26.04.26 Avyakt Bapdada Odia Murli 31.12.2009 Om Shanti Madhuban
“ନୂତନ ବର୍ଷରେ ସର୍ବ
ଆତ୍ମାଙ୍କୁ ସନ୍ଦେଶ ଦେଇ ସୁବର୍ଣ୍ଣ ଦୁନିଆର ଉପହାର ଦିଅ, ବାବାଙ୍କ ସମାନ ହେବା ପାଇଁ ଦେହୀ
ଅଭିମାନୀ ସ୍ଥିତିରେ ରହିବାର ଅଭ୍ୟାସକୁ ସ୍ୱାଭାବିକ କର”
ଆଜି ବାପଦାଦା ପ୍ରତ୍ୟେକ
ସନ୍ତାନକୁ ସ୍ନେହ ଏବଂ ବାପଦାଦାଙ୍କର ଲଭ୍ରେ ଲଭଲୀନ ସ୍ୱରୂପରେ ଦେଖୁଛନ୍ତି । ପ୍ରତ୍ୟେକ ସନ୍ତାନ
ପରମାତ୍ମ ସ୍ନେହରେ ଚମକୁଛନ୍ତି । ସବୁ ପିଲା ସ୍ନେହ ରୂପୀ ବିମାନରେ ଆସି ପହଞ୍ଚିଯାଇଛନ୍ତି ।
ଏମିତି ତ ସମସ୍ତେ ନୂତନବର୍ଷ ପାଳନ କରିବା ପାଇଁ ଆସିଛନ୍ତି କିନ୍ତୁ ସମସ୍ତଙ୍କର ନୟନରେ କ’ଣ
ଦେଖାଯାଉଛି? ନୂତନ ବର୍ଷ, ନୂତନ ବର୍ଷ ତ ନିମିତ୍ତ ମାତ୍ର ଅଟେ କିନ୍ତୁ ତୁମ ସମସ୍ତଙ୍କର ନୟନରେ
କେଉଁ ଉମଙ୍ଗ ଦେଖାଯାଉଛି? ପରସ୍ପରକୁ ତିନୋଟି ଅଭିନନ୍ଦନ ଦେଉଛ ନା! ଗୋଟିଏ ହେଲା ନିଜର ନୂଆ
ଜୀବନର ଅଭିନନ୍ଦନ ଏବଂ ଦ୍ୱିତୀୟରେ ନୂଆ ଯୁଗର ଅଭିନନ୍ଦନ ଏବଂ ତୃତୀୟରେ ପରିବାର ସହିତ ଏବଂ
ବାବାଙ୍କ ସହିତ ମିଳନ କରିବାର ଅଭିନନ୍ଦନ । ଏବେ ତୁମମାନଙ୍କର ନୟନରେ କେଉଁ ଦୃଶ୍ୟ ଘୁରି ବୁଲୁଛି?
ନିଜର ନବଯୁଗର ଦୃଶ୍ୟ ସାମନାକୁ ଆସିଯାଉଛି ନା! ମନ ଭିତରେ ଉମଙ୍ଗ ଆସିଯାଉଛି ଯେ ନୂଆ ଯୁଗ ଆସିଲା
କି ଆସିଲା । ନୂତନ ଯୁଗର ଚିକିମିକିଆ ପୋଷାକ ତୁମ ସମ୍ମୁଖରେ ଏତେ ସ୍ପଷ୍ଟ ରୂପରେ ଦେଖାଯାଉଛି
ଯାହାକି ଆଜି ସଂଗମଯୁଗରେ ଅଛୁ କିନ୍ତୁ ଅତି ଶୀଘ୍ର ଏହିଭଳି ଚିକିମିକିଆ ପୋଷାକ ପିନ୍ଧିବାର ଅଛି ।
ସମ୍ମୁଖରେ ଦେଖି ଖୁସି ହେଉଛ । ସେଥିପାଇଁ ଅଭିନନ୍ଦନ ଦେଉଛ ମଧ୍ୟ ଏବଂ ନେଉଛ ମଧ୍ୟ । ଯେପରି
ପୁରୁଣା ବର୍ଷକୁ ବିଦାୟ ଦେଉଛ, ତା’ପରେ ତାକୁ ଭୁଲିଯାଉଛ, ନୂଆ ବର୍ଷ ହିଁ ସାମନାକୁ ଆସିଯାଉଛି ।
ସେହିପରି ତୁମ ସମ୍ମୁଖରେ ପୁରୁଣା ଦୁନିଆକୁ ଅଭିନନ୍ଦନ ନୁହେଁ କିନ୍ତୁ ନୂଆ ଦୁନିଆକୁ ଅଭିନନ୍ଦନ
ଦିଆଯାଉଛି ଏବଂ ପୁରୁଣା ଦୁ୍ନିଆକୁ ବିଦାୟ ଦିଆଯାଉଛି । ତେଣୁ ଆଜି ସମସ୍ତଙ୍କ ଭିତରେ ନୂତନ ଯୁଗର
ଉମଙ୍ଗ-ଉତ୍ସାହ ରହିଛି, ଲୋକମାନେ ମଧ୍ୟ ନୂତନବର୍ଷର ଅଭିନନ୍ଦନ ଦେଉଛନ୍ତି ଏବଂ ତା’ ସହିତ ଉପହାର
ମଧ୍ୟ ଦେଉଛନ୍ତି । ତେଣୁ ବାପଦାଦା ମଧ୍ୟ ତୁମମାନଙ୍କୁ ପୁରୁଣା ସ୍ୱଭାବ-ସଂସ୍କାରକୁ ବିଦାୟ ଦେଇ
ନୂଆ ଦୁନିଆକୁ ଯିବାର ଉପହାର ଦେଉଛନ୍ତି, ଯେଉଁଠାରେ କେବଳ ପ୍ରାପ୍ତି ହିଁ ପ୍ରାପ୍ତି ରହିଛି ।
ସଂକ୍ଷେପରେ ଏହି କଥା କୁହାଯାଉଛି ଯେ ନୂଆ ଦୁନିଆରେ କୌଣସି ବି ବସ୍ତୁ ଅପ୍ରାପ୍ତ ନୁହେଁ । ଏହିଭଳି
ସୁବର୍ଣ୍ଣ ବିଶ୍ୱର ଉପହାର ବାପଦାଦା ତୁମ ପ୍ରତ୍ୟେକ ସନ୍ତାନକୁ ଉପହାର ରୂପରେ ଦେଇ ଦେଇଛନ୍ତି ।
ତୁମମାନଙ୍କ ଭିତରେ ମଧ୍ୟ ନିଶା ରହିଛି ନା ଯେ ଆମେ ସୁବର୍ଣ୍ଣଯୁଗୀ ବିଶ୍ୱର ଅଧିକାରୀ ହେଉଛୁ ।
ଏଭଳି ଉପହାର ଆଉ କେହି ବି ଦେଇପାରିବ ନାହିଁ । ତେଣୁ ବାବା ମଧ୍ୟ ପ୍ରତ୍ୟେକ ସନ୍ତାନକୁ ଏହି
ନିର୍ଦ୍ଦେଶ ଦେଇଛନ୍ତି ଯେ ସର୍ବ ଆତ୍ମାଙ୍କୁ ବାବାଙ୍କର ଏହି ସୁବର୍ଣ୍ଣ ଯୁଗୀ ବିଶ୍ୱର ସମ୍ପତ୍ତିର
ସନ୍ଦେଶ ଦେଇ ସେମାନଙ୍କୁ ମଧ୍ୟ ତୁମେ ଉପହାର ଦିଅ । ତେବେ ତୁମ ପାଖରେ କେଉଁ ଉପହାର ଅଛି? ଗୋଟିଏ
ହେଲା ନୂଆ ଦୁନିଆର ଉପହାର ଦିଅ, ଦ୍ୱିତୀୟରେ ତୁମ ପାଖରେ ବହୁତ ସମ୍ପତ୍ତି ଅଛି, ସେଗୁଡିକ ହେଲା -
ଗୁଣ ରୂପୀ ସମ୍ପତ୍ତି, ଶକ୍ତି ରୂପୀ ସମ୍ପତ୍ତି, ସ୍ୱମାନରୂପୀ ସମ୍ପତ୍ତି... ଏହିଭଳି କେତେ
ସମ୍ପତ୍ତି ରହିଛି । ତେଣୁ ସମସ୍ତଙ୍କୁ କୌଣସି ନା କୌଣସି ଗୁଣର, କୌଣସି ନା କୌଣସି ଶାନ୍ତିର
ଉପହାର ଦିଅ ଯାହାଦ୍ୱାରା ସେମାନଙ୍କର ଜୀବନ ମଧ୍ୟ ପରିବର୍ତ୍ତନ ହୋଇଯାଉ ଏବଂ ସେମାନେ ସୁବର୍ଣ୍ଣ
ଦୁନିଆର ଅଧିକାରୀ ହୋଇଯାଆନ୍ତୁ କାହିଁକିନା ଆଜିକାଲି ଦେଖୁଛ ତ ଚାରିଆଡେ ଦୁଃଖ ଅଶାନ୍ତି ବଢି ବଢି
ଚାଲିଛି । ଚାରିଆଡେ ସମସ୍ତଙ୍କ ଭିତରେ ଭୟ ଏବଂ ଚିନ୍ତା ଲାଗି ରହିଛି । ତେଣୁ ଏହିଭଳି ଦୁଃଖୀ
ଅଶାନ୍ତ ଆତ୍ମାମାନଙ୍କୁ ଅତି କମ୍ରେ ଏହି ସନ୍ଦେଶ ନିଶ୍ଚିତ ଦେଇଦିଅ ଯେ ଏବେ ବାବା ଆସିଛନ୍ତି
ତେଣୁ ଏବେଠାରୁ ତୁମେମାନେ ଅବିନାଶୀ ସମ୍ପତ୍ତିର ଅଧିକାରୀ ହୋଇଯାଅ । ଏହି ସନ୍ଦେଶ ତୁମେମାନେ
ପ୍ରତ୍ୟେକ ଆତ୍ମାଙ୍କୁ ଦେଉଛ ମଧ୍ୟ କିନ୍ତୁ ଏବେ ବି କେତେକ ବାବାଙ୍କର ସନ୍ତାନ ଏହି ସନ୍ଦେଶ
ପାଇବାରୁ ବଞ୍ଚିତ ଅଛନ୍ତି । ପୁଣି ବି ତୁମେ ସମସ୍ତେ ଗୋଟିଏ ବାପାର ସନ୍ତାନ ଅଟ ନା ତେଣୁ ନିଜର
ଭାଇ ଭଉଣୀଙ୍କୁ ଏହି ସନ୍ଦେଶ ରୂପୀ ଉପହାର ନିଶ୍ଚିତ ଦିଅ । କେହି ଯେପରି ବଞ୍ଚିତ ନ ରହୁ । ସେବା
ମଧ୍ୟ କରୁଛ, ବାପଦାଦା ପିଲାମାନଙ୍କର ସେବାକୁ ଦେଖି ଖୁସି ଅଛନ୍ତି କିନ୍ତୁ ବାବାଙ୍କର ଏହି ଆଶା
ରହିଛି ଯେ ମୋ’ର କୌଣସି ବି ସନ୍ତାନ ସନ୍ଦେଶ ପାଇବାରୁ ବଞ୍ଚିତ ନ ହେଉ । ଏହି ଅପବାଦ ନ ଦେଉ ଯେ
ତୁମମାନଙ୍କୁ ସୁବର୍ଣ୍ଣ ଯୁଗୀ ଦୁନିଆର ଉପହାର ମିଳିଲା କିନ୍ତୁ ଆମକୁ ଜଣାପଡିଲା ନାହିଁ । ଆମର
ପିତା ଆସିଥିଲେ କିନ୍ତୁ ଆମକୁ ସନ୍ଦେଶ ମିଳିଲା ନାହିଁ । ସେଥିପାଇଁ ଏହି ନୂତନ ବର୍ଷରେ ଏହି
ପ୍ରଚେଷ୍ଟା କର, ପରସ୍ପର ମିଶି ଯୋଜନା ପ୍ରସ୍ତୁତ କର ଯେ କୌଣସି ବି କୋଣ ଯେପରି ରହି ନ ଯାଉ ।
ଦୋଷାରୋପ ନ କରନ୍ତୁ ବରଂ ଖୁସି ହୁଅନ୍ତୁ, ସେମାନଙ୍କୁ ଜଣା ତ ପଡୁ ଯେ ଆମର ପିତା ଆସିଗଲେଣି ।
କେହି ବି ବଞ୍ଚିତ ନ ରୁହନ୍ତୁ । ତେଣୁ ଏହି ନୂତନବର୍ଷରେ କ’ଣ କରିବ? ପରସ୍ପର ମିଶି ଯୋଜନା କର,
ବାପଦାଦାଙ୍କୁ ସବୁ ପିଲାଙ୍କ ଉପରେ ଦୟା ଆସୁଛି । ତେଣୁ ତୁମମାନଙ୍କୁ ମଧ୍ୟ ତୁମର ଭାଇଭଉଣୀମାନଙ୍କ
ପ୍ରତି ଏବେ ବିଶେଷ ଦୟାଶୀଳ ତଥା କଲ୍ୟାଣକାରୀ ସ୍ୱରୂପ ଧାରଣ କରି ସମସ୍ତଙ୍କୁ ସନ୍ଦେଶ ଦେବାକୁ
ହେବ । ଅତିକମ୍ରେ ଏଭଳି ଅପବାଦ କେହି ନ ଦିଅନ୍ତୁ ।
ଆଜି ସବୁ ପିଲା ନୂଆ
ବର୍ଷ ପାଳନ କରିବାର ଉମଙ୍ଗ-ଉତ୍ସାହରେ ଆସି ପହଞ୍ଚିଯାଇଛନ୍ତି । ବାପଦାଦା ପ୍ରତ୍ୟେକ ସନ୍ତାନକୁ
ଦେଖି କେଉଁ ଗୀତ ଗାଉଛନ୍ତି? ଜାଣିଛ ନା! ବାଃ ପିଲାମାନେ ବାଃ! ଯେଉଁମାନେ ପ୍ରଥମ ଥର ପାଇଁ
ଆସିଛନ୍ତି ସେମାନଙ୍କୁ ମଧ୍ୟ ବାପଦାଦା କହୁଛନ୍ତି ଯେ ତୁମେମାନେ ଭାଗ୍ୟବାନ ଅଟ, ଯାହାକି ସମୟର
ସମାପ୍ତି ପୂର୍ବରୁ ବାବାଙ୍କର ହୋଇଯାଇଛ । ତେଣୁ ନୂଆ ପିଲାମାନଙ୍କୁ ବାପଦାଦା ପଦ୍ମାପଦ୍ମଗୁଣା
ଭାଗ୍ୟବାନ ହେବାର ଅଭିନନ୍ଦନ ଦେଉଛନ୍ତି । ଆଜିକାଲି ବାପଦାଦା ଗୋଟିଏ କଥା ସବୁ ପିଲାଙ୍କ ଭିତରେ
ଦେଖିବାକୁ ଚାହୁଁଛନ୍ତି, ଜାଣିଛ ତାହା କ’ଣ? ଯେପରି ସମସ୍ତଙ୍କ ଦିଲ୍ ଭିତରେ ଉମଙ୍ଗ-ଉତ୍ସାହ ରହିଛି,
ଲକ୍ଷ୍ୟ ମଧ୍ୟ ରହିଛି ଯେ ମୁଁ ବାବାଙ୍କ ସମାନ ନିଶ୍ଚିତ ହେବି, ହେବି ନୁହେଁ, ନିଶ୍ଚିତ ହେବି,
ତେବେ ଯେଉଁଭଳି ଲକ୍ଷ୍ୟ ରଖିଛ ସେହିଭଳି ଲକ୍ଷଣ ମଧ୍ୟ ବାପଦାଦା ଏବେ ଦେଖିବାକୁ ଚାହୁଁଛନ୍ତି ।
ଯେପରି ସମାନ ହେବାର ଲକ୍ଷ୍ୟ ରଖିଛ ସେହିପରି ସମାନ ହେବାର ଲକ୍ଷଣ ମଧ୍ୟ ରହୁ । ଏବେ ଲକ୍ଷ୍ୟ ତ
ବହୁତ ଉଚ୍ଚ ରଖିଛ କିନ୍ତୁ ଲକ୍ଷଣ ଉପରେ ବିଶେଷ ଧ୍ୟାନ ଦେବାକୁ ହେବ । ସମାନ ହେବାର ଲକ୍ଷ୍ୟ ଯେତେ
ବଡ, ଲକ୍ଷଣ ମଧ୍ୟ ସେତିକି ବଡ ହେବା ଦରକାର । ଏବେ କେହି କେହି ପିଲା ଲକ୍ଷଣ ଧାରଣ କରିବାକୁ ମଧ୍ୟ
ଚାହୁଁଛନ୍ତି କିନ୍ତୁ ମଝିରେ ମଝିରେ ପୁଣି ବି କହିଦେଉଛନ୍ତି ମୁଁ ବହୁତ ଚାହୁଁଛି ଯେ କିନ୍ତୁ....
ତେବେ ଏହି କିନ୍ତୁ ଶବ୍ଦଟି ବାହାରି ଯିବା ଦରକାର । ତୁମମାନଙ୍କର ଚେହେରା ଏବଂ ଚାଲିଚଳନ ଦୂରରୁ
ହିଁ ଯେତେ ବଡ ଲକ୍ଷ୍ୟ ରଖିଛ, ସେହି ଅନୁସାରେ ଲକ୍ଷଣ ମଧ୍ୟ ଚେହେରାରେ ଦେଖାଯାଉ, ଚାଲିଚଳନରେ
ଦେଖାଯାଉ । ଯେପରି ତୁମେମାନେ ପୂର୍ବରୁ ଦେହଅଭିମାନରେ ଥିଲ କିନ୍ତୁ ସେତେବେଳେ ତୁମର ଦେହଅଭିମାନର
ନେଚର ସ୍ୱାଭାବିକ ହୋଇଯାଇଥିଲା, ସେଥିପାଇଁ କେବେ ପୁରୁଷାର୍ଥ କରିଛ କି ଯେ ଦେହଅଭିମାନ ଆସୁ! ଦେହ
ଅଭିମାନର ନେଚର ସ୍ୱାଭାବିକ ହୋଇଯାଇଥିଲା । ଅଧାକଳ୍ପ କୌଣସି ପୁରୁଷାର୍ଥ କରିନାହଁ, ସେହିପରି ଏବେ
ମଧ୍ୟ ଦେହୀ-ଅଭିମାନୀ ହେବାର ନେଚର ନ୍ୟାଚୁରାଲ୍ ଅର୍ଥାତ୍ ସ୍ୱାଭାବିକ ଅଟେ ତ! ଯେବେକି
ଦେହ-ଅଭିମାନରେ ନେଚର ନ୍ୟାଚୁରାଲ୍ ହୋଇଯାଇଥିଲା, କେବେ ଭାବୁ ନଥିଲ ଯେ ମୁଁ ଦେହ-ଅଭିମାନକୁ
ଆସିଯାଆନ୍ତି କି, ଏଭଳି ପୁରୁଷାର୍ଥ କେବେ କରିଛ କି? ଏବେ ବି ଦେହ-ଅଭିମାନ ଏବଂ ଦେହୀ-ଅଭିମାନ
ରହିଛି, କିନ୍ତୁ ଦେହୀ-ଅଭିମାନୀ ହେବାରେ ଏତେ ମେହନତ କାହିଁକି ଲାଗୁଛି? କାହିଁକିନା ବାପଦାଦାଙ୍କ
ପାଖକୁ ସମାଚାର ଆସୁଛି ଯେ କେବେ କେବେ ଦେହ-ଅଭିମାନକୁ ସମାପ୍ତ କରିବା ପାଇଁ ମେହନତ କରିବାକୁ
ପଡୁଛି । ଯେବେକି ଦେହ-ଅଭିମାନ ନ୍ୟାଚୁରାଲ୍ ଥିଲା ତେବେ ଦେହୀ-ଅଭିମାନୀ ହେବା ପାଇଁ ମେହନତ
କାହିଁକି ଲାଗୁଛି? ତେଣୁ ବାପଦାଦାଙ୍କୁ ପିଲାମାନଙ୍କର ମେହନତ କରିବା ଆଦୌ ଭଲ ଲାଗୁନାହିଁ ।
ପିଲାମାନେ ମେହନତରୁ ମୁକ୍ତ ହୋଇଯାଆନ୍ତୁ ଏବଂ ଦେହୀ-ଅଭିମାନୀ ସ୍ଥିତି ନ୍ୟାଚୁରାଲ ନେଚର ହୋଇଯାଉ
ତେବେ କୁହାଯିବ ଲକ୍ଷ୍ୟ ଏବଂ ଲକ୍ଷଣ ସମାନ ହେଲା । ତା’ପରେ ଦେଖିବ ବାବାଙ୍କ ସମାନ ହେବା ପାଇଁ
ବହୁତ ସହଜ ଏବଂ ନ୍ୟାଚୁରାଲ୍ ନେଚର ଅନୁଭବ ହେବ । ଯେପରି ବ୍ରହ୍ମାବାବାଙ୍କୁ ଦେଖିଛ, ଏତେ ବଡ
ପରିବାରର ଦାୟିତ୍ୱ ଥାଇ ମଧ୍ୟ ଦେହୀ-ଅଭିମାନୀ ସ୍ଥିତି ତାଙ୍କର ନ୍ୟାଚୁରାଲ୍ ନେଚର୍ ହୋଇଯାଇଥିଲା
। ଯଦିଓ ପିଲାମାନଙ୍କ ଉପରେ ମଧ୍ୟ ଦାୟିତ୍ୱ ରହିଛି କିନ୍ତୁ ବ୍ରହ୍ମାବାବାଙ୍କ ତୁଳନାରେ ତାହା କ’ଣ
ଲାଗୁଛି! ଯାହା ବି ଦାୟିତ୍ୱ ଥାଉ, ଧରିନିଅ ଜୋନ୍ର ଦାୟିତ୍ୱ ରହିଛି, ବା ଯଜ୍ଞର କୌଣସି ଅଫିସିୟଲ୍
କାରବାରର ଦାୟିତ୍ୱ ରହିଛି କିନ୍ତୁ ସେହି ଦାୟିତ୍ୱ ବ୍ରହ୍ମାବାବାଙ୍କ ତୁଳନାରେ କ’ଣ କୁହାଯିବ!
ବ୍ରହ୍ମାବାବା ତ ଶିବବାବାଙ୍କ ସହଯୋଗ ଦ୍ୱାରା ବାସ୍ତବିକ ରୂପରେ କରିଦେଖାଇଛନ୍ତି ଯେ
ନିର୍ଦ୍ଦେଶକର୍ତ୍ତା ବାବା ସବୁ କିଛି କରାଉଛନ୍ତି । ମୁଁ କେବଳ କର୍ମକର୍ତ୍ତା ହୋଇ ବାବାଙ୍କ ସମାନ
ନ୍ୟାରା ଏବଂ ପ୍ୟାରା ଅଟେ । ତେଣୁ ଯେହେତୁ ବାବାଙ୍କ ସମାନ ହେବାକୁ ଚାହୁଁଛ ତେବେ ଏହି କଥା ଚେକ୍
କର ଯେ ମନ ଦ୍ୱାରା ହେଉ ବା ବାଣୀ ଦ୍ୱାରା ହେଉ ବା କର୍ମ ଦ୍ୱାରା ହେଉ ଯେମିତିକା ବି ଡ୍ୟୁଟୀ ଥାଉ
କିନ୍ତୁ ମୁଁ କର୍ମକର୍ତ୍ତା ଅଟେ, ଟ୍ରଷ୍ଟୀ ଅର୍ଥାତ୍ ନିମିତ୍ତ ଅଟେ, ନିର୍ଦ୍ଦେଶକର୍ତ୍ତା ମାଲିକ
ଶିବବାବା ଅଟନ୍ତି, ତେବେ ଏହି ନିର୍ଦ୍ଦେଶକର୍ତ୍ତାର ପାଠଟି ଚାଲୁ ଚାଲୁ ଭୁଲି ହୋଇଯାଉଛି । ତେଣୁ
ଲକ୍ଷ୍ୟ ଏବଂ ଲକ୍ଷଣକୁ ସମାନ କରିବାକୁ ହେବ । ଏବେ ପୁରୁଣା ବର୍ଷକୁ ବିଦାୟ ଦେବା ସହିତ ଏହି
ଲକ୍ଷ୍ୟକୁ ଲକ୍ଷଣରେ ଦେଖାଇବାକୁ ହେବ । ନୂଆ ବର୍ଷରେ ଭାଷା ମଧ୍ୟ ନୂଆ ହେଉ । କ’ଣ କରିବି, ମାୟା
ଆସିଯାଉଛି, ମୁଁ ଚାହୁଁନାହିଁ କିନ୍ତୁ ଆସିଯାଉଛି.... ଏହିଭଳି ଶବ୍ଦ ବା ସଂକଳ୍ପକୁ ମଧ୍ୟ ପୁରୁଣା
ବର୍ଷ ସହିତ ବିଦାୟ ଦେଇଦିଅ । କେବଳ ବର୍ଷକୁ ବିଦାୟ ଦିଅ ନାହିଁ । ବାପଦାଦା ମଧ୍ୟ ଶୁଣାଇ
ଦେଇଛନ୍ତି ଯେ ମାୟା ମଧ୍ୟ ତାଙ୍କ ପାଖକୁ ଆସୁଛି ଏବଂ କ’ଣ କହୁଛି ଜାଣିଛ? ମୁଁ ତ ଭାବୁଛି ଯେ ମୋର
ଯିବାର ସମୟ ହୋଇଗଲାଣି କିନ୍ତୁ କେହି କେହି ପିଲା ମୋତେ ତ ଆବାହନ କରୁଛନ୍ତି ତେଣୁ ମୁଁ କ’ଣ କରିବି!
ତେଣୁ ଆଜି ବିଦାୟ ଦେବା ସମୟରେ ମାୟାର ଭିନ୍ନ ଭିନ୍ନ ରୂପକୁ ମଧ୍ୟ ବିଦାୟ ଦେବାକୁ ହେବ । କ’ଣ
ସାହସ ଅଛି ତ? ଅଛି ସାହସ? ହାତ ଉଠାଅ । କ’ଣ ବିଦାୟ ଦେବାର ସାହସ ଅଛି? ପଛବାଲାଙ୍କର ସାହସ ଅଛି
ତ? ଯାହାଙ୍କ ଭିତରେ ସାହସ ଅଛି ସେମାନେ ହାତ ଉଠାଅ । ତେବେ ବାବା ଏହିଭଳି ସାହସ ପାଇଁ ପଦ୍ମ
ପଦ୍ମଗୁଣା ଅଭିନନ୍ଦନ ଦେଉଛନ୍ତି । କାହିଁକି ଜାଣିଛ? ବାପଦାଦା କାହିଁକି ଏହା ଉପରେ ଜୋର୍
ଦେଉଛନ୍ତି? କାହିଁକିନା ତୁମେ ସମସ୍ତେ ଦେଖୁଛ ଦୁନିଆର ଅବସ୍ଥା ଖୁବ୍ ଜୋରରେ ବିଗିଡିବା ଆରମ୍ଭ
ହୋଇଗଲାଣି ଏବଂ ବାପଦାଦାଙ୍କର ଏହି ମହାବାକ୍ୟ କିଛି ଦିନ ହେବ ଚାଲୁଛି ଯେ ସବୁ କିଛି ଅଚାନକ
ହେବାର ଅଛି । ତେବେ ଯଦି ଅଚାନକ ହେବ କିନ୍ତୁ ବହୁତ ସମୟର ଅଭ୍ୟାସ ନଥିବ ତେବେ କୁହ ଅଚାନକ ସମୟରେ
ଅଭ୍ୟାସର ଆବଶ୍ୟକତା ପଡିବ ନା ନାହି? ଏବେ ଏବେ ଦେଖ ବାପଦାଦା ହୋମ୍ୱାର୍କ ଦେଇଛନ୍ତି ୧୦ ମିନିଟ୍,
ଟୋଟାଲ ୨୪ ଥର ୧୦-୧୦ ମିନିଟ୍ର ହୋମ୍ୱାର୍କ ଦେଇଛନ୍ତି, ତେଣୁ ଅନେକ ପିଲାଙ୍କୁ ମୁଶକିଲ୍ ଲାଗୁଛି
। ତେଣୁ ଚିନ୍ତା କର, ଯଦି ୧୦ ମିନିଟ୍ର ଅଭ୍ୟାସ ହୋଇପାରୁ ନାହିଁ ତେବେ ଅଚାନକ ସମୟରେ କ’ଣ କରିବ?
ବାପଦାଦା ଜାଣୁଛନ୍ତି ଯେ ୨୪ ଥର ଭିତରେ କେତେ ଜଣଙ୍କୁ ସମୟ ଟିକିଏ କମ୍ ମିଳୁଛି, କିନ୍ତୁ ବାପଦାଦା
ପରୀକ୍ଷା କରୁଛନ୍ତି ଯେ ୧୦ ମିନିଟ୍ ପାଇଁ କେବଳ ଗୋଟିଏ ସ୍ମୃତିରେ ଯେବେ ଇଚ୍ଛା, ଯେପରି ଇଚ୍ଛା
ସେପରି କରିପାରିବ, ବାପଦାଦା ଏପରି କହୁନାହାଁନ୍ତି ଯେ ଏବେ ବି ୧୦ ମିନିଟ୍ କର, ଆଚ୍ଛା
ହୋଇପାରୁନାହିଁ, ଯିଏ କରିପାରୁଛ କର, ଯଦି ହୋଇପାରୁନାହିଁ ତେବେ ୫ ମିନିଟ୍ କର । ୫ ମିନିଟ୍ରୁ ୬
ମିନିଟ୍, ୭ ମିନିଟ୍, ଯେତିକି ବଢାଇ ପାରିବ ସେହି ଅନୁସାରେ ଚେଷ୍ଟା କରି ଦେଖ । ବାପଦାଦା ତ
ନିଜେ କହୁଛନ୍ତି, ଏଥିରେ କୌଣସି ବାଧ୍ୟତାମୂଳକ ନାହିଁ । ଯଦି ୧୦ ମିନିଟ୍ ଅଧିକ ଲାଗୁଛି ତେବେ ୮
ମିନିଟ୍ କର, ୯ ମିନିଟ୍ କର, ଯେତେ ଅଧିକ କରିପାରିବ ସେତେ ଅଭ୍ୟାସରେ ପକାଅ, କାହିଁକିନା ବହୁତ
କାଳର ବରଦାନକୁ ବାସ୍ତବିକ ରୂପରେ ଏବେ ହିଁ କରିପାରିବ । ଯଦି ଏବେ ବହୁତ କାଳର ଅଭ୍ୟାସ ନ ହେବ
ତେବେ ବର୍ତ୍ତମାନର ବହୁତ କାଳର ପୁରୁଷାର୍ଥର ଯେଉଁ ପ୍ରାପ୍ତି ମିଳିବା କଥା, ଅଧାକଳ୍ପର ସେହି
ବହୁତ କାଳର ଫରକ ଆସିଯିବ । ତେଣୁ ଯେତିକି ହୋଇପାରୁଛି ସେତିକି କରିବା ପାଇଁ ବାପଦାଦା ଅନୁମତି
ଦେଉଛନ୍ତି, କିନ୍ତୁ ୫ ମିନିଟ୍ରୁ ଅଧିକ କର, ଯଦି ୧୦ ମିନିଟ୍ ହୋଇ ନ ପାରୁଛି ତେବେ ୭ ମିନିଟ୍
କର, ୮ ମିନିଟ୍ କର, ପାଞ୍ଚ ମିନିଟ୍ ପାଇଁ ମଧ୍ୟ ଅନୁମତି ଅଛି । କିନ୍ତୁ ଯଦି କେବେ କେବେ ୧୦
ମିନିଟ୍ ହୋଇପାରିବ ତେବେ ବହୁତ ଭଲ । ଏଭଳି ସମୟ ମଧ୍ୟ ଆସିବ ଯାହାକି ତୁମମାନଙ୍କୁ ନିଜ ପାଇଁ ଏବଂ
ବିଶ୍ୱ ପାଇଁ ମଧ୍ୟ କିରଣ ଦେବାକୁ ପଡିବ । ସେଥିପାଇଁ ବାପଦାଦା ଅନୁମତି ଦେଉଛନ୍ତି, ଯେତେ ଅଧିକ
ସମୟ କରିପାରୁଛ ଏହି ଅଭ୍ୟାସ କର କାହିଁକିନା ବର୍ତ୍ତମାନର ବହୁତ ସମୟ ଭବିଷ୍ୟତର ଆଧାର ଅଟେ । କ’ଣ
ଠିକ୍ କଥା ତ? ଯଦି ବି କଷ୍ଟ ଲାଗୁଛି, କିଛି କଥା ନାହିଁ, ଏବେ ତ କୌଣସି ଆପତ୍ତି ନାହିଁ ଏବଂ
ବାବାଙ୍କୁ ଶୁଣାଇ ଦେଲ ଯେ କଷ୍ଟ ଲାଗୁଛି ତେଣୁ ବହୁ୍ତ ଭଲ କରିଛ, କାହିଁକିନା ଧରିନିଅ ତୁମେ ୧୦
ମିନିଟ୍ ବସିପାରୁନାହଁ, ଭାବିବାରେ ହିଁ ସମୟ ବିତିଯାଉଛି ତେବେ ୫ ମିନିଟ୍ ମଧ୍ୟ ସେହିପରି
ଚାଲିଯିବ, ସେଥିପାଇଁ ବାପଦାଦା କହୁଛନ୍ତି ଅତି କମ୍ରେ ୫ ମିନିଟ୍ରୁ କମ କରିବାର ନାହିଁ । ବରଂ
ଯେତେ ବଢାଇ ପାରିବ ବଢାଅ । ଠିକ୍ ଅଛି ତ, ସ୍ପଷ୍ଟ ଭାବରେ ବୁଝିଗଲ ତ? କାହିଁକିନା ବାପଦାଦା
ସମସ୍ତଙ୍କୁ ବହୁତ ଶ୍ରେଷ୍ଠ ସ୍ୱରୂପରେ ଦେଖୁଛନ୍ତି । ଏହାର ଚିହ୍ନ ହେଲା ବାପଦାଦା ପ୍ରତ୍ୟେକ
ସନ୍ତାନକୁ କେତେ ସବୁ ସ୍ୱମାନ ଦେଇଛନ୍ତି । ଯଦି ସେହି ସ୍ୱମାନ ଗୁଡିକର ଲିଷ୍ଟ ବାହାର କରିବ ତେବେ
କେତେ ବଡ ହୋଇଯିବ?
ଆଜି ବାପଦାଦା
ଅମୃତବେଳାରେ ଚକ୍ର ଲଗାଇବାକୁ ଯାଇଥିଲେ । କ’ଣ ଦେଖିବାକୁ ଯାଇଥିଲେ ଜାଣିଛ? ବାପଦାଦା
ପିଲାମାନଙ୍କୁ ସ୍ୱମାନ ଗୁଡିକର ବହୁତ ବଡ ମାଳା ଦେଇଛନ୍ତି । ଯଦି ଗୋଟିଏ ଗୋଟିଏ ସ୍ୱମାନରେ ସ୍ଥିତ
ହୋଇ ସେହି ସ୍ଥିତିରେ ବସିବ ବା ଚାଲିବ ତେବେ ସ୍ୱମାନ ଗୁଡିକୁ କହିଚାଲିଥିବ ଏବଂ ମାଳା ଘୂରାଉଥିବ
ତେବେ ବହୁତ ମଜା ଲାଗିବ । ସ୍ୱମାନ ଗୁଡିକର ଲିଷ୍ଟ ତ ରଖିଛ କିନ୍ତୁ ଗୋଟିଏ ଗୋଟିଏ ସ୍ୱମାନ କେତେ
ବଡ ଅଟେ ଏବଂ କିଏ ଦେଇଛନ୍ତି! ସ୍ୱୟଂ ୱାର୍ଲ୍ଡ ଅଲମାଇଟୀ ଅଥୋରିଟୀ ଅର୍ଥାତ୍ ସର୍ବଶକ୍ତିମାନ ପିତା
ହିଁ ପ୍ରତ୍ୟେକ ସନ୍ତାନକୁ ଅନେକ ଗୁଡିଏ ସ୍ୱମାନର ଲିଷ୍ଟ ଦେଇଛନ୍ତି । ତା’କୁ କାମରେ ଲଗାଅ,
କାହିଁକିନା ଅନ୍ୟ କୌଣସି ଅଥୋରିଟୀ ନାହିଁ ଯେ ତୁମର ଏହି ସ୍ୱମାନକୁ କମ୍ କରିଦେବ । ଅନ୍ୟ କାହାକୁ
ବି ଏତେ ଗୁଡିଏ ସ୍ୱମାନର ମାଳା ମିଳି ନାହିଁ । ତେଣୁ ବାପଦାଦା ଦେଖୁଛନ୍ତି ଯେ ସତ୍ୟଯୁଗରେ ତ
ରାଜ୍ୟ ଭାଗ୍ୟ ମିଳିବ କିନ୍ତୁ ଏହି ସ୍ୱମାନର ମାଳା ସଂଗମଯୁଗର ଅବଦାନ ଅଟେ । ବାପଦାଦା ଯେତେବେଳେ
ବି ପିଲାମାନଙ୍କୁ ଦେଖୁଛନ୍ତି ସେତେବେଳେ ପ୍ରତ୍ୟେକ ସନ୍ତାନକୁ ସ୍ୱମାନର ସ୍ଥିତିରେ ହିଁ
ଦେଖୁଛନ୍ତି - ବାଃ ପିଲାମାନେ ବାଃ! ତେଣୁ ସ୍ୱମାନର ଅଧକାରୀ ପଣିଆରେ ରୁହ, ମୁଁ କିଏ! ସବୁ ସମୟରେ
କୌଣସି ନା କୌଣସି ସ୍ୱମାନର ସ୍ଥିତିରେ ହିଁ ରୁହ ଏବଂ ଚେକ୍ କର ଯେ ଆଜି ଅମୃତବେଳା ଠାରୁ ଯେଉଁ
ସ୍ୱମାନକୁ ବୁଦ୍ଧିରେ ରଖିଛି, ତା’କୁ କାର୍ଯ୍ୟରେ ଲଗାଉଛି ତ! ସ୍ୱମାନ ଗୁଡିକ ସମ୍ପତ୍ତି ଅଟେ ନା,
ତେଣୁ ସମ୍ପତ୍ତି ତ ବୃଦ୍ଧି ପାଇବାର ସାଧନ ଅଟେ - ସମ୍ପତ୍ତିକୁ ଯେତେ ଯେତେ କାର୍ଯ୍ୟରେ ଲଗାଇବ
ସେତିକି ବଢି ବଢି ଚାଲିବ । ତେଣୁ ଆଜି ବାପଦାଦା ଦେଖୁଥିଲେ ଯେ କେଉଁ ପିଲାମାନେ ସ୍ୱମାନରେ
ରହୁଛନ୍ତି ଏବଂ କାହାର ସ୍ୱମାନର ସ୍ମୃତିର ମାଳା ବଡ ଥିଲା, ତ ଆଉ କାହାର ମାଳା ଛୋଟ ଥିଲା । ତେବେ
ଯେଉଁଠି ସ୍ୱମାନ ରହିବ ସେଠାରେ ଦେହର ସ୍ମୃତି ସମାପ୍ତ ହୋଇଯିବ । ତେଣୁ ଆଜି ବାପଦାଦା ଚାରିଆଡେ
ଚକ୍ର ଲଗାଇ ଦେଖିଲେ ଯେ ସ୍ୱମାନ ଯେପରି ସମ୍ପତ୍ତି ଅଟେ, ସେହିପରି ପ୍ରତ୍ୟେକ ଶକ୍ତିକୁ ଏବଂ ଗୁଣକୁ
ମଧ୍ୟ ବ୍ୟହବାର କର, କାର୍ଯ୍ୟରେ ଲଗାଅ । ତେଣୁ ମାୟା ଆସିଯାଉଛି ବୋଲି ଯେଉଁ ସମସ୍ୟା ସୃଷ୍ଟି
ହେଉଛି, ପ୍ରକୃତରେ ମାୟା ଆପେ ଆପେ ଆସୁନାହିଁ, ମାୟା ବିଷୟରେ ବାପଦାଦା ତ ଶୁଣାଇ ସାରିଛନ୍ତି ଯେ
ମାୟା କହୁଛି ମୋତେ ନିମନ୍ତ୍ରଣ ଦେଉଛନ୍ତି ସେଥିପାଇଁ ମୁଁ ଯାଉଛି, ଏମିତି ଯାଉ ନାହିଁ । ତେବେ
କୌଣସି ବି ସାଧାରଣ ସଂକଳ୍ପ କରିବା ବା ଶକ୍ତିଗୁଡିକୁ ହାତଛଡା କରିବା ଅର୍ଥ ମାୟାକୁ ନିମନ୍ତ୍ରଣ
ଦେବା । ଯଦି କହୁଛ ଆମେ ଚାହୁଁନାହୁଁ କିନ୍ତୁ ଆସିଯାଉଛି । ତେବେ ବଳବାନ କିଏ ହେଲା? ଆମେ ଚାହୁଁନୁ
କିନ୍ତୁ ମାୟା ଆସିଯାଉଛି, ତେବେ ମାୟା ବଳବାନ ହେଲା ନା ତୁମେ ହେଲ? ତେବେ ଆଜି ପୁରୁଣା ବର୍ଷ
ସମାପ୍ତ ହେଉଛି, ନୂଆ ବର୍ଷରେ ନୂଆ ଉମଙ୍ଗ, ନୂଆ ଉତ୍ସାହ, କାହିଁକିନା ସଂଗମଯୁଗର ଗାୟନ ରହିଛି ।
ପ୍ରତ୍ୟେକ ଦିନ ଭିତରେ ଉତ୍ସାହ ଭରି ରହିଛି, ଅର୍ଥାତ୍ ପ୍ରତ୍ୟେକ ଦିନ ଉତ୍ସବ ଅଟେ । ଯେଉଁଠି
ଉମଙ୍ଗ-ଉତ୍ସାହ ଅଛି ସେଠାରେ ଉତ୍ସବ ଅଛି, ତେଣୁ ପ୍ରତ୍ୟେକ ଦିନ ଉତ୍ସବ, ଏହି କଥାକୁ ଭଲ ଭାବରେ
ପକ୍କା କରିଦିଅ ଏବଂ ପ୍ରତ୍ୟେକ ଦିନ ଚାଲିବା ବୁଲିବା ସମୟରେ ମଧ୍ୟ ନିଜର ଚାର୍ଟ ରଖ, ଚେକ୍ କର,
ଯଦି ଚେକ୍ କରିବ ତେବେ ପରିବର୍ତ୍ତନ ମଧ୍ୟ କରିବ । ଯଦି ଚେକ୍ ନ କରିବ ତେବେ ପରିବର୍ତ୍ତନ କିପରି
କରିବ!
ଆଜି ନୂତନବର୍ଷ ଉପଲକ୍ଷେ
ବାପଦାଦାଙ୍କର ବିଶେଷ କରି ଏହି ସଂକଳ୍ପ ରହିଛି ଯେ ପ୍ରତ୍ୟେକ ସନ୍ତାନ, ଯେପରି ଆଜି ପୁରୁଣା
ବର୍ଷକୁ ବିଦାୟ ଦେଉଛ ସେହିପରି ମାୟାକୁ ମଧ୍ୟ ବିଦାୟ ଦେଇଦିଅ, ବ୍ୟର୍ଥ ସଂକଳ୍ପକୁ ମଧ୍ୟ ବିଦାୟ
ଦେଇଦିଅ କାହିଁକିନା ଅଧିକାଂଶ କ୍ଷେତ୍ରରେ ଦେଖାଯାଉଛି ଯେ ବ୍ୟର୍ଥ ସଂକଳ୍ପ ବହୁତ ଆସୁଛି । ବିକାରୀ
ସଂକଳ୍ପ କମ୍ ଅଛି କିନ୍ତୁ ଯେଉଁଗୁଡିକ ବ୍ୟର୍ଥ ସଂକଳ୍ପ ରୂପରେ ଆସୁଛି ତା’ର ଚିହ୍ନବର୍ଣ୍ଣ
ସମାପ୍ତ ହୋଇଯାଉ, ପ୍ରତ୍ୟେକ ସଂକଳ୍ପ ସମର୍ଥ ହେଉ, ବ୍ୟର୍ଥ ନ ହେଉ କାହିଁକିନା ବ୍ୟର୍ଥ ସଂକଳ୍ପରେ
କେବଳ ସଂକଳ୍ପ ଚାଲେ ନାହିଁ କିନ୍ତୁ ସମୟ ମଧ୍ୟ ବ୍ୟର୍ଥରେ ନଷ୍ଟ ହୁଏ ଏବଂ ବାବାଙ୍କ ସମାନ ହେବା
ପାଇଁ ମଧ୍ୟ ଅଧିକ ସମୟ ଲାଗିଥାଏ । ତେବେ ତୁମମାନଙ୍କର ଇଚ୍ଛା ତ ଅଛି ନା, ସମାନ ହେବା ପାଇଁ,
ସେଥିପାଇଁ ତ ହାତ ଉଠାଇଛ, କିନ୍ତୁ ବାପଦାଦା ସବୁବେଳେ କହୁଛନ୍ତି ମନର ହାତ ଉଠାଅ, ଶରୀରର ହାତ
ଉଠାଇବା ତ ସହଜ ଅଟେ ନା । ତେଣୁ ବିଦାୟ ଦେବାର ସାହସ ଅଛି ତ? ଅଛି ତ ସାହସ? ହାତ ଉଠାଅ । ଆଚ୍ଛା!
ସମସ୍ତେ ସାହସୀ ଅଟ । ତେବେ ଏହି ସାହସକୁ ସର୍ବଦା କାୟମ ରଖିଥାଅ । ଯଦି ସାହସ ରଖିବ ତେବେ
ତୁମେମାନେ ଯେଉଁ ଲକ୍ଷ୍ୟ ରଖିଛ ତାହା ସଫଳ ନିଶ୍ଚିତ ହେବ କାହିଁକିନା ବାପଦାଦା ମଧ୍ୟ ସାଥୀରେ
ଅଛନ୍ତି । ବାପଦାଦା ଚାହୁଁଛନ୍ତି ଯେ ମୋ’ର କୌଣସି ସନ୍ତାନ ପଛରେ ନ ରହୁ । ବାବାଙ୍କ ହାତରେ ହାତ
ଦେଇ ଚାଲୁଥାଉ । ଶିବବାବା ତ ନିରାକାର ଅଟନ୍ତି, ତେଣୁ ତାଙ୍କର ତ ହାତ ନାହିଁ କିନ୍ତୁ ଶ୍ରୀମତ
ହିଁ ତାଙ୍କର ହାତ । ଶ୍ରୀମତ ଅନୁସାରେ ପ୍ରତ୍ୟେକ ପାଦ ପକାଇବା ଅର୍ଥ ହାତରେ ହାତ ଦେଇ ଚାଲିବା ।
ତେଣୁ ସମସ୍ତଙ୍କୁ ନୂଆ ବର୍ଷର, ନୂଆ ଜୀବନର ଏବଂ ନୂଆ ଯୁଗର, ତିନୋଟି ଯାକର ପଦ୍ମାପଦ୍ମ ଗୁଣା
ଅଭିନନ୍ଦନ ଅଭିନନନ୍ଦନ ଅଭିନନ୍ଦନ । ଆଚ୍ଛା!
ଏବେ ଚାରିଆଡର ଦେଶ
ବିଦେଶର ପ୍ରତ୍ୟେକ ବାବାଙ୍କର ପ୍ରିୟ, ବାବାଙ୍କର ଗେହ୍ଳା ଏବଂ ବାବାଙ୍କର ସିକିଲଧେ ପିଲାମାନଙ୍କୁ
ବିଦାୟୀ ଏବଂ ବଧାଇ ଅର୍ଥାତ୍ ଅଭିନନ୍ଦନ । ବାପଦାଦା ଏହା ମଧ୍ୟ ଶୁଣାଇଛନ୍ତି ଯେ ପୁରୁଣା ବର୍ଷ
ସହିତ ପୁରୁଣା ସଂସ୍କାରଗୁଡିକୁ ମଧ୍ୟ ବିଦାୟ ଦେଉଥିବା, ପୁରୁଣା ସ୍ୱଭାବକୁ ମଧ୍ୟ ବିଦାୟ ଦେଉଥିବା
ମହାବୀର ପିଲାମାନଙ୍କୁ, ପ୍ରତି ପାଦରେ ପଦ୍ମର ରୋଜଗାର ଜମା କରୁଥିବା, ବାପଦାଦା ସର୍ବଦା ଯେଉଁ ସବୁ
ସ୍ୱମାନ ଗୁଡିକୁ ଦେଇଛନ୍ତି ସେହି ସ୍ୱମାନ ଗୁଡିକର ସ୍ଥିତିରେ ସ୍ଥିତ ରହି ଅନୁଭବ କରୁଥିବା,
ପ୍ରତ୍ୟେକ ସନ୍ତାନକୁ ବାପଦାଦା ଏଭଳି ରୂପରେ ଦେଖୁଛନ୍ତି ଯେ ମୋ’ର ପ୍ରତ୍ୟେକ ସନ୍ତାନ ୨୧ ଜନ୍ମର
ଅଧିକାରୀ ଅଟେ, ସାରା କଳ୍ପ ଭିତରେ ୨୧ ଜନ୍ମର ଅଧିକାରୀ ହେବାର ସମ୍ପତ୍ତି ତୁମ ପିଲାମାନଙ୍କୁ ହିଁ
ମିଳୁଛି । ତେଣୁ ଚାରିଆଡର ଏହିଭଳି ଶ୍ରେଷ୍ଠ ଅଧିକାରୀ ପିଲାମାନଙ୍କୁ ବାପଦାଦା ତଥା ପିତା,
ଶିକ୍ଷକ ଏବଂ ସତ୍ଗୁରୁ ରୂପରେ ଅର୍ଥାତ୍ ତିନୋଟି ରୂପରେ ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ ନମସ୍ତେ
ଦେଉଛନ୍ତି ।
ବରଦାନ:-
ସେବାରେ ବା
ପୁରୁଷାର୍ଥରେ ସଫଳତା ପ୍ରାପ୍ତ କରୁଥିବା ଡବଲ ମୁକୁଟଧାରୀ ଭବ ।
ସଂଗମଯୁଗରେ ସର୍ବଦା
ନିଜକୁ ଡବଲ ମୁକୁଟଧାରୀ ମନେ କରିଚାଲ - ଗୋଟିଏ ହେଲା ଲାଇଟ୍ର ଅର୍ଥାତ୍ ପବିତ୍ରତାର ମୁକୁଟ ଏବଂ
ଦ୍ୱିତୀୟଟି ହେଲା ଦାୟିତ୍ୱର ମୁକୁଟ । ପ୍ୟୁରିଟୀ ଏବଂ ପାୱାର - ଲାଇଟ୍ ଏବଂ ମାଇଟ୍ର ମୁକୁଟ
ଧାରଣ କରୁଥିବା ଆତ୍ମାମାନଙ୍କ ଭିତରେ ସର୍ବଦା ଡବଲ ଫୋର୍ସ ଅର୍ଥାତ୍ ଦୁଇଗୁଣା ଶକ୍ତି ସର୍ବଦା
କାୟମ ରହିଥାଏ । ଏହିଭଳି ଡବଲ ଫୋର୍ସ ବାଲା ଆତ୍ମାମାନେ ସର୍ବଦା ଶକ୍ତିଶାଳୀ ସ୍ଥିତିରେ
ରହିଥାଆନ୍ତି । ସେମାନଙ୍କୁ ସେବାରେ ହେଉ ବା ପୁରୁଷାର୍ଥରେ ହେଉ ସର୍ବଦା ସଫଳତା ପ୍ରାପ୍ତ ହୋଇଥାଏ
।
ସ୍ଲୋଗାନ:-
ଦିବ୍ୟଗୁଣ
ଗୁଡିକ ଆଧାରରେ ମନ-ବଚନ ଏବଂ କର୍ମ କରିବା ହିଁ ଦିବ୍ୟତା ଅଟେ ।
ଅବ୍ୟକ୍ତ ଈଶାରା:- ମହାନ
ହେବା ପାଇଁ ମଧୁରତା ଏବଂ ନମ୍ରତାର ଗୁଣକୁ ଧାରଣ କର । କୌଣସି ବି ଜିନିଷକୁ ପ୍ରଥମେ ଗରମ କରି ନରମ
କରାଯାଏ, ତା’ପରେ ତା’କୁ ଛାଞ୍ଚରେ ପକାଇ ତା’ର ରୂପକୁ ପରିବର୍ତ୍ତନ କରାଯାଇଥାଏ, ସେହିପରି ଏଠାରେ
ମଧ୍ୟ ଗରମ କରିବା ହେଲା ଶକ୍ତି ରୂପରେ ସ୍ଥିତ ହେବା ଏବଂ ନରମ କରିବା ଅର୍ଥ ନମ୍ର ହେବା ଅର୍ଥାତ୍
ସ୍ନେହ ସ୍ୱରୂପରେ ସ୍ଥିତ ହେବା । ଯେଉଁମାନଙ୍କ ଭିତରେ ପ୍ରତ୍ୟେକ ଆତ୍ମାଙ୍କ ପ୍ରତି ସ୍ନେହ ଥିବ
ସେହିମାନେ ହିଁ ନମ୍ରଚିତ୍ତ ସ୍ଥିତିରେ ରହିପାରିବେ । ଯଦି ସ୍ନେହ ନାହିଁ ତେବେ ନା ଦୟାଳୁ
ହୋଇପାରିବେ, ନା ନମ୍ରଚିତ୍ତ ହୋଇପାରିବେ । ତେବେ ଶକ୍ତି ସ୍ୱରୂପ ଭିତରେ ଯେପରି ମାଲିକପଣିଆ ରହିଛି,
ସେହିପରି ନମ୍ରତା ଭିତରେ ସେବାର ଗୁଣ ରହିଛି । ତେଣୁ ଯେତେବେଳେ ଏହିଭଳି ନମ୍ରତା ଏବଂ ଉଷ୍ଣତା (ଗରମ)
ଦୁଇଟି ଯାକ ସ୍ଥିତି କାୟମ ରହିବ, ସେତେବେଳେ ହିଁ ସବୁ କଥାରେ ମୋଲ୍ଡ ହୋଇ ପାରିବ ଅର୍ଥାତ୍ ନିଜକୁ
ଖାପ ଖୁଆଇ ଚଲାଇ ପାରିବ ।