30.04.26 Morning Odia Murli Om Shanti BapDada Madhuban
“ମିଠେ ବଚ୍ଚେ: - ଏହା
ତୁମର ଚମତ୍କାର ବିଶ୍ୱ ବିଦ୍ୟାଳୟ ଅଟେ, ଯେଉଁଠାରେ ବିଗିଡି ଯାଇଥିବା ସଂସାରକୁ ସଜାଡିଲାବାଲା
ଭୋଳାନାଥ ବାବା ଶିକ୍ଷକ ହୋଇ ତୁମକୁ ପାଠ ପଢାଉଛନ୍ତି” ।
ପ୍ରଶ୍ନ:-
ଏହି ମହାବିନାଶ
ସମୟରେ ତୁମେ ପିଲାମାନେ ସମସ୍ତଙ୍କୁ କେଉଁ ଲକ୍ଷ୍ୟ ଦେଉଛ?
ଉତ୍ତର:-
ହେ ଆତ୍ମାମାନେ ଏବେ ପବିତ୍ର ହୁଅ, ପବିତ୍ର ନ ହେବା ପର୍ଯ୍ୟନ୍ତ ତୁମେ ଘରକୁ ଫେରି ପାରିବ ନାହିଁ
। ଅଧାକଳ୍ପର ଯେଉଁ ରୋଗ ହୋଇଛି ସେଥିରୁ ମୁକ୍ତ ହେବା ପାଇଁ ତୁମେ ସମସ୍ତଙ୍କୁ ସାତ ଦିନ ପାଇଁ
ଭଟ୍ଟୀରେ ବସାଉଛ ଅର୍ଥାତ୍ ସାତ ଦିନ ଏକାନ୍ତରେ ରଖି କୋର୍ସ କରାଉଛ, ଯାହାକି ସେମାନେ ପତିତମାନଙ୍କ
ସଂଗରୁ ଦୂରେଇ ରହିବେ, କାହାରି କଥା ମନେ ପଡିବ ନାହିଁ, ତେବେ ଯାଇ ବୁଦ୍ଧିରେ କିଛିଟା ଜ୍ଞାନ
ଧାରଣ ହେବ ।
ଗୀତ:-
ତୁନେ ରାତ ଗବାଇ...
ଓମ୍ ଶାନ୍ତି ।
ପିଲାମାନଙ୍କୁ ଏକଥା କିଏ କହିଲେ? ଯେହେତୁ ତୁମେମାନେ ସ୍କୁଲରେ ବସିଛ, ତେଣୁ ନିଶ୍ଚିତ ଶିକ୍ଷକ
ହିଁ କହିବେ । ତେବେ ପ୍ରଶ୍ନ ଉଠୁଛି ଯେ, ଏ କଥା ଶିକ୍ଷକ କହିଲେ, ନା ପିତା କହିଲେ, ନା ସତ୍ଗୁରୁ
କହିଲେ? ଏହି ବାଣୀ କିଏ କହିଲେ? ପିଲାମାନଙ୍କ ବୁଦ୍ଧିରେ ସର୍ବପ୍ରଥମେ ଆସିବା ଦରକାର ଯେ, ଇଏ ଆମର
ବେହଦର ପିତା ଅଟନ୍ତି ଯାହାଙ୍କୁ ପରମପିତା ପରମାତ୍ମା କୁହାଯାଉଛି । ତେବେ ସେ କଥା ପିତା ବି କହିଲେ,
ଶିକ୍ଷକ ମଧ୍ୟ କହିଲେ ଏବଂ ସତ୍ଗୁରୁ ମଧ୍ୟ କହିଲେ । ଏହି କଥା ତୁମମାନଙ୍କ ବୁଦ୍ଧିରେ ଅଛି,
ଯେଉଁମାନେ କି ଏଠିକାର ବିଦ୍ୟାର୍ଥୀ ଅଟନ୍ତି । ଅନ୍ୟସବୁ କଲେଜ ବା ବିଶ୍ୱ ବିଦ୍ୟାଳୟମାନଙ୍କରେ
ଶିକ୍ଷକ ପାଠ ପଢାଇଥା’ନ୍ତି । କିନ୍ତୁ ସେମାନଙ୍କୁ କେହି ପିତା ବା ଗୁରୁ କହିବେ ନାହିଁ । ଏହା
ମଧ୍ୟ ଏକ ପାଠଶାଳା ଅଟେ, ତେବେ ଏହାକୁ ବିଶ୍ୱବିଦ୍ୟାଳୟ କୁହ ବା କଲେଜ କୁହ । ପାଠପଢା ତ ହେଉଛି
ନା । ପ୍ରଥମେ ତ ଏକଥା ବୁଝିବା ଦରକାର ଯେ, ଏହି ପାଠଶାଳାରେ ଆମକୁ କିଏ ପାଠ ପଢାଉଛନ୍ତି? ଏ କଥା
ପିଲାମାନେ ଜାଣିଛନ୍ତି ଯେ, ସେହି ନିରାକାର ଯିଏକି ସର୍ବ ଆତ୍ମାଙ୍କର ପିତା, ସମସ୍ତଙ୍କର ସଦ୍ଗତି
ଦାତା ସିଏ ଆମକୁ ପାଠ ପଢାଉଛନ୍ତି । ସାରା ରଚନା ସେହି ଏକମାତ୍ର ରଚୟିତା ସ୍ରଷ୍ଟାଙ୍କର ସମ୍ପତ୍ତି
ଅଟେ । ତେଣୁ ସିଏ ନିଜେ ଆସି ସୃଷ୍ଟିର ଆଦି-ମଧ୍ୟ-ଅନ୍ତର ରହସ୍ୟକୁ ବୁଝାଉଛନ୍ତି । ତୁମେ ପିଲାମାନେ
ସେହି ପିତାଙ୍କ ପାଖରେ ଜନ୍ମ ନେଇଛ । ତୁମେମାନେ ବୁଦ୍ଧି ଦ୍ୱାରା ଜାଣୁଛ ଯେ, ସେ ଆମ ସମସ୍ତ
ଆତ୍ମାମାନଙ୍କର ପିତା ଅଟନ୍ତି, ଯାହାଙ୍କୁ ଜ୍ଞାନର ସାଗର ବା ଜ୍ଞାନର ଭଣ୍ଡାର କୁହାଯାଉଛି । ସିଏ
ଜ୍ଞାନର ସାଗର ପତିତ ପାବନ ଅଟନ୍ତି । ଜ୍ଞାନ ଦ୍ୱାରା ହିଁ ସମସ୍ତଙ୍କର ସଦ୍ଗତି ହୋଇଥାଏ,
ମନୁଷ୍ୟମାନେ ପତିତରୁ ପାବନ ହୋଇଥା’ନ୍ତି । ଏବେ ତୁମେ ପିଲାମାନେ ଏଠାରେ ବାବାଙ୍କ ସମ୍ମୁଖରେ
ବସିଛ । ଅନ୍ୟ କୌଣସି ସ୍କୁଲରେ କାହାର ବୁଦ୍ଧିରେ ଏ କଥା ନ ଥାଏ ଯେ, ଆମକୁ ଜ୍ଞାନର ସାଗର
ନିରାକାର ପିତା ପାଠ ପଢାଉଛନ୍ତି । ଏ କଥା ଏହିଠାରେ ହିଁ ତୁମେମାନେ ଜାଣୁଛ । ତୁମମାନଙ୍କୁ ହିଁ
ବୁଝାଉଛନ୍ତି । ବିଶେଷ କରି ଭାରତ ଏବଂ ସାରା ଦୁନିଆରେ ଏପରି କେହି ବି ଭାବିବେ ନାହିଁ ଯେ, ଆମକୁ
ନିରାକାର ପରମାତ୍ମା ପାଠ ପଢାଉଛନ୍ତି କାରଣ ସେମାନଙ୍କୁ ମନୁଷ୍ୟ ହିଁ ପାଠ ପଢାଇଥା’ନ୍ତି । ଆଉ
ପୁଣି ତାଙ୍କ ଭିତରେ ଏଭଳି ଜ୍ଞାନ ମଧ୍ୟ ନାହିଁ, ଯାହାଦ୍ୱାରା ସେମାନେ ନିଜକୁ ଆତ୍ମା ବୋଲି ଭାବିବେ
। ଆତ୍ମା ହିଁ ପାଠ ପଢୁଛି, ଆତ୍ମା ହିଁ ସବୁକିଛି କରୁଛି । ଅମୁକ ଚାକିରି ମଧ୍ୟ ଏହି
କର୍ମେନ୍ଦ୍ରିୟମାନଙ୍କ ଦ୍ୱାରା ଆତ୍ମା ହିଁ କରୁଛି । ସେମାନଙ୍କ ମନରେ ତ ଏକଥା ରହିଛି ଯେ, ମୁଁ
ଅମୁକ ଅଟେ । ତୁରନ୍ତ ନିଜର ନାମ ରୂପ ମନେ ପଡିଯାଇଥାଏ । ମୁଁ ଏହି କାମ କରୁଛି, ମୁଁ ଏହିଭଳି
କରୁଛି । ସର୍ବଦା ଶରୀରର ନାମ ହିଁ ମନେ ପଡିଯାଉଛି, କିନ୍ତୁ ବାସ୍ତବରେ ତାହା ଭୁଲ୍ ଅଟେ । ପ୍ରଥମେ
ତ ଆମେ ଆତ୍ମା, ପରେ ଏହି ଶରୀର ଧାରଣ କରିଛେ । ଶରୀରର ନାମ ପରିବର୍ତ୍ତନ ହୋଇଚାଲିଥାଏ, ଆତ୍ମାର
ନୁହେଁ । ଆତ୍ମା ତ ସେହି ଗୋଟିଏ । ବାବା କହୁଛନ୍ତି, ମୋ ଆତ୍ମାର ଗୋଟିଏ ହିଁ ନାମ ଶିବ । ଏକଥା
ସାରା ଦୁନିଆ ଜାଣିଛି । ବାକି ଅନ୍ୟ ସବୁ ନାମ ଗୁଡିକ ଶରୀର ଉପରେ ହିଁ ରଖାଯାଇଥାଏ । ଶିବବାବାଙ୍କୁ
ତ କେବଳ ଶିବ ହିଁ କହିଥା’ନ୍ତି, ବାସ୍ । ତାଙ୍କର କୌଣସି ଶରୀର ଦେଖାଯାଏ ନାହିଁ । ମନୁଷ୍ୟମାନଙ୍କ
ଉପରେ ନାମ ରଖାଯାଇଥାଏ, ମୁଁ ଅମୁକ ଅଟେ । ମୋତେ ଅମୁକ ଶିକ୍ଷକ ପାଠ ପଢାଉଛନ୍ତି । ନାମ ତ
କୁହାଯିବ ନା । ବାସ୍ତବରେ ଆତ୍ମା ଶରୀର ଦ୍ୱାରା ଟିଚରର କାମ କରିଥାଏ, ସେମାନଙ୍କ ଆତ୍ମାମାନଙ୍କୁ
ପାଠ ପଢାଇଥାଏ । ସଂସ୍କାର ଆତ୍ମାରେ ହିଁ ରହିଥାଏ । ଆତ୍ମା ଏହି କର୍ମେନ୍ଦ୍ରିୟ ଦ୍ୱାରା ପାଠ
ପଢାଇଥାଏ, ନିଜର ସଂସ୍କାର ଅନୁସାରେ ଅଭିନୟ କରିଥାଏ । କିନ୍ତୁ ଶରୀରର ଯେଉଁ ନାମ ଦିଆଯାଇଥାଏ,
ସେହି ନାମ ଅନୁସାରେ ସମସ୍ତ କର୍ମଧନ୍ଦା, ବ୍ୟବସାୟ ଆଦି ହୋଇଥାଏ । ଏଠାରେ ତୁମେ ପିଲାମାନେ ଜାଣିଛ
ଆମକୁ ନିରାକାର ବାବା ପାଠ ପଢାଉଛନ୍ତି । ତୁମମାନଙ୍କର ବୁଦ୍ଧି ଏବେ କେଉଁ ଆଡକୁ ଚାଲିଗଲା! ମୁଁ
ଆତ୍ମା ଏବେ ସେହି ବାବାଙ୍କର ହୋଇଯାଇଛି । ଆତ୍ମା ଜାଣୁଛି ନିରାକାର ପିତା ଆସି ଆମକୁ ଏହି ସାକାର
ବ୍ରହ୍ମାଙ୍କ ଦ୍ୱାରା ପାଠ ପଢାଉଛନ୍ତି । ତାଙ୍କର ନାମ ହେଲା ଶିବ । ଶିବଜୟନ୍ତୀ ମଧ୍ୟ ପାଳନ
କରୁଛନ୍ତି । ଶିବ ତ ହେଲେ ବେହଦର ପିତା, ତାଙ୍କୁ ହିଁ ପରମପିତା ପରମାତ୍ମା କୁହାଯାଏ । ସିଏ
ସମସ୍ତ ଆତ୍ମାମାନଙ୍କର ପିତା ଅଟନ୍ତି, ତାଙ୍କର ଜୟନ୍ତୀ କିପରି ପାଳନ କରୁଛନ୍ତି । ଆତ୍ମା ଶରୀରରେ
ପ୍ରବେଶ କରିଥାଏ ବା ଗର୍ଭକୁ ଆସିଥାଏ । ଆତ୍ମା ଉପରୁ ଆସିଥାଏ, କିନ୍ତୁ ଏକଥା ଆମକୁ ଜଣାପଡେ ନାହିଁ
। ଯୀଶୁଖ୍ରୀଷ୍ଟଙ୍କୁ ଧର୍ମ ସ୍ଥାପକ କୁହାଯାଉଛି, ତେଣୁ ତାଙ୍କର ଆତ୍ମା ପ୍ରଥମେ-ପ୍ରଥମେ ଉପରୁ
ଆସିବା ଉଚିତ୍ । ସତ୍ତ୍ୱପ୍ରଧାନ ଆତ୍ମା ଉପରୁ ଆସିଥାଏ । କୌଣସି ବିକର୍ମ କରି ନ ଥାଏ । ପ୍ରଥମେ
ସତ୍ତ୍ୱପ୍ରଧାନ ପୁଣି ସତ୍ତ୍ୱ, ରଜୋ, ତମୋରେ ଆସିଥାଏ, ତେବେ ଯାଇ ବିକର୍ମ ହୋଇଥାଏ । ଆତ୍ମା
ଯେତେବେଳେ ପ୍ରଥମେ ଆସିବ, ସେତେବେଳେ ସତ୍ତ୍ୱପ୍ରଧାନ ଥାଏ, ତେଣୁ କୌଣସି ଦୁଃଖ ଭୋଗ କରି ନ ଥାଏ ।
ଅଧା ସମୟ ଅତିକ୍ରାନ୍ତ ହେବା ପରେ ହିଁ ବିକର୍ମ କରିବା ଆରମ୍ଭ କରିଥାଏ ।
ଆଜିଠାରୁ ୫୦୦୦ ବର୍ଷ ପୂର୍ବରୁ ବାସ୍ତବରେ ସୂର୍ଯ୍ୟବଂଶୀମାନଙ୍କର ରାଜ୍ୟ ଥିଲା, ଅନ୍ୟ ଧର୍ମ ସବୁ
ପରେ ଆସିଲେ । ଭାରତବାସୀ ସାରା ବିଶ୍ୱର ମାଲିକ ଥିଲେ । ଭାରତକୁ ଅବିନାଶୀ ଭୂମି କୁହାଯାଏ ।
ସେତେବେଳେ ଆଉ କୌଣସି ଭୂଖଣ୍ଡ ନ ଥିଲା । ତେବେ ଶିବବାବା ବିଗିଡିଯାଇଥିବା ସଂସାରକୁ ସଜାଡିଥାଆନ୍ତି,
ଭୋଳାନାଥ ମଧ୍ୟ ଶିବଙ୍କୁ କୁହାଯାଏ, ଶଙ୍କରଙ୍କୁ ନୁହେଁ । ଭୋଳାନାଥ ଶିବ ସଂସାରକୁ ସଜାଡି ଥାଆନ୍ତି
। ଶିବ ଏବଂ ଶଙ୍କର ଏକ ନୁହଁନ୍ତି, ଶିବ ଅଲଗା ଏବଂ ଶଙ୍କର ଅଲଗା । ବ୍ରହ୍ମା, ବିଷ୍ଣୁ,
ଶଙ୍କରଙ୍କର କୌଣସି ମହିମା ନାହିଁ । ମହିମା କେବଳ ଶିବଙ୍କର ଯିଏକି ବିଗିଡିଯାଇଥିବା ଦୁନିଆକୁ
ସଜାଡିଥା’ନ୍ତି । ସିଏ କହୁଛନ୍ତି ମୁଁ ସାଧାରଣ ବୃଦ୍ଧ ଶରୀରରେ ଆସୁଛି । ଇଏ ୮୪ ଜନ୍ମ ପୁରା
କରିଛନ୍ତି, ଏବେ ଏହି ସଂସାର ମଧ୍ୟ ସମାପ୍ତ ହେବାକୁ ଯାଉଛି । ଏହି ପୁରୁଣା ଶରୀର ପୁରୁଣା
ସମ୍ବନ୍ଧ ମଧ୍ୟ ସମାପ୍ତ ହେବାକୁ ଯାଉଛି । ତେବେ କାହାକୁ ମନେ ପକାଇବା ଉଚିତ୍? ବିନାଶ ହେବାକୁ
ଯାଉଥିବା ଜିନିଷକୁ ମନେ ପକାଯାଏ ନାହିଁ । ଯେପରି ନୂଆ ଘର ତିଆରି ହେଲେ ପୁରୁଣା ଘରୁ ମନ ହଟିଯାଏ
। ଏ ସବୁ ହେଲା ପୁଣି ବେହଦର କଥା । ଏବେ ସମସ୍ତଙ୍କର ସଦ୍ଗତି ହେଉଛି ଅର୍ଥାତ୍ ରାବଣ ରାଜ୍ୟରୁ
ସମସ୍ତଙ୍କୁ ମୁକ୍ତି ମିଳୁଛି । ଏବେ ତ ରାବଣ ସମସ୍ତଙ୍କୁ ବିଗାଡି ଦେଇଛି । ଭାରତ ବିଲ୍କୁଲ୍ ହିଁ
କାଙ୍ଗାଳ ଭ୍ରଷ୍ଟାଚାରୀ ହୋଇଯାଇଛି । ଲୋକମାନେ ଦୁର୍ନିତୀ, ଅପମିଶ୍ରଣ, ଚୋରୀ, ଠକେଇ ଆଦିକୁ
ଭ୍ରଷ୍ଟାଚାର ବୋଲି ଭାବୁଛନ୍ତି । କିନ୍ତୁ ବାବା କହୁଛନ୍ତି - ପ୍ରଥମ ଭ୍ରଷ୍ଟାଚାର ହେଲା କାମ
ବିକାର ଦ୍ୱାରା ପତିତ ହେବା । ଶରୀର ବିକାର ଦ୍ୱାରା ଜନ୍ମ ନେଉଛି ସେଥିପାଇଁ ଏହାକୁ ବିକାରୀ
ଦୁନିଆ କୁହାଯାଉଛି । ସତ୍ୟଯୁଗକୁ ନିର୍ବିକାରୀ ଦୁନିଆ କୁହାଯାଉଛି । ଆମେମାନେ ସତ୍ୟଯୁଗରେ
ପ୍ରବୃତ୍ତିମାର୍ଗବାଲା ଦେବୀ-ଦେବତା ଥିଲେ । କହୁଛନ୍ତି ଯଦି ପବିତ୍ର ରହିବ, ତେବେ ବିକାର ବିନା
ସନ୍ତାନ କିପରି ଜନ୍ମ ହେବେ । ସେମାନଙ୍କୁ କୁହ, ଆମେ ଆମର ରାଜଧାନୀ ବାହୁବଳ ଦ୍ୱାରା ନୁହେଁ
ଯୋଗବଳ ଦ୍ୱାରା ସ୍ଥାପନ କରୁଛୁ । ତେବେ କ’ଣ ଯୋଗବଳ ଦ୍ୱାରା ସନ୍ତାନ ଜନ୍ମ ହୋଇପାରିବେ ନାହିଁ ।
ଯେବେକି ତାହା ନିର୍ବିକାରୀ ଦୁନିଆ ଏବଂ ପବିତ୍ର ଗୃହସ୍ଥ ଆଶ୍ରମ ଯଥା ରାଜା-ରାଣୀ ସମ୍ପୂର୍ଣ୍ଣ
ନିର୍ବିକାରୀ ତଥା ପ୍ରଜା ମଧ୍ୟ ସମ୍ପୂର୍ଣ୍ଣ ନିର୍ବିକାରୀ ଅଟନ୍ତି । ଏଠାରେ ସମସ୍ତେ ସମ୍ପୂର୍ଣ୍ଣ
ବିକାରୀ । ସତ୍ୟଯୁଗରେ ବିକାର ନ ଥାଏ । ତାକୁ କୁହାଯାଏ ଈଶ୍ୱର ପିତାଙ୍କ ଦ୍ୱାରା ସ୍ଥାପନ ହୋଇଥିବା
ଈଶ୍ୱରୀୟ ରାଜ୍ୟ । ଏବେ ତ ହେଉଛି ରାବଣ ରାଜ୍ୟ । ଏଠାରେ ଶିବବାବାଙ୍କୁ ପୂଜା କରୁଛନ୍ତି, ଯିଏକି
ସ୍ୱର୍ଗର ସ୍ଥାପନା କରିଥିଲେ । ରାବଣକୁ ଜଳାଇ ଆସୁଛନ୍ତି ଯିଏକି ଦୁନିଆକୁ ନର୍କ କରି ଦେଇଛି ।
ଦ୍ୱାପର ଯୁଗ କେବେଠାରୁ ଆରମ୍ଭ ହେଲା ସେ କଥା ମଧ୍ୟ କାହାକୁ ଜଣାନାହିଁ । ଏହା ମଧ୍ୟ ବୁଝିବାର କଥା
। ଏହା ତ ତମୋପ୍ରଧାନ ଆସୁରୀ ଦୁନିଆ ଅଟେ । ଏହା ହେଲା ଈଶ୍ୱରୀୟ ଦୁନିଆ । ତାକୁ ସ୍ୱର୍ଗ ଦୈବୀ
ପାବନ ଦୁନିଆ କୁହାଯାଏ । ଏହା ହେଉଛି ନର୍କ, ପତିତ ଦୁନିଆ । ଏ ସବୁ କଥା ମଧ୍ୟ ସେହିମାନେ
ବୁଝିପାରିବେ, ଯେଉଁମାନେ ପ୍ରତିଦିନ ପାଠପଢିବେ । ଏମିତି ବହୁତ ଅଛନ୍ତି ଯେଉଁମାନେ କହନ୍ତି, ଅମୁକ
ଜାଗାରେ କ’ଣ ବିଦ୍ୟାଳୟ ଅଛି । ଆରେ ହେଡ ଅଫିସ୍ ଅର୍ଥାତ୍ ମୁଖ୍ୟାଳୟ ତ ଅଛି ନା । ତୁମେ ଆସି
ଏଠାରୁ ଡାଇରେକ୍ସନ୍ (ଶ୍ରୀମତ) ନେଇ ଯାଅ, କିଛି ବଡ କଥା ତ ନୁହେଁ । ସୃଷ୍ଟିଚକ୍ରର ଜ୍ଞାନକୁ
ଗୋଟିଏ ସେକେଣ୍ଡରେ ବୁଝାଇ ଦିଆଯାଇଥାଏ । ସତ୍ୟ ତ୍ରେତାଯୁଗ ଅତିବାହିତ ହେଲା ପରେ ପୁଣି ଦ୍ୱାପର
କଳିଯୁଗ ଆସିଲା ଏବଂ ତାହା ମଧ୍ୟ ଏବେ ସମାପ୍ତ ହୋଇଗଲା । ଏବେ ହେଲା ସଂଗମଯୁଗ । ଆଗାମୀ ନୂଆ
ଦୁନିଆକୁ ଯିବା ପାଇଁ ପାଠ ପଢିବାକୁ ପଡିବ । ଏଠାରେ ପାଠ ପଢିବାର ଅଧିକାର ସମସ୍ତଙ୍କର ରହିଛି ।
କେହି କହୁଛନ୍ତି, ବାବା ମୁଁ ଚାକିରୀ କରୁଛି, ଆଚ୍ଛା ଗୋଟିଏ ସପ୍ତାହ ଜ୍ଞାନ ଆହରଣ କରି ପୁଣି
ଚାଲିଯାଅ, ମୁରଲୀ ମିଳିଯିବ । କିନ୍ତୁ ପ୍ରଥମେ ସାତ ଦିନ ଭଟ୍ଟୀରେ ନିଶ୍ଚିତ ରହିବାକୁ ହେବ ।
ଯଦିଓ ସାତଦିନ ଆସିବେ କିନ୍ତୁ ସମସ୍ତଙ୍କର ବୁଦ୍ଧି ଏକ ସମାନ ନୁହେଁ । ସାତଦିନ ଭଟ୍ଟୀରେ ରହିବା
ଅର୍ଥ କାହାରି କଥା ମନେ ନ ପଡିବା । କାହା ସହିତ ପତ୍ର ବ୍ୟବହାର ମଧ୍ୟ ନ ହେଉ । କିନ୍ତୁ ସମସ୍ତେ
ଏକାଭଳି ତ ବୁଝିପାରିବେ ନାହିଁ । ଏଠାରେ ପତିତମାନଙ୍କୁ ପାବନ ହେବାର ଅଛି । ଏହି ପତିତ ପଣିଆ
ମଧ୍ୟ ଏକ ରୋଗ ଅଟେ, ମନୁଷ୍ୟ ଅଧାକଳ୍ପର ମହାରୋଗୀ ଅଟନ୍ତି, ତେଣୁ ସେମାନଙ୍କୁ ଅଲଗା ରଖିବାକୁ ହେବ,
ଯେପରି କାହା ସଂଗରେ ନ ମିଶିବେ । ବାହାରକୁ ଗଲେ, ଓଲଟା ସିଧା ଖାଦ୍ୟ ଖାଇବେ, ପତିତମାନଙ୍କ ହାତରୁ
ଖାଦ୍ୟ ଖାଇବେ । ସତ୍ୟଯୁଗରେ ଦେବତାମାନେ ପବିତ୍ର ଅଟନ୍ତି ନା! ସେମାନଙ୍କ ପାଇଁ ଦେଖ, ବିଶେଷ
ମନ୍ଦିର ତିଆରି ହେଉଛି । ଦେବତାମାନଙ୍କୁ ପୁଣି ପତିତମାନେ ଛୁଇଁ ପାରିବେ ନାହିଁ । ଏବେ ତ
ମନୁଷ୍ୟମାନେ ବିଲକୁଲ୍ ପତିତ ଭ୍ରଷ୍ଟାଚାରୀ ଅଟନ୍ତି । ସମସ୍ତଙ୍କର ଶରୀର ବିଷ ଅର୍ଥାତ୍ ବିକାରରୁ
ଜନ୍ମ ହେଉଛି ତେଣୁ ଏମାନଙ୍କୁ ଭ୍ରଷ୍ଟାଚାରୀ କୁହାଯାଉଛି । ସନ୍ନ୍ୟାସୀମାନଙ୍କର ଶରୀର ମଧ୍ୟ ବିଷରୁ
ତିଆରି ହୋଇଛି । ବାବା କହୁଛନ୍ତି ପ୍ରଥମେ-ପ୍ରଥମେ ଆତ୍ମାକୁ ପବିତ୍ର ହେବାକୁ ପଡିବ, ପୁଣି ଶରୀର
ମଧ୍ୟ ପବିତ୍ର ଦରକାର । ସେଥିପାଇଁ ପୁରୁଣା ଅପବିତ୍ର ଶରୀର ସବୁ ବିନାଶ ହୋଇଯିବ । ଏବେ ସମସ୍ତଙ୍କୁ
ଘରକୁ ଫେରିଯିବାକୁ ହେବ । ଏହା ହେଉଛି ବିନାଶର ସମୟ । ଏବେ ସମସ୍ତଙ୍କୁ ପବିତ୍ର ହୋଇ ଫେରିଯିବାକୁ
ହେବ । ଭାରତରେ ହିଁ ହୋଲିକା ଦହନ ପର୍ବ ପାଳନ କରିଥା’ନ୍ତି । ଏଠାରେ ପାଞ୍ଚତତ୍ୱ ଦ୍ୱାରା
ନିର୍ମିତ ଶରୀର ତମୋପ୍ରଧାନ ଅଟେ । ସତ୍ୟଯୁଗରେ ଶରୀର ମଧ୍ୟ ସତ୍ତ୍ୱପ୍ରଧାନ ହୋଇଥାଏ ।
ଶ୍ରୀକୃଷ୍ଣଙ୍କର ଚିତ୍ର ରହିଛି ନା! ତୁମମାନଙ୍କୁ ନର୍କକୁ ତ ଲାତ ମାରିବାକୁ ହେବ, କାହିଁକି ନା
ସତ୍ୟଯୁଗକୁ ଯିବାକୁ ହେବ । ମୁର୍ଦ୍ଦାରକୁ ମଧ୍ୟ ଯେତେବେଳେ ଶ୍ମଶାନକୁ ନେଇଯାଇଥାନ୍ତି ସେତେବେଳେ
ପ୍ରଥମେ ମୁହଁ ସହର ଆଡକୁ ପାଦ ଶ୍ମଶାନ ଆଡକୁ କରିଥା’ନ୍ତି । ପୁଣି ଯେତେବେଳେ ଶ୍ମଶାନ ଭିତରକୁ
ପ୍ରବେଶ କରନ୍ତି ସେତେବେଳେ ଶ୍ମଶାନ ଆଡକୁ ମୁହଁ କରିଦିଅନ୍ତି । ଏବେ ତୁମେମାନେ ସ୍ୱର୍ଗକୁ ଯାଉଛ
ତେଣୁ ତୁମର ମୁହଁ ଅର୍ଥାତ୍ ବୁଦ୍ଧି ସେହି ଆଡକୁ ରହିଛି, ଅର୍ଥାତ୍ ଶାନ୍ତିଧାମ ଏବଂ ସୁଖଧାମ ଆଡକୁ
ରହିଛି ଏବଂ ପାଦ ଦୁଃଖଧାମ ଆଡକୁ ରହିଛି । ତାହା ତ ମୁର୍ଦ୍ଦାର କଥା, ଏଠାରେ ତ ପୁରୁଷାର୍ଥ
କରିବାକୁ ପଡିଥାଏ । ମିଠା ଘରକୁ ସ୍ମରଣ କରି କରି ତୁମେ ଆତ୍ମାମାନେ ମିଠା ଘରକୁ ଚାଲିଯିବ । ଏହା
ହେଲା ବୁଦ୍ଧିର ଅଭ୍ୟାସ । ଏହି ବାବା ଆସି ସବୁର ରହସ୍ୟକୁ ବୁଝାଉଛନ୍ତି । ତୁମେମାନେ ଜାଣୁଛ, ଏବେ
ଆମେ ଆତ୍ମାମାନଙ୍କୁ ଘରକୁ ଯିବାକୁ ହେବ । ଏହା ପୁରୁଣା ଶରୀର ରୂପୀ ବସ୍ତ୍ର ଏବଂ ପୁରୁଣା ଦୁନିଆ
ଅଟେ, ନାଟକ ଶେଷ ହେଲା ଅର୍ଥାତ୍ ୮୪ ଜନ୍ମ ପାର୍ଟ କରି ସାରିଲ । ବାବା ଏକଥା ମଧ୍ୟ ବୁଝାଇଛନ୍ତି
ଯେ, ସମସ୍ତେ ୮୪ ଜନ୍ମ ନେଇ ନ ଥା’ନ୍ତି । ଯେଉଁମାନେ ବହୁତ ପଛରେ ଅନ୍ୟଧର୍ମରେ ଆସିଥା’ନ୍ତି,
ନିଶ୍ଚିତ ଭାବରେ ସେମାନଙ୍କର ଜନ୍ମ ମଧ୍ୟ କମ୍ ହୋଇଥିବ । ଇସ୍ଲାମୀମାନଙ୍କଠାରୁ ବୌଦ୍ଧିମାନଙ୍କର
କମ୍ ଜନ୍ମ ଏବଂ ଖ୍ରୀଷ୍ଟିୟାନମାନଙ୍କର ତାଙ୍କଠାରୁ ମଧ୍ୟ କମ୍, ଗୁରୁନାନକଙ୍କର ଶିଖ୍ ଧର୍ମର
ଆତ୍ମାମାନେ ଏବେ ଅଳ୍ପ ଦିନ ହେବ ଆସିଛନ୍ତି । ଗୁରୁନାନକଙ୍କୁ ୫୦୦ ବର୍ଷ ହେଲା, ତେଣୁ ସେମାନେ
କେବେହେଲେ ୮୪ ଜନ୍ମ ନେଇପାରିବେ ନାହିଁ! ହିସାବ କରାଯାଏ, ୫୦୦୦ ବର୍ଷରେ ଏତେ ଜନ୍ମ ହେଲେ ୫୦୦
ବର୍ଷରେ କେତେ ଜନ୍ମ ହୋଇଥିବ? ୧୨-୧୩ ଜନ୍ମ । ଯୀଶୁଖ୍ରୀଷ୍ଟଙ୍କୁ ୨୦୦୦ ବର୍ଷ ହେଲେ
ଖ୍ରୀଷ୍ଟିୟାନମାନଙ୍କର କେତେ ଜନ୍ମ ହୋଇଥିବ । ଅଧାରୁ ମଧ୍ୟ କମ୍ ହୋଇଯିବ । ଏ ସବୁ ହିସାବର କଥା
ନା । ଏଥିରେ କିଏ କେତେ ଜନ୍ମ, କିଏ କେତେ ଜନ୍ମ, ସଠିକ୍ ଭାବରେ କହିହେବ ନାହିଁ । ତେଣୁ ଏହି ସବୁ
କଥାରେ ତର୍କ ବିତର୍କ କରି ଅଧିକ ସମୟ ନଷ୍ଟ କରିବା ଉଚିତ୍ ନୁହେଁ । ତୁମର କାମ ହେଲା ବାବାଙ୍କୁ
ମନେ ପକାଇବା । ଫାଲତୁ କଥାରେ ବୁଦ୍ଧି ଯିବା ଉଚିତ୍ ନୁହେଁ । ବାବାଙ୍କ ସହିତ ଯୋଗ ଲଗାଇବା ଏବଂ
ସୃଷ୍ଟିଚକ୍ରକୁ ଜାଣିବା ଦରକାର । ବାକି ଯୋଗବଳ ଦ୍ୱାରା ହିଁ ପାପ ନଷ୍ଟ ହେବ । କିନ୍ତୁ ଏହିଥିରେ
ହିଁ ମେହନତ ରହିଛି, ସେଥିପାଇଁ ଭାରତର ପ୍ରାଚୀନ ଯୋଗର ଗାୟନ ରହିଛି । ଯାହାକୁ ବାବା ଆସି
ଶିଖାଉଛନ୍ତି । ସତ୍ୟ-ତ୍ରେତା ଯୁଗରେ ତ ଯୋଗ ବଳର କଥା ହିଁ ନାହିଁ । ପୁଣି ଭକ୍ତିମାର୍ଗରେ ହଠଯୋଗ
ଆରମ୍ଭ ହୋଇଥାଏ । ଏହା ହେଲା ସହଜ ରାଜଯୋଗ । ବାବା କହୁଛନ୍ତି, ମୋତେ ମନେ ପକାଇଲେ ପବିତ୍ର ହେବ ।
ତେବେ ମୂଳ କଥା ହେଲା ଯୋଗବଳର । ଏବେ କୌଣସି ପ୍ରକାରର ପାପ କର୍ମ କରିବା ଉଚିତ୍ ନୁହେିଁ ।
ଦେବୀ-ଦେବତାମାନଙ୍କର ମନ୍ଦିର ମଧ୍ୟ ରହିଛି କାରଣ ସେମାନେ ପବିତ୍ର । ପୂଜାରୀମାନେ ତ ପତିତ କିନ୍ତୁ
ପବିତ୍ର ଦେବତାମାନଙ୍କୁ ସ୍ନାନ ଆଦି କରାଉଛନ୍ତି । ବାସ୍ତବରେ ପତିତଙ୍କର ହାତ ମଧ୍ୟ ତାଙ୍କଠାରେ
ଲାଗିବା ଉଚିତ୍ ନୁହେଁ । ଏସବୁ ହେଲା ଭକ୍ତିମାର୍ଗର ପ୍ରଥା-ପରମ୍ପରା । ଏବେ ତ ଆମେ ପାବନ ହେବାକୁ
ଯାଉଛୁ । ପବିତ୍ର ହୋଇଗଲେ ପୁଣି ଦେବତା ହୋଇଯିବୁ । ସେଠାରେ ତ ପୂଜା ଆଦି କରିବାର ଆବଶ୍ୟକତା
ରହିବ ନାହିଁ । ସମସ୍ତଙ୍କର ସଦ୍ଗତି ଦାତା ହେଲେ ହିଁ ଏକମାତ୍ର ବାବା । ତାଙ୍କୁ ହିଁ ଭୋଳାନାଥ
କୁହାଯାଏ । ମୁଁ ଆସୁଛି ପତିତ ଦୁନିଆ, ପତିତ ଶରୀରରେ, ପୁରୁଣା ରାବଣ ରାଜ୍ୟକୁ । ହଁ, କାହା
ଶରୀରରେ ମଧ୍ୟ ପ୍ରବେଶ କରି ମୁରଲୀ ଶୁଣାଇ ପାରିବି । ଏହାର ଅର୍ଥ ଏପରି ନୁହେଁ ଯେ, ମୁଁ
ସର୍ବବ୍ୟାପୀ । ପ୍ରତ୍ୟେକଙ୍କ ଭିତରେ ତ ନିଜ ନିଜର ଆତ୍ମା ରହିଛି । ଫର୍ମରେ ମଧ୍ୟ ଲେଖାଇ
ନିଆଯାଇଥାଏ ଯେ, ତୁମ ଆତ୍ମାର ପିତାଙ୍କର ନାମ କ’ଣ? କିନ୍ତୁ ସେ କଥାକୁ କେହି ବୁଝିପାରନ୍ତି ନାହିଁ
। ଆତ୍ମାମାନଙ୍କର ପିତା ତ ଜଣେ ହିଁ ହୋଇଥିବେ । ଆମେ ସବୁ ଆତ୍ମା ଭାଇ-ଭାଇ ଏବଂ ଆମ ସମସ୍ତ
ଆତ୍ମାମାନଙ୍କର ପିତା ଜଣେ ଅଟନ୍ତି । ତାଙ୍କଠାରୁ ହିଁ ଜୀବନମୁକ୍ତିର ବର୍ସା ମିଳିଥାଏ । ସିଏ ହିଁ
ମୁକ୍ତିଦାତା, ପଥ ପ୍ରଦର୍ଶକ ଅଟନ୍ତି । ଯିଏକି ସବୁ ଆତ୍ମାମାନଙ୍କୁ ମିଠାଘର ବା ଶାନ୍ତିଧାମକୁ
ନେଇଯିବେ, ସେଥିପାଇଁ ପୁରୁଣା ଦୁନିଆର ବିନାଶ ହୋଇଥାଏ । ଯେପରି ହୋଲିକା ଦହନ ହୋଇଥାଏ ନା ।
ସେହିପରି ଶରୀର ସବୁ ସମାପ୍ତ ହୋଇଯିବ ବାକି ସବୁ ଆତ୍ମାମାନେ ନିଜ ଘରକୁ ଫେରିଯିବେ । ସତ୍ୟଯୁଗରେ
ତ ବହୁତ କମ ଆତ୍ମା ରହିବେ । ତେବେ ବୁଝିବା ଦରକାର ଯେ, ସ୍ୱର୍ଗ ସ୍ଥାପନା କିଏ କରାଉଛନ୍ତି ଏବଂ
କଳିଯୁଗର ବିନାଶ କିଏ କରାଉଛନ୍ତି? ତାହା ତ ସ୍ପଷ୍ଟ ଭାବେ ଲେଖା ହୋଇଛି । କୁହାଯାଏ ସ୍ନେହ କଲେ
ସ୍ନେହ ମିଳିଥାଏ । ବାବା କହୁଛନ୍ତି ଯେଉଁମାନେ ମୋ ଅର୍ଥେ ମନୁଷ୍ୟକୁ ଦେବତା କରିବାର ବହୁତ ସେବା
କରିଥା’ନ୍ତି ସେମାନେ ମୋର ଅଧିକ ପ୍ରିୟ ହୋଇଥା’ନ୍ତି ।
ଯେଉଁମାନେ ପୁରୁଷାର୍ଥ କରିବେ ସେହିମାନେ ହିଁ ଉଚ୍ଚ ବର୍ସା ପାଇବେ । ବର୍ସା ଆତ୍ମାମାନଙ୍କୁ
ପରମାତ୍ମା ପିତାଙ୍କଠାରୁ ପାଇବାର ଅଛି । ସେଥିପାଇଁ ଆତ୍ମ-ଅଭିମାନୀ ହେବାକୁ ପଡିବ । କେହି କେହି
ତ ବହୁତ ଭୁଲ ମଧ୍ୟ କରୁଛନ୍ତି । ପୁରୁଣା ଅଭ୍ୟାସ ସବୁ ମଜବୁତ ହୋଇଯାଇଛି । ତେବେ କେତେ ବୁଝାଇଲେ
ମଧ୍ୟ ବଦଳୁ ନାହିଁ, ତାହା ଦ୍ୱାରା ନିଜର ହିଁ ପଦକୁ କମ୍ କରି ଦେଉଛନ୍ତି । ଆଚ୍ଛା!
ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ
ଶୁଭେଚ୍ଛା ଏବଂ ସୁପ୍ରଭାତ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।
ଧାରଣା ପାଇଁ ମୁଖ୍ୟ ସାର
:—
(୧) କୌଣସି
କଥାର ତର୍କ-ବିତର୍କ କରି ନିଜର ସମୟକୁ ନଷ୍ଟ କରିବାର ନାହିଁ । ବ୍ୟର୍ଥ କଥାରେ ବୁଦ୍ଧି ଅଧିକ ନ
ଯାଉ । ଯେତେ ଦୂର ସମ୍ଭବ ଯୋଗର ଯାତ୍ରାରେ ରହି ନିଜର ବିକର୍ମ ବିନାଶ କରିବାର ଅଛି ।
ଆତ୍ମ-ଅଭିମାନୀ ହୋଇ ରହିବାର ଅଭ୍ୟାସ କରିବାର ଅଛି ।
(୨) ଏହି ପୁରୁଣା
ଦୁନିଆରୁ ନିଜର ମୁହଁ ମୋଡି ନେବାକୁ ହେବ । ଶାନ୍ତିଧାମ ଏବଂ ସୁଖଧାମକୁ ମନେ ପକାଇବାକୁ ହେବ ।
ନୂଆଘର ତିଆରି ହେଉଛି ତେଣୁ ପୁରୁଣାଘରୁ ମନ ହଟେଇ ଦେବାକୁ ହେବ ।
ବରଦାନ:-
ଈଶ୍ୱରୀୟ କୁଳର
ସ୍ମୃତି ଦ୍ୱାରା ମାୟାକୁ ସମ୍ମୁଖୀନ କରୁଥିବା ସଦା ସମର୍ଥ ସ୍ୱରୂପ ଭବ ।
ଯଦି କୌଣସି ବି
କାର୍ଯ୍ୟରେ ସଫଳତା ପ୍ରାପ୍ତ କରିବାକୁ ଚାହୁଁଛ ତେବେ ପ୍ରଥମେ ସ୍ମୃତି ଦ୍ୱାରା ସମର୍ଥୀ ସ୍ୱରୂପ
ହୁଅ । ସମର୍ଥୀ ଆସିବା ଦ୍ୱାରା ମାୟାକୁ ସମ୍ମୁଖୀନ କରିବା ସହଜ ହୋଇଯିବ । ତେବେ ସ୍ମୃତି ଯେପରି
ହୋଇଥାଏ ସ୍ୱରୂପ ମଧ୍ୟ ସେହିପରି ହୋଇଯାଏ, ସେଥିପାଇଁ ସର୍ବଦା ଶକ୍ତିଶାଳୀ ସ୍ମୃତି ରହିବା ଦରକାର
ଯେ - ଏହି ଈଶ୍ୱରୀୟ ଜନ୍ମ ଯେ ପର୍ଯ୍ୟନ୍ତ ରହିଛି ସେ ପର୍ଯ୍ୟନ୍ତ ପ୍ରତି ମୂହୁର୍ତ୍ତରେ,
ପ୍ରତ୍ୟେକ ସଂକଳ୍ପରେ ଏବଂ ପ୍ରତ୍ୟେକ କାର୍ଯ୍ୟରେ ଈଶ୍ୱରୀୟ ସେବାରେ ଉପସ୍ଥିତ ରହିଛି । ଏହା ମୋ’ର
ଈଶ୍ୱରୀୟ କୁଳ ଅଟେ, ଏହିଭଳି ସ୍ମୃତି ରୂପୀ ଆସନ ସମସ୍ତ ଦୁର୍ବଳତାକୁ ସମାପ୍ତ କରିଦେବ ।
ସ୍ଲୋଗାନ:-
ସତ୍ୟ ସମୟ
ଅନୁସାରେ ଆପେ ଆପେ ପ୍ରମାଣିତ ହୋଇଥାଏ, ତା’କୁ ପ୍ରମାଣିତ କରିବାର ଆବଶ୍ୟକତା ନାହିଁ ।
ଅବ୍ୟକ୍ତ ଈଶାରା:- ମହାନ
ହେବା ପାଇଁ ମଧୁରତା ଏବଂ ନମ୍ରତାର ଗୁଣକୁ ଧାରଣ କର ।
ଅଧିକାଂଶ ପିଲାଙ୍କ ପାଖକୁ
ସେବାରେ ବାଧା ସୃଷ୍ଟି କରିବା ପାଇଁ ଏହି ବିଘ୍ନ ଆସିଥାଏ - ମୁଁ ଏହା କରିଛି, ମୁଁ ହିଁ ଏହା
କରିପାରିବି... ଏହିଭଳି ମୁଁ ପଣିଆ ଆସିବାକୁ ହିଁ କୁହାଯାଏ ଜ୍ଞାନର ଅଭିମାନ, ବୁଦ୍ଧିର ଅଭିମାନ,
ସେବାର ଅଭିମାନ, ଏହି ସବୁ ରୂପରେ ହିଁ ବିଘ୍ନ ଆସିଥାଏ । ତେଣୁ ଏହି ପ୍ରକାରର ବିଘ୍ନ ଗୁଡିକୁ
ସମାପ୍ତ କରିବା ପାଇଁ ସର୍ବଦା ଗୋଟିଏ ଶବ୍ଦ ମନେ ରଖ ଯେ ମୁଁ ନିମିତ୍ତ ଅଟେ । ନିମିତ୍ତ ଭାବିବା
ଦ୍ୱାରା ହିଁ ନିରାକାରୀ, ନିରହଂକାରୀ, ନମ୍ରଚିତ୍ତ ଏବଂ ନିଃସଂକଳ୍ପ ଅବସ୍ଥାରେ ରହିପାରିବ, ଏହିଭଳି
ଧାରଣାଗୁଡିକ ହିଁ ବାତାବରଣକୁ ନିର୍ବିଘ୍ନ କରିଦେଇଥାଏ ।