29.06.26 Morning Odia Murli Om Shanti BapDada Madhuban
“ମିଠେ ବଚ୍ଚେ:- ନିଜକୁ
ଆତ୍ମା ମନେ କରି ଆତ୍ମା ସହିତ କଥା ହୁଅ ତେବେ ଆତ୍ମାରୂପୀ ଫୁଲରେ ସୁଗନ୍ଧ ଅର୍ଥାତ୍ ଦୈବୀଗୁଣ
ଆସିବାକୁ ଲାଗିବ, ଦେହ-ଅଭିମାନର ଦୁର୍ଗନ୍ଧ ବାହାରିଯିବ ।”
ପ୍ରଶ୍ନ:-
ଚତୁର୍ଦ୍ଦିଗରେ
ନିଜର ସୁଗନ୍ଧ ଖେଳାଉଥିବା ସଚ୍ଚା ଫୁଲ ବା ପତଙ୍ଗ କିଏ?
ଉତ୍ତର:-
ପ୍ରକୃତ ଫୁଲ ସିଏ ଯିଏ ନିଜ ସମାନ ଅନେକଙ୍କୁ ସୁଗନ୍ଧଯୁକ୍ତ ଫୁଲ କରୁଥିବେ । ଶ୍ରୀମତ୍ରେ ଚାଲି
ଜ୍ୟୋତି ସ୍ୱରୂପ ଶିବବାବାଙ୍କ ଉପରେ ଝାସ ଦେଉଥିବେ ଅର୍ଥାତ୍ ପୂରା ପୂରା ସ୍ୱାହା ହେଉଥିବେ ।
ବଞ୍ଚି ଥାଉ ଥାଉ ଏହିଭଳି ମୃତ୍ୟୁବରଣ କରୁଥିବା ସଚ୍ଚା ସଚ୍ଚା ପତଙ୍ଗମାନଙ୍କର ବା ଏହିଭଳି
ଫୁଲମାନଙ୍କର ସୁଗନ୍ଧ ଆପେ ଆପେ ଚତୁର୍ଦ୍ଦିଗରେ ଖେଳି ଯାଇଥାଏ ।
ଗୀତ:-
ମହଫିଲ ମେଁ ଜଲ
ଉଠି ଶମା....
ଓମ୍ ଶାନ୍ତି ।
ଯେପରି ପତଙ୍ଗମାନେ ଅର୍ଥାତ୍ ପିଲାମାନେ ଗୀତ ଶୁଣିଲେ । ପତଙ୍ଗ କୁହ ବା ଫୁଲ କୁହ, ଏକା କଥା ।
ପିଲାମାନେ ଭାବୁଛନ୍ତି ଆମେ ପ୍ରକୃତ ପତଙ୍ଗ ହୋଇଛୁ ନା ଚାରିପଟେ ଘୂରି ଘୁରି ଉଡି ଚାଲିଯାଉଛୁ?
ଜ୍ୟୋତିକୁ ଭୁଲିଯାଉଛୁ । ପ୍ରତ୍ୟେକଙ୍କୁ ନିଜର ମନକୁ ପଚାରିବା ଉଚିତ୍ ଯେ ମୁଁ କେତେ ଫୁଲ ଭଳି
ହୋଇଛି ଏବଂ ଜ୍ଞାନର ସୁବାସ ଖେଳାଉଛି? ନିଜ ଭଳି ଫୁଲ କାହାକୁ କରିଛି? ଏ କଥା ତ ପିଲାମାନେ
ଜାଣିଛନ୍ତି - ଜ୍ଞାନର ସାଗର ବାବା ଅଟନ୍ତି, ତାଙ୍କର କେତେ ସୁଗନ୍ଧ ରହିଛି? ଯେଉଁମାନେ ଭଲ ଫୁଲ
ବା ପତଙ୍ଗ ଅଟନ୍ତି ସେମାନଙ୍କ ଠାରୁ ନିଶ୍ଚିତ ଭଲ ସୁଗନ୍ଧ ଆସିବ । ସେମାନେ ସର୍ବଦା ଖୁସିରେ ରହିବେ
ଏବଂ ଅନ୍ୟମାନଙ୍କୁ ମଧ୍ୟ ନିଜ ସମାନ ଫୁଲ ବା ପତଙ୍ଗ କରିବେ । ଫୁଲ ନ କରିପାରିଲେ କଢି ତ
କରିପାରିବେ । ପ୍ରକୃତ ପତଙ୍ଗ ସେହିମାନେ ଯିଏକି ବଞ୍ଚି ଥାଉ ଥାଉ ମରିଥାନ୍ତି । ସମର୍ପିତ
ହୋଇଥା’ନ୍ତି ଅଥବା ଈଶ୍ୱରୀୟ ସନ୍ତାନ ହୋଇଥାନ୍ତି । କେହି ଧନୀ ବ୍ୟକ୍ତି ଯଦି କୌଣସି ଗରୀବର
ସନ୍ତାନକୁ ପୋଷ୍ୟ କରି ନେଇଥା’ନ୍ତି ତେବେ ଗରୀବ ପିଲାଟିକୁ ସେହି ଧନୀ ବ୍ୟକ୍ତିଙ୍କ କୋଳକୁ ଆସିବା
ଦ୍ୱାରା ସେହି ମା-ବାପା ମନେ ପଡିଥାନ୍ତି ଏବଂ ଗରୀବ ମା-ବାପାଙ୍କୁ ଭୁଲି ଯାଇଥାଏ । ସେ ଜାଣିଥାଏ
ଯେ ମୋର ମା-ବାପା ଗରୀବ ଅଟନ୍ତି, କିନ୍ତୁ ସାହୁକାର ମା-ବାପାଙ୍କୁ ମନେ ପକାଇଥାଏ, ଯାହାଙ୍କଠାରୁ
ଧନ ମିଳିଥାଏ । ସାଧୁ ସନ୍ନ୍ୟାସୀ ଆଦି ସାଧନା କରୁଛନ୍ତି ମୁକ୍ତିଧାମକୁ ଯିବା ପାଇଁ । ସମସ୍ତେ
ମୁକ୍ତି ପାଇଁ ହିଁ ପୁରୁଷାର୍ଥ କରୁଛନ୍ତି କିନ୍ତୁ ମୁକ୍ତିର ଅର୍ଥ ଜାଣି ନାହାଁନ୍ତି । କେହି କେହି
କହୁଛନ୍ତି ଜ୍ୟୋତି ଜ୍ୟୋତିରେ ମିଶିଯିବୁ । କେହି ଭାବୁଛନ୍ତି ନିର୍ବାଣ ଧାମକୁ ଚାଲିଯିବୁ ।
ନିର୍ବାଣଧାମ ଯିବାକୁ, ଜ୍ୟୋତିରେ ମିଶିଯିବା ବା ସମାହିତ ହୋଇଯିବା କୁହାଯିବ ନାହିଁ । ତୁମେ
ଜାଣୁଛ - ଆମେ ଦୂର ଦେଶର ନିବାସୀ ଅଟୁ । ଏହି ପତିତ ଦୁନିଆରେ ରହି କ’ଣ କରିବୁ । ପିଲାମାନଙ୍କୁ
ବୁଝାଯାଇଛି ଯେତେବେଳେ କାହା ସହିତ ସାକ୍ଷାତ୍ କରୁଛ, ତେବେ ଏହି କଥା ବୁଝାଇବାକୁ ହେବ ଯେ ଏହା
ପୂର୍ବ ପ୍ରସ୍ତୁତ ନାଟକ ଅଟେ । ସତ୍ୟଯୁଗ, ତ୍ରେତାଯୁଗ.... ପୁଣି ସଂଗମଯୁଗ । ଏହି କଥା ମଧ୍ୟ
ବୁଝାଇ ଦିଆଯାଇଛି ଯେ ସତ୍ୟଯୁଗ ପରେ ତ୍ରେତାର ସଂଗମ ହୋଇଥାଏ । ସେଠାରେ ଯୁଗର ପରିବର୍ତ୍ତନ ହେଉଛି
ବର୍ତ୍ତମାନ କଳ୍ପର ପରିବର୍ତ୍ତନ ହେଉଛି । ବାବା ଯୁଗେ ଯୁଗେ ଆସୁନାହାଁନ୍ତି ଯେପରି ମନୁଷ୍ୟ
ଭାବୁଛନ୍ତି । ବାବା କହୁଛନ୍ତି - ଯେତେବେଳେ, ସମସ୍ତେ ତମୋପ୍ରଧାନ ହୋଇଯାଆନ୍ତି, କଳିଯୁଗର ଶେଷ
ସମୟ ଆସିଯାଏ, କଳ୍ପର ସେହି ସଂଗମ ସମୟରେ ହିଁ ମୁଁ ଆସିଥାଏ । ଯୁଗ ପରିବର୍ତ୍ତନ ହେଲେ କଳାଗୁଡିକ
କ୍ଷୟ ହୋଇ ଯାଇଥାଏ । ଯେତେବେଳେ ଆତ୍ମାକୁ ପୁରା ଗ୍ରହଣ ଲାଗିଯାଏ, ସେତେବେଳେ ମୁଁ ଆସିଥାଏ । ମୁଁ
ଯୁଗେ-ଯୁଗେ ଆସି ନ ଥାଏ । ଏହି କଥା ବାବା ଆସି ଆତ୍ମା ରୂପକ ପତଙ୍ଗମାନଙ୍କୁ ବୁଝାଉଛନ୍ତି ।
ପତଙ୍ଗମାନଙ୍କ ଭିତରେ ମଧ୍ୟ କ୍ରମାନୁସାରେ ଅଛନ୍ତି । କେହି ତ ଜଳିଯାଇଥାନ୍ତି ଆଉ କେହି ଘୂରି ଘୂରି
ଫେରିଯାଆନ୍ତି । ଶ୍ରୀମତକୁ ତୁମେ ହିଁ ପାଳନ କରିପାରିବ । ଯଦି କେଉଁଠି ଶ୍ରୀମତ ପାଳନ କରି ନ
ପାରିବ ତେବେ ମାୟା ପଛକୁ ଟାଣି ଦେବ । ଶ୍ରୀମତର ବହୁତ ଗାୟନ ରହିଛି, ଶ୍ରୀମତ ଭାଗବତ୍ ଗୀତା
କୁହାଯାଉଛି । ଯେଉଁମାନେ ପରବର୍ତ୍ତୀ ସମୟରେ ଶାସ୍ତ୍ର ଲେଖିଛନ୍ତି ସେ ସମୟରେ ସେମାନଙ୍କର ବୁଦ୍ଧି
ରଜୋଗୁଣୀ ହୋଇଥିବା କାରଣରୁ ସେମାନେ ଭାବିଛନ୍ତି ଶ୍ରୀକୃଷ୍ଣ ଦ୍ୱାପର ଯୁଗରେ ଆସିଥିଲେ । ମୁଁ
ସେତେବେଳେ ଆସିଥାଏ ଯେତେବେଳେ ଆଦି ସନାତନ ଦେବୀ ଦେବତା ଧର୍ମ ପ୍ରାୟଃ ଲୋପ ହୋଇଯାଇଥାଏ । ବାକି
ଅନ୍ୟ ସବୁ ଧର୍ମ ରହିଥାଏ । ଏମିତି ନୁହେଁ ଯେ ସେହି ଦେବତା ଧର୍ମର ମନୁଷ୍ୟମାନେ ଗୁପ୍ତ
ହୋଇଯାଇଥାନ୍ତି, କିନ୍ତୁ ସେମାନେ ଭୁଲିଯାଇଥାନ୍ତି ଯେ ଆମେ ଦେବୀ ଦେବତା ଧର୍ମର ଥିଲୁ । ନିଜର
ଧର୍ମକୁ ହିନ୍ଦୁ ଧର୍ମ ବୋଲି କହି ଦିଅନ୍ତି । ଏହା ମଧ୍ୟ ଡ୍ରାମାରେ ନିଧାର୍ଯ୍ୟ ଅଛି । ଯେତେବେଳେ
ଭୁଲିଯିବେ ସେତେବେଳେ ହିଁ ପୁଣି ମୁଁ ଆସି ଦେବୀ ଦେବତା ଧର୍ମର ସ୍ଥାପନା କରିବି । ଇଏ ଏକମାତ୍ର
ପିତା ଅଟନ୍ତି ଯିଏକି ଆସି ଦୁଃଖଧାମରୁ ସୁଖଧାମର ମାଲିକ କରିଥାନ୍ତି । ତୁମେ କହିବ ଏବେ ଆମେ
ନର୍କର ମାଲିକ ଅଟୁ । ଦୁନିଆକୁ ତମୋପ୍ରଧାନ ହେବାକୁ ତ ପଡିବ । ସମସ୍ତେ ପତିତ ଅଟନ୍ତି ସେଥିପାଇଁ
ତ ପବିତ୍ର ଦେବତାମାନଙ୍କୁ ନମସ୍କାର କରୁଛନ୍ତି । ଏବେ ବାବା କହୁଛନ୍ତି ଶ୍ରୀମତରେ ଚାଲ । ଜନ୍ମ
ଜନ୍ମାନ୍ତରର ବୋଝ ମୁଣ୍ଡ ଉପରେ ବହୁତ ରହିଛି । ନଚେତ୍ ତ୍ରାହି-ତ୍ରାହି କରିବାକୁ ପଡିବ । ସେମାନେ
ଭାବୁଛନ୍ତି ଆତ୍ମା ନିର୍ଲେପ ଅଟେ କିନ୍ତୁ ନାଁ, ଆତ୍ମା ହିଁ ସୁଖ ଦୁଃଖ ଭୋଗ କରିଥାଏ । ଏହି କଥା
କେହି ବୁଝୁନାହାଁନ୍ତି । ବାବା ବାରମ୍ବାର ବୁଝାଉଛନ୍ତି - ଲକ୍ଷ୍ୟ ବହୁତ ଶ୍ରେଷ୍ଠ । ଏହି ସମୟରେ
ତୁମେ ପୁରୁଷାର୍ଥ କରୁଛ ଯେତେବେଳେକି ଦୁଃଖୀ ହୋଇଯାଇଛ । ଜାଣିଛ ସତ୍ୟଯୁଗରେ ଆମେ ବହୁତ ସୁଖୀ ହୋଇ
ରହିବା । ସେଠାରେ ଏହି ଜ୍ଞାନ ରହିବ ନାହିଁ ଯେ ଆମକୁ ପୁଣି ଦୁଃଖଧାମକୁ ଯିବାକୁ ହେବ । ଆମେ ସୁଖକୁ
କିପରି ଆସିଲୁ, କେତେ ଜନ୍ମ ନେବୁ, କିଛି ହେଲେ ବି ଜାଣିନଥା’ନ୍ତି । ଏବେ ତୁମେ ଜାଣିଛ ତେଣୁ
ଶ୍ରେଷ୍ଠ କିଏ ହେଲେ? ତୁମେ ଈଶ୍ୱରଙ୍କର ସନ୍ତାନ ହେବା କାରଣରୁ ଯେପରି ଈଶ୍ୱର ଜ୍ଞାନର ସାଗର
ଅଟନ୍ତି, ସେହିପରି ତୁମେମାନେ ମଧ୍ୟ ଜ୍ଞାନବାନ ଅଟ । ଏବେ ତୁମେ ଈଶ୍ୱରୀୟ ସନ୍ତାନ ଅଟ, କିନ୍ତୁ
କ୍ରମଅନୁସାରେ । କେହି ତ ବହୁତ ନିଶାରେ ଥା’ନ୍ତି, ଭାବିଥାନ୍ତି ଆମେ ବାବାଙ୍କର ମତରେ ଚାଲୁଛୁ ।
ଯେତେ ଶ୍ରୀମତରେ ଚାଲିବ ସେତେ ଶ୍ରେଷ୍ଠ ହେବ । ବାବା ସମ୍ମୁଖରେ ବସି ପିଲାମାନଙ୍କୁ ବୁଝାଉଛନ୍ତି
। ପିଲାମାନେ ଦେହ-ଅଭିମାନ ଛାଡିଦିଅ, ଦେହୀ-ଅଭିମାନୀ ହୁଅ, ନିରନ୍ତର ବାବାଙ୍କୁ ମନେ ପକାଅ । ବାବା
ତ ସଦାକାଳ ପାଇଁ ସୁଖଦାତା ଅଟନ୍ତି । ଏମିତି ନୁହେଁ ଯେ ଦୁଃଖ ମଧ୍ୟ ବାବା ହିଁ ଦେଉଛନ୍ତି । ବାବା
କେବେ ପିଲାମାନଙ୍କୁ ଦୁଃଖ ଦେବେ ନାହିଁ । ପିଲାମାନେ ନିଜର ଓଲଟା ଚାଲିଚଳଣ ଦ୍ୱାରା ଦୁଃଖ
ପାଇଥାନ୍ତି । ବାବା ଦୁଃଖ ଦେଇପାରିବେ ନାହିଁ । କହୁଛନ୍ତି ହେ ଭଗବାନ ଗୋଟିଏ ପୁତ୍ର ଦିଅ,
ଯାହାଦ୍ୱାରା କି କୁଳର ବୃଦ୍ଧି ହୋଇପାରିବ । ପୁତ୍ରକୁ ବହୁତ ସ୍ନେହ କରିଥାନ୍ତି । ଦୁଃଖ ତ ନିଜର
କର୍ମ କାରଣରୁ ହିଁ ପାଇଥା’ନ୍ତି । ଏବେ ବାବା ତୁମ ପିଲାମାନଙ୍କୁ ବହୁତ ସୁଖି କରୁଛନ୍ତି ।
କହୁଛନ୍ତି ଶ୍ରୀମତ ପାଳନ କର । ଆସୁରୀ ମତରେ ଚାଲିବା ଦ୍ୱାରା ତୁମେ ଦୁଃଖ ପାଉଛ । ପିଲାମାନେ ପିତା
ଅଥବା ଶିକ୍ଷକ ଅଥବା ବଡମାନଙ୍କର ଆଜ୍ଞା ନ ମାନିବା କାରଣରୁ ଦୁଃଖୀ ହୋଇଥାନ୍ତି । ମାୟାର
ବଶବର୍ତ୍ତୀ ହୋଇଯିବା କାରଣରୁ ଦୁଃଖଦାୟୀ ନିଜେ ନିଜେ ହୋଇଥାଆନ୍ତି । ଈଶ୍ୱରଙ୍କର ମତ ଏବେ ହିଁ
ତୁମକୁ ମିଳୁଛି । ଈଶ୍ୱରୀୟ ମତର ଫଳ ୨୧ ଜନ୍ମ ପର୍ଯ୍ୟନ୍ତ ଚାଲିଥାଏ । ପୁଣି ଅଧାକଳ୍ପ ମାୟାର ମତରେ
ଚାଲିଥା’ନ୍ତି । ଈଶ୍ୱର ଥରେ ମାତ୍ର ଆସି ମତ ଦେଇଥାନ୍ତି । ମାୟା ତ ଅଧାକଳ୍ପରୁ ମତ ଦେଇଆସୁଛି ।
ବାବା ଥରେ ମାତ୍ର ମତ ଦେଇଥାନ୍ତି । ମାୟାର ମତରେ ଚାଲି ଶତ ପ୍ରତିଶତ ଦୁର୍ଭାଗ୍ୟଶାଳୀ
ହୋଇଯାଇଥାନ୍ତି । ତେବେ ଯେଉଁମାନେ ଭଲ ଭଲ ଫୁଲ ଅଟନ୍ତି, ସେମାନେ ସେହି ଖୁସିରେ ସର୍ବଦା ନିମଗ୍ନ
ରହିଥା’ନ୍ତି । କ୍ରମଅନୁସାରେ ଅଛନ୍ତି ନା । କେହି କେହି ପତଙ୍ଗମାନେ ତ ବାବାଙ୍କର ହେବା ପରେ
ଶ୍ରୀମତ ପାଳନ କରିବାରେ ଲାଗିପଡିଥାଆନ୍ତି । ଗରୀବମାନେ ହିଁ ନିଜର ହିସାବ ରଖିଥା’ନ୍ତି ।
ସାହୁକାରଙ୍କ ଡର ଥାଏ ଯେ ଏଠାରେ ଆମର ପଇସା ନେଇଯିବେ ନାହିଁ ତ । ସାହୁକାର ମାନଙ୍କ ପାଇଁ ବଡ
କଷ୍ଟକର ଅଟେ । ବାବା କହୁଛନ୍ତି, ମୁଁ ଗରିବର ବନ୍ଧୁ ଅଟେ । ଦାନ ମଧ୍ୟ ସର୍ବଦା ଗରୀବଙ୍କୁ ହିଁ
ଦିଆଯାଇଥାଏ । ସୁଦାମାର କଥା ରହିଛି ନା - ଚାଉଳ ମୁଠି ନେଇ ତାକୁ ମହଲ ଦେଇଦେଲେ । ତୁମେ ହେଲ
ଗରୀବ । ଧରିନିଅ କାହା ପାଖରେ ୨୫/୫୦ଟଙ୍କା ଅଛି ସେଥିରୁ ୨୦/୨୫ ପଇସା ଦେଉଛି ସାହୁକାର ୫ ହଜାର
ଦେଲେ ମଧ୍ୟ ସମାନ ପ୍ରାପ୍ତି ହୋଇଯାଇଥାଏ, ସେଥିପାଇଁ ଦୀନବନ୍ଧୁ ନାମର ଗାୟନ ଅଛି । ସାହୁକାରମାନେ
ମଧ୍ୟ କହୁଛନ୍ତି, ଆମକୁ ସମୟ ନାହିଁ କାରଣ ସମ୍ପୂର୍ଣ୍ଣ ନିଶ୍ଚୟ ନାହିଁ । ତୁମେ ହେଲ ଗରିବ ।
ଗରୀବମାନଙ୍କୁ ଧନ ମିଳିଲେ ସେମାନେ ଖୁସି ହୋଇଥା’ନ୍ତି । ବାବା ବୁଝାଉଛନ୍ତି, ଏଠିକାର ଗରିବ
ସେଠାରେ ସାହୁକାର ହୋଇ ଯାଇଥା’ନ୍ତି ଏବଂ ଏଠିକାର ସାହୁକାର ବା ଧନୀ, ସେଠାରେ ଗରୀବ ହୋଇ
ଯାଇଥାନ୍ତି ।
କେହି କେହି କହିଥାନ୍ତି ଆମେ ଯଜ୍ଞର ଧ୍ୟାନ ରଖିବୁ ନା ପରିବାରର ଧ୍ୟାନ ରଖିବୁ? ବାବା କହୁଛନ୍ତି
ତୁମେ ନିଜ ପରିବାରର ବହୁତ ଭଲ ଭାବେ ଯତ୍ନ ନିଅ । ବହୁତ ଭଲ ହୋଇଛି ଯାହାକି ତୁମେ ବର୍ତ୍ତମାନ
ଗରୀବ ଅଛ । ସାହୁକାର ହୋଇଥିଲେ ତ ବାବାଙ୍କଠାରୁ ପୁରା ସମ୍ପତ୍ତି ନେଇପାରି ନ ଥା’ନ୍ତ ।
ସନ୍ନ୍ୟାସୀମାନେ ଏପରି କହି ନ ଥା’ନ୍ତି । ସେମାନେ ତ ପଇସା ନେଇ ନିଜର ସମ୍ପତ୍ତି ଜମା କରିଥାନ୍ତି
। ଶିବବାବା କ’ଣ ସ୍ଥୂଳ ଧନ ଜମା କରିବେ । ଏହି ଘର ଆଦି ସବୁ କିଛି ତୁମେ ପିଲାମାନେ ନିଜ ପାଇଁ
ତିଆରି କରିଛ । ଏହା କାହାର ବ୍ୟକ୍ତିଗତ ସମ୍ପତ୍ତି ନୁହେଁ । ଏହା ତ ଅସ୍ଥାୟୀ ଅଟେ କାହିଁକି ନା
ଅନ୍ତିମ ସମୟରେ ପିଲାମାନଙ୍କୁ ଏହିଠାରେ ଆସି ରହିବାକୁ ହେବ । ଆମର ସ୍ମାରକୀ ମଧ୍ୟ ଏହିଠାରେ ଅଛି
। ତେଣୁ ଶେଷ ସମୟରେ ଏହିଠାରେ ହିଁ ଆସି ବିଶ୍ରାମ ନେବେ । ବାବାଙ୍କ ପାଖକୁ ଶେଷ ସମୟରେ ସେହିମାନେ
ଆସିପାରିବେ ଯେଉଁମାନେ କି ଯୋଗଯୁକ୍ତ ହୋଇଥିବେ । ସେମାନଙ୍କୁ ବାବାଙ୍କର ସାହାଯ୍ୟ ମଧ୍ୟ ମିଳିବ ।
ବାବାଙ୍କ ଠାରୁ ବହୁତ ସାହାଯ୍ୟ ମଧ୍ୟ ମିଳୁଛି । ତୁମକୁ ଏହିଠାରେ ବସି ବିନାଶକୁ ଦେଖିବାର ଅଛି ।
ଯେପରି ଆରମ୍ଭରେ ବାବା ହିଁ ତୁମ ପିଲାମାନଙ୍କୁ ସାକ୍ଷାତକାର ଦ୍ୱାରା ଖୁସି କରାଉଥିଲେ, ସେହିପରି
ଶେଷ ସମୟରେ ମଧ୍ୟ ଖୁସି କରାଇବେ । ବହୁତ ସ୍ନେହ କରିବେ । ତୁମକୁ ଲାଗିବ ଯେମିତି ବୈକୁଣ୍ଠରେ
ବସିଛୁ, ବହୁତ ନିକଟତର ହୋଇଯିବ । ଏହା ତ ଜାଣିଛ ଯେ ଆମେ ଯାତ୍ରାରେ ଅଛୁ । କିଛି ସମୟ ପରେ ବିନାଶ
ହେବ । ତୁମେ ବହୁତ ଖୁସି ହୋଇଯିବ, ବାସ୍ ମୁଁ ଏବେ ରାଜକୁମାର ହେବି । ଏଠାରେ ଭିନ୍ନ ଭିନ୍ନ
ପ୍ରକାରର ଫୁଲ ଅଛନ୍ତି । ପ୍ରତ୍ୟେକ ସନ୍ତାନଙ୍କୁ ଜାଣିବା ଦରକାର ଯେ ମୁଁ କେତେ ଜ୍ଞାନର ସୁ୍ବାସ
ପ୍ରଦାନ କରୁଛି! କେତେ ଜଣକୁ ଜ୍ଞାନ ଏବଂ ଯୋଗର ଶିକ୍ଷା ଦେଉଛି! ଯେଉଁମାନେ ଏହିଭଳି କରୁଛନ୍ତି
ସେମାନେ ଭିତରେ ଭିତରେ ବହୁତ ପ୍ରଫୁଲ୍ଲିତ ରହିଥା’ନ୍ତି । ବାବା ଜାଣିଯାଇଥା’ନ୍ତି ଯେ କିଏ କିଭଳି
ଅବସ୍ଥାରେ ରହୁଛନ୍ତି । କାହାର ଅବସ୍ଥା କେତେ ଦୂର ଆଗକୁ ବଢିପାରିବ! ସେହିମାନଙ୍କ ଅବସ୍ଥା ଆଗକୁ
ବଢି ପାରିବ ଯେଉଁମାନେ ସମ୍ପୂର୍ଣ୍ଣ ସମର୍ପିତ ହୋଇଯାଇଛନ୍ତି । ବାବା ବୁଝାଉଛନ୍ତି ମାୟାର ତୋଫାନ
ତ ବହୁତ ଆସିବ, ସେଥିରୁ ନିଜକୁ ସୁରକ୍ଷିତ ରଖିବାକୁ ହେବ । ଏବେ ଏହି ରାଜଯୋଗ ପରମପିତା ପରମାତ୍ମା
ଆସି ଶିଖାଉଛନ୍ତି । ପରମାତ୍ମା ଆସି ଆତ୍ମାମାନଙ୍କୁ ବୁଝାଉଛନ୍ତି । ଆତ୍ମାକୁ ଜ୍ଞାନ ମିଳିଛି -
ମୁଁ ଆତ୍ମା ନିଜର ଏହି ଆତ୍ମା ଭାଇକୁ ବୁଝାଉଛି । ଯେପରି ପରମାତ୍ମା ପିତା ଆତ୍ମା ରୂପୀ
ସନ୍ତାନମାନଙ୍କୁ ବୁଝାଉଛନ୍ତି । ମୁଁ ମଧ୍ୟ ଆତ୍ମା ଅଟେ । ବାବା ମୋତେ ଶିଖାଉଛନ୍ତି, ମୁଁ ପୁଣି
ଏହି ଆତ୍ମାମାନଙ୍କୁ ବୁଝାଉଛି କିନ୍ତୁ ଏହି ଆତ୍ମାନୁଭୂତିର ନିଶ୍ଚୟ ନ ହେବା କାରଣରୁ ନିଜକୁ
ମନୁଷ୍ୟ ମନେ କରି, ମନୁଷ୍ୟଙ୍କୁ ହିଁ ବୁଝାଇଥା’ନ୍ତି । ମୁଁ ପରମଆତ୍ମା ତୁମ ଆତ୍ମାମାନଙ୍କ ସହିତ
କଥାବାର୍ତ୍ତା କରୁଛି । ତୁମେମାନେ ଆତ୍ମାକୁ ଶୁଣାଉଛ । ଏହିଭଳି ତୁମେ ଦେହୀ-ଅଭିମାନୀ ହୋଇ ଯଦି
କାହାକୁ ଶୁଣାଇବ ତେବେ ତାଙ୍କୁ ତୁରନ୍ତ ତୀର ଲାଗିବ ଅର୍ଥାତ୍ ଅନୁଭବ ହେବ । ଯଦି ନିଜେ ହିଁ ଦେହୀ
ଅଭିମାନୀ ହୋଇ ରହିପାରୁ ନାହାଁନ୍ତି ତେବେ ଧାରଣା କରାଇ ପାରିବ ନାହିଁ । ଏହା ବହୁତ ଉଚ୍ଚ ଲକ୍ଷ୍ୟ
ଅଟେ । ବୁଦ୍ଧିରେ ଏହି କଥା ରହିବା ଉଚିତ୍ ଯେ ମୁଁ ଏହି କର୍ମେନ୍ଦ୍ରିୟ ଦ୍ୱାରା ଶୁଣୁଛି । ବାବା
କହୁଛନ୍ତି - ମୁଁ ଆତ୍ମାମାନଙ୍କ ସହିତ ଅର୍ଥାତ୍ ପିଲାମାନଙ୍କ ସହିତ କଥାବାର୍ତ୍ତା କରୁଛି ।
ବାବାଙ୍କର ଆଦେଶ ହେଲା ଅଶରୀରୀ ହୁଅ । ଦେହ ଅଭିମାନ ଛାଡ, ମୋତେ ମନେ ପକାଅ - ଏହି କଥା ବୁଦ୍ଧିରେ
ଆସିବା ଦରକାର । ମୁଁ ଆତ୍ମା ସହିତ କଥା ହେଉଛି, ଶରୀର ସହିତ ନୁହେଁ । ସ୍ତ୍ରୀ ଲୋକ ବି
ହୋଇଥାଆନ୍ତି, ତାଙ୍କର ମଧ୍ୟ ଆତ୍ମା ସହିତ ମୁଁ କଥା ହେଉଛି । ତୁମେ ପିଲାମାନେ ଭାବୁଛ - ଆମେ ତ
ବାବାଙ୍କର ହୋଇଗଲୁ କିନ୍ତୁ ନାଁ ଏଥିରେ ବହୁତ ସୂକ୍ଷ୍ମ ବୁଦ୍ଧି ଆବଶ୍ୟକ । ମୁଁ ଆତ୍ମା ଅଟେ, ମୁଁ
ୟାଙ୍କ ଆତ୍ମାକୁ ବୁଝାଉଛି, ଇଏ ମୋର ଭାଇ, ୟାଙ୍କୁ ରାସ୍ତା ଦେଖାଇବାକୁ ହେବ । ଆତ୍ମା ହିଁ ବୁଝୁଛି
। ଏହିଭଳି ଭାବିଲେ ଯାଇ ଆତ୍ମାକୁ ତୀର ଲାଗିବ । ଦେହକୁ ଦେଖି ଶୁଣାଉଛ ତେଣୁ ଆତ୍ମା ଶୁଣୁନାହିଁ ।
ପ୍ରଥମେ ନିଜକୁ ଏହି ଚେତାବନୀ ଦିଅ ଯେ ମୁଁ ଆତ୍ମା ସହିତ କଥା ହେଉଛି । ଆତ୍ମାକୁ ନା ପୁରୁଷ, ନା
ସ୍ତ୍ରୀ କୁହାଯିବ । ଆତ୍ମା ତ ଅଲଗା ଅଟେ । ପୁରୁଷ ଅଥବା ସ୍ତ୍ରୀ, ଶରୀର ଉପରେ ନାମ ଦିଆଯାଇଥାଏ ।
ଯେପରି ବ୍ରହ୍ମା ସରସ୍ୱତୀଙ୍କୁ ମେଲ ଫିମେଲ ଅର୍ଥାତ୍ ପୁରୁଷ-ସ୍ତ୍ରୀ କୁହାଯିବ, ଶିବବାବାଙ୍କୁ ନା
ପୁରୁଷ ନା ସ୍ତ୍ରୀ କୁହାଯିବ । ଏସବୁ ବାବା ଆତ୍ମାମାନଙ୍କୁ ବୁଝାଉଛନ୍ତି । ଏହା ବହୁତ ଉଚ୍ଚ
ଲକ୍ଷ୍ୟ । ବହୁତ ଗଭୀର ଜ୍ଞାନ । ଆତ୍ମାକୁ ଇଞ୍ଜେକ୍ସନ୍ ଲଗାଇବାକୁ ହେବ ତେବେ ଯାଇ ଦେହ-ଅଭିମାନ
ତୁଟିବ । ନଚେତ୍ ସୁବାସ ଆସିବ ନାହିଁ, ଶକ୍ତି ରହିବ ନାହିଁ । କଥା ତ ବହୁତ ଛୋଟ । ମୁଁ ଆତ୍ମା
ସହିତ କଥାବାର୍ତ୍ତା ହେଉଛି । ବାବା କହୁଛନ୍ତି - ତୁମକୁ ଘରକୁ ଫେରିବାକୁ ହେବ, ସେଥିପାଇଁ ଦେହୀ
ଅଭିମାନୀ ହୁଅ । ମନମନାଭବ । ପୁଣି ସ୍ୱତଃ ମଧ୍ୟାଜୀଭବ ଆସିଥାଏ । ଏବେ ବଡ ସୂକ୍ଷ୍ମ ବୁଦ୍ଧି
ମିଳିଛି । ସକାଳୁ ବସି ବିଚାର ସାଗର ମନ୍ଥନ କରିବାକୁ ହେବ । ଦିନସାରା ତ ସେବା କରିବାକୁ ହେବ
କାରଣ କର୍ମଯୋଗୀ ଅଟ । ଲେଖା ମଧ୍ୟ ହୋଇଛି ନିଦ୍ରାଜିତ ହୁଅ । ରାତି ଅନିଦ୍ରା ହୋଇ ରୋଜଗାର କର ।
ଦିନସାରା ତ ମାୟାର ବହୁତ ଜଞ୍ଜାଳ ରହିଛି । ଅମୃତବେଳାରେ ବାୟୁମଣ୍ଡଳ ଭଲ ଥାଏ । ବାବାଙ୍କୁ ତ ଏହି
କଥା ଲେଖୁନାହାଁନ୍ତି ଯେ ଅମୁକ ସମୟରେ ଉଠି ବିଚାର ସାଗର ମନ୍ଥନ କରୁଛି । ବହୁତ ପୁରୁଷାର୍ଥର କାମ
। ତୁମେ ବିଶ୍ୱର ମାଲିକ ହେଉଛ । ଏଠାରେ ତ ହଦର ମାଲିକ ଅଟ । ପାଣିର ସୀମା ପାଇଁ ମଧ୍ୟ କେତେ ଝଗଡା
ଚାଲୁଛି । ଶତ୍ରୁତା ଲାଗି ରହିଛି । ପରସ୍ପର ନିଜକୁ ଭାଇ ଭାଇ ଭାବୁ ନାହାଁନ୍ତି । କେବଳ ଏମିତି
କହି ଦେଉଛନ୍ତି ଯେ ଆମେ ସମସ୍ତେ ଏକ ଅଟୁ । ଏକତା ତ ହୋଇପାରିବ ନାହିଁ, କାରଣ ଅନେକ ଆତ୍ମା ଅଛନ୍ତି,
ସମସ୍ତଙ୍କର ନିଜ ନିଜର ଅଭିନୟ ରହିଛି । ତୁମେ ଏହିଠାରେ ବସିଛ, କଳ୍ପ ପୂର୍ବରୁ ମଧ୍ୟ ବସିଥିବ ।
ପତ୍ରଟିଏ ଯଦି ହଲଚଲ ହେଲା ତେବେ ଡ୍ରାମା ଅନୁସାରେ ହେଲା । ଏମିତି ନୁହେଁ ଯେ ପତ୍ର ସବୁକୁ
ପରମାତ୍ମା ହଲାଉଛନ୍ତି । ଏହିଭଳି କଥା ସବୁ ନିଜେ ଭଲ ଭାବରେ ବୁଝି ପୁଣି ଅନ୍ୟକୁ ବୁଝାଅ ।
ପ୍ରତ୍ୟେକେ ଜାଣିପାରିବେ ଯେ ମୁଁ ଝାସଦେଲାବାଲା ପତଙ୍ଗ ହେଲିଣି! ମୁଁ ବାବାଙ୍କର ମତକୁ ସର୍ବଦା
ପାଳନ କରୁଛି! ଅଯଥା ବା ଅଦାରକାରୀ କଥାବାର୍ତ୍ତା କରୁନାହିଁ ତ! ନିଜର ଧନ କେଉଁଠି ପାପ କାମରେ
ଲଗାଉ ନାହିଁ ତ? ଆଚ୍ଛା—
ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ
ଶୁଭେଚ୍ଛା ଏବଂ ସୁପ୍ରଭାତ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।
ଧାରଣା ପାଇଁ ମୁଖ୍ୟ ସାର
:—
(୧) ନିଜକୁ
ଆତ୍ମା ମନେ କରି ଅନ୍ୟ ଆତ୍ମାମାନଙ୍କ ସହିତ କଥାବାର୍ତ୍ତା କରିବାକୁ ହେବ । ଦେହୀ-ଅଭିମାନୀ ହୋଇ
ଶୁଣିଲେ ଏବଂ ଶୁଣାଇଲେ, ଧାରଣା ବହୁତ ଭଲ ହେବ ।
(୨) ନିଦ୍ରା ଉପରେ ବିଜୟୀ
ହେବାକୁ ପଡିବ । ରାତି ଅନିଦ୍ରା ହୋଇ ମଧ୍ୟ ଯୋଗଦ୍ୱାରା ରୋଜଗାର ଜମା କରିବାକୁ ହେବ । ବିଚାର
ସାଗର ମନ୍ଥନ କରିବାକୁ ହେବ । କୌଣସି ଫାଲତୁ କଥାରେ ନିଜର ସମୟ ନଷ୍ଟ କରିବାର ନାହିଁ ।
ବରଦାନ:-
ତପସ୍ୟା ଦ୍ୱାରା
ନିଜର ବିକର୍ମ ଗୁଡିକୁ ବା ତମୋଗୁଣୀ ସଂସ୍କାର ଗୁଡିକୁ ଭସ୍ମ କରୁଥିବା ତପସ୍ୱୀମୂରତ ଭବ ।
ଏବେ ଯେପରି ଈଶ୍ୱରୀୟ
ପାଳନାର କର୍ତ୍ତବ୍ୟ ଚାଲୁଛି, ସେହିପରି ଶେଷ ସମୟରେ ତପସ୍ୟା ଦ୍ୱାରା ନିଜର ବିକର୍ମକୁ ଏବଂ
ପ୍ରତ୍ୟେକ ଆତ୍ମାର ତମୋଗୁଣୀ ସଂସ୍କାରଗୁଡିକୁ ବା ପ୍ରକୃତିର ତମୋଗୁଣକୁ ଭସ୍ମ କରିବାର ମଧ୍ୟ
କର୍ତ୍ତବ୍ୟ ଚାଲିବ । ଏଥିପାଇଁ ସର୍ବଦା ଏକରସ ସ୍ଥିତିର ଆସନ ଉପରେ ସ୍ଥିତ ହୋଇ ନିଜର ତପସ୍ୱୀ
ରୂପକୁ ପ୍ରତ୍ୟକ୍ଷ କର । ତୁମର ପ୍ରତ୍ୟେକ କର୍ମେନ୍ଦ୍ରିୟ ଦ୍ୱାରା ଦେହ-ଅଭିମାନର ତ୍ୟାଗ ଏବଂ
ଆତ୍ମ-ଅଭିମାନୀ ହେବାର ତପସ୍ୟା ପ୍ରତ୍ୟକ୍ଷ ରୂପରେ ଦେଖାଯାଉ ।
ସ୍ଲୋଗାନ:-
ସଂସ୍କାରର
ସଂଘର୍ଷରୁ ରକ୍ଷା ପାଇବା ପାଇଁ ବାଳକ ଏବଂ ମାଲିକ ପଣିଆର ସନ୍ତୁଳନ ରଖ ।
ଅବ୍ୟକ୍ତ ଈଶାରା:-
ସର୍ବଦା ହର୍ଷିତ ରହିବା ପାଇଁ ନିଜର ସ୍ୱଭାବକୁ ସରଳ କର ଏବଂ ସହନଶୀଳ ହୁଅ ।
ବାବାଙ୍କୁ ଭୋଳାନାଥ
କହିଥାଆନ୍ତି କିନ୍ତୁ ଏପରି ଭୋଳା ନୁହେଁ ଯେ କୌଣସି ପରିସ୍ଥିତିକୁ ସାମ୍ନା କରି କରିପାରିବେ ନାହିଁ
। ତେବେ ଭୋଳାନାଥ ହେବା ସହିତ ଅଲମାଇଟୀ ଅଥୋରିଟୀ ମଧ୍ୟ ଅଟନ୍ତି । ସେହିପରି ତୁମେମାନେ ମଧ୍ୟ
ନିଜର ଶକ୍ତି ସ୍ୱରୂପକୁ ଭୁଲି କେବଳ ଭୋଳା ହୋଇଯାଅ ନାହିଁ, ନଚେତ୍ ମାୟାର ଗୋଳା ଲାଗିଯିବ । ବରଂ
ଏଭଳି ଶକ୍ତି ସ୍ୱରୂପ ହୁଅ ଯାହାକି ମାୟା ସାମ୍ନା କରିବା ପୂର୍ବରୁ ହିଁ ନମସ୍କାର କରିଚାଲିଯିବ ।
ସେଥିପାଇଁ ବହୁତ ସାବଧାନ, ଖବରଦାର ଏବଂ ହୁସିଆର ରୁହ ।