30.06.26          Morning Odia Murli         Om Shanti         BapDada       Madhuban


“ମିଠେ ବଚ୍ଚେ:- ବର୍ତ୍ତମାନ ତୁମେମାନେ ବାବାଙ୍କ ଉପରେ ସମର୍ପିତ ହୋଇଯାଅ, ତେବେ ୨୧ ଜନ୍ମ ପାଇଁ ତୁମେମାନେ ସଦା ସୁଖୀ ହୋଇଯିବ” ।

ପ୍ରଶ୍ନ:-
ଜ୍ଞାନୀ ପିଲାମାନଙ୍କୁ ନିଜର ଅବସ୍ଥାକୁ ଠିକ୍ ରଖିବା ପାଇଁ କେଉଁ ଅଭ୍ୟାସକୁ ପକ୍କା କରିବା ଉଚିତ୍‌?

ଉତ୍ତର:-
ସକାଳୁ-ସକାଳୁ ଅର୍ଥାତ୍ ଅମୃତବେଳାରେ ଉଠିବାର ଅଭ୍ୟାସ । ସକାଳୁ-ସକାଳୁ ଉଠି ବାବାଙ୍କ ସ୍ମୃତିରେ ବସିବା - ଏହା ବହୁତ ଭଲ ଧାରଣା ଅର୍ଥାତ୍ ଅଭ୍ୟାସ ଅଟେ । ଯେଉଁ ପିଲାମାନେ ଶୀଘ୍ର ଶୋଇ ଯାଆନ୍ତି ଏବଂ ଶୀଘ୍ର ଉଠିଯାଆନ୍ତି ସେମାନଙ୍କର ଅବସ୍ଥା ସାରା ଦିନ ଠିକ୍ ରହିଥାଏ । ଅଜ୍ଞାନୀମାନଙ୍କ ନିଦଠାରୁ ଜ୍ଞାନୀ ପିଲାମାନଙ୍କର ନିଦ ଅଧା ହେବା ଉଚିତ୍ । ରାତି ୧୦ଟା ସୁଧା ଶୋଇଯାଅ ଏବଂ ୨ଟା ଠାରୁ ଉଠି ଯୋଗରେ ବସ ।

ଗୀତ:-
ମୁଝକୋ ସାହାରା ଦେନେ ବାଲେ...

ଓମ୍ ଶାନ୍ତି ।
ପିଲାମାନେ ସମସ୍ତେ ସମ୍ମୁଖରେ ବସିଛନ୍ତି ଏବଂ ଜାଣିଛନ୍ତି ଯେ ଆମେମାନେ ଜୀବାତ୍ମା ଅଟୁ । ଏଠାରେ ତ ଜୀବାତ୍ମାମାନେ ରହିବେ । ଯେତେବେଳେ ଆତ୍ମା ଶରୀରରେ ନାହିଁ ତେବେ ନଗ୍ନ ଅଟେ, ତାକୁ ଅଶରୀରୀ କୁହାଯାଏ । ତୁମେମାନେ ତ ଶରୀର ସହିତ ବସିଛ । ଆତ୍ମା ବା ପରମାତ୍ମା ଯେ ପର୍ଯ୍ୟନ୍ତ ଶରୀରକୁ ନ ଆସିଛନ୍ତି, ତେବେ କଥା କହିପାରିବେ ନାହିଁ । ତୁମେ ଜୀବାତ୍ମାମାନେ ଜାଣିଛ, ଏବେ ଆମେ ବାବାଙ୍କ ସମ୍ମୁଖରେ ବସିଛୁ । ଅବିକଳ ଯେପରି ୫ ହଜାର ବର୍ଷ ପୂର୍ବରୁ ସମ୍ମୁଖକୁ ଆସିଥିଲେ । ପିଲାମାନେ ନିଶ୍ଚିତ ବାବାଙ୍କଠାରୁ ସମ୍ପତ୍ତି ହିଁ ନେବେ । ଜାଣିଛନ୍ତି ଆମେ ନିଜର ପରମପିତା ପରମାତ୍ମା ଅବିନାଶୀ ପିତାଙ୍କ ସମ୍ମୁଖରେ ବସିଛୁ । କାହିଁକି ବସିଛୁ? ବାବାଙ୍କଠାରୁ ଅସୀମ ସମ୍ପତ୍ତିର ଅଧିକାର ନେବାପାଇଁ । ଯେପରି ସ୍କୁଲରେ ପିଲାମାନେ ଭାବିଥାନ୍ତି ଆମେ ଶିକ୍ଷକଙ୍କ ଠାରୁ ଇଞ୍ଜିନିୟରୀ, ବାରିଷ୍ଟରୀ ଶିକ୍ଷା କରୁଛୁ । ସେହିପରି ଲକ୍ଷ୍ୟ ଏବଂ ଉଦ୍ଦେଶ୍ୟ ରହିଥାଏ । ତୁମେ ପିଲାମାନେ ଜାଣୁଛ ପରମପିତା ପରମାତ୍ମା ଆମକୁ ବ୍ରହ୍ମାଙ୍କ ମୁଖ ଦ୍ୱାରା ରାଜଯୋଗ ଶିଖାଉଛନ୍ତି । ଭଗବାନଉବାଚ - ଏହା ପିଲାମାନଙ୍କୁ ବୁଝାଯାଇଛି ଯେ ଭଗବାନ ନିରାକାରଙ୍କୁ କୁହାଯାଉଛି । ଜୀବାତ୍ମାମାନେ ପୁନର୍ଜନ୍ମ ନିଶ୍ଚିତ ନେଇଥାନ୍ତି । କୌଣସି ସନ୍ନ୍ୟାସୀଙ୍କୁ ତୁମେ ପଚାର - ମନୁଷ୍ୟ ପୁନର୍ଜନ୍ମ ନିଅନ୍ତି? ତେବେ ଏପରି କହିବେ ନାହିଁ ଯେ ନେଉ ନାହାଁନ୍ତି । ନଚେତ୍ ୮୪ ଲକ୍ଷ ଜନ୍ମ କିପରି କହିଥା’ନ୍ତେ? ପଚାର ତୁମେ ପୁନର୍ଜନ୍ମକୁ ମାନୁଛ? ଏହା ତ ନିଶ୍ଚିତ ଅଟେ, ଆତ୍ମା ସଂସ୍କାର ଅନୁସାରେ ଗୋଟିଏ ଶରୀର ଛାଡି ପୁଣି ଆଉ ଗୋଟିଏ ନେଇଥାଏ । ଏହିଭଳି କେହି କେହି ମନୁଷ୍ୟ ୮୪ ଜନ୍ମ ନେଇଥା’ନ୍ତି । ୮୪ ଲକ୍ଷ ଜନ୍ମର କଥା ହିଁ ନାହିଁ । ପ୍ରଥମ ଜନ୍ମ ନିଶ୍ଚିତ ବହୁତ ଭଲ ସତ୍ତ୍ୱପ୍ରଧାନ ହୋଇଥିବ । ଶେଷ ଜନ୍ମ ଛି ଛି ଅର୍ଥାତ୍ ନିକୃଷ୍ଟ ତମୋପ୍ରଧାନ ହୋଇଥିବ । ୧୬ କଳାରୁ ପୁଣି ୧୪ କଳା, ୧୨ କଳା ହୋଇ ଚାଲିବ, ପୁନର୍ଜନ୍ମ ନିଶ୍ଚିତ ନେବେ । ପଚାରିବା ଉଚିତ୍‌, ପରମପିତା ପରମାତ୍ମା ପୁର୍ନଜନ୍ମ ନେଉଛନ୍ତି ନା ପୁନର୍ଜନ୍ମ ରହିତ ଅଟନ୍ତି? ଦେଖ ଏହି କଥା ବହୁତ ସୂକ୍ଷ୍ମ ଅଟେ । ଯଦି କହିବେ ଜନ୍ମ ମରଣ ରହିତ ଅଟନ୍ତି, ତେବେ ପୁଣି ଶିବଜୟନ୍ତୀ ପ୍ରମାଣିତ ହୋଇପାରିବ ନାହିଁ । କହିବେ ଶିବଜୟନ୍ତୀ ପାଳନ ହେଉଛି । ତେଣୁ ବୁଝାଇ ଦିଆଯାଏ - ହଁ ଶିବଜୟନ୍ତୀ ଅଛି କିନ୍ତୁ ଜନ୍ମ ସାଥୀରେ ମରଣ ଯାହାକୁ କୁହାଯାଉଛି, ତାହା ନାହିଁ । ଯଦି ମୃତ୍ୟୁ ଅଛି, ତେବେ ପୁର୍ନଜନ୍ମ ନେବାକୁ ପଡିବ । ପରମାତ୍ମା ପିତା କେବେ ପୁନର୍ଜନ୍ମ ନିଅନ୍ତି ନାହିଁ । ସିଏ ଏହି ଶରୀରରେ ଥରେ ମାତ୍ର ଆସନ୍ତି, ପୁଣି ପୁନର୍ଜନ୍ମରେ ଆସନ୍ତି ନାହିଁ । ପରମପିତା ପରମାତ୍ମା ପୁନର୍ଜନ୍ମ ରହିତ ଅଟନ୍ତି, ସିଏ କେବେହେଲେ ସତ୍ୱପ୍ରଧାନରୁ ତମୋପ୍ରଧାନ ହୁଅନ୍ତି ନାହିଁ । ଆତ୍ମାମାନେ ତ ସମସ୍ତେ ଜନ୍ମ ମୃତ୍ୟୁରେ ଆସି ପତିତ ହୋଇଯାଆନ୍ତି । ପୁଣି ବାବା ଆସନ୍ତି ପବିତ୍ର କରିବା ପାଇଁ । ଏହା ଦ୍ୱାରା ପ୍ରମାଣିତ ହେଉଛି ଯେ ଆତ୍ମା ହିଁ ପତିତ ହୁଏ, ଆତ୍ମା ନିଜ ଘରୁ ପବିତ୍ର ହୋଇ ଆସିଥାଏ ପୁଣି ମାୟା ପତିତ କରିଦିଏ । ବାବା ତ କେବେହେଲେ ପତିତ କରିବେ ନାହିଁ । ବାବା କେବେହେଲେ ବି ପିଲାମାନଙ୍କୁ ବିକାରୀ ହେବାର ମତ ଦେଇପାରିବେ ନାହିଁ । ଏହି ସମୟର ମନୁଷ୍ୟ ପତିତ ମତ ହିଁ ଦେଇଥା’ନ୍ତି । ଏବେ ପତିତ-ପାବନ ପିତା କହୁଛନ୍ତି ପତିତ ହୁଅ ନାହିଁ ଅର୍ଥାତ୍ ବିକାରଗ୍ରସ୍ତ ହୁଅ ନାହିଁ । ରାବଣର ମତ ଆଧାରରେ ଦୁଃଖଧାମ ହୋଇଗଲା । ପ୍ରଥମେ ସୁଖଧାମ ଥିଲା । ଏମିତି ନୁହେଁ ଯେ ବାବା ହିଁ ସୁଖ ଦୁଃଖ ଦେଇଥା’ନ୍ତି । ନା, ବାବା କେବେହେଲେ ପିଲାମାନଙ୍କୁ ଦୁଃଖ ପାଇବାର ମତ ଦେଇପାରିବେ ନାହିଁ । ମାୟା ହିଁ ଦୁଃଖ ଦେଇଥାଏ । ସେହି ମାୟା ଉପରେ ବିଜୟ ପ୍ରାପ୍ତ କରି ତୁମେ ଜଗତଜିତ୍ ହେଉଛ । ମନୁଷ୍ୟ ମାୟାର ଅର୍ଥ ଜାଣିନାହାଁନ୍ତି । ସେମାନେ ଧନକୁ ମାୟା କହିଦେଉଛନ୍ତି । କହୁଛନ୍ତି ନା ୟାଙ୍କୁ ମାୟାର ନିଶା ବହୁତ ରହିଛି । କିନ୍ତୁ ମାୟାର ନିଶା ନ ଥାଏ । ସେଠାରେ ଅର୍ଥାତ୍ ସତ୍ୟଯୁଗରେ ରାବଣର ପୁତ୍ତଳିକା ତିଆରି କରି ଜଳାଇ ନଥା’ନ୍ତି । ପୁତ୍ତଳିକା ତ ଶତ୍ରୁର ତିଆରି କରାଯାଏ । ରାବଣ ରାଜ୍ୟ ଅଧାକଳ୍ପରୁ ଆରମ୍ଭ ହେଉଛି । ଦେହ ଅହଂକାର ଆସିବା ଦ୍ୱାରା ଅନ୍ୟ ବିକାରଗୁଡିକ ମଧ୍ୟ ଆସି ଯାଇଥାଏ । ଶାସ୍ତ୍ରରେ ଲେଖାହୋଇଛି ଯେ ଦେବତାମାନେ ବାମମାର୍ଗ ଯାଉଛନ୍ତି ଅର୍ଥାତ୍ ବିକାର ଗୁଡିକର ବଶୀଭୂତ ହେଉଛନ୍ତି । ମାୟାରେ ବଶୀଭୂତ ହେବା ଦ୍ୱାରା ଅନ୍ୟର ବଶବର୍ତ୍ତୀ ହୋଇଯାଉଛନ୍ତି । ତାପରେ ପରମତରେ ଚାଲିଥା’ନ୍ତି । ଏବେ ତୁମେ ଶ୍ରୀମତରେ ଚାଲୁଛ । ପରମତ ଅର୍ଥାତ୍ ମାୟାର ମତ । ଶ୍ରୀମତ ଅର୍ଥାତ୍ ଶ୍ରେଷ୍ଠ ମତ ହେଲା ବାବାଙ୍କର । ତାହା ହେଲା ରାବଣର ମତ ବା ପରମତ, ସେଥିପାଇଁ ବାବା କହୁଛନ୍ତି ଆସୁରୀ ସମ୍ପ୍ରଦାୟ, ସମସ୍ତେ ରାବଣର ଜଞ୍ଜିରରେ ବନ୍ଧା ହୋଇ ଦୁଃଖୀ ହୋଇଯାଇଛନ୍ତି ।

ମନୁଷ୍ୟମାନେ ତ ସତ୍ୟଯୁଗର ଆୟୁଷ ଲକ୍ଷ-ଲକ୍ଷ ବର୍ଷ ଭାବି ନେଇଛନ୍ତି । ତୁମେ ତ ହିସାବ ଶୁଣାଉଛ - କଳ୍ପର ଆୟୁଷ କିପରି ୫ ହଜାର ବର୍ଷ ଅଟେ । ଖ୍ରୀଷ୍ଟଙ୍କୁ ୨ ହଜାର ବର୍ଷ ହେଲା, ବୁଦ୍ଧଙ୍କୁ ୨୨୫୦ ବର୍ଷ ହେଲା ଏବଂ ଇସ୍‌ଲାମୀମାନଙ୍କୁ ୨୫୦୦ ବର୍ଷ ହେଲା । ସମସ୍ତଙ୍କୁ ମିଶାଇ ଅଧାକଳ୍ପ ହେଲା । ସେମାନଙ୍କ ପୂର୍ବରୁ ତ ଦେବତାମାନଙ୍କର ରାଜ୍ୟ ଥିଲା, ତେଣୁ ଦେବତାମାନଙ୍କୁ ଲକ୍ଷ-ଲକ୍ଷ ବର୍ଷ କିପରି କୁହାଯାଇପାରିବ । ଏତେ ବର୍ଷ ହୋଇଥିଲେ ତ ମନୁଷ୍ୟ ବହୁତ ହୋଇଯାଇଥା’ନ୍ତେ । ଏତେ ମନୁଷ୍ୟ ତ ନାହାଁନ୍ତି । ୫ ହଜାର ବର୍ଷରେ ହିଁ କୋଟି କୋଟି ମନୁଷ୍ୟ ହୋଇଯାଉଛନ୍ତି । କହୁଛନ୍ତି ମଧ୍ୟ ଖ୍ରୀଷ୍ଟଙ୍କର ୩ ହଜାର ବର୍ଷ ପୂର୍ବରୁ ଭାରତରେ ଆଦି ସନାତନ ଦେବୀ ଦେବତା ଧର୍ମ ଥିଲା । ତେବେ ତ ୫ ହଜାର ବର୍ଷର ସମ୍ପୂର୍ଣ୍ଣ ହିସାବ ହୋଇଯାଉଛି । ନାଟକ ସମ୍ପୂର୍ଣ୍ଣ ତ ହୋଇଥାଏ । ଏହିସବୁ କଥାକୁ କେହି ଜାଣିନାହାଁନ୍ତି । ମୁଁ ଯିଏ, ଯେପରି, ଏହି ଚକ୍ର କିପରି ଘୂରୁଛି, ଏକଥା କେହି ଜାଣି ପାରିବେ ନାହିଁ । ବାବା ହିଁ ବୁଝାଉଛନ୍ତି - ଏହା ହେଉଛି ଗୀତାର ପର୍ବ । ବାବା ହିଁ ଆସି ସହଜ ରାଜଯୋଗ ଶିଖାଇଥିଲେ । ବାବା ବୁଢୀମାତାମାନଙ୍କୁ ମଧ୍ୟ ବୁଝାଉଛନ୍ତି ଯେ ଏହା ବହୁତ ସହଜ କଥା । କେବଳ ବାବା ଏବଂ ତାଙ୍କର ସମ୍ପତ୍ତିକୁ ମନେ ପକାଇବାକୁ ହେବ । ସନ୍ତାନ ଜନ୍ମ ହେଲା ଅର୍ଥାତ୍ ଉତ୍ତରାଧିକାରୀ ଜନ୍ମ ହେଲା । ତୁମେ ଜାଣିଛ ଯେ ଆମେ ବାବାଙ୍କର ଉତ୍ତରାଧିକାରୀ ଅଟୁ । ୫ ହଜାର ବର୍ଷ ପରେ ପୁନର୍ବାର ମିଶିବାକୁ ଆସିଛୁ । ଏସବୁ ବଡ ଗୁପ୍ତ କଥା । ବାବା ପଚାରୁଛନ୍ତି - ପୂର୍ବରୁ କେବେ ବାବାଙ୍କ ସହିତ ସାକ୍ଷାତ୍ ହୋଇଥିଲା? କହୁଛନ୍ତି ହଁ ବାବା । ଆତ୍ମା ଏହି ମୁଖ ଦ୍ୱାରା କହୁଛି - ମୁଁ ୫ ହଜାର ବର୍ଷ ପୂର୍ବରୁ ଆପଣଙ୍କ ସହିତ ମିଶିଥିଲି । ଆପଣ ଏହି ଶରୀର ଦ୍ୱାରା ଶିକ୍ଷା ଦେବା ପାଇଁ ଆସିଥିଲେ । ଯେଉଁମାନେ ସମ୍ପୂର୍ଣ୍ଣ ନିଶ୍ଚୟବୁଦ୍ଧି ସନ୍ତାନ, ସେମାନେ ଜାଣିଛନ୍ତି ଆମେ ବାବାଙ୍କ ଠାରୁ ଅବିନାଶୀ ସମ୍ପତ୍ତି ନେବା ପାଇଁ ଆସିଛୁ । ଆମେ ବ୍ରହ୍ମାଙ୍କ ଦ୍ୱାରା ଅବିନାଶୀ ବାବାଙ୍କର ସନ୍ତାନ ହୋଇଛୁ । ବାବା କହୁଛନ୍ତି - ମୋତେ ଜାଣିଛ, ମୁଁ ତୁମର ପିତା । ତୁମେ କହିବ ହଁ ବାବା, ଆମ ଆତ୍ମାମାନଙ୍କର ଆପଣ ପରମପିତା ପରମାତ୍ମା ଅଟନ୍ତି । ବାବା ମଧ୍ୟ କହୁଛନ୍ତି ତୁମକୁ ମୁଁ ସ୍ୱର୍ଗକୁ ପଠାଇଥିଲି, ବର୍ସା ଅର୍ଥାତ୍ ସମ୍ପତ୍ତି ଦେଇଥିଲି, ଯାହାକୁ ମାୟା ଛଡାଇ ନେଇଛି, ତେଣୁ ମୁଁ ବର୍ତ୍ତମାନ ପୁନର୍ବାର ଦେଉଛି । ମାୟା ସମ୍ପତ୍ତି ଛଡାଇ ନେଉଛି, ବାବା ପୁଣି ପ୍ରାପ୍ତ କରାଉଛନ୍ତି । ଏହି ଖେଳ ଅନେକ ଥର ହୋଇସାରିଛି ଏବଂ ହୋଇ ଚାଲିବ, ଏହାର ଅନ୍ତ ନାହିଁ । ବାବାଙ୍କର ସମସ୍ତେ ସନ୍ତାନ ହେଲେ ମଧ୍ୟ କିଏ ସୁପୁତ୍ର ତ କିଏ ପୁଣି କୁପୁତ୍ର ମଧ୍ୟ ହେଉଛନ୍ତି । କେହି ନିଜ ସନ୍ତାନ ତ କେହି ସାବତ ସନ୍ତାନ ହେଉଛନ୍ତି । କଞ୍ଚା, ପାଚିଲା ତ ଅଛନ୍ତି ନା । ପରିପକ୍ୱମାନଙ୍କୁ ମଧ୍ୟ କେବେ-କେବେ ମାୟା ଜିତିଯାଉଛି । ପିଲାମାନେ କହୁଛନ୍ତି ଆମେ ବଞ୍ଚିଥିବା ପର୍ଯ୍ୟନ୍ତ ଆପଣଙ୍କଠାରୁ ସମ୍ପତ୍ତି ନେଉଥିବୁ । ବିକର୍ମର ବୋଝ ତୁମ ମୁଣ୍ଡ ଉପରେ ବହୁତ ଅଛି । ତେଣୁ ତୁମେ ଯେତେ ଯୋଗଯୁକ୍ତ ହେବ ସେତେ ଯୋଗ ଅଗ୍ନି ଦ୍ୱାରା ତୁମେ ପାପାତ୍ମାରୁ ପୁଣ୍ୟାତ୍ମା ହୋଇଚାଲିବ । ଅଗ୍ନି ଜିନିଷକୁ ପବିତ୍ର କରିଥାଏ । ତୁମର ହେଲା ଯୋଗ ଅଗ୍ନି । ଏହା ବେହଦର ଯଜ୍ଞ ଅଟେ, ବେହଦର ସେଠ୍ ଅର୍ଥାତ୍ ଯଜ୍ଞକର୍ତ୍ତା, ବେହଦ ଯଜ୍ଞର ରଚନା କରିଛନ୍ତି । ଏତେ ବର୍ଷ ଧରି କୌଣସି ଯଜ୍ଞ ଚାଲି ନ ଥାଏ । ୭-୮ ଦିନ ବା ଏକମାସ ପାଇଁ ଯଜ୍ଞ କରିଥା’ନ୍ତି । ତୁମର ଏହି ଯଜ୍ଞ ତ କେତେ ବର୍ଷରୁ ଚାଲିଆସୁଛି । ବାବା ତ ଶୁଣା ଇଚାଲିଛନ୍ତି । କହୁଛନ୍ତି ଭୁଲି ଯାଅ ନାହିଁ, କେବଳ ମୋତେ ମନେ ପକାଅ, ତେବେ ତୁମର ଜନ୍ମ ଜନ୍ମାନ୍ତରର ବିକର୍ମର ବୋଝ ସମାପ୍ତ ହୋଇଯିବ । ଭଗବାନୁଉବାଚ - ମୋତେ ଅର୍ଥାତ୍ ନିଜ ସତ୍ୟ ପିତାକୁ ମନେ ପକାଅ । ନିଶ୍ଚିତ ରୂପେ ସେ ଧରାପୃଷ୍ଠକୁ ଆସିଯାଇଛନ୍ତି, ତେବେ ତ କହୁଛନ୍ତି ନା ।

ବାବା କହୁଛନ୍ତି - ଏବେ ତୁମକୁ ଫେରି ଯିବାକୁ ହେବ । ତୁମର ଆତ୍ମା ଏହି ସମୟରେ ବହୁତ ପତିତ ଅଟେ । ଏବେ ତୁମେ ଜାଣୁଛ ଯୋଗ ଦ୍ୱାରା ତୁମେ ପବିତ୍ର ହୋଇଯିବ । ତୁମେ ଆଗରୁ ପ୍ରତିଜ୍ଞା କରିଛ ଯେ - ଯେବେ ଆପଣ ଆସିବେ, ସେତେବେଳେ ମୁଁ ଅନ୍ୟ ସବୁ ସଙ୍ଗ ତ୍ୟାଗ କରି ଏକା ଆପଣଙ୍କ ସହିତ ସମ୍ପର୍କ ଯୋଡିବି । ତୁମ ଉପରେ ଉତ୍ସର୍ଗିତ ହୋଇଯିବି । ସ୍ତ୍ରୀ ପୁରୁଷ ନିକଟରେ ଓ ପୁରୁଷ ସ୍ତ୍ରୀ ନିକଟରେ ସମର୍ପିତ ହୋଇଯାଆନ୍ତି । ଏଠାରେ ହେଲା ବାବାଙ୍କ ନିକଟରେ ସମର୍ପିତ ହୋଇଯିବା । ବିବାହ ସମୟରେ ଜଣେ ଅନ୍ୟ ଜଣଙ୍କ ପ୍ରତି ସମର୍ପିତ ହୋଇଯାଆନ୍ତି ନା । ଏବେ ବାବା କହୁଛନ୍ତି - ତୁମକୁ କୌଣସି ମନୁଷ୍ୟ ଉପରେ ସମର୍ପଣ ହେବାର ନାହିଁ । ତୁମେ ପ୍ରତିଜ୍ଞା କରିଛ - ଆପଣଙ୍କ ନିକଟରେ ସମର୍ପଣ ହେବି । ଏବେ ତୁମେ ଯଦି ମୋ ଉପରେ ସମର୍ପିତ ହୋଇଯିବ, ତେବେ ୨୧ ଜନ୍ମ ତୁମକୁ ସଦା ସୁଖି କରିଦେବି । କେତେ ଶ୍ରେଷ୍ଠ ସମ୍ପତ୍ତିର ଅଧିକାରୀ ହେଉଛ । ଶ୍ରୀମତ ଦ୍ୱାରା ତୁମେ ଶ୍ରେଷ୍ଠ ହେବ ଏହି କଥା କେବେ ଭୁଲ ନାହିଁ । ଲକ୍ଷ୍ମୀ-ନାରାୟଣଙ୍କର ଚିତ୍ର ମଧ୍ୟ ଘରେ ରଖିଦିଅ । ଆମେ ବାବାଙ୍କଠାରୁ ଏହି ବର୍ସା (ସମ୍ପତ୍ତି) ନେଉଛୁ । ବାବା ପରମଧାମରୁ ଆସିଛନ୍ତି । କିନ୍ତୁ ମାୟା ଚିଲ ମଧ୍ୟ କମ୍ ନୁହେଁ । ସମସ୍ତଙ୍କ କଥା ନୁହେଁ, କିନ୍ତୁ କ୍ରମ ଅନୁସାରେ ଅଛନ୍ତି । କେହି ତ ଏକଦମ ଭୁଲିଯାଉଛନ୍ତି ଯେ ଆମେ ବାବାଙ୍କ ଠାରୁ ସମ୍ପତ୍ତି ନେଉଛୁ । ଯେତେବେଳେ ଏଠାରେ ବସିଛନ୍ତି ନିଶା ଚଢିଯାଉଛି, ଏଠାରୁ ବାହାରକୁ ବାହାରିଯିବା ମାତ୍ରେ ଭୁଲିଯାଉଛନ୍ତି । ପୁଣି ସକାଳୁ ସକାଳୁ ମୁରଲୀ ଦ୍ୱାରା ସତେଜ ହେଉଛନ୍ତି ପୁଣି ସାରାଦିନ ଭୁଲିଯାଉଛନ୍ତି । ୪-୫ ବର୍ଷ ଯଜ୍ଞରେ ରହି ଭଲ ସେବା କଲାବଲା ମଧ୍ୟ ଆଜି ନାହାଁନ୍ତି । କିଛି ଅବଜ୍ଞା କରିଛନ୍ତି, ତେଣୁ ମାୟା ଜୋରରେ ଚାପୁଡା ମାରିଛି ଏବଂ ଚାଲିଯାଇଛନ୍ତି । ବାବା ଶୁଣାଇ ଦେଇଛନ୍ତି - ଚଢେ ତୋ ଚାଖେ ବୈକୁଣ୍ଠ ରସ, ଗିରେ ତୋ ଚକ୍‌ନାଚୁର ଅର୍ଥାତ୍ ଯିଏ ଚଢିବ ସିଏ ପରମାତ୍ମ ପ୍ରେମର ରସାସ୍ୱାଦ କରିବ, ନଚେତ୍ ଯାହାଙ୍କର ସ୍ଥିତି ଅଧୋଗାମୀ ହେଲା ସେ ଆତ୍ମା ଚୁରମାର୍ ହୋଇଯିବ । ଦେଖୁଛ କିପରି ଅବସ୍ଥା ହୋଇଯାଉଛି । ବୈକୁଣ୍ଠକୁ ନିଶ୍ଚିତ ଯିବେ କିନ୍ତୁ ପଦ କ୍ରମଅନୁସାରେ ରହିବ ନା । ଯଦିଓ ସେଠାରେ ସମେସ୍ତ ସୁଖୀ ରହିଥା’ନ୍ତି, ତଥାପି ପଦବୀ ତ ରହିଛି ନା । ସ୍କୁଲରେ ଉଚ୍ଚ ପଦ ପାଇବା ପାଇଁ ତ ପରିଶ୍ରମ କରନ୍ତି ନା । ଏମିତି ନୁହେଁ ଯେ ପ୍ରଜା ପଦ ମିଳିଲେ ବି ଚଳିବ, ଯାହା ଭାଗ୍ୟରେ ଥିବ । ନା, ଏହାକୁ ତମୋପ୍ରଧାନ ଅର୍ଥାତ୍ ହୀନ ପୁରୁଷାର୍ଥ କୁହାଯିବ । ସତ୍ୱପ୍ରଧାନ ତାଙ୍କୁ କୁହାଯିବ ଯିଏ ବାବାଙ୍କଠାରୁ ପୁରା ଅଧିକାର ନେବାର ପ୍ରତିଜ୍ଞା କରିଥା’ନ୍ତି । ଯେପରି ଘୋଡା ଦୌଡରେ ସମସ୍ତେ ନମ୍ବରୱାନ ହୋଇପାରିବେ ନାହିଁ, ସେହିପରି ଏହା ହ୍ୟୁମାନ୍ ରେସ୍ ଅର୍ଥାତ୍ ମଣିଷ ଦୌଡ ଅଟେ । ତୁମେ ଆଶା କରୁଛ - ଆମେ ଶୀଘ୍ର ଶୀଘ୍ର ଶିବବାବାଙ୍କ ଗଳାର ହାରରେ ଗୁନ୍ଥି ହୋଇଯିବୁ, ତେଣୁ ତାଙ୍କୁ ମନେ ପକାଇବାକୁ ପଡିବ । ସବୁକିଛି ସ୍ମୃତି ଉପରେ ନିର୍ଭର କରୁଛି । ମାୟା ଏଭଳି ବିଘ୍ନ ପକାଉଛି, ଯାହାକି ଏକଦମ ପ୍ରତିଯୋଗିତାରୁ ହିଁ ବାହାର କରି ଦେଉଛି । ତୁମର ଏହା ମଣିଷ ଦୌଡ ଅଟେ । ଆତ୍ମା କହୁଛି ମୁଁ ବହୁତ ଦୁଃଖୀ ହୋଇଯାଇଛି । ବାରମ୍ବାର ଶରୀର ନେଇ ନେଇ ବହୁତ କଷ୍ଟ ସହିଲଣି, କହୁଛି ମୁଁ ବାବାଙ୍କ ପାଖକୁ ଯିବି । ବାବା ତ ରାସ୍ତା ବତାଇ ଦେଇଛନ୍ତି । କହୁଛନ୍ତି ବାବା ମୁଁ ଆପଣଙ୍କର ସ୍ମୃତିରେ ହିଁ ରହିବି । ତେଣୁ ଯେତେ ସମୟ ବାହାର କରିପାରିବ ସେତେ ଭଲ । ସରକାରୀ ଚାକିରୀରେ ୮ ଘଣ୍ଟା ଦେଉଛ, ସେହିଭଳି ବାବାଙ୍କ ସ୍ମୃତିରେ ମଧ୍ୟ ୮ ଘଣ୍ଟା ତ ରୁହ । ସୃଷ୍ଟିକୁ ସ୍ୱର୍ଗରେ ପରିଣତ କରିବା, ଏହା କେତେ ଶ୍ରେଷ୍ଠ ସେବା । କେବଳ ବାବାଙ୍କୁ ମନେ ପକାଅ ଏବଂ ସୁଖଧାମକୁ ମନେ ପକାଅ । ବାସ୍‌, ଯଦି ତୁମେ ଆଠ ଘଣ୍ଟା ଏହି ସେବା କରିବ, ତେବେ ପୁରା ସମ୍ପତ୍ତି ମିଳିଯିବ । ଏହିଭଳି ସ୍ମୃତିରେ ରହିଲେ ତୁମର ବିକର୍ମ ବିନାଶ ହୋଇଯିବ । ଆଠ ଘଣ୍ଟା ଏହି ସେବାରେ ଦିଅ ବାକି ୧୬ ଘଣ୍ଟା ତୁମେ ମୁକ୍ତ ରହୁଛ । ଯେତେ ହୋଇପାରୁଛି ତୁମେ ଘଡି ଘଡି ମୋତେ ମନେ ପକାଅ । ବାବାଙ୍କୁ ତ କେଉଁଠି ବି ବସି ମନେ ପକାଇପାରିବ । ସବୁଠାରୁ ଭଲ ସମୟ ତୁମକୁ ସକାଳେ ମିଳିବ । ସିନ୍ଧ୍‌ରେ ମଧ୍ୟ ଗାୟନ ଅଛି ସବେରେ ସୋନା ସବେରେ ଉଠନା... ଅର୍ଥାତ୍ ଶୀଘ୍ର ଶୋଇବା, ଶୀଘ୍ର ଉଠିବା, ସେହି ମନୁଷ୍ୟମାନେ ବହୁତ ଗୁଣବାନ ହୋଇଥାଆନ୍ତୁ । ଏହି ଗାୟନ ମଧ୍ୟ ଏହି ସମୟର ଅଟେ । ବାବା କହୁଛନ୍ତି - ରାତିରେ ଶୀଘ୍ର ଶୋଇଯାଅ ଏବଂ ସକାଳେ ଜଲଦି ଉଠ । ଅଜ୍ଞାନୀ ଲୋକମାନେ ଆଠ ଘଣ୍ଟା ଶୋଇଥାନ୍ତି, ତୁମର ନିଦ ଅଧା ହେବା ଉଚିତ୍ । ୪-୫ ଘଣ୍ଟା ନିଦ ଯଥେଷ୍ଟ । ତୁମେ କର୍ମଯୋଗୀ ଅଟ ନା । ରାତି ୧୦ଟା ସମୟରେ ଶୋଇଯାଅ, ୨ଟା ସମୟରେ ଉଠିପଡ । ଶିବବାବାଙ୍କୁ ମନେ ପକାଇଲେ ତୁମର ବହୁତ ଆତ୍ମିକ ରୋଜଗାର ହେବ । ତୁମକୁ ସ୍ୱାସ୍ଥ୍ୟ- ସମ୍ପତ୍ତି ଦୁଇଟି ଯାକ ମିଳିବ । ଆଚ୍ଛା, ଭୋର ଦୁଇଟା ସମୟରେ ନହେଲେ ୩ଟା ସମୟରେ ଉଠ, ୪ଟା ସମୟରେ ଉଠ । ସେହି ସମୟ ହିଁ ବହୁତ ସୁନ୍ଦର ସମୟ ଅଟେ । ସମସ୍ତେ ଅଶରୀରୀ ହୋଇଯାଇଥା’ନ୍ତି ଅର୍ଥାତ୍ ଶୋଇ ପଡିଥା’ନ୍ତି, ତେଣୁ ବାତାବରଣରେ ଶାନ୍ତି ରହିଥାଏ । ସେହି ସମୟରେ ବହୁତ ଶୁନ୍‌ଶାନ୍ ବାତାବରଣ ରହିଥାଏ । ଅମୃତବେଳାରେ ବାବାଙ୍କର ସ୍ମୃତି, ବହୁତ ଭଲ ପ୍ରଭାବ ପକାଇଥାଏ । ବ୍ରହ୍ମାବାବା ପ୍ରାୟତଃ ରାତ୍ରି ସମୟରେ ବହୁତ ଉଜାଗର ରହିଥାନ୍ତି । ସୂକ୍ଷ୍ମ ସେବାରେ କ୍ଲାନ୍ତିର ଅନୁଭବ ହୋଇ ନ ଥାଏ । ରୋଜଗାର ସମୟରେ ତ ଖୁସି ରହିବ ନା । ତୁମେ ପିଲାମାନେ ସକାଳୁ ଉଠି ନିଜର ଅବିନାଶୀ ପୂଣ୍ୟ ଜମା କରିଚାଲ । ଆଚ୍ଛା—

ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ ସୁପ୍ରଭାତ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।

ଧାରଣା ପାଇଁ ମୁଖ୍ୟ ସାର :—
(୧) ୨୧ ଜନ୍ମ ସଦା ସୁଖୀ ହେବା ପାଇଁ ଏକମାତ୍ର ବାବାଙ୍କ ପାଖରେ ପୂରା ପୂରା ସମର୍ପିତ ହେବାକୁ ପଡିବ । ଶ୍ରୀମତ ଆଧାରରେ ଶ୍ରେଷ୍ଠ ହେବାକୁ ପଡିବ । ମନମତ ବା ପରମତକୁ ତ୍ୟାଗ କରିବାକୁ ହେବ । କୌଣସି ପ୍ରକାରର ଅବଜ୍ଞା କରିବାର ନାହିଁ ।

(୨) ସକାଳୁ-ସକାଳୁ ଉଠି ବାବାଙ୍କ ସ୍ମୃତିରେ ବସି ରୋଜଗାର ଜମା କରିବାକୁ ହେବ । ସୃଷ୍ଟିକୁ ସ୍ୱର୍ଗରେ ପରିଣତ କରିବାର ସେବା ଅତି କମ୍‌ରେ ୮ ଘଣ୍ଟା ନିଶ୍ଚିତ କରିବାକୁ ହେବ ।

ବରଦାନ:-
ସମୟ ଏବଂ ସଂକଳ୍ପ ସହିତ ନିଜର ସର୍ବ ସମ୍ପତ୍ତିକୁ ୱିଲ୍ କରୁଥିବା ମୋହଜିତ୍ ଭବ ।

ଯେପରି ନିଜର ପୁତ୍ରକୁ ସବୁକିଛି ୱିଲ୍ କରିଥାଆନ୍ତି, ସେହିପରି ତୁମେମାନେ ମଧ୍ୟ ବାବାଙ୍କୁ ନିଜର ୱାରିସ (ଉତ୍ତରାଧିକାରୀ) କରି ଯଦି ସବୁ କିଛି ୱିଲ୍ କରିଦେବ ତେବେ ତୁମ ଭିତରେ ୱିଲ୍ ପାୱାର ଅର୍ଥାତ୍ ପ୍ରବଳ ଇଚ୍ଛା ଶକ୍ତି ଆସିଯିବ ଏବଂ ଏହି ଇଚ୍ଛା ଶକ୍ତି ଦ୍ୱାରା ମୋହ ସ୍ୱତଃ ହିଁ ନିଷ୍ଟ ହୋଇଯିବ । ଯେପରି ସାକାର ପିତା ପୂର୍ଣ୍ଣ ରୂପରେ ନିଜକୁ ୱିଲ୍ କରିଦେଇଥିଲେ, ସେହିପରି ତୁମମାନଙ୍କ ନିକଟରେ ଯେଉଁ ସ୍ମୃତି, ସମୟ ଏବଂ ସଂକଳ୍ପ ରୂପୀ ସମ୍ପତ୍ତି ରହିଛି ସେଗୁଡିକୁ ଯଦି ୱିଲ୍ କରିଦେବ ଅର୍ଥାତ୍ ଶ୍ରୀମତ ଅନୁସାରେ ସେବାରେ ଲଗାଇବ ତେବେ ମୋହଜିତ୍‌, ବନ୍ଧନମୁକ୍ତ ହୋଇଯିବ ।

ସ୍ଲୋଗାନ:-
ପରସ୍ପରର ସ୍ନେହୀ ହେବା ପାଇଁ ସରଳତା ଏବଂ ସହନଶୀଳତାର ଗୁଣକୁ ଧାରଣ କର ।

ଅବ୍ୟକ୍ତ ଈଶାରା:- ସର୍ବଦା ହର୍ଷିତ ରହିବା ପାଇଁ ନିଜର ସ୍ୱଭାବକୁ ସରଳ କର ଏବଂ ସହନଶୀଳ ହୁଅ ।

ବାପଦାଦାଙ୍କର ବରଦାନ ହେଲା ସବୁବେଳେ ନିଜେ ଖୁସିରେ ରୁହ, ସମସ୍ତଙ୍କୁ ଖୁସି ରୂପକ ସମ୍ପତ୍ତି ବାଣ୍ଟ ଏବଂ ଖୁସିର ଲହର ସମସ୍ତଙ୍କ ଭିତରେ ଖେଳାଅ । ତୁମମାନଙ୍କର ଚେହେରାରେ ସଦାସର୍ବଦା ଖୁସିର ସ୍ମିତହାସ୍ୟ ଚମକୁଥାଉ, ଏହିଭଳି ହର୍ଷିତମୁଖ ହୋଇ ରୁହ । ଏଥିପାଇଁ ବାଣୀରେ ମଧୁରତା, ସନ୍ତୁଷ୍ଟତା ଏବଂ ସରଳତା ରୂପକ ନବୀନତା ନିଶ୍ଚିତ ରହିବା ଦରକାର । ବ୍ରାହ୍ମଣ ଆତ୍ମାମାନଙ୍କର ବାଣୀ ସାଧାରଣ ବାଣୀ ନ ହେଉ । ପ୍ରତ୍ୟେକ କର୍ମରେ ଏଭଳି ନବୀନତା ହେଉ ଯାହାକି ସମସ୍ତେ ତାହା ଦ୍ୱାରା ପ୍ରାପ୍ତିର ଅନୁଭବ କରନ୍ତୁ ।