରେ ନଷ୍ଟ କରିବାର ନାହିଁ କାହିଁକିନା ଯଦି ସାରା ଦିନକୁ ଧ୍ୟାନ ପୂର୍ବକ ଚେକ୍ କରିବ, ତେବେ ଦେଖିବ ମଝିରେ ମଝିରେ ସମୟ ଏବଂ ସଂକଳ୍ପ ବ୍ୟର୍ଥରେ ନଷ୍ଟ ହେଉଛି । ବାପଦାଦା ତ ସମସ୍ତଙ୍କର ଫଳାଫଳକୁ ଦେଖୁଛନ୍ତି ନା! ତାକୁ ରକ୍ଷା କରିବା ଅର୍ଥ ସମାପ୍ତିର ସମୟକୁ ପାଖେଇ ଆଣିବା । କ’ଣ ପ୍ରସ୍ତୁତ ଅଛ ତ? ନା ଏବେ ବି କହିବ ଆସିଯାଉଛି ତ, କ’ଣ କରିବୁ? ବ୍ୟର୍ଥର କାମ ହେଲା ଆସିବା, ତୁମର କାମ କ’ଣ ତାକୁ ପାଖରେ ବସାଇବା? ଯେହେତୁ ବସାଇ ଦେଉଛ ସେଥିପାଇଁ ସେ ବି ମଧ୍ୟ ଘର କରି ଦେଲାଣି । ସେ ବି ମଧ୍ୟ ଜାଣିଗଲାଣି ଏହାଙ୍କ ଭିତରେ ଦୃଢତା ନାହିଁ । ସେଥିପାଇଁ ଆଜି ଭଳି ସ୍ନେହର ଦିବସରେ ସମସ୍ତଙ୍କର ଦିଲ୍ ଭିତରେ ଏବେ କ’ଣ ଅଛି? ଅମୃତବେଳାଠାରୁ ନେଇ ଆଜି ଦିଲ୍ ଭିତରେ ବାରମ୍ବାର କ’ଣ ସଂକଳ୍ପ ଆସୁଛି? ମେରା ବାବା, ମେରା ବାବା, ମେରା ବାବା । ବାବାଙ୍କ ଦିଲ୍‌ରେ ମଧ୍ୟ ମେରେ ବଚ୍ଚେ, ମେରେ ବଚ୍ଚେ, ମେରେ ବଚ୍ଚେ.... । ତେଣୁ ଯେପରି ଅଧିକାଂଶ ପିଲା ବାବାଙ୍କର ସ୍ମୃତିରେ ହିଁ ରହିଛନ୍ତି, ଆଜି ଦିନର ପ୍ରଭାବ ରହିଛି, ଏହି କଥା ବାପଦାଦା ଦେଖିପାରୁଛନ୍ତି । ତେବେ ସ୍ନେହର ଦିନ ହୋଇଥିବା କାରଣରୁ ବାରମ୍ବାର ସମସ୍ତଙ୍କୁ ମେରା ବାବା, ମେରା ବାବା ବହୁତ ସମୟ ମନେ ରହୁଛି । କ’ଣ ଠିକ୍ କଥା ନା! ଏଥିରେ ହାତ ଉଠାଅ । କେବଳ ଆଜି ଦିନର କଥା କୁହାଯାଉଛି । ମେରା ବାବା ଶବ୍ଦ ମନେ ପଡୁଥିଲା ନା! ଆଉ କିଛି ମନେ ପଡୁଥିଲା କି? ନା! ଏମିତି ଏମିତି ହାତ କରୁଛନ୍ତି, ବହୁତ ଭଲ । ତେଣୁ ବାରମ୍ବାର ଯଦି ଏହିଭଳି ଚେକ୍ କରିବ, ତେବେ ସଂଗମଯୁଗର ପ୍ରତ୍ୟେକ ଦିନ ବାବାଙ୍କର ସ୍ନେହର ଦିନ ଅଟେ । ଯେପରି ଆଜି ବିଶେଷ ଦିନ ହୋଇଥିବା କାରଣରୁ ଅଧିକ ସମୟ ମନେ ପଡୁଥିଲା ନା! ସେହିପରି ସବୁ ଦିନ ଅମୃତବେଳାରେ ଏହି କଥା ସ୍ମୃତିରେ ଆଣ ଯେ, ଏହି ସଂଗମଯୁଗର ପ୍ରତ୍ୟେକ ଦିନ କେତେ ମହାନ ଅଟେ । ଗୋଟିଏ ଛୋଟିଆ ଜନ୍ମରେ ୨୧ ଜନ୍ମର ପ୍ରାପ୍ତିର ଗ୍ୟାରେଣ୍ଟି ମିଳୁଛି । ତେଣୁ ଗୋଟିଏ ଗୋଟିଏ ଦିନର ମହତ୍ୱ କେତେ ହେଲା? କେଉଁଠି ୨୧ ଜନ୍ମ, କେଉଁଠି ଏହି ଗୋଟିଏ ଛୋଟିଆ ଜନ୍ମ ।

ତେଣୁ ବାପଦାଦା ଆଜି ତୁମମାନଙ୍କଠାରୁ ଜନ୍ମଦିନର ଏହି ଉପହାର ନେବା ପାଇଁ ଚାହୁଁଛନ୍ତି । କ’ଣ ଦେବ ତ ଉପହାର? ଦେବ ତ? ହାତ ଉଠାଅ । ଦୃଢ ନିଶ୍ଚୟର ହାତ । ଦେଖିବି, କରିବି ନୁହେଁ । କରିବାକୁ ହିଁ ପଡିବ । ଯାହା ବି ହୋଇଯାଉ ତ୍ୟାଗ ମାନେ ତ୍ୟାଗ । ଏହା ତ୍ୟାଗ ନୁହେଁ ବରଂ ଭାଗ୍ୟ ଅଟେ । ତେଣୁ ଆଜିର ଦିନରେ ଯଦି ସଚ୍ଚା ହୃଦୟରେ ହାତ ଉଠାଇଲ ତେବେ ମହତ୍ୱପୂର୍ଣ୍ଣ ଦିନ ଅଟେ ନା! ଏବେ ଠାରୁ ତୁମମାନଙ୍କର ଚେହେରାରେ ବ୍ୟର୍ଥର ସମାପ୍ତି ଏବଂ ସର୍ବଦା ସ୍ମୃତି ସ୍ୱରୂପର ଝଲକ ଚେହେରା ଏବଂ ଚାଲିଚଳନରେ ଦେଖାଯିବା ଦରକାର । ମାୟାର ଯେଉଁ ସବୁ ଶବ୍ଦ ଅଛି ନା, କାହିଁକି କ’ଣ, କିପରି, କେବେ.... ଏଗୁଡିକ ସମାପ୍ତ ହୋଇଯାଉ, ତେବେ ଯାଇ ତୁମର ଚେହେରା ଏବଂ ଚାଲିଚଳନ ସେବା କରିବ । ଏବେ ଅଧିକ ପ୍ରଭାବ ଭାଷଣର ରହିଛି । ବାପଦାଦା ମଧ୍ୟ ଖୁସି ଅଛନ୍ତି ପିଲାମାନେ ବହୁତ ଭଲ ଭାଷଣ କରୁଛନ୍ତି କିନ୍ତୁ ଦିନକୁ ଦିନ ଯେପରି ଏହିଭଳି ଭାଷଣ ଦ୍ୱାରା, ବାଣୀ ଦ୍ୱାରା ସେବାର ଉମଙ୍ଗ-ଉତ୍ସାହ ବହୁତ ଭଲ ରଖିଥିବା କାରଣରୁ ସଫଳତା ମଧ୍ୟ ପ୍ରାପ୍ତ କରିଛ ସେହିପରି ଏବେ ସମୟ ଅନୁସାରେ ଅଧିକ ସେବା ତୁମର ଚେହେରା ଏବଂ ଚାଲିଚଳନ ଦ୍ୱାରା ହେବ । ଯେପରି ଭାଷଣ କରିବାର ଅଭ୍ୟାସ କରି କରି ସେଥିରେ ପାରଙ୍ଗମ ହୋଇଯାଇଛ ନା, ସେହିପରି ଏବେ ନିଜର ଚେହେରା ଏବଂ ଚାଲିଚଳନ ଦ୍ୱାରା କାହାକୁ ଖୁସିର ବରଦାନ ଦିଅ, କାହାକୁ ଶକ୍ତିର, କାହାକୁ ଶାନ୍ତିର ବରଦାନ ଦିଅ । ଏହାର ଅଭ୍ୟାସ କର, କାହିଁକିନା ଆଗକୁ ସମୟ ବହୁତ କମ୍ ମିଳିବ, ସେଥିପାଇଁ ସମୟ ଏବଂ ସଂକଳ୍ପର ମହତ୍ୱକୁ ଆଣି ଆଗକୁ ବଢିଚାଲ । ସବୁ କିଛି ଅଚାନକ ହିଁ ହେବ, ସେଥିପାଇଁ ଜନ୍ମ ଦିନ ତ ମନେ ରହୁଛି ନା! ଜନ୍ମ ଦିନ ଆସୁଛି । ଆସୁଛି କେତେ ଥର ମନେ ପଡିଛି? ବାପଦାଦା ଆସିବେ, ଆସିବେ, ମୋତେ ମିଳନ କରିବାର ଅଛି, ମିଳନ କରିବାର ଅଛି, ଏକଥା କେବେଠାରୁ ମନେ ପଡୁଥିଲା? ସେହିପରି ଏବେ ଏହି ସଂକଳ୍ପ କର ଯେ ଦୃଢତାର ସହିତ ବ୍ୟର୍ଥ ସଂକଳ୍ପକୁ ଏବଂ ସମୟକୁ ସମାପ୍ତ କରିବାକୁ ହିଁ ହେବ । ମେରା ବାବା, ମେରା ବାବା ଦିଲ୍ ଭିତରେ ସମାହିତ କରି, ମୁଖରେ କହିବା ଅଲଗା ଜିନିଷ କିନ୍ତୁ ଦିଲ୍ ଭିତରେ ସମାହିତ କରି ନେବା, କାହିଁକିନା ଦିଲ୍‌ର କଥା କେବେ ବି ଭୁଲି ହୁଏ ନାହିଁ । ମୁଖର କଥା ଭୁଲି ହୋଇ ଯାଇପାରେ, ଦିଲ୍‌ର କଥା ଖରାପ ହେଉ କି ଭଲ ହେଉ, ଦୁଇଟିଯାକ କେବେ ବି ଭୁଲି ହୁଏ ନାହିଁ । ତେବେ ଆଜି ବାପଦାଦାଙ୍କୁ ଉପହାର ତ ଦେଇଦେଲ ନା! ଦୁଇ-ଦୁଇଟା ହାତ ଉଠାଅ । ଆରେ ବାଃ, ଫଟୋ ଉଠଅ । ବାପଦାଦା କେବଳ ହାତକୁ ଦେଖୁନାହାଁନ୍ତି, ତୁମମାନଙ୍କର ଦିଲ୍‌କୁ ଦେଖୁଛନ୍ତି ।

ତେବେ ଆଜି ଦିନର ଉପହାର ନିଜକୁ ମଧ୍ୟ ଦେଲ ଏବଂ ବାବାଙ୍କୁ ମଧ୍ୟ । ଯଦି ତୁମମାନଙ୍କର ବ୍ୟର୍ଥ ସମୟ ଏବଂ ସଂକଳ୍ପ ନଷ୍ଟ ନ ହେଲା, ତେବେ ତୁମର ଦିନ ଗୁଡିକ କିପରି ବିତିବ? ସବୁ ଦିନ ପାଇଁ ଖୁସିବାସିଆ ଏବଂ ସୌଭାଗ୍ୟଶାଳୀ ହୋଇଯିବ । ତେଣୁ ଏବେଠାରୁ ଅମୃତବେଳାରେ ବାପଦାଦାଙ୍କ ସହିତ ମିଳନ କରିସାରିବା ପରେ ଏହି ସଂକଳ୍ପକୁ ପ୍ରତିଦିନ ସ୍ମୃତିରେ ଆଣିବ ଏବଂ ସାରା ଦିନ ମଝିରେ ମଝିରେ ଚେକ୍ କରିବ । ବାପଦାଦା କୌଣସି ସମୟ ନିଧାର୍ଯ୍ୟ କରୁନାହାଁନ୍ତି କିନ୍ତୁ ତୁମେମାନେ ନିନେ ନିଜର ସମୟ ନିଧାର୍ଯ୍ୟ କର ଏବଂ ମଝିରେ ମଝିରେ ଚେକ୍ କର ଯେ ମୁଁ ବାପଦାଦାଙ୍କ ଆଗରେ ଜନ୍ମ ଦିନରେ ଯେଉଁ ପ୍ରତିଜ୍ଞା କରିଛି ତାକୁ ପାଳନ କରୁଛି ତ । ଏହି ନିଜେ ନିଜକୁ ଚେକ୍ କରିବ । କରିବା ପାଇଁ ଚାହୁଁଛ ତ ସମସ୍ତେ । ତେଣୁ ବାପଦାଦା ଆଜି ସମସ୍ତଙ୍କର ଚେହେରାକୁ ଦେଖୁଛନ୍ତି ଯେ ସମସ୍ତେ ଚାହୁଁଛନ୍ତି, ହଁ କରିବୁ, ନିଶ୍ଚିତ କରିବୁ, କିନ୍ତୁ ଯେତେବେଳେ ବ୍ୟର୍ଥ ଆସିଯାଉଛି, ସେତେବେଳେ ବାବାଙ୍କ ଆଗରେ କରିଥିବା ପ୍ରତିଜ୍ଞାକୁ ମଧ୍ୟ ଭୁଲାଇ ଦେଉଛି । ତେଣୁ ବ୍ୟର୍ଥକୁ ସମାପ୍ତ କର । ଏବେ ହିଁ ଗୋଟିଏ ମିନିଟ୍ ପାଇଁ ଶକ୍ତିଶାଳୀ ଆତ୍ମା ହୋଇ ସଂକଳ୍ପ କର ଯେ ମୋତେ ବ୍ୟର୍ଥକୁ ସମାପ୍ତ କରିବାକୁ ହିଁ ହେବ । (ବାପଦାଦା ଡ୍ରିଲ୍ କରାଇଲେ) ଆଚ୍ଛା!

ବାପଦାଦା ଗୋଟିଏ ବି ସନ୍ତାନକୁ ନିଜ ସମାନ ନ କରି ରହିବା ପାଇଁ ଚାହୁଁନାହାଁନ୍ତି । ସ୍ନେହ ଅଛି ନା! ଦେଖ ସ୍ନେହର ଚିହ୍ନ ହିଁ ଆଜିର ଦିନ ଅଟେ । ପିତା ଏବଂ ସନ୍ତାନମାନଙ୍କର ସାରା କଳ୍ପ ଭିତରେ ଏଭଳି ଦିନ ନାହିଁ ଯାହାକି ପିତା ଏବଂ ପୁତ୍ରର ଜନ୍ମ ଗୋଟିଏ ଦିନରେ ହୋଇଥିବ । ବାବାଙ୍କର ପ୍ରତ୍ୟେକ ସନ୍ତାନ ସହିତ ଦିଲ୍‌ର ସ୍ନେହ ରହିଛି, ମୋ’ର ସନ୍ତାନ, ପରମାତ୍ମାଙ୍କର ସନ୍ତାନ, ତେଣୁ ଯେଉଁ ସଂକଳ୍ପ କରିବ ତାହା ସଫଳ ହେଉଥିବ । ପ୍ରତ୍ୟେକ ସଂକଳ୍ପ ଭିତରେ ଶକ୍ତି ରହୁଥିବ, କହିବା ଏବଂ କରିବା ସମାନ ହେଉଥିବ । କହିଲ ଅର୍ଥାତ୍ ହେଲା । ପ୍ରତ୍ୟେକ ସଂକଳ୍ପ ଶୁଦ୍ଧ ହେଉ । ତାହା ହେଲେ ବ୍ୟର୍ଥ ସଂକଳ୍ପ ସ୍ୱତଃ ହିଁ ସମାପ୍ତ ହୋଇଯିବ କାହିଁକିନା ଆଡଭାନ୍ସ ପାର୍ଟୀବାଲା ତାରିଖ ଚାହୁଁଛନ୍ତି । ତେଣୁ ତୁମମାନଙ୍କର ଯିଏ ସବୁ ବଡ ବଡ ଦାଦୀମାନେ ଅଛନ୍ତି, ବଡ ବଡ ଭାଇମାନେ ଅଛନ୍ତି, ସେମାନଙ୍କ ପ୍ରତି ସ୍ନେହ ତ ଅଛି ନା । ସେମାନଙ୍କୁ କେତେ ମନେ ପକାଉଛ, ଦାଦୀଙ୍କୁ, ଦୀଦୀଙ୍କୁ, ଚନ୍ଦ୍ରମଣୀଙ୍କୁ ସମସ୍ତଙ୍କର ନାମ କହିଚାଲ, ସମସ୍ତଙ୍କୁ ମନେ ପକାଉଛ ନା । ତେଣୁ ସେମାନେ ଯାହା ଚାହୁଁଛନ୍ତି ତାହା କରି ଦେଖାଅ । ତେବେ ଆଜିର ସଂକଳ୍ପ କ’ଣ ହେଲା? କହିବା ଏବଂ କରିବା ଏକା ହେଉ । ଠିକ୍ ତ! ତେଣୁ ଆଜି ଚାରିଆଡର ପିଲାମାନଙ୍କୁ ବାପଦାଦା ଏହି ଉପହାର ଦେଉଛନ୍ତି ଯେ “କହିବା ଏବଂ କରିବାକୁ ଏକ କର” । ଆଜି ଦିନରେ ବାପଦାଦା ସମସ୍ତଙ୍କୁ ଦୃଢତା ରୂପକ ଉପହାର ଦେଉଛନ୍ତି । ତେଣୁ ଶୁଭକାର୍ଯ୍ୟକୁ ଦୃଢତାର ସହିତ ସଫଳ କର ।

ବାକି ଯେଉଁମାନେ ବି ଆଜି ପ୍ରଥମ ଥର ପାଇଁ ଆସିଛ, ସେମାନେ ଉଠ । ହାତ ହଲାଅ । ବାପଦାଦା ପ୍ରଥମ ଥର ଆସିଥିବା ପିଲାମାନଙ୍କୁ ବହୁତ ବହୁତ ଅଭିନନ୍ଦନ ଦେଉଛନ୍ତି, କାହିଁକିନା ଆସି ଯାଇଛ ଏବଂ ମେରା ବାବା ବୋଲି ଜାଣିଯାଇଛ । ବାପଦାଦାଙ୍କୁ ଖୁସି ଲାଗୁଛି ଯେ ଆଗାମୀ ହଲଚଲର ସମୟ ପୂର୍ବରୁ ବାବାଙ୍କ ପାଖରେ ପହଞ୍ଚିଯାଇଛ, ସେଥିପାଇଁ ମଧ୍ୟ ଅଭିନନ୍ଦନ । ଏବେ ଏଠାକୁ ଆସିଥିବା ପ୍ରତ୍ୟେକ ସନ୍ତାନ ଏହି ଦୃଢ ସଂକଳ୍ପ କର, ସାଧାରଣ ସଂକଳ୍ପ ନୁହେଁ, ଦୃଢ ସଂକଳ୍ପ କର ଯେ ମୋତେ ତୀବ୍ର-ପୁରୁଷାର୍ଥୀ ହେବାକୁ ହିଁ ପଡିବ । ତୀବ୍ର, ସାଧାରଣ ନୁହେଁ, ଯାହା ଦ୍ୱାରା ଆସିବାକୁ ଯାଉଥିବା ନିଜର ରାଜ୍ୟରେ ଆସିଯିବ, ସେଥିପାଇଁ ସାଧାରଣ ସଂକଳ୍ପ କରିବାର ସମୟ ଶେଷ ହୋଇଯାଇଛି । ଏବେ ତୀବ୍ର ପୁରୁଷାର୍ଥର ସମୟ । ଏବେ ଚାନ୍ସ ଅର୍ଥାତ୍ ସୁଯୋଗ ଅଛି, ପୁଣି ବି ଚାନ୍ସ ନେଉଥିବା ଚାନ୍ସଲର ଅର୍ଥାତ୍ କୁଳପତି ତ ହୋଇଯାଇଛ ନା । ତେଣୁ ବାପଦାଦା ପ୍ରତ୍ୟେକ ସନ୍ତାନକୁ ଦେଖି ଖୁସି ହେଉଛନ୍ତି ଏବଂ ସମସ୍ତଙ୍କୁ କହୁଛନ୍ତି ଯଦି ତୀବ୍ର ପୁରୁଷାର୍ଥ କରିବ ତେବେ ସାଥୀରେ ଯିବ, ସାଥୀରେ ରହିବ । ସେଥିପାଇଁ ଅଭିନନ୍ଦନ, ଅଭିନନ୍ଦନ, ଅଭିନନ୍ଦନ ।

ବାପଦାଦା ଦିଲ୍‌ର ସହିତ ଚାହୁଁଛନ୍ତି ଯେ ଗୋଟିଏ ପିଲା ବି ପଛରେ ରହି ନ ଯାଉ, ସାଥୀରେ ଯାଉ । ପଛେ-ପଛେ ଆସିବାବାଲା ଭଲ ଲାଗନ୍ତି ନାହିଁ । ସାଥୀ ହୋଇ ରହିଥାଅ, ହାତ ଧରିଥାଅ, ଘରକୁ ଯିବାର ଅଛି ନା । ଘର ବାହୁଡା ଯାତ୍ରା କରିବ ନା! ସେଥିପାଇଁ ବ୍ରହ୍ମାବାବା ଯେପରି ଫରିସ୍ତା ଅଟନ୍ତି, ସେହିପରି ନିଜର ପିତାଙ୍କୁ ଅନୁକରଣ କର । ସାକାର ଶରୀରରେ ରହି ଫରିସ୍ତା ହୁଅ, ଯାହାକୁ ବି ଦେଖ ଫରିସ୍ତା ହିଁ ଫରିସ୍ତା । ତେବେ ଯାଇ ଗେଟ୍ ଖୋଲିବ । ଆଚ୍ଛା! ସବୁ ପିଲାଙ୍କୁ ସଦା ସୌଭାଗ୍ୟଶାଳୀ, ସଦା ଖୁସିବାସିଆ ସ୍ୱରୂପର ସ୍ନେହ ସମ୍ପନ୍ନ ଶୁଭେଚ୍ଛା!

ବରଦାନ:-
ନିଜର ଏକାଗ୍ର ସ୍ୱରୂପ ଦ୍ୱାରା ସୂକ୍ଷ୍ମ ଶକ୍ତିର ଲୀଳା ଗୁଡିକର ଅନୁଭବ କରୁଥିବା ଅନ୍ତର୍ମୁଖୀ ଭବ ।

ଏକାଗ୍ରତାର ଆଧାର ଅନ୍ତର୍ମୁଖତା ଅଟେ । ଯେଉଁମାନେ ଅନ୍ତର୍ମୁଖୀ ଅଟନ୍ତି, ସେମାନେ ଭିତରେ ଭିତରେ ସୂକ୍ଷ୍ମ ଶକ୍ତିଗୁଡିକର ଲୀଳାକୁ ଅନୁଭବ କରିଥାଆନ୍ତି । ଆତ୍ମାମାନଙ୍କୁ ସୂକ୍ଷ୍ମରେ ଆବାହାନ କରିବା, ସେମାନଙ୍କ ସହିତ ବାର୍ତ୍ତାଳାପ କରିବା, ସେମାନଙ୍କର ସ୍ୱଭାବ ସଂସ୍କରକୁ ପରିବର୍ତ୍ତନ କରିବା, ବାବାଙ୍କ ସହିତ ସଂଯୋଗ ସ୍ଥାପନ କରାଇବା - ଏହିଭଳି ଆତ୍ମାମାନଙ୍କର ଦୁନିଆରେ ଆତ୍ମିକ ସେବା କରିବା ପାଇଁ ଏକାଗ୍ରତାର ଶକ୍ତିକୁ ବଢାଅ, ଏହାଦ୍ୱାରା ସବୁ ପ୍ରକାରର ବିଘ୍ନ ସ୍ୱତଃ ହିଁ ସମାପ୍ତ ହୋଇଯିବ ।

ସ୍ଲୋଗାନ:-
ସର୍ବ ପ୍ରାପ୍ତିଗୁଡିକୁ ନିଜ ଭିତରେ ଧାରଣ କରି ବିଶ୍ୱ ରୂପକ ମଞ୍ଚ ଉପରେ ପ୍ରତ୍ୟକ୍ଷ ହେବା ହିଁ ପ୍ରତ୍ୟକ୍ଷତାର ଆଧାର ଅଟେ ।

ଅବ୍ୟକ୍ତ ଈଶାରା:- ପରୋପକାରର ଭାବନାରେ ସମ୍ପନ୍ନ ହୋଇ ଅପକାରୀର ମଧ୍ୟ ଉପକାର କର । ଯଦି କେହି ପ୍ରତିଦିନ ତୁମର ନିନ୍ଦା କରୁଥିବ ବା ସର୍ବଦା ଅକଲ୍ୟାଣ କରୁଥିବ, ତେବେ ତୁମେ ତା’ଠାରୁ ଦୂରେଇ ରହିବା ପରିବର୍ତ୍ତେ ତା’ର ମଧ୍ୟ କଲ୍ୟାଣ କରିଚାଲ, ଏହା ହିଁ ତୁମଭଳି ଜ୍ଞାନୀ ଆତ୍ମାମାନଙ୍କର କର୍ତ୍ତବ୍ୟ ଅଟେ । ଯେପରି ବାବାଙ୍କର ମହିମାରେ ବିଶେଷ କରି ଦୟାର ସାଗର ବୋଲି ଗାୟନ ରହିଛି, ଚାହେଁ ଦେଶ ଭିତରେ ହେଉ ବା ଦେଶ ବାହାରେ ହେଉ ପରମାତ୍ମାଙ୍କ ସମ୍ମୁଖକୁ ଗଲେ ଦୟାଳୁ, କୃପାଳୁ ବୋଲି କହିଥାଆନ୍ତି । ସେହିପରି ତୁମେମାନେ ମଧ୍ୟ ମାଷ୍ଟର ଦୟାଳୁ ଅଟ, ତେଣୁ ଦୟାଳୁ ହୋଇ ସମସ୍ତଙ୍କର ଉପକାର କର ।