27.03.26          Morning Odia Murli         Om Shanti         BapDada       Madhuban


“ମିଠେ ବଚ୍ଚେ:- ଜ୍ଞାନର ସାଗର ବାବାଙ୍କ ଦ୍ୱାରା ତୁମେମାନେ ମାଷ୍ଟର ଜ୍ଞାନର ସାଗର ହୋଇଛ, ତୁମକୁ ଜ୍ଞାନର ତୃତୀୟ ନେତ୍ର ମିଳିଛି, ସେଥିପାଇଁ ତୁମେ ତ୍ରିନେତ୍ରୀ, ତ୍ରିକାଳଦର୍ଶୀ ଏବଂ ତ୍ରିଲୋକିନାଥ ଅଟ ।”

ପ୍ରଶ୍ନ:-
ସାରା ବିଶ୍ୱର ଆତ୍ମିକ ସେବା ତୁମମାନଙ୍କ ବ୍ୟତୀତ ଆଉ କେହି କରିପାରିବେ ନାହିଁ - କାହିଁକି?

ଉତ୍ତର:-
କାରଣ ତୁମକୁ ହିଁ ପରମ ଆତ୍ମା ଶିବବାବାଙ୍କର ଶକ୍ତି ମିଳିଛି । ପ୍ରଥମେ ତୁମ ଆତ୍ମାମାନଙ୍କୁ ସୁପ୍ରିମ୍ ରୁହ ଅର୍ଥାତ୍ ପରମ ଆତ୍ମାଙ୍କ ଦ୍ୱାରା ଜ୍ଞାନର ଇଞ୍ଜେକ୍‌ସନ୍ ଦିଆଯାଉଛି, ଯାହାଦ୍ୱାରା ତୁମେ ପାଞ୍ଚ ବିକାର ଉପରେ ନିଜେ ମଧ୍ୟ ବିଜୟ ପ୍ରାପ୍ତ କରୁଛ ଏବଂ ଅନ୍ୟମାନଙ୍କୁ ମଧ୍ୟ କରାଉଛ । ଏହିଭଳି ସେବା ଆଉ କେହି କରିପାରିବେ ନାହିଁ । କଳ୍ପ କଳ୍ପ ତୁମେମାନେ ହିଁ ଏହିଭଳି ଆତ୍ମିକ ସେବା କରୁଛ ।

ଓମ୍ ଶାନ୍ତି ।
ତୁମମାନଙ୍କୁ ସର୍ବଦା ବାବାଙ୍କ ସ୍ମୃତିରେ ହିଁ ବସିବାକୁ ହେବ, ଅନ୍ୟ କୌଣସି ଦେହଧାରୀଙ୍କ ସ୍ମୃତିରେ ନୁହେଁ । ଯେଉଁମାନେ ନୂଆ ନୂଆ ଆସୁଛନ୍ତି ସେମାନେ ତ ବାବାଙ୍କୁ ଜାଣି ହିଁ ନାହାନ୍ତି । ବାସ୍ତବରେ ତାଙ୍କର ନାମ ତ’ ବହୁତ ସହଜ ଅଟେ, ଶିବବାବା । ସନ୍ତାନମାନେ ନିଜର ପିତାଙ୍କୁ ଜାଣିନାହାଁନ୍ତି, ଏହା କେତେ ଆଶ୍ଚର୍ଯ୍ୟର କଥା । ଶିବବାବା ତ’ ସର୍ବୋଚ୍ଚ ଏବଂ ସମସ୍ତଙ୍କର ସଦ୍‌ଗତି ଦାତା ଅଟନ୍ତି । ତାଙ୍କୁ ସମସ୍ତ ପତିତମାନଙ୍କର ପାବନକର୍ତ୍ତା, ସମସ୍ତଙ୍କର ଦୁଃଖହର୍ତ୍ତା ମଧ୍ୟ କହୁଛନ୍ତି, କିନ୍ତୁ ସିଏ କିଏ ଏକଥା କେବଳ ତୁମେ ବି.କେ.ମାନଙ୍କ ବ୍ୟତୀତ ଆଉ କେହି ବି ଜାଣି ନାହାଁନ୍ତି । ତୁମେମାନେ ତାଙ୍କର ନାତି, ନାତୁଣୀ । ତେଣୁ ନିଶ୍ଚିତ ଭାବରେ ନିଜର ପିତା ଏବଂ ତାଙ୍କର ରଚନାର ଆଦି-ମଧ୍ୟ-ଅନ୍ତକୁ ତ’ ଜାଣିଥିବ! ଏବେ ବାବାଙ୍କ ଦ୍ୱାରା ପିଲାମାନେ ସବୁକିଛି ଜାଣିଯାଉଛନ୍ତି । ଏହା ତ’ ପତିତ ଦୁନିଆ ଅଟେ । ସମସ୍ତ କଳିଯୁଗୀ ପତିତମାନଙ୍କୁ ସତ୍ୟଯୁଗୀ ପବିତ୍ର କିପରି କରୁଛନ୍ତି, ତାହା ତ କେବଳ ବି.କେ.ମାନଙ୍କ ବ୍ୟତୀତ ଆଉ କେହି ବି ଜାଣିନାହାଁନ୍ତି । ଏକମାତ୍ର ବାବା ହିଁ କଳିଯୁଗର ଦୁର୍ଗତିରୁ ମୁକ୍ତ କରି ସତ୍ୟଯୁଗୀ ସଦ୍‌ଗତିକୁ ପ୍ରାପ୍ତ କରାଇଥା’ନ୍ତି । ଶିବ ଜୟନ୍ତୀ ମଧ୍ୟ ଭାରତରେ ହିଁ ପାଳନ ହୋଇଥାଏ । ତେବେ ସିଏ ନିଶ୍ଚିତ ଭାବରେ ଭାରତକୁ ଆସିଥା’ନ୍ତି, କିନ୍ତୁ ଆସି କ’ଣ ଦେଉଛନ୍ତି ତାହା ଭାରତବାସୀ ଜାଣିନାହାଁନ୍ତି । ପ୍ରତିବର୍ଷ ଶିବ ଜୟନ୍ତୀ ପାଳନ କରୁଛନ୍ତି କିନ୍ତୁ ଜ୍ଞାନର ତୃତୀୟ ନେତ୍ର ନାହିଁ ସେଥିପାଇଁ ବାବାଙ୍କୁ ଜାଣିନାହାଁନ୍ତି ।

ଗୀତ:- ନୟନ ହୀନ୍‌କୋ ରାହ ଦିଖାଓ...

“ଆମେ ସବୁ ନୟନହୀନ”, ଏହା ମନୁଷ୍ୟମାନଙ୍କ ଦ୍ୱାରା ରଚିତ କବିତା ବା ଗୀତ ଅଟେ । ଏହି ସ୍ଥୂଳ ନୟନ ତ’ ସମସ୍ତଙ୍କର ଅଛି କିନ୍ତୁ ନିଜକୁ ନୟନହୀନ ବୋଲି କାହିଁକି କହୁଛନ୍ତି? ସେକଥା ବାବା ବୁଝାଉଛନ୍ତି, ତୁମର ଜ୍ଞାନର ତୃତୀୟ ନେତ୍ର ନାହିଁ । ତେବେ ନିଜର ପିତାଙ୍କୁ ନ ଜାଣିବା ହିଁ ଅଜ୍ଞାନତା ଅଟେ । ବାବାଙ୍କୁ ବାବାଙ୍କ ଦ୍ୱାରା ଜାଣିବା ହିଁ ହେଉଛି ଜ୍ଞାନ । ବାବା ଏବେ ତୁମମାନଙ୍କୁ ଜ୍ଞାନର ତୃତୀୟ ନେତ୍ର ଦେଉଛନ୍ତି ଯାହାଦ୍ୱାରା ତୁମେ ସମ୍ପୂର୍ଣ୍ଣ ରଚନାର ଆଦି-ମଧ୍ୟ-ଅନ୍ତକୁ ଜାଣିଯାଉଛ । ଜ୍ଞାନ ସାଗରଙ୍କର ସନ୍ତାନ ମାଷ୍ଟର ଜ୍ଞାନର ସାଗର ହୋଇଯାଉଛ । ତୃତୀୟ ନେତ୍ର ମିଳିବା ଅର୍ଥ ହିଁ ତ୍ରିନେତ୍ରୀ, ତ୍ରିକାଳଦର୍ଶୀ, ତ୍ରିଲୋକୀନାଥ ହୋଇଯିବା । ଭାରତବାସୀ ଏକଥା ଜାଣିନାହାନ୍ତି ଯେ, ଏହି ଲକ୍ଷ୍ମୀ-ନାରାୟଣ ଯିଏକି ସତ୍ୟଯୁଗର ମାଲିକ ଥିଲେ, ଏମାନଙ୍କୁ ଏହି ବର୍ସା କିପରି ମିଳିଲା? ସେମାନେ ଏହି ସୃଷ୍ଟିକୁ କେବେ ଆସିଥିଲେ? ପୁଣି କୁଆଡେ ଗଲେ? କିପରି ରାଜ୍ୟ ନେଲେ? କିଛି ବି ଜାଣିନାହାଁନ୍ତି । ଏହି ଦେବତାମାନେ ତ ପାବନ ଅଟନ୍ତି ନା । ତେବେ ସେମାନଙ୍କୁ ପାବନ ତ’ ନିଶ୍ଚିତ ବାବା ହିଁ କରିଥିବେ ।

ତୁମ ଭାରତବାସୀମାନଙ୍କୁ ବାବା ହିଁ ଆସି ବୁଝାଉଛନ୍ତି, ଯେଉଁମାନେ କି ଦେବତାମାନଙ୍କୁ ଏବଂ ଶିବଙ୍କୁ ମାନୁଛନ୍ତି । ଶିବଙ୍କର ଜନ୍ମ ମଧ୍ୟ ଭାରତରେ ହିଁ ହୋଇଥିଲା । ଭଗବାନ ତ ସର୍ବୋଚ୍ଚ । ଶିବଜୟନ୍ତୀ ମଧ୍ୟ ଏହିଠାରେ ପାଳନ କରୁଛନ୍ତି । ଜଗତଅମ୍ବା, ଜଗତପିତା ବ୍ରହ୍ମା ଏବଂ ସରସ୍ୱତୀଙ୍କର ଜନ୍ମ ମଧ୍ୟ ଏହିଠାରେ ହିଁ ହେଉଛି । ଲକ୍ଷ୍ମୀ-ନାରାୟଣଙ୍କର ଜନ୍ମ ମଧ୍ୟ ଏହିଠାରେ ହିଁ ହୋଇଥାଏ, ସେଇମାନେ ହିଁ ରାଧାକୃଷ୍ଣ ଅଟନ୍ତି, ଏକଥା ମଧ୍ୟ ଭାରତବାସୀ ଜାଣିନାହାଁନ୍ତି । କହୁଛନ୍ତି, ହେ ପତିତ ପାବନ ଆସ, ତେବେ ନିଶ୍ଚିତ ସମସ୍ତେ ପତିତ । ସାଧୁ ସନ୍ଥ ଋଷି ମୁନି ଆଦି ସମସ୍ତେ ଡାକୁଛନ୍ତି, ଆମକୁ ପାବନ କରିବା ପାଇଁ ଆସ । ଅନ୍ୟ ପଟେ ପୁଣି ପାପ ଧୋଇବା ପାଇଁ କୁମ୍ଭମେଳା ଆଦିକୁ ଯାଉଛନ୍ତି । ଭାବୁଛନ୍ତି ଗଙ୍ଗା ହେଉଛି ପତିତ-ପାବନୀ । ଯଦି ଡାକୁଛନ୍ତି, ହେ ପତିତ-ପାବନ ଆସ, ତେବେ ମନୁଷ୍ୟ କିପରି କାହାକୁ ପାବନ କରିପାରିବେ? ବାବା ବୁଝାଉଛନ୍ତି, ତୁମେ ପ୍ରଥମେ ଦେବୀ-ଦେବତା ଧର୍ମର ଥିଲ, ସେତେବେଳେ ସମସ୍ତେ ପାବନ ଥିଲ । ଏବେ ପତିତ ହୋଇଯାଇଛ । ଏକଥା ମଧ୍ୟ କହୁଛନ୍ତି ଯେ, ରାସ୍ତା ଦେଖାଅ ପ୍ରଭୁ । ତେବେ କେଉଁ ରାସ୍ତା? କହୁଛନ୍ତି, ବାବା ଆମକୁ ଜୀବନମୁକ୍ତିର ରାସ୍ତା ଦେଖାଅ । ଆମ ଭିତରେ ପାଞ୍ଚ ବିକାର ଭରି ରହିଛି । ବାବା ଆମେ ଯେତେବେଳେ ସବୁ ସ୍ୱର୍ଗରେ ଥିଲୁ, ସେତେବେଳେ ନିର୍ବିକାରୀ ଥିଲୁ । ଏବେ ବିକାରୀ ପତିତ ହୋଇଯାଇଛୁ, ଏହାର କିଛି ରହସ୍ୟ ତ’ ଶୁଣାଅ । ଏହା କୌଣସି ମନଗଢ଼ା କାହାଣୀ ନୁହେଁ । ବାବା ବୁଝାଉଛନ୍ତି - ଏହା ହିଁ ଶ୍ରୀମତ ଭଗବତ୍ ଗୀତା ଅଥବା ପରମାତ୍ମାଙ୍କ ଦ୍ୱାରା ଶୁଣାଯାଇଥିବା ଗୀତା ଅଟେ । ନିରାକାର ଭଗବାନ ହିଁ ପତିତମାନଙ୍କୁ ପାବନ କରିଥା’ନ୍ତି । ତେଣୁ ମନୁଷ୍ୟଙ୍କୁ ଭଗବାନ କୁହାଯାଇପାରିବ ନାହିଁ । ବାବା କହୁଛନ୍ତି - ଏତେ ବଡ ବଡ ଗୁରୁମାନେ ଥାଇ ମଧ୍ୟ ଭାରତ ଏତେ ପତିତ କଉଡି ଭଳି କାହିଁକି ହୋଇଯାଇଛି । ଏହା କାଲିର କଥା ଯେବେକି ଭାରତ ସ୍ୱର୍ଗ ଥିଲା । ବାବା ହିଁ ଭାରତକୁ ସ୍ୱର୍ଗର ଉପହାର ଦେଇଥିଲେ । ପତିତ ଭାରତବାସୀମାନଙ୍କୁ ଆସି ରାଜଯୋଗର ଶିକ୍ଷା ଦେଇ ପବିତ୍ର କରିଥିଲେ । ପୁଣି ବାବା ଏବେ ପିଲାମାନଙ୍କ ପାଖକୁ ସେବାଧାରୀ ହୋଇ ଆସିଛନ୍ତି । ବାବା ହେଲେ ଆତ୍ମିକ ସେବାଧାରୀ । ବାକି ସବୁ ମନୁଷ୍ୟ ମାତ୍ରକେ ହେଲେ ଶାରିରୀକ ସେବାଧାରୀ । ସନ୍ନ୍ୟାସୀମାନେ ମଧ୍ୟ ଶାରୀରିକ ସେବାଧାରୀ ଅଟନ୍ତି । ସେମାନେ ପୁସ୍ତକ (ଶାସ୍ତ୍ର) ଆଦି ଶୁଣାଇଥା’ନ୍ତି । ବାବା କହୁଛନ୍ତି, ମୁଁ ନିରାକାର ସାକାର ସାଧାରଣ ବୃଦ୍ଧ ଶରୀରରେ ପ୍ରବେଶ କରି ପିଲାମାନଙ୍କୁ ବୁଝାଉଛି । ହେ ଭାରତବାସୀ ପିଲାମାନେ, ଦେଖ ଆତ୍ମାର ପିତା ଆତ୍ମାମାନଙ୍କୁ ଆସି ବୁଝାଉଛନ୍ତି । ବ୍ରହ୍ମା ଶୁଣାଉନାହାଁନ୍ତି କିନ୍ତୁ ନିରାକାର ପିତା ଏହି ଶରୀରର ଆଧାର ନେଉଛନ୍ତି । ଶିବଙ୍କର ତ’ ନିଜର ଶରୀର ନାହିଁ । ଶାଳଗ୍ରାମ ଆତ୍ମାମାନଙ୍କର ତ’ ନିଜର ଶରୀର ଅଛି । ଯେଉଁମାନେ କି ପୁନର୍ଜନ୍ମରେ ଆସି ଆସି ପତିତ ହୋଇଯାଉଛନ୍ତି । ଏବେ ତ’ ସାରା ଦୁନିଆ ପତିତ । ଏଠାରେ ତ କେହି ଜଣେ ବି ପବିତ୍ର ନାହାଁନ୍ତି । ତୁମେମାନେ ସତ୍ତ୍ୱପ୍ରଧାନ ଥିଲ ପୁଣି ବିକାରର ଖାଦ ମିଶିବା କାରଣରୁ ସତ୍ତ୍ୱ ଅବସ୍ଥାରୁ ରଜୋ, ତମୋକୁ ଆସିଛ । ତୁମ ଭାରତବାସୀମାନଙ୍କ ନିକଟରେ ଶିବବାବା ଆସି ଶରୀର ଧାରଣ କରୁଛନ୍ତି ଯାହାଙ୍କୁ ଭାଗୀରଥ ମଧ୍ୟ କହୁଛନ୍ତି । ମନ୍ଦିରରେ ଶଙ୍କରଙ୍କର ଚିତ୍ର ଦେଖାଇଛନ୍ତି, କାରଣ ସେମାନେ ଶିବ ଶଙ୍କରକୁ ଏକ ବୋଲି ଭାବି ନେଇଛନ୍ତି । ଏକଥା ବୁଝିନାହାନ୍ତି ଯେ ଶିବ ତ’ ନିରାକାର ଏବଂ ଶଙ୍କର ଆକାରୀ ଅଟନ୍ତି । ତେବେ ଶିବ ଶଙ୍କରଙ୍କୁ ଏକାଠି କିପରି କହୁଛ । ଆଚ୍ଛା ପୁଣି ବୃଷଭ (ବଳଦ) ଉପରେ ଆରୋହଣ କିଏ କରୁଛନ୍ତି । ଶିବ ନା ଶଙ୍କର? ସୂକ୍ଷଲୋକରେ ବୃଷଭ କେଉଁଠୁ ଆସିଲା? ଶିବ ତ’ ବ୍ରହ୍ମଲୋକରେ ରୁହନ୍ତି ଏବଂ ଶଙ୍କର ରୁହନ୍ତି ସୂକ୍ଷ୍ମଲୋକରେ । ବ୍ରହ୍ମଲୋକରେ ସମସ୍ତ ଆତ୍ମାମାନେ ମଧ୍ୟ ଅଛନ୍ତି । ସୂକ୍ଷ୍ମଲୋକରେ ତ’କେବଳ ବ୍ରହ୍ମା, ବିଷ୍ଣୁ, ଶଙ୍କର ଅଛନ୍ତି, ସେଠାରେ କୌଣସି ଜୀବଜନ୍ତୁ ନାହାନ୍ତି । ବାବା କହୁଛନ୍ତି ମୁଁ ସାଧାରଣ ବୃଦ୍ଧ ଶରୀରରେ ପ୍ରବେଶ କରି ତୁମମାନଙ୍କୁ ବୁଝାଉଛି । ତୁମେ ପିଲାମାନେ ନିଜର ଜନ୍ମକୁ ଜାଣିନାହଁ । ସତ୍ୟଯୁଗରୁ ଆରମ୍ଭ କରି ତୁମେ କେତେ ଜନ୍ମ ନେଇଛ? ୮୪ ଜନ୍ମ । ବର୍ତ୍ତମାନ ଏହା ହେଉଛି ଶେଷ ଜନ୍ମ । ଭାରତ ଯିଏକି ଅମରଲୋକ ପାବନ ଥିଲା, ତାହା ଏବେ ମୃତ୍ୟଲୋକ ପତିତ ହୋଇଯାଇଛି । ସମସ୍ତଙ୍କର ସଦ୍‌ଗତିଦାତା ତ’ ଜଣେ ନା । ରୁଦ୍ରମାଳା ମଧ୍ୟ ପରମପିତା ପରମାତ୍ମା ଶିବଙ୍କର । ଶ୍ରୀ ଶ୍ରୀ ୧୦୮ ରୁଦ୍ରମାଳା କୁହାଯାଏ । ତେବେ ସମସ୍ତେ ଶିବଙ୍କର ଗଳାର ହାର ଅଟନ୍ତି । ବାବା ତ’ ପତିତ-ପାବନ, ସମସ୍ତଙ୍କର ସଦ୍‌ଗତିଦାତା, ସମସ୍ତଙ୍କୁ ବର୍ସା ଦେଉଛନ୍ତି । ଲୌକିକ ପିତାଙ୍କଠାରୁ ହଦର ବର୍ସା ମିଳିଥାଏ ଯାହାକୁ ସନ୍ନ୍ୟାସୀମାନେ କାକବିଷ୍ଠା ସମାନ ସୁଖ ବୋଲି ଭାବିଥା’ନ୍ତି । ବାବା କହୁଛନ୍ତି, ତୁମର ଏହି ଦୁନିଆର ସୁଖ ନିଶ୍ଚିତ କାକ ବିଷ୍ଠା ସମାନ ଅଟେ । ବାବା ହିଁ ଏଠାକୁ ଆସି ଏହି ଜ୍ଞାନର ଆଧାରରେ ପତିତମାନଙ୍କୁ ପାବନ ବା କଣ୍ଟାକୁ ଫୁଲ କରୁଛନ୍ତି । ଏହା ଗୀତାର ଜ୍ଞାନ ଅଟେ । ଏହି ଜ୍ଞାନକୁ କେହି ମନୁଷ୍ୟ ବୁଝାଇପାରିବେ ନାହିଁ । ଜ୍ଞାନର ସାଗର ପତିତ ପାବନ ବାବା ହିଁ ବୁଝାଇପାରିବେ । ବାବାଙ୍କଠାରୁ ହିଁ ସମ୍ପତ୍ତି ମିଳୁଛି, ଯାହାକି ତୁମେମାନେ ନେଉଛ । ତୁମେ ହିଁ କେବଳ ସଦ୍‌ଗତି ଆଡକୁ ଯାଉଛ । ଏବେ ତ’ ତୁମେମାନେ ସଙ୍ଗମଯୁଗରେ ଅଛ ସେମାନେ କଳିଯୁଗରେ ଅଛନ୍ତି । ଏବେ ହେଲା କଳିଯୁଗର ଅନ୍ତିମ ସମୟ । ମହାଭାରତ ଲଢ଼େଇ ମଧ୍ୟ ସମ୍ମୁଖରେ ଉପସ୍ଥିତ । ୫୦୦୦ ବର୍ଷ ପୂର୍ବେ ମଧ୍ୟ ଯେତେବେଳେ ତୁମେ ରାଜଯୋଗର ଶିକ୍ଷା ନେଉଥିଲ, ସେତେବେଳେ ମଧ୍ୟ ଏହି ପୁରୁଣା ଦୁନିଆ ରୂପୀ ପାଳଗଦାକୁ ନିଆଁ ଲାଗିଥିଲା । ଏହିଭଳି ଲକ୍ଷ୍ମୀ-ନାରାୟଣ ହେବା ପାଇଁ ଏବେ ତୁମେମାନେ ରାଜଯୋଗ ଶିଖୁଛ । ବାକି ସବୁ ହେଲା ଭକ୍ତିମାର୍ଗ । ବାବା ଯେତେବେଳେ ଆସୁଛନ୍ତି ସେତେବେଳେ ସ୍ୱର୍ଗର ଦ୍ୱାର ଖୋଲୁଛନ୍ତି । ବାବା କହୁଛନ୍ତି ଏହି ଶିବଶକ୍ତି ଭାରତମାତାମାନେ ତ’ ଶ୍ରୀମତ ଆଧାରରେ ଭାରତକୁ ସ୍ୱର୍ଗ କରୁଛନ୍ତି । ତୁମେମାନେ ହେଉଛ ଶିବ ଶକ୍ତି ଭାରତମାତା, ଯିଏକି ଭାରତକୁ ସ୍ୱର୍ଗରେ ପରିଣତ କରୁଛ । ତୁମେମାନେ ଶିବଙ୍କର ହିଁ ସନ୍ତାନ ଅଟ, ସେଥିପାଇଁ ତାଙ୍କୁ ହିଁ ସ୍ମରଣ କରୁଛ । ଶିବଙ୍କଠାରୁ ଶକ୍ତି ନେଇ ପାଞ୍ଚ ବିକାର ରୂପୀ ଶତ୍ରୁମାନଙ୍କ ଉପରେ ବିଜୟ ପ୍ରାପ୍ତ କରୁଛ । ତୁମେମାନେ ୫୦୦୦ ବର୍ଷ ପୂର୍ବେ ମଧ୍ୟ ଭାରତର ଆତ୍ମିକ ସେବା କରିଥିଲ । ଦୁନିଆର ସମାଜ ସେବୀମାନେ ଶାରିରୀକ ସେବା କରୁଛନ୍ତି । ଏହା ହେଲା ଆତ୍ମିକ ସେବା । ପରମପିତା ଆସି ଆତ୍ମାମାନଙ୍କୁ ଜ୍ଞାନର ଇଞ୍ଜେକ୍‌ସନ୍ ଦେଉଛନ୍ତି ଅର୍ଥାତ୍ ରାଜଯୋଗର ପାଠ ପଢ଼ାଉଛନ୍ତି । ଏସବୁ କଥା ଆତ୍ମା ହିଁ ଶୁଣୁଛି । ତୁମେମାନେ ଆତ୍ମା ଅଟ । ତୁମେ ହିଁ ୮୪ ଜନ୍ମ ନେଉଛ । ଗୋଟିଏ ଶରୀର ଛାଡି ଆଉ ଗୋଟିଏ ନେଉଛ । ୮୪ ଜନ୍ମ ନେଇ ୮୪ ମା-ବାପା କରିଛ । ସତ୍ୟଯୁଗ ତ୍ରେତା ଯୁଗରେ ତୁମେମାନେ ସ୍ୱର୍ଗର ସୁଖ ପାଇଥିଲ । ଏବେ ପୁଣି ବେହଦର ବାବାଙ୍କ ଦ୍ୱାରା ସୁଖର ବର୍ସା ନେଉଛ । ନିଶ୍ଚିତ ଭାବରେ ଭାରତରେ ଏହି ଲକ୍ଷ୍ମୀ-ନାରାୟଣଙ୍କର ରାଜ୍ୟ ଥିଲା । ସେଠାରେ ଅସୁର ଆଦି କେହି ନଥିଲେ । ତୁମେ ଜାଣିଛ ଏବେ ଏହି ପୁରୁଣା ଦୁନିଆକୁ ନିଆଁ ଲାଗିବ । ମୁଁ ଆସି ଜ୍ଞାନ ଯଜ୍ଞ ରଚନା କରୁଛି । ଯାହାଦ୍ୱାରା ତୁମେ ସବୁ ପବିତ୍ର ଦେବତା ହେଉଛ । ହଜାର ହଜାର ଆତ୍ମା ଅଛନ୍ତି, ଯେଉଁମାନେ ଦେବତା ହେବାର ପୁରୁଷାର୍ଥ କରୁଛନ୍ତି । ବାବା ପିଲାମାନଙ୍କର ସଦ୍‌ଗତି କରିବା ପାଇଁ ଆସିଛନ୍ତି । ତୁମମାନଙ୍କୁ କଣ୍ଟାରୁ ଫୁଲ କରୁଛନ୍ତି । ତୁମମାନଙ୍କୁ ଜ୍ଞାନର ତୃତୀୟ ନେତ୍ର ଦେଉଛନ୍ତି ଯାହାଦ୍ୱାରା ତୁମେ ସାରା ଡ୍ରାମାକୁ, ଶିବବାବାଙ୍କର କିପରି ପାର୍ଟ ଚାଲିଛି, ସବୁକିଛି ଜାଣିପାରୁଛ । ବ୍ରହ୍ମା ଏବଂ ବିଷ୍ଣୁଙ୍କର ସମ୍ପର୍କ କ’ଣ, ତାହା ମଧ୍ୟ ଜାଣିଛ । ଭକ୍ତିରେ ଦେଖାଉଛନ୍ତି ଯେ, ବିଷ୍ଣୁଙ୍କ ନାଭିରୁ ବ୍ରହ୍ମା ବାହାରିଛନ୍ତି । କାରଣ ବ୍ରହ୍ମା ହିଁ ସେଠାରେ ଯାଇ ବିଷ୍ଣୁ ହେଉଛନ୍ତି । ବ୍ରାହ୍ମଣମାନେ ହିଁ ପୁଣି ଦେବତା ହେଉଛନ୍ତି । ବିଷ୍ଣୁରୁ ବ୍ରହ୍ମା ହେବା ପାଇଁ ୫୦୦୦ ବର୍ଷ ଲାଗିଲା, ଏକଥା କେବଳ ତୁମକୁ ଜଣାଅଛି । ତୁମ ବ୍ରାହ୍ମଣମାନଙ୍କର ନାଭି କମଳରୁ ବିଷ୍ଣୁପୁରୀର ପ୍ରଗଟ ହେଉଛି । ସେମାନେ ତ କେବଳ ଚିତ୍ର ତିଆରି କରିଦେଇଛନ୍ତି ଯେ, ବିଷ୍ଣୁଙ୍କ ନାଭିରୁ ବ୍ରହ୍ମା ବାହାରିଲେ । ପୁଣି ସମସ୍ତ ବେଦଶାସ୍ତ୍ରର ସାର କଥା ଶୁଣାଇଲେ । ଏବେ ତୁମେ ବ୍ରହ୍ମାଙ୍କ ଦ୍ୱାରା ସମସ୍ତ ସାରକଥାକୁ ଜାଣୁଛ । ବାବା କହୁଛନ୍ତି, ମୁଖ୍ୟ ଧର୍ମଶାସ୍ତ୍ର ହେଲା ୪ଟି । ପ୍ରଥମ ଦୈବୀ ଧର୍ମର ଶାସ୍ତ୍ର ହେଲା ଗୀତା । ଗୀତା କିଏ ଶୁଣାଇଛନ୍ତି? ଶିବବାବା । ଜ୍ଞାନର ସାଗର ପତିତ-ପାବନ, ସୁଖର ସାଗର ଶିବବାବା ହିଁ ଅଟନ୍ତି । ସିଏ ଆସି ଭାରତକୁ ସ୍ୱର୍ଗ କରିଥିଲେ, ନା କି ଶ୍ରୀକୃଷ୍ଣ । ଶ୍ରୀକୃଷ୍ଣ ତ’ ମୋ’ଦ୍ୱାରା ଜ୍ଞାନ ଶୁଣି ପୁନର୍ବାର ଶ୍ରୀକୃଷ୍ଣ ହେଲେ । ତେବେ ଏହା ଗୁପ୍ତ କଥା ହେଲା ନା । ନୂଆ ନୂଆ ପିଲାମାନେ ଏହିସବୁ କଥାକୁ ବୁଝିପାରିବେ ନାହିଁ । ଶିବବାବା ହିଁ ସ୍ୱର୍ଗର ସ୍ଥାପନା କରିଥିଲେ । ଯେଉଁଠାରେ ଏହି ଲକ୍ଷ୍ମୀ-ନାରାୟଣ ରାଜତ୍ୱ କରୁଥିଲେ । ଏବେ ତୁମେ ମନୁଷ୍ୟରୁ ଦେବତା ହେଉଛ । ବାବା କହୁଛନ୍ତି, ଏହି ମୃତ୍ୟୁଲୋକ ଦୁଃଖଧାମରେ ତୁମର ଏହା ଅନ୍ତିମ ଜନ୍ମ ଅଟେ । ଭାରତ ଅମର ଲୋକ ଥିଲା । ସେଠାରେ ଦୁଃଖର ନାମ ନଥିଲା । ଭାରତ ପରିସ୍ତାନ ଥିଲା, ଏବେ କବରସ୍ତାନ ଅର୍ଥାତ୍ ଶ୍ମଶାନ ଭୂମି ପାଲଟି ଯାଇଛି, ପୁଣି ପରିସ୍ତାନ ହେବ । ଏସବୁ ହେଲା ବୁଝିବାର କଥା । ଏହା ହେଲା ମନୁଷ୍ୟରୁ ଦେବତା ହେବାର ପାଠଶାଳା । ଏହା କୌଣସି ସନ୍ନ୍ୟାସୀମାନଙ୍କର ସତ୍‌ସଙ୍ଗ ନୁହେଁ, ଯେଉଁଠି ଶାସ୍ତ୍ର ଶୁଣାଯାଉଛି । ଏହିସବୁ କଥାକୁ କେହି ନୂଆ ବୁଝିପାରିବେ ନାହିଁ ଯେ ପର୍ଯ୍ୟନ୍ତ ୭ ଦିନର କୋର୍ସ ନ କରିଛନ୍ତି । ବର୍ତ୍ତମାନ ତ ସବୁ ମନୁଷ୍ୟ ମାତ୍ରକେ ଭକ୍ତ ଅଟନ୍ତି, ସେମାନଙ୍କର ଆତ୍ମା ମଧ୍ୟ ତାଙ୍କୁ ହିଁ ସ୍ମରଣ କରୁଛି । ସମସ୍ତେ ସେହି ଏକମାତ୍ର ପରମାତ୍ମା ପ୍ରେମିକଙ୍କର ପ୍ରେମିକା ଅଟନ୍ତି ।

ବାବା ଆସି ସତ୍ୟଖଣ୍ଡ ତିଆରି କରୁଛନ୍ତି । ଅଧାକଳ୍ପ ପରେ ପୁଣି ରାବଣ ଆସି ମିଥ୍ୟାଖଣ୍ଡ କରିଦେଉଛି । ଏବେ ହେଲା ସଙ୍ଗମ । ଏ ସବୁ ବୁଝିବାର କଥା ଅଟେ । ଆଚ୍ଛା —

ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ ସୁପ୍ରଭାତ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।

ଧାରଣା ପାଇଁ ମୁଖ୍ୟ ସାର :—
(୧) ବାବାଙ୍କର ଶ୍ରୀମତ ଆଧାରରେ ଭାରତର ସଚ୍ଚା ସଚ୍ଚା ଆତ୍ମିକ ସେବା କରିବାକୁ ହେବ । ସର୍ବଶକ୍ତିମାନ ବାବାଙ୍କଠାରୁ ଶକ୍ତି ନେଇ ୫ ବିକାର ରୂପୀ ଶତ୍ରୁ ଉପରେ ବିଜୟ ପ୍ରାପ୍ତ କରିବାକୁ ହେବ ।

(୨) ମନୁଷ୍ୟରୁ ଦେବତା ହେବା ପାଇଁ ପବିତ୍ର ନିଶ୍ଚିତ ହେବାକୁ ପଡିବ । ଜ୍ଞାନକୁ ଜୀବନରେ ଧାରଣ କରି କଣ୍ଟାରୁ ଫୁଲ ହେବାକୁ ପଡିବ ଏବଂ ଅନ୍ୟମାନଙ୍କୁ କରିବାକୁ ପଡିବ ।

ବରଦାନ:-
ବିନାଶ ସମୟରେ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେଉଥିବା ଆକାରୀ ଲାଇଟ୍ ରୂପଧାରୀ ଭବ ।

ବିନାଶ ସମୟରେ ପରୀକ୍ଷାରେ ପାସ୍ ହେବା ପାଇଁ ବା ସର୍ବ ପରିସ୍ଥିତି ଗୁଡିକୁ ସାମନା କରିବା ପାଇଁ ଆକାରୀ ଲାଇଟ୍ ରୂପଧାରୀ ହୁଅ । ଯଦି ଚାଲିବା ବୁଲିବା ସମୟରେ ଲାଇଟ୍ ହାଉସ୍ ହୋଇଯିବ ତେବେ ତୁମମାନଙ୍କର ଏହି ରୂପ ଅର୍ଥାତ୍ ଶରୀର ଦେଖାଯିବ ନାହିଁ । ଯେପରି କୌଣସି ଅଭିନୟ କରିବା ସମୟରେ ସେହି ଅନୁରୁପକ ବସ୍ତ୍ର ଧାରଣ କରିଥାଆନ୍ତି ଏବଂ କାର୍ଯ୍ୟ ସମାପ୍ତ ହେବା ପରେ ବସ୍ତ୍ରକୁ ଓହ୍ଲାଇ ଦିଅନ୍ତି, ସେହିପରି ଗୋଟିଏ ସେକେଣ୍ଡ ଭିତରେ ଧାରଣ କର ଏବଂ ଆଉ ଗୋଟିଏ ସେକେଣ୍ଡରେ ତା’ଠାରୁ ଅଲଗା ହୋଇଯାଅ - ଯେତେବେଳେ ଏହିଭଳି ଅଭ୍ୟାସ ହୋଇଯିବ ସେତେବେଳେ ଦେଖିବାବାଲା ଅନୁଭବ କରିବେ ଯେ ଇଏ ଲାଇଟ୍‌ର ବସ୍ତ୍ରଧାରୀ ଅଟନ୍ତି, ଲାଇଟ୍ ହିଁ ୟାଙ୍କର ଶୃଙ୍ଗାର ଅଟେ ।

ସ୍ଲୋଗାନ:-
ଉମଙ୍ଗ-ଉତ୍ସାହର ଡେଣା ଯଦି ସର୍ବଦା ସାଥୀରେ ରହିଥିବ ତେବେ ସବୁ କାର୍ଯ୍ୟରେ ସଫଳତା ସହଜରେ ମିଳିଯିବ ।

ଅବ୍ୟକ୍ତ ଈଶାରା:- ନିଶ୍ଚୟର ମୂଳଦୁଆକୁ ମଜବୁତ କରି ସର୍ବଦା ନିର୍ଭୟ ଏବଂ ନିଶ୍ଚିନ୍ତ ରୁହ ।

ଯେହେତୁ ବାବା ସର୍ବଶକ୍ତିବାନ୍ ଅଟନ୍ତି ତେଣୁ ତାଙ୍କର ହାତ ଧରିବାବାଲା ମଧ୍ୟ ନିଶ୍ଚିତ ପହଞ୍ଚି ଯିବେ - ଏହି ବିଶ୍ୱାସ ରଖ । ହୁଏତ ନିଜେ ଦୁର୍ବଳ ବି ହୋଇଥାଇ ପାର କିନ୍ତୁ ତୁମର ସାଥୀ ତ ମଜବୁତ ଅଟନ୍ତି ନା! ସେଥିପାଇଁ ପାରି ହୋଇଯିବା ସୁନିଶ୍ଚିତ ଅଟେ । ସର୍ବଦା ଏହି ସ୍ମୃତିରେ ରୁହ ଯେ ମୁଁ ନିଶ୍ଚୟ ବୁଦ୍ଧି ବିଜୟୀ ରତ୍ନ ଅଟେ । ବିତିଯାଇଥିବା କଥାକୁ ବିନ୍ଦୁ ଲଗାଇ ଆଗକୁ ବଢିଚାଲ ।

ବିଶେଷ ସୂଚନା:- ଆଜି ପ୍ରୀୟ ବାପଦାଦାଙ୍କର ଅତି ସ୍ନେହୀ, ଦେଶ-ବିଦେଶର ସର୍ବ ବ୍ରାହ୍ମଣ ପରିବାରର ଜାନ୍ (ଜୀବନ), ଆମ ସମସ୍ତଙ୍କ ହୃଦୟରେ ରାଜ୍ୟ କରୁଥିବା ମିଠି ଦାଦୀ ଜାନକୀ ଜୀଙ୍କର ପୂଣ୍ୟ ତିଥି ଦିବସ । ଦାଦିଜୀ ୧୦୪ ବର୍ଷ ବୟସ ପର୍ଯ୍ୟନ୍ତ ବିଦେହୀ ଏବଂ ଜୀବନମୁକ୍ତ ସ୍ଥିତିରେ ରହି ଜ୍ଞାନ ଦାନ କରିବା ସହିତ ଗୁଣ ଦାନ କରି ପୂରା ପରିବାରର ଅଲୌକିକ ପାଳନା କରିଛନ୍ତି । ତାଙ୍କର ସାର ଗର୍ଭିତ ଅନେକ ଜ୍ଞାନର ଗୁହ୍ୟ ରହସ୍ୟଯୁକ୍ତ କ୍ଲାସ ସମସ୍ତଙ୍କର ମାର୍ଗଦର୍ଶନ କରି ଆସିଛ । ଆଜି ପର୍ଯ୍ୟନ୍ତ ମଧ୍ୟ ତାଙ୍କର ଛତ୍ରଛାୟା ଏବଂ ତାଙ୍କ ଦ୍ୱାରା ମିଳିଥିବା ବହୁମୂଲ୍ୟ ଶିକ୍ଷାଗୁଡିକ ଅନେକ ବ୍ରହ୍ମା ବତ୍ସଙ୍କ କାନରେ ବାଜୁଛି । ଦାଦିଜୀ ସତ୍ୟତା, ସ୍ୱଚ୍ଛତା ଏବଂ ସରଳତାର ପ୍ରତିମୂ୍‌ର୍ତ୍ତି ଥିଲେ । ଦାଦୀଜୀଙ୍କ ଦ୍ୱାରା ମିଳିଥିବା ଅନେକ ବହୁମୂଲ୍ୟ ଶିକ୍ଷା ଭିତରୁ କିଛି ଶିକ୍ଷା ଲେଖୁଅଛୁ, ସମସ୍ତଙ୍କୁ ଏହି ଶିକ୍ଷା ଗୁଡିକୁ ନିଜ ଜୀବନରେ ଧାରଣ କରିବାକୁ ହେବ ।

(୧) ନିଜର ସୂକ୍ଷ୍ମ ଅଭିମାନକୁ ପରଖି ତାକୁ ଯେତେ ଶୀଘ୍ର ସମାପ୍ତ କରିବା ହିଁ ନିଜ ଉପରେ ଆଶୀର୍ବାଦ କରିବା ।

(୨) ଅଧିକ ଭାବିବା, କହିବା ଏବଂ ଚିନ୍ତା କରିବା ଦ୍ୱାରା ଶକ୍ତି ଖର୍ଚ୍ଚ ହୋଇଥାଏ, ତେଣୁ ନିରବତାରେ ରୁହ ତେବେ ଶକ୍ତି ଜମା ହେବ ।

(୩) କାହାରି ଭୁଲ୍‌କୁ ନିଜ ବୁଦ୍ଧିରେ ରଖ ନାହିଁ, ବୁଦ୍ଧିକୁ ସ୍ୱଚ୍ଛ ରଖିଲେ ହିଁ ଶାନ୍ତିରେ ରହିପାରିବ ।

(୪) ବୁଦ୍ଧିବାନ୍ ହୋଇ ବ୍ୟର୍ଥ ବା ନକାରାତ୍ମକକୁ (ନେଗେଟିଭ୍‌) ସମାପ୍ତ କରିଦିଅ ତେବେ ଶାନ୍ତି ପ୍ରିୟ ହୋଇଯିବ ।

(୫) ଯଦି ବାବାଙ୍କଠାରୁ ପୁରସ୍କାର ନେବାର ଅଛି ତେବେ ନିୟମ ଅନୁସାରେ ଚାଲ, ଟିକିଏ ବି କାହା ସହିତ ମମତ୍ୱ ରଖ ନାହିଁ ।

(୬) କର୍ମ ଏବଂ ସମ୍ବନ୍ଧର ପରିଚୟ ଗୁଣ ଗୁଡିକରୁ ଜଣା ପଡିଥାଏ ତେଣୁ କର୍ମରେ ଆତ୍ମିକତା ଏବଂ ସମ୍ବନ୍ଧରେ ସତ୍ୟତା ରହୁ ।

(୭) ନମ୍ରତା ଏବଂ ସତ୍ୟତାକୁ ନିଜର ସାଥୀ କରିନିଅ ତେବେ ପ୍ରତ୍ୟେକ କଥା ସଠିକ୍ ହୋଇଯିବ ।

(୮) ସ୍ନେହ ମାଗିବା ପରିବର୍ତ୍ତେ ସ୍ୱମାନରେ ରୁହ ଏବଂ ସମସ୍ତଙ୍କୁ ସମ୍ମାନ ଦିଅ ତେବେ ସ୍ନେହର ପାତ୍ର ହୋଇଯିବ ।

(୯) ଯିଏ ସତ୍ୟବାଦୀ, ସ୍ୱଚ୍ଛବାଦୀ ଏବଂ ସେବାଧାରୀ ଅଟନ୍ତି ସିଏ ପରମାତ୍ମାଙ୍କର ପ୍ରିୟପାତ୍ର ଅଟନ୍ତି ।

(୧୦) ସେବା କରିବା ସମୟରେ ଡବଲ ଲାଇଟ୍ ହୋଇ ରହିବା, ଏହା ହିଁ ସବୁଠାରୁ ବଡ ସେବା ।

(୧୧) ବଡ କଥାକୁ ଛୋଟ କରିଦିଅ ତେବେ ଶୂଳୀ ମଧ୍ୟ କଣ୍ଟା ହୋଇଯିବ ।

(୧୨) ଚିନ୍ତନ ସାଧନର ହସ୍ତକ୍ଷେପ କରିଥାଏ ଏବଂ ସିମିରଣ ସାଧନା ଦ୍ୱାରା ସିଦ୍ଧି ପ୍ରାପ୍ତ କରାଇଥାଏ ।

(୧୩) ଖୁସୀର ଖଜଣା ଯଦି ସର୍ବଦା କାଏମ ରଖିବାକୁ ଚାହୁଁଛ ତେବେ ସକାରାତ୍ମକ ଚିନ୍ତନର ଉପାୟ ଶିଖ ।

(୧୪) ବର୍ତ୍ତମାନର ସ୍ଥିତି ହିଁ ଅନ୍ତିମ ସମୟରେ କାମରେ ଆସିବ ସେଥିପାଇଁ ନିଜର ସ୍ଥିତିକୁ ନିର୍ମାଣ କରିବା ଉପରେ ଧ୍ୟାନ ଦିଅ ।

(୧୫) ମନୋବଳ ଏପରି ଭାବେ ବଢାଇ ଦିଅ ଯାହାଦ୍ୱାରା ନିଜେ ସୁରକ୍ଷିତ ରହିବା ସହିତ ଅନ୍ୟମାନଙ୍କୁ ମଧ୍ୟ ସହଯୋଗ ଦେଇପାରିବ ।

(୧୬) ଅପବିତ୍ରତାରୁ ମୁକ୍ତ ହେବାକୁ ହେଲେ ଆନ୍ତରିକ ବୈରାଗ୍ୟ ବୃତ୍ତିକୁ ଧାରଣ କର ।