29.05.26 Morning Odia Murli Om Shanti BapDada Madhuban
“ମିଠେ ବଚ୍ଚେ:- ଏହି
ପୁରୁଣା ଦୁନିଆ ବା ଦେହଧାରୀଙ୍କ ସହିତ କେବେ ବି ମନ ଲଗାଅ ନାହିଁ, ଯଦି ମନ ଲଗାଇଲ ତେବେ ଭାଗ୍ୟ
ହରାଇଦେବ” ।
ପ୍ରଶ୍ନ:-
ବାବା
ପିଲାମାନଙ୍କୁ ଏହି ନାଟକର କେଉଁ ଗୁହ୍ୟ ରହସ୍ୟ ଶୁଣାଇଛନ୍ତି?
ଉତ୍ତର:-
ପିଲାମାନେ - ଏବେ ଏହି ନାଟକ ସମାପ୍ତ ହେବାକୁ ଯାଉଛି ସେଥିପାଇଁ ସବୁ ଆତ୍ମାମାନଙ୍କୁ ଏଠାରେ
ଉପସ୍ଥିତ ହେବାକୁ ହିଁ ପଡିବ । ସବୁ ଧର୍ମର ଆତ୍ମାମାନେ ଏବେ ଏଠାରେ ଉପସ୍ଥିତ ହେବେ କାହିଁକି ନା
ସମସ୍ତଙ୍କର ପିତା ଏଠାରେ ଉପସ୍ଥିତ ହୋଇ ଅଛନ୍ତି । ସମସ୍ତଙ୍କୁ ବାବାଙ୍କୁ ସଲାମ କରିବା ପାଇଁ
ଅର୍ଥାତ୍ ସମ୍ମାନ ଦେବା ପାଇଁ ଏଠାକୁ ଆସିବାକୁ ହିଁ ପଡିବ । ସର୍ବଧର୍ମର ଆତ୍ମାମାନେ ଏଠାରୁ
ମନମନାଭବର ମନ୍ତ୍ର ନେଇ ଘରକୁ ଯିବେ । ସେମାନେ ମଧ୍ୟାଜୀଭବ ମନ୍ତ୍ରକୁ ଧାରଣ କରି ଚକ୍ରବର୍ତ୍ତୀ
ରାଜା ହେବେ ନାହିଁ ।
ଗୀତ:-
ଦିଲ୍ କା ସାହାରା
ଟୁଟ୍ ନ ଯାଏ...
ଓମ୍ ଶାନ୍ତି ।
ସବୁ ସେବାକେନ୍ଦ୍ରର ସନ୍ତାନମାନେ ଗୀତ ଶୁଣିଲେ । ତୁମେମାନେ ଆଜି ଶୁଣୁଛ ଅନ୍ୟ ପିଲାମାନେ
ଦୁଇ-ଚାରି ଦିନ ପରେ ଶୁଣିବେ । ଯଦି ପୁରୁଣା ଦୁନିଆ, ପୁରୁଣା ଶରୀରରେ ମନ ଲଗାଇବ, ତେବେ ଭାଗ୍ୟ
ହରାଇବ କାରଣ ଏହି ଶରୀର ଏହି ପୁରୁଣା ଦୁନିଆର ଅଟେ । ଯଦି ଦେହ-ଅଭିମାନୀ ହେବ ତାହା ହେଲେ ଏତେ
ଶ୍ରେଷ୍ଠ ଭାଗ୍ୟ ଯାହାକି ଏବେ ଗଢା ହେଉଛି ତାହା ହରାଇବାକୁ ପଡିବ । ଏବେ ତୁମେମାନେ ଭାଗ୍ୟହୀନରୁ
ଭାଗ୍ୟବାନ ହେଉଛ । ସେଥିପାଇଁ ଯେତେ ଦୂର ସମ୍ଭବ କେବଳ ବାବାଙ୍କୁ ମନେ ପକାଅ, ଯିଏକି ବେହଦର
ସମ୍ପତ୍ତି ଦେଉଛନ୍ତି । ବାବାଙ୍କୁ ଏବଂ ସମ୍ପତ୍ତିକୁ ମନେ ପକାଅ, ଏହି ପୁରୁଣା ଦୁନିଆରେ ଆଉ ବାକି
ଅଳ୍ପ ସମୟ ଅଛି । ଏହି ସମୟ ଭିତରେ ତୁମକୁ ପୁରୁଷାର୍ଥ କରି ସର୍ବଗୁଣ ସମ୍ପନ୍ନ ନିଶ୍ଚିତ ହେବାକୁ
ପଡିବ । ବହୁତ ଅଛନ୍ତି, ଯେଉଁମାନେ ପବିତ୍ର ବି ରହୁଛନ୍ତି । ଆଉ କେହି କେହି ବାରମ୍ବାର
ବିକାରଗ୍ରସ୍ତ ହୋଇଯାଉଛନ୍ତି । ବାବା କହୁଛନ୍ତି - ତୁମକୁ ବାବାଙ୍କ ସହିତ ସେବାରେ ସାଥୀ ହେବା
ଉଚିତ୍, ଏହା ବହୁତ ବଡ ସେବା, ଏତେ ବଡ ଦୁନିଆକୁ ପତିତରୁ ପାବନ କରିବାକୁ ହେବ । ଏମିତି ବି ନୁହେଁ
ଯେ ସମସ୍ତେ ବାବାଙ୍କୁ ସହଯୋଗ କରିବେ । ଯେଉଁମାନେ କଳ୍ପ ପୂର୍ବରୁ ସହଯୋଗ ଦେଇଥିଲେ, ବ୍ରାହ୍ମଣ
କୂଳ ଭୂଷଣ, ବ୍ରହ୍ମାକୁମାର-କୁମାରୀ ହୋଇଛନ୍ତି, ସେହିମାନେ ହିଁ ବୁଦ୍ଧିମାନ ହେବେ । ପ୍ରଜାପିତା
ବ୍ରହ୍ମାଙ୍କର ନାମର ତ ଗାୟନ ରହିଛି । ବ୍ରହ୍ମାଙ୍କର ସନ୍ତାନମାନଙ୍କୁ ନିଶ୍ଚିତ ବ୍ରହ୍ମାକୁମାର
ବା କୁମାରୀ ହିଁ କୁହାଯିବ । ତେବେ ସେମାନେ ଅତୀତରେ ଥିଲେ ନିଶ୍ଚିତ । ଆଦି ଦେବ, ଆଦିଦେବୀଙ୍କୁ
ମଧ୍ୟ ମନେ ପକାଉଛନ୍ତି । ଯେଉଁ ଜିନିଷ ଅତୀତରେ ଥିଲା ତାହା ପୁଣି ନିଶ୍ଚିତ ହେବ । ଏହି କଥା ତୁମେ
ଜାଣିଛ, ସତ୍ୟଯୁଗ ଥିଲା ପୁଣି ଅତିବାହିତ ହୋଇଯାଇଛି । ସେଠାରେ ଆଦି ସନାତନ ଦେବୀ ଦେବତାମାନଙ୍କର
ରାଜ୍ୟ ଥିଲା ଯାହାକି ଏବେ ନାହିଁ । ଦେବୀ ଦେବତାମାନେ ଯେଉଁମାନେ କି ପବିତ୍ର ପ୍ରବୃତ୍ତି ମାର୍ଗର
ଥିଲେ, ସେମାନେ ରାଜତ୍ୱ କରୁଥିଲେ, ସେମାନେ ଏବେ ୮୪ ଜନ୍ମର ଶେଷରେ ଅଛନ୍ତି । ଏବେ ନା ସେମାନେ
ପବିତ୍ର ଅଛନ୍ତି ନା ତାଙ୍କର ସେହି ରାଜତ୍ୱ ଅଛି । ପତିତ ହୋଇଯାଇଛନ୍ତି । ପୁଣି ବାବା ଆସିଛନ୍ତି
ପାବନ କରିବା ପାଇଁ । କହୁଛନ୍ତି - ପତିତମାନଙ୍କ ସହିତ ବୁଦ୍ଧିଯୋଗ ଲଗାଅ ନାହିଁ, କେବଳ ଏକମାତ୍ର
ବାବାଙ୍କୁ ମନେ ପକାଅ ।
ତୁମେ ଜାଣିଛ ଆମେ ବାବାଙ୍କ ମତରେ ଚାଲି ବାବାଙ୍କଠାରୁ ସମ୍ପତ୍ତି ନେଉଛୁ । କିପରି ସମ୍ପତ୍ତି
ପାଇବାକୁ ହେବ ତାହାର ଉପାୟ ମଧ୍ୟ ବାବା ଶୁଣାଉଛନ୍ତି । ମନୁଷ୍ୟ ତ ଅନେକ ପ୍ରକାରର ଉପାୟମାନ ରଚନା
କରୁଛନ୍ତି । କେହି ବିଜ୍ଞାନର ଅହଂକାରୀ ତ କେହି ଡାକ୍ତରୀ ବିଦ୍ୟାର ଅହଂକାରୀ ଅଛନ୍ତି ।
ଖବରକାଗଜରେ ଲେଖୁଛନ୍ତି ମନୁଷ୍ୟର ହାର୍ଟ ଯଦି ଖରାପ ହୋଇଯାଏ ତେବେ ଆଉ ଗୋଟିଏ ପ୍ଲାଷ୍ଟିକର ହାର୍ଟ
ତିଆରି କରି ଲଗାଇ ପାରିବୁ । ଅସଲିକୁ ବାହାର କରି ନକଲିକୁ ଚଲାଉଛନ୍ତି । ଏହା ମଧ୍ୟ କେତେ ବଡ
ଦକ୍ଷତା ଅଟେ । ଏହା ହେଲା ଅଳ୍ପକାଳର ସୁଖ ପାଇବା ପାଇଁ । କାଲି ଯଦି ମରିଯିବ ତେବେ ଶରୀର ତ
ପାଉଁଶ ହୋଇଯିବ । ପ୍ରାପ୍ତି ତ କିଛି ହେଉନାହିଁ । ଅଳ୍ପକାଳ ପାଇଁ ମିଳିଲା । ବିଜ୍ଞାନ ଦ୍ୱାରା
ବହୁତ କିଛି ଚମତ୍କାର କରି ଦେଖାଉଛନ୍ତି, ତାହା ମଧ୍ୟ ଅଳ୍ପ କାଳ ପାଇଁ । ଏଠାରେ ତ ବିଲ୍କୁଲ ଅଲଗା
କଥା । ପବିତ୍ର ଆତ୍ମା ୮୪ ଜନ୍ମ ନେଇ ଏବେ ପତିତ ହୋଇଯାଇଛି । ସେହି ପତିତ ଆତ୍ମାକୁ କେବଳ
ବାବାଙ୍କ ବିନା ଆଉ କେହି ପୁଣି ପବିତ୍ର କରିପାରିବେ ନାହିଁ । ସେହି ଜଣଙ୍କର ହିଁ ଗାୟନ ରହିଛି -
ସେ ସମସ୍ତଙ୍କର ପତିତ-ପାବନ, ସମସ୍ତଙ୍କର ସଦଗତି ଦାତା, ସମସ୍ତଙ୍କ ଉପରେ ଦୟା ଦୃଷ୍ଟି ରଖିଲାବାଲା,
ସର୍ବୋଦୟା ଲିଡର ଅର୍ଥାତ୍ ସମସ୍ତଙ୍କ ଉପରେ ଦୟାକଲାବାଲା ଅଟନ୍ତି । ମଣିଷ ନିଜକୁ ସର୍ବୋଦୟା
ଲିଡର ବୋଲାଉଛନ୍ତି, ତେବେ ସର୍ବ ଅର୍ଥାତ୍ ସେଥିରେ ସମସ୍ତେ ଆସିଯାଉଛନ୍ତି । ସମସ୍ତଙ୍କୁ ଦୟା
କଲାବାଲା ତ ଏକମାତ୍ର ଭଗବାନଙ୍କ ପାଇଁ ଗାୟନ ରହିଛି । ଯାହାଙ୍କୁ ଦୟାବାନ୍, ପରମାନନ୍ଦ ବୋଲି
କୁହାଯାଉଛି । ବାକି ମନୁଷ୍ୟ କ’ଣ ସମସ୍ତଙ୍କ ଉପରେ ଦୟା କରିପାରିବ! ମନୁଷ୍ୟ ନିଜ ଉପରେ ବି ଦୟା
କରିପାରୁ ନାହିଁ ତେବେ ଅନ୍ୟ ଉପରେ କ’ଣ ଦୟା କରିବ! ମନୁଷ୍ୟ ଅଳ୍ପକାଳ ପାଇଁ ଦୟା କରିଥାଏ ।
ସେଥିପାଇଁ ନିଜର କେତେ ବଡ ବଡ ନାମ ରଖିଦେଇଛନ୍ତି ।
ଏବେ ବାବା କହୁଛନ୍ତି - ତୁମକୁ ସଦା ସୁଖି ଏବଂ ସଦା ସମ୍ପତ୍ତିବାନ ହେବା ପାଇଁ କେତେ ସହଜ ଉପାୟ
ବତାଉଛି । ଉପାୟ ତ ବିଲ୍କୁଲ୍ ସହଜ, କେବଳ ମୋତେ ମନେ ପକାଅ କାହିଁକି ନା ତୁମେ ମୋତେ ହିଁ ଭୁଲି
ଯାଇଛ । ସତ୍ୟଯୁଗରେ ତ ତୁମେ ସୁଖୀ ରହୁଛ ସେଥିପାଇଁ ମୋତେ ମନେ ପକାଉ ନାହଁ । ତୁମର ୮୪ ଜନ୍ମର
ଇତିହାସ-ଭୂଗୋଳ ତୁମକୁ ଶୁଣାଇ ଦେଇଛି । ତୁମେ ଏହିଭଳି ରାଜ୍ୟ କରୁଥିଲ, ସଦା ସୁଖି ଥିଲ, ପୁଣି
ଦିନକୁ ଦିନ ତଳକୁ ଖସି-ଖସି ତମୋପ୍ରଧାନ, ଦୁଃଖୀ ପତିତ ହୋଇଯାଇଛ । ଏବେ ବାବା ପୁନର୍ବାର ତୁମ
ପିଲାମାନଙ୍କୁ କଳ୍ପ ପୂର୍ବଭଳି ସମ୍ପତ୍ତି ଦେଉଛନ୍ତି, ଯେଉଁମାନେ କଳ୍ପ କଳ୍ପ ଆସି ସମ୍ପତ୍ତି
ନେଉଛନ୍ତି, ସେମାନେ ଶ୍ରୀମତରେ ଚାଲୁଛନ୍ତି, ଶ୍ରୀମତ ହିଁ ହେଉଛି ବାପଦାଦାଙ୍କର ମତ । ତାଙ୍କ ଛଡା
ଶ୍ରୀମତ କେଉଁଠୁ ମିଳିବ । ବାବା କହୁଛନ୍ତି ତୁମେ ବିଚାର କର - ଏହି ଦକ୍ଷତା କାହା ପାଖରେ ଅଛି?
କାହା ପାଖରେ ନାହିଁ । କାହାକୁ ବିଶ୍ୱର ମାଲିକ କରିବା - ତାର ଉପାୟ ବାବା ହିଁ ଶୁଣାଉଛନ୍ତି ।
କହୁଛନ୍ତି ଏହା ଛଡା ଆଉ କୌଣସି ଉପାୟ ନାହିଁ, ପତିତ ପାବନ ବାବା ହିଁ ଉଚ୍ଚ ପଦ ପାଇବା ପାଇଁ
ଜ୍ଞାନ ଦେଉଛନ୍ତି । ଏମିତି ନୁହେଁ ଯେ କେବଳ ସୃଷ୍ଟିଚକ୍ରର ଜ୍ଞାନକୁ ଜାଣିଗଲେ ତୁମେ ପବିତ୍ର
ହୋଇଯିବ । ବାବା କହୁଛନ୍ତି - ମୋତେ ମନେ ପକାଅ । ଏହି ଯୋଗ ଅଗ୍ନି ଦ୍ୱାରା ତୁମର ଆତ୍ମା ରୂପୀ
କଳସୀ ଯାହାକି ପାପରେ ପୂର୍ଣ୍ଣ ହୋଇଯାଇଛି ତାହା ପବିତ୍ର ହୋଇଯିବ ।
ବାବା କହୁଛନ୍ତି - ତୁମେ ହିଁ ୮୪ ଜନ୍ମ ନେଇ ନେଇ ବହୁତ ପତିତ ହୋଇଯାଇଛ । ଆଜିକାଲି ତ ପୁଣି ନିଜକୁ
ଶିବୋହମ୍, ତତ୍ତ୍ୱମ୍ କହିଦେଉଛନ୍ତି ନଚେତ୍ କହୁଛନ୍ତି ତୁମେ ପରମାତ୍ମାଙ୍କର ରୂପ, ଆତ୍ମା ହିଁ
ପରମାତ୍ମା ଅଟେ । ଏବେ ବାବା ଆସିଛନ୍ତି, ତୁମେ ଜାଣିଛ ସମସ୍ତଙ୍କୁ ଶିବବାବାଙ୍କର ପରିଚୟ ଦେବାକୁ
ହେବ । ସମସ୍ତଙ୍କର ସଦଗତି ଦାତା କେବଳ ଏକା ପରମପିତା ପରମାତ୍ମା ହିଁ ଅଟନ୍ତି । ଶିବଙ୍କର ମନ୍ଦିର
ଅଲଗା ତିଆରି ହେଉଛି, ଶଙ୍କରଙ୍କର ରୂପ ହିଁ ଅଲଗା ଅଟେ । ପ୍ରଦର୍ଶନୀରେ ମଧ୍ୟ ଦେଖାଇବାକୁ ପଡିଥାଏ,
ଶିବ ନିରାକାର, ଶଙ୍କର ଆକାରୀ ଦେବତା ଅଟନ୍ତି । କୃଷ୍ଣ ତ ପୁଣି ସାକାରୀ ଅଟନ୍ତି । ତାଙ୍କ ସହିତ
ରାଧାଙ୍କୁ ଦେଖାଇବା ଠିକ୍ ହେବ । ତେବେ ପ୍ରମାଣିତ ହୋଇଯିବ ଯେ ଏହି ଦୁଇଜଣ ପୁଣି
ଲକ୍ଷ୍ମୀ-ନାରାୟଣ ହେବେ । କୃଷ୍ଣ ତ ଦ୍ୱାପରରେ ଗୀତା ଶୁଣାଇବା ପାଇଁ ଆସନ୍ତି ହିଁ ନାହିଁ ।
ପତିତମାନେ କଳିଯୁଗର ଶେଷରେ ଥାନ୍ତି ଏବଂ ପବିତ୍ର ଆତ୍ମାମାନେ ସତ୍ୟଯୁଗରେ ଥା’ନ୍ତି । ତେବେ ବାବା
ନିଶ୍ଚିତ ସଙ୍ଗମଯୁଗରେ ହିଁ ଆସିବେ । ଏହି କଥା ବାବା ହିଁ ଜାଣିଛନ୍ତି, ସିଏ ହିଁ ତ୍ରିକାଳଦର୍ଶୀ
ଅଟନ୍ତି । କୃଷ୍ଣଙ୍କୁ ତ୍ରିକାଳଦର୍ଶୀ କୁହାଯିବ ନାହିଁ । ସିଏ କ’ଣ କେବେ ତିନି କାଳର ଜ୍ଞାନ
ଶୁଣାଇପାରିବେ । ତାଙ୍କୁ ସୃଷ୍ଟିର ଆଦି-ମଧ୍ୟ-ଅନ୍ତର ଜ୍ଞାନ ହିଁ ଜଣା ନାହିଁ । କହୁଛନ୍ତି ସିଏ ତ
ଛୋଟ ପିଲା ଥିଲେ, ଦୈବୀ ରାଜକୁମାର ରାଜକୁମାରୀମାନେ କଲେଜକୁ ପଢିବାକୁ ଯାଇଥାଆନ୍ତି । ପୂର୍ବରୁ
ଏଠାରେ ମଧ୍ୟ ରାଜକୁମାର, ରାଜକୁମାରୀ ମାନଙ୍କର ସ୍ୱତନ୍ତ୍ର କଲେଜ ଥିଲା, ଏବେ ତ ସମସ୍ତଙ୍କ ପାଇଁ
ସମାନ ହୋଇଗଲାଣି । କୃଷ୍ଣ ରାଜକୁମାର ଥିଲେ, ସେଠାରେ ଆହୁରି ମଧ୍ୟ ରାଜକୁମାର ରାଜକୁମାରୀ ଥିବେ ।
ଏକାଠି ପାଠ ପଢୁଥିବେ । ସେଠାରେ ତ ଦୁନିଆ ହିଁ ନିର୍ବିକାରୀ ଅଟେ । ଏକମାତ୍ର ଶିବବାବା ହିଁ
ସମସ୍ତଙ୍କର ସଦଗତି ଦାତା ଅଟନ୍ତି । ମନୁଷ୍ୟ ସମସ୍ତଙ୍କର ସଦ୍ଗତି ଦାତା ହୋଇପାରିବ ନାହିଁ । ବାବା
ହିଁ ଆସି ସମସ୍ତଙ୍କୁ ମୁକ୍ତି ଜୀବନମୁକ୍ତି ଦେଇଥା’ନ୍ତି । ଏକଥା ମଧ୍ୟ ବୁଝାଇ ଦିଆଯାଉଛି ଯେ
ଦେବତାମାନଙ୍କର ରାଜ୍ୟରେ ଅନ୍ୟ କୌଣସି ଧର୍ମ ନ ଥିଲା । ଅନ୍ୟ ଧର୍ମାବଲମ୍ବୀମାନେ ତ ସୃଷ୍ଟିର ଅଧା
ସମୟରୁ ହିଁ ଆସୁଛନ୍ତି । ତେବେ ସେମାନେ ସତ୍ୟଯୁଗରେ କିପରି ରହିପାରିବେ, ସେମାନେ ତ ହେଉଛନ୍ତି
ହଠଯୋଗୀ, ନିବୃତ୍ତି ମାର୍ଗୀ । ସେମାନେ ରାଜଯୋଗକୁ ତ ବୁଝିପାରିବେ ନାହିଁ । ଏହି ରାଜଯୋଗ
ପ୍ରବୃତ୍ତି ମାର୍ଗୀଙ୍କ ପାଇଁ । ଭାରତ ପବିତ୍ର ପ୍ରବୃତ୍ତି ମାର୍ଗରେ ଥିଲା, ଏବେ କଳିଯୁଗରେ ତୁମେ
ପତିତ ପ୍ରବୃତ୍ତି ମାର୍ଗର ହୋଇଯାଇଛ । ଭଗବାନ ଉବାଚ - କେବଳ ମୋତେ ହିଁ ମନେ ପକାଅ । ପୁରୁଣା
ଦୁନିଆ ଅଥବା ଦେହର ସମ୍ବନ୍ଧ ସହିତ ମନ ଲଗାଇଲେ ଭାଗ୍ୟ ହରାଇବାକୁ ପଡିବ । ବହୁତ ଆତ୍ମା ଭାଗ୍ୟ
ହରାଇଥା’ନ୍ତି । ଯଦି କୌଣସି ଅକର୍ତ୍ତବ୍ୟ ଅର୍ଥାତ୍ ପାପକର୍ମ କରିଥିବ ତେବେ ଅନ୍ତିମ ସମୟରେ ତାହା
ସବୁ ସମ୍ମୁଖକୁ ଆସିବ, ସାକ୍ଷାତ୍କାର ହେବ । କେତେକ ପିଲା ବହୁତ କଥା ଲୁଚାଇ ଥା’ନ୍ତି, ଏହି
ଜନ୍ମରେ କରିଥିବା ପାପ କର୍ମ ବାବାଙ୍କୁ ଶୁଣାଇ ଦେବା ଦ୍ୱାରା ଅଧା ଦଣ୍ଡରୁ ମୁକ୍ତ ହୋଇଯିବ କିନ୍ତୁ
ଲଜ୍ଜ୍ୟା ଲାଗିବା କାରଣରୁ ଶୁଣାଉ ନାହାଁନ୍ତି । ଖରାପ କାମ ତ ବହୁତ କରୁଛନ୍ତି । ସ୍ମୃତି ତ
ରହିଥାଏ ଯେ ଶୁଣାଇ ଦେବା ଦ୍ୱାରା ମୁକ୍ତ ହୋଇପାରିବ । ବାବା ଅବିନାଶୀ ଡାକ୍ତର ଅଟନ୍ତି । ଲଜ୍ଜ୍ୟା
କାରଣରୁ ଯଦି ଡାକ୍ତରଙ୍କୁ ରୋଗ ବିଷୟରେ ନ ଶୁଣାଇବ ତେବେ ସେଥିରୁ ମୁକ୍ତ ହେବ କିପରି । ଯଦି କୌଣସି
ବି ବିକର୍ମ କରି ଦେଇଛ ତେବେ ଶୁଣାଇଦେବା ଦ୍ୱାରା ଅଧା କ୍ଷମା ହୋଇଯିବ । ନ ଶୁଣାଇବା ଦ୍ୱାରା ତାହା
ବୃଦ୍ଧି ହୋଇଚାଲିବ । ଅଧିକରୁ ଅଧିକ ଛନ୍ଦି ହୋଇଯିବ । ତା’ ପରେ ଭାଗ୍ୟ ହରାଇ ଦୁର୍ଭାଗ୍ୟଶାଳୀ
ହୋଇଯିବ । ବାବା କହୁଛନ୍ତି ଦେହ ସହିତ ମଧ୍ୟ ସମ୍ବନ୍ଧ ରଖ ନାହିଁ, ସର୍ବଦା କେବଳ ମୋତେ ହିଁ ମନେ
ପକାଅ ତେବେ ତୁମ ଦ୍ୱାରା କୌଣସି ଖରାପ କର୍ମ ହେବ ନାହିଁ । ଇଏ ଧର୍ମରାଜ ମଧ୍ୟ ଅଟନ୍ତି, ତେବେ
ଏହାଙ୍କୁ ଯଦି ଲୁଚାଇବ ତୁମେ ସବୁଠାରୁ ଅଧିକ ଦଣ୍ଡର ଅଧିକାରୀ ହେବ । ସମୟ ଯେତେ ପାଖେଇ ଆସିବ ସେତେ
ସମସ୍ତଙ୍କୁ ସାକ୍ଷାତ୍କାର ହେବ । ଏବେ ସମସ୍ତଙ୍କର ବିନାଶର ସମୟ ଉପସ୍ଥିତ, ସମସ୍ତେ ପତିତ ଅଟନ୍ତି
। ପାପର ଦଣ୍ଡ ନିଶ୍ଚିତ ମିଳିଥାଏ । ଯେପରି ଗୋଟିଏ ସେକେଣ୍ଡରେ ଜୀବନମୁକ୍ତି ମିଳିଥାଏ ସେହିପରି
ଗୋଟିଏ ସେକେଣ୍ଡରେ ଦଣ୍ଡର ଅନୁଭୂତି ଏଭଳି ହେବ ଯେପରି ବହୁତ ସମୟରୁ ଦଣ୍ଡ ଭୋଗ କରି ଆସୁଛନ୍ତି ।
ଏହା ବହୁତ ସୂକ୍ଷ୍ମ ପ୍ରକିୟା ଅଟେ । ବର୍ତ୍ତମାନ ସମସ୍ତଙ୍କର ବିନାଶ ଏବଂ ଶେଷ ବିଚାର ହେବାର ସମୟ
ଅଟେ । ଦଣ୍ଡ ତ ନିଶ୍ଚିତ ଭୋଗିବାକୁ ହେବ । ପୁଣି ସମସ୍ତ ଆତ୍ମା ପବିତ୍ର ହୋଇ ଚାଲିଯିବେ । ବାବା
ହିଁ ଆସି ପତିତ ଆତ୍ମାମାନଙ୍କୁ ପବିତ୍ର କରୁଛନ୍ତି । ବାବାଙ୍କ ବିନା ଏ ଶକ୍ତି ଆଉ କାହାର ନାହିଁ
। ୬୩ ଜନ୍ମ ପାପ କରି କରି ଏବେ ତୁମର ପାପର କଳସୀ ପୂର୍ଣ୍ଣ ହୋଇଗଲାଣି । ମାୟାର ଗ୍ରହଣ ସମସ୍ତଙ୍କୁ
ଲାଗିଯାଇଛି । ସବୁଠାରୁ ବଡ ଗ୍ରହଣ ତୁମ ଉପରେ ଲାଗିଛି । ସର୍ବଗୁଣ ସମ୍ପନ୍ନ ତୁମେ ହିଁ ଥିଲ ଏବଂ
ଗ୍ରହଣ ମଧ୍ୟ ତୁମକୁ ଲାଗିଛି, ଜ୍ଞାନ ମଧ୍ୟ ଏବେ ତୁମ ପିଲାମାନଙ୍କୁ ମିଳିଛି । ବାବା ଶୁଣାଉଛନ୍ତି
- ତୁମେମାନେ ଭାରତର ମାଲିକ ଥିଲ ଏବଂ ୮୪ ଜନ୍ମ ମଧ୍ୟ ତୁମେମାନେ ହିଁ ଭୋଗ କରିଛ । ବାବା କିପରି
ସିଧା ସଳଖ ଭାବରେ ଶୁଣାଉଛନ୍ତି କି ତୁମେମାନେ ବାସ୍ତବରେ ଦେବୀ ଦେବତା ଧର୍ମର ଥିଲ ପୁଣି ପତିତ
ହେବା କାରଣରୁ ନିଜକୁ ହିନ୍ଦୁ କହୁଛ । ହିନ୍ଦୁ ଧର୍ମ ତ କେହି ସ୍ଥାପନା କରିନାହାଁନ୍ତି । ମଠ
ପନ୍ଥ ମାନଙ୍କର ରାଜବଂଶ କୁହାଯିବ ନାହିଁ । ରାଜବଂଶ ରାଜାମାନଙ୍କର ହୋଇଥାଏ । ଲକ୍ଷ୍ମୀ-ନାରାୟଣ
ଦି ଫାଷ୍ଟ, ସେକେଣ୍ଡ, ଥାର୍ଡ (ପ୍ରଥମ, ଦ୍ୱିତୀୟ, ତୃତୀୟ) ଏହିଭଳି ରାଜତ୍ୱ ଚାଲିଥାଏ । ଏକଥା
ମଧ୍ୟ ନିଶ୍ଚିତ ଯେ, ପବିତ୍ରରୁ ପତିତ ହେବାକୁ ହିଁ ପଡିବ । ପତିତ ହେବା କାରଣରୁ ନିଜକୁ
ଦେବୀ-ଦେବତା କହିପାରି ନ ଥା’ନ୍ତି । ତୁମେ ବୁଝୁଛ ଯେ ଆମେ ପୂଜ୍ୟ ଆଦି ସନାତନ ଦେବୀ-ଦେବତା
ଧର୍ମର ଥିଲୁ । ଏବେ ନିଜ ଧର୍ମର ଚିତ୍ରକୁ ହିଁ ପୂଜା କରୁଛନ୍ତି । କେବଳ ଏତିକି ଭୁଲି ଯାଇଛନ୍ତି
ଯେ ଆମେ ପୂଜ୍ୟ ଦେବୀ-ଦେବତା ଥିଲୁ, ଏବେ ପୂଜାରୀ ହୋଇଯାଇଛୁ । ଏବେ ତୁମେ ଜାଣୁଛ - ବାବା ହିଁ
ସମ୍ପତ୍ତି ଦେଇଥିଲେ, ପୁଣି ଯେତେବେଳେ ଆମେ ପତିତ ହେଲୁ ସେତେବେଳେ ନିଜର ମୂର୍ତ୍ତିକୁ ପୂଜା କରିଲୁ
। ନିଜେ ହିଁ ପୂଜ୍ୟ, ନିଜେ ହିଁ ପୂଜାରୀ । ଏହି କଥା ଭାରତବାସୀଙ୍କ ବ୍ୟତୀତ ଅନ୍ୟ କାହା ପାଇଁ
କୁହାଯାଇ ପାରିବ ନାହିଁ । ବାବା ହିଁ ଭାରତକୁ ଆସି ପୁନର୍ବାର ସେହିଭଳି ଦେବତା କରିବା ପାଇଁ
ଜ୍ଞାନ ଦେଉଛନ୍ତି । ବାକି ସମସ୍ତେ ହିସାବ କିତାବ ଚୁକ୍ତ କରି ଘରକୁ ଫେରିଯିବେ । ଆତ୍ମାମାନେ
ସମସ୍ତେ ବାବାଙ୍କୁ ଡାକିବାରେ ଲାଗିଛନ୍ତି - “ହେ ଈଶ୍ୱର ପିତା” । ଏହା ମଧ୍ୟ ବୁଝିବାର କଥା । ଏହି
ସମୟରେ ତୁମର ତିନିଜଣ ପିତା ଅଛନ୍ତି । ଜଣେ ହେଲେ ଶିବବାବା, ଦ୍ୱିତୀୟରେ ଲୌକିକ ପିତା ଏବଂ ଇଏ
ହେଲେ ଅଲୌକିକ ପିତା ପ୍ରଜାପିତା ବ୍ରହ୍ମା । ବାକି ଆଉ ସମସ୍ତଙ୍କର ଦୁଇଜଣ ପିତା ଅଛନ୍ତି । ଲୌକିକ
ଏବଂ ପାରଲୌକିକ । ସତ୍ୟଯୁଗରେ କେବଳ ଜଣେ ଲୌକିକ ପିତା ହିଁ ଥା’ନ୍ତି । ସେମାନେ ପାରଲୌକିକ
ପିତାଙ୍କୁ ଜାଣନ୍ତି ହିଁ ନାହାଁନ୍ତି ସେଠାରେ ତ ସୁଖ ହିଁ ସୁଖ, ତେବେ ପାରଲୌକିକ ପିତାଙ୍କୁ
କାହିଁକି ସ୍ମରଣ କରିବେ । ଦୁଃଖରେ ସମସ୍ତେ ସ୍ମରଣ କରିଥା’ନ୍ତି । ଏଠାରେ ପୁଣି ତୁମର ତିନିଜଣ
ପିତା ତ ହୋଇଯାଉଛନ୍ତି । ଏହା ମଧ୍ୟ ବୁଝିବାର କଥା । ସେଠାରେ (ସ୍ୱର୍ଗରେ) ଆତ୍ମ-ଅଭିମାନୀ ହୋଇ
ରହିଥାନ୍ତି, ପୁଣି ଧୀରେ ଧୀରେ ଦେହ-ଅଭିମାନୀ ହୋଇଯାଆନ୍ତି । ଏଠାରେ ତୁମେ ଆତ୍ମ-ଅଭିମାନୀ ସହିତ
ପରମାତ୍ମ-ଅଭିମାନୀ ମଧ୍ୟ ଅଟ । ତୁମର ଶୁଦ୍ଧ ଅଭିମାନ ମଧ୍ୟ ରହିଛି ଯେ ଆମେ ସମସ୍ତେ ବାବାଙ୍କର
ସନ୍ତାନ ଅଟୁ, ତାଙ୍କଠାରୁ ସମ୍ପତ୍ତି ନେଉଛୁ । ସିଏ ଆମର ପିତା, ଶିକ୍ଷକ, ସଦଗୁରୁ ଅଟନ୍ତି ।
ତାଙ୍କର ଏହି ମହିମା ମଧ୍ୟ ବୁଝାଇବାକୁ ପଡିବ । ସିଏ ହିଁ ଆସି ସବୁ ପିଲାମାନଙ୍କୁ ସମ୍ପତ୍ତି
ଦେଉଛନ୍ତି । ସତ୍ୟଯୁଗରେ ତୁମ ପାଖରେ ସମ୍ପତ୍ତି ଥିଲା ପୁଣି ୮୪ ଜନ୍ମ ଭୋଗ କରି ହରାଇ ଦେଇଛ । ଏବେ
ଏହି କଥା ବୁଝାଇବା କେତେ ସହଜ ଅଟେ । ବାବାଙ୍କୁ କୁହାଯାଉଛି ପତିତ ପାବନ, ସମସ୍ତଙ୍କର ସଦଗତି ଦାତା
। ଏହି ଦୁନିଆ ହିଁ ପତିତମାନଙ୍କର ଅଟେ, ତେଣୁ ଏଠାରେ କେହି କାହାର ସଦଗତି କିପରି କରିପାରିବେ ।
କେହି ଯଦି ବହୁତ ଶାସ୍ତ୍ର ଆଦି ପଢିଥା’ନ୍ତି ତେବେ ଅନ୍ତ ମତି ସୋ ଗତି ଅର୍ଥାତ୍ ଅନ୍ତିମ ସ୍ଥିତି
ଅନୁସାରେ ପରବର୍ତ୍ତୀ ଜନ୍ମ ହୋଇଥାଏ ପୁଣି ବାଲ୍ୟ ଅବସ୍ଥାରୁ ହିଁ ଶାସ୍ତ୍ର ଆଦି ମୁଖସ୍ଥ
ହୋଇଯାଇଥାଏ । ବାବା ତୁମ ପିଲାମାନଙ୍କୁ କେତେ ମିଠା-ମିଠା କଥା ଶୁଣାଉଛନ୍ତି । ପିଲାମାନେ,
ତୁମେମାନେ ତମୋପ୍ରଧାନ ହୋଇଯାଇଛ । ଏବେ ପୁଣି ବାବାଙ୍କୁ ମନେ ପକାଅ ତେବେ ବିକାରର ଖାଦ
ବାହାରିଯିବ । ଏବେ ନାଟକ ଶେଷ ହେବାକୁ ଯାଉଛି, ସମସ୍ତଙ୍କୁ ଏଠାରେ ଉପସ୍ଥିତ ହେବାକୁ ପଡିବ ।
ଯୀଶୁଖ୍ରୀଷ୍ଟ ଆଦି ସମସ୍ତଙ୍କର ଆତ୍ମା ଏହିଠାରେ ଉପସ୍ଥିତ ଅଛନ୍ତି, ସେମାନେ ମଧ୍ୟ ବାବାଙ୍କ
ସମ୍ମୁଖକୁ ନମସ୍କାର କରିବା ପାଇଁ ଆସିବେ । ସେମାନଙ୍କୁ ତ ଚକ୍ରବର୍ତ୍ତୀ ରାଜା ହେବାର ନାହିଁ ।
କେବଳ ବାବାଙ୍କୁ ମନେ ପକାଇବେ, ମନମନାଭବର ମନ୍ତ୍ର ସାଥୀରେ ନେଇ ଯିବେ । ତୁମର ହେଲା ମନମନାଭବ ଏବଂ
ମଧ୍ୟାଜୀଭବର ଡବଲ ମନ୍ତ୍ର । ବାବା କେତେ ଭଲ ଉପାୟ ବତାଉଛନ୍ତି । ଆଚ୍ଛା—
ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ
ଶୁଭେଚ୍ଛା ଏବଂ ସୁପ୍ରଭାତ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।
ଧାରଣା ପାଇଁ ମୁଖ୍ୟ ସାର
:—
(୧) ଏହି ପୁରୁଣା
ଦୁନିଆରେ ରହି ପୁରୁଷାର୍ଥ କରି ସର୍ବଗୁଣ ସମ୍ପନ୍ନ ନିଶ୍ଚିତ ହେବାକୁ ପଡିବ । ଏହି ପୁରୁଣା ଦୁନିଆ
ବା ପୁରୁଣା ଶରୀର ସହିତ ମନ ଲଗାଇବାର ନାହିଁ । ଭାଗ୍ୟବାନ ହେବାର ଅଛି ।
(୨) ଆତ୍ମ-ଅଭିମାନୀ ଏବଂ
ପରମାତ୍ମ ଅଭିମାନୀ ହୋଇ ରହିବାକୁ ହେବ । ଏହି ମହାବିନାଶ ସମୟରେ ବାବାଙ୍କୁ କିଛି ବି ଲୁଚାଇବାର
ନାହିଁ । ଅବିନାଶୀ ଡାକ୍ତରଙ୍କଠାରୁ ସର୍ବଦା ପରାମର୍ଶ ନେବାକୁ ହେବ ।
ବରଦାନ:-
ସଙ୍ଗଦୋଷ ଠାରୁ
ଦୂରରେ ରହି ସର୍ବଦା ବାବାଙ୍କ ନିକଟରେ ରହିବାର ଭାଗ୍ୟ ପ୍ରାପ୍ତ କରୁଥିବା ପାସ୍ ୱିଥ୍ ଅନର ଭବ ।
ଯଦି ବାବାଙ୍କର ପାଖାପାଖି
ରହିବାକୁ ଚାହୁଁଛ ତେବେ ସର୍ବଦା ସବୁ ପ୍ରକାରର ସଙ୍ଗଦୋଷ ଠାରୁ ଦୂରେଇ ରହିବାକୁ ହେବ । ବ୍ରାହ୍ମଣ
ଜୀବନରେ ଅନେକ ପ୍ରକାରର ଆକର୍ଷଣ ପରୀକ୍ଷା ରୂପରେ ଆସିବ କିନ୍ତୁ କେବେ ବି ସେଥିରେ ଆକର୍ଷିତ
ହେବାର ନାହିଁ । ତେବେ ସଙ୍ଗଦୋଷ ମଧ୍ୟ ଅନେକ ପ୍ରକାରର ଅଛି, ବ୍ୟର୍ଥ ସଂକଳ୍ପର ବା ମାୟାର
ଆକର୍ଷଣର ସଂକଳ୍ପର ସଙ୍ଗ, ମିତ୍ର ସମ୍ବନ୍ଧୀମାନଙ୍କର ସଙ୍ଗ, ବାଣୀର ସଙ୍ଗ, ଅନ୍ନଦୋଷର ସଙ୍ଗ,
କର୍ମର ସଙ୍ଗ.... ଏହି ସମସ୍ତ ସଙ୍ଗଦୋଷ ଗୁଡିକ ଠାରୁ ନିଜକୁ ସୁରକ୍ଷିତ ରଖିବାବାଲା ହିଁ ପାସ୍
ୱିଥ୍ ଅନର ଅର୍ଥାତ୍ ସମ୍ମାନର ସହିତ ଉତ୍ତୀର୍ଣ୍ଣ ହୋଇଥାଆନ୍ତି ।
ସ୍ଲୋଗାନ:-
ଯଦି ତୁମେ
ଫରିସ୍ତା ହୋଇଯିବ, ତେବେ ପରିସ୍ଥିତି ଗୁଡିକରେ ନିଜେ ବାବା ତୁମର ଛତ୍ରଛାୟା ହୋଇଯିବେ ।
ଅବ୍ୟକ୍ତ ଈଶାରା:-
ସର୍ବଦା ଅଚଳ, ଅଟଳ ଏବଂ ଏକରସ ସ୍ଥିତିର ଅନୁଭବ କର ।
ସର୍ବଦା ଏକରସ ଏବଂ ଅଚଳ
ଅଟଳ ସ୍ଥିତିରେ ରହିବା ଏବଂ ଅନ୍ୟମାନଙ୍କୁ ସେହିଭଳି କରିବାର ବିଶେଷ ଶକ୍ତି ହେଲା ଡ୍ରାମାର ଜ୍ଞାନ
। ଏହାକୁ ଶକ୍ତି ରୂପରେ ଧାରଣ କରିବାବାଲା କେବେ ବି ପରାଜିତ ହୋଇପାରିବେ ନାହିଁ, କିନ୍ତୁ ପ୍ରଥମେ
ଡ୍ରାମାର ବିନ୍ଦୁ ଲଗାଇ ବ୍ୟର୍ଥ ସଂକଳ୍ପକୁ ଶୁଦ୍ଧ ସଂକଳ୍ପରେ ପରିବର୍ତ୍ତନ କର, ତା’ପରେ ମାୟା
ଦ୍ୱାରା ଆସୁଥିବା ଅନେକ ପ୍ରକାରର ବିଘ୍ନ ଗୁଡିକୁ ଈଶ୍ୱରୀୟ ଲଗନର ଆଧାରରେ ସମାପ୍ତ କର ।