29.03.26    Avyakt Bapdada     Odia Murli    25.10.2009     Om Shanti     Madhuban


“ସର୍ବ ସମ୍ପତ୍ତିରେ ଭରପୂର ହୋଇ ନିଜର ଚେହେରା ଏବଂ ଚାଲିଚଳନ ଦ୍ୱାରା ଅଲୌକିକତାର ସାକ୍ଷାତ୍‌କାର କରାଅ”


ଆଜି ସର୍ବ ସମ୍ପତ୍ତିର ଦାତା ନିଜର ସମ୍ପତ୍ତିର ମାଲିକ ପିଲାମାନଙ୍କୁ ଦେଖୁଛନ୍ତି । ପ୍ରତ୍ୟେକ ସନ୍ତାନ ସର୍ବ ସମ୍ପତ୍ତିରେ ସମ୍ପନ୍ନ ଅର୍ଥାତ୍ ଭରପୂର ଅଟେ, କାହିଁକିନା ବାବା ସବୁ ପିଲାଙ୍କୁ ଏକାଭଳି, ଏକା ସମୟରେ ହିଁ ସର୍ବ ସମ୍ପତ୍ତି ଦେଇଛନ୍ତି । ତେଣୁ ବାପଦାଦା ନିଜର ବାଳକ ହିସାବରେ ମାଲିକ ପିଲାମାନଙ୍କ ସହିତ ମିଶିବା ପାଇଁ ଆସିଛନ୍ତି । ପିଲାମାନଙ୍କର ଡାକରା ଶୁଣି ପିଲାମାନଙ୍କର ସ୍ନେହରେ ଟାଣି ହୋଇ ପହଞ୍ଚି ଯାଇଛନ୍ତି । ଏମିତି ତ ସମ୍ପତ୍ତି ବହୁତ ରହିଛି କିନ୍ତୁ ସବୁଠାରୁ ପ୍ରଥମ ସମ୍ପତ୍ତି ହେଲା ଜ୍ଞାନ ଧନ ଯେଉଁ ଜ୍ଞାନ ଧନ ଦ୍ୱାରା ମାଲାମାଲ ହୋଇଯାଇଛ ଏବଂ ମହାଦାନୀ ହୋଇ ଅନ୍ୟମାନଙ୍କୁ ମଧ୍ୟ ବାଣ୍ଟି ଚାଲିଛ । ଯେଉଁ ଜ୍ଞାନ ରୂପକ ସମ୍ପତ୍ତି ଦ୍ୱାରା ଭିନ୍ନ ଭିନ୍ନ ବନ୍ଧନରେ ଛନ୍ଦି ହୋଇଥିବା ଆତ୍ମା ସବୁ ବନ୍ଧନରୁ ମୁକ୍ତ ହୋଇଯାଇଛି । ତୁମେମାନେ ବନ୍ଧନଯୁକ୍ତରୁ ବନ୍ଧନମୁକ୍ତ ହୋଇଯାଇଛ । ଏହା ସହିତ ଯୋଗ ଅର୍ଥାତ୍ ସ୍ମୃତିରୂପକ ସମ୍ପତ୍ତି, ଯାହାଦ୍ୱାରା ଅନେକ ଗୁଡିଏ ଶକ୍ତି ପ୍ରାପ୍ତ କରିଛ । ସେହିପରି ଧାରଣା ଦ୍ୱାରା ସର୍ବଗୁଣର ଅନୁଭୂତି ଅର୍ଥାତ୍ ସମ୍ପତ୍ତି ମିଳିଛି । ଏହା ସହିତ ଧାରଣାର ଶକ୍ତି ଆଧାରରେ ସମସ୍ତଙ୍କର ସ୍ନେହର ଶକ୍ତି, ସମସ୍ତଙ୍କର ପ୍ରିୟ ହେବା ଏବଂ ନିଆରା ହେବାର ଶକ୍ତି ରୂପକ ସମ୍ପତ୍ତି ପ୍ରାପ୍ତ କରିଛ ଏବଂ ସମସ୍ତଙ୍କର ସ୍ନେହରୂପକ ସମ୍ପତ୍ତିର ଅନୁଭବ କରିଛ । ତା’ ସହିତ ସମସ୍ତ ବ୍ରାହ୍ମଣମାନଙ୍କ ସମ୍ବନ୍ଧ ଦ୍ୱାରା ଅପାର ଖୁସିର ସମ୍ପତ୍ତିର ଅନୁଭବ କରିଛ । କିନ୍ତୁ ଏହି ସମସ୍ତ ସମ୍ପତ୍ତି ଗୁଡିକ ଭିତରେ ଯେଉଁ ବିଶେଷ ସମ୍ପତ୍ତିଟି ରହିଛି ତାହା ହେଲା ସଂଗମଯୁଗର ସମୟ ରୂପକ ସମ୍ପତ୍ତି । ଯେଉଁ ଆତ୍ମାକୁ ସମୟର ମହତ୍ୱ ଜଣାଅଛି, ସେମାନେ ସର୍ବଦା ଅନେକ ପ୍ରାପ୍ତିଗୁଡିକର ମାଲିକ ହୋଇଯାଉଛନ୍ତି କାହିଁକିନା ସଂଗମଯୁଗର ସମୟ ବହୁତ ଛୋଟ କିନ୍ତୁ ପ୍ରାପ୍ତିଗୁଡିକ ସମୟ ତୁଳନାରେ ବହୁତ ଅଧିକ । ସଂଗମଯୁଗର ସବୁଠାରୁ ଶ୍ରେଷ୍ଠରୁ ଶ୍ରେଷ୍ଠ ପ୍ରାପ୍ତି ହେଲା ସ୍ୱୟଂ ଭଗବାନ ପିତା ରୂପରେ, ଶିକ୍ଷକ ରୂପରେ ଏବଂ ସତ୍‌ଗୁରୁ ରୂପରେ ପ୍ରାପ୍ତ ହେଉଛନ୍ତି । ଏହି ସଂଗମଯୁଗର ଛୋଟିଆ ଜନ୍ମରେ ୨୧ ଜନ୍ମର ପ୍ରାପ୍ତି ହେଉଛି ଯେଉଁଥିରେ ତନ, ମନ, ଧନ, ଜନ - ସବୁଗୁଡିକ ପ୍ରାପ୍ତ ହେଉଛି ଏବଂ ଗ୍ୟାରେଣ୍ଟି ରହିଛି ଯେ ପୂରା ୨୧ ଜନ୍ମ ପାଇଁ, ଅଧା ନୁହେଁ କି ଚଉଠେ ନୁହେଁ, ପୂରା ୨୧ ଜନ୍ମର ଗ୍ୟାରେଣ୍ଟି । ତେବେ ସବୁଠାରୁ ଅଧିକ ମହତ୍ୱପୂର୍ଣ୍ଣ ହେଲା ସଂଗମଯୁଗର ଗୋଟିଏ ଗୋଟିଏ ସେକେଣ୍ଡ ଅନେକ ବର୍ଷ ସହିତ ସମାନ ଅଟେ । ଏବେ କୁହ ସର୍ବ ସମ୍ପତ୍ତିରେ ସମ୍ପନ୍ନ ତ ଅଟ ନା? ଅଟ ନା? ସେଥିପାଇଁ ବାପଦାଦା ସବୁବେଳେ ସମୟକୁ ସ୍ମରଣ କରାଇ ଦେଉଛନ୍ତି । କେହି କେହି ପିଲା ଭାବୁଛନ୍ତି ଗୋଟିଏ ଦୁଇଟି ମିନିଟ୍ ଯଦି ଅନ୍ୟ କିଛି କଥା ଭାବି ଦେଲି ତେବେ ମାତ୍ର ୨ ମିନିଟ୍‌ର ତ କଥା ନା, କିନ୍ତୁ ସମୟର ମହତ୍ୱ ଅନୁସାରେ ତାହା ୨ ମିନିଟ୍ ନୁହେଁ ଦୁଇ ମାସ ମଧ୍ୟ ନୁହେଁ କିନ୍ତୁ ୨ ବର୍ଷ ସହିତ ସମାନ ଅଟେ । ଏତିକି ମହତ୍ୱପୂର୍ଣ୍ଣ ସମୟ ସଂଗମଯୁଗର ଅଟେ । ସର୍ବଶକ୍ତିର, ସର୍ବଗୁଣର, ପରମାତ୍ମ ସ୍ନେହର, ବ୍ରାହ୍ମଣ ପରିବାରର ସ୍ନେହର ଏବଂ କଳ୍ପ ପୂର୍ବର ଈଶ୍ୱରୀୟ ଅଧିକାରର ଏହି ସମସ୍ତ ପ୍ରାପ୍ତିଗୁଡିକ ଏହି ଛୋଟିଆ ଯୁଗରେ ହିଁ ହେଉଛି, ଅନ୍ୟ କୌଣସି ଯୁଗରେ ଏହିଭଳି ସର୍ବ ପ୍ରାପ୍ତି ହୋଇପାରିବ ନାହିଁ । ତୁମମାନଙ୍କୁ ରାଜଭାଗ୍ୟ ମିଳିବ, ସୁଖ-ଶାନ୍ତି ସବୁ କିଛି ଥିବ କିନ୍ତୁ ପରମାତ୍ମ ମିଳନର, ଅତିନ୍ଦ୍ରୀୟ ସୁଖର, ସର୍ବ ବ୍ରାହ୍ମଣ ପରିବାରର ସ୍ନେହର, ଆଦି-ମଧ୍ୟ-ଅନ୍ତର ଜ୍ଞାନକୁ ଜାଣିବାର ଭାଗ୍ୟ ଏବେ ସଂଗମ ଯୁଗରେ ହିଁ ମିଳିଛି ଏବଂ ସବୁ କଳ୍ପରେ ମିଳୁଥିବ ।

ତେଣୁ ବାପଦାଦା ସବୁ ପିଲାଙ୍କର ଚେହେରା ଦ୍ୱାରା ଦେଖୁଛନ୍ତି ଯେ ସମ୍ପତ୍ତିଗୁଡିକୁ ଜମା କେତେ କରିଛନ୍ତି? ସମ୍ପତ୍ତିଗୁଡିକ ତ ମିଳିଯାଇଛି କିନ୍ତୁ ସମସ୍ତେ ନିଜର ଜମା ଖାତାକୁ କେତେ ବଢାଇଛନ୍ତି, ତାହା ପ୍ରତ୍ୟେକଙ୍କର ଚେହେରାରେ ଏବଂ ଚାଲିଚଳନରେ ଦେଖାଯାଉଛି ଏବଂ ତୁମେମାନେ ମଧ୍ୟ ନିଜେ ନିଜକୁ ଜାଣିଛ ଯେ ମୁଁ କେତେ ଜମା କରିଛି! ଏବେ ବାପଦାଦାଙ୍କର ଆନ୍ତରିକ ଆଶା ଏହା ଯେ ସମ୍ପତ୍ତି ମିଳୁଛି କିନ୍ତୁ ଏବେ ସମୟ କେବଳ ବର୍ଣ୍ଣନା କରିବାର ନୁହେଁ କିନ୍ତୁ ତୁମର ଚେହେରା ଏବଂ ଚାଲିଚଳନ ସମସ୍ତଙ୍କୁ ପ୍ରତ୍ୟକ୍ଷ ଅନୁଭବ କରାଉ ଯେ ଏହି ଆତ୍ମାମାନେ ବିଶେଷ ଅଟନ୍ତି, ଅଲଗା ଅଟନ୍ତି ଏବଂ ପରମାତ୍ମାଙ୍କର ପ୍ରିୟ ଅଟନ୍ତି କାହିଁକିନା ଆଗକୁ ଗଲେ ସମୟ ପରିବର୍ତ୍ତନ ହେବା ଦ୍ୱାରା ତୁମମାନଙ୍କର ସେବା କେବଳ ବର୍ଣ୍ଣନା କରିବା ଦ୍ୱାରା ହେବ ନାହିଁ, ଘଡି ସନ୍ଧି ସମୟରେ ଏତେ ସମୟ କେହି ବାହାର କରି ପାରିବେ ନାହିଁ କିନ୍ତୁ ତୁମମାନଙ୍କର ସମ୍ପତ୍ତିରେ ଭରପୂର ଚେହେରା ଦ୍ୱାରା, ଚାଲିଚଳନ ଦ୍ୱାରା ଦୂରରୁ ହିଁ ତୁମର ଅଲୌକିକତାର ଅନୁଭବ ହେବ । ତେଣୁ ଏବେଠାରୁ ହିଁ ନିଜର ଏହିଭଳି ପୁରୁଷାର୍ଥକୁ ପ୍ରତ୍ୟକ୍ଷ କର । ଯେପରି ବ୍ରହ୍ମାବାବାଙ୍କୁ ଦେଖିଛ, ଯଦିଓ ସଂଗଠନ ଭିତରେ ମଧ୍ୟ ରହୁଥିଲେ, ପୁଣି ବି ଦୂରରୁ ହିଁ ସେହିଭଳି ବ୍ୟକ୍ତିତ୍ୱ, ସେହିଭଳି ଚମକର ଅନୁଭବ ହେଉଥିଲା । ସେହିଭଳି ଡବଲ ବିଦେଶୀମାନେ ମଧ୍ୟ ବିଶେଷ ଭାବରେ ଡବଲ ପୁରୁଷାର୍ଥ କର । ବାପଦାଦା ଯେହେତୁ ତୁମମାନଙ୍କୁ ଡବଲ ପୁରୁଷାର୍ଥୀ କହୁଛନ୍ତି, ତେଣୁ ବାପଦାଦା ନିମିତ୍ତ ହିସାବରେ ଡବଲ ବିଦେଶୀ ପିଲାମାନଙ୍କୁ ଦେଖି ଖୁସି ହେଉଛନ୍ତି । ଏମାନେ ବୃଦ୍ଧି କରିବାର ପୁରୁଷାର୍ଥ ଭଲ କରୁଛନ୍ତି, ନିମିତ୍ତ ହୋଇଥିବା ଆତ୍ମାମାନଙ୍କ ଦ୍ୱାରା ପାଳନା ମଧ୍ୟ ଏମାନଙ୍କୁ ବହୁତ ଭଲ ମିଳୁଛି ଏବଂ ବାପଦାଦାଙ୍କୁ ସମସ୍ତଙ୍କର ଗୋଟିଏ କଥା ବହୁତ ଭଲ ଲାଗୁଛି, ତାହା ହେଲା ସବୁ ପିଲା ପ୍ରତି ବର୍ଷ ନିଜର ସଂଗଠନର ମିଳନ ବିଶେଷ କରି ମଧୁବନରେ ହିଁ କରୁଛନ୍ତି କାହିଁକିନା ମଧୁବନର ବାୟୁମଣ୍ଡଳ ସମସ୍ତଙ୍କୁ ସତେଜ କରିବାରେ ବହୁତ ସହଯୋଗ ଦେଇଥାଏ ଏବଂ ଏଠାରେ କେବଳ ଗୋଟିଏ ହିଁ ଦାୟିତ୍ୱ ଥାଏ ତାହା ହେଲା ସ୍ୱପରିବର୍ତ୍ତନ, ମାନସୀକ ସେବା, ପରସ୍ପର ଭିତରେ ଅନୁଭବର ଆଦାନ-ପ୍ରଦାନର ମଧ୍ୟ ଏଠାରେ ଭଲ ସୁଯୋଗ ମିଳିଥାଏ । ତେଣୁ ବାପଦାଦା ଏହି କଥା ପାଇଁ ଅଭିନନ୍ଦନ ମଧ୍ୟ ଦେଉଛନ୍ତି ।

ଏବେ ନିଜ ନିଜ ସ୍ଥାନକୁ ଯାଇ କିଛି ନା କିଛି କମାଲ କରି ଦେଖାଅ, କିଛିଟା ନିଆରା ପଣିଆ ଯାହା ବାବାଙ୍କୁ ପ୍ରିୟ ହୋଇଥିବ ତାକୁ ବାସ୍ତବିକ ରୂପରେ ଅନୁଭବ କରାଅ, ଯାହା ଦ୍ୱାରା ମଧୁବନର ସତେଜତାର ସହଯୋଗର ଅନୁଭବ ସେଠାରେ ମଧ୍ୟ ଅନ୍ୟମାନେ ମଧ୍ୟ କରିପାରିବେ । ତେବେ ଆଜି ବିଶେଷ କରି ଡବଲ ପୁରୁଷାର୍ଥୀ ଗ୍ରୃପର ମିଳନର ପାଳି । ଦେଖ ତୁମମାନଙ୍କ ପ୍ରତି ଭାରତବାସୀଙ୍କର ଏତେ ସ୍ନେହ ଅଛି ଯାହାକି ପ୍ରଥମେ ତୁମମାନଙ୍କୁ ହିଁ ସୁଯୋଗ ଦେଉଛନ୍ତି । ତେଣୁ ପ୍ରଥମେ ସୁଯୋଗ ପାଇବାର ଫଳସ୍ୱରୂପ ତୁମେମାନେ ପ୍ରଥମ ନମ୍ବର ସିଟ୍ ନେଇଯାଅ । ବହୁତ ଭଲ ଲାଗୁଛି, ବାପଦାଦା ତ ପୂର୍ବରୁ ମଧ୍ୟ ଶୁଣାଇ ସାରିଛନ୍ତି ଯେ ଡବଲ ବିଦେଶୀ ବା ଡବଲ ପୁରୁଷାର୍ଥୀ ପିଲାମାନେ ବାବାଙ୍କର ଗୋଟିଏ ବିଶେଷ ଉପାଧିକୁ ବା କର୍ତ୍ତବ୍ୟକୁ ପ୍ରତ୍ୟକ୍ଷ କରିଛନ୍ତି । ଯାହାକି ବିଦେଶରେ ଅଧିକାଂଶ ସ୍ଥାନରେ ବାବାଙ୍କର ପିଲାମାନଙ୍କୁ ବାହାର କରି ସେମାନଙ୍କର ମଧ୍ୟ ଭାଗ୍ୟର ଚିତ୍ର ତିଆରି କରି ଦେଇଛନ୍ତି, ସେଥିପାଇଁ ଚାରିଆଡେ ଯେଉଁଭଳି ଲଗନର ସହିତ ମେହନତ ପିଲାମାନେ କରୁଛନ୍ତି ତାହା ଦ୍ୱାରା ବାବାଙ୍କର ବିଶ୍ୱକଲ୍ୟାଣକାରୀର କର୍ତ୍ତବ୍ୟକୁ ପ୍ରସିଦ୍ଧ କରିଛନ୍ତି ସେଥିପାଇଁ ବାପଦାଦା ପ୍ରତ୍ୟେକ ସନ୍ତାନକୁ ବାଃ ପିଲାମାନେ ବାଃ କହି ଅଭିନନ୍ଦନ ଦେଉଛନ୍ତି । ଏବେ ବି ମଧ୍ୟ ଯେପରି ଭାରତର କୋଣ ଅନୁକୋଣରେ ସନ୍ଦେଶ ଦେବାର ସେବା ଚାଲୁ ରହିଛି, ସେହିପରି ସେଠାରେ ମଧ୍ୟ ସମସ୍ତଙ୍କ ଭିତରେ ଉମଙ୍ଗ-ଉତ୍ସାହ ଅଛି ଯେ ବାକି ରହିଥିବା ଦେଶମାନଙ୍କରେ ମଧ୍ୟ ସନ୍ଦେଶ ଦେଇ ଦେବୁ, କାହିଁକିନା ସମୟ ଉପରେ କୌଣସି ଭରସା ନାହିଁ । ବାପଦାଦା ତ ପୂର୍ବରୁ ମଧ୍ୟ କହିଛନ୍ତି ଯେ ଅଚାନକ ଭାବରେ କିଛି ବି ହୋଇଯାଇପାରେ ସେଥିପାଇଁ ସନ୍ଦେଶ ଦେବାର ସେବା ହେଉ ବା ନିଜର ସ୍ୱଉନ୍ନତିର ପୁରୁଷାର୍ଥ ହେଉ, ସେଥିରେ ଏବେ ଏବେ କର କେବେ କେବେ ନୁହେଁ । ବାପଦାଦା ଏକଥା ମଧ୍ୟ କହିଛନ୍ତି ଯେ ବାସ୍ତବରେ ବ୍ରାହ୍ମଣମାନଙ୍କର ଡିକ୍ସିନାରୀରେ କେବେ କେବେ ଶବ୍ଦ ଶୋଭା ପାଉ ନାହିଁ, ତେଣୁ ଏବେ-ଏବେ ସଂକଳ୍ପ କରିଲି ତ ନିଶ୍ଚିତ କରିବି । ଦେଖିବି, କରିବି, ଏହିଭଳି ଶବ୍ଦ ତୁମମାନଙ୍କର ଡିକ୍ସିନାରୀରେ ହିଁ ନାହିଁ ସେଥିପାଇଁ ତୁମର ମମ୍ମା ମଧ୍ୟ ଏହି ଲକ୍ଷ୍ୟ ରଖିଥିଲେ ଏବଂ ସମସ୍ତଙ୍କୁ ସ୍ମରଣ କରାଉଥିଲେ “ଏବେ ନୁହେଁ ତ କେବେ ନୁହେଁ” ।

ତେବେ ଡବଲ ପୁରୁଷାର୍ଥୀ ପିଲାମାନେ ଏବେ କରିବାବାଲା ଅଟ, ନା କେବେ କେବେବାଲା ଅଟ? ଯେଉଁମାନେ ଭାବୁଛନ୍ତି ଯେ ଆମେ ଏବେ ଏବେ କରି ଦେଖାଇବା ବାଲା ଅଟୁ, ସେମାନେ ହାତ ଉଠାଅ । କରିବାକୁ ହିଁ ହେବ । କରିବାକୁ ହିଁ ହେବ । କରିବି ନୁହେଁ, କରିବାକୁ ହିଁ ହେବ । ମନେ ରଖିଥିବ, ନିଜେ ହିଁ ନିଜର ଚାର୍ଟ ରଖିବ ଏବଂ ବାପଦାଦା ପୂର୍ବରୁ ମଧ୍ୟ ଶୁଣାଇ ସାରିଛନ୍ତି ଯେ ପ୍ରତିଦିନ ରାତିରେ ବାପଦାଦାଙ୍କୁ ନିଜର ସାରା ଦିନର ଚାର୍ଟ ଶୁଣାଇ ନିଜର ବୁଦ୍ଧିକୁ ଖାଲି କରି ଶୋଇବା ଦ୍ୱାରା ନିଦ ମଧ୍ୟ ଭଲ ହେବ, ତା’ ସହିତ ପ୍ରତିଦିନର ହାଲଚାଲ ଶୁଣାଇବା ଦ୍ୱାରା ତା’ପରଦିନ ମଧ୍ୟ ମନେ ରହିବ ଯେ ମୁଁ ବାବାଙ୍କୁ ମୋ’ର ମନ କଥା କହିଛି, ତେଣୁ ସେହି ସ୍ମୃତି ମଧ୍ୟ ସହଯୋଗ ଦେଇଥାଏ । ଯାହା ଦ୍ୱାରା ଧର୍ମରାଜପୁରୀକୁ ଯିବାକୁ ପଡିବ ନାହିଁ । ଦେଇଦେଲ ନା, ତା’ ସହିତ ପରିବର୍ତ୍ତନ ମଧ୍ୟ କରିନେଲ ତେଣୁ ଧର୍ମରାଜପୁରୀରୁ ମଧ୍ୟ ବଞ୍ଚିଯିବ । ଏବେ ତ ଆସନ୍ତା ବର୍ଷକୁ କେହି ବି ଦେଖି ନାହାଁନ୍ତି ପୁଣି ବି ଏବେ ଲକ୍ଷ୍ୟ ରଖ, ବର୍ଷର କଥା ଛାଡ, ଅତି କମ୍‌ରୁ କମ୍ ଅର୍ଥାତ୍ ଯେତେ କମ୍ ସମୟ ଭିତରେ ବାବାଙ୍କର ଯେଉଁ ଆଶା ରହିଛି ଯେ ତୁମର ଚେହେରାରେ ଏବଂ ଚାଲିଚଳନରେ ଦେଖାଯାଉ, ତାକୁ ଶୀଘ୍ରରୁ ଶୀଘ୍ର ବାସ୍ତବ ରୂପରେ କରି ଦେଖାଅ । ଯଦି ସାହସ ଅଛି ତେବେ ହାତ ଉଠାଅ । କ’ଣ ସାହସ ଅଛି ତ? ସାହସ ଅଛି ତ? ଆଚ୍ଛା, ଅଭିନନ୍ଦନ । ବାପଦାଦା ତ ସବୁ ପିଲାଙ୍କ ଭିତରେ ନିଶ୍ଚୟର ଏବଂ ସାହସର ଉମଙ୍ଗ-ଉତ୍ସାହ ଏବେ ଏବେ ଦେଖି ପାରୁଛନ୍ତି, କିନ୍ତୁ ପ୍ଲେନ୍‌ରେ ଯାଉ ଯାଉ ସେଥିରେ ଟିକିଏ ବି କମୀ କରିବ ନାହିଁ, ବରଂ ବଢାଇ ଚାଲିବ । ବାପଦାଦା ଦୃଢ ସଂକଳ୍ପର ଯେଉଁ ଚାବି ଦେଇଛନ୍ତି ତା’କୁ ସଦାକାଳ ପାଇଁ କାୟମ ରଖିବ । ମୋତେ କରିବାକୁ ହିଁ ହେବ, ଏବେ-ଏବେ, କରିବି, ଦେଖିବି ନୁହେଁ । ସେଭଳି କହିବାର ସମୟ ଆଉ ନାହିଁ । ହୋଇଯିବ ନୁହେଁ, ନିଶ୍ଚିତ ହେବ । ବାପଦାଦା ତୁମମାନଙ୍କୁ ଯେଉଁ ଡବଲ ପୁରୁଷାର୍ଥୀର ଉପାଧି ଦେଇଛନ୍ତି ତାକୁ ମନେ ରଖିବ ।

ବାକି ବାପଦାଦା ତ ସମସ୍ତଙ୍କର ଫଳାଫଳର ସମାଚାର ଶୁଣିଛନ୍ତି ଏବଂ ବାପଦାଦା ଯେଉଁ ସେବାର ଯୋଜନା ଦେଇଥିଲେ ସେଥିରେ ଭାରତ ମଧ୍ୟ କମୀ କରିନାହିଁ କି ବିଦେଶ ମଧ୍ୟ କମୀ କରିନାହିଁ । ଏହି ବରଦାନକୁ ଅଧିକାଂଶ ସ୍ଥାନରେ ଉମଙ୍ଗ-ଉତ୍ସାହର ସହିତ କରିଛନ୍ତି ଏବଂ ଭିନ୍ନ ଭିନ୍ନ ସ୍ଥାନମାନଙ୍କରୁ ଫଳାଫଳ ମଧ୍ୟ ଆସିବାରେ ଲାଗିଛି । ତେଣୁ ବାପଦାଦା ଭାରତର ତଥା ବିଦେଶର ପିଲାମାନଙ୍କୁ ଯୋଜନାକୁ ସାକାର କରିବାର ପଦ୍ମାପଦ୍ମାଗୁଣା ଅଭିନନ୍ଦନ ଦେଉଛନ୍ତି ।

ଏବେ ଏହି ବର୍ଷରେ ବିଶେଷ କରି କେଉଁ କଥାକୁ ସାକାରରେ କରିବାର ଅଛି ତାହା ତ ଶୁଣାଇ ଦେଲୁ ଯେ ଏବେ ତୁମମାନଙ୍କୁ ଯିଏ ବି ଦେଖୁ ତା’କୁ ତୁମର ଚେହେରାରେ ଚମକ ଦେଖାଯାଉ । ତେଣୁ ତୁମକୁ ପ୍ରତ୍ୟକ୍ଷତାର ନିମିତ୍ତ ହେବାକୁ ପଡିବ, ଯଦି ବାବାଙ୍କୁ ପ୍ରତ୍ୟକ୍ଷ କରିବାର ଅଛି ତେବେ କ’ଣ କରିବାକୁ ହେବ? ସର୍ବଦା ହସ ହସ ଚେହେରା । କୌଣସି ଚିନ୍ତାଗ୍ରସ୍ତ ବା ଦ୍ୱନ୍ଦ୍ୱରେ ଥିବା ଭଳି ଚେହେରା ନୁହେଁ । ବାପଦାଦା ତ ଶୁଣାଇଥିଲେ ଯେ ଏବେ ଦୁଇଟି ଶବ୍ଦକୁ ମନେ ରଖ - ମାୟାକୁ ନିର୍ଦ୍ଦେଶ ଦିଅ, ଗେଟ୍ ଆଉଟ୍ ଏବଂ ନିଜକୁ ଗେଷ୍ଟ ହାଉସ୍ ଅର୍ଥାତ୍ ଅତିଥିଶାଳାରେ ରହିଥିବାର ଅନୁଭବ କର । ଏହି ଦୁନିଆ ତୁମମାନଙ୍କର ନୁହେଁ, ଏହା ଅତିଥିଶାଳା ଅଟେ, ଏବେ ତ ତୁମକୁ ଘରକୁ ଯିବାର ହେବ । ଘରର ଦୃଶ୍ୟଗୁଡିକ ତୁମ ମନ ଭିତରେ ଏବଂ ବୁଦ୍ଧିରେ ଦେଖାଯିବା ଦରକାର । ତେବେ ଆପେ ଆପେ ଘରକୁ ଯିବାର ସମୟ ପାଖେଇ ଆସିବ । ତୁମମାନଙ୍କର ତ ଗୋଟିଏ ଗୀତ ମଧ୍ୟ ଅଛି - ଅବ ଘର ଚଲନା ହୈ... । ତେଣୁ ଏହିଭଳି ବାତାବରଣ ସବୁ ସ୍ଥାନରେ ହେବା ଦରକାର । ଚାହେଁ ଭାରତରେ, ଚାହେଁ ବିଦେଶରେ, ଏବେ ଏହିଭଳି ଅନୁଭବକୁ ପ୍ରତ୍ୟକ୍ଷ କରି ଦେଖାଅ । ତେଣୁ ବେହଦର ବୈରାଗ୍ୟ । ଅତିଥିଶାଳାରେ କାହାର ରହିବାର ଇଚ୍ଛା ନ ଥାଏ, ମୋତେ ଯିବାର ଅଛି, ଯିବାର ଅଛି, ଏହି କଥା ମନେ ରହିଥାଏ । ତେବେ ଏହିଭଳି ବେହଦର ବୈରାଗ୍ୟ, ଯେକୌଣସି ପ୍ରକାରର ମନର ସଂକଳ୍ପକୁ ତଥା ପରସ୍ପର ଭିତରେ ସଂଗଠନରେ ମାୟାର ବିଘ୍ନଗୁଡିକୁ ମଧ୍ୟ ପୂରାପୂରି ସମାପ୍ତ କରିଦେବ । ମାୟାର ଏହି ତୋଫାନ ଗୁଡିକ ତୁମ ପାଇଁ “ତୋଫା” ଅର୍ଥାତ୍ ଉପହାର ହୋଇଯିବ । ଯେଉଁ ସବୁ ଛୋଟ ମୋଟ ପରୀକ୍ଷା ଗୁଡିକ ଆସୁଛି ସେଗୁଡିକ ପରୀକ୍ଷା ଭଳି ଲାଗିବ ନାହିଁ କିନ୍ତୁ ତୁମର ଅନୁଭବକୁ ବଢାଇବାର ଗୋଟିଏ ଲିଫ୍ଟ ଭଳି ଲାଗିବ । ଗିଫ୍ଟ ଅର୍ଥାତ୍ ଉପହାର ଏବଂ ଲିଫ୍ଟ ଅର୍ଥାତ୍ ସହଜରେ ଉପରକୁ ଉଠାଇବାର ସାଧନ । ବୁଝିପାରିଲ । ଏବେ ଲକ୍ଷ୍ୟ ରଖ ବେହଦର ବୈରାଗୀ ଏବଂ ସାହସର ଉମଙ୍ଗ-ଉତ୍ସାହର ଡେଣା ଦ୍ୱାରା ଉଡିଚାଲ ଏବଂ ଉଡାଇଚାଲ । ଏବେ ତ ଉଡିବାର ସମୟ । ନିଜର ଡେଣାକୁ ସର୍ବଦା ଚେକ୍ କରୁଥାଅ - ଦୁର୍ବଳ ହୋଇଯାଉନାହିଁ ତ!

ବାପଦାଦା ଡବଲ ବିଦେଶୀ ପିଲାମାନଙ୍କର ବିସ୍ତାରକୁ ଦେଖି ଖୁସି ହେଉଛନ୍ତି, ତେଣୁ ଏବେ କ’ଣ ଦେଖିବାକୁ ଚାହିଁଛନ୍ତି? ପ୍ରତ୍ୟେକ ସନ୍ତାନ ବାବାଙ୍କ ସମାନ ସମ୍ପନ୍ନ ଏବଂ ସମ୍ପୂର୍ଣ୍ଣ, ସର୍ବ ସମ୍ପତ୍ତିରେ ସମ୍ପନ୍ନ ଏବଂ ମିଳୁଥିବା ପ୍ରତ୍ୟେକ ଶ୍ରୀମତରେ ସମ୍ପୂର୍ଣ୍ଣ । କ’ଣ ପସନ୍ଦ ତ? ଯଦି ପସନ୍ଦ ଆସୁଛି ତେବେ ତାଳି ବଜାଅ । ଆଚ୍ଛା! ଏହି ତାଳିକୁ ପ୍ରତିଦିନ ମନେ ପକାଇବ, ନିଜେ ନିଜେ ମନ ଭିତରେ ବଜାଇବ, ବାହାରେ ନୁହେଁ, ମନେ ମନେ ବଜାଇବ । ଏହା ତୁମ ପାଇଁ ହୋମୱାର୍କ ଦିଆଗଲା, ଆଚ୍ଛା!

୯୦ଟି ଦେଶରୁ ୨୩୦୦ ଭାଇଭଉଣୀ ଆସିଛନ୍ତି - (ପାଞ୍ଚୋଟି ଯାକ ମହାଦ୍ୱୀପର ଭାଇ ଭଉଣୀମାନଙ୍କୁ ଅଲଗା ଅଲଗା ଗ୍ରୃପରେ ଛିଡା କରାଗଲା) ୧- ଆମେରିକା, କାନାଡା ଏବଂ କାରେବିୟନର ଭାଇଭଉଣୀମାନେ ୨- ଅଷ୍ଟ୍ରେଲିଆ, ଏସିୟା, ନ୍ୟୁଜିଲ୍ୟାଣ୍ଡ, ଫିଜୀ ୩- ଯୁରୋପ, ୟୁ.କେ. ମିଡିଲ୍ ଇଷ୍ଟ (ମଧ୍ୟପ୍ରାଚ୍ୟ) ୪- ଆଫ୍ରିକା, ଦକ୍ଷିଣ ଆଫ୍ରିକା, ମରୀସସ୍‌, ୫- ରସିୟା, ସୀ.ଆଇ.ଏସ୍‌, ବାଲ୍ଟିକ୍ ଦେଶ ଗୁଡିକ । ଏମାନେ ସମସ୍ତେ ଆଗକୁ ବଢିବାର ସଂକଳ୍ପ ମଧ୍ୟ କରିଛନ୍ତି ଏବଂ ପରସ୍ପର ଭିତରେ ବାର୍ତ୍ତାଳାପ ମଧ୍ୟ କରିଛନ୍ତି । ବାପଦାଦାଙ୍କ ପାଖକୁ ସମାଚାର ମଧ୍ୟ ଆସୁଛି, ଏବେ ସମସ୍ତେ ଏଭରରେଡି ଅର୍ଥାତ୍ ସର୍ବଦା ପ୍ରସ୍ତୁତ ରହୁଥିବା ସଂଗଠନ ତିଆର କର । ଯେଉଁ ଦେଶରୁ ଯେତିକି ଆସିଛନ୍ତି ବାପଦାଦା ସେହି ଦେଶ ଗୁଡିକରେ ପୁରଷ୍କାର ମଧ୍ୟ ଦେବେ କିନ୍ତୁ କ’ଣ ପୁରସ୍କାର ଦେବେ ତାହା ସେତିକି ବେଳେ ଦେଖିବ । କିନ୍ତୁ ଡବଲ ପୁରୁଷାର୍ଥୀ ପିଲାମାନଙ୍କର ସବୁ ଅଞ୍ଚଳର ସଂଗଠନକୁ ଏହି କଥା କୁହାଯାଉଛି ଯେ ଯେଉଁ ଗ୍ରୃପ ବି ନମ୍ବରୱାନ ହେବ ତା’କୁ ପୁରଷ୍କାର ଦିଆଯିବ । ଗୋଟିଏ ଦେଶର ଗୋଟିଏ ସହରରେ ଯେତେ ବି ସେବାକେନ୍ଦ୍ର ଅଛି, ଧରିନିଅ, ଆମେରିକା ଏବଂ ତା’ର ସମ୍ବନ୍ଧିତ ଯେଉଁ ସବୁ ଦେଶଗୁଡିକ ଅଛନ୍ତି, ସେମାନେ ସମସ୍ତେ ନିଜ ନିଜ ଭିତରେ ବିଚାର-ବିମର୍ଶ କରି କାର୍ଯକ୍ରମ ପ୍ରସ୍ତୁତ କରନ୍ତୁ ଯେ ଏଠାରେ ଆମେ ସମସ୍ତେ ନିର୍ବିଘ୍ନ ରହିବୁ, ଏଭରରେଡୀ ରହିବୁ, ମାୟାଜିତ୍ ହୋଇ ରହିବୁ, ସ୍ନେହୀ ହେବା ସହିତ ସେବାରେ ସହଯୋଗୀ ହୋଇ ରହିବୁ । ଏଥିରେ ଯିଏ ନମ୍ବରୱାନ ହେବ ତା’କୁ ବାପଦାଦା ପ୍ରାଇଜ୍ ଦେବେ । ଆଚ୍ଛା ଠିକ୍ ଅଛି, ଜଣକୁ ନୁହେଁ, ତିନିଜଣଙ୍କୁ ଦିଆଯିବ । ପ୍ରଥମ, ଦ୍ୱିତୀୟ, ତୃତୀୟ । ତିନି ନମ୍ବର ପର୍ଯ୍ୟନ୍ତ । ଏମିତି ତ ଜଣକୁ ହିଁ ଦିଆଯାଏ କିନ୍ତୁ ତୁମେମାନେ ଯେହେତୁ ଡବଲ ପୁରୁଷାର୍ଥୀ ଅଟ, ତେଣୁ ତିନି ଜଣଙ୍କୁ ସୁଯୋଗ ଦିଆଯିବ । କ’ଣ ପସନ୍ଦ ତ? ଯଦି ହଁ ତେବେ ହାତ ହଲାଅ । ପସନ୍ଦ ତ? କେତେ ସମୟ ଦରକାର? ଏହାକୁ ଟୀଚରମାନେ ଶୁଣାନ୍ତୁ, ପ୍ରାଇଜ୍ ନେବା ପାଇଁ କେତେ ସମୟ ଦରକାର? ଶୁଣାଅ (ସମସ୍ତେ କହିଲେ ଫେବୃଆରୀ ମାସ ପର୍ଯ୍ୟନ୍ତ) ଏବେ ସବୁ ଦେଶର ଟୀଚରମାନେ ହାତ ଉଠାଅ । ଠିକ୍ ଅଛି ତ? ପ୍ରସ୍ତୁତ ହୋଇଯିବ ତ? ପୁଣି ବାପଦାଦା ପ୍ରାଇଜ୍ ଦେବେ । ବହୁତ ଭଲ କଥା । ଏଥିପାଇଁ ତାଳି ତ ବଜାଅ । ଆଚ୍ଛା, ଭାରତର ପାଳି ମଧ୍ୟ ଆସିବ । ଏବେ ତ ତୁମମାନଙ୍କର ପାଳି । ବାପଦାଦା ମଧ୍ୟ ଖୁସି ହେଉଛନ୍ତି, ବାଃ ତୀବ୍ର ପୁରୁଷାର୍ଥୀ ପିଲାମାନେ ବାଃ! ଆଚ୍ଛା ।

ଚାରିଆଡର ତୀବ୍ର ପୁରୁଷାର୍ଥୀ ସାହସ ଏବଂ ଉମଙ୍ଗ-ଉତ୍ସାହରେ ଉଡୁଥିବା, ଚାଲିବାବାଲା ନୁହେଁ ଉଡିବାବାଲା, ଚାରିଆଡର ବାବାଙ୍କ ସମାନ ସମ୍ପନ୍ନ ଏବଂ ସମ୍ପୂର୍ଣ୍ଣ ହେଉଥିବା ବାପଦାଦାଙ୍କର ହୃଦୟ ସିଂହାସନର ଅଧିକାରୀ, ସର୍ବଦା ବାବାଙ୍କର ଯୁଗଳ ସ୍ୱରୂପର ଅନୁଭବ ଏବଂ ସହଯୋଗ ନେଉଥିବା ବାବାଙ୍କର ପ୍ରତ୍ୟେକ ସିକିଲଧେ ସ୍ନେହୀ ପିଲାମାନଙ୍କୁ ବାପଦାଦାଙ୍କର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ ନମସ୍ତେ ।

ଦାଦୀମାନଙ୍କ ସହିତ:- ବାବାଙ୍କ ସହିତ ତୁମମାନଙ୍କର ମଧ୍ୟ ସହଯୋଗ ରହିଛି ନା । ପିଲାମାନେ ଏବଂ ବାବା ଉଭୟଙ୍କର ସହଯୋଗରେ ଯଜ୍ଞ ଚାଲିଆସିଛି ଏବଂ ଆଗକୁ ମଧ୍ୟ ଚାଲୁଥିବ । ନିମିତ୍ତ ତ ତୁମେମାନେ ହିଁ ଅଟ ନା । ସାକାରରେ ମଧ୍ୟ ଜଣେ ଯଦି କିଛି କହୁଛି ତେବେ ଅନ୍ୟ ଜଣେ ତାକୁ ସ୍ୱୀକାର କରିନେଉଛି, ଏହିଭଳି ପରସ୍ପରର ସହଯୋଗୀ ହୋଇ ଉଡୁଛ । ବାବା ତୁମମାନଙ୍କୁ ଉଡିବାର ଦେଖି ଖୁସି ହେଉଛନ୍ତି । (ଦାଦୀ ଜାନକୀ କହିଲେ ଗୁଲଜାର ଦାଦୀ କମାଲ କରୁଛନ୍ତି) ସେ ତ ସାଥୀରେ ହିଁ ଅଛି । ବାପଦାଦାଙ୍କର ଏହି ଶୁଭେଚ୍ଛା ରହିଛି ଯେ ତୁମେ ସମସ୍ତେ ଯେଉଁମାନେ ନିମିତ୍ତ ଅଟ ସର୍ବଦା ଏକ ହୋଇ ରହିଥାଅ, ସମସ୍ତେ ଦେଖନ୍ତୁ । ଭିନ୍ନ ଭିନ୍ନ ନୁହେଁ । ସମସ୍ତେ ଏକମତ ଦେଖାଯାଆନ୍ତୁ । ଜଣେ କହିଲା, ଅନ୍ୟ ଜଣେ ତା’ର ମତାମତ ଦେଲା ଏବଂ ସମସ୍ତଙ୍କର ମତ ଏକମତ ହୋଇଗଲା । ସେଥିପାଇଁ ତ ଯଜ୍ଞ ଚାଲୁଛି । ତୁମମାନଙ୍କର ଏକତା ଦ୍ୱାରା ହିଁ ଚାଲୁଛି, ଚାହେଁ ବାହାରକୁ ଦେଖା ନ ଯାଉ କିନ୍ତୁ ସଂକଳ୍ପରେ, ବିଚାରରେ ଏକ ହୋଇ ରୁହ ଏବଂ ଯଜ୍ଞକୁ ଆଗକୁ ବଢାଇଚାଲ କାହିଁକିନା ଏବେ ତୁମମାନଙ୍କ ଉପରେ ସମସ୍ତଙ୍କର ଦୃଷ୍ଟି ରହିଛି । ଆଚ୍ଛା ।

ବରଦାନ:-
ନିଜର ଶ୍ରେଷ୍ଠ ମନୋବୃତ୍ତି ଦ୍ୱାରା ଶୁଦ୍ଧ ବାତାବରଣ ସୃଷ୍ଟି କରୁଥିବା ସଦା ଶକ୍ତିଶାଳୀ ଆତ୍ମା ଭବ ।

ଯେଉଁମାନେ ସର୍ବଦା ନିଜର ଶ୍ରେଷ୍ଠ ମନୋବୃତ୍ତିରେ ସ୍ଥିତ ରହିଥାଆନ୍ତି, ସେମାନେ ଯେକୌଣସି ପ୍ରକାରର ବାୟୁମଣ୍ଡଳରେ ବା ଭାଇବ୍ରେଶନରେ ଟଳମଳ ହୋଇପାରିବେ ନାହିଁ । ତେବେ ମନର ବୃତ୍ତି ଦ୍ୱାରା ହିଁ ବାୟୁମଣ୍ଡଳର ନିର୍ମାଣ ହୋଇଥାଏ, ଯଦି ତୁମର ବୃତ୍ତି ଶ୍ରେଷ୍ଠ ହୋଇଥିବ ତେବେ ବାୟୁମଣ୍ଡଳ ମଧ୍ୟ ଶୁଦ୍ଧ ହୋଇଯିବ । କେହି କେହି ବର୍ଣ୍ଣନା କରିଥାଆନ୍ତି ଯେ କ’ଣ କରିବି ବାୟୁମଣ୍ଡଳ ହିଁ ଏହିପରି ଅଟେ, ବାୟୁମଣ୍ଡଳ କାରଣରୁ ହିଁ ମୋ’ର ମନୋବୃତ୍ତି ଚଞ୍ଚଳ ହୋଇଗଲା - ତେବେ ସେହି ସମୟରେ ଶକ୍ତିଶାଳୀ ଆତ୍ମା ହେବା ପରିବର୍ତ୍ତେ ଦୁର୍ବଳ ଆତ୍ମା ହୋଇଯାଉଛନ୍ତି, କିନ୍ତୁ ତୁମର ପ୍ରତିଜ୍ଞା ଅଥବା ବ୍ରତର ସ୍ମୃତି ଦ୍ୱାରା ବୃତ୍ତିକୁ ଶ୍ରେଷ୍ଠ କରିଦିଅ, ତାହା ହେଲେ ଶକ୍ତିଶାଳୀ ଆତ୍ମା ହୋଇଯିବ ।

ସ୍ଲୋଗାନ:-
ନିଜେ ଗୁଣ ମୂରତ ହୋଇ ସମସ୍ତଙ୍କୁ ଗୁଣ ମୂରତ କରିବା ହିଁ ମହାଦାନୀ ହେବା ।

ଅବ୍ୟକ୍ତ ଈଶାରା:- ନିଶ୍ଚୟର ମୂଳଦୁଆକୁ ମଜବୁତ କରି ସର୍ବଦା ନିର୍ଭୟ ଏବଂ ନିଶ୍ଚିନ୍ତ ରୁହ । ପରସ୍ପର ଭିତରେ ଜଣଙ୍କର ଅନ୍ୟଜଣଙ୍କ ପ୍ରତି ସଚ୍ଚା ସ୍ନେହ ରହୁ, ତେବେ ସ୍ନେହୀ ଆତ୍ମା ପ୍ରତି କେବେ ବି ଅନୁମାନ ଉତ୍ପନ୍ନ ହେବ ନାହିଁ । ତା’ର ସ୍ନେହପୂର୍ଣ୍ଣ ବାଣୀ ସାଧାରଣ ହୋଇଥିଲେ ମଧ୍ୟ ଖରାପ ଲାଗିବ ନାହିଁ । ତା’ର ଅତି ସାଧାରଣ କଥା ମଧ୍ୟ ଏଭଳି ଲାଗିବ ଯାହାକି ଇଏ ନିଶ୍ଚିତ କୌଣସି ଲକ୍ଷ୍ୟ ରଖି କହିଥିବ । ଅନାବଶ୍ୟକ ବା ବ୍ୟର୍ଥ ଭଳି ଲାଗିବ ନାହିଁ । ଯେଉଁଠାରେ ସ୍ନେହ ଥିବ ସେଠାରେ ବିଶ୍ୱାସ ନିଶ୍ଚିତ ରହିଥିବ । ତେଣୁ ବ୍ରାହ୍ମଣ ପରିବାରର ପରସ୍ପର ପ୍ରତି ସ୍ନେହ ଏବଂ ବିଶ୍ୱାସ ରଖି ସମ୍ପୂର୍ଣ୍ଣ ନିଶ୍ଚୟବୁଦ୍ଧି ହୁଅ, ତେବେ ଯାଇ ବ୍ରହ୍ମାବାବାଙ୍କର ଆଶାକୁ ପୂର୍ଣ୍ଣ କରିପାରିବ ।