31.03.26 Morning Odia Murli Om Shanti BapDada Madhuban
“ମିଠେ ବଚ୍ଚେ:- ଯଦି
ଉଚ୍ଚ ପଦ ପାଇବାର ଅଛି ତେବେ ସଚ୍ଚା ବାବାଙ୍କ ସହିତ ସର୍ବଦା ସଚ୍ଚା ହୋଇ ରୁହ, କୌଣସି ଭୁଲ ହୋଇଗଲେ
ବାବାଙ୍କଠାରୁ କ୍ଷମା ମାଗି ନିଅ, ନିଜ ମତରେ ଚାଲ ନାହିଁ ।”
ପ୍ରଶ୍ନ:-
କେଉଁ ମିଠା
ସନ୍ତାନମାନେ କେବେହେଲେ ଲୁଚି ରହିପାରିବେ ନାହିଁ?
ଉତ୍ତର:-
ଯେଉଁମାନଙ୍କର ଈଶ୍ୱରୀୟ ପରିବାର ପ୍ରତି ସ୍ନେହ ଅଛି, ଯେଉଁମାନଙ୍କୁ ରାତି ଦିନ ସେବା କରିବାର ହିଁ
ଚିନ୍ତା ଲାଗି ରହିଛି, ଯେଉଁମାନେ ଏହିଭଳି ସେବାଧାରୀ, ଆଜ୍ଞାକାରୀ ଏବଂ ବିଶ୍ୱସ୍ତ ଅଟନ୍ତି,
କେବେହେଲେ ମନମତରେ ଚାଲନ୍ତି ନାହିଁ, ବାବାଙ୍କ ସହିତ ସଚ୍ଚା ଏବଂ ସ୍ୱଚ୍ଛ ହୃଦୟର ସମ୍ବନ୍ଧ
ରଖିଛନ୍ତି, ସେମାନେ କେବେ ହେଲେ ଲୁଚି ରହିପାରିବେ ନାହିଁ ।
ଗୀତ:-
ତୁହ୍ମି ହୋ ମାତା
ପିତା....
ଓମ୍ ଶାନ୍ତି ।
ଏହି ଗୀତରେ ଗ୍ୟାରେଣ୍ଟି କାହାର ଥିଲା? ମାତା-ପିତାଙ୍କ ସହିତ ପିଲାମାନଙ୍କର ଗ୍ୟାରେଣ୍ଟି ରହିଛି
ଯେ ବାବା ଆମର ତ କେବଳ ଆପଣ, ଆପଣଙ୍କ ବ୍ୟତୀତ ଆମର ଅନ୍ୟ କେହି ନାହିଁ । ଏହା କେତେ ଉଚ୍ଚ ଲକ୍ଷ୍ୟ
। ଏହିଭଳି ଶ୍ରେଷ୍ଠ ପିତାଙ୍କର ଶ୍ରୀମତରେ ଯଦି କେହି ଚାଲନ୍ତି, ତେବେ ଗ୍ୟାରେଣ୍ଟି ଅଛି ସିଏ
ନିଶ୍ଚିତ ଉଚ୍ଚ ପଦ ପାଇବେ । କିନ୍ତୁ ଦେଖିବାକୁ ଗଲେ ବୁଦ୍ଧି କହୁଛି ଏହା ବହୁତ ଉଚ୍ଚ ଲକ୍ଷ୍ୟ ।
ଯାହାକି କୋଟିକରେ କେହି ଏବଂ କେହି ଭିତରେ ମଧ୍ୟ ଜଣେ ଜଣେ ମାଳାର ଦାନା ହୋଇଥା’ନ୍ତି । ପିଲାମାନେ
ମାତ୍-ପିତା ମଧ୍ୟ କହୁଛନ୍ତି, କିନ୍ତୁ ମାୟା ଏତେ ଶକ୍ତିଶାଳୀ ଯେ, ବହୁତ ମୁସ୍କିଲ୍ରେ କେହି
କେହି ଗ୍ୟାରେଣ୍ଟି ଉପରେ ଚାଲି ପାରନ୍ତି । ତେବେ ସମସ୍ତେ ନିଜକୁ ପଚାରି ପାରିବେ ଯେ, ପ୍ରକୃତରେ
ମୁଁ ମାତ-ପିତାଙ୍କର ହୋଇଛି? ବାବା କହୁଛନ୍ତି, ବହୁତ ଅଳ୍ପ ଅଛନ୍ତି ସେଥିପାଇଁ ତ ଦେଖ ମାଳା କେତେ
କମ୍ ଆତ୍ମାଙ୍କର ହେଉଛି । କେତେ କୋଟି ଆତ୍ମାମାନଙ୍କ ମଧ୍ୟରୁ କେବଳ ୮ ଜଣଙ୍କର ବୈଜୟନ୍ତୀ ମାଳା
ତିଆରି ହେଉଛି, କେହି କେହି କହୁଛନ୍ତି ଗୋଟିଏ କଥା, କରୁଛନ୍ତି ଆଉ ଗୋଟିଏ କଥା, ସେଥିପାଇଁ ବାବା
ମଧ୍ୟ କହୁଛନ୍ତି - ଦେଖ ଏହା କେତେ ଆଶ୍ଚର୍ଯ୍ୟ କଥା । ବାବା କେତେ ସ୍ନେହରେ ବୁଝାଉଛନ୍ତି କିନ୍ତୁ
ସୁପୁତ୍ର ବହୁତ କମ୍ ବାହାରୁଛନ୍ତି । ପିଲାମାନଙ୍କ ଭିତରେ ଏତେ ଶକ୍ତି ନାହିଁ ଯାହାକି ଶ୍ରୀମତ
ଅନୁସାରେ ଚାଲିପାରିବେ । ତେବେ ନିଶ୍ଚିତ ରାବଣର ମତରେ ଚାଲୁଛନ୍ତି, ସେଥିପାଇଁ ଏତେ ଉଚ୍ଚ ପଦ ପାଇ
ପାରୁନାହାଁନ୍ତି । ତେଣୁ କେହି କ୍ୱଚିତ୍ ହିଁ ମାଳାର ଦାନା ହୋଇଥା’ନ୍ତି ଏବଂ ସେହି ମିଠା
ସନ୍ତାନମାନେ ଲୁଚି ରହିପାରିବେ ନାହିଁ । ସେମାନେ ସର୍ବଦା ବାବାଙ୍କ ହୃଦୟରେ ରହିଥା’ନ୍ତି ।
ସେମାନଙ୍କର ରାତି ଦିନ ସେବାର ହିଁ ଚିନ୍ତା ରହିଥାଏ, ଈଶ୍ୱରୀୟ ସମ୍ବନ୍ଧ ପ୍ରତି ସ୍ନେହ ରହିଥାଏ ।
ସେମାନଙ୍କର ବୁଦ୍ଧି କୁଆଡେ ବାହାରକୁ ଯାଏ ନାହିଁ । ତେବେ ଏହିଭଳି ସ୍ନେହ ଦୈବୀ ପରିବାର ପ୍ରତି
ରଖିବାକୁ ହେବ । ଅଜ୍ଞାନ କାଳରେ ମଧ୍ୟ ପିଲାମାନଙ୍କର ପିତାଙ୍କ ସହିତ ଏବଂ ଭାଇ-ଭଉଣୀଙ୍କ ସହିତ
ପରସ୍ପର ଭିତରେ ବହୁତ ସ୍ନେହ ରହିଥାଏ । ଏଠାରେ ତ କାହାର କାହାର ଟିକିଏ ହେଲେ ବାବାଙ୍କ ସହିତ ଯୋଗ
ନାହିଁ । ଗ୍ୟାରେଣ୍ଟି ତ ବହୁତ କରୁଛନ୍ତି । ଭକ୍ତିମାର୍ଗରେ ଗାୟନ କରିଥାନ୍ତି, ଏବେ ତ ପିଲାମାନେ
ସମ୍ମୁଖରେ ଅଛନ୍ତି । ତୁମେମାନେ ବିଚାର କର, ଭକ୍ତିମାର୍ଗରେ ଯେଉଁମାନେ ଏତେ ଗାୟନ କରୁଛନ୍ତି,
ସେମାନେ କେତେ ସ୍ନେହରେ ମନେ ମଧ୍ୟ ପକାଉଛନ୍ତି କିନ୍ତୁ ଏଠାରେ ତ ମନେ ହିଁ ପକାଉ ନାହାଁନ୍ତି ।
ବାବାଙ୍କର ହେବା ପରେ ମାୟା ଶତ୍ରୁ ହୋଇଯାଉଛି । ଯେତେବେଳେ ବୁଦ୍ଧି ବାହାରକୁ ଚାଲିଯାଉଛି
ସେତେବେଳେ ମାୟା ଭଲ ଭାବରେ ତଳକୁ ଖସାଇ ଦେଉଛି । ସେମାନେ ନିଜେ ହିଁ ବୁଝିପାରୁ ନାହାଁନ୍ତି ଯେ
ଆମେ ଯାହା କିଛି କରୁଛୁ ତାହା ତଳକୁ ଖସିବା ପାଇଁ ହିଁ କରୁଛୁ । ନିଜ ମତରେ ଚାଲି ତଳକୁ ଖସିବାରେ
ଲାଗିଛନ୍ତି । ସେମାନଙ୍କୁ ଜଣା ହିଁ ପଡୁ ନାହିଁ ଯେ ଆମେ କ’ଣ କରୁଛୁ । କିଛି ନା କିଛି ଦୁର୍ବଳତା
ବା ତ୍ରୃଟି ତ ପିଲାମାନଙ୍କ ଭିତରେ ନିଶ୍ଚିତ ଅଛି । କହୁଛନ୍ତି ଗୋଟିଏ କଥା ଏବଂ କରୁଛନ୍ତି ଆଉ
ଗୋଟିଏ କଥା । ନଚେତ୍ ବାବାଙ୍କଠାରୁ କେତେ ଉଚ୍ଚ ସମ୍ପତ୍ତି ମିଳୁଛି । ତେଣୁ କେତେ ସତ୍ୟତାର ସହିତ
ବାବାଙ୍କ ସେବାରେ ଲାଗିଯିବା ଉଚିତ୍ । କିନ୍ତୁ ମାୟା କେତେ ଶକ୍ତିଶାଳୀ । କୋଟିକରେ କେହି
ବାବାଙ୍କୁ ପୁରା ଜାଣିଛନ୍ତି । ବାବା କହୁଛନ୍ତି କଳ୍ପ କଳ୍ପ ଏହିଭଳି ହେଉଛି । ସମ୍ପୂର୍ଣ୍ଣ
ବିଶ୍ୱସ୍ତ ଏବଂ ଆଜ୍ଞାକାରୀ ନ ହେବା କାରଣରୁ ସେହି ବିଚରାମାନଙ୍କର ପଦ ଏହିଭଳି ହୋଇଯାଉଛି ।
କହୁଛନ୍ତି ମଧ୍ୟ, ବାବା ଆମେ ରାଜଯୋଗ ଶିଖି ନରରୁ ନାରାୟଣ, ନାରୀରୁ ଲକ୍ଷ୍ମୀ ହେବୁ, ରାମ-ସୀତା
ହେବୁ ନାହିଁ । ହାତ ମଧ୍ୟ ଉଠାଉଛନ୍ତି କିନ୍ତୁ ଚାଲିଚଳଣ ବି ତ ସେହିଭଳି ହେବା ଦରକାର ନା ।
ବେହଦର ବାବା ସମ୍ପତ୍ତି ଦେବା ପାଇଁ ଆସିଛନ୍ତି ତେଣୁ ତାଙ୍କ ଶ୍ରୀମତରେ କେତେ ଚାଲିବା ଦରକାର୍ ।
ଏମିତି ବି ବହୁତ ଅଛନ୍ତି, ଯେଉଁମାନେ ଯେପରିକି ରାଣ ଖାଇଛନ୍ତି ଯେ, ଆମେ ଶ୍ରୀମତରେ ଚାଲିବୁ ନାହିଁ
। ସେମାନେ ମଧ୍ୟ ଲୁଚି ରହି ପାରିବେ ନାହିଁ । ଯଦି କାହା ଭାଗ୍ୟରେ ନାହିଁ, ତେବେ ପ୍ରଥମେ
ଦେହ-ଅଭିମାନର ଚାପୁଡା ଲାଗୁଛି ପୁଣି କାମ ବିକାରର । ଯଦି କାମ ବିକାର ନାହିଁ ତେବେ କ୍ରୋଧ, ଲୋଭ
ଅଛି । ଶତ୍ରୁ ତ ସମସ୍ତେ, ମୋହ ମଧ୍ୟ ଏଭଳି ଜିନିଷ ଯାହାକି ସତ୍ୟାନାଶ କରିଦେଉଛି । ଲୋଭ ମଧ୍ୟ କମ୍
ନୁହେଁ । ଏମାନେ ତୁମର ବହୁତ ବଡ ଶତ୍ରୁ ଅଟନ୍ତି । ପାଇ ପଇସାର ଜିନିଷକୁ ମଧ୍ୟ ଚୋରୀ କରିନେବେ ।
ତେବେ ଏହା ମଧ୍ୟ ଲୋଭ ଅଟେ ନା । କାହା କାହାର ଚୋରୀ କରିବାର ବହୁତ ଖରାପ ଅଭ୍ୟାସ ରହିଛି । ଭିତରେ
ଭିତରେ ମନ ଖାଇବା ଉଚିତ୍ ଯେ, ମୁଁ ପାପ କରୁଛି ତେଣୁ କି ପଦ ପାଇବି । ଶିବବାବାଙ୍କର ଯଜ୍ଞକୁ ଆସି
ବାବାଙ୍କ ପାଖରେ ମୁଁ ଏଭଳି କାମ କିପରି କରିପାରିବି । ମାୟା ବହୁତ ଓଲଟା କାମ କରାଇ ଦେଉଛି ।
ସେମାନଙ୍କୁ କେତେ ବି ବୁଝାଅ ତଥାପି ଅଭ୍ୟାସ ଛାଡୁନାହିଁ । କେହି ତ ନାମ ରୂପରେ ଆକର୍ଷିତ ହୋଇ
ଯାଉଛନ୍ତି । ଦେହ-ଅଭିମାନ କାରଣରୁ ଜଣେ ଅନ୍ୟ ଜଣଙ୍କର ନାମ ରୂପରେ ବାନ୍ଧି ହୋଇ ଯାଉଛନ୍ତି ।
ପ୍ରତ୍ୟେକ ସେଣ୍ଟରର ସମାଚାର ବାବା ଜାଣୁଛନ୍ତି । ବାବା ମଧ୍ୟ କ’ଣ କରିବେ, ବୁଝାଇବାକୁ ତ ପଡିବ
ନା । ବହୁତଗୁଡିଏ ସେବାକେନ୍ଦ୍ର ରହିଛି, ତେଣୁ ବାବାଙ୍କ ପାଖକୁ କେତେ ସମାଚାର ମଧ୍ୟ ଆସୁଛି ।
ଚିନ୍ତା ତ ରହୁଛି ନା । ପୁଣି ବୁଝାଇବାକୁ ମଧ୍ୟ ପଡୁଛି, ମାୟା କମ ନୁହେଁ । ପିଲାମାନଙ୍କୁ ବହୁତ
ହଇରାଣ କରୁଛି । ଭଲ ଭଲ ପିଲାମାନଙ୍କୁ କୁହାଯାଉଛି, ବଡ ହେବା ଅର୍ଥ ବଡ ଦୁଃଖ ପାଇବା । ଏଠାରେ ତ
ଦୁଃଖର କୌଣସି କଥା ନାହିଁ । ଆମେ ଜାଣିଛୁ କଳ୍ପ ପୂର୍ବରୁ ମଧ୍ୟ ଏହିଭଳି ହୋଇଥିଲା । ଈଶ୍ୱରଙ୍କର
ହେଲା ପରେ ମଧ୍ୟ ମାୟାର ହୋଇଯାଉଛନ୍ତି । କିଛି ନା କିଛି ବିକର୍ମ କରିଦେଉଛନ୍ତି, ସେଥିପାଇଁ ବାବା
କହୁଛନ୍ତି ପ୍ରତିଜ୍ଞା ତ ବହୁତ ବଡ ବଡ କରୁଛନ୍ତି, ବାବା ମୁଁ ଆପଣଙ୍କ ଶ୍ରୀମତରେ ନିଶ୍ଚିତ ଚାଲିବି,
କିନ୍ତୁ ଚାଲୁନାହାଁନ୍ତି । ସେଥିପାଇଁ ଦେଖ ମାଳା କେତେ ଛୋଟ ହେଉଛି । ବାକି ତ ସମସ୍ତେ ପ୍ରଜା
ହେବେ । ଏହା କେତେ ବଡ ଲକ୍ଷ୍ୟ, ଏଥିରେ ହୃଦୟର ସ୍ୱଚ୍ଛତା ବହୁତ ଦରକାର । କଥାରେ ମଧ୍ୟ ଅଛି -
‘ସଚ୍ ତୋ ବିଠୋ ନଚ୍’ ଅର୍ଥାତ୍ ସତରେ ଥିଲେ ବସି ବସି ନାଚ, ଖୁସିରେ ରୁହ । ଯଦି ବାବାଙ୍କ
ସାଥୀରେ ସତ୍ୟତା ପୂର୍ବକ ଚାଲୁଥିବ, ତେବେ ସତ୍ୟଯୁଗରେ ଶ୍ରୀକୃଷ୍ଣଙ୍କ ସାଥିରେ ନୃତ୍ୟ କରିବ ।
ସତ୍ୟଯୁଗରେ ଶ୍ରୀକୃଷ୍ଣଙ୍କର ନୃତ୍ୟ ତ ବିଖ୍ୟାତ ଅଟେ । ରାସଲୀଳା ତ ରାଧା-କୃଷ୍ଣଙ୍କର ହିଁ
ଦେଖାଉଛନ୍ତି । ରାମଲୀଳା ପରେ ଦେଖାଉଛନ୍ତି କିନ୍ତୁ ନମ୍ବରୱାନରେ ରାଧାକୃଷ୍ଣଙ୍କର ରାସ ହିଁ
ଦେଖାଉଛନ୍ତି । କାରଣ ବର୍ତ୍ତମାନ ସମୟରେ ସେମାନେ ବାବାଙ୍କ ସାଥିରେ ବହୁତ ବହୁତ ସଚ୍ଚା ହୋଇ
ରହୁଛନ୍ତି, ତେଣୁ କେତେ ଉଚ୍ଚ ପଦ ପାଉଛନ୍ତି । ହାତ ତ ବହୁତ ଉଠାଉଛନ୍ତି । କିନ୍ତୁ ମାୟା କେତେ
ପ୍ରବଳ । ଯଦି ପ୍ରତିଜ୍ଞା କରୁଛ ତେବେ ତା ଉପରେ ଚାଲିବାକୁ ପଡିବ । ମାୟାର ଭୂତମାନଙ୍କୁ
ଘଉଡାଇବାକୁ ହେବ । ଦେହ-ଅଭିମାନ ପଛେ ପଛେ ସବୁ ଭୂତ ଆସିଯାଉଛନ୍ତି । ବାବା କହୁଛନ୍ତି
ଦେହୀ-ଅଭିମାନୀ ହୋଇ ବାବାଙ୍କୁ ସ୍ମରଣ କର । ସକାଳୁ-ସକାଳୁ ଉଠି ବାବାଙ୍କ ସହିତ କଥାବାର୍ତ୍ତା
ହୁଅ । ବାବାଙ୍କର ମହିମା କର । ଭକ୍ତିମାର୍ଗରେ ଯଦିଓ ଭଗବାନଙ୍କୁ ସ୍ମରଣ କରୁଛନ୍ତି କିନ୍ତୁ ମହିମା
ତ କାହାର ବି ନାହିଁ । ଯଦି ଶ୍ରୀକୃଷ୍ଣଙ୍କୁ ସ୍ମରଣ କରିବେ, ତେବେ ମହିମା କ’ଣ କରିବେ - ଲହୁଣୀ
ଚୋରୀ କଲେ, ଅମୁକକୁ ହଇରାଣ କଲେ । ଅକାସୁର ବକାସୁରକୁ ମାରିଲେ, ଅମୁକ ଅମୁକ କଲେ । ବାସ୍ ଆଉ କ’ଣ
କହିବେ । ଏସବୁ ହେଲା ମିଛ କଥା । ଏଥିରେ ସତ୍ୟତା ତିଳେ ମାତ୍ର ନାହିଁ । ତେବେ ରାସ୍ତା କ’ଣ
ବତାଇବେ! ମୁକ୍ତି କାହାକୁ କୁହାଯାଏ ତାହା ବି ଜାଣି ନାହାଁନ୍ତି । ଏହି ସମୟରେ ସାରା ବିଶ୍ୱ ଉପରେ
ରାବଣର ରାଜ୍ୟ ଚାଲିଛି । ତେଣୁ ଏଠାରେ ସମସ୍ତେ ପତିତ । କିନ୍ତୁ ମନୁଷ୍ୟମାନେ ଭ୍ରଷ୍ଟାଚାରୀର
ଅର୍ଥକୁ ମଧ୍ୟ ଜାଣିନାହାଁନ୍ତି । ଏକଥା ମଧ୍ୟ ଜାଣିନାହାଁନ୍ତି ଯେ ସତ୍ୟଯୁଗରେ ନିର୍ବିକାରୀ
ଦେବତାମାନେ ଥିଲେ । ଗାୟନ ମଧ୍ୟ କରୁଛନ୍ତି ସର୍ବଗୁଣ ସମ୍ପନ୍ନ, ୧୬ କଳା ସମ୍ପୂର୍ଣ୍ଣ କିନ୍ତୁ
ପୁଣି ବି କହୁଛନ୍ତି ସେଠାରେ ରାବଣ, କଂସ, ଜରାସନ୍ଧ ଆଦି ଥିଲେ । ଯଦି କୁହାଯାଉଛି ପବିତ୍ର ହୁଅ,
ତେବେ କହୁଛନ୍ତି ଦେବତାମାନଙ୍କର ତ ପିଲା ଛୁଆ ଥିଲେ ନା । ଆରେ ତୁମେ ତ ଗାୟନ କରୁଛ ସର୍ବଗୁଣ
ସମ୍ପନ୍ନ, ସମ୍ପୂର୍ଣ୍ଣ ନିର୍ବିକାରୀ ପୁଣି ସେଠାରେ ବିକାରର କଥା କିପରି ହୋଇପାରିବ । ତେଣୁ ତୁମେ
ମଧ୍ୟ ନିର୍ବିକାରୀ ହୁଅ, ସେମାନେ କହୁଛନ୍ତି, ସୃଷ୍ଟି ପୁଣି ବଢିବ କିପରି । ସନ୍ତାନ କିପରି ଜନ୍ମ
ହେବେ । ମନ୍ଦିରକୁ ଯାଇ ମହିମା ଗାନ କରୁଛନ୍ତି ପୁଣି ଘରକୁ ଆସିବା ପରେ ସେହି ମହିମାକୁ
ଭୁଲିଯାଉଛନ୍ତି । ପରୀକ୍ଷା କରିଦେଖ, ଘରେ ଯାଇ ବୁଝାଅ ତେବେ ବି ମାନିବେ ନାହିଁ । ମନ୍ଦିରର କଥା
ମନ୍ଦିରରେ ହିଁ ରହିଲା । ଯଦି ପବିତ୍ର ରହିବା ପାଇଁ କହିବ ତେବେ କହିବେ ବାଃ ବିକାର ବିନା ଦୁନିଆ
କିପରି ଚାଲିବ? ସେମାନଙ୍କୁ ଜଣା ହିଁ ନାହିଁ ଯେ ନିର୍ବିକାରୀ ଦୁନିଆ କିପରି ଚାଲିଥାଏ ।
ପିଲାମାନେ ତ ଗୀତ ମଧ୍ୟ ଶୁଣିଲେ । ପ୍ରତିଜ୍ଞା ମଧ୍ୟ କରୁଛନ୍ତି - ତୁମ ମତରେ ଚାଲିବୁ କାରଣ
ଶ୍ରୀମତରେ ଚାଲିବାରେ ହିଁ କଲ୍ୟାଣ ଅଛି । ବାବା ତ କହି ଚାଲିଛନ୍ତି ଯେ ଶ୍ରୀମତରେ ଚାଲ, ନହେଲେ
ଶେଷରେ ମୃତ୍ୟୁ ଆସିଯିବ । ପୁଣି ଧର୍ମରାଜପୁରୀର ଅଦାଲତରେ ସବୁ କହିବାକୁ ପଡିବ । ତୁମେ ଏହି ପାପ
କର୍ମ କରିଛ । ନିଜ ମତରେ ରହିବା ଦ୍ୱାରା କଳ୍ପ କଳ୍ପର ଦାଗ ଲାଗିଯିବ । ଏମିତି ନୁହେଁ ଯେ, ଥରେ
ଫେଲ୍ ହୋଇ ଗଲେ ପୁଣି ଦ୍ୱିତୀୟ ତୃତୀୟ ବର୍ଷରେ ପଢି ଦେବା, ନା । ଏବେ ଯଦି ଫେଲ୍ ହେଲ ତେବେ କଳ୍ପ
କଳ୍ପ ଫେଲ୍ ହୋଇ ଚାଲିବ, ସେଥିପାଇଁ ପୁରୁଷାର୍ଥ ବହୁତ କରିବାକୁ ପଡିବ । ପ୍ରତି ପାଦରେ ଶ୍ରୀମତରେ
ଚାଲିବାକୁ ହେବ । ନିଜ ଭିତରେ କିଛି ବି ବିକାରର ଆବର୍ଜନା ଯେପରି ନ ରହୁ । ହୃଦୟକୁ ସମ୍ପୂର୍ଣ୍ଣ
ଶୁଦ୍ଧ କରିବାକୁ ହେବ । ନାରଦକୁ ମଧ୍ୟ କହିଥିଲେ ନା - ନିଜର ମୁହଁକୁ ଦର୍ପଣରେ ଦେଖ । ତେବେ ସିଏ
ଦେଖିଲେ, ମୁଁ ତ ମାଙ୍କଡ ଭଳି ଦେଖାଯାଉଛି । ଏହା ତ ଏକ ଦୃଷ୍ଟାନ୍ତ । ତେବେ ନିଜକୁ ପଚାରିବାକୁ
ହେବ ଯେ ମୁଁ କେତେ ଶ୍ରୀମତରେ ଚାଲୁଛି । ବୁଦ୍ଧିଯୋଗ ବାହାରେ କେଉଁଠି ଘୁରୁ ନାହିଁ ତ?
ଦେହ-ଅଭିମାନରେ ରହୁ ନାହିଁ ତ? ଯେଉଁମାନେ ଦେହୀ-ଅଭିମାନୀ ହୋଇ ରହିବେ, ସେମାନେ ସେବାରେ ମଧ୍ୟ ତତ୍ପର
ରହିବେ । ତେବେ ସବୁ କିଛି ଯୋଗ ଉପରେ ନିର୍ଭର କରୁଛି । ଭାରତର ଯୋଗ ବିଖ୍ୟାତ ଅଟେ । ତାହା ତ
ନିରାକାର ବାବା ହିଁ ନିରାକାର ପିଲାମାନଙ୍କୁ ବୁଝାଉଛନ୍ତି । ଏହାକୁ କୁହାଯାଏ ସହଜ ରାଜଯୋଗ । ଲେଖା
ମଧ୍ୟ ହୋଇଛି ନିରାକାର ପରମାତ୍ମା ହିଁ ରାଜଯୋଗ ଶିଖାଇଛନ୍ତି । କେବଳ ଶ୍ରୀକୃଷ୍ଣଙ୍କର ନାମ
ଲେଖିଦେଇଛନ୍ତି । ତୁମେ ଜାଣିଛ, ଆମକୁ ଏହିଭଳି ଲକ୍ଷ୍ମୀ-ନାରାୟଣ ହେବାକୁ ପଡିବ । ପୁଣ୍ୟ ଆତ୍ମା
ହେବାକୁ ପଡିବ । ପାପର କୌଣସି କଥା ନାହିଁ । ବାବାଙ୍କର ସ୍ମୃତିରେ ରହି ତାଙ୍କର ସେବାରେ
ଲାଗିଯିବାକୁ ହେବ । ଏତେ ଉଚ୍ଚ ପଦ ପାଇବାକୁ ହେଲେ କିଛି ମେହନତ ତ କରିବାକୁ ହେବ ନା ।
ସନ୍ନ୍ୟାସୀମାନେ ତ କହୁଛନ୍ତି ଗୃହସ୍ଥ ବ୍ୟବହାରରେ ରହି କମଳ ପୁଷ୍ପ ସମାନ ରହିବା, ଏ କଥା ସମ୍ଭବ
ନୁହେଁ । ସମ୍ପୂର୍ଣ୍ଣ ହେବାରେ ବହୁତ ଫେଲ୍ ହୋଇଯାଉଛନ୍ତି କାରଣ ଯୋଗଯୁକ୍ତ ହୋଇ ରହି
ପାରୁନାହାଁନ୍ତି । ଏବେ ପ୍ରାଚୀନ ଯୋଗ ବାବା ଶିଖାଉଛନ୍ତି । ବାବା କହୁଛନ୍ତି ମୁଁ ନିଜେ ଆସି ଯୋଗ
ଶିଖାଉଛି, ଏବେ ମୋତେ ମନେ ପକାଅ । ତୁମକୁ ମୋ ନିକଟକୁ ଆସିବାକୁ ହେବ । ଏହା ହେଉଛି ଯୋଗର ଯାତ୍ରା
। ତାହା ତୁମର ମିଠା ଶାନ୍ତିଧାମ ଅଟେ । ଏକଥା ମଧ୍ୟ ଜାଣିଛ ଯେ, ଆମେ ଭାରତବାସୀ ହିଁ ଭାରତରେ
ଜନ୍ମ ନେବୁ ଏବଂ ପୁରା ବର୍ସା ପାଇବୁ । ତେଣୁ ବାବା ବାରମ୍ବାର ବୁଝାଉଛନ୍ତି, ପ୍ରତିଜ୍ଞା ଉପରେ
ଦୃଢ ହୋଇ ରୁହ । ଯଦି ଭୁଲ୍ ହୋଇଯାଉଛି, ତେବେ ବାବାଙ୍କଠାରୁ କ୍ଷମା ମାଗିନିଅ ।
ଦେଖ, ଏହି ସନ୍ତାନଟି କ୍ଷମା ମାଗି ନେବା ପାଇଁ ଖାସ କରି ବାବାଙ୍କ ପାଖକୁ ଗୋଟିଏ ଦିନ ପାଇଁ ଆସିଛି
। ଟିକିଏ ଭୁଲ ହୋଇଗଲା ତେଣୁ ଧାଇଁ ଆସିଛି କାରଣ ମନ ଖାଉଛି ତେଣୁ ଭାବିଲା ସମ୍ମୁଖକୁ ଯାଇ
ବାବାଙ୍କୁ ଶୁଣାଇବି । ବାବାଙ୍କ ପ୍ରତି କେତେ ସମ୍ମାନ ଅଛି । ବହୁତ ପିଲା ଅଛନ୍ତି ଯିଏକି ୟାଙ୍କ
ଠାରୁ ମଧ୍ୟ ଅଧିକ ବିକର୍ମ କରିଚାଲିଛନ୍ତି, ଜଣା ବି ପଡୁ ନାହିଁ । ମୁଁ ତ କହୁଛି ବାଃ ମୋର
ସନ୍ତାନ, ବହୁତ ଭଲ । ଟିକିଏ ଭୁଲ୍ ପାଇଁ କ୍ଷମା ନେବା ପାଇଁ ଆସିଛି । ବାବା ସଦାବେଳେ କୁହନ୍ତି
ଯେ - ଭୁଲକୁ ଶୁଣାଇ କ୍ଷମା ମାଗିନିଅ ନଚେତ୍ ସେହି ପାପ ବୃଦ୍ଧି ହୋଇ ଚାଲିବ, ଶେଷରେ ତୁମେ ତଳକୁ
ଖସିଯିବ । ମୁଖ୍ୟ କଥା ହେଲା ଯୋଗ, ଯାହାଦ୍ୱାରା ତୁମେମାନେ ରକ୍ଷା ପାଇପାରିବ, ସେହି ଯୋଗର ବହୁତ
ଅଭାବ ରହୁଛି । ଜ୍ଞାନ ତ ବହୁତ ସହଜ । ଏହା ତ ଯେମିତି ଗୋଟିଏ କାହାଣୀ ସଦୃଶ ଆଜିଠାରୁ ୫ହଜାର
ବର୍ଷ ପୂର୍ବେ କାହାର ରାଜ୍ୟ ଥିଲା, କିପରି ରାଜତ୍ୱ କରୁଥିଲେ, କେତେ ସମୟ ରାଜ୍ୟ କରିଲେ ପୁଣି
ରାଜ୍ୟ କରୁ କରୁ କିପରି ବିକାରର ବନ୍ଧନରେ ବାନ୍ଧି ହେଲେ । ତାଙ୍କ ଉପରେ କେହି ଆକ୍ରମଣ
କରିନାହାଁନ୍ତି । ପରେ ଯେତେବେଳେ ବୈଶ୍ୟବଂଶୀ ହେଲେ ସେତେବେଳେ ଯୁଦ୍ଧ ଆଦି ହେଲା । ସେମାନଙ୍କଠାରୁ
ତ ରାବଣ ରାଜ୍ୟ ଛଡାଇନେଲା । ତୁମେ ପୁଣି ରାବଣ ଉପରେ ବିଜୟ ପ୍ରାପ୍ତ କରି ରାଜ୍ୟ ନେଉଛ । ଏକଥା
ମଧ୍ୟ କାହା ବୁଦ୍ଧିରେ ମୁସ୍କିଲ୍ରେ ଧାରଣ ହେଉଛି । ତୁମକୁ ବାବାଙ୍କ ସହିତ ପୁରା ବିଶ୍ୱସ୍ତ ଏବଂ
ଆଜ୍ଞାକାରୀ ହୋଇ ରହିବା ଉଚିତ୍ । ଅଜ୍ଞାନ କାଳରେ ମଧ୍ୟ କେହି କେହି ବିଶ୍ୱସ୍ତ ଏବଂ ଆଜ୍ଞାକାରୀ
ଥା’ନ୍ତି । କେହି କେହି ଚାକରମାନେ ମଧ୍ୟ ବଡ ବିଶ୍ୱସ୍ତ ଥା’ନ୍ତି । ଲକ୍ଷ ଲକ୍ଷ ଟଙ୍କା ପଡିଥିଲେ
ମଧ୍ୟ ଗୋଟିଏ ଟଙ୍କା ବି ଉଠାଇବେ ନାହିଁ । କହନ୍ତି ସେଠଜୀ ଆପଣ ଚାବି ଛାଡି ଚାଲି ଯାଇଥିଲେ, ମୁଁ
ଯତ୍ନରେ ରଖିଛି । ଏଭଳି ମଧ୍ୟ ଅଛନ୍ତି । ବାବା ତ ବହୁତ ଭଲ ଭାବରେ ବୁଝାଇ ଚାଲିଛନ୍ତି । ବିବେକ
କହୁଛି ଯେ, ଏହି କାରଣରୁ ମାଳାର ଦାନା ହୋଇ ପାରୁନାହାଁନ୍ତି । ପୁଣି ସେଠାକୁ ଯାଇ ଦାସ ଦାସୀ ହେବେ
। ଭଲ ଭାବରେ ପଢୁ ନାହାଁନ୍ତି, ତେଣୁ ନିଶ୍ଚିତ ଭାବରେ ଏହିଭଳି ଅବସ୍ଥା ହେଉଥିବ । ଶ୍ରୀମତରେ ଚାଲୁ
ନାହାଁନ୍ତି । ବାବା ବୁଝାଉଛନ୍ତି - ତୁମର ଲକ୍ଷ୍ୟ ପୁରା ନିର୍ଭର କରୁଛି ଯୋଗ ଉପରେ । ମାୟା ଏକଦମ
ନାକରୁ ଧରି ନେଉଛି, ଯୋଗ ଲଗାଇବାକୁ ଦେଉନାହିଁ । ଯଦି ଯୋଗ ଥା’ନ୍ତା ତେବେ ସେବା ମଧ୍ୟ ଭଲ ଭାବରେ
କରୁଥାନ୍ତେ । ପାପର ଡର ଥା’ନ୍ତା । ଯେପରି ଏହି ସନ୍ତାନ ତ ବହୁତ ଭଲ । ସତ୍ୟତା ଏହିଭଳି ରହିବା
ଦରକାର । ଭଲ ଭଲ ପିଲାଙ୍କଠାରୁ ଏହାଙ୍କର ପଦ ଭଲ ଅଟେ । ଆଉ ଯିଏବି ସେବା କରୁଛନ୍ତି ସେମାନେ
କେଉଁଠି ନା କେଉଁଠି ଆକର୍ଷିତ ହୋଇ ରହିଛନ୍ତି । କିଛି ବି ଶୁଣାଉ ନାହାଁନ୍ତି । କହିଲେ ମଧ୍ୟ ଛାଡୁ
ନାହାଁନ୍ତି । ଗୀତରେ ଦେଖ ପ୍ରତିଜ୍ଞା କରୁଛନ୍ତି କିଛି ବି ହୋଇଯାଉ, କେବେ ବି ଏହିଭଳି ଭୁଲ କରିବି
ନାହିଁ । ମୂଳ କଥା ହେଲା ଦେହ-ଅଭିମାନର । ଦେହ-ଅଭିମାନରୁ ହିଁ ସବୁ ଭୁଲ୍ ହୋଇଥାଏ । ପିଲାମାନେ
ବହୁତ ଭୁଲ କରୁଛନ୍ତି, ସେଥିପାଇଁ ସତର୍କ କରି ଦିଆଯାଉଛି । ବାବାଙ୍କର କାମ ହେଲା ବୁଝାଇବା । ନ
ବୁଝାଇଲେ କହିବେ ଆମକୁ କ’ଣ କେହି ବୁଝାଇଥିଲେ! ଏହା ଉପରେ ଗୋଟିଏ କାହାଣୀ ମଧ୍ୟ ଅଛି । ବାବା
ମଧ୍ୟ କହୁଛନ୍ତି ପିଲାମାନେ ସାବଧାନ ରୁହ । ନଚେତ୍ ବହୁତ ଦଣ୍ଡ ଭୋଗିବାକୁ ପଡିବ । ପୁଣି ସେତେବେଳେ
ଆଉ କହିବ ନାହିଁ ଯେ, ଆମକୁ କାହିଁକି ଜଣାଇ ନ ଥିଲ । ବାବା ସଫା ସଫା ବୁଝାଉଛନ୍ତି ଯଦି ଟିକିଏ ବି
ପାପ କରିବ ତେବେ ତାହା ବହୁତ ବୃଦ୍ଧି ହୋଇ ଚାଲିବ । ପୁଣି ବାବାଙ୍କ ଆଗରେ ମୁଣ୍ଡ ମଧ୍ୟ ଉଠାଇ
ପାରିବ ନାହିଁ । ମିଛ କହିବା ପାଇଁ ତ ତୋବା ତୋବା (ଛି ଛି) କରିବା ଦରକାର । ଏଭଳି ଭାବ ନାହିଁ
ଯେ, ଶିବବାବା କ’ଣ ଆମକୁ ଦେଖୁଛନ୍ତି । ଆରେ ଅଜ୍ଞାନ କାଳରେ ମଧ୍ୟ ସିଏ ସବୁ କିଛି ଜାଣୁଛନ୍ତି,
ସେଥିପାଇଁ ତ ପାପ ଆଉ ପୁଣ୍ୟର ଫଳ ଦେଉଛନ୍ତି । ବାବା ସ୍ପଷ୍ଟ ଭାବରେ କହୁଛନ୍ତି ଯେ ତୁମେ ଯଦି
ପାପ କରିବ, ତେବେ ତୁମ ପାଇଁ ବହୁତ କଡା ଦଣ୍ଡ ରହିଛି । ବାବାଙ୍କଠାରୁ ସମ୍ପତ୍ତି ନେବା ପାଇଁ
ଆସିଛ ତେବେ ତା’ ବଦଳରେ ଦୁଇଟି ଯାକ କାନ କଟାଇବା ଅର୍ଥାତ୍ ଦଣ୍ଡ ଭୋଗ କରିବା ତ ଉଚିତ୍ ନୁହେଁ ନା
। କହୁଛନ୍ତି ଜଣେ ଅଟନ୍ତି, ମନେ ପକାଉଛନ୍ତି ଆଉ ଜଣଙ୍କୁ । ଯଦି ବାବାଙ୍କୁ ସ୍ମରଣ କରୁନାହାଁନ୍ତି
ତେବେ କୁହ ତାଙ୍କର ଗତି କ’ଣ ହେବ? ସତ୍ୟ ଖାଇବା, ସତ୍ୟ କହିବା, ସତ୍ୟ ପିନ୍ଧିବା.... ଏହି କଥା
ମଧ୍ୟ ଏହି ସମୟର ଅଟେ । ଯେହେତୁ ବାବା ଆସି ଶିଖାଉଛନ୍ତି, ତେଣୁ ତାଙ୍କ ସହିତ ସବୁ କଥାରେ ସଚ୍ଚା
ହୋଇ ରହିବା ଉଚିତ୍ । ଆଚ୍ଛା!
ଏଭଳି ସଚ୍ଚା ବିଶ୍ୱସ୍ତ, ଆଜ୍ଞାକାରୀ ପିଲାମାନଙ୍କ ପ୍ରତି ମାତ-ପିତା ବାପଦାଦାଙ୍କର ୟାଦପ୍ୟାର ଏବଂ
ଗୁଡ୍ମର୍ଣ୍ଣି । ରୁହାନୀ ବାବାଙ୍କର ରୁହାନୀ ପିଲାମାନଙ୍କୁ ନମସ୍ତେ । ଆଚ୍ଛା—
ଧାରଣା ପାଇଁ ମୁଖ୍ୟ ସାର
:—
(୧) ସତ୍ୟତା
ପୂର୍ବକ ବାବାଙ୍କର ସେବାରେ ଲାଗିଯିବାକୁ ହେବ । ସମ୍ପୂର୍ଣ୍ଣ ବିଶ୍ୱସ୍ତ, ଆଜ୍ଞାକାରୀ ହେବାକୁ
ହେବ । ଈଶ୍ୱରୀୟ ପରିବାର ପ୍ରତି ସଚ୍ଚା ସ୍ନେହ ରଖିବାକୁ ହେବ ।
(୨) ଶ୍ରୀମତ ସହିତ ମନମତ
ବା ରାବଣ ମତର ମିଶ୍ରଣ କରିବାର ନାହିଁ । ଏକମାତ୍ର ବାବା ଅନ୍ୟ କେହି ନୁହେଁ - ଏହି ପ୍ରତିଜ୍ଞାରେ
ଦୃଢ ଭାବରେ ରହିବାକୁ ହେବ । ହୃଦୟକୁ ଶୁଦ୍ଧ, ପବିତ୍ର କରିବାକୁ ହେବ ।
ବରଦାନ:-
ଆତ୍ମ-ଅଭିମାନୀ
ସ୍ଥିତିର ସୁଗନ୍ଧ ଆଧାରରେ ସମସ୍ତଙ୍କୁ ପରମାତ୍ମ ସନ୍ଦେଶ ଦେଉଥିବା ବିଶ୍ୱ କଲ୍ୟାଣକାରୀ ଭବ ।
ଆତ୍ମିକ ସ୍ଥିତିରେ ସର୍ବ
ଶକ୍ତି ଗୁଡିକୁ ଯଦି ନିଜ ଭିତରେ ଧାରଣ କରିନେବ ତେବେ ଆତ୍ମ-ଅଭିମାନୀ ସ୍ଥିତିର ସୁଗନ୍ଧ ସହଜରେ
ଅନେକ ଆତ୍ମାଙ୍କୁ ନିଜ ଆଡକୁ ଆକର୍ଷିତ କରିବ । ଯେପରି ମାନସୀକ ଶକ୍ତି ବା ସଂକଳ୍ପର ଶକ୍ତି ଦ୍ୱାରା
ପ୍ରକୃତିକୁ ତମୋପ୍ରଧାନରୁ ସତ୍ତ୍ୱପ୍ରଧାନ କରୁଛ ସେହିପରି ବିଶ୍ୱର ଅନ୍ୟ ସବୁ ଆତ୍ମାମାନେ
ଯେଉଁମାନେ କି ଆପଣମାନଙ୍କ ସମ୍ମୁଖକୁ ଆସିପାରୁ ନାହାଁନ୍ତି ସେମାନଙ୍କୁ ଦୂରରେ ଥାଇ ମଧ୍ୟ ନିଜର
ଆତ୍ମିକ ଶକ୍ତି ଦ୍ୱାରା ବାବାଙ୍କର ପରିଚୟ ବା ମୁଖ୍ୟ ସନ୍ଦେଶ ଦେଇପାରିବ । ଏହିଭଳି ସୂକ୍ଷ୍ମ
ମେଶିନାରୀକୁ ଯଦି ତୀବ୍ରବେଗୀ କରିଦେବ, ତେବେ ଅନେକ ବିକଳ ହେଉଥିବା ଆତ୍ମାମାନଙ୍କୁ ଆଞ୍ଜୁଳୀ
ମିଳିଯିବ ଏବଂ ତୁମେ ବିଶ୍ୱକଲ୍ୟାଣକାରୀ ବୋଲାଇବ ।
ସ୍ଲୋଗାନ:-
ଯଦି ନିଜ ପାଖରେ
ଶୁଦ୍ଧ ବା ଶ୍ରେଷ୍ଠ ସଂକଳ୍ପ ଗୁଡିକୁ ଜାଗ୍ରତ କରି ରଖିବ, ତେବେ ବ୍ୟର୍ଥ ସ୍ୱତଃ ହିଁ ସମାପ୍ତ
ହୋଇଯିବ ।
ଅବ୍ୟକ୍ତ ଈଶାରା:-
ନିଶ୍ଚୟର ମୂଳଦୁଆକୁ ମଜବୁତ କରି ସର୍ବଦା ନିର୍ଭୟ ଏବଂ ନିଶ୍ଚିନ୍ତ ରୁହ ।
ଯେତେବେଳେ କୌଣସି ବି
ପରିସ୍ଥିତି ଆସୁଛି, ସେତେବେଳେ ବାବାଙ୍କୁ ନିଜର ସାଥୀ କରିଦିଅ, ତେବେ ଅନୁଭବ କରିବ ଯେ ମୁଁ
ଏକୁଟିଆ ନୁହେଁ, ମୋ ସହିତ ଏକ ବିଶେଷ ଶକ୍ତି ରହିଛି । ଯେଉଁଠାରେ ବାବା ରହିଥିବେ ସେଠାରେ ଯେତେ
ବି ତୋଫାନ ଆସୁ ତାହା ତୋଫା ଅର୍ଥାତ୍ ଉପହାର ହୋଇଯିବ । ନିଶ୍ଚୟ ବୁଦ୍ଧି ବିଜୟୀ - ଏହି ସ୍ୱମାନର
ସ୍ମୃତି ଦ୍ୱାରା ବିଜୟୀ ହୁଅ ଏବଂ ବିଜୟୀ ବର୍ଷ ପାଳନ କର ।